ଚିହ୍ନା ଚୌହଦି

 

 

 

 

 

 

 

 

 

 

 

ଚିହ୍ନା ଚୌହଦି

ଗୌରହରି ଦାସ

 

ନିଜ କଥା

 

‘ଚିହ୍ନା ଚୌହଦି’ ଜୀବନର ଜଳଛବିର ଦ୍ୱିତୀୟ ପର୍ବ । ତେବେ ଠିକ୍‌ ଅର୍ଥରେ ଏଥିରେ ସଂକଳିତ ଲେଖାଗୁଡ଼ିକ ପ୍ରଥମ ପର୍ବରେ ପ୍ରକାଶିତ ଲେଖାଗୁଡ଼ିକର ପରେ ଲେଖାଯାଇ ନାହିଁ । ଲେଖାଗୁଡ଼ିକର ଆବେଦନ ଭିତ୍ତିରେ ଏହି ପୃଥକୀକରଣ । ‘ଜୀବନର ଜଳଛବି’ରେ ପ୍ରକାଶିତ ଲେଖାଗୁଡ଼ିକର ଆଧାର ଭୂମି ଥିଲା ଗାଁ, ‘ଚିହ୍ନା ଚୌହଦି’ର ଆଧାରଭୂମି ହେଉଛି ସହର । ଏଇଆ ହିଁ ମୋଟାମୋଟି ପାର୍ଥକ୍ୟ ।

 

‘ଚିହ୍ନା ଚୌହଦି’ରେ ପ୍ରକାଶିତ କେତେକ ଲେଖାର ପୃଷ୍ଠଭୂମିରେ ବାସ୍ତବ ଘଟଣାର ଇଙ୍ଗିତ ରହିଛି । ସେହି ଦୃଷ୍ଟିରୁ ସେହି ଲେଖା ତଳେ ଘଟଣାର ତାରିଖ ସୂଚେଇ ଦେଇଥିଲେ ଭଲ ହୋଇଥାଆନ୍ତା ବୋଲି କେତେକ ସତୀର୍ଥ ପରାମର୍ଶ ଦେଇଥିଲେ । ମାତ୍ର ପ୍ରଥମ ପର୍ବରେ ସେ ଧରଣର କୌଣସି ସୂଚନା ଦେଇ ନ ଥିବାରୁ ଏଥିରେ ତାହା ଦେବା ଆବଶ୍ୟକ ମଣି ନାହିଁ । ୧୯୮୮ରୁ ୧୯୯୩, ମୁଖ୍ୟତଃ ଏହି ପାଞ୍ଚବର୍ଷର ସମୟ ଖଣ୍ଡ ହେଉଛି ‘ଚିହ୍ନା ଚୌହଦି’ର ସମୟ । ଏହି ସମୟକୁ ଆଖି ଆଗରେ ରଖିଲେ ପାଠକ କୌଣସି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ ନାହିଁ ।

 

ଏଇ ବହିରେ ସ୍ଥାନିତ ସମସ୍ତ ରଚନା ‘ସମ୍ବାଦ’ରେ ପ୍ରକାଶିତ ହୋଇଛି । ଏଥିମଧ୍ୟରୁ କେତେକ ମୋତେ ବ୍ୟକ୍ତିଗତ ଆନନ୍ଦ ଓ ଆଉ କେତେକ ପାଠକୀୟ ସ୍ୱୀକୃତି ଓ ସମର୍ଥନ ଆଣିଦେଇଛନ୍ତି । ‘ଯୋଜନା ଓ କାଶିନନା’, ‘ସୂର୍ଯ୍ୟୋପରାଗ’, ‘କ୍ଷୁଧାର୍ତ୍ତ ଈଶ୍ୱର’, ‘ଡଲୁ ଓ ଫୁଲବାଣୀ’ ପରି ଅନେକ ଲେଖା ପୁଣି ମୋତେ ପାଠକମାନଙ୍କର ନିକଟତର କରିଛି । ଆଜି ‘ଚିହ୍ନା ଚୌହଦି’ର ପ୍ରକାଶନ ଅବସରରେ ସେହି ପାଠକପାଠିକାଙ୍କ ଶ୍ରଦ୍ଧା, ସଦ୍ଦିଚ୍ଛା ଓ ଅଭିନନ୍ଦନଗୁଡ଼ିକୁ ମୁଁ ବାରମ୍ବାର ସ୍ମରଣ କରୁଛି । ଗତ ସାତ ଆଠ ବର୍ଷ ହେଲା ‘ଜୀବନର ଜଳଛବି’ ଲେଖିବା ମୋ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାମ ହୋଇପଡ଼ିଛି । ପ୍ରଥମେ କିନ୍ତୁ ଏଭଳି କୌଣସି ଯୋଜନା ନ ଥିଲା । ମୋର ଏହି ସାମାନ୍ୟ ସଫଳତା ପଛରେ ମୋ ନିଜର ଅବଦାନ କମ୍‌, ମୋ ଚାରିପାଖରେ ବିଚରଣ କରୁଥିବା ଚରିତ୍ର ଓ ଘଟୁଥିବା ଘଟଣାମାନଙ୍କର ଅବଦାନ ବେଶି ।

 

‘ଜୀବନର ଜଳଛବି’ (ପ୍ରଥମ ପର୍ବ) ଦୁଇବର୍ଷ ତଳେ ପ୍ରକାଶ ପାଇଥିଲା । ସେ ବହିଟିର ସମୀକ୍ଷା କରି ଓଡ଼ିଶାର ବିଶିଷ୍ଟ କବି ଓ ସମାଲୋଚକ ତଥା ଓଡ଼ିଶାର ଆକାଉଣ୍ଟାଣ୍ଟ୍‌-ଜେନେରାଲ ଶ୍ରୀ ହରପ୍ରସାଦ ଦାସ ମୋତେ ଯେଉଁଭଳି ଉତ୍ସାହ ପ୍ରଦାନ କରିଥିଲେ ତାହା ଭୁଲିବାର ନୁହେଁ । ମୋର ମନେହୁଏ କୌଣସି ବିଶିଷ୍ଟ କବି ସମସାମୟିକ ଜଣେ ତରୁଣ ଲେଖକକୁ ଏଭଳି ଉତ୍ସାହ ଦେବା ବିରଳ । ସେହିପରି ଶ୍ରୀ ଚନ୍ଦ୍ରଶେଖର ରଥ, ଶ୍ରୀ ରାଜେନ୍ଦ୍ର କିଶୋର ପଣ୍ଡା, ଶ୍ରୀ ଚିନ୍ତାମଣି ବେହେରା, ଶ୍ରୀ ସୌରୀନ୍ଦ୍ର ବାରିକ, ପ୍ରଫେସର କୃଷ୍ଣଚରଣ ବେହେରା ଓ ପ୍ରଫେସର ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ଭଳି ବହୁ ପ୍ରତିଷ୍ଠିତ କବି, ଲେଖକ ମୋତେ ଭିନ୍ନ ଭିନ୍ନ ସମୟରେ ଉତ୍ସାହିତ କରିଛନ୍ତି, ଲେଖା ଜାରି ରଖିବାକୁ ସାହସ ଦେଇଛନ୍ତି । ମୁଁ ସେମାନଙ୍କୁ ମୋର ପ୍ରଣାମ ଓ କୃତଜ୍ଞତା ଜଣାଉଛି ।

 

‘ଜୀବନର ଜଳଛବି’ ପ୍ରକାଶ କରିଥିବା ‘ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ’ର ମୁଖ୍ୟ ଶ୍ରୀ ସହଦେବ ପ୍ରଧାନ ମଧ୍ୟ ‘ଚିହ୍ନା ଚୌହଦି’ର ପ୍ରକାଶକ । ମୋ ଉପରେ ତାଙ୍କର ଏହି ଆସ୍ଥା ଓ ବିଶ୍ୱାସ ପାଇଁ ମୁଁ ତାଙ୍କ ପାଖରେ ଋଣୀ ରହିବି । ବହିଟିର ଶିରୋନାମା ବାଛିଥିବା ସତୀର୍ଥ କବି ଶ୍ରୀ ଗିରିଜା କୁମାର ବଳୀୟାର ସିଂହ ଏବଂ ପାଣ୍ଡୁଲିପି ପ୍ରସ୍ତୁତିରେ ସହଯୋଗ କରିଥିବା ଗାଳ୍ପିକ ଡଃ ପ୍ରକାଶ କୁମାର ପରିଡ଼ା ଉଭୟେ ମୋର ଅତି ଆତ୍ମୀୟ । ସେମାନଙ୍କର ସ୍ନେହ ଓ ଶ୍ରଦ୍ଧା ପାଇଁ ମୁଁ ମୋର ଗଭୀର କୃତଜ୍ଞତା ଜଣାଉଛି । ‘ଚିହ୍ନା ଚୌହଦି’ର ପ୍ରକାଶ ପୃଷ୍ଠଭୂମିରେ ରହିଥିବା ସବୁ ଚିହ୍ନା ଓ ଅଚିହ୍ନା ମଣିଷମାନଙ୍କୁ ମୁଁ ଏହି ଅବସରରେ ଆଉଥରେ ଧନ୍ୟବାଦ ଜଣାଉଛି ।

 

୩୭୮, ବରମୁଣ୍ଡା

ଭୁବନେଶ୍ୱର-୭୫୧୦୦୩

ଗୌରହରି ଦାସ

Image

 

ଦୋଳି

 

ସହରରେ ରହିବା ଦିନୁ କୁଆଁର ପୁନେଇଁ, ରଜଦୋଳି ଓ ଦୋଳମେଲଣ ପରି ପର୍ବପର୍ବାଣି ପ୍ରାୟ ଭୁଲିହୋଇଗଲେଣି । ବେଳେବେଳେ କେହି ମନେପକେଇଦେଲେ ସହରୀ ଜୀବନର ବିଡ଼ମ୍ବନା ଓ ବିରୋଧାଭାସ ସମ୍ପର୍କରେ ସଚେତନ ହୋଇଯାଏ ସିଦ୍ଧାର୍ଥ । ଏଠି ତ ଦିନମାନେ ଗଣାଯାଆନ୍ତି ଇଂରାଜୀ ମାସର ତାରିଖରେ । ତା ଭିତରେ ସଣ୍ଡେ, ସେକେଣ୍ଡ ସଟର୍ଡେ ପରି କୌଳୀନ୍ୟ ନ ଥିବା ଦପ୍ତରୀ ଅବକାଶ । ଛୁଟିମାନେ ଏଠି ଆଉ ଯାହା ଅଧୀନରେ ଥାଆନ୍ତୁ ବା ନ ଥାଆନ୍ତୁ, ଚନ୍ଦ୍ର କିମ୍ବା ସୂର୍ଯ୍ୟଙ୍କର କର୍ତ୍ତୃତ୍ୱରେ ଆଦୌ ନ ଥାନ୍ତି ।

 

ତେବେ ଏସବୁ ପର୍ବପର୍ବାଣି କଥା ମନେପଡ଼ନ୍ତା ନାହିଁ ଆଦୌ, ଯଦି ସହରର ଶାଢ଼ି ଓ ଚୁଡ଼ି ଦୋକାନମାନେ ସେତକ ମନେପକେଇ ନ ଦିଅନ୍ତେ । ସେମାନେ ଏ ବାବଦରେ ଯେଉଁ ସାଂସ୍କୃତିକ ଦାୟିତ୍ୱ ତୁଲାଉଛନ୍ତି ତାହାକୁ କଦାପି ଅସ୍ୱୀକାର କରାଯାଇ ନ ପାରେ ।

 

ରଜପାଇଁ ଛୁଟି ନେଇ ସିଦ୍ଧାର୍ଥ ଗାଆଁକୁ ଆସି ନାହିଁ । ପ୍ରାୟ ସାତ ଆଠ ବର୍ଷ ତଳେ ସେ ଗାଆଁକୁ ଆସିଥିଲା ବୃନ୍ଦାବନ ମଉସାଙ୍କ ଦେହାନ୍ତ ପରେ । ଝିଅ ବାହାଘର ନିମନ୍ତ୍ରଣପତ୍ର ସବୁ ବାଣ୍ଟିବାର ନ ଥିଲେ ସେ ସି.ଏଲ. ନେଇ କାହିଁକି ବା ଆଜି ଆସିଥାଆନ୍ତା !

 

ଗାଆଁ ମୁଣ୍ଡରେ ପହଞ୍ଚୁ ପହଞ୍ଚୁ ଦି ଚାରିଟି ନୂଆ ନାଲିଗାମୁଛା ପିନ୍ଧା ମଣିଷଙ୍କ ଉପରେ ନଜର ପଡ଼ିଲା । ଇଏ ରଜ ଆସିବାର ବିଜ୍ଞାପନ । ଫି ବର୍ଷ ଏହି ଦୃଶ୍ୟ ଦେଖିବାକୁ ମିଳେ ।

 

ମନେପଡ଼ିଲା ପିଲାଦିନ । ସେଦିନ ରଜ ଥିଲା ଆକାଶଭର୍ତ୍ତି ଉନ୍ମାଦନାର ବହୁ ଈପ୍ସିତ ପର୍ବ-। ସ୍ମୃତି ଓ ସୌହାର୍ଦ୍ଦ୍ୟର ସଂକ୍ରାନ୍ତି ।

 

ରଜ ଦୁଇ ତିନି ଦିନ ଥାଇ ଗାଆଁଟା ମୁଖର ହୋଇଉଠେ । ହଠାତ୍‌ ସିଦ୍ଧୁ (ସିଦ୍ଧାର୍ଥର ପିଲାଦିନ ନାଁ) ଆବିଷ୍କାର କରେ କଲିକତୀ ଗାମୁଛାପିନ୍ଧା ଦାଦା, ଭାଇ ଓ ମଉସାମାନଙ୍କୁ । କାର୍ତ୍ତିକ, ମାର୍ଗଶିର ମାସବେଳୁ ଏମାନେ ଦାଦନ ଶ୍ରମିକ ହେଇ ଯାଇଥାଆନ୍ତି କଲିକତା । ଇଟାଖୁଲା ଠିକାଦାରଠୁ ଦାଦନ ନେଇଥାଆନ୍ତି ଆଗତୁରା ଚାଷ ଆରମ୍ଭ ବେଳେ । ନାହିଁ କରିବାର ଜୁ ନ ଥାଏ । ଘରଦ୍ୱାର, ସ୍ତ୍ରୀ ପିଲା ଓ ବନ୍ଧୁବାନ୍ଧବ ଛାଡ଼ି ଏମାନେ ଚାଲିଯାଆନ୍ତି ଦୂର ସହର । ଦୀର୍ଘ ଆଠ ମାସ ସେମାନଙ୍କ ଅପେକ୍ଷାରେ ବିତେ । ମଝିରେ ମଝିରେ ଖଣ୍ଡିଏ ପୋଷ୍ଟକାର୍ଡ: ଆମ ଏଠା କୁଶଳକୁ ମାଆ ଦକ୍ଷିଣକାଳୀ, ତୁମ୍ଭ କୁଶଳକୁ ବାବା ଆଖଣ୍ଡଳମଣି । ଜାଣିବାର କି ଆମ୍ଭେ ଏଠାରେ ସର୍ବ କୁଶଳରେ ଅଛୁ... ଇତ୍ୟାଦି ଇତ୍ୟାଦି । ପ୍ରବାସୀ ଜୀବନର ଦୁଃସ୍ଥିତି ସମ୍ପର୍କରେ ଆଦୌ ସଚେତନ ନ ଥିବା ସିଦ୍ଧୁ ଏହି ମଣିଷମାନଙ୍କର କଲିକତୀ ରହଣିକୁ ନେଇ ଅନେକ କିଛି ଭାବି ବସୁଥିଲା । ସେଠାରେ ରାତି ନାହିଁ, ଦୁଃଖ ନାହିଁ, ରୋଗ ନାହିଁ । ବଡ଼ ହେଲା ପରେ ଥରେ ସେ ଯାଇଥିଲା ଏମିତି ଗୋଟିଏ ଇଟାଖୁଲାକୁ । ଚବିଶ ପ୍ରଗଣା ଜିଲ୍ଲାରେ ଛୋଟ ଗାଆଁଟିଏ, ସେଇଠି ରହୁଥିଲା ତାଙ୍କ ଗାଆଁର କାହ୍ନୁ ମଉସା । ଝାଟିମାଟିର ଧାଡ଼ି ଧାଡ଼ି ଘର, ଘର ନୁହେଁ ତ ଗୋଟିଏ ଗୋଟିଏ ଖୋଲ । ଅଣ୍ଟାସଳଖି ଛିଡ଼ା ହୋଇହୁଏ ନାହିଁ ଭିତରେ । ମାଟିଆକେଳା ପରି କାହ୍ନୁମଉସାଙ୍କ ଚେହେରା ଦେଖି ପ୍ରଥମେ ଚିହ୍ନିପାରି ନ ଥିଲା ସିଦ୍ଧୁ । ଏହି ଦଶାରେ କାହ୍ନୁମଉସା ବିତେଇଥାନ୍ତି ଦୀର୍ଘ ଆଠମାସ ! ଦାଦନ ଶୁଝିବ, ତାପରେ ଯଦି କିଛି ପଇସା ବଳେ ତାକୁ ନେଇ ରଜକୁ ଫେରିବେ । ଘରଛପର ହେଇନଥିବ, ଝିଅ ମାଳତୀର ବାହାଘର ଅଛି, ଅନେକ କଳ୍ପନା, ଅନେକ ଯୋଜନା । ଗୋଟାଏ ଭାରି ଦୀର୍ଘଶ୍ୱାସ ବାହାରି ଆସିଥିଲା କାହ୍ନୁମଉସାଙ୍କ ଛାତି ଭିତରୁ ।

 

ପହିଲି ରଜ ପୂର୍ବରୁ କିନ୍ତୁ ସେମାନେ ଫେରିଆସନ୍ତି । ଟିଣଟ୍ରଙ୍କ ଭିତରେ ଜିରା, ଫୁଟଣଠୁ ଆରମ୍ଭ କରି ବାସନାତେଲ, ସାବୁନ ଦି ଖଣ୍ଡ, ଜଗଦୀଶ ଡ୍ରେସେସ୍‌ର ଜାମାପଟା ଓ ନିଜ ପାଇଁ ନାଲିଗାମୁଛା ଖଣ୍ଡେ । ଆର ଝୁଲାରେ ଦି କିଲୋ ଆମ୍ବ ଓ ଗାଆଁରେ ଫଳୁନଥିବା ଲିଚୁ ପୁଞ୍ଜାଏ । ଇଏ ରଜ ସଉଦା ।

 

ଅଥଚ ଏତେ ଦୁଃଖ ଓ ଦୈନ୍ୟ ସତ୍ତ୍ୱେ ରଜ ମଉଜ କେଉଁଠି ମହଳଣ ପଡ଼ିଯାଏ ନାହିଁ । କଇଁଆ ଗଛର ଡାଳରେ ଲାଗିଯାଏ ଝୁଲଣ । ମହାଦେବ ପଡ଼ିଆରେ ବାଗୁଡ଼ି ଖେଳୁଥାନ୍ତି ଟୋକାଏ-। ସଦ୍ୟ ବାହାହେଇ ଆସିଥିବା ବୋହୂମାନଙ୍କ ପେଟରାରୁ ତାସ୍‌ମୁଠାମାନ ସଂଗ୍ରହ କରି ଚଉତରା ଉପରେ ବସିଥାନ୍ତି ଦଳ ଦଳ ପ୍ରୌଢ଼ ଓ ବୟସ୍କ । ବାଗୁଡ଼ି, ଝୁଲଣ, ତାସଖେଳ ଭିତରେ ବିତେ ତିନି ଦିନର ରଜ । କଲିକତାରୁ ଫେରି ନ ଥିବା ମନର ମଣିଷଟି ପାଇଁ ପୋଖରୀ ହୁଡ଼ାରେ ନୂଆ ବୋହୂଟିର ଅପେକ୍ଷା ସରିଥାଏ । ରଜ ବାଗୁଡ଼ି ଖେଳୁଥାଏ ଏମୁଣ୍ଡରୁ ସେମୁଣ୍ଡ– ହାଣ୍ଡିଶାଳରୁ ଗୋହିରି ପଦାଯାଏ । ସେହି ତିନି ଦିନଯାକ ଭୁଲି ହେଇଯାଏ ବଢ଼ି ମରୁଡ଼ି ଓ ବାତ୍ୟାର ଆତଙ୍କ, ଲାଭଖୋର ଠିକାଦାରର ମୀନ ପକେଇ ମିରକାଳି ଧରିବାର ଯୋଜନା, ଚଟକଳ ଓ ଇଟାଖୁଲାର ଅଣ୍ଟାଭଙ୍ଗା ଖଟଣି, ହତାଶା ଓ ଦୀର୍ଘଶ୍ୱାସର ଦୀର୍ଘ ସୂଚିପତ୍ର ।

 

ରଜଦୋଳି ମାଟିରୁ ଆକାଶ ଆଡ଼କୁ ଝୁଲିଯାଉଥାଏ । ଆକାଶଛୁଆଁ ସ୍ୱପ୍ନ ଓ ବାସ୍ତବତାର ମାଟି ମଝିରେ ରଜଦୋଳି ଝୁଲୁଥାଏ ପୁଞ୍ଜାଏ ଅସରନ୍ତି କାମନା ହୋଇ । ଗାଆଁ ଝିଅଙ୍କ ଟୁପୁରଟାପର ଭିତରେ ଅକୁହା ରହିଯାଉଥାଏ ଆହୁରି ଅନେକ କଥା– ଆଜି ଏଇଠି ଅଛୁ, ସଭିଏଁ ସାଙ୍ଗସାଥୀ ହେଇ ହସୁଛୁ, ଗୀତ ଗାଉଛୁ; କାଲିକି କାହା ଭାଗ୍ୟ କେଉଁଠିକି ନେଇଯିବ । ଏଇ ଗାଆଁ ହେବ ସାତସପନ । ବାପାଭାଇ ସାଙ୍ଗ ସଙ୍ଗାତ ହେଇଯିବେ ଆକାଶ କଇଁଆ । କାହାକୁ କହିବା ଲୋ, ଝିଅ ଜନମ ତ ଏମିତି । ବାପଘର ଆଉ ଶାଶୂଘର ମଝିରେ ଏମିତି ଗୋଟିଏ ଅସ୍ଥିର ଝୁଲଣ ଝିଅ ଜନମ !

 

ନୂଆ ବାହା ହେଇ ଯାଇଥିବା ଝିଅଟି ବାପଘର ଡାକରାରେ ଆସିଛି । ହଳଦି ମଖା ଗୋରା ଚମରେ ଛାପିଯାଇଛି ରାତି ଅନ୍ଧାରର ମହୁ-ମିଠା କଥା କେତେ । ଅନୁଭବହୀନ ସାଙ୍ଗମାନଙ୍କ କାନରେ ଅବା ସେ ପଢ଼ଉଛି ଗୁରୁମନ୍ତ୍ର । ହସ ଲହରୀରେ କଇଁଆ ଗଛର ପତ୍ର ଶିରିଶିରେଇ ଯାଉଛି । ଲାଜକୁଳୀ ପତ୍ରମାନଙ୍କ ପରି ସେମାନଙ୍କ ମୁହଁଟି ମାନ ଲାଜେଇ ଯାଉଛି ।

 

ବାହାଘର ନିମନ୍ତ୍ରଣ ପତ୍ର ସବୁ ଯାହାକୁ ଯାହା ଦେବାର କଥା ସିଦ୍ଧାର୍ଥ ଦେଇସାରିଲାଣି । କିଏ ବା ଏତେ ଦୂର ଯିବ ଶହେ ଦେଢ଼ଶ ଖର୍ଚ କରି ! ସେମାନଙ୍କ ଯିବା ବି କଣ ସତରେ ଚାହିଁଛି ସିଦ୍ଧାର୍ଥ ? ଇଏ କେବଳ ଧର୍ମକୁ ଆଖିଠାର । ବାହାଘର ବ୍ରତଘର ବେଳେ ଲୋଡ଼ା ପଡ଼ୁଥିବା ବ୍ରାହ୍ମଣ ପୁରୋହିତଙ୍କ ଉପସ୍ଥିତି ପରି ଗୋଟିଏ ଔପଚାରିକତା । ସେକଥା ସିଦ୍ଧାର୍ଥ ବୁଝେ, ଗାଆଁର ଦାଦି, ମଉସାଏ ମଧ୍ୟ ବୁଝନ୍ତି ।

 

ସଞ୍ଜ ନଇଁ ଆସିଥିଲା । ସିଦ୍ଧାର୍ଥର ଏଥର ବିଦାୟ ନେବାର ପାଳି । ବେହେରା ସାହି ସେପଟରୁ ଠିଆ ଝୁଲଣରେ ଦୋଳି ଖେଳୁଛନ୍ତି କେତେଟା ଭେଣ୍ଡିଆ ଟୋକା । ଝିଅମାନଙ୍କୁ ଚିଡ଼େଇବା ପାଇଁ ସେମାନଙ୍କ ସ୍ୱରକୁ ଅନୁକରଣ କରି କେହି ଜଣେ ଗୀତ ଗାଉଛି, ‘ବନସ୍ତେ ରାବିଲା ଗଜ, ବରଷକେ ଥରେ ଆସିଛି ରଜଲୋ...’

 

ଉପରକୁ ଉଠିଥିବା ଦୋଳି ପୁଣି ଖସିଆସୁଛି ତଳକୁ । କେହି ଜଣେ ପଛରୁ ଠେଲିଦେଉଛି ତ ଦୋଳିଟା ପୁଣି ଉଠିଯାଉଛି ଉପରକୁ । ସିଦ୍ଧାର୍ଥକୁ ଲାଗିଲା ସିଏ ବି ଯେମିତି ଏହିପରି ଗୋଟିଏ ଦୋଳି । ଉପରକୁ, ଢେର୍‌ ଉପରକୁ ଉଠିଯାଇଛି । କହୁଛି ଦେଖ ଗଛପତ୍ର, ବଗବଗୁଲୀ ଓ ରଙ୍ଗବେରଙ୍ଗୀ ଗୁଡ଼ି, ମୁଁ ବି ତମ ପାଖାପାଖି ଉଡ଼ୁଛି । ପବନ ପିଟି ହେଇଯାଉଛି ତାର ଫୁଙ୍ଗୁଳା ଦେହରେ । ସମ୍ପର୍କ ଓ ସହର ମଝିରେ ତା’ର ଏ ଦୋଳି ଅଧା ବାଟରେ ସ୍ଥିର ହେଇ ରହିଯାଉଛି । କେହି କିନ୍ତୁ ଆସି ତଳକୁ ଓହ୍ଲେଇ ନେଉ ନାହିଁ ।

 

କାହାର ପାଦଶବ୍ଦରେ ସମ୍ବିତ୍‌ ଫେରିପାଇଲା ସିଦ୍ଧାର୍ଥ । ତା’ର ଉଡ଼ାଣଖୋର ସ୍ମୃତିସବୁ ସୂତା ଛିଣ୍ଡିଥିବା ଗୁଡ଼ି ପରି କଡ଼ମାଡ଼ି ପଡ଼ିଗଲା ହିଡ଼ମୁଣ୍ଡରେ । ସେ ପାଦ ଉଠେଇଲା ।

 

ଝଙ୍କା କଇଁଆ ଗଛ ପତ୍ରସନ୍ଧିରୁ ରଜଦୋଳି ଗୀତ ତଥାପି ପୂର୍ବପରି ଲହରେଇ ଲହରେଇ ଭାସି ଆସୁଥିଲା । ସିଦ୍ଧାର୍ଥ ଭିତରେ କିନ୍ତୁ ପହିଲି ରଜର ଉନ୍ମାଦନା ନାହିଁ, ଖାଲି ଭୂଇଁଶୀତଳାର ଶୀଥିଳତା ।

Image

 

ଗଙ୍ଗଶିଉଳିମାନଙ୍କର ସ୍ୱପ୍ନ

 

ଅନେକ ଦିନ ପରେ ଦେଖାହେଲା ନରେନ୍ଦ୍ର ମହାପାତ୍ରଙ୍କ ସହ ସିଦ୍ଧାର୍ଥର । ଏହା ଭିତରେ କେଜାଣି କେତେଥର ମନ୍ତେଈରେ ବଢ଼ି ଆସି ପୁଣି ଛାଡ଼ିଗଲାଣି । ଘରପାଖ ଆମ୍ବଗଛ ଡାଳରେ ବଉଳ ଝୁଲି ପୁଣି ଫେରାର୍‌ ହେଇଗଲାଣି । ସବୁକିଛି ଅଦଳବଦଳ ହେଇଗଲାଣି ସମୟର ମୋଡ଼ ବୁଲାଣିରେ । କିନ୍ତୁ ନରେନ୍ଦ୍ର ମହାପାତ୍ରଙ୍କୁ ଚିହ୍ନିପାରିବାରେ କିଛି ଅସୁବିଧା ହେଲା ନାହିଁ ସିଦ୍ଧାର୍ଥର । ନରେନ୍ଦ୍ର ମହାପାତ୍ର ସାଇକେଲଟିକୁ ଗଡ଼େଇ ଗଡ଼େଇ ବାଲୁବଜାର ବହି ଦୋକାନ ଗଳିରାସ୍ତା ପାର ହେଉଥିଲେ । ସିଦ୍ଧାର୍ଥ ପଛରୁ କହିଲା, “ନମସ୍କାର ।”

 

ପଛକୁ ମୁହଁ ଫେରାଇ ଏପରି ଆଶ୍ଚର୍ଯ୍ୟ ଭଙ୍ଗୀରେ ନରେନ୍ଦ୍ର ମହାପାତ୍ର ଚାହିଁଥିଲେ ଯେ ସେ ଚାହାଣିରୁ ସିଦ୍ଧାର୍ଥକୁ ସେ ଚିହ୍ନିପାରି ନାହାନ୍ତି ବୋଲି ବିଲ୍‌କୁଲ୍‌ ଜାଣି ହେଉଥିଲା । ସିଦ୍ଧାର୍ଥ ସମୟକୁ ଆଉ କିଛି ବର୍ଷ ଫେରେଇ ନେବାର ବ୍ୟର୍ଥ ପ୍ରୟାସରେ କହିଲା, “ମୋତେ ଚିହ୍ନିପାରୁ ନାହାନ୍ତି ନରେନ୍ଦ୍ର ବାବୁ !”

 

ଇତିହାସ । ଗୋଟେ ଇତିହାସ କଡ଼ ଲେଉଟେଇ ସାରିଲାଣି ଏଇ କୋଡ଼ିଏ ବର୍ଷ ଭିତରେ-। ନରେନ୍ଦ୍ର ମହାପାତ୍ରଙ୍କ ପୋଷାକର ରଙ୍ଗ ମହଳଣ ପଡ଼ିଯାଇଛି । ଆଖିର ଜ୍ୟୋତି ନିଷ୍ପ୍ରଭ ଓ ପାଦର ଶକ୍ତି କ୍ଷୀଣ ହୋଇଛି । ମୋଟା ଯବକାଚର ଚଷମା ତଳୁ ସେ ସିଦ୍ଧାର୍ଥକୁ ଚାହିଁ ଯେତେଥର ମନେପକେଇବାକୁ ଚାହୁଁଛନ୍ତି ସେତେଥର ସେ ଝୁଣ୍ଟୁଛନ୍ତି ସିନା, ଠିକ୍‌ ଭାବେ ମନେ ପକାଇ ପାରୁ ନାହାନ୍ତି ।

 

ସିଦ୍ଧାର୍ଥ ନିଜଆଡ଼ୁ ନିଜର ପରିଚୟ ଦେଲା– ମୁଁ ସିଦ୍ଧାର୍ଥ । ଆପଣଙ୍କ ପ୍ରେସରେ ରେଭେନ୍‌ସା କଲେଜ ମାଗାଜିନ୍‌ ଛପାହେବା କଥା ମନେପଡ଼ୁଛି ନା, ମୁଁ ଥିଲି ଏକଦା ତାର ସମ୍ପାଦକ ।

 

ନରେନ୍ଦ୍ର ମହାପାତ୍ରଙ୍କ ଓଠ ଫାଙ୍କରୁ ଝରିଆସୁଥିଲା ମେଞ୍ଚାଏ ଗଙ୍ଗଶିଉଳିର ହସ । କେଡ଼େ ଆତ୍ମୀୟ ତାଙ୍କର ସେ ହସ, କଥାବାର୍ତ୍ତା । ସବୁଦିନେ ଏମିତି । ବାହାରି ଆସିଥିବେ ଘରୁ କେଉଁ ଗୋଟିଏ କାମରେ ଅଥଚ ବାଟରେ ଯଦି କେଉଁ ଲେଖକ କି ପାଠକ ସଙ୍ଗେ ଦେଖା ହେଇଯିବ, ମହାପାତ୍ରେ ଅଟକିଯିବେ ସେଇଠି । ସାଇକେଲ୍‌ର ହ୍ୟାଣ୍ଡଲରେ ଝୁଲୁଥିବ ଖାଲିବ୍ୟାଗ୍‌ ନ ହେଲେ ବଜାର ଫେରନ୍ତା ପରିବା ବ୍ୟାଗ୍‌ । ମହାପାତ୍ରେ କିନ୍ତୁ ଭୁଲିଯାଇଥିବେ ପରିବା ଓ ପରିବାରର ଜଞ୍ଜାଳ । ଆବେଗ ଓ ଭାବପ୍ରବଣତାରେ ଜୁଡ଼ୁସୁଡ଼ୁ ସରଳ ମଣିଷଟିଏ ନରେନ୍ଦ୍ର ମହାପାତ୍ର ।

 

ମଣିମାଳା ଆଉ ପ୍ରକାଶ ପାଉ ନାହିଁ ।

 

ମ-ଣି-ମା-ଳା ? କହୁ କହୁ ଦୀର୍ଘ ନିଶ୍ୱାସଟିଏ ମହାପାତ୍ରଙ୍କ ନାକପୁଡ଼ାରୁ ବାହାରି ବାଲୁବଜାରର ସେଇ ଅନ୍ଧାରିଆ ଆକାଶରେ ମିଶିଗଲା । ଗୋଟେ ସୁଦୀର୍ଘ ସ୍ମୃତିସୋପାନର ଶେଷ ପାହାଚ ସେପଟେ ସେ ଗୋଟେ ବ୍ୟକ୍ତିଗତ ମିଠା ସ୍ୱପ୍ନ ‘ମଣିମାଳା’ । ଏକଦା ଲୋକପ୍ରିୟ ମାସିକ ଉପନ୍ୟାସ ପତ୍ରିକା ଭାବେ ଚହଳ ସୃଷ୍ଟି କରିଥିଲା ସମଗ୍ର ରାଜ୍ୟରେ । ଅନେକ ନୂଆ ଲେଖକଙ୍କୁ ଉତ୍ସାହିତ କରିଥିଲା ‘ମଣିମାଳା’ । ଓଡ଼ିଆ କ୍ଷୁଦ୍ର ଉପନ୍ୟାସର ନୂଆ ସମ୍ଭାବନା ସୃଷ୍ଟି କରିଥିଲା । ସକଳ ଅସୁବିଧା, ପୃଷ୍ଠପୋଷକତାର ଅଭାବ, ସରକାରୀ ବିଜ୍ଞାପନ ଓ ଗ୍ରାହକ ସଙ୍କଟ ସତ୍ତ୍ୱେ ମଣିମାଳା ଦଶବର୍ଷରୁ ଊଦ୍ଧ୍ୱର୍କାଳ ପ୍ରକାଶ ପାଇଥିଲା । ନରେନ୍ଦ୍ର ମହାପାତ୍ର ଥିଲେ ତା’ର ମୁଦ୍ରାକର, ପ୍ରକାଶକ ଓ ସମ୍ପାଦକ । ମଣିମାଳା ପତ୍ରିକା ନାଆଁରେ ସେ ନିଜ ପ୍ରେସ୍‌ର ନାଆଁ ମଧ୍ୟ ଦେଇଥିଲେ ମଣିମାଳା ପ୍ରିଣ୍ଟର୍ସ ।

 

ସିଦ୍ଧାର୍ଥ ପଚାରିଲା, “ମଣିମାଳା ଆଉ ବାହାରିବ ନାହିଁ ?”

 

ମହାପାତ୍ରେ ହସିଲେ । ବଡ଼ କରୁଣ ବିଷଣ୍ଣ ସେ ହସ । “କିଏ ଏଠି ମନେରଖେ କାହାକୁ-? କେତେ ପତ୍ରିକା ତ ଜନ୍ମ ନେଇଛନ୍ତି, ପୁଣି ମରିଯାଇଛନ୍ତି । ଆମ ଆଗରେ ତ ବନ୍ଦ ହୋଇଗଲା ‘ନବରବି’, ସେମିତି ବନ୍ଦ ହୋଇଗଲା ‘ମଣିମାଳା’ । ‘ଆସନ୍ତାକାଲି’ ବନ୍ଦ ହେଇଯିବା ଖବର ପଢ଼ିଥିଲି ସେଦିନ । ପ୍ରତିଦିନ ପତ୍ରିକା ଜନ୍ମ ହେଉଛନ୍ତି ପୁଣି ଆଖିବୁଜି ଦେଉଛନ୍ତି । ଓଡ଼ିଶା ମାଟିରେ ପତ୍ରିକାମାନେ ତିଷ୍ଠିବା ଭାରି କଷ୍ଟ । ଛାଡ଼ ସେକଥା, ତମେ ଏବେ କେଉଁଠି ପଢ଼ୁଛ ?”

 

ପଢ଼ୁଛି ? ମୁଁ ଆଜ୍ଞା ପନ୍ଦର ବର୍ଷ ହେଲା ଚାକିରି କଲିଣି । ଏବେ ଗୋଟେ କମ୍ପାନୀର ମ୍ୟାନେଜର ଅଛି, ରାଉରକେଲାରେ ।

 

ନରେନ୍ଦ୍ର ମହାପାତ୍ର ସହସା ଟିକେ ସତେକ ଦିଶିଲେ । ଅନ୍ଧାର ଭିତରେ ପଥହରା ବାଟୋଇଟିଏ ଦୂରଗାଆଁର ସଞ୍ଜବତି ଆଲୋକ ଦେଖି ଭରସା ପାଇବା ପରି ସେ ସାହସ ପାଇଲେ ଯେମିତି । ସିଦ୍ଧାର୍ଥର ଡାହାଣ ହାତଟିକୁ ଧରି ନରେନ୍ଦ୍ର ମହାପାତ୍ର ତାକୁ ରାସ୍ତାର ସେପଟକୁ ଟାଣିନେଇ କହିଲେ, “ସିଦ୍ଧାର୍ଥବାବୁ, ମୋ ପାଇଁ ଗୋଟେ ଛୋଟମୋଟ ଚାକିରି ଯୋଗାଡ଼ କରିଦେଇପାରିବ, ରାଉରକେଲା କି ଭୁବନେଶ୍ୱରରେ ?

 

କିଛି ମୁହୂର୍ତ୍ତ ପାଇଁ ସିଦ୍ଧାର୍ଥ ନିଜ କାନଯୋଡ଼ିକକୁ ବିଶ୍ୱାସ କରିପାରିଲା ନାହିଁ । ଇଏ ସେ କ’ଣ ଶୁଣୁଛି ? ‘ମଣିମାଳା’ର ସମ୍ପାଦକ, ‘ମଣିମାଳା ପ୍ରିଣ୍ଟର୍ସ’ର ସ୍ୱତ୍ୱାଧିକାରୀ ନରେନ୍ଦ୍ର ମହାପାତ୍ର ଏ ଉତ୍ତୀର୍ଣ୍ଣ ବୟସରେ ସିଦ୍ଧାର୍ଥର ସାହାଯ୍ୟ ଭିକ୍ଷା କରୁଛନ୍ତି ? କେଡ଼େ କରୁଣ ଶୁଭୁଛି ତାଙ୍କର କଣ୍ଠସ୍ୱର-! ଖୁବ୍‌ ବାଧ୍ୟବାଧକତାରେ ଓ କୁଣ୍ଠିତ କଣ୍ଠରେ ସେ ଯେମିତି କହିପକେଇଛନ୍ତି କଥାଟା । ତୁଣ୍ଡକୁ ତାଙ୍କର ବେଖାପ ଶୁଭୁଛି ସେ ସ୍ୱର । ପରିସ୍ଥିତିର ତାଡ଼ନାରେ ପଡ଼ି ଗୋଟେ ଖାନଦାନୀ ମଣିଷ କାହାର ଦୟାପ୍ରାର୍ଥୀ ହେଲେ ଯେମିତି ପ୍ରାଣହୀନ ଶୁଭେ ତା’ର ଉଚ୍ଚାରଣ, ଠିକ୍‌ ସେଇମିତି ଶୁଭୁଛି ମହାପାତ୍ରଙ୍କ କଣ୍ଠରେ ଚାକିରିପାଇଁ ଅନୁରୋଧ ।

 

ଦିନେ ମଣିମାଳା ପ୍ରିଣ୍ଟର୍ସର ଛୋଟ ଟେବୁଲ ପାଖରେ ବସି ବସି, ଟେବୁଲ ଲ୍ୟାମ୍ପ ଆଲୁଅରେ ପ୍ରୁଫ୍‌ ଓ ପାଣ୍ଡୁଲିପି ପଢ଼ୁଥିବା ଏଇ ମଣିଷଟିର ସୌଭାଗ୍ୟ ଓ ପ୍ରତିଷ୍ଠାକୁ ନେଇ ଈର୍ଷା କରୁଥିଲା ସିଦ୍ଧାର୍ଥ । ମନେ ମନେ ବିଚାରିଥିଲା, ଏମିତି ଗୋଟେ କାମ ମିଳନ୍ତା ନାହିଁ ତାକୁ ? ଯେଉଁଠି ସେ ନିଜକୁ ସୁଖ ଲାଗୁଥିବା କାମ କରନ୍ତା, ସାହିତ୍ୟ ଭିତରେ ହଜିଯାଆନ୍ତା, ନୂଆ ଲେଖକଙ୍କୁ ଉତ୍ସାହ ଦିଅନ୍ତା ଓ ପ୍ରବୀଣମାନଙ୍କୁ ଦିଅନ୍ତା ସମ୍ମାନ । ଅଥଚ ସେହି ଈର୍ଷଣୀୟ ପୁରୁଷଟି ଆଜି ସିଦ୍ଧାର୍ଥ ସାମ୍ନାରେ ହାତ ପ୍ରସାରି ଆଶା କରୁଛି ଗୋଟେ ଛୋଟମୋଟ ଚାକିରି... ?

 

: କି-ନ୍ତୁ ଆପଣ ଚାକିରି କରିବେ କାହିଁକି ? ପ୍ରେସ୍‌ କଣ ଚାଲୁ ନାହିଁ ଆପଣଙ୍କର ?

 

: ସବୁ କଥା କହିହୁଏ ନାହିଁ ସିଦ୍ଧାର୍ଥବାବୁ । କିନ୍ତୁ ଗୋଟିଏ କଥା ଜାଣନ୍ତୁ, ସେତିକି ଅସୁବିଧା ନ ଥିଲେ ମୁଁ ଆପଣଙ୍କୁ କହିଥାନ୍ତି କି ଏକଥା ! ଆଉ ଜଣେ ଦି’ଜଣଙ୍କୁ ବି କହିଛି । ଟଙ୍କା ହଜାରେ ଦେଢ଼ହଜାର ମିଳିଲେ ମୁଁ ଚଳିଯିବି । ଟିକିଏ ନିଷ୍ଠାର ସହ ଆଖି ପକେଇବ ।

 

ସିଦ୍ଧାର୍ଥ ଚାହିଁଥିଲା ବର୍ତ୍ତମାନର ଏହି ନିଷ୍ଠୁରତମ ସତ୍ୟକୁ । ପିଠି ବୁଲେଇ ଚାଲିଯାଉଛନ୍ତି ନରେନ୍ଦ୍ର ମହାପାତ୍ର । ଗୋଟେ ଦରିଦ୍ର ପରିବାରର ମୁଖ୍ୟ ଗୃହସ୍ଥ ।

 

କିନ୍ତୁ କି ଚାକିରିଟେ ଖୋଜି ଦେଇପାରିବ ସିଦ୍ଧାର୍ଥ ନରେନ୍ଦ୍ର ମହାପାତ୍ରଙ୍କ ପାଇଁ ?

 

ଗୋଟେ ଆବେଗ ଜୁଡ଼ୁବୁଡ଼ୁ, ସାହିତ୍ୟ ପତ୍ରିକାର ପୂର୍ବତନ ସମ୍ପାଦକ, ଗୋଟେ ଛୋଟ ଛାପାଖାନାର ପ୍ରୌଢ଼ ସ୍ୱତ୍ତ୍ୱାଧିକାରୀଙ୍କ ପାଇଁ କି ପ୍ରକାର ଚାକିରି ସେ ଖୋଜି ପାଇପାରିବ ?

 

ସିଦ୍ଧାର୍ଥ ଭିତରେ ଗୋଟେ ସ୍ୱପ୍ନପ୍ରବଣ କିଶୋର ହାଇଁପାଇଁ ହେଉଥିଲା । ଚରମ ଗ୍ଳାନି ଓ ଅସହାୟତା ଭିତରେ ସେଇ କିଶୋରଟି କେଉଁ ଅଜଣା ଶତ୍ରୁ ବିରୋଧରେ ଫିଙ୍ଗି ଚାଲିଥିଲା ଶବ୍ଦର ବୋମାସବୁ । ସେ ଏ ବ୍ୟବସ୍ଥାକୁ ଭାଙ୍ଗିଦିଅନ୍ତା । ଆଉ ଗୋଟେ ବ୍ୟବସ୍ଥା ଗଢ଼ିଦିଅନ୍ତା ସେଇ ଜାଗାରେ, ଯେଉଁଠି କେବଳ ତୃତୀୟ ଶ୍ରେଣୀୟ ଧୂର୍ତ୍ତମାନଙ୍କୁ କଦାପି ନୁହେଁ, ସମ୍ମାନ ଓ ସ୍ୱୀକୃତି ମିଳନ୍ତା ନରେନ୍ଦ୍ର ମହାପାତ୍ରଙ୍କ ପରି ମଣିଷମାନଙ୍କୁ । ନିର୍ଭର ପ୍ରତିଶ୍ରୁତି ଓ ନିରାପଦ ଅରାଏ ନିଦା ମାଟି ମିଳିପାରନ୍ତା ସ୍ୱପ୍ନ ଓ ଆବେଗମାନଙ୍କୁ । ବଞ୍ଚିବାର ଭରସା ମିଳିପାରନ୍ତା କବି, କଳାକାର ଓ ସମ୍ପାଦକମାନଙ୍କୁ ।

 

କିନ୍ତୁ ସେପରି ହୁଏ ନାହିଁ । କଦାପି ହୁଏ ନାହିଁ ଏଠି । ଯେଉଁଠି କୁଢ଼ କୁଢ଼ କୀଟଦ୍ରଂଷ୍ଟ କାଗଜ ବିଡ଼ା ତଳେ ବିସ୍ମୃତ ହୋଇଯାନ୍ତି ବିଶ୍ୱନାଥ କର, ଗୋପୀନାଥ ନନ୍ଦଶର୍ମା ଓ ନୀଳମଣି ବିଦ୍ୟାରତ୍ନମାନେ, ସେଠି ‘ମଣିମାଳା’ ପରି ଗୋଟେ ଲୋକପ୍ରିୟ ପତ୍ରିକାର ଦରିଦ୍ର ସମ୍ପାଦକ କଥା କିଏ ପଚାରେ ? ସେମାନେ ବିସ୍ମୃତିର ନିରବତା ଭିତରେ ହଜିଯାଆନ୍ତୁ ମେଞ୍ଚାଏ ଅସ୍ୱସ୍ତିକର ବୁଦ୍‌ବୁଦ ପରି, କିଛି ଯାଏଆସେ ନାହିଁ । ନରେନ୍ଦ୍ର ମହାପାତ୍ରମାନଙ୍କ ପରି ସାହିତ୍ୟ ପତ୍ରିକା ସମ୍ପାଦକମାନଙ୍କ ପାଇଁ କୌଣସି ସରକାର ଭାଙ୍ଗିଯାଏନି କି ରାଷ୍ଟ୍ରର ଅଗ୍ରଗତି ଅଟକି ଯାଏ ନାହିଁ !

Image

 

ଟିକାଏତ୍‌ ଓ ଟାଉନ୍‌ ବସ୍‌

 

ଟିକାଏତ୍‌ ଓ ପଟାଏତ୍‌ ସାହେବ ଦୁହିଁଙ୍କୁ ଟାଉନ୍‌ ବସ୍‌ରୁ ଓହ୍ଲାଉଥିବା ଦେଖି ଦପ୍ତର ଫେରନ୍ତା ସିଦ୍ଧାର୍ଥ କିଛି ସମୟ ପାଇଁ ସ୍ଥାଣୁ ପାଲଟିଗଲା । ତାର ରକ୍ଷଣଶୀଳ ରାଜାନୁଗତ ମାନସିକତା ପାଇଁ ଏପରି ଏକ ଘଟଣା ଯେମିତି ଥିଲା ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ ! ସେ ନିଜ ଭିତରେ ଗୋଟେ କଠୋର ଧକ୍କାର ଆଘାତ ଅନୁଭବ କରୁଥିଲା । ହୁଏତ ନିଜର କୌଣସି ବ୍ୟକ୍ତିଗତ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲେ ସେ ଏପରି ଆଘାତ ଅନୁଭବ କରିନଥାନ୍ତା । ରାଜାପୁଅ ପୁଣି ଏହି କୌଳିନ୍ୟ ଓ ସଂଭ୍ରାନ୍ତହୀନ ଟାଉନ୍‌ ବସରେ ? କାହିଁ ଲ୍ୟାଣ୍ଡ ରୋଭର, ଅଷ୍ଟିନ ଓ ମର୍ସିଡ଼ିସ୍‌, କାହିଁ ଏଇ ସଡ଼କ ପରିବହନ କମ୍ପାନୀର ଚମ ଧୁକୁଡ଼ା ବେ-ବୁନିଆଦ୍‌ ଟାଉନ୍‌ ବସ୍‌ !

 

ଗୋଟେ ମଫସଲୀ ହାଇସ୍କୁଲରୁ ଯାଇତାଇ ମାଟ୍ରିକ୍‌ ଖଣ୍ଡକ ପାସ୍‌ କରିବା ପରେ ଅନେକ ବର୍ଷ ତଳେ ସିଦ୍ଧାର୍ଥ କଟକରେ ପଢ଼ିବ ବୋଲି ସ୍ଥିର କରିଥିଲା । ସେସବୁ ଦିନଗୁଡ଼ିକରେ କଟକର ରେଭେନ୍ସା କଲେଜ ତା ପାଇଁ ଅକ୍ସଫୋର୍ଡ଼ କି ହାର୍ଭାର୍ଡ଼ ପରି ବିଶ୍ୱପ୍ରସିଦ୍ଧ ଶିକ୍ଷାନୁଷ୍ଠାନର ମର୍ଯ୍ୟାଦା ରଖୁଥିଲା ! ମାତ୍ର ସିଦ୍ଧାର୍ଥର ବାପା ମନା କରି ଦେଇଥିଲେ । ଯେତିକି ପାଠ ହେଲାଣି ସେତିକି ପାଇଁ ଘରେ ଜାଗା ନାହିଁ, ଏଣିକି ସେସବୁ ଛାଡ଼ି କୋଡ଼ି, କୋଦାଳ, ଝୁଡ଼ି ଧର ଓ ସେପାରି ବିଲକୁ ଚାଲ । କିଶୋର ସିଦ୍ଧାର୍ଥ ମନ ଭିତରେ କିନ୍ତୁ ଗୋଟେ ଝୁଙ୍କ୍‌ ଥିଲା, ପଢ଼ିବ । ଅନ୍ତତଃ ବି.ଏ.ଟା ପାସ୍‌ କରିଗଲେ ଗୋଟେ କଥା ହେବ । ନିଜର ଭବିଷ୍ୟତ ଯାହା ହେଉ ନ ହେଉ, ତଳମାଳ ଅଞ୍ଚଳର ତା ଗାଆଁଟି ଅନ୍ତତଃ ଗୋଟେ ଗ୍ରାଜୁଏଟ୍‌ର ଜନ୍ମଭୂଇଁ ଭାବେ କିଛିଟା ଗୌରବାନ୍ୱିତ ହେବ ! ତେବେ କଟକରେ ରହିବା ପାଇଁ ଟଙ୍କା ଲୋଡ଼ା । ଟଙ୍କା ଆସିବ କେଉଁଠୁ ?

 

ଜଣେ ସମ୍ପର୍କୀୟ ମଉସାଙ୍କଠାରୁ ସେ ଶୁଣିଥିଲା ତା ଅଞ୍ଚଳର ରାଜାଙ୍କ ସୁଖ୍ୟାତି । ‘ରାଜା କଟକରେ ରହୁଛନ୍ତି । ତୁ ଯଦି ତାଙ୍କୁ ଉଆସରେ ଭେଟି ଦୁଃଖ ଜଣେଇପାରିବୁ ତା ହେଲେ ସେ ନିଶ୍ଚୟ ଭରସା ହେବେ ।’

 

ଗୋଟେ ଅନିଶ୍ଚିତ ଭରସା ଉପରେ ଆସ୍ଥା ରଖି ସିଦ୍ଧାର୍ଥ ଦଶଟି ଟଙ୍କା ପକେଟରେ ଧରି ଚାଲିଆସିଥିଲା କଟକ । ରାଜାଙ୍କୁ କିପରି ଭେଟିବ, କେଉଁଠି ଭେଟିବ, ଲମ୍ବ ହୋଇ କିପରି ଗୋଡ଼ତଳେ ପଡ଼ିବ ଓ କେଉଁ କେଉଁ ଶବ୍ଦ ମଝିରେ ମଝିରେ କହିବ– ସେ ସମ୍ପର୍କରେ ସେଇ ସଂପର୍କୀୟ ମଉସାଜଣକ ଅବଶ୍ୟ କିଛିଟା ମୌଖିକ ତାଲିମ ଦେଇଥିଲେ । ତା ସତ୍ତ୍ୱେ ରାଜପ୍ରାସାଦର ଅତିକାୟ ଲୁହା ଫାଟକ ଟପିବା କ୍ଷଣି ସିଦ୍ଧାର୍ଥର ଓଠ ଶୁଖିବାକୁ ଓ ଛାତି ଥରିବାକୁ ଲାଗିଥିଲା । ଲୁହା ଫାଟକ ପରେ ବନ୍ଧୁକଧାରୀ ଜଗୁଆଳି, ତା ପରେ ଲମ୍ବା ପଥର ବିଛା ରାସ୍ତା, ଦୁଇ କଡ଼େ ଗୁଆ ଏବଂ ନଡ଼ିଆ ଗଛ ଧାଡ଼ି ଟପି ସେ ରାଜାଙ୍କ ଅଫିସ୍‌ ସାମ୍ନାରେ ପହଞ୍ଚିଥିଲା । ସେଇଠି କିନ୍ତୁ ତା’ର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା ଚାରିଟି ଶାର୍ଦ୍ଦୂଳ ପ୍ରାୟ ପ୍ରକାଣ୍ଡ କୁକୁରଙ୍କୁ ଦେଖି । ସେମାନେ ଷ୍ଟିଲ୍‌ ଚେନରେ ବନ୍ଧା ହୋଇଥିବା ସତ୍ତ୍ୱେ ନିଜ ନିଜକୁ ସ୍ୱାଧୀନ ଓ ଏକଚ୍ଛତ୍ରବାଦୀ ଶାସକ ପ୍ରାୟ ମନେ କରୁଥିଲେ । ସେମାନଙ୍କ ମିଳିତ ତିରସ୍କାର ସିଦ୍ଧାର୍ଥକୁ ଠେଲି ପକେଇ ଦେଇଥିଲା ବାରନ୍ଦା ତଳକୁ । ଝାଡ଼ିଝୁଡ଼ି ହୋଇ ତଳୁ ଉଠି ସେ ଚାହିଁଥିଲା ଲମ୍ବା ବାରନ୍ଦା କାନ୍ଥକୁ । ବାଘ, ସମ୍ବର ମୁଣ୍ଡ ଓ ହାତୀଦାନ୍ତ, ପୁରୁଣା ଦିନର ବନ୍ଧୁକ ଓ ଧନୁତୀରରେ ଶୋଭିତ ଉଆସ ବାରନ୍ଦା ଦିଶୁଥିଲା ଗୋଟେ ମ୍ୟୁଜିୟମ୍‌ ପରି । ଉଲ୍ଲେଖ ନିଷ୍ପ୍ରୟୋଜନ, କୌଣସି ରାଜପ୍ରାସାଦ ସହ ପ୍ରତ୍ୟକ୍ଷ ସମ୍ପର୍କ ସେଇ ପ୍ରଥମ ଥିଲା ସିଦ୍ଧାର୍ଥ ଜୀବନରେ ।

 

ସମସ୍ତ ପ୍ରକାର ରିହର୍ସଲ୍‌ ସତ୍ତ୍ୱେ ସେ ଲମ୍ବ ପ୍ରଣାମ କରିପାରି ନ ଥିଲା । ଅଣ୍ଟା ପାଖରୁ ଶରୀରର ଉପରଅଂଶ ଯଥାସମ୍ଭବ ନୁଆଁଇ ପ୍ରଣାମ କରିଥିଲା ଓ ହଜୁର୍‌ଙ୍କ ଶ୍ରୀଛାମୁରେ ନିଜ ଦୁଃଖ ଜଣେଇଥିଲା । ବିରାଟ ବପୁ ଓ ସେପରି ବପୁକୁ ସାଜିବା ଭଳି ନିଶ ଯୋଡ଼ିଏ, ଲାଲ୍‌ ଆଖି ଏବଂ ସଦାକ୍ରୁଦ୍ଧ ସାମରିକ ଠାଣିରେ ରାଜା ସାହେବ ଦିଶୁଥିଲେ ଭୀମ ଓ ସୁନ୍ଦର । ନିଜର କିଲ୍ଲା, ଇଲାକା, ତହସିଲ ଇତ୍ୟାଦି ପଚାରିବା ପରେ ରାଜା ହୁକୁମ ଦେଇଥିଲେ, ତମେ ଉଆସରେ କାମ କରିବ ଓ ରାତି କଲେଜରେ ପଢ଼ିବ । ମାସକୁ ଦରମା ଚାଳିଶ ଟଙ୍କା, ଖୁରାକି ଓ ଲୁଗାପଟା ଖର୍ଚ୍ଚ ସେଇଥିରୁ ।

 

ବିଚରା ସିଦ୍ଧାର୍ଥ ହସିବ କି କାନ୍ଦିବ ଚିନ୍ତା କରିପାରି ନ ଥିଲା । ଅଠଷଠି ମସିହାରେ ବଜାର ଦର ଯାହା, ଚାଳିଶ ଟଙ୍କାରେ ଜଣେ କିପରି କଟକ ସହରରେ ଚଳିବ ? ଲୁଗାପଟା କଥା ଦୂରେ ଥାଉ, କଲେଜରେ ଦରମା ଦେବା ପାଇଁ ତ ଛଅ ଟଙ୍କା ଚାଲିଯିବ । ପୁଣି ରାଜା ଘର କାମ । ଆଉ କୁଆଡ଼େ ଯାଇ ପାର୍ଟ ଟାଇମ୍‌ ବା ଟ୍ୟୁସନ୍‌ କରିବା ଉପରେ ଅଙ୍କୁଶ । ଦିନରେ ମୁଗ, ଉଷୁନା ଚାଉଳ ଖିଚିଡ଼ି ଓ ରାତିରେ ଚିନି ପାଣିରେ ପାଉଁରୁଟି ବୁଡ଼େଇ ଦିନାକେତେ ସେ ଚଳିବାକୁ ଚେଷ୍ଟା କରିଥିଲା-। ତାପରେ ଦିନେ ସକାଳୁ, କାହାକୁ କିଛି ନ କହି ସେ ଚାଲିଆସିଥିଲା ରାଜଉଆସ ବାହାରକୁ ଓ ଆଉ ସେଠିକି ଫେରିନଥିଲା ।

 

ରାଜଉଆସରେ ସଂକ୍ଷିପ୍ତ ରହଣି କିନ୍ତୁ ସିଦ୍ଧାର୍ଥକୁ ରାଜା, ଯୁବରାଜ, ଟିକାଏତ ଓ ପଟାଏତ ସାହେବମାନଙ୍କ ବିଳାସୀ ଜୀବନ ସମ୍ପର୍କରେ କିଛିଟା ଜ୍ଞାନ ଆଣି ଦେଇଥିଲା । ରାଜାଙ୍କ ମଣୋହି ପାଇଁ ଯେଉଁ ଦିବ୍ୟ ଓ ଦୀର୍ଘ ପ୍ରସ୍ତୁତି ହୁଏ, ତାହା ଆଖିରେ ନ ଦେଖିଲେ କେହି ବିଶ୍ୱାସ କରିବେ ନାହିଁ । ରାଜାଙ୍କ ପାଇଁ ତିନି ତିନି ଜଣ ରୋଷେୟା, ଜଣେ ଖିରସ୍ତାନୀ, ଜଣେ ମୁସଲମାନ ଓ ପୁନେଇଁ ପର୍ବ ରାନ୍ଧଣା ପାଇଁ ନିଯୁକ୍ତ ଆଉ ଜଣେ ଓଡ଼ିଆ ପୂଜାରୀ । ମାଗୁର ମାଛର ମଝି କଣ୍ଟା ବାହାର କରାଯାଇ ତେଲରେ ଛଣା ହେବ । ଆଗରୁ ମାଗୁର ପିଠିରୁ ଛଡ଼େଇ ଦିଆଯାଇଥିବ ତାର ଚମ । ତାଟରା ଚିଙ୍ଗୁଡ଼ି ରଙ୍ଗ ବୋଳିହେଇ ଅବା ଡେଇଁ ପଡ଼ିବାକୁ ଉଦ୍ୟତ ଥିବ ପ୍ଲେଟ ଉପରେ ! ସରୁ ଡେରାଡୁନ୍‌ ଚାଉଳର ଭାତ ରୁପା ଥାଳିରେ ବଢ଼ା ହୋଇଥିବ ପଦ୍ମଫୁଲ କି ଗୋଲାପ ଫୁଲର ଆକୃତିରେ । ମାଛ, ମାଉଁସ ହୋଇ ଏଗାର ବାର ପ୍ରକାରର ବ୍ୟଞ୍ଜନ । ମଣୋହି ଶେଷରେ ଫଳ ଓ ମଝିରେ ଆଉ ଆଉ ଆନୁଷଂଗିକ ପାନୀୟ । ସେପରି ମଣୋହି ପର୍ବର ପାଖକୁ ଯାଇପାରି ନାହିଁ ସିଦ୍ଧାର୍ଥ; ଦୂରରୁ, ଝରକା ପଛରେ ଛିଡ଼ା ହୋଇ କେବଳ ଆଘ୍ରାଣ କରିଛି ସେସବୁର ଉତ୍ତେଜକ ବାସ୍ନା-। ସେଇ ବାସ୍ନାତକ ତା’ ପରି ଡାଆଣା ମଣିଷକୁ ପାଗଳ କରିଦେବା ପାଇଁ ଯଥେଷ୍ଟ ।

 

ଏହା ଭିତରେ ଅନେକ ବର୍ଷ ବିତିଗଲାଣି । ଅଣସ୍ତରିରେ ହାତ ପାଣ୍ଠି ଉଚ୍ଛେଦ ହେଇଗଲା ରାଜାରାଜୁଡ଼ାଙ୍କର । ଇଲାକାରେ ପ୍ରଜାମାନେ କୁଆଡ଼େ ଜମି ଛାଡ଼ିଲେ ନାହିଁ । ସିଲିଂରେ ବହୁ ଜମି ଚାଲିଗଲା । ରାଜାଙ୍କର କାଳ ହେଇଗଲା ପରେ ଯୁବରାଜ ଓ ପଟାଏତ ଇଲାକାଠାରୁ ଛିନ୍ନ ହେଇଗଲେ । ତା’ପର ସବୁ ଖବର ରଖିପାରି ନାହିଁ ସିଦ୍ଧାର୍ଥ । ବି.ଏ.ଟା ପାସ୍‌ କରିବା ପରେ ତାକୁ ମିଳିଗଲା ଗୋଟେ କିରାଣି ଚାକିରି । ରଜାଘର ଛାଡ଼ିବା ଦିନ କାହାକୁ କିଛି କହି ଆସିନଥିଲେ ମଧ୍ୟ ଭିତରେ ଭିତରେ ଗୋଟେ ପ୍ରତିବାଦର ସ୍ୱର ଅବଶ୍ୟ ଉଠିଥିଲା । ଯେଉଁ ରାଜା ନିଜର ମଣୋହି ପାଇଁ ଗୋଟିଏ ଓଳିକୁ ଖର୍ଚ୍ଚ କରିପାରନ୍ତି ଦୁଇ ଶହ ଟଙ୍କା, ସେଇ ରାଜା ଜଣେ ସାଧାରଣ କର୍ମଚାରୀର ମାସିକ ଖୋରାକି, ଲୁଗାପଟା ଓ ଯାବତୀୟ ଖର୍ଚ୍ଚ ପାଇଁ ଅନ୍ତତଃ ଶହେଟି ଟଙ୍କାର ତ ବ୍ୟବସ୍ଥା କରିପାରିଥାଆନ୍ତେ ? ଚାଳିଶ ଟଙ୍କାରେ କିପରି ଚଳେ ଗୋଟିଏ ମଣିଷ ମାସ ସାରା, କଟକ ସହର ପରି ମହଙ୍ଗା ଜାଗାରେ ?

 

ଟିକାଏତ୍‌ ଓ ପଟାଏତ୍‌ ସାହେବ ରିକ୍ସାରେ ବସି ଚାଲିଗଲେଣି । ସେମାନଙ୍କ ପାଇଁ ସିଦ୍ଧାର୍ଥ ଆଉ ବେଶି ଚିନ୍ତା କଲା ନାହିଁ । ଏ ଅବସ୍ଥାରେ ସେମାନଙ୍କୁ ଦେଖିବା କ୍ଷଣି ସିଦ୍ଧାର୍ଥକୁ ଅବଶ୍ୟ କଷ୍ଟ ହୋଇଥିଲା; କିନ୍ତୁ ଯେଉଁମାନେ ବିଳାସୀ ଦରବାରର ଅନ୍ତଃପୁରରେ ଥାଇ ଝରକା ସେପଟର ଗ୍ରୀଷ୍ମ ତାତିକୁ ଅସ୍ୱୀକାର କରନ୍ତି, ଭୋଗ ପ୍ରାଚୁର୍ଯ୍ୟର ମଣୋହି ଟେବୁଲ ଉପରୁ ଆଖି ଆଡ଼େଇ କଦାପି ଚାହାନ୍ତି ନାହିଁ ଦରଭୋକିଲା ରୋଷେଇଆ କି ଭୃତ୍ୟର ଶୁଖିଲା ମୁହଁ ଆଡ଼େ, ସେମାନଙ୍କ ଅବସ୍ଥା ଦିନେ ନା ଦିନେ ତ ଏପରି ହେବାକୁ ବାଧ୍ୟ । ବାସ୍ତବ ସତ୍ୟକୁ ସ୍ୱୀକାର ନ କରି ତା ସହ ଲୁଚକାଳି ଖେଳିବାର ଅର୍ଥ କିଛି ହୁଏ କି ?

 

ଯୁକ୍ତି ଏବଂ ବ୍ୟକ୍ତିଗତ ଆକ୍ରୋଶର ଆଳରେ ନିଜ ଅଞ୍ଚଳର ବନ୍ଦନୀୟ ଏହି ରାଜ ପରିବାରର ଦୁର୍ଭାଗ୍ୟ ଓ ଦୁର୍ଦ୍ଦଶାକୁ ଯଥାର୍ଥ ପ୍ରତିପାଦନ କରିବାକୁ ସଚେଷ୍ଟ କିରାଣି ସିଦ୍ଧାର୍ଥ କିନ୍ତୁ ଭିତରେ ଭିତରେ ଯଥେଷ୍ଟ ଭାବପ୍ରବଣ ହୋଇପଡ଼ୁଥିଲା । ରାଜା ପୁଅମାନଙ୍କୁ ପୁଣି ଶେଷରେ ଏହି ଟାଉନ୍‌ ବସରେ ଯା’ଆସ କରିବାକୁ ହେଲା ? ରାଜପରିବାରର ଦୁଃଖ ତୁଳନାରେ ନିଜେ ଅଧିକ ଦୁଃଖୀ ହୋଇପଡ଼ିବା ଅବଶ୍ୟ ତା’ ପରି ଜଣେ ରାଜାନୁରକ୍ତ ପ୍ରଜା ପାଇଁ ଥିଲା ଅତ୍ୟନ୍ତ ସ୍ୱାଭାବିକ ।

Image

 

ଉପେକ୍ଷିତ କଳାକାର

 

ପିଲାଦିନର କଥାସବୁ କହିବା ବେଳେ ହଳଧର ଗମ୍ଭୀର ହୋଇପଡ଼େ । ଶବ୍‌ଦମାନଙ୍କୁ ସାଉଣ୍ଟିବାରେ ତାର ବିଳମ୍ବ ହୁଏ । ଶୁଭେ ତାର କଥାବାର୍ତ୍ତା । ହଳଧରର ଏ ସ୍ୱଭାବ ସହ ସହପାଠୀ ସିଦ୍ଧାର୍ଥ ପରିଚିତ ।

 

ହଳଧର କହେ, ଏଇ ଚାକିରି ନ କରି ଯଦି କଳାକାର ହୋଇଥାଆନ୍ତି ନା, ତା ହେଲେ ତୁ ଦେଖିଥାନ୍ତୁ ମୋର ଖ୍ୟାତି ଓ ପ୍ରତିଷ୍ଠା । ଛାଡ଼, ଜୀବନରେ ତ ସେଇ ଦିଇଟା ଦୁଃଖ ରହିଗଲା...

 

ସିଦ୍ଧାର୍ଥ ଏପ୍ରକାର ତତ୍ତ୍ୱରେ ବିଶ୍ୱାସୀ ନୁହେଁ । ଏମିତି କହିବା ଗୋଟେ ଫେସନ । ଅମୁକ ନ ହୋଇ ସମୁକ ଚାକିରି କରିଥିଲେ ବା ୟାକୁ ବାହା ନ ହୋଇ ତାକୁ ବାହା ହୋଇଥିଲେ ଜୀବନ ଅନ୍ୟ ରାସ୍ତାରେ ଯାଇଥାନ୍ତା କହିବା ଗୋଟେ ଅଭ୍ୟାସ । ଅନ୍ୟ ରାସ୍ତାରେ ଜୀବନ ଯାଇଥାଆନ୍ତା ଠିକ୍‌, କିନ୍ତୁ ଏହାଠୁ ଭଲ ବାଟରେ ଯାଇଥାଆନ୍ତା କି ନାହିଁ ସେ ନେଇ ସିଦ୍ଧାର୍ଥର ସନ୍ଦେହ ରହିଛି ।

 

ହଳଧରର ପିଲାଦିନୁ ଗୋଟେ ବଡ଼ ଅଭିଳାଷ ଥିଲା ସେ କଳାକାର ହେବ । ଗୀତ ଗାଇବ, ଅଭିନୟ କରିବ । ରେଡ଼ିଓରୁ ମହମ୍ମଦ ରଫି, ମୁକେଶ କି ଅକ୍ଷୟ ମହାନ୍ତିଙ୍କ ଗୀତ ଶୁଣିଲେ ସେ ଖୁବ୍‌ ପ୍ରଭାବିତ ହୋଇଯାଏ । ଡ୍ରାମା କି ଅପେରାର ରାଜାରାଣୀଙ୍କୁ ଦେଖିଲେ ବି ତା’ର ସେଇ ଅବସ୍ଥା । ତାର ଏ ପ୍ରତିଭା ପିଲାଦିନୁ ଜଣାପଡ଼ି ଯାଇଥିଲା । ସାନ ଥିଲାବେଳେ ଥରେ ସେ ମରିଯିବାର ବାହାନା କରି ଏତେ ସମୟ ଘାଲେଇ ପଡ଼ି ରହିଥିଲା ଯେ ତାଙ୍କ ଘରେ କାନ୍ଦବୋବାଳି ପଡ଼ିଗଲା । ସେହିଦିନୁ ନିଜର ଅଭିନୟ କୌଶଳ ଉପରେ ଆତ୍ମବିଶ୍ୱାସ ସୃଷ୍ଟି ହୋଇଥିଲା ହଳଧରର ।

 

ମାତ୍ର ହଳଧରର ଅତ୍ୟନ୍ତ ରକ୍ଷଣଶୀଳ ଓ କ୍ଷଣକୋପୀ ବାପା ହିଁ ଥିଲେ ତା କଳାକାର ଜୀବନର ସବୁଠୁ ବଡ଼ ଅନ୍ତରାୟ । କେବଳ ଖାଇବା, ପଢ଼ିବା ଓ ଶୋଇବା ଭିନ୍ନ ତାଙ୍କର ଆଉ ସବୁଥିରେ ଆକଟ ଥିଲା । ତେବେ ହଳଧରର ନାକ, ଆଖି ଓ କାନକୁ ବାଦ୍‌ ଦେଇ ଅନ୍ୟ କୌଣସିଠାରେ ପିଟିବା ପାଇଁ ଶିକ୍ଷକଙ୍କୁ ସେ ଆକଟ କରୁନଥିଲେ ।

 

ହାଇସ୍କୁଲରେ ପଢ଼ିବା ବେଳେ ହଳଧରକୁ କିନ୍ତୁ ମିଳିଲା ସେହି ଈପ୍ସିତ ସୁଯୋଗ । ଦୂର ଗାଁ ହାଇସ୍କୁଲରେ ପଢ଼ୁଥିବା ହଳଧର ହଷ୍ଟେଲରେ ରହୁଥିବାରୁ ବାପାଙ୍କର କଟକଣାର ଶୃଙ୍ଖଳ ଟିକେ କୋହଳ ହୋଇ ପଡ଼ିଥିଲା । ସେ ବର୍ଷ ଶ୍ରୀପଞ୍ଚମୀକୁ ସ୍ଥିର ହେଲା, ଦୁଇ ଦିନ ଧରି ଡ୍ରାମା ହେବ । ସାଂଗେ ସାଂଗେ କିଏ କେଉଁ ରୋଲ୍‌ ନେବେ ବଛା ହୋଇଗଲା ।

 

ହଳଧର ଦେଖିବାକୁ ଥିଲା ସୁନ୍ଦର, ପୁଣି ତା ପରି ଗୋରା ପିଲା ସେ ଲୁଣା ଅଞ୍ଚଳରେ ଥିଲେ ଦୁଷ୍ପ୍ରାପ୍ୟ । ହଳଧର ତିନିଟି ଭୂମିକାରେ ଛିଡ଼ା ହେବ । ଏକାଥରେ ତିନିଟା ରୋଲ୍‌ ? ରାତାରାତି ସୁପର ଷ୍ଟାର ବନିଯାଉଥିବା ଦ୍ୱିତୀୟ ଶ୍ରେଣୀ ହୀରୋମାନଙ୍କ ଆଖି ମଧ୍ୟ ଏମିତି ଖୁସିରେ ଚକ୍‌ଚକ୍‌ କରି ଉଠୁନଥିବ, ଯେପରି ହଳଧରର ଆଖି ଯୋଡ଼ିକ ମଳିଛିଆ ଲଣ୍ଠନ ଆଲୁଅରେ ଚକ୍‌ଚକ୍‌ କରି ଉଠିଥିଲା ।

 

ହଳଧର ଯେଉଁ ତିନିଟି ଭୂମିକାରେ ଅଭିନୟ କଲା ସେ ମଧ୍ୟରୁ ଦୁଇଟି ଥିଲା ଗୌଣ, ଗୋଟିଏ ମୁଖ୍ୟ । ଆଉ ହଳଧରର ଗୌରବର୍ଣ୍ଣ ପ୍ରସଙ୍ଗ ଯେ ଆଲୋଚିତ ହେଲା, ତାର କାରଣ ସେ ତିନି ତିନିଟା ରୋଲ୍‌ ହିଁ ଥିଲା ନାରୀ ରୋଲ୍‌ । ସେତେବେଳେ ତାଙ୍କ ସ୍କୁଲର କୌଣସି ଝିଅ ଡ୍ରାମାରେ ଅଭିନୟ କରିବାକୁ ସାହସ କରି ଆସୁନଥିଲେ କି ବାହାରୁ ପେସାଦାର ଅଭିନେତ୍ରୀ ଆଣିବା ପାଇଁ ସ୍କୁଲର ସମ୍ବଳ ନ ଥିଲା । ତେଣୁ ହଳଧର ଗୋଟେ ଓଡ଼ିଶୀ ନାଚ ଓ ସମ୍ବଲପୁରୀ ନାଚର ନର୍ତ୍ତକୀ ଭୂମିକାରେ ଏବଂ ନାଟକର କଲେଜ ଛାତ୍ରୀ ଭୂମିକାରେ ଅଭିନୟ କରିବା ସ୍ଥିର ହେଲା ।

 

ଏହାପରେ ଡାଇଲଗ୍‌ ଘୋଷା ଓ ଅଭିନୟ ଅଭ୍ୟାସ । ଜୀବନରେ ପ୍ରଥମଥର ପାଇଁ ଆସିଥିଲା ନିଜ ପ୍ରତିଭାର ପରିଚୟ ଦେବାର ସୁବର୍ଣ୍ଣ ସୁଯୋଗ । ହଳଧର ସେହି କିଛି ଦିନ ଖାଇବା ପିଇବା ଭୁଲିଗଲା । ଯେତେବେଳେ ଦେଖ ପୋଖରୀ କୂଳରେ ବସି ଡାଇଲଗ୍‌ ଘୋଷୁଥିବ ନ ହେଲେ କବାଟ ଆଉଜେଇ ‘ଦେଲି ସହୀ ଶ୍ୟାମକୁ ଗୋ’ ଅଥବା ‘ଡାଲ୍‌ଖାଇ ରେ’ ଗୀତ ଗୁଣୁଗୁଣୁ ସ୍ୱରରେ ଗାଇ ନାଚ ଅଭ୍ୟାସ କରୁଥିବ ।

 

ଶ୍ରୀପଞ୍ଚମୀ ଆସିଲା । ହଳଧରର ଗୋଟେ ଭୟ, ତା ବାପା ଏହା ଭିତରେ ନ ଆସନ୍ତୁ । ସେ ଜାଣିଥିଲା, କୌଣସି ପରିସ୍ଥିତିରେ ବି ବାପା ତାର ଡ୍ରାମାରେ ମିଶିବାକୁ ଅନୁମୋଦନ କରିବେ ନାହିଁ । ସେଥିରେ ପୁଣି ଝିଅ ଭୂମିକାରେ ଅଭିନୟ ? ଅସମ୍ଭବ । ଝିଅ ଭୂମିକାରେ ଅଭିନୟ କରିବାଟାକୁ ତାଙ୍କ ଘରେ ନିର୍ଘାତ ମାଇଚିଆମି ବୋଲି କହିଥାନ୍ତି । ହାୟ, କଳାର କଂସେଇମାନେ ! ହଳଧର ମନକୁ ମନ ସାନ୍ତ୍ୱନା ଦିଏ ।

 

ସେ ସନ୍ଧ୍ୟାର ପ୍ରଥମ ଦୃଶ୍ୟରେ ଥିଲା ଓଡ଼ିଶୀ ନାଚ । ସାଙ୍ଗମାନେ ଷ୍ଟେଜ୍‌ ସାମ୍ନାରେ । ପଛପଟେ ସଂଳାପ ମନେ ପକେଇ ଦେବା ପାଇଁ ମାଷ୍ଟର ମହଜୁଦ୍‌ । ଚାରିପଟେ ଉଜ୍ଜ୍ୱଳ ପେଟ୍ରୋମାକ୍ସ ଆଲୁଅ । ସ୍କ୍ରିନ୍‌ ଖୋଲିବା ବେଳକୁ ହଳଧର ଓଡ଼ିଶୀ ନର୍ତ୍ତକୀ ଠାଣିରେ ଛିଡ଼ା ହୋଇଛି-। ତାର ହାତ ଆଞ୍ଜୁଳାରେ ଫୁଲ ପାଖୁଡ଼ା । ସେଇ ଫୁଲ ପାଖୁଡ଼ାତକ ନେଇ ଜଗନ୍ନାଥଙ୍କ ପାଦପଦ୍ମରେ ସେ ଅର୍ପଣ କରିବା ପରେ ଗୀତ ଓ ନାଚ ।

 

ସ୍କ୍ରିନ୍‌ ଖୋଲିଲା । ହଳଧର ଜଗନ୍ନାଥଙ୍କ ପାଖକୁ ଆଗେଇ ଗଲା । ହାତ ଆଞ୍ଜୁଳିରେ ଫୁଲ-। ସେ ଜଡ଼ବତ୍‌ ଛିଡ଼ା ହେଇଛି । ଦର୍ଶକ ଓ ନିର୍ଦ୍ଦେଶକ ଆଶ୍ଚର୍ଯ୍ୟ । ହଳଧର ସାମ୍ନାରେ ଜଗନ୍ନାଥଙ୍କ ମୂର୍ତ୍ତି, ସେପଟକୁ ବସିଛନ୍ତି ହେଡମାଷ୍ଟର ଓ ହେଡମାଷ୍ଟରଙ୍କ ପାଖରେ ପାନ ଚୋବେଇ ଚୋବେଇ ବସିଛନ୍ତି ତା’ର ବାପା !

 

ସେହି ମୁହୂର୍ତ୍ତରେ ହଳଧରର ଅସହାୟ ଅବସ୍ଥା ବର୍ଣ୍ଣନା କରିହେବ ନାହିଁ । ଗୋଲାପି ପାଉଡର, ଲିପ୍‌ଷ୍ଟିକ୍‌ ଓ ଚକଚକିଆ ପୋଷାକ ସତ୍ତ୍ୱେ ହଳଧର ଭୟରେ କଳାକାଠ ପଡ଼ିଯାଇଥିଲା ।

 

ତାପରେ... ? ସିଦ୍ଧାର୍ଥ ପଚାରିଲା ।

 

ହଳଧର ଦରଜଳା ସିଗାରେଟ୍‌କୁ ଫିଙ୍ଗି ଦେଉ ଦେଉ ସିଦ୍ଧାର୍ଥ ଆଖିରେ ଆଖି ମିଳେଇ କହିଲା, “ସେଦିନ ମୁଁ ସ୍ଥିର କରିଥିଲି ଆତ୍ମହତ୍ୟା କରିଦେବି । ବାପା ମୋତେ ସମସ୍ତଙ୍କ ସାମ୍ନାରେ ଯେଉଁ ଭାଷାରେ ଗାଳିଗୁଲଜ କରିଗଲେ ତାପରେ ମୋର ଆତ୍ମହତ୍ୟା ଭିନ୍ନ ଆଉ କିଛି ଚାରା ନ ଥିଲା ।”

 

: କଲୁ ନାହିଁ କାହିଁକି ?

 

ହଠାତ୍‌ ପ୍ରଶ୍ନଟି ପଚାରିଦେଇ ସିଦ୍ଧାର୍ଥ ଜିଭ କାମୁଡ଼ି ପକେଇଲା । କାଳେ ହଳଧର କିଛି ଭାବିଥିବ !

 

ହଳଧର କିନ୍ତୁ ପୂର୍ବ ଆବେଶରେ ଥିଲା । କହିଲା, ‘ସକାଳୁ ଦିନେ ପୋଖରୀ ଆଡ଼ିକି ଆତ୍ମହତ୍ୟା କରିବା ପାଇଁ ଯାଇଥିଲି । କିନ୍ତୁ ଆଖି ଛୁଉଁଛି, ସେଦିନ ମୁଁ ପହଞ୍ଚିଲା ବେଳକୁ ପୋଖରୀ ତୁଠରେ ବସିଥିଲା ସିଲୁ । ତୁ ଜାଣିଥିବୁ ତାକୁ । ଆମ ଗଣିତ ସାର୍‌ଙ୍କ ବଡ଼ ଝିଅ ।’

 

ସିଲୁ କହିଲା, ‘ତମେ ସେଦିନ ଡ୍ରାମାରେ ସତସତିକା ଝିଅଟେ ପରି ଦିଶୁଥିଲ ।’ ଯାହା ହେଉ, ଜଣେ ହେଉ ପଛେ, କଳାକାରକୁ ସ୍ୱୀକୃତି ଦେଲା ତ ! ସିଲୁ ଥିଲା ପ୍ରକୃତରେ କଳାର ପୂଜାରିଣୀ । ମୁଁ ଆଉ ଆତ୍ମହତ୍ୟା କଲି ନାହିଁ । ଫେରିଆସିଲି । କିନ୍ତୁ କଳାକାର ହେଇପାରିଲି ନାହିଁ-

 

ଦ୍ୱିତୀୟ ଦୁଃଖ କଥା ତ କହିଲୁନି ହଳଧର ?

 

କଅଣ କହିବି ? ହଳଧରର କଣ୍ଠସ୍ୱର ପ୍ରକୃତରେ ଖୁବ୍‌ ଗମ୍ଭୀର ଶୁଭୁଥିଲା । ଆକାଶକୁ ଅନେଇ ସେ ଦୀର୍ଘଶ୍ୱାସଟେ ନେଲା ଓ କହିଲା, ‘ସେଇ ସିଲୁ ପୁଣି ଦିନେ ସିଧା ସିଧା ମୋ ସହ ବାହାଘର ପ୍ରସ୍ତାବକୁ ନାକଚ କରିଦେବ ବୋଲି ମୁଁ କଅଣ କେବେ କଳ୍ପନା କରିଥିଲି ?’

 

ସିଦ୍ଧାର୍ଥ ପ୍ରଥମଥର ପାଇଁ ପ୍ରକୃତରେ ଗମ୍ଭୀର ହୋଇପଡ଼ିଲା । ହଳଧର ଯେ କେବଳ ଜଣେ ଉପେକ୍ଷିତ କଳାକାର ନୁହେଁ, ଜଣେ ଉପେକ୍ଷିତ ପ୍ରେମିକ ମଧ୍ୟ, ଏକଥା ଜାଣିବା ପରେ ସେ ଏହି ସହପାଠୀ ବନ୍ଧୁଟି ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇ ପଡ଼ିଥିଲା ।

 

ସବ୍‌-ଇନ୍ସପେକ୍ଟର ହଳଧରର ନିଶୁଆ ମୁହଁକୁ ଲୁହଗୁଡ଼ା ବେଖାପ ଦିଶୁଥିଲା । ବେଞ୍ଚ୍‌ ଉପରୁ ଉଠୁ ଉଠୁ ସେ କହିଲା, ‘କିନ୍ତୁ ବାପା ଏବଂ ସିଲୁମାନଙ୍କୁ ନେଇ ତ ଏ ପୃଥିବୀ । ନୁହେଁ ସିଦ୍ଧାର୍ଥ ?’ ଅନ୍ଧାର ଭିତରେ ତାର କଣ୍ଠସ୍ୱର ପୂର୍ବାପେକ୍ଷା ଆହୁରି ଉଦାସ ଜଣାପଡ଼ୁଥିଲା ।

Image

 

ଗୁରୁଦକ୍ଷିଣା

 

ଜଣେ ଆଦର୍ଶ ଶିକ୍ଷକ ଭାବେ ହରେକୃଷ୍ଣ ମହାନ୍ତିଙ୍କର ଆମ ଅଞ୍ଚଳରେ ବେଶ୍‌ ଖ୍ୟାତି ଅଛି-। ଶୃଙ୍ଖଳିତ ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ ସେପରି ଖ୍ୟାତି ଖୁବ୍‌ କମ୍‌ ଶିକ୍ଷକଙ୍କ ଭାଗ୍ୟରେ ମିଳିଥାଏ-। ଆଜି ପ୍ରାଥମିକ ବିଦ୍ୟାଳୟ ଛାଡ଼ିବାର ଅନେକ ଦିନ ପରେ ତାଙ୍କ କଥା ତେଣୁ ସିଦ୍ଧାର୍ଥର ମନେଅଛି । ମନେଅଛି କିଭଳି ପ୍ରାର୍ଥନା ସଭାରେ ଖବରକାଗଜ ପଢ଼ି ସେ ଦେଶବିଦେଶର ସମ୍ବାଦ ଶୁଣଉଥିଲେ, ରବିବାର ବା ଛୁଟିଦିନମାନଙ୍କରେ ପାଖ ବଜାରଯାଏ ନେଇଯାଇ ହାଟ, ଥାନା ଓ ଡାକଘର ଦେଖେଇ ସେସବୁ ସମ୍ପର୍କରେ ବହୁ କଥା ଟିକିନିଖି ବୁଝଉଥିଲେ । ବିଦ୍ୟାଳୟ ଥିଲା ତାଙ୍କ ପାଇଁ ଗୋଟିଏ ମଣିଷ ତିଆରି କାରଖାନା । ସେ କାରଖାନା ସହ ତାଙ୍କର ନିବିଡ଼ ସଂପୃକ୍ତି ପ୍ରତ୍ୟକ୍ଷ କରିବାର ବ୍ୟାପାର, ତାହାକୁ କହି ଲେଖି ବୁଝେଇ ହେବ ନାହିଁ ।

 

ତେବେ ହରେକୃଷ୍ଣ ସାର୍‌ଙ୍କୁ ନେଇ ସିଦ୍ଧାର୍ଥର ସବୁଯାକ ସ୍ମୃତି ଏପରି ପ୍ରୀତି-ପ୍ରଦାୟକ ନୁହେଁ । ଆଜି ବି ସାଦା କାଗଜରେ ଲେଖିବାବେଳେ ହଠାତ୍‌ ଧାଡ଼ିଟିଏ ବଙ୍କେଇ ଗଲେ ଦୁଇ ଆଙ୍ଗୁଳି ସନ୍ଧି ଓ ଗଣ୍ଠିଗୁଡ଼ିକ ଆକସ୍ମିକ ଦଣ୍ଡବିଧାନର ଆଶଙ୍କାରେ ଥରି ଉଠନ୍ତି । ଦପ୍ତରରେ ବିଳମ୍ବରେ ପହଞ୍ଚିଲେ ହରେକୃଷ୍ଣ ସାର୍‌ଙ୍କ ରୁଦ୍ରମୂର୍ତ୍ତି ମନେପଡ଼ିଯାଇ ହାତଟା ଛାଏଁ ଛାଏଁ ଆପଣା ଗଣ୍ଡଦେଶ ଆଉଁଶିବା ପାଇଁ ଉଠିଯାଏ ।

 

ଥରେ ଜଣେ ସହପାଠୀ ସାଙ୍ଗରେ ମିଶି ସିଦ୍ଧାର୍ଥ ଗୋଟିଏ ଅପ୍ରାପ୍ତବୟସ୍କ ଭୁଲ୍‌ଟିଏ କରିଦେଇଥିଲା । ମଧ୍ୟାହ୍ନ ଛୁଟି ସମୟରେ ଦୁହେଁ ଯାଇ ବହୁ କଷ୍ଟଲବ୍‌ଧ ଖଣ୍ଡିଏ ବିଡ଼ିରେ ନିଆଁ ଲଗେଇ ଫୁଙ୍କିଥିଲେ ଓ ବିଡ଼ି ଧୂଆଁକୁ ଆକାଶକୁ ଛାଡ଼ିଥିଲେ । ସେମାନଙ୍କର ଏପରି ଏକ କାର୍ଯ୍ୟ ଅନ୍ୟ ସହପାଠୀମାନଙ୍କଠାରୁ ଲୁଚି ରହିଥିଲେ ମଧ୍ୟ ହରେକୃଷ୍ଣ ସାର୍‌ଙ୍କ ଦୃଷ୍ଟିରୁ ଲୁଚି ରହିପାରି ନ ଥିଲା । ଶାସ୍ତିବିଧାନ ସ୍ୱରୂପ ଉଭୟଙ୍କର ପିଠି ନୋଳା ଫାଟିଥିଲା ।

 

ଛାତ୍ରବତ୍ସଳ ହରେକୃଷ୍ଣ ସାର୍‌ଙ୍କର କ୍ରୋଧ ଶାନ୍ତ ହେବାପାଇଁ ବେଶ୍‌ ସମୟ ଲାଗିଥିଲା । ତା’ପରେ ଛାତ୍ରଦୁହିଁଙ୍କର ଦଶା ଦେଖି ସେ ଖୁବ୍‌ ମନକଷ୍ଟ କରିଥିଲେ । ସେମାନଙ୍କ ପ୍ରାଥମିକ ସେବା ଶୁଶ୍ରୂଷା ବ୍ୟବସ୍ଥା କରିଥିଲେ । ଆଜି ଏ ପ୍ରାପ୍ତ ବୟସରେ ମଧ୍ୟ ବିଡ଼ି, ସିଗାରେଟ୍‍ର ଗନ୍ଧ ବାଜିଲେ ହରେକୃଷ୍ଣ ସାର୍‌ ମନେପଡ଼ନ୍ତି ।

 

ସେହି ହରେକୃଷ୍ଣ ସାର୍‌ ଏଭଳି ନୈରାଶ୍ୟବାଦୀ ହୋଇପଡ଼ିଲେ କାହିଁକି ? ସିଦ୍ଧାର୍ଥ ହରେକୃଷ୍ଣ ସାର୍‌ଙ୍କର ଯଥାବିଧି ସତ୍କାର କରିସାରିବା ପରେ ତାଙ୍କର ସ୍ୱାସ୍ଥ୍ୟ ଓ ଘରବାଡ଼ି ଖବର ଆଦି ସମ୍ପର୍କରେ ପଚାରି ବୁଝିଲା । ତାକୁ ଲାଗୁଥିଲା କିଛି ଗୋଟାଏ ଗୋପନ କଥା କହିବାକୁ ଚାହିଁ ଯେପରି ସାର୍‌ କହିପାରୁ ନାହାନ୍ତି । ଅବଶେଷରେ ସିଦ୍ଧାର୍ଥ ଖୁବ୍‌ ବାଧ୍ୟ କଲାରୁ ହରେକୃଷ୍ଣ ସାର୍‌ ସେ କଥାଟି କହିଲେ ।

 

ଘଟଣାଟି ନିକଟରେ ଘଟିଯାଇଛି । ସାର୍‌ ସ୍କୁଲର ଚତୁର୍ଥ ଶ୍ରେଣୀର ଜଣେ ଛାତ୍ରକୁ ତାର ଦୁଷ୍ଟାମି ପାଇଁ ଦୁଇ ଚାପୁଡ଼ା ଦେଇଥିଲେ । ଏଇଟି କିଛି ନୂଆ କଥା ନୁହେଁ । ବରଂ ଛାତ୍ରଟିର ଦୋଷ ଯାହା ଥିଲା ସେଥିରେ ତାକୁ ଦଣ୍ଡ ଦିଆ ନ ଯିବାଟା ନୂଆକଥା ହୋଇଥାଆନ୍ତା । ମାତ୍ର ଏହି ଘଟଣାଟି ଏପରି ମୋଡ଼ ନେବ ବୋଲି ସେ କଦାପି କଳ୍ପନା କରିନଥିଲେ । ଛାତ୍ରଟିର ପିତା ତା’ପରଦିନ ତାଙ୍କ ପୁଅକୁ ନେଇ ସ୍କୁଲକୁ ଆସିଥିଲେ ଓ ସମସ୍ତଙ୍କ ସମ୍ମୁଖରେ ସାର୍‌ଙ୍କୁ ମନଇଚ୍ଛା ଭର୍ତ୍ସନା କରିଥିଲେ । ସେ ମଧ୍ୟ ଏକଥା କହିବାକୁ ଭୁଲି ନ ଥିଲେ ଯେ ହରେକୃଷ୍ଣ ମହାନ୍ତିଙ୍କ ପରି ଗରିବ ସ୍କୁଲମାଷ୍ଟର ତାଙ୍କ ଡ୍ରାଇଭରଠାରୁ କମ୍‌ ଦରମା ପାଆନ୍ତି । ସୁତରାଂ ତାଙ୍କ ପୁଅ ଉପରକୁ ହାତ ଉଠେଇବାର ସାହସ ମାଷ୍ଟ୍ରଙ୍କର ହେଲା କିପରି ?

 

କଥାଟାକୁ ସିଦ୍ଧାର୍ଥ ଶେଷ ପର୍ଯ୍ୟନ୍ତ ବିଶ୍ୱାସ କରିପାରୁ ନ ଥିଲା । ପୁଣି ଏ ଘଟଣା ଘଟିଛି ତା ନିଜ ଗାଆଁରେ, ସେ ବିଷୟଟା ତାକୁ ସମ୍ପୂର୍ଣ୍ଣ ଅଚିନ୍ତନୀୟ ମନେ ହେଉଥିଲା । ତାର ପିଲାଦିନ ସ୍କୁଲ ଅନୁଭୂତି ମନେପଡ଼ୁଥିଲା । ବାପା କେମିତି ବରାବର ସାର୍‌ଙ୍କୁ ଭେଟି ସେଇ ଗୋଟିଏ କଥା ଦୋହରଉଥିଲେ, ‘ସାର୍‌, ଆଖି କାନ ଛାଡ଼ି ଯେଉଁଠି ଯାହା ପିଟିବାର କଥା ପିଟନ୍ତୁ । ଟୋକାଟାକୁ ଶାସନ କରନ୍ତୁ । ଆଖି ଫୁଟିଗଲେ କାଳେ ଅନ୍ଧ ହୋଇ ଅକର୍ମା ହୋଇଯିବ, ସେଥିପାଇଁ ଆଖି ଦୁଇଟା ଛାଡ଼ିଦେବେ ।’ ବାପାଙ୍କର ଏକଥା ଶୁଣିଲାବେଳେ ବାଳକ ସିଦ୍ଧୁ ମନେ ମନେ ପିତୃଦ୍ରୋହୀ ହୋଇପଡ଼େ । ଇଏ ବାପା ନା ଶତ୍ରୁ– ଏପରି ଏକ ଦ୍ୱନ୍ଦ୍ୱ ତା ମଗଜରୁ ଉପୁଜେ । କିନ୍ତୁ ସେ ବାବଦରେ ତାର କରିବାର କିଛି ନ ଥାଏ । ସାର୍‌ଙ୍କ ବିରୋଧରେ ସବୁ ପ୍ରକାର ଅଭିଯୋଗ ଆହୁରି ବଡ଼ ଅପରାଧ ହୋଇ ଫେରିଯାଏ ଓ ଶାସ୍ତିବିଧାନ ସେହି ଅନୁପାତରେ ବଢ଼େ । ଅଥଚ ସେହି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଛାତ୍ରଟିଏକୁ ଦଣ୍ଡ ଦେଇଥିବା କାରଣରୁ ଏପରି ଅପମାନିତ ହେବାକୁ ପଡ଼ିଲା !

 

ହରେକୃଷ୍ଣ ସାର୍‌ ଉଠୁଥିଲେ । ବୟସ ହେଲାଣି, ଆଉ କେଇଟି ଦିନ ପରେ ଅବସର ନେବେ । ଏଇ ହାତରେ କେତେ କେତେ ଛାତ୍ର ସେ ଗଢ଼ିଛନ୍ତି । ସେମାନେ ଉଚ୍ଚ ପଦପଦବିରେ ଅଛନ୍ତି । ପ୍ରଫେସର, ଡାକ୍ତର ଓ ଇଞ୍ଜିନିଅର ହେଲେଣି ତାଙ୍କର ଛାତ୍ର । ସେ ନେଇ ତାଙ୍କର ଗର୍ବ, ପୁଅର ପତିଆରାରେ ଗୌରବାନ୍ୱିତ ପିତାର ଗର୍ବଠୁ ଆଦୌ ଊଣା ନୁହେଁ । ବରାବର ସେ କହନ୍ତି, ସେ ସିନା ମାଟ୍ରିକ୍ୟୁଲେଟ, ତାଙ୍କ ଛାତ୍ରମାନେ କିନ୍ତୁ କାହିଁ କେତେ ଉଚ୍ଚରେ ! ଅଥଚ ସେହିପରି ଜଣେ ଶିକ୍ଷକଙ୍କୁ...

 

ସେହି ଅଭିଭାବକର ନାଆଁ କହିବାକୁ ସାର୍‌ ଆଦୌ ଚାହୁଁ ନ ଥିଲେ । ବହୁବାର ବାଧ୍ୟ କଲାରୁ ସେ ନାଆଁଟି କହିଲେ । ସିଦ୍ଧାର୍ଥ ବରଂ ବାଧ୍ୟ କରିନଥିଲେ ଭଲ ହୋଇଥାଆନ୍ତା । କାରଣ ଅଭିଭାବକଜଣକ ଥିଲେ ସିଦ୍ଧାର୍ଥର ସଂପର୍କୀୟ ଭାଇ ନୀଳମାଧବ । ସେ ପୁଣି ନିଜେ ଜଣେ ଅଧ୍ୟାପକ ।

 

ହରେକୃଷ୍ଣ ସାର୍‌ ଉଠି ଚାଲିଯାଉଥିଲେ । ବୁଢ଼ା ହେଲେଣି । ବାଳ ପାଚିଗଲାଣି, ତଥାପି ବ୍ୟକ୍ତିତ୍ୱର ଔଜ୍ଜଲ୍ୟ କମି ନାହିଁ । ସାମାଜିକ ସ୍ୱୀକୃତି ଓ ସ୍ୱଚ୍ଛଳ ଜୀବନକୁ ପିଠିକରି କାଳକ କାଟି ଆସିଥିଲେ ମଧ୍ୟ ଆଦର୍ଶ ସହ ସେ ସାଲିସ କରି ନାହାନ୍ତି । ଅଥଚ ସେ କଣ କୌଣସି ଦିନ କଳ୍ପନା କରିଥିଲେ ଯେ ତାଙ୍କ ଆଦର୍ଶପଣିଆ ପାଇଁ ଏପରି ଅପମାନତକ ହିଁ ମିଳିବ ଗୁରୁଦକ୍ଷିଣା ?

 

ସିଦ୍ଧାର୍ଥର ଇଚ୍ଛା ହେଉଥିଲା, ସେ ଧାଇଁଯାଇ ସାର୍‌ଙ୍କ ପାଦ ଧରି କ୍ଷମା ମାଗନ୍ତା । କହନ୍ତା, କ୍ଷମା କରିଦିଅନ୍ତୁ ନୀଳମାଧବମାନଙ୍କୁ । କାରଣ ସେମାନେ ଅର୍ଥ ଓ କ୍ଷମତା ଲୋଭରେ କୋଉକାଳୁ ନୀତି ଓ ଆଦର୍ଶକୁ ହଜେଇ ଦେଇସାରିଲେଣି । ମାତ୍ର ହରେକୃଷ୍ଣ ସାର୍‌ ତା’ଠାରୁ ଦୂରକୁ ଚାଲିଯାଇଥିଲେ ।

Image

 

ଭୋକର ଭୂଗୋଳ

 

‘ଆସରେ’ ବୋଲି ଶୁଣୁଶୁଣୁ ସେଠି ଗୋଟାଏ ବାଲିଯାତ୍ରା ଲାଗିଯାଇଥିଲା । ଭଦ୍ରଲୋକମାନେ ସମସ୍ତେ ଖାଇସାରି ଚାଲିଗଲେଣି । ବାକି ରହିଛନ୍ତି ବିଳମ୍ବରେ ଆସିଥିବା ଦଶ ବାରଜଣ ଅତିଥି, କେତେ ଜଣ ଡ୍ରାଇଭର, ଚପରାସୀ, କାମ କରୁଥିବା ଯୁବକ ତିନି ଚାରିଜଣ ଓ ସେମାନଙ୍କ ମଧ୍ୟରୁ ପଚିଶ ତିରିଶ ଜଣ, ଯୋଉମାନେ ଯେକୌଣସି ବାହାଘର ଭୋଜି ବା ମହୋତ୍ସବକୁ ଅନ୍ୟ ସମସ୍ତଙ୍କଠାରୁ ବହୁ ଆଗରୁ ଯାଇଥାନ୍ତି ଓ ସମସ୍ତେ ଖାଇସାରିବା ପରେ ସବା ଶେଷରେ ହିଁ ଗଣ୍ଡିଏ ଖାଇବାର ସୁଯୋଗ ପାଆନ୍ତି । ଭିକାରି, ଦରିଦ୍ରନାରାୟଣ ଏମିତି ନାଁରେ ସେମାନଙ୍କୁ ସମ୍ବୋଧନ କରାଯାଏ ।

 

ବିଳମ୍ବରେ ପହଞ୍ଚିଥିବା ସିଦ୍ଧାର୍ଥ ନିଜ ପାଇଁ ଜାଗାଟେ ଖୋଜୁଥିଲା । ଖୋଲା ଆକାଶ ତଳେ ଘାସବିଛା ପଡ଼ିଆରେ ଆୟୋଜିତ ହୋଇଛି ବାହାଘର ଭୋଜି । ଉପରେ ନିର୍ମେଘ ଆକାଶ । ଆକାଶରେ ଲକ୍ଷ ଲକ୍ଷ ତାରା ଅରୁଆ ଚାଉଳ ପରି ବିଞ୍ଚି ହୋଇ ଯାଇଛନ୍ତି । ପାଣି ଟ୍ୟାପ୍‌ ପାଖକୁ ହାତ ଧୋଇବାକୁ ଗଲାବେଳେ ମନ୍ଦାଏ ମଲ୍ଲୀ ଗଛ ଉପରେ ତା ପାଦ ପଡ଼ିଗଲା । ଏପଟ ସେପଟ ଚାହିଁଲା, କେହି ଦେଖି ନାହିଁ । ପାଦତଳେ ମଲ୍ଲୀଫୁଲଙ୍କ ଦଳିତ ମୁର୍ଦ୍ଦାର ଭାତମୁଠେ ପରି ନେସି ହେଇଯାଇଛି । ଭୋକବେଳେ ସିଦ୍ଧାର୍ଥକୁ ସବୁ ଜିନିଷ ଚାଉଳ, ଭାତ ଓ ରୁଟି ପରି ଦିଶେ ।

 

ଚାନ୍ଦୁଆ ଘେରାଯାଇଥିବା ଭୋଜି ପଡ଼ିଆର ଗୋଟିଏ କୋଣକୁ, ସେଇ ଚବିଶ ପଚିଶ ଜଣ ପୁରୁଷ ସ୍ତ୍ରୀ ଘାସ ଉପରେ, କିଏ ଚକା ପକେଇ ତ କିଏ ଆଣ୍ଠୁ ଟେକି ବସିଥିଲେ । ସଞ୍ଜ ପହରୁ ସେମାନେ ଲୁହା ଗ୍ରୀଲଗେଟ୍‌ର ସେପଟୁ ଏହି ଭୋଜି ଜାଗା ଅରାଏକୁ ଚାହିଁ ଚାହିଁ ଅପେକ୍ଷା କରିଥିବେ । ଅନେକ ଜାଗାରେ ସୁଦୀର୍ଘ ପ୍ରତୀକ୍ଷା ପରେ ସୁଦ୍ଧା ଗାଳି ମନ୍ଦ ଶୁଣି ସେମାନଙ୍କୁ ଉପବାସରେ ଫେରିବାକୁ ପଡ଼େ । ସ୍ୱାଭାବିକ ଭାବରେ ତେଣୁ ସେମାନଙ୍କ ମଧ୍ୟରୁ କେତେଜଣ ଆଜି ପ୍ରସନ୍ନ ଦିଶୁଥିଲେ ଓ ପତ୍ରରେ ଆଉ କ’ଣ ଦିଆଯାଇ ନାହିଁ ପରି ଘଟଣା ପ୍ରତି ବୀତସ୍ପୃହ ହୋଇ ଖାଇବା ଆରମ୍ଭ କରି ଦେଇଥିଲେ ।

 

ସିଦ୍ଧାର୍ଥର ଦୃଷ୍ଟି ପାଖାପାଖି ବସିଥିବା ମା ଓ ତା’ର ପୁଅଟି ଉପରେ ନିବଦ୍ଧ ହୋଇଯାଇଥିଲା । ପିଲାଟି ବସିବା ଜାଗାରେ ବରାବର ଢୁଳେଇ ପଡ଼ୁଥିଲା । କେତେବେଳେ ସେ ବେକ ଭାଙ୍ଗି ବାମ ପାଖେ ବସିଥିବା ତା ମା ଉପରେ ତ କେତେବେଳେ ସାମ୍ନାକୁ ଝୁଙ୍କିପଡ଼ୁଥିଲା । ରାତି ଏଗାରଟା । ଦିନ ସାରା ଧାଁଦଉଡ଼ କରି ପିଲାଟି ହାଲିଆ ହୋଇପଡ଼ିଥିବ । ସିଦ୍ଧାର୍ଥ କାନିକାରେ ଡାଲି ଗୋଳଉ ଗୋଳଉ ପିଲାଟି ପାଇଁ ଅଳ୍ପ ସହାନୁଭୂତି ପ୍ରକାଶ କଲା ।

 

ପୁଅର ନିଦ ଭାଙ୍ଗି ନ ଥିବାରୁ ମାଆ ବି ଖାଇପାରୁ ନ ଥିଲା । ତା ଚାରିପାଖରେ ସମସ୍ତେ ଭୋଜି ହାପୁଡ଼ୁଥା’ନ୍ତି । ବାଁ ପାଖେ, ଡାହାଣ ପାଖେ, ସାମ୍ନାରେ ବାବୁମାନେ ଓ ରଙ୍ଗିନ ଚାନ୍ଦୁଆ ଘେରା ପାଚିରି ପଛପଟେ ଚାରିପାଞ୍ଚଟା କୁକୁର ବି ଖଲିପତ୍ରରୁ ଅଇଁଠା ଚାଟୁଛନ୍ତି । କିନ୍ତୁ ପିଲାଟାର କି କୁମ୍ଭକର୍ଣ୍ଣ ନିଦ ! ସିଦ୍ଧାର୍ଥର ଖାଇବା ଅଧା ହୋଇଯାଇଥିଲା । କୌତୂହଳବଶତଃ ସେ ମା ପୁଅ ଯୋଡ଼ିକଙ୍କୁ ବେଳେବେଳେ ଚାହୁଁଥିଲା । ମା’ଟି ଏଥର ବ୍ୟସ୍ତ ହୋଇ ପୁଅର ଡାହାଣ ବାହା ଝିଙ୍କିଦେଲା । ପୁଅଟି ପୁଣିଥରେ ଛାଟିପିଟି ହୋଇ ଉଠିଲା ପରି ଉଠି ପଡ଼ିଲା, ଆଖି ଡବଡବ କରି ଚାହିଁଲା, କାନିକା ଡାଲି ଭିତରେ ହାତ ଭର୍ତ୍ତି କଲା ଓ ପୁଣି ଢୁଳେଇ ପଡ଼ିଲା । ତା ପତ୍ରରୁ ତରକାରିର ଝୋଳ ଓ ଡାଲି ନିଗିଡ଼ିଯାଇ ପଡ଼ିଆ ଘାସକୁ ଭିଜଉଥିଲା ।

 

ସିଦ୍ଧାର୍ଥ ଖିରି ଓ ରସଗୋଲାକୁ ଅପେକ୍ଷା କରୁଥିଲା । ହଠାତ୍‌ ସେ ଦୁମ୍‌ କରି ଶବ୍ଦଟାଏ ଶୁଣିଲା ଓ ତା ସାଙ୍ଗକୁ ଗୋଟେ ସାନପିଲାର ‘ମରିଗଲିଲୋ ବୋଉ’ ବୋଲି ଆକୁଳ ଚିତ୍କାର । ସିଦ୍ଧାର୍ଥ ହାତରୁ ଖାଇବା ଗୁଣ୍ଡା ଖସିପଡ଼ିଲା । ଏପରି ଏକ ଶବ୍ଦ ଶୁଣିବା ପାଇଁ ବା ଦେଖିବା ପାଇଁ ତାର କାନ-ଆଖି କେହି ପ୍ରସ୍ତୁତ ନ ଥିଲେ ।

 

ଭିକାରିମାନଙ୍କ ଧାଡ଼ିର ସେହି ମା’ଟି ପୁଅକୁ ନିଦରୁ ଉଠେଇବାର ଚେଷ୍ଟା କରି ବିଫଳ ହେବାପରେ ଶେଷକୁ କ୍ଷୁବ୍‌ଧ ହୋଇ ତା ପିଠିରେ ଦୁମ୍‌ କରି ବିଧାଟାଏ କଷି ଦେଇଥିଲା । ପିଲାଟାର ଫୁଙ୍ଗୁଳା ପିଠିରେ ଏପ୍ରକାର ମାଡ଼ ନିଶ୍ଚୟ ଖୁବ୍‌ କଷ୍ଟ ଦେଇଥିଲା ଓ ପିଲାଟି ବିକଳ ହୋଇ କାନ୍ଦୁଥିଲା । ଭିକାରିଙ୍କ ମେଳରୁ ଜଣେ ମାଆଟିକୁ ଗାଳିଦେଇ ପାଟି କରି ଉଠିଲା, ‘ଛୁଆଟାକୁ ମାରୁଛୁ କାହିଁକି ? ନ ଖାଇଲେ ନ ଖାଉ... ।’

 

ସିଦ୍ଧାର୍ଥର ଦୃଷ୍ଟି ସେଇ ନିଦୁଆ ପିଲାଟାର କାନ୍ଦୁରା ମୁହଁ ଉପରେ ଲାଖି ଯାଇଥିଲା । ହାଡ଼ ଗଣି ହେଉଛି ପିଲାଟାର । ନୀଳରଙ୍ଗର ପେଣ୍ଟ ଖଣ୍ଡିଏ ଯାହା ପିନ୍ଧିଛି । ହାତ ଅଇଁଠା, ବାଁ ନେଡ଼ିରେ ସେ ଲୁହ ପୋଛି ନେଉଛି । ଦୁଇ ଆଖିରୁ ଉଷୁମ ଲୁହ ନିଗିଡ଼ି ଆସି ତାର ଓଠ ତଳେ ଏକାଠି ହୋଇ ଖସି ପଡ଼ୁଛନ୍ତି ପଲଉ ପରଷା ଖଲିପତ୍ର ଉପରେ ।

 

ଖଣ୍ଡିଏ ଛିଣ୍ଡା ଶାଢ଼ିରେ ସମଗ୍ର ଦେହଟିକୁ ଘୋଡ଼େଇ, ନିଜ ଭାଇବିରାଦରଙ୍କ ଅସ୍ୱସ୍ତିକର ପ୍ରଶ୍ନ ଓ ଭଦ୍ରଲୋକମାନଙ୍କ ଝିଙ୍ଗାସର ଝଡ଼ ମଝିରେ ପିଲାଟିର ଡାହାଣକୁ ବସିଛି ତାର ଗରିବ ମା । ସମସ୍ତଙ୍କ ନଜରରୁ ବର୍ତ୍ତିବାପାଇଁ ସେ ମୁହଁ ତଳକୁ କରି କଣ ଗୁଣୁଗୁଣୁ ହେଉଛି ଓ ପାଟିକୁ ଭାତଗୁଣ୍ଡା ନ ନେଇ କେବଳ ହାତରେ ସେସବୁ ଗୋଳଉଛି ଓ ଚକଟୁଛି । ସିଦ୍ଧାର୍ଥ କାନ ଡେରି ଶୁଣିଲା, ‘ଅଲକ୍ଷଣାଟାକୁ ଏତିକିବେଳେ ନିଦ ଆସୁଛି । ସକାଳକୁ ମୋ ଜୀବନ ଖାଇବ... ।’ ମା’ଟି କହୁଛି ଓ ନିଜ ଆଚରଣ ସପକ୍ଷରେ କୈଫିୟତ ଦେଉଛି ।

 

ସିଦ୍ଧାର୍ଥର ଆଉ ଖିରି ଖାଇବାର ଆଗ୍ରହ ନ ଥିଲା । ପିଲାଟାର କାନ୍ଦ ବନ୍ଦ ହେଉ ନ ଥିଲା-। ତାର ସେ କାନ୍ଦଣା ଭିତରେ ଷ୍ଟିରିଓର ହିନ୍ଦୀ ଗୀତର ଧୁନ୍‌ ବୁଡ଼ି ନିଖୋଜ ହୋଇସାରିଥିଲା । ସେ ଧୀରେ ଉଠିପଡ଼ି ବେସିନ ପାଖକୁ ଚାଲିଗଲା ଓ ମୁହଁ ଧୋଇସାରି ପିଲାଟିକୁ ଟିକିଏ ଦୂରରୁ ଚାହିଁରହିଲା ।

 

ଏଥର ସେହି ରାଗୀ ମା’ଟି ପଲଉ ତରକାରି ଗୋଳେଇ ବଡ଼ ବଡ଼ ଗୁଣ୍ଡାକରି ପୁଅ ପାଟିରେ ଗୁଞ୍ଜି ଦେଉଥିଲା ଓ ମନକୁ ମନ କଣ ବିଡ଼ିବିଡ଼ି ହେଉଥିଲା । ମା’ର ବି ଭୋକ ଅଛି, ଇଚ୍ଛା ଅଛି, ଆଗ୍ରହ ଅଛି । ଅନ୍ୟମାନେ ସମସ୍ତ କିଏ ଅଧା ତ କିଏ ପୂରା ଖାଇସାରିଲେଣି । ମା’ର ପତ୍ରରୁ ଗୁଣ୍ଡାଏ କିନ୍ତୁ ସରି ନାହିଁ ।

 

ସିଦ୍ଧାର୍ଥ ଏବେ ବୁଝିପାରୁଥିଲା ଗରିବ ମା’ଟିର ଅସହାୟତା । ବିଚାରୀ ଭିକାରୁଣୀ ନୁହେଁ, ପଡ଼ିଶା ଘରମାନଙ୍କରେ ବାସନ ମାଜେ, ଘର ଓଳାଏ । ବାବୁଘର ଭୋଜି ବାବଦରେ ମା ପୁଅ ଦୁହେଁ ଚାରିଦିନ ଆଗରୁ ନିଶ୍ଚୟ ଜାଣିଥିବେ । ପିଲାଟିର ଭୀଷଣ ଆଗ୍ରହ ଥିବ ବାହାଘର ଭୋଜି ଖାଇବାରେ, ମା’ଟିର ବି । ହୁଏତ ଏହି ଭୋଜିଟା ବାବଦରେ ମା ପୁଅ ଥରେ ଦି’ଥର ନିଜ ନିଜ ଭିତରେ କିଛି ଆଲୋଚନା କରିଥିବେ । ସଞ୍ଜ ପହରୁ ସେମାନେ ଗ୍ରୀଲ୍‌ ସେ କଡ଼େ ଅପେକ୍ଷା କରିଥିବେ ଗଣ୍ଡିଏ ଖାଇବାପାଇଁ । ଅଥଚ ଏତେ ଅପେକ୍ଷା, ଏତେ ଆଶା ଓ ଯୋଜନା ଶେଷରେ ଯେତେବେଳେ ଶେଷକୁ ସେହି ଭୋଜି ଖାଇବାର ସୁଯୋଗଟି ହାତପାଆନ୍ତାକୁ ଆସିଲା, ସେତିକିବେଳକୁ ଏଇ ଅଲକ୍ଷଣା ନିଦଟା ଆସି ସେ ସୁଯୋଗ ଛଡ଼େଇ ନେଉଛି ବାଳୁତ ପୁଅ ହାତରୁ-! ପୁଅର ଫୁଙ୍ଗୁଳା ପିଠି ନୁହେଁ, ନିଦର କଇଁଥା ପିଠି ଉପରେ ମା’ଟି କଷି ଦେଇଥିଲା ବିଧାଟାଏ !

 

ସିଦ୍ଧାର୍ଥ ଚାହିଁଥିଲା । ଛୁଆଟାର ଦୁଇ ଆଖିରୁ ଲୁହ ଗଡ଼ିଯାଉଛି । ବିଶ୍ୱଦର୍ଶନ ବେଳେ ଆଁ ହୋଇଯାଇଥିବା କୃଷ୍ଣଙ୍କ ପାଟି ପରି ପିଲାଟାର ବଡ଼ ଆଁ ଭିତରେ ଗୁଣ୍ଡା ପରେ ଗୁଣ୍ଡା ଗୁଞ୍ଜି ଦେଉଛି ମା । ପିଲାଟି ସୁଆଦ ବାରିବା ଅବସ୍ଥାରେ ହୁଏତ ନାହିଁ । ଆଖିରେ ନିଦ, ପିଠିରେ କଷଣ, ଏମିତିକା ଅବସ୍ଥାରେ କେହି କଣ କିଛି ସୁଆଦ ବାରିପାରେ ? ଅଥଚ ଏଇମିତି ତ ମଣିଷର ଭାଗ୍ୟ । ଏତେ ଦିନର ଅପେକ୍ଷା ପରେ କ୍ଷୁଧାର୍ତ୍ତ ମଣିଷଟି ପାଇଁ ଯୋଉଦିନ ଖାଇବାର ସୁଯୋଗ ଆସେ, ସେଦିନ ତା ପାଇଁ ଏମିତି ପିଠିର କଷଣ ଓ ଆଖିର ଲୁହ ଭେଟି ଦେବାକୁ ପଡ଼େ ।

 

ଖାଇ ବସିଥିବା ନିଦୁରା ପୁଅଟି ପିଠିରେ ବିଧାଟିଏ କଷିଦେବା ପରି ଭୁଲ୍‌ କରିଥିବା ମା’ଟିର ନିଃଶବ୍ଦ କୈଫିୟତ୍‌ ସିଦ୍ଧାର୍ଥ ଏବେ ସ୍ପଷ୍ଟ ଶୁଣିପାରୁଥିଲା । ମା’ଟି ହୁଏତ କହିବାକୁ ଚେଷ୍ଟା କରୁଥିଲା, ଆମପରି ମଣିଷଙ୍କ ଶୋଇବା ପାଇଁ ଅବଶିଷ୍ଟ ରାତି ଅଛି । ଖାଇବାପାଇଁ ଭୋଜିଭାତ କାହିଁ ? ଛୁଆଟା କୋଉଦିନୁ ପଲଉ ଚିକେନ୍‌ ଟିକେ ଖାଇବାକୁ ମନ କରିଥିଲା, ଅଲକ୍ଷଣା ନିଦ ମୋ ଛୁଆପାଟିରୁ ଆହାର ଛଡ଼େଇ ନେବ... ?

 

ସିଦ୍ଧାର୍ଥ ଘରକୁ ଫେରିଲା । ତା ଚାରିପଟେ ପୁଞ୍ଜାଏ ଅସହାୟ, ଆତୁର ଭୋକଙ୍କ ଭିଡ଼ । ସେ ଭୋକମାନଙ୍କ ଆଖିରେ ଲୁହ, ପିଠିରେ ମାଡ଼ର ଆଘାତ, ଛାତି ଭିତରେ ଅସଂଖ୍ୟ ଦୀର୍ଘଶ୍ୱାସ । ଇଏ ଭୋଜି ନୁହେଁ, ଆକାଶର ସବୁ ତାରା ଯଦି ରନ୍ଧା ଭାତ ହୋଇ କୌଣସି ଦିନ ମାଟି ଉପରକୁ ଖସିପଡ଼ନ୍ତେ ହୁଏତ ସେହିଦିନ ପୃଥିବୀର ଭୋକମାନେ ମନଭରି ଥରୁଟିଏ ଭୋଜି ଖାଇପାରନ୍ତେ !

Image

 

ଦୋହରା ଦୁଃଖ

 

ରାଧାଚରଣ କେତେବାର ମନେ ମନେ ନିଷ୍ପତ୍ତି ନେଲେଣି, ଆଉ ଯାହା ବିଶ୍ୱାସ କରନ୍ତୁ ନ କରନ୍ତୁ ଖବରକାଗଜର ରାଶିଫଳ, ପାଣିପାଗ ଖବର ଓ ଗାଁଗଣ୍ଡାର ଉନ୍ନୟନ ବାବଦରେ ଲମ୍ବା ବିବରଣୀଗୁଡ଼ିକୁ କଦାପି ବିଶ୍ୱାସ କରିବେ ନାହିଁ । ଅଥଚ ଏସବୁ ପଢ଼ିଲାବେଳେ କେମିତି ଗୋଟାପଣେ ସତ ଓ ବାସ୍ତବ ମନେ ହୁଅନ୍ତି । ଅନିଚ୍ଛା ସତ୍ତ୍ୱେ ଆଖି ଯୋଡ଼ିକ ଠିକ୍‌ ସେଇ ଜାଗାକୁ ଚାଲିଯାଆନ୍ତି ।

 

ଖବରକାଗଜରୁ ପଢ଼ିଥିଲେ ଏପଟ ରାସ୍ତା ପିଚୁ ହେଇଗଲାଣି । ଆଗପରି ଆଉ ସମସ୍ୟା ନାହିଁ । ଅଥଚ ଗାଡ଼ି ତ ଦୂରର କଥା ରିକ୍ସା ଖଣ୍ଡେ ବି ସେ ରାସ୍ତାରେ ଆସିପାରି ନ ଥାନ୍ତା । ଅଗତ୍ୟା ଷ୍ଟାଣ୍ଡ ପାଖରୁ ସେ ଚାଲି ଚାଲି ଆସିଥିଲେ ।

 

ରାଧାଚରଣ ଆଗରୁ ପ୍ରତିବର୍ଷ ଗାଁକୁ ଆସୁଥିଲେ । ଏହି ସାତଆଠ ବର୍ଷ ହେଲା ଆଉ ନିୟମିତ ଆସିପାରୁ ନାହାନ୍ତି । ବୟସ ବଢ଼ିବା ସଙ୍ଗେ ସଙ୍ଗେ ନାନାପ୍ରକାର ରୋଗର ଉପସର୍ଗ ଦେଖାଦେଲାଣି । ଆଉ ସେ ପିଛିଲା ଦିନର କୁଦି ପଡ଼ିବାର ଶକ୍ତି କି ସାହସ ନାହିଁ ।

 

ଲୁଗାପଟା ବଦଳେଇ ଗାଧୋଇ ବାହାରିବା ବେଳକୁ ପୁତୁରା ଘନଶ୍ୟାମ ବାଡ଼ିପଟକୁ ବାଟ କଢ଼େଇନେଲା । ରାଧାଚରଣଙ୍କ ଆଖିରେ କୌତୂହଳ । ‘କିରେ ବଡ଼ ପୋଖରୀକୁ ଯିବି ପରା-?’ ଘନଶ୍ୟାମ ହସିଲା । ‘ବଡ଼ ପୋଖରୀରେ ଆମେ ଆଉ ଗାଧୋଉ ନାହୁଁ । ଗଲା ବର୍ଷଠୁ ପରା ଆମର ଟ୍ୟୁବ୍‌ୱେଲ ବସିଛି ।’ ରାଧାଚରଣ ଗୋଟେ ଦୀର୍ଘଶ୍ୱାସ ନେଲେ । ପୋଖରୀର ମନଭର୍ତ୍ତି ଗାଧୁଆ ସୁଖ ନଳକୂଅର ଦୁଇ ତିନି ବାଲ୍‌ଟି ପାଣିରେ କୁଆଡ଼ୁ ଆସିବ ? ‘ଖାଇବା ପାଇଁ ବାଢ଼’ କହି ସେ ଅଗତ୍ୟା ନଳକୂଅ ଆଡ଼କୁ ଗଲେ । ସେଠି ତାଳ ଚାଞ୍ଚରା ଘେରା ହୋଇ ରୀତିମତ ଗୋଟିଏ ଅସ୍ଥାୟୀ ବାଥରୁମ୍‌ ତିଆରି ହେଇଛି । ତାଙ୍କରି ପାଇଁ ପୁତୁରା ଏ ବ୍ୟବସ୍ଥା କରିଛି ।

 

ଏତେ ଦିନ ପରେ ଗୋଟାଏ ଦୋରସ୍ତ ଦୋହରା ଖିଆହେବ । ବାଲ୍‌ଟିରୁ ଢାଳେ ଢାଳେ ପାଣି ନେଇ ଚନ୍ଦାମୁଣ୍ଡ ଉପରେ ଢାଳୁ ଢାଳୁ ରାଧାଚରଣ ପିଲାଦିନର ଦୋହରାଖିଆ ମନେ ମନେ ଗୁଣି ହେଉଥିଲେ । ଖରାଦିନ ଦ୍ୱିପ୍ରହର ସାରା ଏ ତୋଟା ସେ ତୋଟା ଘୂରିବାରେ ବିତେ । ମୁହଁ ହାତ କଳାକାଠ ପଡ଼ିଥିବ, ଆଖି ପଶିଯାଇଥିବ ବାଗୁଡ଼ି ଡିଆଁରେ । ସେସବୁକୁ ଭ୍ରୂକ୍ଷେପ ନାହିଁ । ପ୍ୟାଣ୍ଟ୍‌ ପକେଟରେ ଦୁଇ ଚାରିଟା ଆମ୍ବକଷି । ଆମ୍ବକଷି ବୁଡ଼େଇ ବଡ଼ିଛେଚା ଓ କିଛି ଗୋଟାଏ ଭଜାଭଜି ସାଙ୍ଗକୁ ସଜ ପଖାଳ । ଆହା, ତାର ଜବାବ ନାହିଁ । ମଝିରେ ଗଛତୋଳା କଞ୍ଚାଲଙ୍କାରୁ ଗୋଟାଏ । ଏସବୁ ମନେପଡ଼ି ରାଧାଚରଣଙ୍କ ପାଟି ଲାଳେଇ ଉଠିଥିଲା ।

 

କିନ୍ତୁ ଇଏ ସେ ଦେଖୁଛନ୍ତି କ’ଣ ? ଗୋଟେ ପ୍ଲେଟ ଉପରେ ଥୁଆଯାଇଛି ଲୋଚାକୋଚା ଶୀତଳ ଦୋସା ଓ ଦିଇଟା ଉଷୁମ ବରା । ଛକ ଉପରେ ବାବୁ ସାହୁ କୁଆଡ଼େ ଗୋଟାଏ ରେସ୍ତୋରାଁ କରିଛି । ଘନଶ୍ୟାମ କହୁଥିଲା, ‘ଅର୍ଡର ଦେଇ ପରା ତମପାଇଁ ଏସବୁ ଆଣିଛି ।’ ରାଧାଚରଣଙ୍କ ଦୋହରା ଖାଇବାର ଇଚ୍ଛାଟା ଏତେ ପ୍ରବଳ ହୋଇ ଉଠିଥିଲା ଯେ ସେ ଏସବୁ ଦେଖି ମନେ ମନେ ଚିଡ଼ିଗଲେ । କିରେ ଏସବୁ କାହିଁକି, ମୁଁ ତ ପଖାଳ ଖାଇଥାଆନ୍ତି । ଘନଶ୍ୟାମ ମୁଣ୍ଡ କୁଣ୍ଡେଇଲା । ‘ଆମେ ଆଉ ପଖାଳ ଖାଉନୁ କକେଇ । ସକାଳେ ସଞ୍ଜେ ପିଲାମାନେ ରୁଟି ଖାଉଛନ୍ତି । ଧାନ ତ ଏଥର ବର୍ଷଶେଷ ଯାଏ କୁଳେଇବ କି ନାହିଁ ମୋର ଆଶଙ୍କା ହେଲାଣି । କାଲି ତମେ ଅଛ । କାଲି ସଞ୍ଜରେ ଦୋହରା ଖାଇବ । ବାବୁ ସାହୁ ଭଲ ଦୋସା କରିଥିବ ଯେ !’

 

କିନ୍ତୁ ରାଧାଚରଣ ତ କଦାପି ଏହି ଦୋସା କି ବରା ପୁଞ୍ଜାଏ ଖାଇବେ ବୋଲି ବିଚାରି ନ ଥିଲେ । ଏସବୁ ସହରୀ ଜଳଖିଆ । ବାବୁ ସାହୁ ରେସ୍ତୋରାଁର ସେ କାରିଗରଟି ପୁଣି ଦୋସା କରିଛି କି ଚକୁଳି କରିଛି କିମ୍ବା ଦିଇଟାକୁ ମିଶାମିଶି କରି ଗୋଟେ ସ୍ପେଶାଲ ଆଇଟମ୍‌ ବନେଇଛି ଜାଣିବାର ଜୁ ନାହିଁ । ଭୋକ ବିକଳରେ ସେତକ ଖାଇସାରି ପାଣି ଗିଲାସେ ପିଇ ରାଧାଚରଣ ଉଠିଲେ ।

 

ମେଲା ମଝିରେ ଗୋଟିଏ ଚାଳିଶ ୱାଟ୍‌ର ବଲ୍‌ବ ଜଳୁଛି । ସେଥିରେ ନା ଆଲୁଅ ହେଉଛି ନା ଅନ୍ଧାର ! ଏହି କିଛି ବର୍ଷ ଭିତରେ ଢେର୍‌ ପରିବର୍ତ୍ତନ ହୋଇଛି ତାଙ୍କ ଗାଁରେ । ବିଦ୍ୟୁତୀକରଣ କଥାଟା ତ ସେ ନିଜ ଆଖିରେ ଦେଖୁଛନ୍ତି । ଘନଶ୍ୟାମ କହୁଥିଲା, ‘ଏଥର ମରୁଡ଼ି ଅବସ୍ଥା ଯେମିତି ହେଲାଣି ବିହନ ରହିବ କି ନାହିଁ ସନ୍ଦେହ । ଭାବୁଚି କଲିକତା ପଳେଇବି । ଚାଷରେ ଆଉ କିଛି ଲାଭ ନାହିଁ । ତମେ ଯଦି ଭାଗ ବଖରା ଦେବା କଥା ଭାବୁଥିବ ତାହାହେଲେ ମୋର ଆପତ୍ତି ନାହିଁ-।’

 

ରାଧାଚରଣଙ୍କର ଗାଁକୁ ଆସିବାର ଆଗ୍ରହ ଇତିମଧ୍ୟରେ ଉଭେଇ ଯାଇଥିଲା । ତାଙ୍କ କଳ୍ପନାର ଗାଁଠାରୁ ପ୍ରକୃତ ଗାଁର ଚେହେରା କେତେ ଭିନ୍ନ, କେତେ ନିଆରା ? ମଫସଲ ଓ ସହରର ବିକୃତ ମିଶାମିଶିରେ ଏବର ଗାଁର ଚେହେରା ତାଙ୍କୁ ମନେ ହେଉଥିଲା କେଉଁ ତୃତୀୟ ଶ୍ରେଣୀ ସିନେମା ହୀରୋକୁ ଅନୁକରଣ କରୁଥିବା ଗୋଟିଏ ଜୋକର୍‌ର ଶସ୍ତା ଚେହେରା ପରି । ଅଥଚ ଏସବୁ ପାଇଁ ଘନଶ୍ୟାମମାନଙ୍କୁ ଦାୟୀ କରିବାର ଅର୍ଥ କିଛି ହୁଏ ନାହିଁ । ରାଧାଚରଣମାନେ ନିଜ ସୁଖ ଓ ବିଳାସ ପାଇଁ ଗାଁକୁ ହତଶ୍ରୀ କରି ଛାଡ଼ିଯିବା ପରେ ମଧ୍ୟ, ନିଜର କଳ୍ପନାବିଳାସରେ ଗାଁଟି ସେଇ ସବୁଜିମା ଓ ଶ୍ୟାମଳ ଅନୁରାଗ ନେଇ ଅତୁଟ ରହୁ ବୋଲି ଦିବାସ୍ୱପ୍ନ ଦେଖିପାରନ୍ତି । ଗାଆଁର ଅସରନ୍ତି ଭଲ ପାଇବା ବିନିମୟରେ ସେମାନେ ଗାଁକୁ ଭେଟିଦିଅନ୍ତି ଉପେକ୍ଷା, ଅନାଦର ଓ ଉଦାସୀନତା । ଏତେ ଉଦାସୀନତା ଓ ଅନାଦର ଭିତରେ କାଠ ପଥର ବି ବିବର୍ଣ୍ଣ ବିଷଣ୍ଣ ହୋଇପଡ଼େ, ବିଚାରୀ ମଫସଲୀ ଗାଁର ବା ସାଧ୍ୟ କେତେ ?

 

ଗୋଟେ ସୁକୁମାର କୋମଳ ଫୁଲତୋଡ଼ାକୁ ନିଜର ଅସାବଧାନତା ଯୋଗୁଁ ପାଦରେ ଦଳି ମକଚି ଦେଇଥିବାର ଗ୍ଳାନିରେ ରାଧାଚରଣଙ୍କ ଛାତି ଭିତରଟା ହାହାକାର କରି ଉଠୁଥିଲା ।

Image

 

ଖଳନାୟକ

 

ଡାକଘରୁ ଫେରିଆସିବା ପରେ ଏବେ ଅନେକଟା ଆଶ୍ୱସ୍ତ ବୋଧ କରୁଥିଲା ସିଦ୍ଧାର୍ଥ । ଗତ ସାତଦିନ ଧରି ସେ ସବୁବେଳେ ଗୋଟେ ଦ୍ୱନ୍ଦ୍ୱ ଭିତରେ କାଳ କାଟୁଥିଲା । ଅଜ୍ଞାତ ପତ୍ରପ୍ରେରକଟିର ନିର୍ଦ୍ଦେଶ ମାନିବ ନା ସେ ନିର୍ଦ୍ଦେଶକୁ ଏଡ଼ିଯିବ– ଏଇଟା ହିଁ ଥିଲା ତାର ଦ୍ୱନ୍ଦ୍ୱ ।

 

ଘଟଣାଟି ଘଟିଥିଲା ଏମିତି । ଦିନେ ସକାଳେ ବଙ୍କାତେଢ଼ା ଅକ୍ଷରରେ ସିଦ୍ଧାର୍ଥର ଠିକଣା ଲେଖାଥିବା ଚିଠିଟିଏ ଆସି ପହଞ୍ଚିଥିଲା । ଆଜିକାଲି ସିଦ୍ଧାର୍ଥର ଜୀବନରେ କିଛି ଘଟଣା ଘଟୁ ନାହିଁ-। କୌଣସି ପ୍ରକାର ରୋମାଞ୍ଚ କି ଉତ୍ତେଜନା ତିଆରିଲା ପରି କିଛି କଥା ହେଉ ନାହିଁ । ଗୋଟେ ନିଃସଙ୍ଗ ଦ୍ୱୀପଟିଏ ସିଏ । ପିଲାମାନେ ବାହାରେ, ବର୍ଷକେ ଥରେଅଧେ ଆସନ୍ତି । ଆସି ପହଞ୍ଚୁ ପହଞ୍ଚୁ ଫେରିବାର ବ୍ୟବସ୍ଥା କରନ୍ତି । ସେଇ କାରଣରୁ ସିଦ୍ଧାର୍ଥ ସେମାନଙ୍କୁ ଅଟକେଇବାକୁ ମନ କରେ ନାହିଁ । ଏପରି ଜୀବନରେ କୌଣସି ଅଜ୍ଞାତ ବ୍ୟକ୍ତିଠାରୁ ଚିଠିଟେ ପାଇବା ପ୍ରକୃତରେ ହୋଇପାରିଥାନ୍ତା ଗୋଟେ ରୋମାଞ୍ଚକର ଘଟଣା । ମାତ୍ର ଏ ଚିଠିଟିରେ ଥିଲା ଏକ ରହସ୍ୟମୟ କଠୋର ନିର୍ଦ୍ଦେଶ । ‘ପନ୍ଦରଦିନ ଭିତରେ ଚିଠିଟିର ଦଶଟି ନକଲ କରି ଦଶଜଣଙ୍କ ପାଖକୁ ନ ପଠେଇଲେ ଘୋର ବିପତ୍ତି ଘଟିବ । ଫୁଲବାଣୀର ଜଣେ ଭଦ୍ରଲୋକ ଏ ନିର୍ଦ୍ଦେଶ ମାନି ନ ଥିବାରୁ ଛଅମାସ ଭିତରେ ତାଙ୍କ ପୁତ୍ର ଦୁରାରୋଗ୍ୟ ରୋଗରେ ପଡ଼ିଲା । ତାପରେ ସେ ଦେବୀଙ୍କ ମହିମା ଅନୁଭବ କରି ଏ ଚିଠିର ପଚାଶ ଖଣ୍ଡ ନକଲ ବାଣ୍ଟିବାରୁ ବଡ଼ କଷ୍ଟରେ ପୁଅ ଭଲ ହେଲା । ଭବାନୀପାଟଣାର ଜଣେ ନିର୍ଦ୍ଧନ ବ୍ୟକ୍ତି ଦେବୀଙ୍କ ମହିମା ପ୍ରଚାର ନିମନ୍ତେ ଉଦ୍ଦିଷ୍ଟ ଏଇ ଚିଠିର ତିରିଶଟି ନକଲ ବାଣ୍ଟିଥିବାରୁ ସେ ପନ୍ଦରଦିନ ମଧ୍ୟରେ ଏକଲକ୍ଷ ଟଙ୍କାର ଲଟେରୀ ଜିଣି ଲକ୍ଷପତି ହେଲେ । ଭୁବନେଶ୍ୱରର ଜଣେ ମନ୍ତ୍ରୀ ଏହି ଚିଠିର ପଚାଶ ନକଲ ବାଣ୍ଟିବାରୁ ହିଁ ତାଙ୍କ ବୈବାହିକ ଜୀବନର ପନ୍ଦରବର୍ଷ ପରେ ପୁତ୍ରସନ୍ତାନଟିଏ ଲାଭ ହେଲା । ଦେବୀଙ୍କ ମହିମାକୁ ଅସ୍ୱୀକାର କରିଥିବା ବ୍ୟକ୍ତି ସର୍ପଦଂଶନ, ଆକସ୍ମିକ ଦୁର୍ଘଟଣାରେ ପଡ଼ିବା ଧ୍ରୁବସତ୍ୟ ।’

 

ଚିଠିଟି ପଢ଼ିସାରିବା ବେଳକୁ ସିଦ୍ଧାର୍ଥ ଦେହରୁ ଝାଳ ବୋହିଯାଇଥିଲା । କି ନିଷ୍ଠୁର ନିର୍ଦ୍ଦେଶ ! ବାବାଜୀ, ସନ୍ନ୍ୟାସୀ ବା ଦେବଦେବୀଙ୍କ ଉପରେ ଆଦୌ ବିଶ୍ୱାସ ନ ଥିବା ସିଦ୍ଧାର୍ଥ ହଠାତ୍‌ ବିବ୍ରତ ହୋଇପଡ଼ିଲା । ତା ପରଠାରୁ ଏକମାତ୍ର ଚିନ୍ତା, ଚିଠିଟିର ନିର୍ଦ୍ଦେଶ ମାନିବ ନା ମାନିବ ନାହିଁ ।

 

ଦେବୀଙ୍କ ମହିମା ପାଇଁ ପ୍ରଚାରପତ୍ର ବାଣ୍ଟିଲେ ଧନସମ୍ପଦ ମିଳିବାର ପ୍ରତିଶ୍ରୁତି ସେଥିରେ ଉଲ୍ଲେଖ ଥିଲା । ମାତ୍ର ଶେଷ ଜୀବନରେ ସେପରି ସମ୍ପତ୍ତିରେ ଆଉ ପ୍ରୟୋଜନ ନାହିଁ । ଏଇ ପେନ୍‌ସନ୍‌ ଗଣ୍ଡାକ ଯଥେଷ୍ଟ । ମାତ୍ର ତାର ଭୟ ଥିଲା, ଯଦି ସେ ଚିଠିଟିକୁ ବେଖାତିର କରି ଏଡ଼ାଇ ଦିଅନ୍ତି, ତାହେଲେ ତା ପିଲାମାନଙ୍କର ସତକୁ ସତ କିଛି କ୍ଷତି ହେବ ନାହିଁ ତ ?

 

ଯେଉଁ ଉତ୍କଣ୍ଠା ଓ ଆଗ୍ରହ ନେଇ ଚିଠିଟିକୁ ସେ ଖୋଲିଥିଲା ସେଇସବୁକୁ ସେ ଧିକ୍‌କାର କଲା । ଏପରି ଗୋଟେ ଚିଠି ତା ଠିକଣାରେ ଆସିଲା କିପରି ? କିଏ ହୋଇପାରେ ସେହି ଅଜ୍ଞାତ ପତ୍ରପ୍ରେରକ ଯିଏ ଏପରି ନିର୍ଦ୍ଦୟ ଭାବରେ ତାର ଅବସର ଜୀବନରୁ ଶାନ୍ତି ଟିକକ ଛଡ଼େଇ ନେଲା-?

 

ଶେଷକୁ ସେ ସ୍ଥିର କଲା, ଦଶଖଣ୍ଡ ନକଲ କରି ଚିହ୍ନା ପରିଚିତ ଲୋକଙ୍କ ପାଖକୁ ପଠେଇଦେବ । ଏତେ ମନସ୍ତାପ ଅପେକ୍ଷା ସେଇ ଭଲ । ପୁଣି ଆଉ ଗୋଟେ ଦ୍ୱନ୍ଦ୍ୱ । ଗୋଟେ ଅପରିଚିତ ନିଷ୍ଠୁର ସିନା ତାକୁ ଏପରି ମାନସିକ ଅଶାନ୍ତି ଦେଉଛି; କିନ୍ତୁ ଚିଠିଟିର ଆବେଦନ ସମ୍ପର୍କରେ ସବୁ ଜାଣି ସୁଦ୍ଧା ସେ କେମିତି ତା ପରିଚିତ ବନ୍ଧୁମାନଙ୍କୁ ସେ ଦୁର୍ଦ୍ଦଶା ଉପହାର ଦେବ ? ନା, ସେପରି ସେ କରିପାରିବ ନାହିଁ ।

 

କାଲି ରାତିରେ ଅନେକ ସମୟ ଅନିଦ୍ରା ରହି ସେ ପ୍ରସ୍ତୁତ କରିଥିଲା ସେଇ ରହସ୍ୟଜନକ ଚିଠିଟିର ଦଶଟି ନକଲ । ସକାଳେ ଡାକଘର ଯାଇ ଢେର୍‌ ସମୟ ଛିଡ଼ା ହୋଇଥିଲା ଟିକେଟ କାଉଣ୍ଟର ପାଖରେ । ଖୁବ୍‌ କଷ୍ଟରେ ସେ ଦଶଟି ଅଜ୍ଞାତ ଠିକଣା ଚୋରେଇ ସଂଗ୍ରହ କରିଥିଲା ରେଜିଷ୍ଟ୍ରୀ କାଉଣ୍ଟରରୁ । ଏପରି ସତର୍କତା ଜୀବନରେ ଏହାପୂର୍ବରୁ ଆଉ ମାତ୍ର ଥରେ ସେ ଅବଲମ୍ବନ କରିଥିଲା, ସେଇଟି ପଞ୍ଚମଶ୍ରେଣୀ ବୃତ୍ତି ପରୀକ୍ଷାର ପ୍ରଥମ ଦିନରେ । ଚିଠିଗୁଡ଼ିକ ଉପରେ ଠିକଣା ଲେଖିସାରିବା ପରେ ସେ ଟିକେଟ ଲଗେଇ ଡାକବାକ୍ସରେ ସେଗୁଡ଼ିକୁ ପକେଇ ଦେଲା ଓ ଗୋଟିଏ ଦୀର୍ଘଶ୍ୱାସ ନେଲା । ଓଃ କି ଆଶ୍ୱସ୍ତି ! ଏଇ କଥାଟା ସେ ପ୍ରଥମ ଦିନରୁ ହିଁ କରି ଦେଇଥିଲେ ଛଅ ଦିନର ମାନସିକ ଶାନ୍ତି ଅନ୍ତତଃ ସଞ୍ଚୟ କରାଯାଇପାରିଥାଆନ୍ତା ।

 

ଦୁଆର ଚାବି ଖୋଲି ଏବେ ବାରନ୍ଦାର ବେଞ୍ଚ ଉପରେ ବସିଥିଲା ସିଦ୍ଧାର୍ଥ । ମନେ ପଡ଼ୁଥିଲା ଚିଠିଟିର ରହସ୍ୟମୟ ଶବ୍ଦ ଓ ସେଇ ଶବ୍ଦମାନଙ୍କ ମେଳରେ ଲୁଚିଥିବା ପ୍ରଚ୍ଛନ୍ନ ଧମକର ନିଷ୍ଠୁର ଇଙ୍ଗିତ । ଦିନେ ଦୁଇଦିନ ପରେ ଗୋଟିଏ ଧମକ ଦଶଟି ଧମକରେ ପରିଣତ ହୋଇ ଦଶଜଣ ଅପରିଚିତଙ୍କ ପାଖରେ ପହଞ୍ଚିଯିବ । ସେମାନେ ସବୁ କିଏ ସିଦ୍ଧାର୍ଥ ଜାଣେନି । ତାଙ୍କ ଭିତରେ ହୁଏତ ଥାଇପାରନ୍ତି ହୃଦବେମାର ଭୋଗୁଥିବା ବୁଢ଼ାମଣିଷ ନ ହେଲେ ଧର୍ମଭୀରୁ ଦୁଃଖୀ ଲୋକ । ସେମାନଙ୍କୁ ସିଦ୍ଧାର୍ଥ ଆଦୌ ଜାଣେ ନାହିଁ । ସମ୍ପୂର୍ଣ୍ଣ ଅପରିଚିତ ମଣିଷମାନଙ୍କ ସାଙ୍ଗେ ସେ ଏପରି ଶତ୍ରୁତା କିନ୍ତୁ କରିପାରିଲା କିପରି ? ଏଇ ପ୍ରଶ୍ନଟା ହଠାତ୍‌ ଗୋଟେ ବଡ଼ ପ୍ରଶ୍ନ ହେଇ ତା ସାମ୍ନାରେ ଛିଡ଼ା ହୋଇଗଲା । ଏବେ ସେ ଯେପରି ଦେଖିପାରୁଥିଲା ଦଶଟି ଅପରିଚିତ ମଣିଷଙ୍କ କାତର କମ୍ପିତ ଚେହେରା । ପରିଚିତ ମଣିଷଙ୍କ ଉପରେ ହୁଏତ ଥାଇପାରେ କିଛି ସ୍ନେହ ବା ଶ୍ରଦ୍ଧାର ଅଧିକାର, କିନ୍ତୁ ସମ୍ପୂର୍ଣ୍ଣ ଅପରିଚିତ ମଣିଷଙ୍କ ଉପରେ ତାର ସେପରି କିଛି ଅଧିକାର ତ ନ ଥିଲା ! ତା’ହେଲେ ସେଇ ଅପରିଚିତ ଓ ନିରପରାଧ ମଣିଷଙ୍କ ବିରୋଧରେ ସେ ଏପରି ଷଡ଼ଯନ୍ତ୍ର କରିପାରିଲା କିପରି ? ମଣିଷର ଯେତେ କ୍ରୋଧ, ଅସୂୟା, ନିର୍ଦ୍ଦୟପଣିଆ ସବୁ କ’ଣ ଅପରିଚିତ ମଣିଷଙ୍କ ପାଇଁ ? ତା ଆଖି ସାମ୍ନାରେ ଦିଶିଯାଉଥିଲା ଦଶଟି ମଣିଷଙ୍କ ଚେହେରା, ଯେଉଁମାନେ ଆଣ୍ଠୁମାଡ଼ି ବିକଳ ଭଙ୍ଗୀରେ ପ୍ରତ୍ୟେକେ ତିଆରୁଥିଲେ ସେଇ ରହସ୍ୟମୟ ଚିଠିର ଆଉ ଦଶଦଶଟି ନକଲ । ସେ ଚିଠିର ସଂଖ୍ୟା ବଢ଼ି ହେଇଯାଉଥିଲା ଶହେ, ହଜାରେ ପୁଣି ଲକ୍ଷେ...

 

ନା, ତାର ଉଚିତ ଥିଲା ସେ ଯେଉଁଦିନ ସେହି ରହସ୍ୟମୟ ଚିଠିଟି ପାଇଲା ଓ ପଢ଼ିଲା, ସେଇ ସାଙ୍ଗେ ସାଙ୍ଗେ ତାକୁ ଚିରି ଟୁକୁରା ଟୁକୁରା କରି ଫୋପାଡ଼ିଦେବା । ମାତ୍ର ଏବେ ସେକଥା କରିବାରେ ଅନେକ ବିଳମ୍ବ ହୋଇଯାଇଥିଲା ସିଦ୍ଧାର୍ଥର ।

Image

 

ଅହଙ୍କାରୀ ନମ୍ରତା

 

ମନ୍ତ୍ରୀ ଗାଆଁରେ ପହଞ୍ଚିଲାବେଳକୁ ରାତି ଦଶଟା । ମଫସଲ ଗାଆଁରେ ଏତେବେଳକୁ ତାଟି କବାଟ ପଡ଼ିଯିବା କଥା । ଗାଆଁ ମୁଣ୍ଡ ପଡ଼ିଆର ଚାରିପାଞ୍ଚଟି ପେଟ୍ରୋମାକ୍ସ ଲାଇଟ ଓ ସୂଚନା ବିଭାଗର ଗୋଟାଏ ମାଇକ୍‌ର ଆକର୍ଷଣ ଅଧରାତି ପର୍ଯ୍ୟନ୍ତ ସେ ଗାଆଁର ଶିଶୁ ଓ କିଶୋର ସମେତ ଅନେକଙ୍କୁ ଉନ୍ନିଦ୍ର ରଖିଥିଲା । ମନ୍ତ୍ରୀ ପହଞ୍ଚିଲେ, ଭାଷଣ ଓ ଉଦବୋଧନ ଉଭୟ ଦେଲେ, ଦେଶକୁ ଏକବିଂଶ ଶତାବ୍ଦୀ ଓ ସେହି ଗାଆଁକୁ ସଭ୍ୟତାର ଶିଖର ସୋପାନକୁ ନେଇଯିବାର ଦୃଢ଼ ପ୍ରତିଶ୍ରୁତି ଦେଲେ । ଜନତାଙ୍କ କରତାଳିରେ ସେ ଜାଗାଖଣ୍ଡକ ଶବ୍ଦାୟିତ ହେଲା । ସଭା ସାଙ୍ଗ ହେଲା ।

 

ସଭା ସାଙ୍ଗ ହେବା ପରେ ମନ୍ତ୍ରୀଙ୍କୁ ବାଟ କଢ଼େଇ ନିଆଗଲା ଗାଆଁଠୁ ଟିକିଏ ଦୂର ଗୋଟାଏ ଡାକବଙ୍ଗଳାକୁ । କେଜାଣି କେଉଁ ଅମଳର ଏ ଡାକବଙ୍ଗଳାଟିରେ ସ୍ଥାନୀୟ ରେଭେନ୍ୟୁ ଇନିସ୍ପେକ୍ଟରଜଣକ ଏବେ ତାଙ୍କର ଅଫିସ କରନ୍ତି । ମନ୍ତ୍ରୀଙ୍କୁ ସେଇଠି ନୈଶଭୋଜିରେ ଆପ୍ୟାୟିତ କରାଯିବ । ସେଥିପାଇଁ ରେଭେନ୍ୟୁ ଇନିସ୍ପେକ୍ଟରଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଆଠଜଣିଆ ପ୍ରସ୍ତୁତି କମିଟି ସକାଳ ପହରୁ କାମରେ ଲାଗିଛନ୍ତି ।

 

ଧଳା ଚାଦର ଘୋଡ଼ା ଟେବୁଲ ଉପରେ ପରଷି ଦିଆଗଲା ଶଙ୍ଖ ଧବଳ ପ୍ଲେଟରେ ସରୁ ବାସୁମତୀ ଅରୁଆଚାଉଳର ପଲଉ, ଡାଲି, ଚିକେନ, ମାଛମଞ୍ଜି, ଖଜୁରି ଖଟା, ଭଜା, ରାଇତା, ସାଲାଡ଼, ପାମ୍ପଡ଼ ଓ ରସଗୋଲା । ମନ୍ତ୍ରୀ ଓ ତାଙ୍କ ସହଯାତ୍ରୀ ଆଠଜଣଙ୍କ ପାଇଁ ଆଠଟି ଚଉକି ପଡ଼ିଛି । ‘ଆସନ୍ତୁ, ଆସନ୍ତୁ ଆଜ୍ଞା, ଏ ଗରିବ ଅଞ୍ଚଳରେ ଆପଣଙ୍କୁ ଆମେ କ’ଣ ଦେଇପାରିବୁ ? ଟିକିଏ ହାତ ସଙ୍କୁଡ଼ି କରିନିଅନ୍ତୁ’ ଅନାବଶ୍ୟକ ବିନୟ ଭାବରେ ବିକୃତ ଦିଶୁଥିବା ସ୍ଥାନୀୟ ନେତାଜଣକ ଗଦ୍‌ଗଦ ହୋଇପଡ଼ିଥାନ୍ତି ।

 

ମାତ୍ର ମନ୍ତ୍ରୀ ମହାଶୟ ଗାଡ଼ିରୁ ଓହ୍ଲେଇ ଭୋଜନ ଟେବୁଲ ପାଖରେ ପହଞ୍ଚି ଚରମ ଦୁଃଖ ଓ କ୍ଷୋଭରେ ଏପରି ମ୍ରିୟମାଣ ହୋଇପଡ଼ିଲେ ଯେ, ପଞ୍ଚାଧିକ ମିନିଟ୍‌କାଳ ତାଙ୍କ ଶ୍ରୀମୁଖରୁ କୌଣସି ମୂଲ୍ୟବାନ୍‌ ତତ୍ତ୍ୱ ନିଃସୃତ ହୋଇପାରିଲା ନାହିଁ । ସେ ଥରେ ଶୁଭ୍ରବସନ ଆବୃତ ମେଜ ଉପରେ ସଜ ମଣୋହି ସାମଗ୍ରୀ ଆଡ଼େ ତ ଆଉଥରେ ତାଙ୍କ ସମେତ ସେଠାରେ ଉପସ୍ଥିତ ଅର୍ଦ୍ଧଶତାଧିକ ସରକାରୀ କର୍ମଚାରୀ ଓ ସାଧାରଣ ଲୋକଙ୍କ ଆଡ଼େ ଚାହିଁ ବାଷ୍ପ ଗଦ୍‌ଗଦ କଣ୍ଠରେ କହିଲେ, ‘ଆପଣମାନେ ଇଏ କଣ କରିଛନ୍ତି ?’

 

ପାହାନ୍ତି ପହରରୁ ମନ୍ତ୍ରୀଙ୍କ ମଣୋହି ପାଇଁ ବ୍ୟତିବ୍ୟସ୍ତ, ବିବ୍ରତ ରେଭେନ୍ୟୁ ଇନିସ୍ପେକ୍ଟର ଓ ତାଙ୍କର ସହକର୍ମୀଗଣ ମନ୍ତ୍ରୀଙ୍କର ଏ ପ୍ରକାର ପ୍ରଶ୍ନ ପାଇଁ ଆଦୌ ପ୍ରସ୍ତୁତ ନ ଥିଲେ । ନିଜର ପଦୋନ୍ନତି ଆଶାୟୀ ସୁତରାଂ ଅଧିକ ବଶମ୍ବଦ ମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ଥରେ ଖାଦ୍ୟସହ ମିଶିଥିବା ଅସଲି ଗୁଆଘିଅର ଆଘ୍ରାଣକୁ ନାଭିଦେଶ ପର୍ଯ୍ୟନ୍ତ ଭିଡ଼ିନେଇ ଉଦ୍ୟୋକ୍ତାଙ୍କ ପକ୍ଷରୁ ଚାପାଗଳାରେ ନମ୍ର କୈଫିୟତ୍‌ ଦେଲେ, ‘ସାର୍‌, ମଫସଲ ଅଞ୍ଚଳ । ଆପଣଙ୍କୁ ତାହାହିଁ ଚଳେଇ ନେବାକୁ ହେବ ।’

 

ଉପସ୍ଥିତ ଦର୍ଶକ ଓ ଶ୍ରୋତାଙ୍କୁ ଅଧିକ କାଳ ଉଦ୍‌ବିଗ୍ନ ନ ରଖି ମନ୍ତ୍ରୀ ମହୋଦୟ ପୂର୍ବପରି ଭାବ ଗଦ୍‌ଗଦ ସ୍ୱରରେ କହିଲେ, ‘ଆପଣମାନେ ଏଠି ମୋ ପାଇଁ ପଲଉ ଓ ଚିକେନ୍‌ ପରଷିବା ଦ୍ୱାରା କେବଳ ମୋତେ ନୁହେଁ, ମୋ ଦେଶର ଲକ୍ଷ ଲକ୍ଷ ଗରିବ, ଖଟିଖିଆ ଭାଇଭଉଣୀଙ୍କୁ ଅପମାନିତ କରିଛନ୍ତି । ଜଣେ ସମାଜସେବୀ ଭାବରେ ମୁଁ ଆପଣମାନଙ୍କଠାରୁ ଏପ୍ରକାର ବ୍ୟବହାର ଆଶା କରି ନ ଥିଲି । ଏଇମାତ୍ର ମୁଁ ଗାଆଁର ଗରିବ ଭାଇ ଓ ଭଉଣୀଙ୍କ ମେଳରେ ସଭା ସାରି ଫେରିଛି । ସେମାନଙ୍କ ଦୁଃଖ ବୁଝିଛି । ତେଣୁ ମୋତେ ଦୟାକରି ଏହି ଖାଦ୍ୟ ଖାଇ ଘୋର ପାପରେ ଭାଗୀ କରାନ୍ତୁ ନାହିଁ । ମୁଁ ଉପବାସରେ ଫେରିଯିବି ।’

 

ଉପସ୍ଥିତ ଶ୍ରୋତୃମଣ୍ଡଳୀ ସ୍ତବ୍‌ଧ ଓ ବିସ୍ମିତ । ଭିତରେ ଭିତରେ ଆ-ହା-ଚୁ-ଚୁ ଭାବ । କେତେ ପରୋପକାରୀ ! ଗରିବଙ୍କ ମାଆ ବାପ ଏ ମନ୍ତ୍ରୀ, ସାକ୍ଷାତ୍‌ ଧର୍ମରାଜ । ଏହି ଦେଶରେ ତ ଉତ୍କଳମଣି ଜନ୍ମ ହୋଇଥିଲେ । ଏ ମନ୍ତ୍ରୀ ନୁହନ୍ତି ତ ଯୋଗଜନ୍ମା, ଯୁଗପୁରୁଷ ।

 

ଉଦ୍ୟୋକ୍ତାମାନେ ବୁଝେଇବାକୁ ଚେଷ୍ଟା କରୁଥିଲେ, ‘ସାର୍‌, ଆମର ଭୁଲ୍‌ ହୋଇଛି । ଆପଣ କିନ୍ତୁ ଏତେ ରାତିରେ ଉପବାସରେ ଫେରିଗଲେ ଆମେ ଆହୁରି କଷ୍ଟ ପାଇବୁ । ଆମ ଗାଆଁର ବଦନାମ ହେବ । ଅତିଥିଙ୍କୁ ଉପବାସରେ କେମିତି ଛାଡ଼ିବୁ ସାର୍‌ ?’

 

ଉଦ୍ୟୋକ୍ତାମାନଙ୍କର ଉଦ୍ୟମରେ ପ୍ରଭାବିତ ମନ୍ତ୍ରୀ ମହୋଦୟ କହିଲେ, ‘ତାହେଲେ ମୁଁ ଆପଣଙ୍କ କଥା ରଖି ଖାଇବି । କିନ୍ତୁ ଏ ଖାଦ୍ୟ ନୁହେଁ ।’ ସେ ସାଧାରଣ ସଭାମାନଙ୍କରେ ନିଜର ଦକ୍ଷିଣହସ୍ତ ପ୍ରସାରି ତର୍ଜନୀ ନିର୍ଦ୍ଦେଶ କରିବା ମୁଦ୍ରାରେ ପୁଣି କହିଲେ, “ଆପଣଙ୍କୁ ମୋ ପାଇଁ ପଖାଳ ଓ ଶାଗଭଜା ହିଁ ଆଣିବାକୁ ପଡ଼ିବ । ମୁଁ ଏ ଚୌକି ଟେବୁଲରେ କଦାପି ବସିପାରିବି ନାହିଁ । ମୋ ପାଇଁ ଖଣ୍ଡିଏ ତାଳପତ୍ର ଚଟେଇ ଆଣ । ଏ ପ୍ଲେଟ୍‌, ଏ ଗ୍ଲାସ ଏସବୁ ରାଜା ବାଦ୍‌ଶାହାଙ୍କ ପାଇଁ । କଦଳୀପତ୍ରରେ ହିଁ ଖାଇବି । ଗୋଟିଏ ଗିନା ହୋଇଗଲେ ତୋରାଣି ମୁନ୍ଦେ ପିଇଦେବି ।”

 

ଓଡ଼ିଶାର ଜନଜୀବନ ସମସ୍ୟା ସହ ନିଜକୁ ଏଭଳି ଏକାତ୍ମ କରିଦେଇଥିବା ପରୋପକାରୀ, ଦେଶ ଓ ସମାଜ ଉଭୟସେବୀ ମନ୍ତ୍ରୀ ମହୋଦୟଙ୍କ ଅନୁରୋଧ (ଆଦେଶ !) ତତ୍‌କ୍ଷଣାତ୍‌ ପାଳନ କରିବାକୁ ପୂର୍ବନିଯୁକ୍ତ ଆଠଜଣଯାକ କର୍ମୀ ଗୋଟିଏ ପେଟ୍ରୋମାକ୍ସ ଧରି ବାହାରିଗଲେ । ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ଅର୍ଦ୍ଧରାତ୍ରିରେ ମୋଟା ଚାଉଳର ଭାତ ରାନ୍ଧି, ତାକୁ ଲେମ୍ବୁପାଣିରେ ପଖାଳ କରି, ଶାଗଭାଜି ଓ ନିୟମିତ ଝଡ଼ବ୍ୟତିବ୍ୟସ୍ତ ଗାଆଁରୁ ଭଲ କଦଳୀପତ୍ର ଖଣ୍ଡେ ଯୋଗାଡ଼ କରି ମନ୍ତ୍ରୀଙ୍କୁ ଖାଇବାକୁ ଦେଲାବେଳକୁ ରାତି ଦୁଇଟା ବାଜିଯାଇଥିଲା । ତେବେ ମହାନୁଭବ ମନ୍ତ୍ରୀ ତାଙ୍କ ସହ ଯାଇଥିବା ଅନ୍ୟମାନଙ୍କୁ ପୂର୍ବ ପରିବେଷିତ ପଲଉ ଓ ଚିକେନ୍‌ ଇତ୍ୟାଦି ଭୋଜନ କରିବାକୁ ଅନୁରୋଧ ଜଣାଇଥିଲେ ଓ ସେମାନେ ମଧ୍ୟ ସେ ଅନୁରୋଧ ରକ୍ଷା କରିଥିଲେ । ଉପସ୍ଥିତ ସମସ୍ତଙ୍କ ପାଇଁ ତାହା ଏକ ଦର୍ଶନୀୟ ଦୃଶ୍ୟ ହୋଇପାରିଥିଲା । ଟେବୁଲ ଉପରେ ପରଷା ସ୍ୱାଦୁକର ଖାଦ୍ୟ ଖାଉଛନ୍ତି ଅନୁଚର ଓ ସହକର୍ମୀ ଏବଂ ଟିକିଏ ଦୂରରେ ଧଳାପଞ୍ଜାବି, ମଠାଶୋଭିତ ବର୍ତ୍ତୁଳକାୟ ଖୋଦ୍‌ ମନ୍ତ୍ରୀ ମହୋଦୟ ଖଣ୍ଡିଏ ଚଟେଇ ଉପରେ ବସି କଦଳୀପତ୍ରରୁ ଚିପୁଡ଼ା ପଖାଳ ଓ ଶାଗଭଜା ଖାଉଛନ୍ତି । ୟା’ପରେ କିଏ କହିବ ଏ ଦେଶରେ ଗରିବଙ୍କ ଦୁଃଖ ବୁଝିବା ଭଳି ମଣିଷ ନାହାନ୍ତି ?

 

ଏତେପର୍ଯ୍ୟନ୍ତ କହିସାରି ଶୁଦ୍ଧୋଦନ ଟିକିଏ ଚୁପ୍‌ ରହିଲା । କିନ୍ତୁ ଏକଥା କାହିଁକି ଶୁଦ୍ଧୋଦନ କହୁଛି ସିଦ୍ଧାର୍ଥ ତାହା ବୁଝିପାରି ନ ଥିଲା । ସେ କେବଳ ଜାଣିବାକୁ ଚାହୁଁଥିଲା ଯେ, ଯେଉଁ ମହାଶୟ ଏଇ ଟିକକ ପୂର୍ବରୁ ପାଖ ଚା’ଦୋକାନରୁ ଚା ଖାଉଥିବାବେଳେ ନାଟକୀୟ ଦୃଶ୍ୟଟେ ସୃଷ୍ଟି କରିଥିଲେ ତାଙ୍କର ପରିଚୟ କଣ ?

 

“ଭଦ୍ରଲୋକ ରାଜଧାନୀ ଝାଡ଼ୁଦାର ସଂଘର ଜଣେ କର୍ମକର୍ତ୍ତା, ସାମ୍ପ୍ରତିକ ଓଡ଼ିଶା ରାଜନୀତିର ଜଣେ ପ୍ରମୁଖ କାର୍‌ପଟଦାର । ଯେ କୌଣସି ଛକ ଦୋକାନରୁ ସେ ଚା’ ପିଅନ୍ତୁ ନା କାହିଁକି, ଗିଲାସଟାକୁ ଟେବୁଲ ଉପରେ ରଖି ଏଆଡ଼େ ସେଆଡ଼େ ପ୍ରଥମେ ଚାହିଁବେ, ପାଖରେ କେହି ମେହେନ୍ତରାଣୀ ଅଛନ୍ତି କି ନାହିଁ । ଆବଶ୍ୟକ ହେଲେ ଚା’ ଶୀତଳ ହେବା ପର୍ଯ୍ୟନ୍ତ ବି ସେ ଅପେକ୍ଷା କରିବେ । ସେଇ ରାସ୍ତାଦେଇ ଯାଉଥିବା ମେହେନ୍ତରାଣୀ କାହାକୁ ଦେଖିଲେ, ବାତ୍ସଲ୍ୟ ବୋଳା କଣ୍ଠରେ ନେତା ଡାକିବେ, ‘ମାଆ, ଅଇଲୁ, ଅଇଲୁ ଏ ଚା’ କପରେ ଟିକେ ତୋ ହାତ ବୁଡ଼େଇଯିବୁ ।’ ନେତାଙ୍କ ବାଣୀରେ ଉଦ୍‌ବୁଦ୍ଧ ସ୍ତ୍ରୀଲୋକଟି ଆସି ତା’ର ହାତ ବୁଡ଼େଇ ଦେଇ ଚାଲିଯାଏ ଯେପରି ଗାଆଁଗହଳର ଶାଶୂମାନେ ବୋହୂସେବିତ ପାଣିଗିନାରେ ନିଜର ପାଦଅଙ୍ଗୁଳି ବୁଡ଼େଇ ଦିଅନ୍ତି । ମେହନ୍ତରାଣୀ ଅଙ୍ଗୁଳିଦ୍ରବିତ ଚା’ ଗିଲାସକୁ ସଦର୍ପରେ ତୋଳିଧରି ନେତା ଜଣକ ଗୋଟେ ନାଟକୀୟ ଦୃଶ୍ୟ ସୃଷ୍ଟି କରନ୍ତି ଓ ଉପସ୍ଥିତ ଜନତାଙ୍କ ହୃଦୟ ବିନା ଯୁଦ୍ଧରେ ତତ୍‌କ୍ଷଣାତ୍‌ ଜିଣି ନିଅନ୍ତି ।”

 

: ମାତ୍ର ନିଜ ଘରେ ?

 

ସିଦ୍ଧାର୍ଥକୁ କଥା ଶେଷ କରିବାକୁ ନ ଦେଇ ଶୁଦ୍ଧୋଦନ କହିଲା, ‘ଶୁଦ୍ଧ ରକ୍ଷଣଶୀଳ ବ୍ରାହ୍ମଣ ସେ । ତାଙ୍କ ଗୃହ ମନ୍ଦିରପ୍ରାୟ, ଅବାରିତ ଗତି ନିଷିଦ୍ଧ । ଏସବୁ ସେମାନଙ୍କର ମୁଖା ବାବୁ, ମୁହଁ ନୁହେଁ । ହାତୀର ଦେଖେଇହେବା ଦାନ୍ତ ଓ ଖାଇବା ଦାନ୍ତ ଅଲଗା ଅଲଗା ନୁହେଁ କି ?’

 

ସିଦ୍ଧାର୍ଥ ଚିନ୍ତା କରୁଥିଲା, ଅହଙ୍କାର ଅପେକ୍ଷା ଏ ଅହଙ୍କାରୀ ନମ୍ରତା କେତେ ବିପଜ୍ଜନକ ! ଅଥଚ କିଛିଲୋକ ବର୍ଷ ବର୍ଷ ଧରି ସେମାନଙ୍କର ମୁଖାଗୁଡ଼ିକୁ ଏତେ ଆପଣାର କରି ସାରିଲେଣି ଯେ ଆଉ ନିଜ ମୁହଁଟି ମାନ ଦେଖାଇବାର ସାହସ ଇ କରିପାରିବେ ନାହିଁ । ଏ ଗରିବ ଦେଶର ସରଳ ମଣିଷ ସେଇ ମୁଖା ଦେଖି ଖୁସି । ତାଙ୍କ ଦୁଃଖ ବୁଝିବାକୁ ନେତାଏ ଅଛନ୍ତି, ତାଙ୍କ ସମସ୍ୟା ବାଣ୍ଟିବାକୁ ମନ୍ତ୍ରୀ ଅଛନ୍ତି ।

 

ହାୟ ! ମହାରାଣୀ ସୀତା ବି ତ ଦିନେ ଜିଅନ୍ତା ମୃଗଟି ସୁନାର ହୋଇପାରେ ଭଳି ଏକ ଉଦ୍ଭଟ ଅଘଟଣକୁ ବାସ୍ତବ ବୋଲି ଭାବି ବସିଥିଲେ ! –ସିଦ୍ଧାର୍ଥ କହିଲା ।

Image

 

ଯୋଜନା ଓ କାଶିନନା

 

ସତ୍ତାଦ୍ରୋହୀ ନବକିଶୋର ଯେ ପୁଣି ଏପରି ଆଦର୍ଶ ରାଜାନୁଗତ କର୍ମଚାରୀ ହୋଇପାରେ, ସ୍ୱଚକ୍ଷୁ ଓ ସ୍ୱକର୍ଣ୍ଣରେ ପ୍ରତ୍ୟକ୍ଷ କରିନଥିଲେ ତାହା କଦାପି ସିଦ୍ଧାର୍ଥ ବିଶ୍ୱାସ କରିନଥାନ୍ତା । ଜ୍ୟୋତିବିହାର ପରିସର ଭିତରେ କିଛି ବର୍ଷ ତଳେ ନବକିଶୋର ଥିଲା ଗୋଟେ କ୍ରୁଦ୍ଧ ବିଦ୍ରୋହୀ ଓ ବିପ୍ଳବୀ ଯୁବକ । ଭାରତର ଗଣତନ୍ତ୍ର, ନ୍ୟାୟ ବ୍ୟବସ୍ଥାଠୁ ଆରମ୍ଭ କରି ଏହାର ଶାସନ ଓ ଶିକ୍ଷା ବ୍ୟବସ୍ଥା ସବୁ କିଛି ସମ୍ପର୍କରେ ତାର ଅନାସ୍ଥା ଥିଲା ଅପର୍ଯ୍ୟାପ୍ତ । ସବୁ କିଛି ବିରୋଧରେ ସେ ଯୁଦ୍ଧ ଘୋଷଣା କରୁଥିଲା ଏକପାକ୍ଷିକ ଭାବରେ । ଶୀତ ସଞ୍ଜରେ ତାର ସେ ଜ୍ୱାଳାମୟୀ ଭାଷଣ, ମଝିରେ ମଝିରେ ବିଶ୍ୱ ରାଜନୀତିର ପ୍ରବାଦ ପୁରୁଷମାନଙ୍କ ଉଦ୍ଧୃତିବାଣୀ ସିଦ୍ଧାର୍ଥ ଓ ତାର ସତୀର୍ଥମାନଙ୍କର ଆଲୋଡ଼ନହୀନ ଜୀବନରେ ଅନେକ ରୋମାଞ୍ଚ ଆଣୁଥିଲା । ନବକିଶୋର ଉପରେ ବିଶ୍ୱାସ ଆସୁଥିଲା, ଆଜି ନ ହେଲେ ବି କାଲି, ନ ହେଲେ ପଅରିଦିନ ଏ ଦେଶରେ ଗୋଟେ ବୌଦ୍ଧିକ ବିପ୍ଳବ ଆସିବ । ସେ ବିପ୍ଳବର ନେତୃତ୍ୱ ନେବେ ଏହିପରି ନବ-କିଶୋରମାନେ-। ସେମାନେ ଶଠତା, ପ୍ରବଞ୍ଚନା ଓ ଧୂର୍ତ୍ତତାର ମୁଖା ଖୋଲିଦେବେ, ଭାରତର ସାଧାରଣ ଜୀବନରେ ଆଣିବେ ଯୁଗାନ୍ତକାରୀ ପରିବର୍ତ୍ତନ ।

 

ଦଶବର୍ଷ ମଧ୍ୟରେ ନିଶ୍ଚୟ ଯଥେଷ୍ଟ ପରିବର୍ତ୍ତନ ହୋଇଛି । ତେବେ ବାହ୍ୟ ପରିବର୍ତ୍ତନ ଅପେକ୍ଷା ବେଶି ହେଇଛି ନବକିଶୋରର ବୌଦ୍ଧିକ ସ୍ତରରେ । ବିପ୍ଳବ କଦାପି ନୁହେଁ ବରଂ ପ୍ରତି-ବିପ୍ଳବ ଆସିଛି ନବକିଶୋରର ଚେତନାରେ ଓ ଚିନ୍ତାରାଜ୍ୟରେ । ତା ନ ହେଲେ ଜ୍ୟୋତିବିହାରର ସେଇ ବିପ୍ଳବୀ, କ୍ରୁଦ୍ଧ ଯୁବକ ନବକିଶୋର ଆଜି ତାର ଉପରିସ୍ଥ ଅଧିକାରୀଙ୍କ ସଂକୀର୍ତ୍ତନ କରନ୍ତା ନାହିଁ ପେସାଦାର ସ୍ତାବକ ଢଙ୍ଗରେ ।

 

ନବକିଶୋର ଏବେ ଗୋଟେ ବ୍ଲକ ଅଧିକାରୀ । ଜିଲ୍ଲାରେ ସଦ୍ୟ ସମାପ୍ତ ସାକ୍ଷରତା ଅଭିଯାନରେ ଜଣେ ଦାୟିତ୍ୱସମ୍ପନ୍ନ ପୃଷ୍ଠପୋଷକ । ‘ଗତ ମାସ ପନ୍ଦର ତାରିଖରେ ଆମ ବ୍ଲକ ସମ୍ପୂର୍ଣ୍ଣ ସାକ୍ଷର ହୋଇସାରିଛି । ଏହାର ପ୍ରତିଟି ଆବାଳବୃଦ୍ଧବନିତା ହୋଇସାରିଛନ୍ତି ଶିକ୍ଷିତ ।’ ଏହି କଥାଟିକୁ ସେ ବରାବର ଜୋରଦେଇ କହିଚାଲିଛି । ଯୋଜନାଟିର ବୈପ୍ଳବିକ ଗୁରୁତ୍ୱ, ଏହାର ଯାଥାର୍ଥ୍ୟ, ରୂପାୟନର ସଫଳତା, ଶ୍ରମ ଏବଂ ସମ୍ବଳର ଶତ ପ୍ରତିଶତ ଉପଯୋଗ– ଏସବୁ ଦର୍ଶାଇବା ଦିଗରେ ସେ ବରାବର ତଥ୍ୟ ଓ ପରିସଂଖ୍ୟାନର ସହାୟତା ଲୋଡ଼ୁଛି । ଫ୍ୟାକ୍ଟ ଆଣ୍ଡ୍‌ ଫିଗର-ସମୃଦ୍ଧ ତାର ସେସବୁ ଯୁକ୍ତି ଶ୍ରୋତା ସିଦ୍ଧାର୍ଥକୁ ଯେପରି ଅକାଟ୍ୟ ଜଣାପଡ଼ୁଛି, ସେପରି ଶୁଭୁଛି ସୁଶ୍ରାବ୍ୟ ।

 

ଢେର୍‌ ସମୟ ନବକିଶୋରର ସଂକୀର୍ତ୍ତନ ଶୁଣିବା ପରେ ସିଦ୍ଧାର୍ଥ ପଚାରିଥିଲା, ‘ତୋର ଆମ ଗାଁ କାଶିନନା କଥା ମନେଅଛି ତ ? ଏଇ ଦୁଇବର୍ଷ ତଳେ ଯିଏ ମରିଗଲେ ।’ କାଶିନନା ସହ ସରକାରୀ କାର୍ଯ୍ୟକ୍ରମର ଅଥବା ସେମାନଙ୍କ ଆଲୋଚନାର କି ସମ୍ପର୍କ ଥାଇପାରେ ତାହାହିଁ ହୁଏତ ଚିନ୍ତା କରୁଥିଲା ନବକିଶୋର । ତାକୁ ଅଧିକ ସମୟ ସଂଶୟ ମୁଦ୍ରାରେ ନ ରଖି ସିଦ୍ଧାର୍ଥ କାଶିନନାଙ୍କ କଥା ମନେ ପକାଇଦେଲା ।

 

ଅନେକଦିନ ପର୍ଯ୍ୟନ୍ତ କାଶିନନା ଥିଲେ ସିଦ୍ଧାର୍ଥ ଗାଆଁର ଏକମାତ୍ର ପୁରୋହିତ । ତାଙ୍କ ପିତା ଚନ୍ଦ୍ରଶେଖର ମହାପାତ୍ରଙ୍କ ଅନ୍ତେ ସେ ଗାଆଁଟିର ଯଜମାନୀ ତାଙ୍କ ହାତକୁ ଯାଇଥିଲା । କାଶିନନା ସବୁପ୍ରକାର ପର୍ବପର୍ବାଣିର ଦାୟିତ୍ୱ ତୁଲାନ୍ତି । ଗୋଟେ ଗୋଟେ ଦିନରେ କୋଡ଼ିଏ ପଚିଶ ଘରର କର୍ମ ତୁଲେଇବା କାଠିକର ପାଠ ହୋଇପଡ଼େ । ଏକାଦଶୀ, ସଂକ୍ରାନ୍ତି ପରି ଦିନରେ କାଶିନନା ଗୋଡ଼ ଟିପରେ ଚାଲନ୍ତି । ନିଃଶ୍ୱାସ ନେବାକୁ ମଧ୍ୟ ତାଙ୍କର ଫୁରୁସତ ନ ଥାଏ ।

 

ସେଦିନ ଥାଏ ବାଟଓଷା । ସିଦ୍ଧାର୍ଥ ଓ ନବକିଶୋର ସେତେବେଳକୁ ସ୍କୁଲ ଯାଉଥିବା ସାନପିଲା । ବୋଉ ଖୁଡ଼ୀମାନେ ଅନିଦ୍ରା ରହି କାଶିନନାକୁ ଅପେକ୍ଷା କରୁଥାନ୍ତି । ନନା ଆସିଲେ ବାଟଓଷା ବ୍ରତ ବହିଖଣ୍ଡିକ ପଢ଼ିବେ । ତାପରେ ଭୋଗ ଲାଗିବ ଓ ଯେ ଯାହା ଘରକୁ ଫେରିଯିବେ । ନନାଙ୍କ ଅପେକ୍ଷାରେ କେତେଜଣ ଓଷେଇତୀ ବିରକ୍ତିରେ ହାଇ ମାରିଲେଣି । ନବକିଶୋର ବି ଆଗ୍ରହ ହରେଇ ବସିଲାଣି ଅନେକବେଳୁ । ବାରମ୍ବାର ତାକୁ ତା ବୋଉ ପଠଉଥାନ୍ତି, ‘ଯା ଦେଖିଆସିବୁ ଦାସ ଘରୁ ନନା କାମ ସାରିଲେଣି କି ?’ ତା’ପରେ ପରିଡ଼ା ଘର, ତା’ପରେ ମହାନ୍ତି ଘର । ଖୁବ୍‌ କମରେ ଦଶଟି ଜାଗାରେ ନନା ବାଟଓଷା ବ୍ରତ ବହି ପଢ଼ିସାରିବା ପରେ ଏଠିକା ପାଳି ପଡ଼ିବ । ସେତେବେଳପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷା କରିବା ଭିନ୍ନ ଯମରାଜ କୃପାଶ୍ରୟୀ ଏବଂ ସନ୍ତାନବତ୍ସଳା ଓଷେଇତୀମାନଙ୍କର ଅନ୍ୟ ଚାରା ନାହିଁ ।

 

କାଶିନନା ଆସିଲେ । ତାଙ୍କର ଆସିବାଟାଇ ଏତେ ପ୍ରୀତିପଦ ଘଟଣା ଥିଲା ଯେ, ଓଷେଇତୀମାନେ ତତ୍‌କ୍ଷଣାତ୍‌ ଚଞ୍ଚଳ ହୋଇପଡ଼ିଲେ । ବେକ ଚାରିପଟେ ପଣତକାନି ଗୁଡ଼େଇ କାଶିନନାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ ସେମାନେ । ସିଦ୍ଧାର୍ଥର କିନ୍ତୁ ବହୁଦିନୁ କାଶିନନାଙ୍କ ଉପରେ କ୍ରୋଧ । କ୍ରୋଧଟା ସମ୍ପୂର୍ଣ୍ଣ ଈର୍ଷାଜନିତ । ସିଦ୍ଧାର୍ଥର କଣ୍ଠସ୍ୱର ଭଲ ବୋଲି ସେ ଜାଣେ । ସ୍କୁଲରେ ସେ ସବୁଦିନେ ପ୍ରଥମେ ପ୍ରାର୍ଥନା ବୋଲେ । ଅନ୍ୟମାନେ ପାଳି ଧରନ୍ତି । ଗାଆଁର କେହି ଲୋକ ରୋଗଶଯ୍ୟାରେ ପଡ଼ିଲେ ଭାଗବତର ଏକାଦଶସ୍କନ୍ଧ ବହିଖଣ୍ଡିକ ଦେଇ ବାପା ତାର ସେଠାକୁ ପଠେଇ ଦିଅନ୍ତି । ଯନ୍ତ୍ରଚାଳିତ ପରି ସିଦ୍ଧାର୍ଥ ଯାଇ ଭାଗବତ ବୋଲେ । ପାଖରେ ଧର୍ମ ଆଶାୟୀ ମୁମୂର୍ଷୁ ମଣିଷ, ଚାରିପଟେ ପରିବାରବର୍ଗଙ୍କ ଦୁଶ୍ଚିନ୍ତାର ସେଇ କରୁଣ ପରିବେଶ ଭିତରେ ପୁରାଣ ପଢ଼ାଟା ତାକୁ ଭଲ ଲାଗେ ନାହିଁ । କିନ୍ତୁ ମାଣବସା, ବାଟଓଷା ପରି ଉତ୍ସବମୁଖର ଅବକାଶରେ ସିଦ୍ଧାର୍ଥକୁ କେହି ଲୋଡ଼େ ନାହିଁ । ସେସବୁ ଅବକାଶରେ ସେ ଯେପରି ହୋଇପଡ଼େ ସମ୍ପୂର୍ଣ୍ଣ ଅପାଂକ୍ତେୟ । ମାତ୍ର ଏହିପରି ଅବକାଶରେ ପୁରାଣ ପଢ଼ାରେ ଥାଏ ଗୋଟେ ପ୍ରକାର ଅନନୁଭୂତ ରୋମାଞ୍ଚ । କାରଣ କେବଳ ବୋଉ, ଖୁଡ଼ୀ ବା ନୂଆବୋଉମାନେ ନୁହନ୍ତି, ସେମାନଙ୍କ ଗହଣରେ ଏ ପ୍ରକାର ବ୍ରତର ତାଲିମନବିଶ ଭାବେ ସିଦ୍ଧାର୍ଥର ସହପାଠିନୀ ଓ ସେମାନଙ୍କ ବାନ୍ଧବୀମାନେ ମଧ୍ୟ ମହଜୁଦ ଥାଆନ୍ତି । ଏପରି ପରିବେଶରେ ସିଦ୍ଧାର୍ଥକୁ ତାର କଣ୍ଠସ୍ୱର ଓ ପୁରାଣ ଆବୃତ୍ତିର ଦକ୍ଷତା ପ୍ରଦର୍ଶନରୁ ବଞ୍ଚିତ କରୁଥିବା କାରଣରୁ ସିଦ୍ଧାର୍ଥ କାଶିନନାଙ୍କୁ ମନେ ମନେ ଢେର୍‌ ଅଭିଶାପ ଦିଏ । ସେହି କାରଣରୁ ସେ କାଶିନନାଙ୍କ ଆବୃତ୍ତିରେ ବ୍ୟାକରଣ ଓ ଛନ୍ଦ ଦୋଷ ଧରିବା ପାଇଁ ବକଧ୍ୟାନରେ ଚେଇଁ ରହିଥାଏ ଶେଷ ପର୍ଯ୍ୟନ୍ତ ।

 

କାଶିନନାଙ୍କ ହାତରେ ପ୍ରକୃତରେ ସମୟ ନ ଥାଏ । ସଞ୍ଜ ପହରୁ ସାତଟି ଘରେ ପୁରାଣ ପଢ଼ା ସରିଛି । ଆହୁରି ତେରଘର ବାକି ଅଛି । ସେ ଆସୁ ଆସୁ ଠିଆ ଠିଆ ପୁରାଣ ପଢ଼ା ଆରମ୍ଭ କରିଦିଅନ୍ତି । ଚବିଶ ପୃଷ୍ଠାର ବାଟଓଷା ବ୍ରତ ବହିଖଣ୍ଡକ ସମ୍ପୂର୍ଣ୍ଣ ପଢ଼ିବା ପାଇଁ ଯେମିତି ତାଙ୍କର ଧୈର୍ଯ୍ୟ ନ ଥାଏ । ଏତେ ସମୟ ଅପେକ୍ଷା କରିବା ପାଇଁ ମଧ୍ୟ ନିଦୁଆଳି ଓଷେଇତୀମାନେ ପ୍ରସ୍ତୁତ ନ ଥାନ୍ତି । ଗୋଟିଏ ପାରସ୍ପରିକ ପ୍ରଚ୍ଛନ୍ନ ବୁଝାମଣା ଭିତରେ ତେଣୁ କାଶିନନା ମଝିରେ ମଝିରେ ‘ଆନନ୍ଦେକ ବାର୍‌ ହରିବୋଲ’ ବୋଲି କୁହାଟ ଛାଡ଼ନ୍ତି ଓ ତାର ପ୍ରତିକ୍ରିୟାସ୍ୱରୂପ ଓଷେଇତୀମାନେ ଶଙ୍ଖ ହୁଳହୁଳି ଦେଇ ସେ ଜାଗାଖଣ୍ଡକୁ ପ୍ରକମ୍ପିତ କରୁଥିବା ବେଳେ କାଶିନନା ଚୁପ୍‌ଚାପ୍‌ ବ୍ରତ ବହିଖଣ୍ଡକର ଚାରିପାଞ୍ଚ ପୃଷ୍ଠା ହଠାତ୍‌ ଏକା ସାଙ୍ଗରେ ଓଲଟେଇ ଦିଅନ୍ତି । ଏହିପରି ଭାବେ ତିନି ଚାରିଥର ‘ଆନନ୍ଦେକ ବାର୍‌ ହରିବୋଲ’ କୁହାଟ ଓ ଶଙ୍ଖ ହୁଳହୁଳି ଭିତରେ କାଶିନନା ଚବିଶ ପୃଷ୍ଠାର ବହିଟି ଚଟାପଟ ଓଲଟେଇ ପୁରାଣ ପଢ଼ା ସାରିଦିଅନ୍ତି ପନ୍ଦର କୋଡ଼ିଏ ମିନିଟରେ । ତାପରେ ଭୋଗ ଲାଗେ । ସମସ୍ତେ ଆନନ୍ଦ ଓ ସ୍ୱସ୍ତିରେ ସେଠୁ ମେଲାଣି ନିଅନ୍ତି ।

 

ଥରେ ସିଦ୍ଧାର୍ଥ ସାହସ କରି କାଶିନନାଙ୍କୁ ପଚାରିଥିଲା, ‘ତମେ ମଝିରେ ମଝିରେ ପୃଷ୍ଠାଗୁଡ଼ିକ ଓଲଟେଇ ଦେଇ ଏପରି ଠକୁଛ କିଆଁ ?’ କ୍ଷଣକୋପୀ କାଶିନନା କିଛି କହିବା ପୂର୍ବରୁ ଜେଜେ ତାର କାନମୋଡ଼ି ସିଦ୍ଧାର୍ଥକୁ ଘୋଷାଡ଼ି ନେଇଥିଲେ ଓ କାଶିନନାଙ୍କ ପାଦତଳେ ମୁଣ୍ଡିଆ ମାରି ବ୍ରହ୍ମକୋପରୁ ନାତିଟିକୁ ରକ୍ଷା କରିଥିଲେ । ସେଦିନର ସେ ଗ୍ଳାନି ଓ ଅପମାନ ସିଦ୍ଧାର୍ଥ କଦାପି ଭୁଲି ନାହିଁ ।

 

ସେଇ କାଶିନନାଙ୍କ କଥା ମନେପଡ଼ିବାରୁ ନବକିଶୋର ଟିକେ ଅସ୍ୱସ୍ତିବୋଧ କରୁଥିଲା । ସିଦ୍ଧାର୍ଥ ଅବଶ୍ୟ ବନ୍ଧୁଟିକୁ ଦୁଃଖ ଦେବାପାଇଁ ଚାହୁଁନଥିଲା । ଫେରିବା ବେଳେ ସେ କେବଳ କହିବାକୁ ଚାହୁଁଥିଲା, କାଶିନନା ପରି ତମ ସରକାରୀ କଳର ମଧ୍ୟ ପୁରାଣ ପଢ଼ିବାର ସାମର୍ଥ୍ୟ ଅଛି-। ସେ କଥାକୁ କେହି ପ୍ରଶ୍ନ କରୁ ନାହିଁ । କିନ୍ତୁ ଗୋଟିଏ ସଞ୍ଜରେ ପଚିଶଘର ପୁରାଣ ପଢ଼ିବାର ଟାର୍ଗେଟ ପରି ଗୋଟିଏ ବର୍ଷରେ ସମସ୍ତଙ୍କୁ ସାକ୍ଷର କରିଦେବାର ଟାର୍ଗେଟ୍‌ ବିଷୟରେ ଥରେ ଚିନ୍ତା କରିବ ନବକିଶୋର । କୋଠା କି ପୋଲ ନିର୍ମାଣ ଆଉ ଶିକ୍ଷା-ପ୍ରସାର ଭିତରେ ନିଶ୍ଚୟ କିଛି ଗୁଣାତ୍ମକ ପ୍ରଭେଦ ରହିଛି ।

 

ନବକିଶୋରର ଫେରିବା ବେଳେ ହୋଇଯାଇଥିଲା । ସିଦ୍ଧାର୍ଥକୁ ଲାଗୁଥିଲା ତାର କଥାଗୁଡ଼ିକୁ ନବକିଶୋର ଠିକ୍‌ ଭାବରେ ଗ୍ରହଣ କରି ନାହିଁ । ସିଦ୍ଧାର୍ଥର ଏମିତି ଇ ଭୁଲ୍‍ ହୁଏ । ପିଲାଦିନେ କାଶିନନାର ଭୁଲ୍‌ ଦର୍ଶାଇ ସେ ଜେଜେଙ୍କଠାରୁ ଗାଳି ଶୁଣିଥିଲା, ଆଜି ନବକିଶୋରକୁ ପରାମର୍ଶ ଦେଇ ସେ ତାର ବନ୍ଧୁତ୍ୱ ହରେଇ ବସୁଛି । ଏହା ଭିତରେ ସିଦ୍ଧାର୍ଥ ସିନା ନିଜର ସେହି ଖର୍ବକାୟ ଉଚ୍ଚତାଠୁ ବଢ଼ିପାରି ନାହିଁ, କିନ୍ତୁ କିଶୋର ନବକିଶୋରମାନେ କୋଉଁଦିନୁ କାଶିନନାଙ୍କ କୌଶଳ ଦଖଲ କରିସାରିଲେଣି, ସେକଥା ସେ ଜାଣନ୍ତା କିପରି ?

Image

 

ଲଟେରୀ ଟିକେଟ

 

ବନ୍ଧୁ ଶ୍ୟାମଳକାନ୍ତି ଆଉ ଥରେ କହିଲେ, “ଦେଖ ସିଦ୍ଧାର୍ଥ, ଏଇଟା ଗୋଟାଏ ବନ୍ଧୁତ୍ୱପୂର୍ଣ୍ଣ ଲଟେରୀ । ଏଥିରେ ବ୍ୟବସାୟିକ ମନୋଭାବ କାହାରି ନାହିଁ । ଯାହା ଉଦ୍‌ବୃତ୍ତ ଅର୍ଥ ମିଳିବ ସେସବୁ ଗୋଟାଏ ଉନ୍ନୟନମୂଳକ କାର୍ଯ୍ୟରେ ହିଁ ବ୍ୟୟ କରାଯିବ । ସିଦ୍ଧାର୍ଥର କିନ୍ତୁ ସେହି ଗୋଟିଏ କଥା, ସେ କୌଣସି ପ୍ରକାର ଲଟେରୀ ଟିକଟ କିଣିବ ନାହିଁ । ଝିଅ ଅଳି କଲା, “କିଣୁନ ଖଣ୍ଡିଏ ଟିକେଟ । ଫାଷ୍ଟ ପ୍ରାଇଜ ରଙ୍ଗିନ ଟି.ଭି. ରଖାହୋଇଛି । ମିଳିଯିବ ଯଦି ନା ଆମେ ରଙ୍ଗିନ ଟି.ଭି. ପାଇଯିବା । କଳାଧଳା ଟି.ଭି.ରେ ରାମାୟଣ ଦେଖିଲୁ, ମହାଭାରତ ବି ସରିବାକୁ ବସିଲାଣି । ତମେ ରଙ୍ଗିନ ଟି.ଭି. କିଣିଲାବେଳକୁ ‘ବାଇବେଲ’ ସିରିଆଲ ବି ସରିଯାଇଥିବ ।”

 

ସିଦ୍ଧାର୍ଥ ସାନଝିଅର ମୁଣ୍ଡ ଉପରେ ହାତ ବୁଲେଇ ଆଣି କହିଲା, “ନାଇଁ ମା, ଆମେ ନିଜ ପଇସାରେ ଟି.ଭି. କିଣିବା । ଲଟେରୀ ଟିକେଟ କିଣିବା କଥା କହନା ।”

 

ଶ୍ୟାମଳକାନ୍ତି ଫେରିଗଲେ ।

 

ବୈଶାଖର ଅପରାହ୍‌ଣ । ସିଦ୍ଧାର୍ଥ ଘର ବାରଣ୍ଡାରେ ଛିଡ଼ାହେଇ ଲକ୍ଷ୍ୟ କରୁଥିଲା, କୃଷ୍ଣଚୂଡ଼ା ଗଛର ପେନ୍ଥି ପେନ୍ଥି ଫୁଲ । କେତେ ସୁନ୍ଦର ଦିଶୁଛି ସାବ୍‌ଜା ପତ୍ରଗହଳରୁ ନାଲି ନାଲି ଫୁଲମାନଙ୍କର ଚେହେରା । ରଙ୍ଗର ଗୋଟିଏ ଚମକ ଅଛି । ଝିଅ ଲୁନା ଭୁଲ୍‌ କହୁନଥିଲା । ରଙ୍ଗିନ ଟି.ଭି.ରେ ଚିତ୍ର ସୁନ୍ଦର ଦିଶେ ।

 

ସିଦ୍ଧାର୍ଥର ମନେପଡ଼ୁଥିଲା ତାଙ୍କ ଅଫିସ୍‌ର ଚପରାସୀ ମୁକୁନ୍ଦ କଥା । ମୁକୁନ୍ଦ ସପ୍ତାହରେ ସାତ ଦିନ କୌଣସି ନା କୌଣସି ଲଟେରୀ ଟିକେଟ କିଣିଆଣେ । ଖବରକାଗଜର ଅସ୍ପଷ୍ଟ ଲଟେରୀ ଫଳାଫଳ ଭିତରୁ ଖୋଜି ଖୋଜି ପଢ଼ୁଥାଏ ନମ୍ବରସବୁ । କେବେ ଯଦି ଥରୁଟିଏ ତାର ପ୍ରଥମ ପୁରସ୍କାର ବାଜିଯାଆନ୍ତା, ସବୁ ପଇସା ଅସୁଲ ହୋଇଯାଆନ୍ତା । ବିଚରା ମୁକୁନ୍ଦର ସ୍ୱପ୍ନ କିନ୍ତୁ ସତ ହୁଏ ନାହିଁ ।

 

ସିଦ୍ଧାର୍ଥର ମୁକୁନ୍ଦ ପ୍ରତି ଦୟା ହୁଏ । ମୁକୁନ୍ଦ ଓ ତା’ରି ପରି ନିମ୍ନ ବେତନଭୋଗୀ ସମଧର୍ମାମାନଙ୍କର ଲଟେରୀ ଟିକେଟ ଭିନ୍ନ ଆଉ ବା କଣ ଚାରା ଅଛି ଉପରକୁ ଉଠିବା ପାଇଁ ? ବଡ଼ ବଡ଼ ଅଫିସର୍‌, ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧସ୍ତନ କର୍ମଚାରୀ, ମନ୍ତ୍ରୀ ଓ ରାଜନୈତିକ ନେତାଙ୍କର ସିନା ବିଭିନ୍ନ ସୂତ୍ରରୁ ଅର୍ଥ ଉପାର୍ଜନର ଅବକାଶ ଅଛି । କିନ୍ତୁ ମୁକୁନ୍ଦ ପରି ମେହେନତୀ ମଣିଷମାନଙ୍କର ସେପରି ସୌଭାଗ୍ୟ ବା କାହିଁ ?

 

ସିଦ୍ଧାର୍ଥର ଅଭାବର ମଧ୍ୟ ସୀମା ନାହିଁ । ପରିବାରର ଛୋଟ ବଡ଼ ସବୁ ରକମ ଚାହିଦା ମେଣ୍ଟେଇବା ସୀମିତ ଆୟ ଭିତରେ ସମ୍ଭବ ହୁଏ ନାହିଁ । ଅଭାବ ସବୁ ନଖଦାନ୍ତ ଦେଖାଇ ଡରଉଥାନ୍ତି । ପିଲାମାନଙ୍କର ଅଳିଅର୍ଦ୍ଦଳି, ଗୃହିଣୀଙ୍କର କଡ଼ା ତାଗିଦା ଓ ନିଜ ଭିତରର ହୀନମ୍ମନ୍ୟତା ସବୁ ମିଶିଯାଇ ବେଳେ ବେଳେ ସିଦ୍ଧାର୍ଥକୁ ଅସହାୟ କରିଦିଅନ୍ତି । ଅଫିସ ଯିବା ବାଟରେ ଦେଖେ ଧାଡ଼ି ବାନ୍ଧିଥିବା ଲଟେରୀ ଟିକେଟର ରଙ୍ଗିନ ବ୍ୟବସାୟ । ରାଜସ୍ଥାନ ଲଟେରୀ, ଉତ୍ତରପ୍ରଦେଶ ଲଟେରୀ, ଧନଲକ୍ଷ୍ମୀ, ଧନବର୍ଷା ଇତ୍ୟାଦି... । କାହାର ପ୍ରଥମ ପୁରସ୍କାର ଲକ୍ଷେ ତ କାହାର କୋଟିଏ ! କାହାର ପୁଣି ପ୍ରଥମ ପୁରସ୍କାର ତିନି ଚାରି କୋଟି ଟଙ୍କା ।

 

ଏତେଗୁଡ଼ାଏ ଟଙ୍କା ଏକାଥରକେ ମିଳିଗଲେ ସିଦ୍ଧାର୍ଥ କଣ କରନ୍ତା ? ଏହି କଥା ଭାବିବାରେ ହିଁ ଦିନେ ଦିନେ ଘଣ୍ଟା ଘଣ୍ଟା ସମୟ ତାର ଚାଲିଯାଏ ।

 

କିନ୍ତୁ ସିଦ୍ଧାର୍ଥ କାହିଁକି କିଣେ ନାହିଁ ଲଟେରୀ ଟିକେଟ୍‌ ? କେଉଁ କାରଣ ତା’ର ଇଚ୍ଛାର ବେଗବାନ୍‌ ଘୋଡ଼ାକୁ ଅଟକାଇ ଦିଏ ଏକ ଶକ୍ତ ଲଗାମ ଦେଇ ?

 

ଆଜିକୁ ଅନେକ ବର୍ଷ ତଳର କଥା । ନୂଆ ନୂଆ ସିଦ୍ଧାର୍ଥ ଆସିଥାଏ ଗାଆଁରୁ କଟକ । କଟକ ସହରରେ ଗାଆଁର ଜଣେ ସଂପର୍କୀୟ ଭାଇ ବଡ଼ ଅଫିସର । ତାଙ୍କରି ଘରେ ରହି କଟକର ଦଶହରା ଦେଖିବାର ଯୋଜନା ଥାଏ ତାର ।

 

ଦିନକର ଅପରାହ୍‌ଣ । ଭଦ୍ରଲୋକଙ୍କ ସ୍ତ୍ରୀ ସିଦ୍ଧାର୍ଥକୁ ପାଞ୍ଚଟି ଟଙ୍କା ଦେଇ ପଠେଇଥିଲେ ବକ୍ସିବଜାର, ଅଟା ଆଉ ଚିନି ପାଇଁ । ସିଦ୍ଧାର୍ଥ ବ୍ୟାଗଖଣ୍ଡିକ ହାତରେ ଝୁଲେଇ ବଜାରକୁ ବାହାରିପଡ଼ିଥାଏ ।

 

ଆଜି ବକ୍ସିବଜାରରେ ଛିଡ଼ା ହୋଇଥିବା କଟକ ଉନ୍ନୟନ ସଂସ୍ଥାର ବିଶାଳ ମାର୍କେଟ ସେତେବେଳେ ସତୁରି ଦଶକରେ ତିଆରି ହୋଇନଥିଲା । ଗୋପବନ୍ଧୁ ପାର୍କ ହୋଇପଡ଼ିଥିଲା ଏକ ମୁକ୍ତ ସୁଲଭ ଶୌଚାଳୟ । ମଝିରେ କେତୋଟି କୁକୁଡ଼ା ବେପାରୀ ଓ ଗୋଟିଏ କୋଣକୁ ବସିଥାଏ ଜଣେ କଳା କିଟିମିଟି ନିଶୁଆ ମଣିଷ । ସେ ଲଟେରୀବାଲା । କେତେ ଖଣ୍ଡ ତାସ୍‌, ଗୋଟାଏ ଡବା ଓ ତା ଭିତରେ କିଛି ଗୋଟି, ଏତକକୁ ନେଇ ତାର ଜୁଆଖେଳ ବ୍ୟବସାୟ । ସେ ଚିତ୍କାର କରି ଚୁନୌତି ଦେଉଥାଏ, ‘ଆସ, ଆସ, ପାଞ୍ଚ ଲଗାଇଲେ ଦଶ୍‌ ପାଇବ, ଦଶ୍‌ ଲଗାଇଲେ ବିଶ୍‌ ।’ ସିଦ୍ଧାର୍ଥ ନିଜ ବାଟରୁ ଆଡ଼େଇ କେତେବେଳେ ସେହି ପ୍ରଲୋଭନ ସାମ୍ନାରେ ଛିଡ଼ା ହୋଇଯାଇଥିଲା, ତାର ମନେ ନାହିଁ । କିଛି ସମୟ ଛିଡ଼ାହୋଇ ରହିବା ଭିତରେ ତା’ର ହୃଦବୋଧ ହେଉଥିଲା, ସେହି ମୋଟା ଲୋକଟାଠାରୁ ବାଜି ଜିତିବା ଭାରି ସହଜ କାମଟାଏ । ପକେଟ୍‌ରୁ ପାଞ୍ଚଟଙ୍କିଆ ନୋଟ୍‌ଟା ବାହାର କରି ନାଲିପାନ ଉପରେ ବସେଇ ଦେଇଥିଲା ସିଦ୍ଧାର୍ଥ– ଦି’ଟଙ୍କା ଲଗାଅ ।

 

ଆଖି ପିଛୁଳାକେ ସିଦ୍ଧାର୍ଥର ଦୁଇ ଟଙ୍କା ହେଇଗଲା ଛଅଟଙ୍କା । ଏତେ ସହଜରେ ଏତେ ଗୁଡ଼ାଏ ଟଙ୍କା ହାତକୁ ଆସିଯିବ ତାହା କେବେ କଳ୍ପନା କରିନଥିଲା ସେ । ସେଇଠି ଅଟକିଗଲା ଅଧଘଣ୍ଟା ଏବଂ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ଅଧଘଣ୍ଟା ପରେ ସେ ହୋଇପଡ଼ିଥିଲା କପର୍ଦ୍ଦକଶୂନ୍ୟ ।

 

ବାଆଁ ହାତରେ ଓହଳିଥିବା ବଜାର ସଉଦା ବ୍ୟାଗ୍‌ ସେତେବେଳେ ଖୁବ୍‌ ଓଜନିଆ ମନେହେଇଥିଲା ସିଦ୍ଧାର୍ଥର । ସେ ଯାହାଙ୍କ ଘରେ ଅଯାଚିତ ଭାବେ ଆସି ଦୁଇ ଦିନ ହେଲା ଡେରା ପକେଇଛି, ସେ ଭଦ୍ରଲୋକଙ୍କର ସ୍ତ୍ରୀ ଖୁବ୍‌ କଠୋର ମଣିଷ । ତା’ର ଏହି ଅବିମୃଶ୍ୟକାରିତା ପାଇଁ ଉଭୟ ମାନସିକ ଓ ଶାରୀରିକ ଯେଉଁ ଶାସ୍ତିବିଧାନ କରାଯିବ ତାହା ସ୍ମରଣ ହେବା ମାତ୍ରକେ ସିଦ୍ଧାର୍ଥ ଯୁଗପତ୍‌ ଗ୍ଳାନି, ବିଷାଦ ଓ ଅସହାୟତାରେ ଥରିବାକୁ ଲାଗିଥିଲା ।

 

ସେଇ କଳା ପେଟୁଆ ଲଟେରୀବାଲାର ଚାରିକଡ଼େ ସେତେବେଳକୁ ଘେରିଗଲେଣି ଦଶ ପନ୍ଦର ଜଣ ଗ୍ରାହକ । ସିଦ୍ଧାର୍ଥକୁ ସେଠୁ ହଟିଯିବା ପାଇଁ ଇସାରା ଦେଇ ଲୋକଟା କହୁଥାଏ, “ଭାଗୋ-ଭାଗୋ, କଷ୍ଟମର୍‌ଙ୍କୁ ଆସିବାକୁ ଦିଅ ।”

 

ହାୟ, ଏହି କିଛିକ୍ଷଣ ପୂର୍ବରୁ ସିଦ୍ଧାର୍ଥ ବି ଥିଲା ଗୋଟାଏ ଶ୍ରଦ୍ଧାସ୍ପଦ ‘କଷ୍ଟମର୍‌’ ! ଅଥଚ କପର୍ଦ୍ଦକଶୂନ୍ୟ ହେଲାମାତ୍ରେ ସେହି କଷ୍ଟମର୍‌କୁ ପୁଣି ଏମିତି ବିରୁଡ଼ି ହୁରୁଡ଼େଇ ଦେଲାପରି ଦୋକାନୀ ହୁରୁଡ଼େଇ ଦେଇପାରେ ! ଜୀବନର ଏହି ସରଳ ଅଥଚ ନିଗୂଢ଼ ଦର୍ଶନର ଉପଲବ୍‌ଧି ହିଁ ତାକୁ ବୃଶ୍ଚିକ ଦଂଶନରେ ଆକ୍ତାମାକ୍ତା କରି ପକଉଥିଲା ।

 

ଅଥଚ ଅନ୍ୟତ୍ର ଯିବାର ଉପାୟ ତ ନାହିଁ ତାର ? ପଇସା ନ ନେଇ ସେଠୁ ଚାଲିଗଲେ ଅଟା ଓ ଚିନି କିଣାହୋଇପାରିବ ନାହିଁ । ବାରମ୍ବାର ତା ଆଖି ସାମ୍ନାରେ ଗୃହକର୍ତ୍ତ୍ରୀ ଭଦ୍ରମହିଳାଙ୍କର ରୋଷାୟିତ ଚକ୍ଷୁ ଓ କାବୁଲିବାଲା ପରି ନିର୍ବିକାର ସେହି ମୋଟା ନିଶୁଆ ଲୋକଟାର ମୁହଁ ଦିଶିଯାଉଥାଏ ।

 

ସବାଶେଷରେ କିଶୋର ସିଦ୍ଧାର୍ଥ କାନ୍ଦି ପକାଇଥିଲା ଆଖିରୁ ଲୁହ ଗଡ଼େଇ । ତା’ର ସେଇ ସଶବ୍ଦ ଆକୁଳତା ଉପସ୍ଥିତ ଅନେକଙ୍କୁ ବେଶ୍‌ ଆମୋଦିତ କରିଥିଲା । କାରଣ ଜୁଆ ଆଡ୍‌ଡା ଆଉ ମଦ ଦୋକାନରେ ଲୁହ ଓ ଆବେଗର ସ୍ଥାନ ନ ଥାଏ ।

 

ସେତିକିବେଳେ ହିଁ ଅଭାବିତ ଘଟଣାଟି ଘଟିଥିଲା । ସେଦିନ ସେ ଘଟଣାଟି ଘଟିନଥିଲେ ଆଜି ସିଦ୍ଧାର୍ଥ ଲଟେରୀ ଟିକେଟ ପ୍ରତି ଏତେ ବୀତସ୍ପୃହ ହେଇପାରନ୍ତା ନାହିଁ । ମୋଟା ନିଶୁଆ ଲଟେରୀବାଲାଟି ତାର ଟିଣଡବା ଭିତରୁ ବାହାର କରି ଆଣିଥିଲା ପାଞ୍ଚ ଟଙ୍କିଆ ନୋଟ୍‌ ଖଣ୍ଡିକ । ସିଦ୍ଧାର୍ଥ ହାତକୁ ସେଇଟିକୁ ବଢ଼େଇଦେଇ କହିଥିଲା. “ଯାଃ, ଭାଗ୍‌ ଏଠୁ । ଆଉ ଦିନେ ଭୁଲରେ ଜୁଆ ଖେଳିବୁ ନାହିଁ । ଏସବୁ ତୋ ହାତରେ ହବ ନାହିଁ । ଯା, ପଳା ।”

 

ସେଦିନୁ ଅନେକ ବର୍ଷ ବିତିଗଲାଣି । ଅନେକଥର ବଢ଼ିପାଣି ଆସି କାଠଯୋଡ଼ି ଓ ମହାନଦୀରେ ବୋହିଗଲାଣି । କିଶୋର ସିଦ୍ଧାର୍ଥ ଉତ୍ତୀର୍ଣ୍ଣ ଯୌବନରେ ପହଞ୍ଚିଗଲାଣି କେଉଁକାଳୁ । ଅଥଚ ସେଇ ଅପରିଚିତ ଲଟେରୀବାଲାର କଥା ଦିପଦ ଆଜି ପର୍ଯ୍ୟନ୍ତ ଭୁଲିପାରି ନାହିଁ ସେ ।

 

ଝିଅ ଲୁନା ପୁଣି ଥରେ ଲଟେରୀ ଟିକେଟ ପ୍ରସଙ୍ଗ ଉଠେଇ ଆଣୁଥିଲା । ହଠାତ୍‌ ବାପାର ମୁହଁକୁ ଚାହିଁଦେଇ ଥମ୍‌ ହେଇ ରହିଗଲା ସେ । ବାପା ଆଖିରେ ଲୁହ ।

 

ସିଦ୍ଧାର୍ଥ ଲୁନାକୁ ଛାତି ଉପରକୁ ଆଉଜେଇ ଆଣି ତାର ମୁଣ୍ଡ ସାଉଁଳେଇ ଦେଉ ଦେଉ କହିଲା, ‘ନାଇଁରେ ମା, ଗୋଟାଏ ଛୋଟ ପିଲା ଥରେ କାନ୍ଦି କାନ୍ଦି ଲଟେରୀ ନ ଖେଳିବା ପାଇଁ କଥା ଦେଇଥିଲା । ସେଇ କଥା ମନେପଡ଼ିଗଲା । ତୁ ବି କଥା ଦେ ମା, କଦାପି ପାଞ୍ଚ ଖର୍ଚ୍ଚକରି ପଚିଶ ପାଇବାର ଆଶା ବାନ୍ଧିବୁ ନାହିଁ । ଜୁଆ ଖେଳିବୁ ନାହିଁ କି ଲଟେରୀ ଟିକେଟ କିଣିବୁ ନାହିଁ ।’

Image

 

ଚିହ୍ନା ଚୌହଦି

ସିଦ୍ଧାର୍ଥର ନୂଆ ତତ୍ତ୍ୱ

 

ସବୁ ପୁରୁଷ ନିଜ ଜୀବନରେ ପ୍ରେମ କରିବା ଯେମିତି ଦରକାର, ସେଇମିତି ଦୁଇବଖୁରିଆ ହେଉ ପଛେ ଘର ଖଣ୍ଡେ ତିଆରି କରିବା ମଧ୍ୟ ନିହାତି ଦରକାର: ଏମିତି ଏକ ତତ୍ତ୍ୱ ଶୁଣାଇବା ବେଶ୍‌ କିଛି ବର୍ଷ ପାଇଁ ଥିଲା ସିଦ୍ଧାର୍ଥର ଗୋଟିଏ ନୈମିତ୍ତିକ ବ୍ୟାପାର । ସାଙ୍ଗସାଥୀ ମହଲରେ ଗପ କରୁ କରୁ ସାମାନ୍ୟତମ ଅବକାଶ ପାଇଲେ ସେ ଏମିତି ଏକ ତତ୍ତ୍ୱ ସେମାନଙ୍କୁ ଶୁଣେଇ ଦେଉଥିଲା । କଥାଟା କହିସାରିବା ପରେ ଶ୍ରୋତାମାନଙ୍କୁ ତା ବକ୍ତବ୍ୟର ଅର୍ଥଟା ବୁଝିନେବାର ସୁଯୋଗ ନ ଦେଇ ସିଦ୍ଧାର୍ଥ ନିଜେହିଁ ବୁଝଉଥିଲା: ପ୍ରେମ ଓ ଘରତିଆରି ଏ ଉଭୟଟି ଏମିତି ଗୋଟେ ଗୋଟେ ଅନୁଭବ ଯାହା ପ୍ରତିଟି ପୁରୁଷ ଅଙ୍ଗେ ନିଭେଇବା ନିହାତି ଦରକାର । ଯାହାକୁ ପ୍ରେମ କରୁଥିବ ତାକୁ ଇ ଯେ ବାହା ହେବ, ଏମିତି ନ ହେଇପାରେ; ଚିନ୍ତା ନାହିଁ । କିନ୍ତୁ ତା’ସତ୍ତ୍ୱେ ପ୍ରେମ କରିବା ଦରକାର । ପ୍ରେମ ବାସ୍ତବିକ୍‌ ଗୋଟାଏ ଏମିତି ମଧୁର ଅନୁଭବ, ଯାହା ବ୍ୟତିରେକେ ଜୀବନଟା ପୂର୍ଣ୍ଣ ପୂର୍ଣ୍ଣ ଆଦୌ ଲାଗେ ନାହିଁ । ଘର ତିଆରି ତତ୍ତ୍ୱ ସମ୍ପର୍କରେ ମଧ୍ୟ ସିଦ୍ଧାର୍ଥ ଅନୁରୂପ ମନ୍ତବ୍ୟ ଦିଏ । ପ୍ରେମିକାକୁ ଧର୍ମପତ୍ନୀ ଭାବେ ବିବାହ କରିବା କଥାଟା ଯେମିତି ସବୁବେଳେ ସମ୍ଭବ ନୁହେଁ, ସେହିପରି ଘର ତିଆରି କରୁଥିବା ସବୁ ପୁରୁଷ ଯେ ନିଜେ ନିଜ ତିଆରି ଘରେ ରହିପାରିବ, ତାହା ମଧ୍ୟ ସମ୍ଭବ ହୋଇନପାରେ । ନ ହେଉ ପଛକେ, ଘର ତିଆରିର ତିକ୍ତ ମଧୁର ଅଭିଜ୍ଞତା ଜଣକର ରହିବା ନିହାତି ପ୍ରୟୋଜନ । ସିଦ୍ଧାର୍ଥ କହେ, ଘରଚଟିଆଟିଏର ବସା ତିଆରିବାର ଅଭିଜ୍ଞତା ରହିଛି ଯେତେବେଳେ, ସମର୍ଥ ପୁରୁଷଟିଏର ତାହା ରହିବ ନାହିଁ କିଆଁ ? ଏ ଦୁଇ ଅଭିଜ୍ଞତାରୁ ବଞ୍ଚିତ ପୁରୁଷମାନେ ସ୍ୱାଭାବିକ ଭାବେ ଯେ ଅର୍ଦ୍ଧପୁରୁଷ, ସେପରି ଏକ ଉପସଂହାର ଟାଣିବାରେ ସିଦ୍ଧାର୍ଥ ଆଦୌ ବିଳମ୍ବ କରେ ନାହିଁ । କେହି କେହି ତା କଥାରେ ରାଜି ହୁଅନ୍ତି ନାହିଁ । ମାତ୍ର ଶେଷ ପର୍ଯ୍ୟନ୍ତ ସିଦ୍ଧାର୍ଥ ତା ଯୁକ୍ତିରେ ଅଟଳ ରହେ ।

ବନ୍ଧୁ ମହଲରେ ସିଦ୍ଧାର୍ଥ ଅତ୍ୟନ୍ତ ‘ପ୍ରାକ୍‌ଟିକାଲ’ ମଣିଷ ଭାବେ ପରିଚିତ ଥିଲା । କେହି କେହି ତାକୁ ଭଲ ପାଉଥିଲେ, ସୁତରାଂ ତା କଥାକୁ ଗୁରୁତ୍ୱ ଦେଉଥିଲେ । ଆଉ କେହି କେହି ତାକୁ ‘ପ୍ରୋଜାଇକ୍‌’ ଓ ହିସାବୀ ମଣିଷ କହି ଏଡ଼ାଇ ଯାଉଥିଲେ । ସିଦ୍ଧାର୍ଥ ସେମାନଙ୍କୁ ଦୋଷ ଦିଏ ନାହିଁ । ତା ମତାମତକୁ ଅସ୍ୱୀକାର କରୁଥିବା ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ସେ କହେ, “ଅପେକ୍ଷା କର, ଗୋଟାଏ ସମୟ ଆସିବ, ଯେତେବେଳେ ତମେ ନିଜେ ନିଜେ ଏମିତି ଅଭିଜ୍ଞତାରୁ ବଞ୍ଚିତ ହୋଇଥିବା କଥାଟି ପାଇଁ ଦୁଃଖ କରିବ, ଅବସୋସ ଅନୁଭବ କରିବ । ସେତେବେଳେ ତମେ ଚାହଁ ନ ଚାହଁ ସିଦ୍ଧାର୍ଥ ଅବଶ୍ୟ ତମମାନଙ୍କର ସ୍ମରଣକୁ ଆସିବ ।”

ସିଦ୍ଧାର୍ଥ ଅବଶ୍ୟ ନିହାତି ‘ପ୍ରୋଜାଇକ୍‌’ ନ ଥିଲା । ଯୌବନରେ ସେ ତାଠୁ ଦି’ବର୍ଷ ବଡ଼ ଝିଅଟେକୁ ଭଲ ପାଇଥିଲା । ସେତେବେଳେ ସାଙ୍ଗସାଥୀ ମହଲରେ ତାର ଏ ପ୍ରେମକୁ ନେଇ ବେଶ୍‌ ଗୋଟାଏ ଉଷୁମ ଝଡ଼ ଉଠିଥିଲା । ସିଦ୍ଧାର୍ଥ ସେ ଝଡ଼ ଭିତରେ ଟଳି ପଡ଼ିନଥିଲା । ବହୁ ଯୁକ୍ତିତର୍କ ପରେ ସେଇ ଝିଅଟିକୁ ହିଁ ସେ ବାହା ହୋଇଥିଲା । ବନ୍ଧୁମାନେ ତା ପରଠାରୁ ସିଦ୍ଧାର୍ଥର କଥାକୁ କେବଳ ଆଉ ଲଘୁ ମନ୍ତବ୍ୟ ପର୍ଯ୍ୟାୟ ଭିତରେ ଛାଡ଼ି ଦେଉନଥିଲେ, ବରଂ କେମିତି ଗୋଟାଏ ଗୁରୁତ୍ୱ ଦେଉଥିଲେ; ତାର ସମସ୍ତ କଥା ଓ କାର୍ଯ୍ୟକୁ । ସେଇ ଦୃଷ୍ଟିରୁ ତାର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ନିକଟତମ ବନ୍ଧୁ କତିପୟଙ୍କର ସତର୍କ ଦୃଷ୍ଟି ନିବଦ୍ଧ ରହିବା ଥିଲା ଅତ୍ୟନ୍ତ ସ୍ୱାଭାବିକ ।

ସିଦ୍ଧାର୍ଥ ବାହାହେବାର କିଛି ବର୍ଷ ପରେ ଘର ତିଆରି କାମରେ ଲାଗିପଡ଼ିଲା । ଯେଉଁ ବୟସରେ ଅମିତାଭ-ଶ୍ରୀଦେବୀ-ମୀନାକ୍ଷୀ ଓ ଅନୀଲ-ଜୁହୀ ପ୍ରମୁଖ ମହାଶୟ ମହାଶୟାମାନଙ୍କ ଅଭିନୀତ ଚଳଚ୍ଚିତ୍ର, ମାଗାଜିନ୍‌ର ଗପ, କବିତା, ଖବରକାଗଜର କ୍ରିକେଟ ପୃଷ୍ଠା ଓ ଦୂରଦର୍ଶନ-ସିରିଏଲ୍‌ ଖବର ନେଇ ସେ ବ୍ୟସ୍ତ ରହିବା କଥା ସେଇ ବୟସରେ ସିଦ୍ଧାର୍ଥ ଇଟା, ସିମେଣ୍ଟ, ବାଲି, ଲୁହାଛଡ଼, କାଠ ଓ ମୋଜାଇକ ଦାନା ଇତ୍ୟାଦି ଯାବତୀୟ ବସ୍ତୁଗତ ମାମଲାରେ ନିଜକୁ ନିଯୁକ୍ତ ରଖିଲା । ବେଳେବେଳେ ରାସ୍ତାରେ ଯାଉ ଯାଉ କୌଣସି ଗୋଟେ ନୂଆଘର ପାଖେ ଅଟକିଯାଇ ସେ ଘରର କାନ୍ଥ ପାଇଁ ବ୍ୟବହୃତ ସିମେଣ୍ଟ ପେଣ୍ଟ୍‌ ସମ୍ବନ୍ଧରେ ନିଜକୁ ନିଜେ କିଛି ମନ୍ତବ୍ୟ ଦେଉଥିଲା ତ ଆଉ କେତେବେଳେ ଅଧାତିଆରି ଘରଟା ପାଖେ ଅଟକିରହି ନିର୍ମାଣ କାର୍ଯ୍ୟ ଏପରି ଅସମ୍ପୂର୍ଣ୍ଣ ରହିଥିବାର ସମ୍ଭାବ୍ୟ କାରଣମାନଙ୍କ ସମ୍ବନ୍ଧରେ କିଛି ଅଦରକାରୀ କୌତୂହଳ ଓ ବିସ୍ମୟ ଶୂନ୍ୟକୁ ଫିଙ୍ଗୁଥିଲା । ତା’ର ଘର ତିଆରି ବ୍ୟସ୍ତତା କ୍ରମେ ଏପରି ଉଦବେଗଜନକ ଅବସ୍ଥାକୁ ଆସିଯାଇଥିଲା ଯେ ପରିଚିତ କୌଣସି ଭଦ୍ରଲୋକଙ୍କ ଘରକୁ ବୁଲିଯାଉଥିଲେ ସେ ସିଧାସଳଖ ତାଙ୍କର ବାଥ୍‌ରୁମ୍‌ ଭିତରକୁ ପଶିଯାଇ ସେଠାରେ ବ୍ୟବହୃତ ଟାଇଲ, ମୋଜାଇକ ଦାନାର ରଙ୍ଗ ଓ ଟ୍ୟାପ୍‌ ସିଷ୍ଟମର କାର୍ଯ୍ୟକାରିତା ସମ୍ବନ୍ଧରେ ଅନାବଶ୍ୟକ ପ୍ରଶ୍ନ ପଚାରୁଥିଲା । ସିଦ୍ଧାର୍ଥର ଏବଂବିଧ ଆଚରଣ ସହ ପ୍ରାୟତଃ ପରିଚିତ ତାର ବନ୍ଧୁମାନେ ସିଦ୍ଧାର୍ଥର ଘର ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ତାକୁ କୌଣସି ପ୍ରଶ୍ନ କରୁନଥିଲେ । ତା’ର ଏ ବସ୍ତୁଗତ ବିଳାସ ଓ ନିଜସ୍ୱ ଦର୍ଶନ ଭିତରେ କ’ଣ ସାମ୍ୟ ଓ ବୈଷମ୍ୟ ରହିଛି ସେ ସମ୍ବନ୍ଧୀୟ ସବୁଯାକ ପ୍ରଶ୍ନ ସେମାନେ ସ୍ଥଗିତ ରଖୁଥିଲେ ଶେଷ ପର୍ଯ୍ୟନ୍ତ ।

ଗତ ସପ୍ତାହରେ ସିଦ୍ଧାର୍ଥର ଗୃହନିର୍ମାଣ କାର୍ଯ୍ୟ ଶେଷ ହୋଇଗଲା । ବନ୍ଧୁମାନେ ଆଗ୍ରହରେ ସିଦ୍ଧାର୍ଥକୁ ଭେଟି ତା ମୁହଁକୁ ଚାହିଁଲେ, ସତେ ଯେପରି ବୋଧିସତ୍ତ୍ୱରୁ ବୁଦ୍ଧ ପାଲଟିଥିବା ଏହି ମହାତ୍ମାଜଣକ ଆଉ ଏକ ମୂଲ୍ୟବାନ୍‌ ତତ୍ତ୍ୱ ବଖାଣିବାକୁ ଯାଉଛନ୍ତି । ସେମାନଙ୍କ ମଧ୍ୟରୁ ଅପେକ୍ଷାକୃତ କମ୍‌ ଧୈର୍ଯ୍ୟବାନ୍‌ ବନ୍ଧୁ ଜଣେ ପଚାରିଲେ, ‘ତମେ ତ ଏବେ ପ୍ରେମିକା-ପତ୍ନୀ ଲାଭ ଓ ସ୍ୱଗୃହ-ଅଧିବାସ ଏ ଦୁଇଟା ଅନୁଭବର ଅଧିକାରୀ । ଏବେ ଆମକୁ କୁହ, ପ୍ରକୃତରେ ତମେ କି ପ୍ରକାର ସନ୍ତୋଷ ଅନୁଭବ କରୁଛ ?’

ସିଦ୍ଧାର୍ଥ ଚାରିଦିନ ହେବ ଖିଅର ହୋଇନଥିବା ତା ଗାଲ ଉପରେ ହାତ ବୁଲେଇ ଆଣୁ ଆଣୁ କହିଲା, “ତମେମାନେ ସେତେବେଳେ ଠିକ୍‌ କହୁଥିଲ ବୋଧହୁଏ । ପ୍ରେମିକାକୁ ବାହା ହେବାଠାରୁ ବାହା ନ ହେବା ଯେମିତି ଭଲ, ନିଜ ତିଆରି ଘରେ ରହିବାଠୁ ନ ରହିବାଟା ସେଇପରି ଭଲ । ଉଭୟଟିର ଅଧିକାରୀ ହେବା ପୂର୍ବରୁ ସେସବୁ ସମ୍ପର୍କରେ ପୁରୁଷର ଯେଉଁ ଉତ୍ତୁଙ୍ଗ ପ୍ରତ୍ୟାଶା ଥାଏ ତାହା ସମ୍ଭବତଃ ଚିରକାଳ ଅପହଞ୍ଚ ଦୂରତାରେ ରହିଯାଏ । ଏକଦା ପ୍ରେମିକା ଓ ବର୍ତ୍ତମାନର ପତ୍ନୀ ପାଖରୁ ଅଧିକ ପୂର୍ଣ୍ଣତା ଖୋଜୁଥିବା ପୁରୁଷ ନିଜର ବହୁ କଷ୍ଟୋପାର୍ଜିତ ମାମୁଲି ଘରଟିକୁ ବରାବର ସହରର ନାମୀଦାମୀ ବଙ୍ଗଳା ଓ ପ୍ରାସାଦୋପମ ଘରମାନଙ୍କ ସହ ତଉଲୁଥାଏ ଓ ହତାଶ ହେଉଥାଏ । ଯେତେ ଯାହା କଲେ ବି ପ୍ରେମିକା-ପତ୍ନୀ ଯେମିତି ଅଧାପଢ଼ା ବହିଟି ପରି ଅସମ୍ପୂର୍ଣ୍ଣ ରହିଯାଏ, ସେଇମିତି ଯେତେ ଯାହା ଯେଉଁଠୁ ଆଣି ନିଜ ଘରେ ଖଞ୍ଜିଲେ ଶେଷ ପର୍ଯ୍ୟନ୍ତ ନିଜ ଘରଟି ଅପୂର୍ଣ୍ଣ ଲାଗେ । ତମପାଇଁ ତ ଆଉ ପୃଥିବୀର ସବୁ ସୁନ୍ଦରୀ ଗୁଣବତୀ ନାରୀଙ୍କ ନିର୍ଯ୍ୟାସ ତମ ପ୍ରେମିକା-ପତ୍ନୀ ଉପରେ ଇଡ଼ିହେଇଯିବ ନାହିଁ କି ଦୁନିଆର ହରେକ ସୁନ୍ଦର, ସ୍ୱପ୍ନମୟ, ଈର୍ଷଣୀୟ କୋଠାଘରର ରଙ୍ଗ, ବିଳାସ ଓ ସୌନ୍ଦର୍ଯ୍ୟ ‘ନିଜଘର’ଟି ଉପରେ ବିଛାଡ଼ି ହୋଇ ପଡ଼ିବ ନାହିଁ ? ସୁତରାଂ ତମେ ରହିଯିବ ଅପୂର୍ଣ୍ଣ ଓ ଅବସୋସମୟ ।

ବନ୍ଧୁମାନେ ସିଦ୍ଧାର୍ଥର ଏ ନୂଆତତ୍ତ୍ୱଟି ସମ୍ପର୍କରେ ଅଧିକ କିଛି ଜାଣିବା ପାଇଁ ବ୍ୟସ୍ତ ହୋଇପଡ଼ୁଥିଲେ । ମାତ୍ର ସିଦ୍ଧାର୍ଥ ଢେର୍‌ ବିବ୍ରତ ଦିଶୁଥିବାରୁ ସେମାନେ ସେଥିରୁ ନିବୃତ୍ତ ରହିବା ଉଚିତ ମଣିଥିଲେ ।

Image

 

ଅନ୍ତରଙ୍ଗ ଦୁଃଖ

 

ଭୌତିକ ଅଭାବ ସହଜରେ ଭରଣା ହେଇଯାଏ; କିନ୍ତୁ ଆଧିଭୌତିକ କ୍ଷତିର ଭରଣା ବୋଧହୁଏ କୌଣସିଦିନ ସମ୍ଭବ ହୁଏ ନାହିଁ । ଅଥଚ ଭୌତିକ ଅଭାବ ପରି ଆଧିଭୌତିକ ଅଭାବକୁ ସେତିକି ଗୁରୁତ୍ୱର ସହ ସ୍ୱୀକାର କରେ ନାହିଁ ଚତୁର ମଣିଷ ।

 

ସବୁଦିନ ପରି ମିନୁ ଆଜି ପଦାକୁ ଯାଇ ନାହିଁ । ଉପର ମହଲାର ଝରକା ଦେଇ ରାସ୍ତାକୁ ଚାହିଁଛି । କେତେବେଳେ ରାସ୍ତା ସେପଟ ଘରଟିକୁ ଚାହୁଁଛି । ସେ ଘରେ ଏବେ କେହି ନାହାନ୍ତି । ଯେଉଁମାନେ ଥିଲେ ସେମାନେ ଆଜି ସକାଳୁ ଘର ଛାଡ଼ି ଚାଲିଯାଇଛନ୍ତି ।

 

ପାଖ ଆମ୍ବଗଛ ଡାଳରୁ କୋଇଲିଟିଏର ଗୀତ ଭାସିଆସୁଥାଏ । ଏଡ଼େ ଟିକିଏ କଳା ଚଢ଼େଇ, ତା ଗୀତରେ ପୁଣି ଏତିକି ମାଦକତା, ଏଡ଼ିକି ତଲ୍ଲୀନତା ! ଆଉ ଦିନ ହୋଇଥିଲେ କିଛି ବୁଝୁ ନ ବୁଝୁ ହୁଏତ ମିନୁ ତାଳିମାରି ଡେଇଁ ପଡ଼ିଥାଆନ୍ତା । ଆଜି କିନ୍ତୁ ତାର କୋଉଥିରେ ମନ ନାହିଁ-। କଣ ହୋଇଛି ମିନୁର ?

 

କଲୋନୀର ଏଇ ଘରଟିକୁ ମିନୁ ଆସିବାର ଛଅମାସ ହେଇଗଲାଣି । ଛଅମାସ ଧରି ଏହି ଅଚିହ୍ନା ଉପନିବେଶରେ କୁନୁମୁନ୍‌ ହିଁ ଥିଲା ମିନୁର ଏକମାତ୍ର ସମବୟସୀ ସାଙ୍ଗ । ଘର ବଦଳ ବେଳେ ବଡ଼ମଣିଷମାନେ ଦେଖନ୍ତି ଘରଭଡ଼ା, ପାଣି ଆଲୁଅ ସୁବିଧା, ଦପ୍ତର ଓ ବସ୍‌ଷ୍ଟାଣ୍ଡଠାରୁ ନୂଆ ଘରର ଦୂରତ୍ୱ । କିନ୍ତୁ ସେମାନେ ମିନୁ ପରି ସାନମଣିଷଙ୍କ ଚାହିଦା କଥା ପ୍ରାୟ ମନେ ପକାନ୍ତି ନାହିଁ । ନୂଆ ଜାଗାରେ ସାନପିଲାଙ୍କ ପାଇଁ ଖେଳପଡ଼ିଆଟେ ଅଛି ନା ନାହିଁ କିମ୍ବା ତାର ସମବୟସୀ ସାଙ୍ଗସାଥୀ ମିଳିବେ କି ନ ମିଳିବେ ସେ ବିଷୟରେ ବଡ଼ ମଣିଷମାନଙ୍କୁ ଚିନ୍ତା କରିବାପାଇଁ ବେଳ ନ ଥାଏ ।

 

ମିନୁର ସୌଭାଗ୍ୟ ଯେ ସେ ଏଠିକି ଆସି ପହଞ୍ଚୁ ପହଞ୍ଚୁ କୁନୁମୁନ୍‌କୁ ପାଇଥିଲା । କୁନୁମୁନ୍‌ର ବାପା ବଡ଼ ଚାକିରି କରନ୍ତି ନାହିଁ । ତାଙ୍କର ଗାଡ଼ି ନାହିଁ । ନ ଥାଉ, ମିନୁର ବା ସେସବୁରେ କି ପ୍ରୟୋଜନ ? ଗତ ଛଅମାସ ଧରି ସେମାନେ ପରସ୍ପରର ଅନ୍ତରଙ୍ଗ ପାଲଟିଯାଇଥିଲେ । ଚାରିଟା ବାଜିଲେ ଫ୍ଲାଟ୍‌ର ଉପର ମହଲାର ଝରକା ଫାଙ୍କରୁ ମିନୁ ଡାକେ କୁନୁମୁନ୍‌କୁ, କୁନୁମୁନ୍‌ ସେପଟରୁ କୁହାଟ ଛାଡ଼େ । ତା’ପରେ ସଂଜଯାଏ ଦୁହେଁ ଖେଳନ୍ତି । ସଂଜବୁଡ଼େ ଫେରିଆସନ୍ତି ଆପଣା ଆପଣା ଘରକୁ ।

 

କୁନୁମୁନ୍‌ ଆଉ ଆସିବ ନାହିଁ । ଆଜି ସକାଳେ ତା ବାପା ତାକୁ ରିକ୍ସାରେ ବସେଇ ନେଇଗଲେ । ଗୋଟେ ମାଟାଡରରେ ଲଦାହେଇ ଯାଇଥିଲା ତାଙ୍କର ଘରକରଣା । କୁନୁମୁନ୍‌ ତା ବାପାବୋଉଙ୍କ ମଝିରେ ବସିଥିଲା । କୁନୁମୁନ୍‌ ମିନୁକୁ ହାତହଲେଇ ଟା ଟା କରିବା ବେଳେ ମିନୁର କଣ ହେଲା କେଜାଣି ସେ ସେଠୁ ଦଉଡ଼ି ଘର ଭିତରକୁ ପଳେଇ ଆସିଥିଲା । ଅତି ଭାବପ୍ରବଣ ପିଲା ଏଇ ମିନୁ ।

 

ମିନୁର ପଢ଼ାଘରକୁ ତା ବାପା ଆସିଲେ । ପଚାରିଲେ, ‘ତୁ ଏତେ ଅନ୍ୟମନସ୍କ ରହୁଛୁ କାହିଁକି ? ସ୍କୁଲ୍‌କୁ ଗଲାବେଳେ ପାଣି ବୋତଲ ନେବାକୁ ଭୁଲିଗଲୁ । ଆସିଲା ବେଳକୁ ପେନସିଲ୍‌ କଟର୍‌ ଛାଡ଼ି ଆସିଛୁ । ସବୁବେଳେ ଖାଲି ଖେଳ ଆଉ ଖେଳ, ପଢ଼ାରେ ତୋର ବିଲ୍‌କୁଲ୍‌ ମନ ନାହିଁ-।’

 

ମିନୁ ଏସବୁ କଥା ଶୁଣିପାରିଲା ନାହିଁ । ସେ ପଚାରିଲା, ‘ତମେ କୁନୁମୁନ୍‌ଙ୍କ ନୂଆ ଘର ଠିକଣା ଜାଣିଛ ବାପା ?’

 

ବାପା ଚମକି ପଡ଼ିଲେ । ଏଇଠି ଛଅମାସ କାଳ ଥିଲେ ମହାପାତ୍ରବାବୁ । କେତେଥର ତାଙ୍କ ଘରକୁ ଡାକିଛନ୍ତି । କିନ୍ତୁ ସାମାଜିକ ପ୍ରତିଷ୍ଠାର ନିଶୁଣିର କାହିଁ କେତେ ତଳେ ଥିବା ମହାପାତ୍ରବାବୁଙ୍କୁ ସେ ଲୋଡ଼ିଯାଇ ନାହାନ୍ତି ଜାଣି ଜାଣି । ସେଇଥିପାଇଁ ସେ ତାଙ୍କ ନୂଆ ଠିକଣା ସଂଗ୍ରହ କରିବାକୁ ଆଗ୍ରହ ପ୍ରକାଶ କରି ନାହାନ୍ତି ।

 

ମିନୁ କହୁଥିଲା ସେ ଦିଇଟା ଟଫି କୁନୁମୁନ୍‌ ପାଇଁ ରଖିଛି । ‘ତମେ ଟିକେ ମୋତେ ତାଙ୍କ ଘରକୁ ନେଇଯାଆନ୍ତ ନାହିଁ ? ମୋର ଏଠି କେହି ସାଙ୍ଗ ନାହାନ୍ତି । କୁନୁମୁନ୍‌ କହୁଥିଲା ତାଙ୍କର ସେଠି ବହୁତ ସାନପିଲା ଅଛନ୍ତି । ମୁଁ ଏଠି କାହା ସାଙ୍ଗେ ଖେଳିବି ?’

 

ବାପା ଝିଅକୁ କୋଳକୁ ଟେକିନେଲେ । ତାଙ୍କର ରୂଢ଼ଭର୍ତ୍ତି ଗାଲ ଦୁଇକଡ଼େ ମିନୁର ନରମ, ଫୁଲପରି କଅଁଳ ହାତ ପାପୁଲିକୁ ଚାପି ଧରିଲେ । ପ୍ରଥମଥର ପାଇଁ ସେ ଝିଅର ଏଇ ସାନ ଅର୍ଦ୍ଦଳିଟି ପୂରଣ କରିବା ପାଇଁ ନିଜର ଅସାମର୍ଥ୍ୟ ଅନୁଭବ କରୁଥିଲେ । ସାଙ୍ଗ ହଜେଇବାର ଦୁଃଖଠୁ ବଡ଼ ଦୁଃଖ ମିନୁ ପରି ପିଲା ପାଇଁ ଆଉ ବା କ’ଣ ଅଛି ?

 

ଅନେକ ବର୍ଷ ପରେ ନିଜ ଶୈଶବର ଦୁଃଖଟେ ମିନୁର ଦୁଃଖ ଭିତରେ ପ୍ରମୂର୍ତ୍ତ ହୋଇଉଠିଥିଲା । ଅଥଚ ସହରର ଅଧିକାଂଶ ସାନପିଲାଙ୍କର ଆଜି ଏହି ସମସ୍ୟା । ସେମାନଙ୍କ ଇଚ୍ଛା ଓ ସ୍ୱାଧୀନତା ଦୟନୀୟ ଭାବେ ସଙ୍କୁଚିତ । ବାରମ୍ବାର ଚେର ଲାଗିଆସୁଥିବା ମାଟିରୁ ଭିଡ଼ିଆଣି ପୁଣି ଗୋଟେ ନୂଆ ଜାଗାରେ ରୋଇଦେଉଥିବା ଫୁଲଚାରାଟେର ଯେମିତି ନିଜର ମାଟି ହୋଇ କିଛି ନ ଥାଏ, ବାରମ୍ବାର ଘର ଓ ବନ୍ଧୁ ବଦଳେଇବାକୁ ବାଧ୍ୟ ହେଉଥିବା ପିଲାଟିର ନିଜର ସାହି ଓ ସାଙ୍ଗ ହୋଇ କିଛି ରହେ ନାହିଁ । ଏ ପ୍ରକାର ଆଘାତ ତା ଭିତରୁ ସୂକ୍ଷ୍ମ ଆବେଗ ଓ ସ୍ପର୍ଶାତୁରତାକୁ ଶୋଷିନିଏ, ତାକୁ ଆବେଗଶୂନ୍ୟ କରିପକାଏ । ଏ ବାବଦରେ ମଫସଲ ଗାଆଁର ପିଲାମାନଙ୍କ ସ୍ୱାଧୀନତା ବରଂ ଢେର୍‌ ବେଶି । ସେଠି ରଙ୍ଗରଙ୍ଗିଆ ଖେଳଣା କି ପୋଷାକ ନାହିଁ, କିନ୍ତୁ ଅନ୍ତରଙ୍ଗ ପରିଧିଟେ ଅଛି । ସେଇ ସାଙ୍ଗ, ସେଇ ଗୋହିରି ଓ ଜାମୁଗଛ, ସେଇ ମଠ ଓ ମନ୍ଦିର ସବୁବେଳେ ସାଙ୍ଗରେ ଥାଆନ୍ତି । ସେମାନେ ହାତଧରି ପାର କରେଇ ଦିଅନ୍ତି କୋମଳ ଶୈଶବ ।

 

ମିନୁର ସମସ୍ୟାଠାରୁ ମୁକୁଳି ଆସିବା ନିମନ୍ତେ ବାପା ଆଉ ଥରେ କୋଇଲିର ଗୀତ ଶୁଣିବାପାଇଁ କାନ ଡେରୁଥିଲେ । କିନ୍ତୁ କୋଇଲିଟି କେତେବେଳୁ ସେଠୁ ଅଦୃଶ୍ୟ ହୋଇଯାଇଥିଲା । ବାପା ଥରେ ଆମ୍ବଗଛ ଆଡ଼େ ଓ ଆଉ ଥରେ ସେପାଖର ପରିତ୍ୟକ୍ତ ଫାଙ୍କା ଘରଟିଆଡ଼େ ଚାହିଁ ଉଦାସ ହୋଇପଡ଼ିଲେ । ମିନୁକୁ କୋଳକୁ ଭିଡ଼ି ନେଉ ନେଉ କହୁଥିଲେ, ‘ମଣିଷର ଅନେକ ଦୁଃଖରେ ମାଆ, ବଡ଼ ହେଲେ ତୁ ସେସବୁ ବୁଝିବୁ ।’

Image

 

ମୁକ୍ତା ଓ ଶାମୁକା

 

ସେ ଆଖି ମିଟିମିଟି କରି ଚାରିଆଡ଼କୁ ଏମିତି ଚାହୁଁଥାଏ, ଯେମିତି ଏ ଜାଗାରେ ସେ ନିଜକୁ ଆଦୌ ନିରାପଦ ମଣୁ ନାହିଁ । ତା ମାଆ ଦେହରେ ଦେହକୁ ଘଷି ହେଇ ସେ ଛିଡ଼ା ହୋଇଥାଏ । ଗୋଟାଏ କନାମୁଣାରେ ତାର ଖଣ୍ଡିଏ ପାଲଟା ଜାମା । ଆର ଖଣ୍ଡକ ସେ ପିନ୍ଧିଥାଏ, ପାଞ୍ଚଛଅ ଜାଗାରେ ପିନ୍ଧା ଜାମାଟା ସିଲେଇ ହୋଇଛି । ମୁଣ୍ଡଟା ବିରୁଡ଼ି ବସା । ଚାଳିଶ କିଲୋମିଟର ବାଟ ପାସେଞ୍ଜର୍‌ ବସରେ ଆସି ସେ ହାଲିଆ ହେଇପଡ଼ିଥାଏ । ଧକେଇ ହେଉଥାଏ ବିଚାରୀ ।

 

ବର୍ଷା ତାକୁ ସାହସ ଦେଇ କହିଲା, ‘ଆଜିଠୁ ତୁ ଏଇ ଘରେ ରହିବୁ; ଏଇଟା ତୋ ନିଜ ଘର । ଯା ଧୁଆଧୋଇ ହେଇ ଆ । ଆଗ ଗଣ୍ଡିଏ ଖାଇଦେବୁ ।’

 

ପିଲାଟା ଡବଡବ ହେଇ ଆଗରୁ ଦେଖି ନ ଥିବା ଜିନିଷଗୁଡ଼ାକୁ ଦେଖି ଚାଲିଥାଏ । ଟେଲିଭିଜନ, ଫ୍ରିଜ୍‌, ସୋଫାସେଟ୍‌, ଟେବୁଲ୍‌, ଚୌକିଠୁ ଆଖି ତାର ପହଁରିଯାଇ ଲାଖି ଯାଉଥାଏ ଛାତ ଦେହରେ । ପୁଣି ଛାତରୁ ଫେରି ମୋଜାଇକ୍‌ ବାରନ୍ଦାର କଇଁଛ-ପିଠି ପର୍ଯ୍ୟନ୍ତ । ସବୁଠି ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ଭାବ ।

 

ସାତଆଠ ବର୍ଷର ଏଇ ଅଚିହ୍ନା ପିଲାଟା ଯେମିତି ଡବଡବ ଆଖିରେ ଚାହୁଁଥାଏ ଘରର ଜିନିଷପତ୍ରଗୁଡ଼ାକୁ, ସେ ଘରର ମଣିଷମାନେ ମଧ୍ୟ ଡିମାଡିମା ଆଖିରେ ଚାହୁଁଥାନ୍ତି ସେଇ ପିଲାଟିକୁ-। ଚିଡ଼ିଆଖାନାର ନୂଆ ଜୀବ ଦେଖିବା ପରି କୌତୂହଳୀ ହେଇପଡ଼ିଥାଏ ସେମାନଙ୍କର ଆଖି ।

 

ଗୃହିଣୀ ଆଶ୍ୱସ୍ତ ହେଲେ । ଯା’ହେଉ, ଏତେ ଦିନକେ ପିଲାଟିଏ ଆସିଲା । ବାସନକୁସନ ଧୁଆ କାମତକ କଣ କମ୍‌ ଜଞ୍ଜାଳ କାମ ! କେତେ ଦିନରୁ ଚାରିଆଡ଼େ ଆଖି ପକାଉଥିଲେ ସେ ।

 

ଉପରଓଳି ପିଲାଟିର ମାଆ ଏବଂ ସେମାନଙ୍କୁ ଏ ଘର ସହ ସମ୍ପର୍କରେ ଯୋଡ଼ିଥିବା ଭଦ୍ରଲୋକ ନିମେଇଁ ମହାନ୍ତି ବିଦା ହେଇଗଲେ ।

 

ମାଆ ତାର ଚାଲିଯାଉଥିବା ଦେଖି ବିଚାରୀ ପିଲାଟା ଭେଁ କିନା କାନ୍ଦି ପକେଇଲା । ଗୃହିଣୀ ଚକୋଲେଟ୍‌ଟିଏ ଦେଇ ପିଲାଟାକୁ ଭିତର ଖଞ୍ଜାକୁ ନେଇଗଲେ । ଭାରି କୋମଳ ଓ ମିଠା ଶୁଭୁଥିଲା ତାଙ୍କର କଥାଗୁଡ଼ା ।

 

ସେଇଦିନୁ ପିଲାଟି ଏ ଘରେ ରହିଲା ।

 

ତା ନାଆଁ ପ୍ରଥମେ ଥିଲା ମାଳତୀ । ସେଇ ନାଆଁ ପୁଣି ଥିଲା ଏ ଘରର ଖାଉନ୍ଦାଣୀଙ୍କ ନାଆଁ । ସମସ୍ତେ ଅଡ଼ିବସିଲେ, ଇଏ କି କଥା ! ଚାକରାଣୀଙ୍କ ନାଆଁ ଆଉ ଖାଉନ୍ଦାଣୀଙ୍କ ନାଆଁ ଏକା ରହିବ କିପରି ? ଖାଉନ୍ଦାଣୀ ତ ନାଆଁ ବଦଳେଇବେ ନାହିଁ, ବଦଳେଇବ ସେଇ ନୂଆ ଆସିଥିବା ପିଲାଖଣ୍ଡିକ । ସେଇଆ ହେଲା । ମାଳତୀକୁ ପଚାରିବା ଦରକାର ପଡ଼ିଲା ନାହିଁ । ପରଦିନଠାରୁ ତା ନାଆଁ ହେଇଗଲା ସେବତୀ, କିଛି ଦିନ ପରେ ଖାଲି ସେବ । ସେଣିକି ସେ ‘ସେବ’ ନାଆଁରେ ହିଁ ପରିଚିତା ହେଲା । ସମୟ ଆସିଲା, ତା’ର ମୂଳ ନାଆଁଟି ସମ୍ପର୍କରେ ନିଜେ ସେ ବିସ୍ମୃତ ହେଇଗଲା ।

 

କ୍ରମେ ସେବ ହେଇପଡ଼ିଲା ଏ ଘରର ସବୁଠୁ ଦରକାରୀ ଜିନିଷ ଖଣ୍ଡେ । ବାବୁଙ୍କର ସ୍କୁଟର୍‌, ଖାଉନ୍ଦାଣୀଙ୍କ ଚାବିନେନ୍ଥା ଓ ସାନପିଲାଟିର ଖେଳଣା ବାକ୍‌ସ ପରି ସେବ ସବୁରି ଦରକାରୀ ଥିଲା । ବାସନ ଧୋଉଥିଲା, ଲୁଗା ସଫା କରୁଥିଲା, ଘର ଓଳଉଥିଲା, ଟେବୁଲ ପୋଛୁଥିଲା, ବାବୁମାନଙ୍କ ସବୁ ହୁକୁମ୍‌ ତାମିଲ କରୁଥିଲା । କାମ ନ ଥିଲାବେଳେ ଡାଇନିଂ ରୁମ୍‌ କୋଣରେ ଛିଡ଼ା ହେଇ ରହୁଥିଲା ସଦା ଉଦ୍ୟତ ଭଙ୍ଗୀରେ ।

 

ସେବ କେତେବେଳେ ଖାଏ କହିହେବନି, କେତେବେଳେ ଗାଧୁଆପାଧୁଆ କରେ ତା ବି କେହି ଦେଖନ୍ତି ନାହିଁ । ସକାଳୁ ଉଠିଲା ବେଳକୁ ସେବ ପ୍ରସ୍ତୁତ । ଡିମିରିଫୁଲର ଫୁଟିବା ପରି ତାର ବ୍ୟକ୍ତିଗତ ଖାଇବା ଓ ପିନ୍ଧିବା କାମ କେହି ଦେଖନ୍ତି ନାହିଁ । ଆଶ୍ଚର୍ଯ୍ୟର କଥା ତାର ଦେହପା’ କେବେବି ଖରାପ ହୁଏ ନାହିଁ ।

 

ଦିନେ ଦିନେ ସେବ ଏକୁଟିଆ ମନମାରି ବସେ । ଏମିତି ଥରେ ବସିଥିବା ବେଳେ ସିଦ୍ଧାର୍ଥ ତାକୁ ଡାକି ପଚାରିଲା, ‘ତୋ ମନ ଏଠି ଲାଗୁନି କିରେ ?’ ଉତ୍ତରରେ ସେବ ହସିଲା । ତାର ଉତ୍ତର ‘ହଁ’ କି ‘ନା’ ସେଇ ଜାଣେ । ସିଦ୍ଧାର୍ଥ ପଚାରିଲା ତା ବାପା ବୋଉ କଥା । ସେବ ପ୍ରଗଳ୍‌ଭ ହେଇପଡ଼ିଲା ଉତ୍ତର ଦେଉ ଦେଉ । ଟାଙ୍ଗୀ-ଚାନ୍ଦପୁର ସେପାଖେ ତାଙ୍କ ଗାଆଁ । ଗାଆଁ ପାଖେ ପାହାଡ଼, ପାହାଡ଼ ତଳେ ଜଙ୍ଗଲ । ସକାଳବେଳା ସେ ସାଙ୍ଗ ସଙ୍ଗାତଙ୍କ ସାଙ୍ଗେ ଯାଏ ଜଙ୍ଗଲକୁ କାଠ ଆଣି । ମଲ୍ଲୀ, ମୀନା, ଟୁକୁନାଙ୍କ ସାଙ୍ଗେ କେନ୍ଦୁ ତୋଳେ, କାଇଁଚ ତୋଳି ଆଣେ । ଜଙ୍ଗଲରେ ଲୁଚକାଳି ଓ ଠିଆପୁଚି ଖେଳେ । କାଠ ଗୋଛାକ ନେଇ ଫେରିଆସେ ଦିନ ଦ୍ୱିପ୍ରହରକୁ, ଆଉ ଉପରବେଳା ଯାଏ ନାହିଁ । ଉପର ଓଳିଟା ଗାଆଁ ପାଖ ଗଡ଼ିଆ କି ପୋଖରୀ କୂଳରେ ବିତିଯାଏ । ସକାଳ ଓଳି ଜଙ୍ଗଲ ଫେରନ୍ତା ରାସ୍ତାରେ ଆଣିଥାଏ ବଣମଲ୍ଲୀ, ପଥର ଗୋଟି । ଢପା ଖେଳେ, ନାଇଁ ତ ବୋହୂବୋହୂକା ।

 

ସାଙ୍ଗମାନଙ୍କ କଥା ମନେ ପଡ଼ୁଛି ? ଏ କଥା ପଚାରିଲେ ସେବର ଟିକି ଟିକି ଆଖି ଦୁଇଟିରୁ ମୁକ୍ତାପରି ଦି’ବୁନ୍ଦା ଲୁହ ଗଡ଼ିଆସେ, ତାର ଶେତା ମୁହଁଟି ଉପରକୁ । ସିଦ୍ଧାର୍ଥ ପ୍ରସଙ୍ଗ ବଦଳାଏ ।

 

ତୋର ଭାଇ ଅଛନ୍ତି ?

 

ହଁ ଇନ୍ଦର, ଚନ୍ଦର, ଦିଇଟା ଭାଇ ।

 

ଇନ୍ଦର ଚନ୍ଦର କଣ କିଲୋ ? ଭାଇମାନଙ୍କ ନାଆଁ କଣ ଏମିତି କହନ୍ତି ! ସିଦ୍ଧାର୍ଥ ଆକଟ କରେ ।

 

ସେ ଜିଭ କାମୁଡ଼ି ପକାଏ । ଇନ୍ଦ୍ରମଣି ଗୌଡ଼, ଚନ୍ଦ୍ରମଣି ଗୌଡ଼ । ଭଉଣୀ ବଡ଼, ବାହା ହେଇଗଲାଣି ।

 

ଭାରି ଅସହାୟ ଲାଗେ ତା କଥା ଶୁଣି । ଇନ୍ଦ୍ର, ଚନ୍ଦ୍ର ପରି ଯୋଡ଼ିଏ ଭାଇ ଯାହାର, ତା ଭାଗ୍ୟରେ ପୁଣି ଏମିତି ଥାଏ ପର ଘରେ ପାଇଟି କରି ପେଟ ପୋଷିବାର ଦୁଃଖ !

 

ଅସହାୟତାର ଅନେକ ପରିଭାଷା ସିଦ୍ଧାର୍ଥ ପ୍ରତ୍ୟକ୍ଷ କରିଛି ଜୀବନରେ– ଧୁ ଧୁ ଦ୍ୱିପ୍ରହରେ ଯାତ୍ରୀର ସ୍କୁଟର୍‌ ଖଣ୍ଡକ ମଝି ରାସ୍ତାରେ ଖରାପ ହେଇ ପଡ଼ିବାଠାରୁ ଅନ୍ଧାର ପିଚୁରାସ୍ତାରେ ଘର ଫେରନ୍ତା ମୂଲିଆର ଚାଉଳ ସେରକ ବିଞ୍ଚି ହେଇଯିବାର ଅସହାୟତା ପର୍ଯ୍ୟନ୍ତ । ମଣିଷ ସେ ସବୁକୁ ସେଇମିତି ସହିଯାଏ, ଯେମିତି ପର ଲାଗିନଥିବା ପାରାଛୁଆଟି ଝଡ଼ ବର୍ଷାର କୋରଡ଼ା ମାଡ଼ ସହିଯାଏ ଆଖି ବୁଜି । ଏଥିରୁ ଗତ୍ୟନ୍ତର ନାହିଁ ।

 

ସିଦ୍ଧାର୍ଥ ଦିନେ ସେସବୁକୁ ଯାଚିଥିଲା ଦଶ ଟଙ୍କା । କହିଥିଲା, ‘ବସ୍‌ଷ୍ଟାଣ୍ଡରେ ନେଇ ଗାଡ଼ିରେ ବସେଇଦେବି । ତୁ ଟାଙ୍ଗିରୁ ଚାଲିଯାଇପାରିବୁ । ଯଦି ତୋର ଘରକୁ ଯିବାପାଇଁ ଇଚ୍ଛା ହଉଚି ଯାଆ, କେହି ମନା କରିବେ ନାହିଁ ।’

 

ତାର ହସକୁରା ମୁହଁଟି ଉଜ୍ଜ୍ୱଳି ଉଠିଥିଲା କ୍ଷଣକାଳ । ପୁଣି ଆର ଘଡ଼ିକୁ ସେ କଥା ଭୁଲିଯାଇଥିଲା ଗୋଟାପଣେ । ଘରକୁ ପଳେଇଗଲେ ବାପା ବାଡ଼େଇବ, ବୋଉ ଚୁଟି ଭିଡ଼ିଧରି ପଦାକୁ କାଢ଼ିଦେବ । ତା ପରଦିନ ପୁଣି ଆଉ କାହା ଘରେ ଛାଡ଼ି ଦେଇ ଆସିବ ବାପା । ତା’ଠୁ ଇଏ ଢେର୍‌ ଭଲ । ଏଠି ଟି.ଭି. ଅଛି, ସେ ସିନେମା ଦେଖୁଛି, ମହାଭାରତ ଦେଖୁଛି । ଚଟାଣରେ ହଉ ପଛକେ ପଙ୍ଖା ପବନରେ ଶୋଉଛି । ଏଠୁ ଯିବ ନାହିଁ । ବାପାକୁ ତାର ଭାରି ଡର । ତା ଉପରକୁ ଗରମ ପାଣି ଫୋପାଡ଼ିବେ ।

 

ଏ ଘରକୁ ଆସିବା ଆଗରୁ ସେବ କାମ କରୁଥିଲା ଆଉ ଜଣଙ୍କ ଘରେ । ସେ ଘରର ମାଲିକାଣୀ ଟିକିଏ ଟିକିଏ କଥାରେ ଗରମ ପାଣି ଫିଙ୍ଗି ଦେଉଥିଲେ ତା ଉପରକୁ ।

 

ସେବ କହିଲା, ‘ମୁଁ ଯାଉଛି, ମାଆଙ୍କ ଆସିବା ବେଳ ହେଲାଣି । ଘର ଚଟାଣ ଧୋଇଦେବି । ରଜକୁ ଦି ତିନି ଦିନ ପାଇଁ ଗାଁକୁ ଯିବି । ପଳେଇ ଆସିବି ।’

 

ସିଦ୍ଧାର୍ଥ ତା ପ୍ରସ୍ତାବରେ ରାଜି ହେଲା ।

 

ସେବର ଦୁର୍ବଳିଆ ଚେହେରା ସାଙ୍ଗେ ତା ପରିବାରର ଚାହିଦାକୁ ମାପି ବସିଲାବେଳେ ସିଦ୍ଧାର୍ଥର ଅନୁଭବ ହେଉଥିଲା, ସବୁ ଶାମୁକା ମୁକ୍ତା ପାଲଟନ୍ତି ନାହିଁ । କଦାଚିତ୍‌ ସ୍ୱାତୀ ନକ୍ଷତ୍ର ବର୍ଷା ବିନ୍ଦୁ ପିଇବାର ସୌଭାଗ୍ୟ ପାଉଥିବାରୁ କିଛି ଭାଗ୍ୟବାନ୍‌ ଶାମୁକା ମୁକ୍ତା ପାଲଟନ୍ତି ସିନା, ଅଧିକାଂଶ କିନ୍ତୁ ଚିରକାଳ ରହିଯାଆନ୍ତି ମାମୁଲି ଶାମୁକା ହୋଇ, ଏଇ ସେବ ପରି ।

Image

 

ଭିକ୍ଷାଂ ଦେହି

 

ରାଜଧାନୀ ଶେଷମୁଣ୍ଡର ଏଇ କଲୋନୀଟା ଛୁଟି ଦିନମାନଙ୍କରେ ମନେହୁଏ କର୍ଫ୍ୟୁଜାରି ଏକ ନିର୍ଜନ ଉପନିବେଶ । ଦଶହରାର ଉତ୍ସବମୁଖର ମୁହୂର୍ତ୍ତମାନଙ୍କରେ କଟକ ସହର ଫାଟି ପଡ଼ୁଥିବା ବେଳେ ଭୁବନେଶ୍ୱର ରାସ୍ତାଘାଟଗୁଡ଼ିକ ଖାଁ ଖାଁ ଗୋଡ଼ଉଥାଏ । ଚାରିଆଡ଼େ ନିର୍ଜନ ନୀରବତା । ଏଇଟା ବୋଧହୁଏ କଟକ ଓ ଭୁବନେଶ୍ୱର ସହର ଭିତରେ ସବୁଠୁ ବଡ଼ ପ୍ରଭେଦ ।

 

ଦିନ ବାରଟାରୁ ଅଧିକ ହେବ ନାହିଁ । ଘର ସାମ୍ନା ରାସ୍ତାରେ ଡିବିଡିବି ଶୁଭିଲା କାହାର ଡମ୍ବରୁ । ସିଦ୍ଧାର୍ଥ ପ୍ରଥମେ ଭାବିଲା, ସାପୁଆକେଳା ଆସିଥିବ । ମାତ୍ର ନା, ଇଏ ସାପୁଆକେଳା ନୁହେଁ, ମାଙ୍କଡ଼ ନଚା ଓସ୍ତାଦ । ଲୋକଟି ବେତ ଖଣ୍ଡେ ଧରି ଡମ୍ବରୁ ଡିବିଡିବି କରି ଚାଲିଛି ଓ ତା ପଛେ ପଛେ ଚାଲିଛନ୍ତି ଗୋଟାଏ ମାଙ୍କଡ଼ ଓ ଆଉ ଗୋଟାଏ ଛେଳି । ମାଙ୍କଡ଼ଟି ଛିଟକନାର ଜାମା ଖଣ୍ଡେ ପିନ୍ଧିଛି, ବେକରେ ଗୁଡ଼େଇ ହୋଇଛି ନାଲି ରିବନ୍‌ । ଏଆଡ଼େ ସେଆଡ଼େ ବେକ ଟେକି ଚାହୁଁଛି ଓ ଆଗେ ଚାଲୁଥିବା ଓସ୍ତାଦ ତା ବେକର ଚେନ୍‌ଟାକୁ ଭିଡ଼ିଦେଲେ ସେ ଖପ୍‌ଖାପ୍‌ ଡେଇଁପଡ଼ୁଛି ।

 

ମାଙ୍କଡ଼ନଚା ଲୋକଟି ଛେଳିଟିକୁ ମଧ୍ୟ ସେଇମିତି ସଜେଇ ରଖିଛି । ସେ ଜାମା ଲୁଗା ପିନ୍ଧିନି ସିନା, ଶିଙ୍ଗରେ ତାର ଫୁଲ ଖୋଷା ହୋଇଛି, ବେକରେ ଝୁଲିଛି ଘୁଙ୍ଗୁର । ତତ୍‌କ୍ଷଣାତ୍‌ କଲୋନୀର ରାସ୍ତାଟା ନଙ୍ଗଳା ଛୁଆ ଓ ପରେ ପରେ କିଛି ଉତ୍ସୁକ ଦେଖଣାହାରିଙ୍କ ଭିଡ଼ରେ ଜମିଗଲା । ଲୋକଟି ବସିପଡ଼ିଲା ଖଣ୍ଡିଏ ପଥର ଉପରେ ଓ ଆରମ୍ଭ ହୋଇଗଲା ମାଙ୍କଡ଼ ନାଚ ।

 

‘ଗାଆଁରେ ଚୌକିଦାର କେମିତି ଘର ଜଗେ, ବାଡ଼ି ଖଣ୍ଡେ ଧରି କେମିତି ପହରା ଦିଏ, ବୋହୂଟି କେମିତି ବାଟ ଚାଲେ’ ପାଖରୁ ଆରମ୍ଭ କରି ‘ପୋଲିସ୍‌ କେମିତି ଚୋରକୁ ଧରି ନିଏ’ ପର୍ଯ୍ୟନ୍ତ ବହୁତ ପ୍ରକାର ଖେଳ ଦେଖାଇଲା ମାଙ୍କଡ଼ । ତାପରେ ଆରମ୍ଭ ହେଲା ଛେଳିର ଖେଳ । ଗୋଟାଏ କାଠ ଉପରକୁ ସେ ଚଢ଼ିଗଲା । ଓସ୍ତାଦ୍‌ ବେତ ଉଞ୍ଚେଇବା ମାତ୍ରେ ଚାରି ଗୋଡ଼ ଯୋଡ଼ି ଠିଆ ହେଲା । ଖଣ୍ଡିଏ ବାଡ଼ି ଉପରେ ତା ପରି ପଶୁ ଚାରି ଗୋଡ଼ ରଖି ଠିଆ ହେବା ମୁଁ ଦେଖି ନ ଥିଲି । ସେଇଠି ସେ ଆଗ ଦୁଇ ଗୋଡ଼ ଯୋଡ଼ି ବାବୁମାନଙ୍କୁ ସଲାମ ଠୁଙ୍କିଲା । ତାପରେ ଖେଳ ଶେଷ ହେଲା । ଲୋକମାନେ ଜାଗା ଛାଡ଼ିଯିବା ଆଗରୁ ଓସ୍ତାଦ ହୁକୁମ ଦେଲା ତା’ର ଛେଳି ଓ ମାଙ୍କଡ଼ଙ୍କୁ– ପେଟ ଦେଖେଇ ବାବୁମାନଙ୍କୁ ପଇସା ମାଗ । ମାଙ୍କଡ଼ଟି ତତ୍‌କ୍ଷଣାତ୍‌ ଧୂଳିରେ ଶୋଇପଡ଼ି ଲେପଟେଇ ପଡ଼ିଲା ଓ ପେଟ ଦେଖେଇଲା । ଛେଳି ବି ସେହିପରି । ଏହା ପରେ ଡାଲାରେ ପଡ଼ିଲା ପାଞ୍ଚ ପଇସି, ଦଶ ପଇସି, ଚାରେଣି ସବୁ । ମାଙ୍କଡ଼ଟି ସେସବୁ ଗୋଟେଇ ନେଇ ଓସ୍ତାଦକୁ ଦେଲା ଓ ଓସ୍ତାଦ ତା’ର ଡେରା ସେଠୁ ଉଠେଇବା ନିମନ୍ତେ ପ୍ରସ୍ତୁତ ହେଲା ।

 

କାହିଁକି କେଜାଣି ନିରୀହ ପଶୁ ଯୋଡ଼ିକଙ୍କର ଏହି ଦୟନୀୟ କାକୁତି ସିଦ୍ଧାର୍ଥକୁ ବିବ୍ରତ କରିଦେଲା । ସେମାନଙ୍କୁ ନେଇ ଖେଳ ଦେଖାଗଲା, ଠିକ୍‌ ଅଛି । ମାତ୍ର ନିଜର ଦାରିଦ୍ର୍ୟ ପାଇଁ ପଶୁ ଯୋଡ଼ିକଙ୍କୁ ଭିକାରି ସଜେଇବା ଓ ସେମାନଙ୍କୁ ଲୋକଙ୍କ ଆଗରେ ପେଟ ଦେଖେଇ ପଇସା ମାଗିବାର ଏହି କାରବାର ତାକୁ ଭଲ ଲାଗୁ ନ ଥିଲା । ପ୍ରାଚୁର୍ଯ୍ୟର ପୃଥିବୀ ଭିତରେ ମାଙ୍କଡ଼ଟି କେତେ ସୁଖରେ ନ ଥିବ ଧରାହେଇ ଆସିବା ଆଗରୁ ? ଚାରିପଟେ ଗଛପତ୍ର, ଫୁଲଫଳ । ମନେ ପଡ଼ୁଥିଲା ଖଣ୍ଡଗିରିର ସେଇ ମୁକ୍ତ ମାଙ୍କଡ଼ମାନଙ୍କ କଥା । ସ୍ୱାଧୀନ ଓ ବେଫିକର୍‌ ସେମାନେ । ସିଦ୍ଧାର୍ଥକୁ ଲାଗୁଥିଲା, ପ୍ରଥମେ ପ୍ରଥମେ ମାଙ୍କଡ଼ ଓ ଛେଳି ଦୁଇଟିଯାକ ଜୀବ କଦାପି ପେଟ ଦେଖେଇ ଶୋଇ ନ ଥିବେ । ମାତ୍ର ସାଏଁ କରି ଉଠିଯାଇଥିବ ଓସ୍ତାଦର ବେତ । ବିଚରା ପଶୁ ଯୋଡ଼ିକଙ୍କର ଗତ୍ୟନ୍ତର ନ ଥିବ ।

 

ଭିକ୍ଷା ମାଗିବାର ପ୍ରବୃତ୍ତି ଏବେ ସଭ୍ୟ ମଣିଷ ମନରେ ବେଶ୍‌ ଦୃଢ଼ ଆସନ ଦଖଲ କରି ବସିଲାଣି । ନିତିଦିନିଆ ଜୀବନରେ ଏପରି ଭିକ୍ଷୁକଙ୍କର ସୀମା ନାହିଁ । ଦପ୍ତରକୁ କେହି ନୂଆ ଜାମାଟିଏ ପିନ୍ଧି ଆସିଛି ତ ଆଉ ସାଙ୍ଗମାନେ କହିବେ, ଖାଇବାକୁ ଦେ । ପୁଅ ହେଇଚି ତ ଭୋଜି ଦିଅ । ପ୍ରମୋଶନ ହେଲେ ଭୋଜି, ବଦଳି ହେଲେ ଭୋଜି, ନୂଆ ଗାଡ଼ି କିଣିଲେ ଭୋଜି, ଜାଗାଟେ କିଣିଲେ ଭୋଜି, ଇନ୍‌କ୍ରିମେଣ୍ଟ ପାଇଲେ ଭୋଜି ଏପରିକି ମିଛ ଭାଉଚରରେ ମେଡିକାଲ ବିଲ୍‌ ପାସ୍‌ ହୋଇଗଲେ ବି ଭୋଜି ଦାବି କରିବାକୁ ବନ୍ଧୁମାନେ ଭୁଲନ୍ତି ନାହିଁ । ଅନ୍ୟଠୁ କିଛି ମାଗି ଆଦାୟ କରିବାର ଏହି ପ୍ରକୃତି ଅଧିକ ଉତ୍କଟ ହୋଇ ଦେଖାଦିଏ ପୂଜାପାର୍ବଣ ଅବସରରେ । ‘ଚାନ୍ଦା’ ହେଇ ଆସେ ‘ଭିକ୍ଷାଂ ଦେହି’ର ତାଲିକା । ପାଣିବାଲା, ବିଜୁଳିବାଲାଙ୍କଠୁ ଆରମ୍ଭ କରି ସାହି ବସ୍ତିର ଯୁବକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହାତ ଲମ୍ବିଆସେ ପାଞ୍ଚ ଟଙ୍କା, ଦଶ ଟଙ୍କା ପାଇଁ । ରାସ୍ତାକଡ଼ରେ ଭିକାରି ଓ ସେମାନଙ୍କ ଭିତରେ ବିଶେଷ କିଛି ତଫାତ୍‌ ନାହିଁ, କେବଳ ବେଶ ପୋଷାକ ଭିନ୍ନ । ଏ ଅବସ୍ଥାର ଏଇଠି ଶେଷ ନାହିଁ । ଧମକଚମକ ଚାନ୍ଦା, କମିଶନି ଓ ଲାଞ୍ଚ କଥା ବି ଅଛି । ହଜାର ହଜାର ଟଙ୍କା ଉପାର୍ଜନ କରୁଥିବା ବଡ଼ ବଡ଼ ବାବୁମାନେ ବି ପ୍ରୟୋଜନ ହେଲେ ଅଚିହ୍ନା ଅଜଣା ଲୋକଙ୍କ ପାଖେ ହାତ ବଢ଼େଇବାକୁ ସଙ୍କୋଚ ବୋଧ କରନ୍ତି ନାହିଁ ।

 

ନିକଟରେ ସିଦ୍ଧାର୍ଥର ଜଣେ ବନ୍ଧୁ କହୁଥିଲେ, ଗୋଟାଏ ଜିଲ୍ଲାର ଜଣେ ଉଚ୍ଚ ଅଧିକାରୀଙ୍କ ଭାଇ ବାହାଘର ବେଳେ ଏହି ‘ମାଗଣ’ ବ୍ୟବସ୍ଥା କିମିତି ପୁରୁଣା ରେକର୍ଡକୁ ଟପି ଯାଇଥିଲା । ପୁରୁଣାକାଳିଆ ରାଜାରାଜୁଡ଼ା କାରବାର ଭଳି ଥିଲା ଏ ଅଧିକାରୀଙ୍କ କାରବାର । ତାଙ୍କ ଅଧୀନରେ ଥିବା ସବୁ ଅଫିସରଙ୍କୁ ଲଗେଇ ଦିଆଯାଇଥିଲା ଏ କାମରେ । କିଏ ଛେନା ଆଣିଲା ତ କିଏ ମାଛ, କିଏ ବାଣ ରୋଶଣି ଆଣିଲା ତ କିଏ ଗହଣାପତ୍ର, କିଏ ଶାଢ଼ି ଆଣିଲା ତ ଆଉ କିଏ ଗାଡ଼ିଘୋଡ଼ା । ସବୁ ବ୍ୟବସ୍ଥା ହୋଇଗଲା ଏଇ ପ୍ରକ୍ରିୟାରେ । ଅଧିକାରୀଙ୍କୁ କିଛି କରିବାକୁ ପଡ଼ିଲା ନାହିଁ ।

 

ଏସବୁ ଦେଖିଲାବେଳେ ନିଜ ଜାତିର ଆତ୍ମସମ୍ମାନବୋଧ ନେଇ ସିଦ୍ଧାର୍ଥର ଦୁଃଖ ଆସେ । ମନେହୁଏ ଏମାନେ କୋଣାର୍କ ଓ ଶ୍ରୀମନ୍ଦିର ଗଢ଼ିଥିବା କି ଗଙ୍ଗାରୁ ଗୋଦାବରୀ ଜିଣିଥିବା ଓଡ଼ିଆଙ୍କର ଦାୟାଦ ନୁହନ୍ତି ଆଦୌ, ବରଂ ଏକ ଐତିହାସିକ ଭିକାରି ସଂପ୍ରଦାୟର ଲଜ୍ଜାହୀନ ଉତ୍ତରାଧିକାରୀ, ଯେଉଁମାନେ ଶହ ଶହ ବର୍ଷ ପରେ ବି ହାତରୁ ଭିକ୍ଷାଥାଳ ଓହ୍ଲେଇବାକୁ ପ୍ରସ୍ତୁତ ନୁହନ୍ତି ।

Image

 

ପ୍ରତିବାଦ

 

ଚକଚକିଆ ଡ୍ରଇଂରୁମ୍‌ ଭିତରେ ସାମାନ୍ୟ ଚଢ଼େଇଟା ଆସି ବସା ବାନ୍ଧିବ, ସ୍କାଇଲାଇଟ୍‌ ଖୋପରେ ଯାବତୀୟ ଅଇଁଠା ଦାନ୍ତକାଠିଠୁ ଆରମ୍ଭ କରି ଘାସକୁଟା ଗଦେଇବ, ଏକଥା କୌଣସି ଗୃହସ୍ୱାମୀର ଦେହରେ ଯାଆନ୍ତା କି ? ଗତ ବର୍ଷ ଏତିକିବେଳେ ଚଢ଼େଇ ଦୁହେଁ ଆସି ଘରଟାକୁ ନାରଖାର କରିଦେଇଥିଲେ । ବସା ବାନ୍ଧିଲେ, ଡିମ୍ବ ପାରିଲେ, ପୁଣି ଡିମ୍ବରୁ ଛୁଆ ଫୁଟି ଖଣ୍ଡିଉଡ଼ା ଦେବାବେଳ ଯାଏ ସେମାନେ ଡ୍ରଇଂରୁମ୍‌ର ସେଇତକ ଜାଗାକୁ ପୂରାପୂରି ଦଖଲ କରି ରହିଲେ । ସେମାନଙ୍କର ମଇଳା, ଡିମ୍ବଖୋଳପା, ଆହାର ପୋକଜୋକର ଅବଶେଷ ଏବଂ ସର୍ବୋପରି ବେଶ୍‌ ବଡ଼ ବସାରୁ ବେଳ-ଅବେଳେ ଖସୁଥିବା କାଠିକୁଟା ମାସ ଗୋଟାକ ପର୍ଯ୍ୟନ୍ତ ଘରଟାକୁ ଅପରିଚ୍ଛନ୍ନ କରି ରଖିଥିଲା । ତା ସାଙ୍ଗକୁ ବିରାଡ଼ି କବଳରୁ ସେମାନଙ୍କ ଛୁଆମାନଙ୍କୁ ବଞ୍ଚେଇବାପାଇଁ ପରିବାରର ସର୍ବ କନିଷ୍ଠ ସଦସ୍ୟଟିର ଅସାମାନ୍ୟ ତତ୍ପରତା, କାଳେ ପଙ୍ଖା ଘୂରିଲେ ବାରମ୍ବାର ଘରବାହାର ଯା’ଆସ ହେଉଥିବା ବାପା ଚଢ଼େଇ କି ମା ଚଢ଼େଇ ଡେଣାରେ ବାଜିବ ବୋଲି ଯେତେସବୁ କଟକଣା ଭିତରେ ସିଦ୍ଧାର୍ଥ ନାକେଦମ୍‌ ହୋଇଯାଇଥିଲେ ।

 

ଏବର୍ଷ ପୁଣି ଚଢ଼େଇ ଦୁଇଟି ଆସି ବସାବାନ୍ଧିବାର ଉପକ୍ରମ କଲେଣି । ନା, ଏମାନଙ୍କୁ ମୁହଁ ଦେଇ ବଡ଼ ଭୁଲ୍‌ ସେ କରିଛନ୍ତି । ସକାଳୁ ଉଠି ଘରେ ଆଉ କେହି ଉଠିବା ଆଗରୁ ଲମ୍ବା ଝାଡ଼ୁଟାଏ ଧରି ସିଦ୍ଧାର୍ଥ ଏଇମାତ୍ର ଆରମ୍ଭ ହେଇଥିବା ଚଢ଼େଇବସାର ନିର୍ମାଣ ସାମଗ୍ରୀତକ ଓଳେଇ ଆଣିଲେ । ମେଞ୍ଚାଏ ହୋଇ ଶୁଖିଲା ଘାସ ଓ କୁଟା କେରାକ ଖସି ଆସିଲା । ଚଟ୍‌କିନା ନେଇ ସେଗୁଡ଼ାକ ତଳକୁ ଫିଙ୍ଗିଦେଇ ଆସିଲା ପରେ ଟିକିଏ ଆଶ୍ୱସ୍ତ ହେଲେ ସେ । ଚଢ଼େଇ ଦିଇଟିଙ୍କର ଟିକିଏ ସ୍ୱାଭିମାନ ଥିଲେ ସେମାନେ ଆଉ କଦାପି ଏ ଜାଗାକୁ ଆସିବେ ନାହିଁ !

 

ସନ୍ଧ୍ୟାବେଳେ ସେ ଘରକୁ ଫେରିବା ମାତ୍ରକେ ଆଖିଯୋଡ଼ିକ ତାଙ୍କର ଆପଣାଛାଏଁ ସ୍କାଇଲାଇଟ୍‌ ପାଖ ସେଇ ଜାଗାଟା ଉପରକୁ ଚାଲିଗଲା । ଆଶ୍ଚର୍ଯ୍ୟ ! ପୁଣି ଯେଉଁ କଥାକୁ ସେଇ କଥା । ସକାଳଠାରୁ ବରଂ ଅଧିକ କୁଟାକାଠି ସେ ଜାଗାଟିରେ ମହଜୁଦ୍‌ ହେଇସାରିଥିଲା । ଚା’ କପ୍‌ଟିକୁ ସେ ଟି-ପୟ ଉପରେ ରଖିଦେଇ ଝାଡ଼ୁଟା ଆଣିବାକୁ ଉଠିଯାଉଥିଲେ । ନଜର ପଡ଼ିଲା ସାନ ଝିଅ ଉପରେ, ସେ ଚଢ଼େଇ ଦି ପରାଣୀଙ୍କ ଓକିଲ । ଥାଉ, ପରେ ଦେଖାଯିବ । ପରଦିନ ସକାଳୁ, ବିଛଣାରୁ କେହି ଉଠିବା ଆଗରୁ ସିଦ୍ଧାର୍ଥ ଉଠିପଡ଼ିଲେ । ଥିର୍‌କିନା ଯାଇ ଘରକୋଣରୁ ଖୋଜିଆଣିଲେ ଝାଡ଼ୁଟାକୁ । ଉଦ୍ୟତ କୃପାଣ ଭଳି ଟେକିଧରିଲେ ଝାଡ଼ୁଟାକୁ ନିଜେ ଏବଂ ଟେବୁଲ୍‌ ଉପରକୁ ଚଢ଼ିଗଲେ ଅଶ୍ୱାରୋହଣର ଭଙ୍ଗୀରେ । ହୁଁ, ଗୋଟାଏ ଫାର୍ଶ ଲାଗିଛି । ରୁହ, ଏଇନେ ଦେଖୁଛି ବୋଲି ମନେ ମନେ ହୁଙ୍କାର ଦେଲେ ।

 

ମାତ୍ର ଟେବୁଲ୍‌ ଉପରକୁ ଉଠି ପ୍ରସ୍ତାବିତ ଚଢ଼େଇବସା ଭିତରକୁ ଚାହିଁବା ମାତ୍ରେ ସିଦ୍ଧାର୍ଥଙ୍କର ବିସ୍ମୟର ସୀମା ରହିଲା ନାହିଁ । ଦୁଇଟିଯାକ ବାପ ଓ ମାଆ ଚଢ଼େଇ ତାଙ୍କରି ଆଡ଼କୁ ଚାହିଁଛନ୍ତି ନିରବରେ ସତ୍ୟାଗ୍ରହୀ ମୁଦ୍ରାରେ । ସେମାନେ ଯେପରି କହିବାକୁ ଚେଷ୍ଟା କରୁଛନ୍ତି, ତମର କ୍ଷମତା ଅଛି, ତୁମେ ଆମକୁ ଏଠୁ ଉଚ୍ଛେଦ କରିପାର । ମାତ୍ର ଆମେ ଏ ଅସହାୟ ଅବସ୍ଥାରେ ଯିବୁ କୁଆଡ଼େ ? ତମ ମଣିଷମାନଙ୍କ ପାଇଁ ସିନା ଅଛି ଡାକ୍ତରଖାନା ଓ ନର୍ସିଂହୋମ୍‌ । ଇଣ୍ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌ ଓ ଆମ୍ବୁଲାନ୍ସ । ଆମ ପାଇଁ ସେସବୁ କିଛି ନାହିଁ । ସେଇଥିପାଇଁ ଆମେ ତମର ଦ୍ୱାରସ୍ଥ ହେଇଛୁ । ଇମିତିକା ଅସଜ ଅବସ୍ଥାରେ ଆମେ କୁଆଡ଼େ ଯିବୁ ବା କିପରି ?

 

ସିଦ୍ଧାର୍ଥଙ୍କ ଆଖି ଆଗରେ ନାଚିଯାଉଥିଲା ଆସନ୍ନପ୍ରସବା ନିଜ ପତ୍ନୀଙ୍କର ଯନ୍ତ୍ରଣାମଥିତ ଚେହେରା । ପ୍ରସୂତି ଭବନରୁ ତାଙ୍କର କରୁଣ ଚିତ୍କାର ତାଙ୍କ ପିତୃତ୍ୱକୁ ଥରେଇ ଦେଇଥିଲା ସେଦିନ-

 

ସେ ଝାଡ଼ୁଟାକୁ ଆଉ ଟିକିଏ ପାଖକୁ ନେଇଗଲେ ଚଢ଼େଇ ଦିଇଟିଙ୍କର । ପାଗଳ ନା କ’ଣ ସେମାନେ, ଚଙ୍କିବାର ନାଆଁ ବି ନେଉ ନାହାନ୍ତି !

 

ପରାଜୟ, ଗ୍ଳାନି ଏବଂ ଅପରାଧବୋଧରେ ଜୁଡ଼ୁସୁଡ଼ୁ ସିଦ୍ଧାର୍ଥ ଅବଶେଷରେ ଟେବୁଲ୍‌ ତଳକୁ ଓହ୍ଲେଇ ଆସିଲେ । ଭିଟାମାଟି ପ୍ରତି ମୋହ, ଅଧିକାର ସାବ୍ୟସ୍ତପାଇଁ ଗଣଆନ୍ଦୋଳନ, ଧାରଣା, ଧର୍ମଘଟ, ଅନଶନ ଓ ସତ୍ୟାଗ୍ରହର ଅନେକ ରୂପ ସେ ଦେଖିଛନ୍ତି ରାଜପଥରେ, ପଢ଼ିଛନ୍ତି ସମ୍ବାଦପତ୍ର ପୃଷ୍ଠାରେ । ଅଥଚ ଏ ଚଢ଼େଇ ଦିଇଟିଙ୍କର ଏ ଶାନ୍ତ ଅଥଚ ଦୁର୍ବିନୀତ ପ୍ରତିବାଦ ପରି ପ୍ରତିବାଦ କଦାପି ସେ ପ୍ରତ୍ୟକ୍ଷ କରି ନ ଥିଲେ ଏଥିପୂର୍ବରୁ ।

 

ଟେବୁଲ୍‌ ଉପରୁ ଖପ୍‌ କରି ଡେଇଁ ପଡ଼ିଲାବେଳକୁ ପାଖରେ ଛିଡ଼ା ହେଇଛି ସାନ ଝିଅ, କେତେବେଳୁ ସେ ଉଠିଆସି ଚୁପ୍‌ଚାପ୍‌ ଠିଆ ହେଇ ଏସବୁ ଦେଖୁଛି । ତଳକୁ ଓହ୍ଲାଇବା କ୍ଷଣି ସେ ପଚାରିଲା, “କଣ କରୁଥିଲ କି ବାପା ?”

 

ଅପ୍ରସ୍ତୁତ ସିଦ୍ଧାର୍ଥ ଉତ୍ତର ଦେଲେ, ‘ନାଇଁ କିଛି ନୁହେଁ, କାଳେ ଚଢ଼େଇ ଦିଇଟିଙ୍କର କିଛି ଅସୁବିଧା ହେଉଥିବ, ସେଇଆ ଦେଖୁଥିଲି । ଯେତେହେଲେ ସେମାନେ ଆମର କୁଣିଆ ତ !’

 

ଝିଅ ପ୍ରସନ୍ନ ଦିଶିଲା ।

 

କିଛି ମୁହୂର୍ତ୍ତ ଆଗରୁ ଉଦ୍ୟତ ଖଡ୍‌ଗ ଭଳି ପ୍ରତୀୟମାନ ଝାଡ଼ୁଟି ଚଟାଣ ଉପରେ ଅତ୍ୟନ୍ତ ଅସହାୟ ଭାବେ ଲୋଟୁଥିଲା ।

Image

 

ମୃତ ସହର

 

ଏତେ ରାତିରେ ଅଧୈର୍ଯ୍ୟ ହୋଇ କବାଟ ବାଡ଼ଉଛି କିଏ ? ଏମିତି ଏକ ବିସ୍ମୟଭାବ ନେଇ ଦୁଆର ଖୋଲିଲା ବେଳକୁ ପଡ଼ୋଶୀ ପଟ୍ଟନାୟକବାବୁ ଓ ତାଙ୍କ ପରିବାରର ଦି ତିନି ଜଣ ସଭ୍ୟ । ସେମାନଙ୍କ ମୁହଁର ଥମଥମ ଭାବ ଓ ବ୍ୟସ୍ତତା ଯେ କେହି ଲୋକ ସେମାନଙ୍କୁ ଦେଖିବାମାତ୍ରେ ବୁଝିପାରିବ । ରୁଦ୍ଧଶ୍ୱାସ ପ୍ରତିବେଶୀ କହିଲେ, ‘ଆମ ଝିଅ ସିରିୟସ୍‌ । ଟିକିଏ ଆମ୍ବୁଲାନ୍ସପାଇଁ ଫୋନ୍‌ କରନ୍ତେ ନାହିଁ ?’

 

ଫୋନ୍‌ ? ଫୋନ୍‌ କାହିଁ ?

 

ପଟ୍ଟନାୟକ ବାବୁଙ୍କ କଥା ବୁଝିପାରିଲା ସିଦ୍ଧାର୍ଥ । ପ୍ରାୟ ତିନି ମାସ ତଳେ ଟେଲିଫୋନ ବିଭାଗର ଦୁଇ ଜଣ ଆସି ନିକଟବର୍ତ୍ତୀ ଟେଲିଫୋନ ଖୁଣ୍ଟରୁ ତାଙ୍କ ଘରଯାଏ ଟାଣି ଦେଇଥିଲେ ତାର ଖଣ୍ଡେ । ‘ଆସନ୍ତାକାଲି ଆସି ଫୋନ୍‍ ଲଗାଇଯିବୁ’ କହି ସେମାନେ ବକ୍‌ସିସ ନେଇ ଚାଲିଯାଇଥିଲେ । ତିନି ମାସ ବିତିଗଲାଣି ଆଉ କେହି ସେ ବିଭାଗରୁ ଆସି ନାହିଁ । ସେଇ ତାରକୁ ଦେଖି ତା ଘରେ ଫୋନ୍‌ ଥିବା କଥା ଭାବିଛନ୍ତି ପଟ୍ଟନାୟକ ବାବୁ ।

 

ତେବେ ପଟ୍ଟନାୟକ ବାବୁଙ୍କୁ ଏପରି ପରିସ୍ଥିତିରେ ଏତେ କଥା କହିବା ସନାତନ ଉଚିତ ମଣୁ ନ ଥିଲା । କଲୋନୀର ସେ ମୁଣ୍ଡେ ରହୁଛନ୍ତି ଆଉ ଜଣେ ବନ୍ଧୁ । ତାଙ୍କ ଘରେ ଫୋନ୍‌ ଅଛି । ‘ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ଯାଇ ସେଇଠୁ ଆମ୍ବୁଲାନ୍ସ ପାଇଁ ଫୋନ୍‌ କରିଦେଉଛି’ ସେ ଉତ୍ତର ଦେଲା ।

 

ପଟ୍ଟନାୟକବାବୁ ଟିକିଏ ଆଶ୍ୱସ୍ତ ହେଲେ, ବୁଡ଼ିଗଲା ଲୋକ କୁଟା ଖଣ୍ଡେ ଆଶ୍ରା ପାଇଲା ପରି ।

 

–ଆଜ୍ଞା ରେଡକ୍ରସ ଆମ୍ବୁଲାନ୍ସ ? ଆମ କଲୋନୀରେ ଝିଅଟିଏର ଦେହ ହଠାତ୍‌ ସିରିୟସ ହୋଇପଡ଼ିଛି । ସ୍କୁଟର କିମ୍ବା ମଟରସାଇକେଲରେ ତାକୁ ହସପିଟାଲ ନେବାପାଇଁ ଡାକ୍ତର ମନା କରୁଛନ୍ତି । ଟିକିଏ ଆମ୍ବୁଲାନ୍ସ ପଠାଇବେ ଦୟାକରି ।

 

ଆମର ଆଜ୍ଞା ସବୁ ଆମ୍ବୁଲାନ୍ସ ଖରାପ । ଧଡ୍‌କରି ସେପଟୁ ଟେଲିଫୋନ ରଖି ଦେବାର ଶବ୍ଦ । କିଛି ସମୟ ପୂର୍ବରୁ ନିଜକୁ ଦେବଦୂତ ମଣୁଥିବା ସିଦ୍ଧାର୍ଥ ହଠାତ୍‌ ଅସହାୟ ହୋଇପଡ଼ିଲା ।

 

ସେ ପୁଣି ଥରେ ଫୋନ୍‌ ଉଠେଇଲା ।

 

–ୟୁନିଟ୍‌ ସିକ୍ସ ହସପିଟାଲ୍‌ ?

 

–ରଙ୍ଗ୍‌ ନମ୍ବର ।

 

ପୁଣି ଥରେ ନମ୍ବର ମିଳେଇ ଗଣି ଗଣି ଡାଏଲ କଲା ସିଦ୍ଧାର୍ଥ । ଏଥର କାନପାଖେ ଗୋଟେ ନାରୀକଣ୍ଠ ଶୁଣିଲା, ଦିସ୍‌ ଟେଲିଫୋନ ନମ୍ବର ଡଜ୍‌ ନଟ୍‌ ଏକଜିଷ୍ଟ । ଆଶ୍ଚର୍ଯ୍ୟ । କ’ଣ ହେଉଛି ଆଜି ସମସ୍ତଙ୍କର ?

 

ସିଦ୍ଧାର୍ଥର ମୁଣ୍ଡ ଚକ୍‌କର କାଟିଦେଲା । ଘରପାଖେ ପଟ୍ଟନାୟକବାବୁଙ୍କ ପରିବାର ଲୋକଙ୍କ ଧାଁ ଦଉଡ଼, ତା ଉପରେ ଆରୋପିତ ଭରସା, ରେଡକ୍ରସ୍‌ବାଲାଙ୍କ ଦାୟିତ୍ୱହୀନ ଉଦାସୀନତା ସବୁ ମିଶିମାଶି ତାକୁ ଅସହାୟ କରିଦେଉଥିଲା ।

 

କଣ କରାଯାଇପାରେ ରାତି ବାରଟାରେ ? ଚାରି କିଲୋମିଟର ଦୂରର ଡାକ୍ତରଖାନାକୁ ନେବାପାଇଁ ସେ କଣ କରିପାରିବ ବର୍ତ୍ତମାନ ?

 

ବହୁ କଷ୍ଟରେ ଜଣେ ଦୟାଶୀଳ ପଡ଼ୋଶୀଙ୍କ ସହାୟତାରେ ରାତି ଗୋଟାଏ ବେଳେ ସିଦ୍ଧାର୍ଥ ରୋଗୀକୁ ନେଇ ଡାକ୍ତରଖାନାରେ ପହଞ୍ଚି ସେଠି ଦେଖିଲା ଆଉ ଏକ ଅଭାବିତ ଦୃଶ୍ୟ । ସେ ଦୃଶ୍ୟଟି ତା ନିଜର ଦୁର୍ଦ୍ଦଶାଠାରୁ ଏତେ କରୁଣ ଥିଲା ଯେ ସେ କ୍ଷଣକାଳ ପାଇଁ ନିଜର ଦୁଃଖ ଭୁଲିଗଲା । ନୟାପଲ୍ଲୀ ଅଞ୍ଚଳର ଦୁଇ ଭାଇ ଲୁନାଟିଏରେ ବସେଇ ବସେଇ ଆଣିଥିଲେ ଜଣେ ଆସନ୍ନପ୍ରସବା ମହିଳାକୁ । ମହିଳାର ସ୍ୱାମୀ ସ୍ତ୍ରୀକୁ ବସେଇଥିଲେ ଲୁନା ଉପରେ । ଯନ୍ତ୍ରଣାକାତର ସ୍ତ୍ରୀଲୋକଟି ସ୍ୱାମୀର କାନ୍ଧ ଉପରେ ଅଜାଡ଼ି ହେଇ ପଡ଼ିରହିଥିଲା । ସାନଭାଇଟି ସେହି ପ୍ରଚଣ୍ଡ ଶୀତ ରାତିରେ ଗଡ଼େଇ ଗଡ଼େଇ ଆଣିଥିଲା ଲୁନାଖଣ୍ଡକ ଏତେ ଦୂର ।

 

–ବହୁତ ଥର ଫୋନ୍‍ କଲୁ ଆଜ୍ଞା, କେହି ଶୁଣୁ ନାହାନ୍ତି । ରାତି ବାରଟାରେ କଣ କରିଥାନ୍ତୁ-?

 

–ରେଡ୍‌କ୍ରସ ଫୋନ୍‍ କରିଥିଲେ ?

 

–ଛାଡ଼ନ୍ତୁ ଆଜ୍ଞା ! ରେଡକ୍ରସ, ଡାକ୍ତରଖାନା, ଆମ୍ବୁଲାନ୍ସ ସବୁ ବଡ଼ବଡ଼ିଆଙ୍କ ପାଇଁ । ଏମାନଙ୍କ କୁମ୍ଭୀର କାନ୍ଦଣା ଗରିବଗୁରୁବାଙ୍କୁ ଖାଲି ଭଣ୍ଡେଇବା ଛଡ଼ା ଆଉ କଣ କରିଥାଏ କି ?

 

ଡିସେମ୍ବରର ସେହି ପ୍ରଚଣ୍ଡ ଶୀତରାତିରେ ଛଅ ନମ୍ବର ହସପିଟାଲର କ୍ୟାମ୍ପସ ଭିତରେ ସାଧାରଣ ପରିବାର ଦୁଇଟିର ଏହି ଅସହାୟତା କଥା ଚିନ୍ତା କଲାବେଳକୁ ବାରମ୍ବାର ସିଦ୍ଧାର୍ଥର ମନେପଡ଼ୁଥିଲା କିଛିଦିନ ତଳେ ପଢ଼ିଥିବା ଗୋଟାଏ ଖବର । ସେ ଖବରଟି ଏକ ବିଶିଷ୍ଟ ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା । ଭବାନୀପାଟଣାରେ ଆୟୋଜିତ ଏକ ସଭାରେ ଭାଷଣ ଦେଲାବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନାକରେ ଢେଲାଟିଏ ବାଜି ସାମାନ୍ୟ ରକ୍ତସ୍ରାବ ହେଇଥିଲା । ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କର ଏଇ ଆଘାତ ସମ୍ବାଦ ପାଇ ରାଜଧାନୀରୁ ଜଣେ ବିଶେଷଜ୍ଞ ଡାକ୍ତରଙ୍କୁ ସ୍ୱତନ୍ତ୍ର ବିମାନରେ ନେଇ ଉଡ଼ି ଯାଇଥିଲେ କଳାହାଣ୍ଡି । ସେଦିନର ସେ ସମ୍ବାଦଟି ପଢ଼ିଲାବେଳେ ଦିଇଟି କଥା ସନାତନର ମୁଣ୍ଡ ଭିତରେ ଖେଳି ବୁଲିଥିଲା । ସତରେ କଣ କଳାହାଣ୍ଡିରେ ସାମାନ୍ୟ ରକ୍ତସ୍ରାବର ଚିକିତ୍ସା ପାଇଁ ଡାକ୍ତର ଜଣେ ନାହାନ୍ତି, ଯେଉଁଥିପାଇଁ ରାଜଧାନୀରୁ ସ୍ୱତନ୍ତ୍ର ବିମାନ ଯୋଗେ ବିଶେଷଜ୍ଞଙ୍କୁ ନେବାପାଇଁ ପଡ଼ିଲା ? କଳାହାଣ୍ଡିରେ ପିଲା ଜନ୍ମ ହେଉଛନ୍ତି, ସଡ଼କ ଦୁର୍ଘଟଣାରେ ଆହତ ହେଉଛି ପଥଚାରୀ, ଦୁରାରୋଗ୍ୟ ବ୍ୟାଧିର ଶିକାର ହେଉଛି ସାଧାରଣ ଜନତା । ସେମାନଙ୍କ ଚିକିତ୍ସା କରୁଛି ତାହେଲେ କିଏ ? ଦ୍ୱିତୀୟଟି ହେଲା, କୌଣସି ସାଧାରଣ ଲୋକ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଏପରି ପଡ଼ିଥିଲେ ମାନ୍ୟବର ମନ୍ତ୍ରୀ ଏପରି ଜଣେ ବିଶେଷଜ୍ଞଙ୍କୁ ପଠାଇବା କଥା ଚିନ୍ତା କରିଥାନ୍ତେ କି ? କେତେ ଭଲ ହୁଅନ୍ତା ଯଦି ମୁଖ୍ୟମନ୍ତ୍ରୀଙ୍କ ଯନ୍ତ୍ରଣା ଓ ସାଧାରଣ ମଣିଷଟିର ଯନ୍ତ୍ରଣାକୁ ଏକା ନିକିତିରେ ତଉଲା ଯାଇପାରନ୍ତା ?

 

ମାତ୍ର କଳାହାଣ୍ଡି ତ ଅନେକ ଦୂରର କଥା, ଖୋଦ୍‌ ରାଜଧାନୀର ବାସିନ୍ଦାଏ ଯେ ସାଧାରଣ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ସେ ନେଇ ସିଦ୍ଧାର୍ଥର ଏବେ ସନ୍ଦେହ ନ ଥିଲା । ଯେଉଁମାନଙ୍କ ପାଖେ ଅର୍ଥବଳ ଅଛି, ସେମାନଙ୍କ ପାଖେ ସରକାରୀ, ବେସରକାରୀ ସବୁପ୍ରକାର ସ୍ୱାସ୍ଥ୍ୟ ସେବା ଅବଶ୍ୟ ପହଞ୍ଚୁଛି । ମାତ୍ର ନିର୍ବାଚିତ ପ୍ରତିନିଧି, ଲୋକପ୍ରିୟ ସରକାର କିମ୍ବା ଦୟାର୍ଦ୍ର ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ଉପରେ ଭରସା କରୁଥିବା ସାଧାରଣ ଲୋକଙ୍କ ପାଇଁ ଏ ସହର କ’ଣ ? କେବଳ ଏକ ମୃତ ସହର–ସିଦ୍ଧାର୍ଥ ନିଜକୁ ନିଜେ ଉତ୍ତର ଦେଲା ।

Image

 

କୁକୁଡ଼ା ଲଢ଼େଇ

 

ବିଛଣାରୁ ବୁବୁନ୍‌କୁ ତାର ମାଆ ଯେମିତି ଘୋଷାଡ଼ି ଘୋଷାଡ଼ି ତଳକୁ ନେଇ ଆସୁଥିଲେ ସେ ଦୃଶ୍ୟଟା ଦେଖି ସିଦ୍ଧାର୍ଥର ହଠାତ୍‌ ମନେ ପଡ଼ିଗଲା ପ୍ରିୟଦର୍ଶିନୀ ମାର୍କେଟର କୁକୁଡ଼ା ବିକାଳି କଥା । ସେଦିନ ସଞ୍ଜବୁଡ଼େ ସେ ସେମିତିକା ଦୃଶ୍ୟଟେ ଦେଖିଥିଲା ଶୋହନ୍‌ ଚାଚାର ଦୋକାନରେ-। କୁଙ୍କୁରିକାଙ୍କୁରି ଘାଲେଇଥିବା କୁକୁଡ଼ାର ଡେଣାଟା ଧରି ଶୋହନ୍‌ ଚାଚା ଭିଡ଼ି ଆଣିବାର ଦୃଶ୍ୟଟା ଖୁବ୍‌ କଷ୍ଟ ଦେଇଥିଲା ସିଦ୍ଧାର୍ଥକୁ । ତେବେ ସେଇଟି ଥିଲା ଖାଦ୍ୟ-ଖାଦକର ସମ୍ପର୍କ କଥା । ଜୀବନର ସବୁ ଛକରେ, ସବୁ ଗଳି ଉପଗଳିରେ ଆବେଗ ଓ ଭାବପ୍ରବଣତାର ଅର୍ଥ ଖୋଜା ଯାଏ ନାହିଁ ।

 

କିନ୍ତୁ ବୁବୁନ୍‌ର ଡେଣା ଧରି ବର୍ଷାଧୁଆ କାଲୁଆ ସକାଳଟାରେ ତା ମାଆର ଭିଡ଼ାଓଟରା ଦୃଶ୍ୟ ସିଦ୍ଧାର୍ଥକୁ କଷ୍ଟ ଦେଉଥିଲା । କାଲି ରାତିରେ ଅଝଟ କରି ଡେରିରେ ଶୋଇଛି ବୁବୁନ୍‌ । ସକାଳ ଛଅଟା ବାଜିଛି । ଆକାଶରେ ମେଘ ଖୁନ୍ଦିହେଇ ବାହାରଟା ଝାପ୍‌ସା ଝାପ୍‌ସା ଦିଶୁଛି । ପିଲାଟା ଆଉ କିଛି ସମୟ ଶୁଅନ୍ତା ପରା ! ସିଦ୍ଧାର୍ଥ ସେ କଥା କହିପାରିଲା ନାହିଁ । ବୁବୁନ୍‌ ନିଦ ମଳମଳ ଆଖି ଓ କାନ୍ଦୁରା କାନ୍ଦୁରା ମୁହଁରେ ଭିଡ଼ାହେଇ ଯାଉଥିଲା ବାଥ୍‌ରୁମ୍‌କୁ । ସେଇଠୁ ଖାଇବା ଟେବୁଲକୁ ଓ ଖାଇବା ଟେବୁଲରୁ ବାହାର ବାରନ୍ଦାକୁ । ସିଦ୍ଧାର୍ଥ ଲକ୍ଷ୍ୟ କରୁଥିଲା ସାଢ଼େ ତିନିବର୍ଷର ବୁବୁନ୍‌ କେମିତି ସର୍କସର କୁକୁର ଛୁଆଟେ (ବୁବୁନ୍‌ର ଆଗକୁ ଝୁଙ୍କି ପଡ଼ିଥିବା ବାଳ କେରାକ ଯୋଗୁଁ ସିଦ୍ଧାର୍ଥକୁ ବୁବୁନ୍‌ ଦିଶେ ଛୋଟ କୁକୁରଛୁଆଟେ ପରି) ଭଳି ଟଣାହୋଇ ଯାଉଛି ଏଘରୁ ସେଘର । ତାର ଏତେ ସକାଳୁ ସକାଳୁ ଖାଇବାକୁ ଇଚ୍ଛା ହେଉ ନାହିଁ, ସେ ଖାଉଛି । ଓଜନିଆ ସ୍କୁଲବ୍ୟାଗ୍‌ଟା କାନ୍ଧେଇବାକୁ ଇଚ୍ଛା ହେଉ ନାହିଁ, କିନ୍ତୁ ତାକୁ ବୋହିବାକୁ ପଡ଼ିବ । ଇଚ୍ଛା ଅନିଚ୍ଛାର କିଛି ମୂଲ୍ୟ ନାହିଁ-। ସେ ଏସବୁ ଶୃଙ୍ଖଳା ମାନିବାକୁ ବାଧ୍ୟ ।

 

ହଉ, ସବୁ ପିଲା ତ ପୁଣି ଶୃଙ୍ଖଳା ମାନୁଛନ୍ତି । ଅପତ୍ୟ ସ୍ନେହାତିଶଯ୍ୟ ଯୋଗୁଁ ଏଭଳି ଟିକିଟିକି ସମସ୍ୟା ନେଇ ସିଦ୍ଧାର୍ଥ ବିବ୍ରତ ହେବା ଉଚିତ ନୁହେଁ । ଏମାନେ ଶୃଙ୍ଖଳା ଭିତରେ ବଢ଼ିଲେ ହିଁ ବଡ଼ ମଣିଷ ହେବେ । ଭବିଷ୍ୟତର ନିରାପତ୍ତା ନେଇ ବାପମାଆଙ୍କୁ ଧନ୍ଦିହେବାକୁ ପଡ଼ିବ ନାହିଁ । ସିଦ୍ଧାର୍ଥ ବୁବୁନ୍‌ର ପରାଧୀନ ଶୈଶବ ପ୍ରତି ସମବେଦନା ଜଣାଇ ନୀରବ ରହୁଥିଲା ।

 

ବୁବୁନ୍‌ ସ୍କୁଲ୍‌ ଫାଟକ ଡେଇଁ ବଡ଼ ବଡ଼ ପାହୁଣ୍ଡରେ ଚାଲିଯାଉଥିଲା ଶ୍ରେଣୀଘର ଆଡ଼େ । ସ୍କୁଲ ପଡ଼ିଆରେ ଏକା ୟୁନିଫର୍ମରେ ଶହ ଶହ କୁନି ମଣିଷ । ସିଦ୍ଧାର୍ଥର ପିତୃତ୍ୱ ସମ୍ପ୍ରସାରିତ ହୋଇଯାଉଥିଲା ବୁବୁନ୍‌ର ସବୁ ସତୀର୍ଥମାନଙ୍କପାଇଁ । କେତେ କମ୍‌ ବୟସରୁ ଏମାନଙ୍କୁ ସ୍କୁଲ, ରୁଟିନ୍‌, ଓଜନିଆ ବ୍ୟାଗ, ପାଣି ବୋତଲ, ଟିଫିନ୍‌ ବକ୍ସ ପରି ଯାବତୀୟ ଦାୟିତ୍ୱ ମୁଣ୍ଡେଇବାକୁ ପଡ଼ୁଛି ! ପଛରୁ କେହି ଜଣେ ସିଦ୍ଧାର୍ଥକୁ ଡାକୁଥିଲା । ବୁବୁନ୍‌କୁ ପ୍ରତିଦିନ ଛାଡ଼ିବା ଓ ଆଣିବା ଭିତରେ ସିଦ୍ଧାର୍ଥର ଆଉ ଚାରି ପାଞ୍ଚ ଜଣ ବାପାଙ୍କ ସଙ୍ଗେ ଚିହ୍ନାପରିଚୟ ହୋଇଗଲାଣି । ମୃତ୍ୟୁଞ୍ଜୟ କହୁଥିଲେ, ଆଜି ତାଙ୍କ ଝିଅକୁ ତା ମାଆ ସକାଳୁ ସକାଳୁ ଚାପୁଡ଼ାଏ ଦେଇଛି । ସେ ସିନା ତାର ପ୍ରତିବାଦ କରିପାରି ନ ଥିଲେ, କିନ୍ତୁ ସେତେବେଳୁ ମନଟା ଭଲ ଲାଗୁ ନାହିଁ । ଛୋଟ ପିଲା, କଣ ଜାଣୁଛି ?

 

: କିନ୍ତୁ ପିଲାଟାର ଦୋଷ କଣ ?

 

: ସେ ତା କ୍ଲାସରେ ଫାଷ୍ଟ ହେଇ ନାହିଁ, ଏଇ ହେଲା ତାର ଦୋଷ ।

 

ସିଦ୍ଧାର୍ଥ ଭିତରେ ଚମକି ପଡ଼ିଲା । ତାର ମନେ ପଡ଼ିଲା, ବେଳେବେଳେ ଏହି ପ୍ରସଙ୍ଗ ନେଇ ବୁବୁନ୍‌ ବି ତା ମାଆଠୁ ଗାଳିମନ୍ଦ ଶୁଣେ । ବୁବୁନ୍‌ ତା ସେକ୍ସନରେ ସବୁ ୟୁନିଟ୍‌ ଟେଷ୍ଟରେ ଫାଷ୍ଟ ହେବା ଦରକାର, କ୍ଲାସରେ ଫାଷ୍ଟ ହେବା ଦରକାର, ସ୍କୁଲରେ ଫାଷ୍ଟ ହେବା ଦରକାର । ତା ମାଆ ଚାହେଁ, ବୁବୁନ୍‌ ଫାଷ୍ଟ ହେଉ, ସବା ଆଗରେ ରହୁ ସବୁଦିନ, ଆଉ ସମସ୍ତେ ତା’ ପଛରେ । ସିଦ୍ଧାର୍ଥ ବି ବେଳେବେଳେ ସେମିତି ଆଶା କରେ ।

 

ଅଥଚ ମୃତ୍ୟୁଞ୍ଜୟ କହୁଛନ୍ତି, ତାଙ୍କ ଝିଅ କ୍ଲାସରେ ଫାଷ୍ଟ ହେବା ଦରକାର । ସେଇଟା ପୁଣି କେମିତି ସମ୍ଭବ ହେବ ? ନା ନା, ମୃତ୍ୟୁଞ୍ଜୟଙ୍କ ଝିଅ ପଛରେ ରହିବା ଦରକାର । ତାହାହେଲେ ଯାଇ ବୁବୁନ ଆଗରେ ରହିବ ।

 

ସିଦ୍ଧାର୍ଥ ଆଉ ଥରେ ସ୍କୁଲ ପଡ଼ିଆ, ପଡ଼ିଆ ଭିତରେ ଘାସ, ଗଛ ଓ ଗଛମୂଳେ ସ୍କୁଲବ୍ୟାଗଗୁଡ଼ିକୁ ଥୋଇଦେଇ କିଛି ସମୟପାଇଁ ଖେଳକୁଦ କରିନେଉଥିବା କୁନି କୁନି ପୁଅ ଝିଅଙ୍କ ନିଷ୍ପାପ ହସ ହସ ମୁହଁଟିମାନ ଆଡ଼େ ଚାହିଁଲା । ସେମାନଙ୍କ ଚେହେରାରେ ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତାର କୌଣସି ଚିହ୍ନ ନାହିଁ ।

 

ତାହେଲେ ଏଇ ଯେ ଆଗକୁ ମାଡ଼ିଯିବାର ଇଚ୍ଛା ଓ ପ୍ରବଣତା, ଆଉ କାହାକୁ ପଛକୁ ଠେଲିଦେଇ କି କାହାର ଗୋଡ଼ ଟାଣିଧରି ଆଗକୁ ଧାଇଁବାର ଅଥବା ସ୍ୱପ୍ନନିର୍ଭର ଶୈଶବକୁ ଭିଡ଼ିଓଟାରି ଗୋଟାଏ ଯାନ୍ତ୍ରିକ କୃତ୍ରିମତାରେ ପରିଣତ କରିଦେବାପାଇଁ ଯେଉଁ ସବୁ ଅନୁଚିତ ଇଚ୍ଛା, ସେଗୁଡ଼ା କ’ଣ ସିଦ୍ଧାର୍ଥର, ବୁବୁନ୍‌ ମାଆର ଓ ମୃତ୍ୟୁଞ୍ଜୟଙ୍କ ସ୍ତ୍ରୀର ? ସିଦ୍ଧାର୍ଥ ବୁଝିପାରେ ନାହିଁ, କାହିଁକି ସେକ୍ସନର ଚାଳିଶ ପିଲାଙ୍କର ମାଆବାପା ଆଶା କରନ୍ତି, ସେମାନଙ୍କର ପୁଅ କି ଝିଅ କେବଳ ଫାଷ୍ଟ ହେଉ; ଫାଷ୍ଟ ହେଉ ପାଠରେ, ଖେଳକୁଦରେ, ଡ୍ରଇଂରେ, ଗୀତ ନାଟରେ ଆଉ ସବୁଥିରେ । ଏମିତି କଣ ହୁଏ ? ସମସ୍ତେ ଫାଷ୍ଟ ହେବା ଘଟଣାଟା ଯେ ସମ୍ଭବ ନୁହେଁ, ସେ କଥା କେହି ବୁଝନ୍ତି ନାହିଁ କାହିଁକି ? ନିଜେ ସିଦ୍ଧାର୍ଥ ବୁଝେ କି ? ନାଇଁ, ସେ ଆଶା କରେ ମୃତ୍ୟୁଞ୍ଜୟ କଥାଟାକୁ ବୁଝୁ, ସେ ନୁହେଁ । ସ୍କୁଟରର ଚାବି ଖୋଲିବା ବେଳେ ଦେଖାହେଲେ ବୈଜୟନ୍ତ । ମୁହଁ ହସହସ । ବୈଜୟନ୍ତ ସଫଳ ମଣିଷ । କରିତ୍‌କର୍ମା । ତାଙ୍କ ପୁଅର ବୟସ ବର୍ଷେ କମେଇ ଦେଇଥିଲେ ସେ । ଆଡମିସନ ବେଳେ ସିଦ୍ଧାର୍ଥ ପଚାରିଥିଲା, ‘ଏଇଟା କରିବା କ’ଣ ଦରକାର ?’ ବୈଜୟନ୍ତ କିଛି ଉତ୍ତର ନ ଦେଇ ହସିଥିଲା ସିଆଣା ହସ । ପ୍ରଥମରୁ କଣ ତା’ହେଲେ ଏମିତି ଗୋଟାଏ ମିଛକୁ ନେଇ ପିଲାଟା ବଞ୍ଚିବ ? ସିଦ୍ଧାର୍ଥକୁ ଏସବୁ ଭଲ ଲାଗେ ନାହିଁ । କାଲି ଯଦି ପିଲାଟା ଖୁବ୍‌ ଗୋଟାଏ ବଡ଼ ମଣିଷ ହୁଏ, ତାହେଲେ ଜ୍ୟୋତିଷ ଓ ତର୍କ ବିଶାରଦମାନେ ମିଛ ଜନ୍ମତାରିଖକୁ ନେଇ ପୋଳୁହ ଘଣ୍ଟାରେ ପଡ଼ିବେ ସିନା ! ସିଦ୍ଧାର୍ଥ ପିଠିରେ ହାତ ବାଡ଼େଇ ବୈଜୟନ୍ତ କହିଲା, ‘ଏଥର ଆମ ଟୁକୁ ୟୁନିଟ୍‌ ଟେଷ୍ଟରେ ଫାଷ୍ଟ ହେଇଛି । ପୁଅ କାହାର ?’

 

କୁକୁଡ଼ା ଲଢ଼େଇରେ ଭାଗ ନେବା ପାଇଁ ଇଏ ଆଉ ଜଣକର ଉପସ୍ଥିତି । ବୁବୁନ୍‌, ଟୁକୁ ଓ ମିଠୁପରି କୁନି ମଣିଷମାନେ ତା ଆଖିରେ ପାଲଟି ଯାଉଥିଲେ ଗୋଟେ ଗୋଟେ କୁକୁଡ଼ା ଓ ସେମାନଙ୍କର ବାପା-ବୋଉ ଜଣେ ଜଣେ ରକ୍ତମୁଖା ପ୍ରତିଦ୍ୱନ୍ଦ୍ୱୀ । ଲହୁଲୁହାଣ ହୋଇ କୁକୁଡ଼ାମାନେ ପରସ୍ପର ଭିତରେ ଲଢ଼େଇ କରୁଛନ୍ତି । ବୁବୁନ୍‌, ଟୁକୁ ଓ ମିଠୁମାନଙ୍କ ଭିତରେ ଭର୍ତ୍ତି କରିଦିଆଯାଉଛି ପ୍ରତିଦ୍ୱନ୍ଦ୍ୱିତା ଓ ଈର୍ଷାର ମଞ୍ଜି । କୁକୁଡ଼ାଗୁଡ଼ିକ ରକ୍ତାକ୍ତ ହେଇଯାଉଛନ୍ତି । ମାଲିକମାନେ ଚିତ୍କାର କରୁଛନ୍ତି, ଆହୁରି ଜୋର୍‌, ଆଉରି ଜୋର୍‍... ମାର୍‌ ତାକୁ, ମାର୍‌ ତାକୁ । ଜୀବନରେ କୌଣସି କ୍ଲାସରେ ପ୍ରଥମ ବା ଫାଷ୍ଟ ହୋଇ ନ ଥିବା ସିଦ୍ଧାର୍ଥର ପତ୍ନୀ କହୁଛନ୍ତି, ବୁବୁନ୍‌ ତୁ ଫାଷ୍ଟ ହେବୁ, ନ ହେଲେ ତୋର ଖେଳକୁଦ ବନ୍ଦ । ସେକ୍ରେଟାରିଏଟ୍‌ର କିରାଣି ମୃତ୍ୟୁଞ୍ଜୟର ସ୍ତ୍ରୀ ସାନ ଝିଅଟାର ଗାଲରେ କଷି ଦେଉଛି ଚାପୁଡ଼ାଟାଏ– ଦୂର୍‌ ହେଇଯା, ମୋ ଆକ୍ଷି ଆଗରୁ । ଫାଷ୍ଟ ନ ହେଲେ ତୋର ଖିଆପିଆ ବନ୍ଦ । ବୈଜୟନ୍ତ କିନ୍ତୁ ଜିତିଗଲା । କୁକୁଡ଼ାଟିକୁ କୋଳେଇ ଧରି ସେ ଦଉଡ଼ୁଛି, ଚିତ୍କାର କରୁଛି, ମୁଁ ଜିଣିଛି, ମୁଁ ଜିଣିଛି, ମୋ ପୁଅ ଫାଷ୍ଟ ହେଇଛି, ଫାଷ୍ଟ ହେଇଛି । ତାର ଜାମାଲୁଗା ରକ୍ତ ଜୁଡ଼ୁବୁଡ଼ୁ । ସେ କିନ୍ତୁ ଊଦ୍ଧ୍ୱର୍ବାହୁ ହୋଇ ଦଉଡ଼ୁଛି ।

 

ସିଦ୍ଧାର୍ଥ ଚମକି ପଡ଼ିଲା, ପ୍ରକୃତିସ୍ଥ ହେଲା । ବୁବୁନ୍‌ପାଇଁ ତା ଛାତି ଭିତରଟା ମନ୍ଥି ହୋଇଗଲା । ନା, ତା ପୁଅ ମଣିଷ ହୋଇ ବଞ୍ଚିବା ଦରକାର । ସବୁଯାକ ଯୋଗ୍ୟତା-ଅଯୋଗ୍ୟତା, ସଫଳତା-ବିଫଳତା ନେଇ ସେ ବଞ୍ଚିବ । କୁକୁଡ଼ା ଲଢ଼େଇର କୁକୁଡ଼ା ହୋଇ ଆଦୌ ନୁହେଁ ।

 

ସେ ସ୍କୁଲ, ମୃତ୍ୟୁଞ୍ଜୟ ଓ ବୈଜୟନ୍ତମାନଙ୍କ ପରି ମଣିଷମାନଙ୍କୁ ପିଠି କରି ଧାଉଁଥିଲା । ତାକୁ ଖୁବ୍‌ ହାଲୁକା ଲାଗୁଥିଲା ଏବେ ।

Image

 

ଡାକବଙ୍ଗଳା

 

ସକାଳୁ ଯୁବକଟି ଚାରି ପାଞ୍ଚଥର ଗେଟ୍‌ ପାଖରୁ ଆସି ଫେରିଲାଣି । ଦୁଇଚକିଆ ଲୁନାଟିର ତେଲ ସରିଗଲାଣି କି ଆଉ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି ଜଣାପଡ଼ୁ ନାହିଁ, ଯୁବକଟି କିନ୍ତୁ ଏବେ ତାକୁ ହିଁ ସଜାଡ଼ୁଛି । ବାରମ୍ବାର ଲୁନାଟି ଷ୍ଟାର୍ଟ ହୋଇ ବନ୍ଦ ହୋଇଯାଉଛି ।

 

ଯୁବକଟି ପ୍ରଥମେ ଡାକବଙ୍ଗଳାକୁ ଆସିବାବେଳେ ଏହାର ଫାଟକ ସୁଦ୍ଧା ଖୋଲି ନ ଥିଲା-। କୁହୁଡ଼ି ଘେରି ରହିଥିଲା ପାହାଡ଼ ପାଖର ଏଇ ଦି’ମହଲା ଡାକବଙ୍ଗଳାଟିକୁ । କୌଣସି ସୂତ୍ରରୁ ବୋଧହୁଏ ସେ ଖବର ପାଇଛି, କ୍ୟାବିନେଟ୍‌ର ପ୍ରଭାବଶାଳୀ ମନ୍ତ୍ରୀ କାଲି ରାତିରେ ଆସି ଏଠାରେ ଡେରା ପକେଇଛନ୍ତି । ତାଙ୍କରି ପାଖରୁ କିଛି ଅନୁଗ୍ରହ ପାଇବାପାଇଁ ଯୁବକଟିର ଏ ପ୍ରୟାସ । ହୁଏତ ଯୁବକଟିର ଲୋଡ଼ା ଥିବ ଚାକିରି ଖଣ୍ଡେ ନ ହେଲେ ଛୋଟ ଠିକାଦାରୀ ଅଥବା ସପ୍ଲାଇ ଅର୍ଡ଼ର ।

 

ମନ୍ତ୍ରୀଙ୍କର ଏ ସହରକୁ ଗସ୍ତ ଖବର ଇତିମଧ୍ୟରେ ପ୍ରଚାରିତ ହୋଇସାରିବଣି । ସିଦ୍ଧାର୍ଥ ବୁଝିପାରେ ନାହିଁ, ମନ୍ତ୍ରୀମାନଙ୍କ ଗସ୍ତଖବର ଘରପୋଡ଼ି କି ନଈବଢ଼ି ଖବରଠୁ ମଧ୍ୟ ଅଧିକ ବେଗରେ କିପରି !

 

ଡାକବଙ୍ଗଳାକୁ ଆସୁଥିବା ଲୋକଙ୍କ ସଂଖ୍ୟା ବଢ଼ୁଛି । ଆଉ ଦୁଇ ତିନି ଖଣ୍ଡ ମଟର ସାଇକେଲ୍‌ ଓ ସ୍କୁଟର୍‌ ଆସି ରହିଲାଣି । ସିଦ୍ଧାର୍ଥ ଗତକାଲି ସଞ୍ଜରେ ଆସି ଏଠି ପହଞ୍ଚିଥିଲା । ତା ଗାଆଁର ବନମାଳୀ ମଉସା ଡାକବଙ୍ଗଳାର ମାଳୀ । ସେଇ ସୂତ୍ରରେ ରାତିକପାଇଁ ଆରାମଦାୟକ ଆଶ୍ରୟ ସେ ଯୋଗାଡ଼ କରିପାରିବ ବୋଲି ଭାବିଥିଲା ବିନା ମୂଲ୍ୟରେ । କିନ୍ତୁ ଆରାମଦାୟକ ଆଶ୍ରୟ କଥା ଦୂରେ ଥାଉ, କାଲି ରାତିରେ ସେ ଭଲଭାବେ ଶୋଇପାରି ନାହିଁ । ଶିଡ଼ି ପାଖ ଜାଗାଟା ଖାଲି ଦେଖି ସିଦ୍ଧାର୍ଥ ସେଠି ଚାରିକାତ ମେଲେଇ ଶୋଇଯାଇଥିଲା । ବିଚରା ଜାଣି ନ ଥିଲା, ରାତି ଅଧରେ ମନ୍ତ୍ରୀ ଆସି ପହଞ୍ଚିବେ । ମନ୍ତ୍ରୀଙ୍କ ଗାଡ଼ି ଫାଟକ ଡେଇଁବା କ୍ଷଣି ବନମାଳୀ ମଉସା ଆସି ତାକୁ ଅତି ନିଷ୍କରୁଣ ଭାବେ କମ୍ବଳ ଭିତରୁ ଭିଡ଼ି ପଦାକୁ ଟାଣିଆଣିଥିଲେ କୁକୁଡ଼ାଭାଡ଼ିରୁ କୁକୁଡ଼ାକୁ ଭିଡ଼ି ଆଣିବା ପରି । ଶିଡ଼ି ପାଖରେ ସିଦ୍ଧାର୍ଥର ଏପରି ଶୋଇବା ଢଙ୍ଗ ମନ୍ତ୍ରୀଙ୍କୁ ପସନ୍ଦ ଆସି ନ ପାରେ ।

 

ମନ୍ତ୍ରୀଙ୍କ ଧଳା ଆମ୍ବାସାଡର୍‌ର ଉଜ୍ଜ୍ୱଳ ଆଲୋକ ଡାକବଙ୍ଗଳାକୁ ଆଲୁଅରେ ଗାଧୋଇ ଦେଇଥିଲା । ତା’ ଭିତରେ ସିଦ୍ଧାର୍ଥର ନିଦୁଆ, ମଳିନ ଓ ବିଷଣ୍ଣ ଚେହେରା ଦିଶିଥିଲା ଖୁବ୍‌ କରୁଣ ।

 

ଇତିମଧ୍ୟରେ ଭିଡ଼ ଆହୁରି ବଢ଼ିଗଲାଣି । ଦିନ ଦଶଟା । ମନ୍ତ୍ରୀଙ୍କ ପହୁଡ଼ ଭାଙ୍ଗି ନାହିଁ । ଡାକବଙ୍ଗଳା ଅଗଣାରେ ଅନେକ କିସମର ଦର୍ଶନାର୍ଥୀ । ବୁଢ଼ାବୁଢ଼ୀ, ଯୁବକ ଯୁବତୀ, ଦୁଇ ଜଣ ବିଧବା । ସମସ୍ତଙ୍କର ଅର୍ଜି ଅଛି, ସମସ୍ୟା ଅଛି । ସମସ୍ୟା ନ ଥାଇ ଜୀବନ ନାହିଁ ।

 

ସେମାନେ ବାରମ୍ବାର ଉଦ୍‌ଗ୍ରୀବ ହୋଇପଡ଼ୁଛନ୍ତି । ଡାକବଙ୍ଗଳାର ପିଅନ ଓ ମନ୍ତ୍ରୀଙ୍କ ଡ୍ରାଇଭରକୁ ବାରମ୍ବାର ପଚାରୁଛନ୍ତି । ଅସ୍ଥିର ପଦଚାରଣା କରୁଛନ୍ତି ଯୁବକମାନେ । ସକାଳୁ ଆସିଥିବା ଯୁବକଟିର ଅବସ୍ଥା ସବୁଠୁ ଦୟନୀୟ । ନିରୋଳାରେ ନିଜର ଦୁଃଖ ଜଣେଇବାକୁ ଆସିଥିଲା । ଏବେ ତ ଏତେ ଭିଡ଼ ହୋଇଗଲାଣି । ମନ୍ତ୍ରୀ ପୁଣି ଆହୁରି ଉଠି ନାହାନ୍ତି । ଏତେ ଭିଡ଼ ଭିତରେ ସେ କହିପାରିବ ନାହିଁ ନିଜର ଦୁଃସ୍ଥିତି ଓ ଅସହାୟତାର କଥା । ଲୋକଭିଡ଼ ଟ୍ରେନ୍‌ ଭିତରେ ସନ୍ତାନ ପ୍ରସବ କରିବାକୁ ବାଧ୍ୟ ହେଉଥିବା ମାଆର ଦୁଃସ୍ଥିତି ପରି ବିଚରା ଯୁବକର ଅବସ୍ଥା ଏଇନେ-

 

ମନ୍ତ୍ରୀ ଉଠି ନାହାନ୍ତି । ସେ ଖୁବ୍‌ କ୍ଳାନ୍ତ । ରାତିରେ ଡେରିରେ ଫେରିଛନ୍ତି– ଏସବୁ ପିଅନଟିର ଉତ୍ତର । ଏଗାରଟା ବାଜିଲାଣି, ଆମେ ସକାଳ ଛଅଟାରୁ ଆସିଛୁ, ଟିକିଏ ଖବର ଦିଅନ୍ତୁ– ଏସବୁ ଅପେକ୍ଷମାଣ ଜନତାଙ୍କ ଅଭିଯୋଗ । ମଝିରେ ବିରାଟ ଡାକବଙ୍ଗଳା, ତାର ବିଳାସୀ ଫୁଲବଗିଚା, ଉଚ୍ଚା ଗମ୍ବୁଜ, ନରମ କାର୍ପେଟ, ଚିତ୍ରିତ ଗାଲିଚା, ଶାଗୁଆନ ଟେବୁଲ୍‌ ଓ ଆରାମଦାୟକ ସୋଫା ।

 

ମନ୍ତ୍ରୀ ଉଠି ନାହାନ୍ତି । ସକାଳେ ଯେଉଁମାନେ ଆସିଥିଲେ ସେମାନେ ଆସିଥିଲେ ରିକ୍ସା, ସାଇକେଲ୍‌, ଲୁନା ଓ ସ୍କୁଟରରେ । ଏବେ ଯେଉଁମାନେ ଆସୁଛନ୍ତି ସେମାନେ ଆମ୍ବାସଡ଼ର, ମାରୁତି, ଏନି, କଣ୍ଟେସା ଓ ଆଉ ଆଉ ଦାମୀ ଗାଡ଼ିରେ । ଏମାନେ ବାରନ୍ଦାରେ ଅପେକ୍ଷା କରୁ ନାହାନ୍ତି । ଏମାନଙ୍କୁ ପିଅନଟି ଭିତରକୁ ଡାକି ନେଇ ବସାଉଛି । ସେମାନଙ୍କର ‘ଆପଏଣ୍ଟମେଣ୍ଟ’ ଅଛି । ‘ଆସନ୍ତୁ, ମିନିଷ୍ଟର ଏଇ ସାଙ୍ଗେ ସାଙ୍ଗେ ଉଠିବେ’ ବୋଲି ହସି ହସି ପିଅନଟି ଉତ୍ତର ଦେଉଛି ।

 

ହଠାତ୍‌ ଜନତା ଚଞ୍ଚଳ ହୋଇ ଉଠିଲା । ଜୁଆର ମାଡ଼ିଆସିବା ପରି ଅବସ୍ଥା । ଆଶ୍ରାବାଡ଼ି ଉପରେ ଭରା ଦେଇ ଉଠି ପଡ଼ିଲେ ବୁଢ଼ାମାନେ, ଆଣ୍ଠୁ ଉପରୁ ମୁହଁଟିମାନ ଉଠେଇ ଛିଡ଼ା ହେଲେ ବୁଢ଼ୀମାନେ, ଯୁବକମାନେ ଧସେଇ ଆଗକୁ ମାଡ଼ି ଯାଉଥିଲେ । ସଫାରୀ, କୋଟ୍‌ ଟାଇ ପିନ୍ଧା ବ୍ୟକ୍ତିମାନେ ବିନା କାରଣରେ ହସି ହସି ହାତଟି ମାନ ବଢ଼େଇ ଦେଉଥିଲେ । ମନ୍ତ୍ରୀ ବାରନ୍ଦାକୁ ବାହାରି ଆସିଥିଲେ । ତାଙ୍କୁ ଭେଟିବାପାଇଁ ଏ ତତ୍ପରତା, ଏ ବ୍ୟାକୁଳତା ।

 

ମନ୍ତ୍ରୀ ସମସ୍ତଙ୍କୁ ସମାନ ପରିମାଣରେ ହସ ବାଣ୍ଟି ଓ ମାପିବା ପରି ସମାନ ପରିମାଣରେ ନମସ୍କାର ଜଣାଇ ତଳକୁ ଓହ୍ଲେଇ ଯାଉଥିଲେ । କାହାଠୁ ନେଇ ଯାଉଥିଲେ ଦୁଃଖର ଦରଖାସ୍ତ, ସମ୍ବର୍ଦ୍ଧନାର ଫୁଲତୋଡ଼ା, ପ୍ରଶଂସାର ଫୁଲମାଳ ଓ ସେଗୁଡ଼ିକୁ ତାଙ୍କ ସହଯୋଗୀଙ୍କ ହାତକୁ ବଢ଼େଇ ଦେଇଥିଲେ । ଜନତାର ଭିଡ଼ ଏବେ କେନ୍ଦ୍ରୀଭୂତ ହୋଇଥିଲା ମନ୍ତ୍ରୀଙ୍କ ଗାଡ଼ିର ପଛସିଟ୍‌ ଉପରେ । ମନ୍ତ୍ରୀ ଗାଡ଼ିରେ ବସି ସାରିଥିଲେ ।

 

ସିଦ୍ଧାର୍ଥ ଚାହିଁଥିଲା । ଗାଡ଼ିଟି ଦୂରେଇ ଯାଇଥିଲା ଇତିମଧ୍ୟରେ । ଭିଡ଼ ବି ଜମିବାକୁ ଲାଗିଥିଲା । ପୋର୍ଟିକୋ ପାଖରେ ଗୋଟାଏ କ୍ରୋଟନ ବୁଦା ପଛରେ କାନ୍ଥକୁ ଭରା ଦେଇ ଛିଡ଼ା ହେଇଛି ସେହି ଯୁବକଟି, ଯିଏ ସକାଳ ପହରୁ ସମସ୍ତଙ୍କ ଆଗରୁ ଆସିଥିଲା । ମନ୍ତ୍ରୀଙ୍କୁ ଭେଟି ତା ଦୁଃଖ ଜଣାଇବା ତ ହେଲା ନାହିଁ, ମନ୍ତ୍ରୀଙ୍କୁ ସେ କିମ୍ବା ମନ୍ତ୍ରୀ ତାକୁ, କେହି କାହାକୁ ଦୁଇ ଆଖିରେ ଦେଖି ବି ପାରିଲେ ନାହିଁ ।

 

ହଠାତ୍‌ ସିଦ୍ଧାର୍ଥ ଦୁଃଖୀ ହୋଇଗଲା । ଅଥଚ ତା ଦୁଃଖରେ ଦୁଃଖୀ ହେବା ପାଇଁ ଅଚିହ୍ନା ଯୁବକଟି ସିଦ୍ଧାର୍ଥକୁ କହି ନାହିଁ । ନ କହୁ, ସହାନୁଭୂତି ଜଣାଇବାପାଇଁ କଣ ଲୋଡ଼ା ପଡ଼େ ଅନୁମତି-? ତାକୁ ଲାଗୁଥିଲା, ଅଚିହ୍ନା ଯୁବକଟି ଜାଗାରେ ସେ ନିଜେ ଛିଡ଼ାହୋଇଛି ।

 

କେତେ ସୁନ୍ଦର ଓ ଆକର୍ଷଣୀୟ ମୁଦ୍ରାରେ ବିଧବା ବୁଢ଼ୀ, ଅଭାବୀ ଅସହାୟ ବୁଢ଼ା ଓ ବେକାର ଯୁବକମାନଙ୍କ ଦୁଃସ୍ଥିତିକୁ ପିଠି ବୁଲେଇ ଦେଇପାରନ୍ତି ଏ ଡାକବଙ୍ଗଳାର ଅତିଥିମାନେ ? କାଲି ରାତିରେ ନିର୍ଭରଯୋଗ୍ୟ ଆଶ୍ରୟ ଓ ବିନୟୀ, ବିଶ୍ୱସ୍ତ ପାନ୍ଥଶାଳା ପରି ମନେ ହୋଇଥିବା ଡାକବଙ୍ଗଳାଟି ଏବେ ତାକୁ ଲାଗୁଥିଲା ଗୋଟେ ଅଶ୍ଳୀଳ ଆଡ୍‌ଡା, ଯେଉଁଠି ଚିକେନ୍‍ ପଲଉ, ବିୟର ବୋତଲ ଓ ନୀଳ ଆଲୁଅର ପ୍ରମୋଦ ପର୍ବରେ ଦିନ ସବୁ ସଂକ୍ଷିପ୍ତ ଓ ରାତିମାନେ ଅନାବଶ୍ୟକ ଦୀର୍ଘ ହୋଇପଡ଼ନ୍ତି !!

Image

 

ଅସହାୟ ଭାରତ

 

ସିଦ୍ଧାର୍ଥ ଆଉ ଥରେ ଚେଷ୍ଟା କଲା । କାନ୍ଥ ଉପରେ କାଚଫ୍ରେମରେ ବନ୍ଦୀ ହେଇ ଝୁଲୁଥିବା ଗାନ୍ଧି, ନେହରୁ ଓ ଶାସ୍ତ୍ରିଜୀ ପ୍ରଭୃତିଙ୍କୁ ଆଉ ଥରେ ଅନେଇଲା । ସେମାନେ ତାର ବାଟ ଆଗୁଳିଲେ-। ସେ ଏଥର ବି ଦୁଇ ପାଦ ପଛକୁ ହଟି ଆସିଲା ଓ ଶିଡ଼ି ଦେଇ ତଳମହଲାରେ ଅପେକ୍ଷା କରୁଥିବା ଓକିଲ ବାବୁଙ୍କ ପାଖେ ଯାଇ ପହଞ୍ଚିଲା ।

 

ଓକିଲ କହିଲେ, ‘ଦେଇଦେଲେ ତ ? ପନ୍ଦରଦିନ ଘୁଞ୍ଚେଇ ଦଉ । ତାପରେ ଦେଖିବା । ଆସନ୍ତୁ ଚା’ ପିଇବା । ଡେରି ହୋଇଗଲାଣି ।’ ସେ ଖୁବ୍‌ ବ୍ୟସ୍ତ ଥିବା ପରି ଜଣାପଡ଼ୁଥିଲେ ।

 

ସିଦ୍ଧାର୍ଥ ଓକିଲଙ୍କ ଅଦୃଶ୍ୟ ଆଲିଙ୍ଗନରୁ ନିଜକୁ ମୁକୁଳେଇ ଆଣିଲା ଓ କହିଲା, ‘ଦେଇପାରିଲି ନାହିଁ । ଆପଣ ଟିକେ ନିଜେ ଗଲେ... ।’

 

ସିଦ୍ଧାର୍ଥର କଣ୍ଠସ୍ୱର ଗୋଟେ କ୍ଳାନ୍ତ, ଅବଶ ଛାଗଳର ମେଁ ମେଁ ପରି ଶୁଭୁଥିଲା ।

 

ଓକିଲ ବାବୁ ଆଶ୍ଚର୍ଯ୍ୟ ହେଲେ । ସିଦ୍ଧାର୍ଥ ତାଙ୍କୁ ଦଶଟଙ୍କିଆ ନୋଟ୍‌ ଖଣ୍ଡିକ, ଯେଉଁଟି ଏତେ ସମୟ ଝାଳୁଆ ହାତମୁଠା ଭିତରେ ଧରି ରଖିଥିବା ଯୋଗୁଁ ଓଦା ହୋଇଯାଇଥିଲା, ବଢ଼େଇଦେଲା । ଓକିଲ ବାବୁ ସିଦ୍ଧାର୍ଥକୁ ଖରାବିଞ୍ଚା କଚେରି ପଡ଼ିଆ ମଝିରେ ଛାଡ଼ିଦେଇ ଡଗଡଗ ହୋଇ ଉପରକୁ ଉଠିଗଲେ ଉପର ମହଲାକୁ ଏବଂ ଗୋଟାଏ ଦୁଃଶ୍ଚିନ୍ତା ନିଜ ମୁଣ୍ଡ ଉପରୁ ଓହ୍ଲେଇଗଲା ପରି ଆଶ୍ୱସ୍ତିରେ ଦୀର୍ଘଶ୍ୱାସ ନେଲା ସିଦ୍ଧାର୍ଥ । ଓକିଲ ବାବୁ ଗଲେ ଏବଂ ଫେରିଲେ । ସେ ତାଙ୍କର କାର୍ଯ୍ୟ ଶେଷ କରି ଫେରିଥିଲେ । ଅଥଚ ଏତିକି କାମ କରିବାପାଇଁ ଗଲା ଅଧଘଣ୍ଟା କାଳ ସିଦ୍ଧାର୍ଥ କେବଳ ଆଗପଛ ହେଉଥିଲା କାଠଘୋଡ଼ାଟେ ପରି ।

 

‘ବାଇଶ୍‌କୁ ରହିଲା ପରବର୍ତ୍ତୀ ତାରିଖ’ ଓକିଲ ବାବୁ କହିଲେ । ସିଦ୍ଧାର୍ଥ ଅନ୍ୟମନସ୍କ ଥିବାରୁ ତାଙ୍କ କଥା ଶୁଣିପାରିଲା ନାହିଁ । ସେମାନେ ଏବେ କଚେରି ହତା ବାହାରକୁ ଚାଲି ଆସିଥିଲେ ।

 

ଗୋଟେ ଜମିଜମା ମାମଲାରେ ନିଜ ଅଜାଣତରେ ପକ୍ଷଭୁକ୍ତ ହୋଇପଡ଼ିଥିଲା ସିଦ୍ଧାର୍ଥ । ସେହି କ୍ରମରେ ଓକିଲ ବାବୁଙ୍କ ସହ ତାର ପରିଚୟ । କେଶ୍‌ର ତାରିଖ ପଡ଼ୁଥିଲା ସାତ ତାରିଖ, ଯେଉଁଦିନ ସିଦ୍ଧାର୍ଥର ଗୋଟାଏ ଇଣ୍ଟର୍ଭ୍ୟୁ ଥିଲା ଭୁବନେଶ୍ୱରରେ । ସେ ଚାହୁଁଥିଲା କେଶ୍‌ ତାରିଖଟିକୁ ଅନ୍ତତଃ ଗୋଟେ ପକ୍ଷ ଘୁଞ୍ଚାଇ ଦିଆଯାଉ । ମାତ୍ର ସେଥି ନିମନ୍ତେ କେବଳ ପିଟିସନଟେ ଯଥେଷ୍ଟ ନୁହେଁ । ପିଟିସନ୍‌ କାଗଜଟା ତ ଉଡ଼ିଯିବ ପଙ୍ଖା ପବନରେ । ତା ଉପରେ କିଛି ଓଜନ ଥୋଇବା ଦରକାର ! ସିଦ୍ଧାର୍ଥର ଆପତ୍ତି ନ ଥିଲା ପିଟିସନ୍‌ ଉପରେ ଦଶ ଟଙ୍କାର ଓଜନ ଥୋଇବା ନେଇ । ମାତ୍ର କୋର୍ଟର ପେସ୍କାର ଯେ ମିସଲ ଉପରେ ବସିଥିଲେ ! ନାଲିକନାଘେରା ମିସଲ ପ୍ରତି ଗୋଟାଏ ଅଜବ ଭୟ ଓ ସମ୍ଭ୍ରମ ରହି ଆସିଛି ସିଦ୍ଧାର୍ଥର କୈଶୋରରୁ । ତା ବିଶ୍ୱାସରେ କାଠର ଅର୍ଗଳି ସେପଟେ ନିରପେକ୍ଷ ନ୍ୟାୟ । ପୃଷ୍ଠଭୂମିରେ ଗାନ୍ଧି, ନେହରୁ ଓ ଲାଲବାହାଦୁର ଚାହିଁ ରହିଛନ୍ତି । ଗୋଟାଏ କୋଣକୁ ନ୍ୟାୟଦେବୀ । ଆଖିରେ କଳାପଟି, ହାତରେ ତରାଜୁ । ଅଥଚ ସେଇଠି ବସି ଛେଳିପରି ଅନବରତ ପାନ ଚୋବାଉଥିବା ପେସ୍କାରଟି ନିର୍ବିକାର ଭାବରେ ହାତ ବଢ଼େଇ ଗ୍ରହଣ କରି ନେଉଛି ପାଞ୍ଚଟଙ୍କିଆ ଓ ଦଶଟଙ୍କିଆ ନୋଟ୍‌ଗୁଡ଼ା । ସିଦ୍ଧାର୍ଥ ପ୍ରଥମେ ଚାହିଁଥିଲା ପେସ୍କାର ହାତକୁ ବଢ଼େଇଦେବ ଦଶଟି ଟଙ୍କା ଓ ଅନୁରୋଧ କରିବ, କେଶ୍‌ର ତାରିଖ ଘୁଞ୍ଚେଇ ଦେବାକୁ ପନ୍ଦରଟି ଦିନ । ଏଥିପାଇଁ ଦଶଟଙ୍କା ଖର୍ଚ୍ଚ କରିବାରେ ତାର ଆପତ୍ତି ନ ଥିଲା । ସେ ଆଶା କରିଥିଲା ପେସ୍କାର ଓହ୍ଲେଇ ଆସିବ ମିସଲ ଉପରୁ ଏବଂ ଉପସ୍ଥିତ କୋଳାହଳର ଅଲକ୍ଷ୍ୟରେ ତା ହାତରୁ ନେଇଯିବ ବକସିସ୍‌ । ମାତ୍ର ନା, ପେସ୍କାରଟି ନିଜ ଆସନରୁ ଉଠିବାର କୌଣସି ସୂଚନା ଦେଇ ନ ଥିଲା । ସାମ୍‌ନାରେ କୋଳାହଳ, ନାଲିକନାଘେରା ମିସଲ, ପାଖରେ ଅନ୍ଧୁଣୀ ନ୍ୟାୟମୂର୍ତ୍ତି, ପୃଷ୍ଠଭୂମିରେ ଗାନ୍ଧି, ନେହରୁ ପ୍ରମୁଖ ଏବଂ ତାରି ଭିତରେ... । ନା, ନା, ସିଦ୍ଧାର୍ଥ କଦାପି ତାହା କରିପାରି ନ ଥାନ୍ତା ।

 

ଓକିଲ ଚାଲିଗଲେଣି ନିଜର ପାଉଣା ନେଇ ।

 

ସିଦ୍ଧାର୍ଥ ଏଥର ଅଣ୍ଟା ସଳଖିଲା । ଆଉ ଥରେ ଚାହିଁଲା କଚେରି କୋଠାକୁ । ଏ ଦେଶର ଲକ୍ଷ ଲକ୍ଷ ସରଳ ମଣିଷ ଏବେ ବି ବିଶ୍ୱାସ ରଖନ୍ତି କୋର୍ଟକଚେରିର ବିଚାର ବ୍ୟବସ୍ଥା ଉପରେ । ଅଥଚ ସର୍ବ ସମକ୍ଷରେ ଓ ଦିନ ଦ୍ୱିପ୍ରହରଟାରେ ପେସ୍କାର, ସାକ୍ଷୀ, ଓକିଲଙ୍କ ଏହିପ୍ରକାର କାର୍ଯ୍ୟ ଷାଠିଏକୋଟି ମଣିଷଙ୍କର ସରଳ ବିଶ୍ୱାସକୁ ଯେ ଭାଙ୍ଗିରୁଜି ଖିନ୍‌ଭିନ୍‌ କରିଦେଉଛି ପ୍ରତିଦିନ, ସେକଥା କିଏ କହିବ ? ନ୍ୟାୟ ଆଖିରେ କଳାପଟି ବନ୍ଧାଯାଇ ନ ଥିଲେ ଏକଥା କଦାପି ହୁଅନ୍ତା ନାହିଁ !

 

ଘର ଫେରନ୍ତା ସିଦ୍ଧାର୍ଥର ମନେ ପଡ଼ୁଥିଲା ଆଦ୍ୟ ଯୌବନର ଗୋଟାଏ ସ୍ମୃତି । ସେତେବେଳେ ଜନୈକ ଠିକାଦାରଙ୍କ ଦପ୍ତରରେ ସେ କାମ କରୁଥିଲା କିଛି କାଳ । କାର୍ଯ୍ୟୋପଲକ୍ଷେ ଠିକାଦାରଙ୍କ ମ୍ୟାନେଜର ଅନ୍ୟତ୍ର ଯାଇଥିବାରୁ ସିଦ୍ଧାର୍ଥକୁ ସେଦିନ ଠିକାଦାର ପଠେଇଥିଲେ, ଗୋଟାଏ ସିଗାରେଟ୍‌ ପ୍ୟାକେଟ୍‌ ଜଣେ ଇଞ୍ଜିନିୟରଙ୍କୁ ଦେଇଦେବାପାଇଁ । ଆଜି ସିଦ୍ଧାର୍ଥର ମନେ ପଡ଼ୁ ନାହିଁ ଇଞ୍ଜିନିୟରଙ୍କ ନାମ ଓ ଠିକଣା । ସେଦିନ କିନ୍ତୁ ସେ ସେମାନଙ୍କୁ ଚିହ୍ନିଥିଲା । ପ୍ରଥମେ ଆଶ୍ଚର୍ଯ୍ୟ ହେଇଥିଲା ବି । ମାମୁଲି ସିଗାରେଟ୍‌ ପ୍ୟାକେଟ୍‌ଟି ଦେବାପାଇଁ କଟକରୁ ଜଣେ ଭୁବନେଶ୍ୱର ଯିବା କଣ ଦରକାର ? ଅନୁସନ୍ଧିତ୍ସୁ ସିଦ୍ଧାର୍ଥ ବାଟ ମଝିରେ ଖୋଲି ଦେଖିଥିଲା ପ୍ୟାକେଟ୍‌ଟି । ତା’ର ଆଶଙ୍କା ହିଁ ଠିକ୍‌ ଥିଲା । ସିଗାରେଟ୍‌ ପ୍ୟାକେଟ୍‌ଟାକୁ ଚଟାପଟ୍‌ ବନ୍ଦ କରି ସାରିଲାବେଳକୁ ସିଦ୍ଧାର୍ଥର ଦେହହାତ ଝାଳେଇ ସାରିଥିଲା । ଟଙ୍କା ! ଲାଞ୍ଚ ! ସେ କିପରି ଏ କାମ କରିବ ? କରିପାରିବ ? କେଉଁଠି ଭେଟିବ ଭଦ୍ରଲୋକଙ୍କୁ ? କଣ କହିବ ? ହୁଏତ ଭେଟିବା ସମୟରେ ତାଙ୍କ ଚାରିପାଖରେ ଲୋକବାକ ଥିବେ । ଇଞ୍ଜିନିୟରଙ୍କୁ କଣ କହିବ ସେ ? ଯଦି ସେ ବିଗିଡ଼ି ଯାଆନ୍ତି ? ଚିତ୍କାର କରି ଉଠନ୍ତି ? ପୋଲିସ ଡକେଇ ତାକୁ ବନ୍ଧେଇ ଦିଅନ୍ତି ? ସେଇ ମାତ୍ର କଲେଜ ହତା ମାଡ଼ିଥିବା ସିଦ୍ଧାର୍ଥ ମୁଣ୍ଡ ଭିତରେ ଗୋଟାଏ ଟ୍ରେନ୍‌ ଚାଲିବାର ଶବ୍ଦ । ଗୋଟାଏ ଅପ୍ରାପ୍ତବୟସ୍କ ଅପରାଧବୋଧରେ ସେ ସାଙ୍କୁଡ଼ି ଯାଇଥିଲା ଗୋଟାପଣେ ।

 

ରସୁଲଗଡ଼ ଛକରୁ ଓହ୍ଲେଇ ସିଦ୍ଧାର୍ଥ ଯାଇଥିଲା ସାଇଟ୍‌ ଉପରକୁ । ସେତେବେଳେ ବୀର ସୁରେନ୍ଦ୍ରସାଏ ନଗର ଏତେ ଜନାକୀର୍ଣ୍ଣ ହୋଇ ନ ଥିଲା । ସାଇଟ୍‌ ମଝିରେ ଗୋଟାଏ ତମ୍ବୁ । ସେଇଠି ଠିକାଦାର ଡେରା ପକାନ୍ତି । ଏସ୍‌.ଡି.ଓ., ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ଆସିଲେ ବସନ୍ତି, ଚା’ ପିଅନ୍ତି । ମୁଣ୍ଡ ଉପରେ ଅପ୍ରେଲର ଖରା । ସିଦ୍ଧାର୍ଥ ସାଇଟ୍‌ ପାଖରେ ପହଞ୍ଚି ତମ୍ବୁ ଅତିକ୍ରମ କରିଛି କି ନାହିଁ, ପଛରୁ ଶୁଣିଲା, କେହି ଜଣେ ଖୁବ୍‌ ବଡ଼ ପାଟିରେ ତାକୁ ଡାକୁଛନ୍ତି । ସିଦ୍ଧାର୍ଥ ବୁଲିପଡ଼ିଲା ଓ ଏସ୍‌.ଡି.ଓ.ଙ୍କ ଲୋକ ବୋଲି ଦାବି କରୁଥିବା ଲୋକଟି ପାଖକୁ ଗଲା । ଛାତି ଧଡ଼ପଡ଼ । ଅଥଚ ଦେଖୁ ଦେଖୁ ଲୋକଟି ଜାଣିବା ପରି ଝିଙ୍କିନେଲା ସେଇ ସିଗାରେଟ୍‌ ପ୍ୟାକେଟ୍‌ଟି ସିଦ୍ଧାର୍ଥର ଛାତି ପକେଟ୍‌ରୁ ଓ ସ୍କୁଟର ଷ୍ଟାର୍ଟ କରି ଉଭାନ୍‌ ହୋଇଗଲା । ଯିବାବେଳକୁ ସେ ପୁଣି କହିଥିଲା ଯେ ମହାପାତ୍ରବାବୁଙ୍କୁ ସିଦ୍ଧାର୍ଥ ବିଷୟରେ ସେ ସୁପାରିସ କରି କହିବ- ‘ନାଇସ୍‌ ଚାପ୍‌ ।’

 

ଦୀର୍ଘ ଦେଢ଼ଘଣ୍ଟାର ମାନସିକ ବ୍ୟାୟାମ ସେଇ ମୁହୂର୍ତ୍ତରେ ସିଦ୍ଧାର୍ଥକୁ ମନେ ହୋଇଥିଲା ନିରର୍ଥକ । ଗୋଟାଏ ମୁହୂର୍ତ୍ତରେ ସଂପନ୍ନ ଏଇ ହସ୍ତାନ୍ତର ପର୍ବଟି ସମ୍ବନ୍ଧରେ ବାଟସାରା କେତେ ଚିନ୍ତା କରି ଆସି ନ ଥିଲା ସେ !

 

ଆଜି ଅନେକ ବର୍ଷ ପରେ, କୋର୍ଟ ହତାର ପେସ୍କାରବାବୁଙ୍କ ଭିତରେ ସେ ଖୋଜିବାକୁ ଚେଷ୍ଟା କରୁଥିଲା ସେଦିନର ସେହି ଲୋକଟିକୁ; ଉଦୁଉଦିଆ ଦିନ ଦ୍ୱିପହରେ ଯିଏ ସିଦ୍ଧାର୍ଥ ପକେଟ୍‌ରୁ ଟଙ୍କା ପ୍ୟାକେଟ୍‌ଟା ଝାମ୍ପି ନେଇଥିଲା ଚିଲ ଝାମ୍ପି ନେଲାପରି । ଅଦ୍ଭୁତ ସାମଞ୍ଜସ୍ୟ ଥିଲା ଉଭୟଙ୍କ ମୁହଁରେ ।

 

ଧର୍ମ, ନୈତିକତା ଓ ମୂଲ୍ୟବୋଧକୁ ଆଖିବୁଜି ଦେଉଥିବା ସବୁ ମଣିଷଙ୍କ ମୁହଁ ବୋଧହୁଏ ଏକାପରି ଦିଶେ ।

Image

 

ଭଲ ମଣିଷ, ଖରାପ ମଣିଷ

 

ସିଦ୍ଧାର୍ଥକୁ ଦେଖୁ ଦେଖୁ ଚିନ୍ତାମଣି ରାୟମହାପାତ୍ର ଯେଉଁଭଳି ବିରକ୍ତ ହୋଇଉଠିଲେ ସେଥିରେ ସିଦ୍ଧାର୍ଥ ଟିକିଏ ଦବିଗଲା । ଚିନ୍ତାମଣି ରାୟମହାପାତ୍ର ସଞ୍ଜୟର ବାପା । ସଞ୍ଜୟ ସିଦ୍ଧାର୍ଥର ସହାଧ୍ୟାୟୀ ଅନ୍ତରଙ୍ଗ ବନ୍ଧୁ । ପୁଅର ସାଙ୍ଗ ପାଖରେ ଗାଳିମନ୍ଦ କଲେ ସେଗୁଡ଼ିକ ବିଶ୍ୱସ୍ତ ଭାବେ ପୁଅ ପାଖେ ପହଞ୍ଚିବ, ଏ ନେଇ ଉତ୍‌କ୍ଷିପ୍ତ ପିତା ନିଶ୍ଚିତ ଥିଲେ । ସେଇହେତୁ ସେ ସଞ୍ଜୟକୁ ଉପଲକ୍ଷ୍ୟ କରି ଯାବତୀୟ ଆପତ୍ତିଜନକ ଓ ଅଭିଧାନବହିର୍ଭୂତ ଶବ୍ଦମାନ ବ୍ୟବହାର କରୁଥିଲେ ସିଦ୍ଧାର୍ଥ ସାମ୍ନାରେ ।

 

ଚିନ୍ତାମଣି ରାୟମହାପାତ୍ରଙ୍କ ବିଚାରରେ ସଞ୍ଜୟ ଗୋଟେ ନଷ୍ଟଗ୍ରହ, କୁଳାଙ୍ଗାର ଓ ଅପଦାର୍ଥ । ତା ଭଳି ଗୋଟେ କର୍ମକୋଢ଼ି ସନ୍ତାନର ପିତା ହୋଇଥିବା ହେତୁ ସେ ଅକ୍ଷମଣୀୟ ଅପରାଧରେ ଦାୟୀ ।

 

ଅଥଚ ସଞ୍ଜୟର ଦୋଷ କଣ ?

 

ଚିନ୍ତାମଣି ରାୟମହାପାତ୍ର ସପ୍ଲାଇ ଅଫିସରେ କାମ କରନ୍ତି । ଉପୁରି ଟୁପୁରି ଅଛି । ତା ନ ହୋଇଥିଲେ ଏଇ ଦରମାରେ ସେ କଟକ ପରି ଜାଗାରେ ଦେଢ଼ଗୁଣ୍ଠିଆ ଜମିଟେ କିଣି କଦାପି ଘରତୋଳି ପାରି ନ ଥାନ୍ତେ । ତେବେ ଚିନ୍ତାମଣିଙ୍କ ସବୁଯାକ ବିଦ୍ୟାବୁଦ୍ଧି ଓ ଅନୁଭୂତି ସତ୍ତ୍ୱେ ଯେ ଏ ପରିବାରରୁ ଦାରିଦ୍ର୍ୟ ସମ୍ପୂର୍ଣ୍ଣ ଘୁଞ୍ଚି ନାହିଁ, ଏକଥା ତାଙ୍କ ଘର ଭିତରକୁ ପଶିଯିବାମାତ୍ରେ ଜଣାପଡ଼ିଯାଏ । ଚାରିଆଡ଼େ ଗୋଟେ ଅଭାବୀ ଭାବ–ସଞ୍ଜୟର ବାହାଯୋଗ୍ୟ ଭଉଣୀର ମ୍ୟାକ୍ସିଠାରୁ ତା ବୋଉର ରଙ୍ଗନିଭା କସ୍ତା ଶାଢ଼ି ପର୍ଯ୍ୟନ୍ତ । ଚିନ୍ତାମଣିଙ୍କର ପହିଲୁ ପହିଲୁ ଚାରି ଝିଅ-। ପୁଅଟେ ପାଇଁ ଅପେକ୍ଷା କରୁ କରୁ ସେ ଚାରିଝିଅର ବାପା ହୋଇସାରିଥିଲେ । ଅଥଚ ଏତେ ମନସ୍ତାପ ଶେଷରେ ଯେଉଁ ପୁଅଖଣ୍ଡକ ଜନ୍ମ ହେଲା ସେ ଯେ ଏଡ଼େ ଅପଦାର୍ଥ ହେବ ତାହା ସେ କଳ୍ପନା କରି ନ ଥିଲେ ।

 

ସଞ୍ଜୟ ତା ବାପାଙ୍କର ଠିକ୍‌ ବିପରୀତ । ଦିନରାତି ବହି ପଢ଼େ, ଗୀତ ଲେଖେ, ପେଣ୍ଟିଂ କରେ । ବେଳେବେଳେ ଦାର୍ଶନିକ ପରି ଇଆଡ଼ୁ ସିଆଡ଼ୁ ବାରକଥା କହେ । କିନ୍ତୁ କରିପାରେ ନାହିଁ ଯେଉଁ କାମଟି, ସେଇଟା ହେଲା ଅର୍ଥ ଉପାର୍ଜନ । ସେଇ ଗୋଟାକରେ ସେ ପଛେଇଯାଏ ।

 

ସଞ୍ଜୟକୁ ଏବେ ପଇଁତିରିଶ । ଚିନ୍ତାମଣିଙ୍କର ଅଭିଯୋଗ, ତାଆରି ବୟସର ପିଲାଏ ନାନା ଆଡ଼ୁ ନାନା ଧନ୍ଦା କରି ପଇସା କମାଉଛନ୍ତି । ମନ୍ତ୍ରୀଙ୍କ ଆଶୀର୍ବାଦ ପାଇ ଠିକାଦାରୀ କରୁଛନ୍ତି, ଅର୍ଡ଼ର ସପ୍ଲାଇ କରି ବେଶ୍‌ ପଇସା କମାଉଛନ୍ତି । ଅଥଚ ସଞ୍ଜୟଦ୍ୱାରା କିଛି ଇ ହୋଇପାରୁ ନାହିଁ-। ସକାଳୁ ଯେମିତି ଟୋଟୋ ବାହାରି ଯାଉଛି, ସଞ୍ଜବୁଡ଼େ ସେମିତି ଫେରୁଛି ମୁହଁ ଓଳେଇ । ଏଭଳି ଅପଦାର୍ଥଦ୍ୱାରା କଣ କିଛି ହେବ ?

 

ଚାରି ଝିଅଙ୍କ ଭିତରୁ ତିନିଜଣଙ୍କୁ ବଡ଼ କଷ୍ଟରେ ବାହା ଦେଇଛନ୍ତି ମହାପାତ୍ରେ । ସବା ସାନଟି ବି ଦୁଇବର୍ଷ ହେଲା ବାହାଯୋଗ୍ୟା ହେଇ ବସିଛି । ତାଙ୍କ ଚାକିରି ସରିବା ଉପରେ ହେଲାଣି-। ଅଥଚ ସଞ୍ଜୟ ଦୁଇ ପଇସା କମେଇବାର ନାଆଁ ଧରିଲା ନାହିଁ । ପେନ୍‌ସନ୍‌ ନେଇ ଘରେ ବସିବା ପରେ ଏ ଡଙ୍ଗା ଚାଲିବ କେମିତି ?

 

ସଞ୍ଜୟ ଯେ ଏସବୁ କଥା ନ ବୁଝେ ନୁହେଁ, କିନ୍ତୁ ସେ ବା କଣ କରିବ ? ଚାକିରି ବାକିରି ଯେ ସହଜରେ ମିଳେ ନାହିଁ ସେ କଥା ସେ କାହାକୁ ବୁଝେଇବ ?

 

ସେଦିନ ସଞ୍ଜୟ କହୁଥିଲା, ‘ଏ ରାଜ୍ୟର ସବୁ ବଡ଼ସାନ ଚାକିରି ପ୍ରାୟ ବିକ୍ରି ହୁଏ ମନ୍ତ୍ରୀଙ୍କ ଦପ୍ତରରେ । ଭଲ ପ୍ରଡକ୍ଟର ଡିଲରସିପ୍‌ ପାଆନ୍ତି ଏମ୍‌.ପି. ନ ହେଲେ ଏମ୍‌.ଏଲ୍‌.ଏ.ଙ୍କ ଜ୍ଞାତିକୁଟୁମ୍ବ । ଅର୍ଥନିଗମ କି ବ୍ୟାଙ୍କ୍‌ ଏଠି ବିନା ସୁପାରିସରେ ଋଣ ଦିଏ ନାହିଁ । ଅଥଚ ଟିକିଏ ସୁବିଧା ମିଳିଲେ ସେ ଏଠି ଆରମ୍ଭ କରନ୍ତା ଗୋଟେ ନୂଆ ଢାଞ୍ଚାର ଇଣ୍ଡଷ୍ଟ୍ରି । ଓଡ଼ିଶାର ହସ୍ତଶିଳ୍ପ ଚାନ୍ଦୁଆ କାମଠୁ ଆରମ୍ଭ କରି ପା’ପୋଛ ଯାଏ ସବୁ ନୂଆ ଡିଜାଇନ୍‌ର ତିଆରି କରନ୍ତା ସେ । ଓଡ଼ିଶାର ବାଲିଗରଡ଼ାଠୁ ପାହାଡ଼ ନଈ ପର୍ଯ୍ୟନ୍ତ ସବୁଠି କଳା ଅଛି, ସେସବୁ ସେ ପହଞ୍ଚାନ୍ତା ସମସ୍ତଙ୍କ ସାମ୍ନାରେ । କିନ୍ତୁ ସଞ୍ଜୟର ସେକଥା କିଏ ଶୁଣିବ ? କୌଣସି ଧନାଢ଼୍ୟ କନ୍ୟାପିତା ବି ତ ରାଜି ହେବ ନାହିଁ ଏଭଳି ଜଣେ ଭାବୀ ଜାମାତା ପିଛେ ବ୍ୟୟ କରିବା ପାଇଁ ?

 

ଚିନ୍ତାମଣି ତାଙ୍କ ଦୁର୍ବଳ ଇଂରାଜୀରେ ସେଇ ଏକସୂତ୍ରୀ ଦର୍ଶନର ଆଉ ଥରେ ପୁନରାବୃତ୍ତି କରୁଥିଲେ ସିଦ୍ଧାର୍ଥ ପାଖରେ । ସେ କହୁଥିଲେ: ହ୍ୱାଟ ୟୁ ଆଚିଭ୍‌ ଇଜ୍‌ ଇମ୍ପଟାଣ୍ଟ, ହାଓ ୟୁ ଆଚିଭ୍‌ ଇଜ୍‌ ନଟ୍‌ ଇମ୍ପଟାଣ୍ଟ । କଳେ-ବଳେ-କଉଶଳେ ଟଙ୍କା କମେଇବାକୁ ହେବ । ନୀତି, ମୂଲ୍ୟବୋଧ, ମାନବିକତା ଏସବୁ ନିମ୍ନମଧ୍ୟବିତ୍ତର ମାନସିକ ବିଳାସ, ତୁଚ୍ଛା ଭାବପ୍ରବଣତା ।

 

ସିଦ୍ଧାର୍ଥ ଆଉ ଅପେକ୍ଷା କରିପାରୁ ନ ଥିଲା । ତା ସାମ୍ନାରେ ଦିଶିଯାଉଥିଲା ସଞ୍ଜୟର ସ୍ୱପ୍ନବୋଳା ଚେହେରା । ୟୁନିଭରସିଟିର ଚାମ୍ପିଅନ୍‌ ସଞ୍ଜୟ ସମୟର ଦୌଡ଼ରେ ପଛେଇ ଯାଉଛି । ଅଥଚ ତା’ଠୁ କେତେ ପଛରେ ଥିବା ସିଦ୍ଧାର୍ଥ ଓ ଆଉ ଆଉ ବନ୍ଧୁମାନେ ଏତେ ଆଗେଇଗଲେଣି ଯେ ସଞ୍ଜୟ ସେମାନଙ୍କୁ କୌଣସି ଦିନ ଧରିପାରିବ ନାହିଁ ।

 

ସଞ୍ଜୟ ତରତର ହେଲା । ଗୋଟାଏ ଦାମୀ ପାନୀୟର ବୋତଲ ନେଇ ତାକୁ ଡାକବଙ୍ଗଳାରେ ପହଞ୍ଚେଇବାକୁ ହେବ । ସେଠି ଆଜି ହାକିମ ଡେରା ପକେଇଛନ୍ତି । ତାଙ୍କର ନୂଆ ଘର ତୋଳା ହେଉଛି । ସେପାଇଁ ପୁଣି ସିମେଣ୍ଟ ଓ ରଡ଼ ଯୋଗାଇ ଦେବାକୁ ପଡ଼ିବ । ନ ହେଲେ ଦଶ ଲକ୍ଷ ଟଙ୍କାର ଠିକାଟା ବାଏଁ ବାଏଁ ଉଡ଼ିଯିବ ।

 

: ମୁଁ ଆସୁଛି ମଉସା । ସଞ୍ଜୟ ସାଙ୍ଗେ ଦେଖାହେଲେ ତାକୁ ସବୁ କଥା କହିବି ।

 

ସିଦ୍ଧାର୍ଥ ଉଠିଲା । ହାକିମଙ୍କର ମିଜାଜ୍‌ ଥଣ୍ଡା ରଖିବାକୁ ପଡ଼ିବ । ତାଙ୍କପାଇଁ ଯୋଗାଇଦେବାକୁ ପଡ଼ିବ ଦାମୀ ପାନୀୟ ଓ ଚାଇନିଜ୍‌ ହୋଟେଲ୍‌ର ଚର୍ବ୍ୟ ଚୋଷ୍ୟ । ତା ନ ହେଲେ ସେ ‘କମ୍ପିଟେଣ୍ଟ’ର ପ୍ରମାଣପତ୍ର ପାଇବ ନାହିଁ ହାକିମଙ୍କଠାରୁ ।

 

କଲଭଟ୍‌ ଉପରେ କିଏ ବସିଛି ମୁହଁ ଓଳେଇ, ବିଜୁଳି ଖୁଣ୍ଟକୁ ପିଠିକରି ! ସିଦ୍ଧାର୍ଥ ତାର ମଟରସାଇକେଲ୍‌ର ଗତି ଟିକେ ଧିମେଇଦେଲା । ସଞ୍ଜୟ ! ହଁ, ସଞ୍ଜୟ ବସିଛି ଚୁପ୍‌ଚାପ୍‌, ଗୋଟେ ଦାର୍ଶନିକ ଭଳି । ସେ ଏବେ ସନ୍ଧାନ କରୁଥିବ ସମାଜ-ସଂସ୍କାରର ଗୋଟେ ନୂଆ ଉପାୟ, ନୂଆ ସିଦ୍ଧାନ୍ତରେ ବି ପହଞ୍ଚୁଥିବ ମନକୁ ମନ । ସିଦ୍ଧାର୍ଥ ଏ କୋଳାହଳ, ଏ ଧାଁ ଦଉଡ଼କୁ ପିଠି କରି କ୍ଷଣକପାଇଁ ହେଉ ପଛେ ସଞ୍ଜୟ ସାଙ୍ଗରେ ବସିପାରନ୍ତା ନାହିଁ ? ନିଜକୁ ବାଦ୍‌ ଦେଇ ଆଉ ପାଞ୍ଚ ଜଣଙ୍କ ଦୁଃଖସୁଖ କଥା ଆଲୋଚନା କରିପାରନ୍ତା ନାହିଁ ?

 

ନା, ସେପରି କାମ ପାଇଁ ସିଦ୍ଧାର୍ଥର ବେଳ ନାହିଁ ! ବସି ରହିଲେ ଅନ୍ୟମାନେ ଆଗେଇଯିବେ । ସେ ପଛରେ ପଡ଼ିଯିବାଟାକୁ ବରଦାସ୍ତ କରିପାରିବ ନାହିଁ । ସେସବୁ ଚିନ୍ତା କରୁଥାନ୍ତୁ ସଞ୍ଜୟ ପରି ମଣିଷର ଦଳ ।

 

ଗଳି ମୋଡ଼ରେ ଅଦୃଶ୍ୟ ହୋଇଯିବା ପୂର୍ବରୁ ଆଉ ଥରେ ସେହି ବତିଖୁଣ୍ଟ ପାଖକୁ ଚାହିଁଲା ସିଦ୍ଧାର୍ଥ । ସଞ୍ଜୟ ପୂର୍ବପରି ସେଇ ମୁଦ୍ରାରେ ବସିଥିଲା, ଗୋଟାଏ ବିୟୋଗାନ୍ତକ ନାଟକର ନାୟକ ପରି । ଏଥର କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ତା’ର ମୁହଁଟା ଖୁବ୍‌ ଉଜ୍ଜ୍ୱଳ ଦିଶୁଥିଲା ସିଦ୍ଧାର୍ଥକୁ । ସଞ୍ଜୟଟେ ହେବା ଭାରି କଷ୍ଟ, ସିଦ୍ଧାର୍ଥ ନିଜକୁ ନିଜେ କହିଲା ।

Image

 

ଆଲୋକିତ ଅନ୍ଧକାର

 

ସହରର ଜୀବନ କେତେ ପରମୁଖାପେକ୍ଷୀ, ପରାଧୀନ ଏବଂ ଅସହାୟ ହୋଇପାରେ, ସେକଥା ଏହା ପୂର୍ବରୁ ଏଭଳି ଅନୁଭବ କରି ନ ଥିଲା ସିଦ୍ଧାର୍ଥ । ସକାଳୁ ଦିନ ଏଗାରଟା ପର୍ଯ୍ୟନ୍ତ କଲୋନୀ ରାସ୍ତାରେ ପାଣିଗାଡ଼ିକୁ ଅପେକ୍ଷା କରି ଓ କାଲି ରାତିଠୁ ନିର୍ଜଳା ଉପବାସରେ ରହିଥିବା ମାଳତୀର ବିଷଣ୍ଣ ମୁହଁକୁ ଚାହିଁ ସିଦ୍ଧାର୍ଥ ଭାବୁଥିଲା, ଆଜି ଦିନରେ ଯଦି ସେ ତାର ନିଜ ମଫସଲ ଗାଆଁରେ ଥାଆନ୍ତା, ତାହେଲେ କପେ ଚା ପାଇଁ କିମ୍ବା ଧୁଆପୋଛା ହେବା ପାଇଁ ଏତେ ହନ୍ତସନ୍ତ ହେବାକୁ ପଡ଼ନ୍ତା ନାହିଁ । ସହରର ବିଳାସପୂର୍ଣ୍ଣ ଜୀବନର ଯେ ଏପରି ଅନ୍ଧାରି ଦିଗଟେ ରହିଛି ତାହା ସେ ଆଗରୁ ଏତେ ଭଲ ଭାବରେ ଅନୁଭବ କରି ନ ଥିଲା ।

 

ଗଲା ଛତିଶ ଘଣ୍ଟା ହେଲା କଲୋନୀରେ ବିଜୁଳି ନାହିଁ । ପାଇପରେ ପାଣି ଆସୁ ନାହିଁ । ଗତକାଲିରୁ ସ୍କୁଟରରେ ପେଟ୍ରୋଲ ନାହିଁ । ହାତରେ ଘୂରେଇ ପମ୍ପ୍‌ବାଲାଏ ତେଲ ଦେବେ ନାହିଁ, କାଳେ ଅଧିକା ପେଟ୍ରୋଲ ଚାଲିଯିବ ! ସବୁକୁ ବଳି ଜଳ ସଙ୍କଟ । ଜଳ ବିହୁନେ ଚଳିବା କି କଷ୍ଟ ! କିନ୍ତୁ କଣ କରାଯାଏ ! ବିଜୁଳିବାଲାଙ୍କ ଧର୍ମଘଟ । ସେଇଟା ତାଙ୍କର ଗଣତାନ୍ତ୍ରିକ ଅଧିକାର । ସେପାଇଁ ଯଦି ପନ୍ଦର କୋଡ଼ିଏ ଲକ୍ଷ ଲୋକ ଦହଗଞ୍ଜ ହେଲେ, ସେଥିରେ ତାଙ୍କର କିଛି ଯାଏଆସେ ନାହିଁ । କେବଳ ଅସହଯୋଗ ଭିତରେ ବି ସୀମିତ ରହି ନାହିଁ ଆନ୍ଦୋଳନ । ସେମାନେ କୁଆଡ଼େ ଟ୍ରାନ୍ସଫର୍ମରରୁ ତେଲ ଅଜାଡ଼ି ନେଇଛନ୍ତି, ତାର ଛିଣ୍ଡେଇ ଦେଇଛନ୍ତି ଓ ବିଜୁଳି ସରବରାହ ଯନ୍ତ୍ରପାତି ଭାଙ୍ଗିରୁଜି ଦେଇଛନ୍ତି । ସିଦ୍ଧାର୍ଥ ବୁଝିପାରେ ନାହିଁ, କାହିଁକି ସବୁ ଆନ୍ଦୋଳନ ଓ ଧର୍ମଘଟର ପ୍ରଥମ ଶିକାର ହୁଅନ୍ତି ରାସ୍ତାର ବସ୍‌-ଟ୍ରେନ୍‌, ସରକାରୀ କୋଠାବାଡ଼ି ଅଥବା ଟ୍ରାନ୍ସଫର୍ମର ଓ ଜଳଯୋଗାଣ ବ୍ୟବସ୍ଥା । ସ୍ୱାଧୀନତା ଆନ୍ଦୋଳନ ବେଳର ଏଇସବୁ ଧାରା ପରମ୍ପରାସିଦ୍ଧ ଭାବେ ଆଜି ଅନୁସୃତ ହେଉଛି ସ୍ୱାଧୀନ ଭାରତରେ । ଦିନେ ଫିରିଙ୍ଗି ଶାସନକୁ ହଟେଇବା ପାଇଁ ଅନୁସୃତ ପଦକ୍ଷେପମାନ ଆଜି ସ୍ୱାଧୀନ ଭାରତର ସରକାରୀ ସମ୍ପତ୍ତି ନଷ୍ଟଭ୍ରଷ୍ଟ କରିଦେବାପାଇଁ ଅନୁସୃତ ହେଉଛି । ଆନ୍ଦୋଳନ ନାଆଁରେ ହିଂସା ହିଁ ହୋଇଉଠିଛି ମୁଖ୍ୟ ଆୟୁଧ, ମହାତ୍ମାଗାନ୍ଧିଙ୍କର ଦେଶ ଏହି ଭାରତବର୍ଷରେ । କେବେ ଏଥିରୁ ମୁକ୍ତି କିଏ ଜାଣେ ?

 

ସିଦ୍ଧାର୍ଥ ବହୁତ ଆଶା କରିଥିଲା, ଯାହାହେଲେ ବି ସନ୍ଧ୍ୟାବେଳକୁ ଅବସ୍ଥା ସୁଧୁରିଯିବ । ଏମିତି ଆଶା ପଛରେ କିଛି ଯୁକ୍ତି ନଥିଲା, କେବଳ ଥିଲା ନିଜ ପାଇଁ ଗୋଟେ ସାନ୍ତ୍ୱନା । ବିଜୁଳି ଯୋଗାଣ ପୁଣି ହୁଏତ ଆରମ୍ଭ ହେବ ଓ ପାଇପରେ ପାଣି ଆସିବ । ଦୁଇଟଙ୍କା ମୂଲ୍ୟରେ ଆଣିଥିବା ଛୋଟ ମହମବତିଟି କେତେବେଳୁ ନିଭିଗଲାଣି । କଣ୍ଟ୍ରୋଲ ଦୋକାନ ସାମ୍ନାରେ କିରାସିନି ଟୋପେ ପାଇଁ ବିରାଟ ଧାଡ଼ି । ଛିଡ଼ା ହୋଇ ହୋଇ ବିରକ୍ତ ମନରେ ଫେରି ଆସିଥିଲା ସିଦ୍ଧାର୍ଥ । ଏବେ ତା ଭିତରେ କେବଳ ନିଷ୍ଫଳ ଆକ୍ରୋଶ । କିନ୍ତୁ କାହା ବିରୋଧରେ ସେସବୁ, ସିଦ୍ଧାର୍ଥ ଜାଣେ ନାହିଁ । ତାର ମନେ ହେଉଥିଲା କିଛି ଲୋକଙ୍କ ଦୟା ବା ମର୍ଜି ଉପରେ ଯେମିତି ବଞ୍ଚିଛି ସିଏ ଓ ତାର ପରିବାର ।

 

ରାତି ଆଠଟା ହେଲାଣି । ଅନ୍ଧାର ଭିତରେ ସିଦ୍ଧାର୍ଥ ଏକାକୀ ଚାଲୁଥିଲା ପାଦ ଗଣି ଗଣି । ଦୂରରେ କେଉଁଠି ଖୁବ୍‌ ଉଜ୍ଜ୍ୱଳ ଦିଶୁଛି ଅରାଏ ଆକାଶ । ସୂଚୀଭେଦ୍ୟ ଅନ୍ଧାର ଭିତରେ ସେହି ଆଲୋକିତ ଅରାଏ ଆକାଶ ଅନ୍ଧାରକୁ ଉପହାସ କରି ଯଥେଷ୍ଟ ଉଜ୍ଜ୍ୱଳ ଦିଶୁଥିଲା । ସହରରେ ବିଜୁଳି ଯୋଗାଣ ଆରମ୍ଭ ହୋଇଗଲା କି ? ଅତ୍ୟନ୍ତ ଉତ୍ସୁକ ମନରେ ସିଦ୍ଧାର୍ଥ ଖବରଟା ବୁଝିବାପାଇଁ ସେହି ଆଡ଼କୁ ମୁହାଁଇଲା ।

 

କ୍ଷମତା ଓ ପ୍ରତିପତ୍ତିର ଏପରି ଅଶ୍ଳୀଳ ପ୍ରଦର୍ଶନୀ ପୂର୍ବରୁ କିନ୍ତୁ କେବେ ପ୍ରତ୍ୟକ୍ଷ କରି ନ ଥିଲା ସିଦ୍ଧାର୍ଥ । ସହରରେ ବିଜୁଳି ଯୋଗାଣ ଆରମ୍ଭ ହୋଇନଥିଲା । ଫ୍ଲଡ଼ଲାଇଟ୍‌ ଜଳେଇ ସହରର ଏକ ସମ୍ଭ୍ରାନ୍ତ ଅନୁଷ୍ଠାନର ସଭ୍ୟମାନେ ଖେଳୁଥିଲେ ବ୍ୟାଡ଼ମିଣ୍ଟନ । ସମଗ୍ର ସହର ଯେତେବେଳେ ଅନ୍ଧାରରେ ଉବୁଟୁବୁ, ଟୋପାଏ କିରୋସିନି କି ମହମବତିଟେ ପାଇଁ ଦୋକାନ ସାମ୍ନାରେ ଟଣାଓଟରା, ସମିତିର ସଭ୍ୟମାନେ ବ୍ୟାଡ଼ମିଣ୍ଟନ ପାଇଁ ପ୍ରଚୁର ଆଲୁଅ ପାଇଲେ କେମିତି ? ଜେନେରେଟର ଚଳେଇ ସେମାନେ ବିଜୁଳି ସଂଗ୍ରହ କରିଥିଲେ ସୁଦ୍ଧା ଆଜିପରି ଦିନରେ ଏତକ ନ କରିଥିଲେ କଣ ଚଳି ନ ଥାନ୍ତା ? ସିଦ୍ଧାର୍ଥ ହଠାତ୍‌ ଉତ୍ତ୍ୟକ୍ତ ହୋଇପଡ଼ିଥିଲା ନିଜ ଭିତରେ । ସମ୍ଭ୍ରାନ୍ତ ଲୋକଙ୍କ ଏହି ଦାୟିତ୍ୱହୀନ ଆଚରଣ ସହରର ହଜାର ହଜାର ଅସହାୟ ଲୋକଙ୍କ ଦୁଃଖଦୁର୍ଦ୍ଦଶା ପ୍ରତି ଯେମିତି ଥିଲା ପ୍ରଚ୍ଛନ୍ନ ବ୍ୟଙ୍ଗ ଓ ବିଦ୍ରୂପ । ବନ୍ୟାଞ୍ଚଳ ପରିଦର୍ଶନରେ ଯାଉଥିବା ମନ୍ତ୍ରୀଙ୍କର ଡାକବଙ୍ଗଳା-ଭୂରିଭୋଜନ ପରି ତମାମ ସହରର ଅନ୍ଧାର ଭିତରେ କେଇଜଣ ବିଳାସୀ ମଣିଷଙ୍କ ଏହି ନୈଶକ୍ରୀଡ଼ା ସିଦ୍ଧାର୍ଥକୁ ଭୟଙ୍କର ଭାବେ ଅଶ୍ଳୀଳ ଦିଶୁଥିଲା ।

 

ଯେଉଁ ଦେଶରେ କିଛି ସୁବିଧାବାଦୀ ଲୋକ ନିଜ ହାତରେ ଥିବା କ୍ଷମତାକୁ ଏହିପରି ବିନର୍ବ୍ୟୟ କରନ୍ତି ଓ ଆଉ କିଛି ଲୋକ ନିଜର ଦାବି ଆନ୍ଦୋଳନ ପାଇଁ ପଣ ରଖିପାରନ୍ତି ଲକ୍ଷଲକ୍ଷ ସରଳ ନିରୀହ ମଣିଷଙ୍କ ସୁଖ ଓ ସ୍ୱାଚ୍ଛନ୍ଦ୍ୟ, ସେଇ ଦେଶର ନାଆଁ ଇ ତ ଭାରତ ବର୍ଷ !

Image

 

ପ୍ରତିଘାତ

 

ଆଖପାଖର ଭିଡ଼ ଏହା ଭିତରେ ଟିକେ ବଢ଼ିଯାଇଥିଲା । ସହର ବଜାର ଜାଗାରେ ଏମିତିକା ଅଭାବିତ ଦୃଶ୍ୟଟେ ଗହଳି ସୃଷ୍ଟି କରିବା କଥା । ସ୍ତ୍ରୀଲୋକଟିଏ ନିଜର ଚିରା ଲୁଗାର ପଣତରେ ବାରମ୍ବାର ଆଖି ପୋଛି କାନ୍ଦୁଥାଏ ଓ ସେହି ଲୁହ କୋହ ମିଶା ଭଂଗା କଣ୍ଠରେ ନିଜର ଦୁଃଖ କହୁଥାଏ । ପାଖରେ ଛିଡ଼ା ହୋଇଥାଏ ବଳିଷ୍ଠ ବପୁବନ୍ତ ନିଶୁଆ ଲୋକଟେ । ବୟସ ଚାଳିଶରୁ ବେଶି ହେବ । ସ୍ତ୍ରୀଲୋକଟିର ସ୍ୱାମୀ ସେ । ସ୍ତ୍ରୀ ତାର ଘରୁ ପଳେଇ ଆସିଛି କୌଣସି କାରଣରୁ । ପଛେ ପଛେ ସ୍ୱାମୀଟି ଆସି ଏଇଠି ତାକୁ ଅଟକେଇଛି ।

 

ଦର୍ଶକଙ୍କ ଭିତରୁ କେତେକଙ୍କ ମନରେ ବ୍ୟାଧିତ କୌତୂହଳ । ଇମିତିକା ନାଟକୀୟ ଦୃଶ୍ୟ ସବୁବେଳେ ଦେଖିବାକୁ ମିଳେ ନାହିଁ ।

 

ସ୍ତ୍ରୀ ଲୋକଟି ସ୍ପଷ୍ଟଭାବରେ କହୁଥାଏ, ବିଷଖାଇ ମରିଯିବ ପଛେ ସେ ଫେରିବ ନାହିଁ । ଛଅ ଦିନ ଛଅ ରାତି ହେଲା ତା ସ୍ୱାମୀ ତାକୁ ଗୋଟାଏ ଘରେ କବାଟ କିଳି ବାଡ଼େଇଛି । ମାଡ଼ର ଆଘାତରେ ବିଚାରୀର ପିଠି ଓ ବାହା ନୋଳା ପଡ଼ିଯାଇଛି । ବାଳ କେରାକ ଉଡ଼ୁଛି ଫରଫର । ଆଖିର ଲୁହ କେଜାଣି କେତେ ଶହ ଥର ଚିବୁକ ଯାଏ ବୋହିଆସି ପୁଣି ଶୁଖିଯାଇଛି । ବେଶବାସ ଦେଖିଲେ ଜଣାପଡ଼ିଯାଉଛି, ଅନେକ ନିର୍ଯାତନା ସହିଛି ଏଇ ରକ୍ତମାଂସର ଦେହରେ ବିଚାରୀ !

 

ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା କିଛି ନୂଆ କଥା ନୁହେଁ । ବେଳେ ବେଳେ ଏହା ଆପତ୍ତିଜନକ ପର୍ଯ୍ୟାୟକୁ ଚାଲିଯାଇଥିବା ସିଦ୍ଧାର୍ଥ ଶୁଣିଛି । ମାତ୍ର ଗୋଟେ ମଧୁର ଦାଂପତ୍ୟ ଏପରି ନୃଶଂସ ଲୋମହର୍ଷକ ଅତ୍ୟାଚାରରେ ପହଞ୍ଚିପାରେ, ଏକଥା କୌଣସି ଦିନ କଳ୍ପନା କରିପାରି ନ ଥିଲା ସେ ।

 

ବିଚାରୀର ଦୋଷ କଣ ଥିଲା ?

 

ସ୍ୱାମୀଟି ଗୋଟେ ସରକାରୀ ସଂସ୍ଥାରେ ଡ୍ରାଇଭର କି ପିଅନ ଅଛି । ମଦ୍ୟପ । ସବୁଦିନ ଆସି ସ୍ତ୍ରୀକୁ ବାଡ଼ାଏ । ନିଜର ଯାବତୀୟ ଦୁଃଖ ଓ ଅଯୋଗ୍ୟପଣିଆ ପାଇଁ ଯେମିତି ସ୍ତ୍ରୀ ହିଁ ତା’ର ଦାୟୀ । ବିଚାରୀ ପ୍ରତିବାଦ କରେ ନାହିଁ । ମାତ୍ର ଦିନେ ଅତ୍ୟାଚାର ଅସହ୍ୟ ହେବାରୁ ହିଁ ସେ ସାମାନ୍ୟ ପ୍ରତିବାଦ କରିଥିଲା । ତାପରେ ନୃଶଂସ ମଣିଷଟି ସ୍ତ୍ରୀକୁ ଘୋଷାଡ଼ି ନେଇ ଛଅ ଦିନ ଛଅ ରାତି ଗୋଟାଏ ଘରେ କବାଟ କିଳି ରଖିଥିଲା । ବାଡ଼େଇଥିଲା ବି ପ୍ରଚୁର । ଆଜି ସକାଳେ କୌଶଳକ୍ରମେ ସେହି ଜେଲ୍‌ଖାନାରୁ ମୁକୁଳି ଆସିଛି ସ୍ତ୍ରୀଲୋକଟି । ବାପଘରକୁ ପଳେଇ ଯିବ ନ ହେଲେ ବିଷ ଖାଇ କି ରେଳଲାଇନରେ ମୁଣ୍ଡ ଦେଇ ମରିଯିବ ପଛେ, ସ୍ୱାମୀର ଘରକୁ ଫେରିବ ନାହିଁ । ଥରକେ ମରିଯିବାଠାରୁ ପ୍ରତିଦିନ ଏପରି ମାଡ଼ ଖାଇ ଖାଇ ବଞ୍ଚିବା ହଜାରେଗୁଣ କଷ୍ଟଦାୟକ ।

 

କେହି ଜଣେ ପଚାରିଲା, ‘ତମେ କ’ଣ ଏକାକୀ ବାପଘରକୁ ଯାଇପାରିବ ?’

ସ୍ତ୍ରୀଲୋକଟି କହିଲା– ହଁ ।

ତମ ପାଖରେ ବାଟ ଖର୍ଚ୍ଚ ଅଛି ।

ହଁ, କୋଡ଼ିଏ ଟଙ୍କା ଅଛି । ସେତିକିରେ ପହଞ୍ଚିଯିବି...

ସିଦ୍ଧାର୍ଥ ଆଖି ସାମ୍ନାରେ ଖଣ୍ଡେ କଳାମେଘ ଢାଙ୍କି ଆସିଥିଲା । ଆଜି ସରସ୍ୱତୀ ପୂଜା । ସହରର ବିଭିନ୍ନ ଜାଗାରେ ମେଢ଼ ଓ ମଣ୍ଡପ । ପିଲାଏ ହସଖୁସିରେ ଡେଉଁଛନ୍ତି । ଅଥଚ ରାଜପଥ ଉପରେ ଛିଡ଼ାହୋଇଛି ଗୋଟିଏ ଅସହାୟା ନାରୀ । କୁଆଡ଼େ ଯିବ ବିଚାରୀ ? ଯେଉଁଠି ସମାଧାନ ହିଁ ସମସ୍ୟା, ସେଠି ସେ କ’ଣ କରିପାରିବ ?

 

ଜଣେ ପୁଲିସ ସବ୍‌ଇନିସ୍ପେକ୍ଟର ଇତିମଧ୍ୟରେ ଆସି ପହଞ୍ଚି ଯାଇଥିଲେ ଘଟଣା ସ୍ଥଳରେ-। ସ୍ତ୍ରୀଲୋକଟି ପୁଣି ଥରେ ନିଜ ଦୁଃଖ କହୁଥାଏ ପୁଲିସକୁ, ଦେଖଣାହାରିଙ୍କୁ ଓ କରଛଡ଼ା ଦେଇ ଛିଡ଼ା ହୋଇଥିବା ତା ସ୍ୱାମୀକୁ । ପୁଲିସ କହିଲା, “ଦୁହେଁ ଜିପରେ ବସ । ଥାନାରେ ତମମାନଙ୍କ କଥା ଶୁଣିବି । ଏଠି ରାସ୍ତାରେ ଟ୍ରାଫିକ୍‌ ଜାମ୍‌ କରିଛ କାହିଁକି ?”

 

ସ୍ୱାମୀଟି ଜିପ୍‌ ଆଡ଼କୁ ଆଗଉଥିଲା, ହାଣ ମୁହଁକୁ ଛେଳି ଘୋଷରା ହେଇ ଯିବା ପରି ।

 

ଦେଖଣାହାରିଙ୍କ ଭିତରୁ କେହି ଜଣେ କହିଲା, ‘ଯାଆ ବାବୁ, ସ୍ତ୍ରୀକୁ ବାଡ଼ଉଛ ବୋଲି ପୁଲିସରେ ପ୍ରମାଣ ହେଲେ ଆଉ ଯାହା ହେଉ ନ ହେଉ ସରକାରୀ ଚାକିରି ଖଣ୍ଡକ ଯିବ । ସେତେବେଳେ ଯାଇ ବୁଦ୍ଧି ଦିଶିବ !’

 

ଏତେ ସମୟ ଧରି ଲୁହ ଓ କୋହରେ ଫୁଲି ଫୁଲି କାନ୍ଦିଆସୁଥିବା ସ୍ତ୍ରୀ ଲୋକଟି କାନରେ ଏ କଥାଟି ବାଜିଲା ପରା ! ହଠାତ୍‌ ଦି ପାଦ ପଛକୁ ଘୁଞ୍ଚିଆସି ସେ ସ୍ୱାଭାବିକ କଣ୍ଠରେ କହିଲା, “କିଏ କହିଲା ତାଙ୍କ ଚାକିରି ଯିବ ? ସେ କଣ କରିଛନ୍ତି କି ? କିଛି ଇ ତ କରି ନାହାନ୍ତି ।”

 

ଦେଖଣାହାରିଏ ସ୍ତବ୍‌ଧ । ପୁଲିସଜଣକ ଜିପ୍‌ର ସିଟ୍‌ ଉପରୁ ଓହ୍ଲେଇ ଆସିଲେ । ସ୍ୱାମୀ ନାମକ ସେଇ ଲୋକଟାର ଆଖି ବିସ୍ଫାରିତ ହୋଇଯାଇଥିଲା । ସ୍ତ୍ରୀ ଲୋକଟିର ହଠାତ୍‌ ଏ ଭାବାନ୍ତର କାହିଁକି ?

 

ତାପରେ ସେ ସ୍ୱାମୀ ଉଦ୍ଦେଶ୍ୟରେ କହିଲା, “ମୁଁ ଆଗେ ଆଗେ ଯାଉଛି । ତମେ ଘରକୁ ଆସ । ଘରେ ଯାଇ କଥାବାର୍ତ୍ତା ।” ଏଥର ସମସ୍ତଙ୍କୁ ପିଠିକରି ସ୍ତ୍ରୀଲୋକଟି ନିଜର ଘରକରଣା ଆଡ଼କୁ ମୁହାଁଇଲା । ମୁଣ୍ଡ ଝୁଙ୍କାଇ ତାକୁ ଅନୁସରଣ କରୁଥିଲା ସ୍ୱାମୀଟି ।

 

ଘଟଣାଟା ହଠାତ୍‌ ଏପରି ଗୋଟେ ନାଟକୀୟ ମୋଡ଼ ନେବ ବୋଲି ସିଦ୍ଧାର୍ଥ କେମିତି ବା କଳ୍ପନା କରିଥାଆନ୍ତା ? ଏତେ ଅତ୍ୟାଚାର ଓ ନିର୍ଯାତନା ସତ୍ତ୍ୱେ ନାରୀଟି ଗୋଟାଏ ମୁହୂର୍ତ୍ତରେ କ୍ଷମା କରିଦେଇପାରିଲା ସ୍ୱାମୀଟିକୁ ? ପୁଲିସକୁ ଗଲେ କାଳେ ସ୍ୱାମୀର ଚାକିରି ଚାଲିଯିବ– ଏପରି ଏକ ଆଶଙ୍କା ହିଁ କେମିତି ତରଳେଇ ଦେଲା ସବୁ ଦୁଃଖ ଓ ଅଭିମାନକୁ !

 

ଘର ଫେରନ୍ତା ସିଦ୍ଧାର୍ଥ ଆଖିରେ ସେହି ଦରିଦ୍ର ସ୍ତ୍ରୀଲୋକଟି କାହିଁ କେତେ ଉପରକୁ ଉଠିଯାଇଥିଲା । ଗଲା ଛଅ ଦିନ ଧରି ନୃଶଂସ ସ୍ୱାମୀଟି ଯେତେ ବାଡ଼େଇ ଥାଉ, ପିଟିଥାଉ, ସେସବୁ ଆଘାତ ବାଜିଥିବ ବିଚାରୀର ମାଂସରେ, ହାଡ଼ରେ କିମ୍ବା ରକ୍ତରେ । କିନ୍ତୁ ରାଜପଥ ଉପରେ ଓ ସର୍ବସମକ୍ଷରେ ନୃଶଂସ ସ୍ୱାମୀକୁ କ୍ଷମା କରିଦେଇ ସେ ଯେଉଁ ଶକ୍ତ ମାଡ଼ଟି ବସେଇ ଦେଇଥିଲା ସ୍ୱାମୀ ଉପରେ ତା’ର, ସେଇଟା ତ ସିଧା ଯାଇ ବାଜିଥିବ ତା ବିବେକରେ, ତା ଆତ୍ମାରେ ! ଏଭଳି ପ୍ରତିଘାତ ସହିବାର ଶକ୍ତି କେଉଁ ସ୍ୱାମୀର ଅବା ଅଛି ?

Image

 

ସମାଜସେବା

 

ଜଣେ ସମାଜସେବିକା ଭାବେ ତିଳୋତ୍ତମା ଦେବୀଙ୍କର ନାଆଁ ଅନେକ ସମୟରେ ଖବରକାଗଜମାନଙ୍କରେ ବାହାରେ । ତାଙ୍କର ଭାଷଣ, ବିବୃତି, ପ୍ରତିକ୍ରିୟା ଓ ପରାମର୍ଶ ଇତ୍ୟାଦିକୁ ଖବରକାଗଜମାନେ ଗୁରୁତ୍ୱ ଦେଉଥିବାରୁ ଅନେକ ଦିନୁ ତିଳୋତ୍ତମା ଦେବୀଙ୍କ ସମ୍ପର୍କରେ ଏକ ସମ୍ମାନ ଓ ସଂଭ୍ରମବୋଧ ସିଦ୍ଧାର୍ଥ ଭିତରେ ଚେରେଇ ସାରିଥିଲା । ଗୋଟେ ପ୍ରତିଷ୍ଠିତ କଲେଜର ସେ ଅଧ୍ୟାପିକା । ତାଙ୍କର ବିଭିନ୍ନ ରଚନାମାନ ଭିନ୍ନ ଭିନ୍ନ ପ୍ରାନ୍ତୀୟ ଭାଷାକୁ ଅନୂଦିତ ହୋଇଛି । ମୋଟାମୋଟି ସେ ଏକାଧାରରେ ଜଣେ ସମାଜ ସଂଗଠିକା, ଶିକ୍ଷାବିତ୍‌, ଲେଖିକା ଓ ସମାଜସେବୀ-। ତିଳୋତ୍ତମାଙ୍କ ସ୍ୱାମୀ ଜଣେ ପ୍ରଭାବଶାଳୀ ବ୍ୟବସାୟୀ । ତେବେ ସେ ନିଜ ପତ୍ନୀଙ୍କର ପତି ଭାବେ ବେଶି ପରିଚିତ ।

 

ସେଦିନ କଲିକତାରେ ଦେଖା ହୋଇଗଲା ତିଳୋତ୍ତମା ଦେବୀଙ୍କ ସହ । ସିଦ୍ଧାର୍ଥ ତା କଲେଜର ପ୍ରତିନିଧି ଭାବେ ଗୋଟେ ସେମିନାରରେ ଯୋଗ ଦେବାକୁ ଯାଉଥିଲା । ତିଳୋତ୍ତମା ଦେବୀ ମଧ୍ୟ ସେହି କାର୍ଯ୍ୟୋପଲକ୍ଷେ ଆସିଥିବେ ବିଚାରି ସେ ତାଙ୍କ ସଙ୍ଗେ ଦିପଦ କଥା ହେବାକୁ ଚାହିଁଥିଲା ।

 

କିନ୍ତୁ ନା, ତିଳୋତ୍ତମା ଦେବୀ ସେମିନାରରେ ଯୋଗ ଦେବାକୁ ଆସି ନ ଥିଲେ । “ମୁଁ ନିମନ୍ତ୍ରଣ ପାଇଥିଲି । କିନ୍ତୁ ଏବେ ତ ମୁଁ ମେଡିକାଲ ଲିଭରେ ଅଛି । ତେଣୁ ସେମିନାରରେ ଯୋଗ ଦେବାଟା ଭୁଲ୍‌ ହୋଇଯିବ । ତେଣୁ ଯୋଗ ଦେଉ ନାହିଁ ।” ସେ କହିଥିଲେ ।

 

: କିନ୍ତୁ ଆପଣ ତ କଲିକତା ଆସିଛନ୍ତି ?

: ମିଷ୍ଟର ଆସିଛନ୍ତି । ମୋର ଭାଷଣଗୁଡ଼ିକର ଏକ ସଂକଳନ ଏଠି ଗୋଟେ ଇଂରାଜୀ ପ୍ରକାଶକ ପ୍ରକାଶ କରୁଛନ୍ତି । ଆଦିବାସୀ, ହରିଜନ ଓ ଦରିଦ୍ର ଲୋକମାନଙ୍କ ପାଇଁ ମୁଁ ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲି ତାର ଏକ ସଂକଳନ ପ୍ରକାଶ ପାଉଛି । ମୋର ଇଚ୍ଛା ହିନ୍ଦୀ, ଇଂରାଜୀ, ବଙ୍ଗଳା ଓ ଗୁଜୁରାତୀ– ଏ ଚାରିଟି ଭାଷାରେ ଏକକାଳୀନ ବହିଟି ପ୍ରକାଶ ପାଉ । ଏବେ ମୁଁ ଏଇଠି ପାଖ ହୋଟେଲରେ ଅଛି । ଦୁଇ ସପ୍ତାହ ରହିବି । ବେଶ୍‌ ବଡ଼ ହୋଟେଲ । ସେଣ୍ଟ୍ରାଲି ଏୟାର କଣ୍ଡିସନ୍‌ଡ ।

ନିଜର ସ୍ୱାଭାବିକ ସୁନ୍ଦର ଚେହେରା ସାଙ୍ଗକୁ କୃତ୍ରିମ ପ୍ରସାଧନର ସହଯୋଗରେ ସୁସ୍ଥ ଓ ସୁଶ୍ରୀ ଦିଶୁଥିବା ତିଳୋତ୍ତମା ଦେବୀ ମେଡିକାଲ ଲିଭରେ କାହିଁକି– ତାହା ସିଦ୍ଧାର୍ଥ ବୁଝିପାରୁନଥିଲା-। ହଠାତ୍‌ ଓଠ ଫାଙ୍କରୁ ତାର ମନ ଭିତରର ସେ ପ୍ରଶ୍ନଟି ଡେଇଁ ପଡ଼ିଲା ।

ତତ୍‌କ୍ଷଣାତ୍‌ ତିଳୋତ୍ତମା ଦେବୀଙ୍କ ସୁନ୍ଦର ଆଖିଯୋଡ଼ିକ ହିଂସ୍ର ଦିଶିଲା । ‘ଆପଣ କ’ଣ କହୁଛନ୍ତି ?’ ଆଉ କ’ଣ ଯାଇ ଢେଙ୍କାନାଳରେ ଜଏନ୍‌ କରିଥାନ୍ତି ? ଆଜେବାଜେ ଲୋକ ଅଛନ୍ତି ଭୁବନେଶ୍ୱରରେ । ମୁଁ କାହିଁକି ଅନ୍ୟ କୁଆଡ଼େ ଯିବି ? ରହିଛି ମେଡିକାଲ ଲିଭରେ । ଦେଖାଯିବ, ଯେତେଦିନ ଯାଉଛି ଯାଉ । ମୁଁ କୁଆଡ଼କୁ ଯିବି ନାହିଁ । ସ୍ଥିର କରିନେଇଛି ।’

ସିଦ୍ଧାର୍ଥର ଡେରି ହୋଇଯାଉଥିଲା । ତିଳୋତ୍ତମା ଦେବୀଙ୍କ କଥାବାର୍ତ୍ତା, ଠାଣି ବାଣୀ ତାକୁ କଙ୍କଡ଼ାବିଛା କାମୁଡ଼ିବା ପରି ଲାଗୁଥିଲା । ସେ ନମସ୍କାରଟେ ଫିଙ୍ଗିଦେଇ ସେଠୁ ଚାଲିଗଲା । ଠିକ୍‌ କଥା, ତିଳୋତ୍ତମା ଦେବୀଙ୍କ ପରି ପ୍ରଭାବଶାଳୀ ଅଧ୍ୟାପିକାମାନଙ୍କୁ ସିନା କଟକ କି ଭୁବନେଶ୍ୱର ଶୋଭାପାଏ ? ଢେଙ୍କାନାଳକୁ ବା ସେ କିପରି ଯିବେ ?

କଲିକତାରୁ ଫେରିବାର କିଛିଦିନ ପରେ ସେ ଖବରକାଗଜରୁ ପଢ଼ିଲା, ତିଳୋତ୍ତମା ଦେବୀଙ୍କର ପ୍ରସିଦ୍ଧ ‘ଓଡ଼ିଶାର ଦାରିଦ୍ର୍ୟ’ ବହି ବେଶ୍‌ ପ୍ରଶଂସା ଲାଭ କରିଛି ସମାଲୋଚକ ମହଲରେ-। ଦରିଦ୍ର ଲୋକମାନଙ୍କ ପ୍ରତି ଦରଦ ଓ ଆଞ୍ଚଳିକ ଭାବର ଦୂରୀକରଣ ପାଇଁ ଲେଖିକାଙ୍କ ପ୍ରଶଂସନୀୟ ପ୍ରସ୍ତାବ ଯଥାଯୋଗ୍ୟ ଭାବେ ସ୍ଥାନ ପାଇଛି ସେସବୁ କାଗଜରେ ।

ସିଦ୍ଧାର୍ଥ ଖବରକାଗଜର କ୍ରୋଡ଼ପତ୍ରଟିକୁ ଦୂରକୁ ଫିଙ୍ଗିଦେଲା । ତିଳୋତ୍ତମା ଦେବୀଙ୍କ ସ୍ୱର୍ଣ୍ଣମୃଗ ଚେହେରା ଭିତରେ ଛପି ରହିଥିବା କଦାକାର ରାକ୍ଷସଟିର ପରିକଳ୍ପନାରେ ସେ ବ୍ୟସ୍ତ ହୋଇ ପଡ଼ିଥିଲା । ଯେଉଁ ଅଧ୍ୟାପିକା ବଦଳିକୁ ଆଡ଼େଇଯିବା ପାଇଁ ଛାତ୍ରମାନଙ୍କ ଭବିଷ୍ୟତ ଓ ପାଠପଢ଼ା ଦାୟିତ୍ୱକୁ ଆଡ଼େଇ ଯାଆନ୍ତି ନିର୍ଲିପ୍ତ ଭାବରେ, ଭୁବନେଶ୍ୱର ଭିନ୍ନ ଅନ୍ୟ କୁଆଡ଼େ ଯିବେ ନାହିଁ ବୋଲି ଏକପାକ୍ଷିକ ଭାବେ ସ୍ଥିର କରିନିଅନ୍ତି ଅସମ୍ଭବ ଦାମ୍ଭିକତାରେ, ସେ ଲୋକର ଓଡ଼ିଶାର ଦାରିଦ୍ର୍ୟକୁ ନେଇ ବହି ଲେଖିବାର କି ଅଧିକାର ଅଛି ? ସେ ଜାଣିଛି, ତିଳୋତ୍ତମା ଦେବୀ ଚାକିରି ନ କଲେ ତାଙ୍କ ପରିବାର ସାମାନ୍ୟତମ ଅସୁବିଧାର ସମ୍ମୁଖୀନ ହେବ ନାହିଁ । ତାଙ୍କ ସ୍ୱାମୀଙ୍କର ଗଚ୍ଛିତ ବ୍ୟାଙ୍କ ଜମା ଆଗାମୀ ସପ୍ତପୁରୁଷ ଦାୟିତ୍ୱ ବୁଝିବା ପାଇଁ ବେଶ୍‌ ସମର୍ଥ । କିନ୍ତୁ ତା ସତ୍ତ୍ୱେ ତିଳୋତ୍ତମା ଦେବୀମାନେ ଚାକିରିକୁ ଜବରଦସ୍ତ ଢଙ୍ଗରେ ଚାପି ଧରିଥାନ୍ତି ହାତମୁଠାରେ ।

ତିଳୋତ୍ତମା ଦେବୀଙ୍କ ପରି ମଣିଷଙ୍କର ଉଚ୍ଚାରଣ ଓ ଆଚରଣ ଭିତରର ଫରକ ସିଦ୍ଧାର୍ଥକୁ ବିବ୍ରତ କରୁଥିଲା ।

Image

 

ଚିହ୍ନା ଚୌହଦି

କର୍ମଣ୍ୟେବାଧିକାରସ୍ତେ...

 

ଏତେ ବର୍ଷ ପରେ ହଠାତ୍‌ ବୁଦ୍ଧିରାମ ସଙ୍ଗେ ଦେଖାହୋଇଯିବ ଏବଂ ତାହା ପୁଣି ଏମିତି ଏକ ପରିବେଶରେ, ସେକଥା କଦାପି କଳ୍ପନା କରିନଥିଲା ସିଦ୍ଧାର୍ଥ । ବୁଦ୍ଧିରାମ ପିନ୍ଧିଥିଲା ଖଦଡ଼ ପଞ୍ଜାବି ଓ ଟ୍ରାଉଜର । ଧଳା ଆମ୍ବାସାଡର ଭିତରେ ବସି ସେ କେବଳ ଥରକୁ ଥର ‘ଜିନ୍ଦାବାଦ’, ‘ଜିତେଇ ଦିଅ’, ‘ଚଳିବ ନାହିଁ’ ଓ ‘ମୁର୍ଦ୍ଦାବାଦ’ ଜାତୀୟ କିଛି ଶବ୍ଦ ଫିଙ୍ଗିଦେଉଥିଲା ରାସ୍ତା ଉପରକୁ । ସିଦ୍ଧାର୍ଥ ଛକ ଉପରେ ବସ୍‌କୁ ଅପେକ୍ଷା କରୁଥିଲା । ଗାଡ଼ିର କାଚଝର୍କା ଦେଇ ବୁଦ୍ଧିରାମ କହିଉଠିଲା, “ସିଦ୍ଧୁଭାଇ ଯେ, ଦଣ୍ଡବତ ।” ମାନିବାକୁ ପଡ଼ିବ । ବୁଦ୍ଧିରାମର ଦଣ୍ଡବତ ହେବାର ଗୋଟେ ନିଜସ୍ୱ ଷ୍ଟାଇଲ୍‌ ଅଛି ।

 

ସିଦ୍ଧାର୍ଥ ତରତରରେ ପଚାରିଲା, ‘ଆରେ ଇଆଡ଼େ କୁଆଡ଼େ ?’

 

ବୁଦ୍ଧିରାମ ସିଦ୍ଧାର୍ଥର ଅଜ୍ଞତାକୁ ନିଜର ଉଦାରଗୁଣରେ କ୍ଷମା କରିଦେବାପରି କହିଲା, ‘ପ୍ରଚାରରେ ଆସିଛି । ସର୍କିଟ ହାଉସରେ ଅଛି । ଆସ କେତେବେଳେ, କଥାବାର୍ତ୍ତା ହେବା । ବହୁତ ‘ବିଜି’ ମୁଁ ଆଜିକାଲି ।’

 

ସିଦ୍ଧାର୍ଥ କିଛି କହିବା ପୂର୍ବରୁ ବୁଦ୍ଧିରାମର ଗାଡ଼ି ତାର ସାଙ୍ଗ ସଙ୍ଗାତଙ୍କୁ ନେଇ ସେଠୁ ଦୂରେଇ ଯାଇଥିଲା । ତାର ଗାଡ଼ି ସାମ୍ନାରେ ଉଡ଼ୁଥିଲା ଗୋଟେ ପତାକା, ବୁଦ୍ଧିରାମ ସମର୍ଥନ କରୁଥିବା ରାଜନୈତିକ ଦଳର ପତାକା ହୋଇଥିବ ।

 

ଅନେକକାଳ ପର୍ଯ୍ୟନ୍ତ ବୁଦ୍ଧିରାମ-ମନସ୍କ ହୋଇ ରହିଲା ସିଦ୍ଧାର୍ଥ । ଏ ଯାବତ୍‌ ଗୋଟେ ଦାୟିତ୍ୱଶୂନ୍ୟ ଜୀବନ ଜୀଇଁ ଆସିଛି ବୁଦ୍ଧିରାମ । ପରିବାରର ସମସ୍ୟା କି ବାପାଭାଇଙ୍କ ଉପଦେଶ କୌଣସି ଗୋଟିଏ ତା ଉପରେ ପ୍ରଭାବ ପକେଇପାରି ନାହିଁ । ଆତ୍ମଆରୋପିତ ନେତୃତ୍ୱ ଭିତରେ ସେ ସବୁବେଳେ ଚଞ୍ଚଳ ଥାଏ । ସେଥିପାଇଁ ସ୍କୁଲର କ୍ଲାସ୍‌ରୁମ୍‌କୁ କୁକୁରଛୁଆ ନେଇ ଉଦ୍ଭଟ ଦୃଶ୍ୟ ସୃଷ୍ଟି କରିବା, ହେଡ଼ମାଷ୍ଟ୍ରଙ୍କୁ ମୁହେଁ ମୁହେଁ ଜବାବ ଦେବା କିମ୍ବା ଇଏ ନିର୍ବାଚନରେ ସ୍କୁଟର ଚିହ୍ନରେ ଲଢ଼ୁଥିବା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଆସନ୍ତା ନିର୍ବାଚନରେ ପୂର୍ବୋକ୍ତ ପ୍ରାର୍ଥୀଙ୍କୁ ବିରୋଧ କରୁଥିବା ‘ଶଗଡ଼’ ଚିହ୍ନବାଲାଙ୍କୁ ସମର୍ଥନ କରିବା ଇତ୍ୟାଦି ସବୁ କାମ ସେ କରିପାରେ । କାହା କାନ୍ଧରେ ସେ ଠିଆହୋଇଛି ଜାଣିବା ତାର ଦରକାର ନାହିଁ । ତାର କେବଳ ମଇଦାନ୍‌ ଲୋଡ଼ା ।

 

ମାତ୍ର ବୁଦ୍ଧିରାମ ପରି ନିମ୍ନବିତ୍ତ ପରିବାରର ଯୁବକଙ୍କ ପାଇଁ ନେତୃତ୍ୱ ଓ କ୍ଷମତାର ସିଂହଦ୍ୱାର ଯେ କଦାପି ଖୋଲେ ନାହିଁ, ସେକଥା ସେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ସେଇଥିପାଇଁ ଭେକ ବଦଳେଇ, ସ୍ଲୋଗାନ ବଦଳେଇ, ଚିହ୍ନ ବଦଳେଇ ଓ ଚିତା ବଦଳେଇ ବୁଦ୍ଧିରାମ ତା ବୁଦ୍ଧିର ପରୀକ୍ଷା ଦେଇଚାଲିଛି । ଗାଆଁରୁ ଆସି ରାଜଧାନୀରେ ପହଞ୍ଚିସାରିଛି । ଏବେ ସେ ପାଲଟିଛି ଗୋଟେ ରାଜ୍ୟସ୍ତରୀୟ ଯୁବକର୍ମୀ ।

 

ବୁଦ୍ଧିରାମ ପିଲାଦିନେ ରୁଦ୍ର ମହାପାତ୍ରଙ୍କ ଘରେ କିଛି ଦିନ କାମ କରୁଥିଲା । ରୁଦ୍ର ମହାପାତ୍ର ତାଙ୍କ ଅଞ୍ଚଳର ସରପଞ୍ଚ ପ୍ରାର୍ଥୀ ଥିଲେ । ବୁଦ୍ଧିରାମର ପ୍ରଚାର କୌଶଳ ଯୋଗୁଁ ତା ଉପରେ ଭାରି ଖୁସି ଥିଲେ ମହାପାତ୍ରେ । ନିର୍ବାଚନ ପ୍ରଚାର ମଝିରେ ଥରେ ଦି ଦିନ ଛୁଟି ନେଇ ବୁଦ୍ଧିରାମ ଆସିଥିଲା ତା ଗାଆଁକୁ । ତା ଗାଆଁର ଶ୍ୟାମ ମହାନ୍ତି ବି ସେ ବର୍ଷ ହେଇଥାନ୍ତି ସରପଞ୍ଚ ପ୍ରାର୍ଥୀ, ଓଲଟି ରୁଦ୍ର ମହାପାତ୍ରଙ୍କ ବିରୋଧୀ ପକ୍ଷ । ମାତ୍ର ବୁଦ୍ଧିରାମ ଏ ମାମଲାରେ ବେଶ୍‌ ଉଦାର । ସ୍ଲୋଗାନ ବଦଳେଇ ଶ୍ୟାମ ମହାନ୍ତିଙ୍କ ପାଇଁ ପ୍ରଚାରରେ ଲାଗିଗଲା । ରାସ୍ତାର ଲୋକେ ସେଇ ପ୍ରଥମଥର ବୁଦ୍ଧିରାମର ‘ରଙ୍ଗ ବଦଳ’ ରୂପ ଦେଖିଥିଲେ । ଦେଖିଥିଲା ବି ରୁଦ୍ର ମହାପାତ୍ରଙ୍କ ପୁଅ ଟିମା । ସେ ହାଟପଟିକୁ ପରିବା କିଣିବାକୁ ଆସିଥିଲା । କଥାଟା ମହାପାତ୍ରଙ୍କ ପାଖେ ପହଞ୍ଚିଲା ବେଳକୁ ବୁଦ୍ଧିରାମ ଫେରାର୍‌ । ପରେ କିନ୍ତୁ ସେ କହିଥିଲା, ମୁଁ ଦଳ କି ଚିହ୍ନ କିଛି ବୁଝେ ନାହିଁ । ମୋତେ ଯିଏ ମୋ ପରିଶ୍ରମ ପାଇଁ କିଛି ଟଙ୍କା ଦେବ, ମୁଁ ତା ପାଇଁ ପ୍ରଚାର କରିବି । ରୁଦ୍ର ମହାପାତ୍ର ହୁଅନ୍ତୁ କି ଶ୍ୟାମ ମହାନ୍ତି, ସମସ୍ତେ ମୋ ଆଖିରେ ସମାନ । ପ୍ରଚାର କରିବା ମୋର ଜୀବିକା ।

 

ବେଳେବେଳେ ସିଦ୍ଧାର୍ଥ ଭାବେ, ବୁଦ୍ଧିରାମ କଥାରେ ମିଛଟା ବା କେଉଁଠି ? ଜାତୀୟ ସ୍ତରର ନେତା ଯଦି ଦଳ, ଆଦର୍ଶ ନିର୍ବିଶେଷରେ ରାତାରାତି ଭେକ ବଦଳେଇ ପାରୁଛନ୍ତି ତାହାହେଲେ ସାମୟିକ ନିଯୁକ୍ତି, କିଛି ପକେଟ ଖର୍ଚ୍ଚ ଓ ବେଳ ଅବେଳେ ଟିକେ ନାଲିପାଣି କି କୁକୁଡ଼ା ଗୋଡ଼ଖଣ୍ଡେ ପାଇଁ ପ୍ରଚାର କରୁଥିବା ବୁଦ୍ଧିରାମ ପାଖରୁ ଅଧିକ ଆଶା କରିବା ଅନ୍ୟାୟ ନୁହେଁ କି ? ନିର୍ବାଚନ ପରେ ବୁଦ୍ଧିରାମମାନଙ୍କୁ କେହି ଖୋଜନ୍ତି ନାହିଁ– ନା ନେତା ନା ଜନତା । ସେମାନେ ଗୋଟେ ବିୟୋଗାନ୍ତକ ନାଟକର ପାଦପ୍ରଦୀପ ପରି ନିଭି ଅଦୃଶ୍ୟ ହୋଇଯାଆନ୍ତି । କାନ୍ଥବାଡ଼ରୁ ପୋଷ୍ଟର ଓ ପେଣ୍ଟିଂ ଫିକା ପଡ଼ିଆସେ । ନେତା ଗାଆଁରୁ ସହର ଓ ସହରରୁ ରାଜଧାନୀ ଯାଆନ୍ତି । ବୁଦ୍ଧିରାମମାନେ ପୁଣି ଅପେକ୍ଷା କରନ୍ତି ଆଉ ଗୋଟେ ମଉକା, ଆଉ କିଛି ଉପାର୍ଜନ ପାଇଁ । ମଝିରେ କେବଳ ଗୋଟେ ପ୍ରଲମ୍ବିତ ନିଃସଙ୍ଗ ନିର୍ଜନତା ।

 

ବୁଦ୍ଧିରାମ କହେ, ନିର୍ବାଚନ ପ୍ରଚାରରେ କେବଳ ଆର୍ଥିକ ଫାଇଦା ନାହିଁ, ଅଛି ମଧ୍ୟ ପ୍ରଚୁର ଉତ୍ତେଜନା । ସେହି କିଛିଦିନ ପାଇଁ ସେ ତ ନିଜକୁ ପ୍ରାର୍ଥୀ ବୋଲି ଭାବିବସେ । କ୍ଷମତାକୁ ଆସିଲେ ଅମୁକ କରିବୁ, ସମୁକ ଦେବୁ, ସମୁକ ଟିକସ ଛାଡ଼ିଦେବୁ ବୋଲି କହେ ଓ ସ୍ଲୋଗାନ ଦିଏ କଣ୍ଠ ଫଟେଇ । ଆମର ଏ ଗାଉଁଲି, ଦରିଦ୍ର ଓ ନିରୁଦ୍‌ବିଗ୍ନ ଶୀତଳ ଜୀବନରେ ଏହାଠୁ ବଳି ଉତ୍ତେଜନା ଆଉ କଣ ଥାଇପାରେ ?

 

ବୁଦ୍ଧିରାମ ଅନେକବେଳୁ ଦୂରେଇ ଗଲାଣି । ବସ୍‌ ଝର୍କାବାଟେ ଫଗୁଣର ଆକାଶ ଓ ରାସ୍ତାକଡ଼ ପଳାଶଗଛ ଆଡ଼େ ଚାହିଁ ସିଦ୍ଧାର୍ଥ କିନ୍ତୁ ଭାରତୀୟ ରାଜନୀତିର ଏହି ଫଳ-ନିସ୍ପୃହ କର୍ମୀମାନଙ୍କ ସମ୍ପର୍କରେ ଚିନ୍ତା କରୁଥିଲା । ବୁଦ୍ଧିରାମ କଣ ଦିନେ ମନ୍ତ୍ରୀ ହେବ ? ନା, ତାହା ସମ୍ଭବ ନୁହେଁ । ତା ହେଲେ ସେ ବାରମ୍ବାର ଭେକ କି ଚିତା ଚଇତନ ବଦଳେଇ ଏପରି ଗୋଟେ ଶେଷହୀନ ଖେଳ ଭିତରକୁ ଡେଇଁ ପଡ଼ିଛି କାହିଁକି ? ମାତ୍ର ଏ ପ୍ରକାର ଚିନ୍ତାକୁ ବୁଦ୍ଧିରାମ ସମ୍ମାନ ଦିଏ ନାହିଁ । ପ୍ରେମ ଓ ରାଜନୀତିରେ ସବୁକିଛି କରଣୀୟ । ଆଦର୍ଶ ଓ ମୂଲ୍ୟବୋଧକୁ ପକେଟରେ ରଖି ସନ୍ତର୍ପଣରେ ବୁଲନ୍ତି କିଛି ନିମ୍ନମଧ୍ୟବିତ୍ତ ଓ ମଧ୍ୟବିତ୍ତ ବର୍ଗର ମଣିଷ । କାଳେ ହାଟ ମଝିରେ ତାହା ହଜିଯିବ ପରା !

 

ବୁଦ୍ଧିରାମ ! ଆଗେଇ ଯା– ଅନୁପସ୍ଥିତ ବୁଦ୍ଧିରାମ ଉଦ୍ଦେଶ୍ୟରେ ସିଦ୍ଧାର୍ଥ କହିଲା ଏବଂ ବସ୍‌ର ସିଟ୍‌କୁ ଆଉଜି ବସିପଡ଼ିଲା ।

Image

 

ମୋହ ମୁଦ୍‌ଗର

 

ସ୍ନେହକାଙ୍ଗାଳ ମଣିଷ ସବୁବେଳେ ଲୋଡ଼ୁଥାଏ ଏତେ ଟିକେ ସ୍ନେହ ଓ ଆଦର, କାହାର କାନିପଣତରେ, କାହାର ପିଠି ଆଉଁଶାରେ ତ ପୁଣି କାହାର କପଟ ଭର୍ତ୍ସନା ଭିତରେ । ଚାରିପାଖର ଯେତେସବୁ ଆବେଗ ଓ ଭାବପ୍ରବଣତା, ସ୍ନେହ ଓ ସୌହାର୍ଦ୍ଦ୍ୟ ଭୁଲି ଏମିତି ଏକ ସୁନ୍ଦର ପୃଥିବୀରୁ ଦିନେ ଚାଲିଯିବାକୁ ପଡ଼ିବ ସବୁଦିନ ପାଇଁ, ସେକଥା ଚିନ୍ତା କଲାବେଳେ ଭୟ ଓ ଆତଙ୍କରେ ରୋମମୂଳ ଶିହରିଉଠେ । କାନ୍ଦ କାନ୍ଦ ଲାଗେ । ଦିନେ ଚକ୍‌ଖଡ଼ିଟେ ଭାଙ୍ଗିଗଲାବେଳେ କାନ୍ଦ ମାଡ଼ୁଥିଲା, ସମ୍ପର୍କଟେ ଛିଣ୍ଡିଗଲେ କୋହ ଆସୁଥିଲା, ମାତ୍ର ପୃଥିବୀକୁ ଛାଡ଼ି ଚାଲିଯିବାର ଦୁଃଖ ସେ ସବୁରିଠୁ ନିଆରା । ଏଇ ଯେ ତୁଟିଗଲା ସମ୍ପର୍କ, ଛିଡ଼ିଗଲା ସବୁ ପରିଚୟର ଶୃଙ୍ଖଳ, ଆଉ ଯୋଡ଼ି ହେବ ନାହିଁ କଦାପି, ଏକଥା ବିଶ୍ୱାସ କରିହୁଏ ନାହିଁ ।

 

ଏପରି କଥାସବୁ ଭାବିହେଲାବେଳେ ସିଦ୍ଧାର୍ଥ ସାମ୍ନାରେ ଗୋଟେ ଦୃଶ୍ୟ ନାଚିଉଠେ । ସେମିତିକା ଦୃଶ୍ୟ ସେ ଦେଖିଥାଏ ସିନେମା ପର୍ଦ୍ଦାରେ ନାଇଁ ତ ପଢ଼ିଥାଏ ଗଳ୍ପ କି ଉପନ୍ୟାସରେ । ସିଦ୍ଧାର୍ଥ ମରିଯାଇଛି ଓ ତାର ମରିଯିବା ଖବରଟି ପ୍ରଚାରିତ ହେବାକ୍ଷଣି ପବନର ପ୍ରବାହ ବନ୍ଦ ହୋଇଯାଇଛି, ସୂର୍ଯ୍ୟକିରଣ ଶୀତଳ ହୋଇପଡ଼ିଛି, ପକ୍ଷୀମାନେ ମୂକ ଓ ଦିଗ୍‌ବଳୟ ଅନ୍ଧାର ହେଇଯାଇଛି । ସମ୍ପର୍କର ମଣିଷମାନେ କାମଜଞ୍ଜାଳ ଭୁଲି କେବଳ ସିଦ୍ଧାର୍ଥକୁ ହିଁ ଝୁରି ହେଉଛନ୍ତି । ଗୋଟେ ଚରମ ଆତ୍ମପ୍ରସାଦରେ ମୃତ୍ୟୁମନସ୍କ ସିଦ୍ଧାର୍ଥ ଖୁସି ହେଇଯାଏ । କିନ୍ତୁ ଏସବୁ ଧାରଣା ଯେ କେବଳ ଗୋଟେ ମାରାତ୍ମକ ଭ୍ରାନ୍ତି, ଗୋଟେ ମୋହଗ୍ରସ୍ତର ବିକୃତି ତାହା କ୍ୱଚିତ୍‌ ବିଶ୍ୱାସ କରୁଥିଲା ସିଦ୍ଧାର୍ଥ । ସଚ୍ଚିଦାନନ୍ଦର ମୃତ୍ୟୁ ଅନ୍ତତଃ ସେଇ ଚରମ ଅଭିଜ୍ଞତାଟି ଏଇମାତ୍ର ଶିଖେଇବାକୁ ଆରମ୍ଭ କରିଥିଲା ।

 

ସଚ୍ଚିଦାନନ୍ଦ ତାର ସହପାଠୀ ଥିଲା । ସବୁ ସ୍ୱପ୍ନଭୁକ୍‌ଙ୍କ ପରି ସଚ୍ଚିଦାନନ୍ଦର ଥିଲା ଶଗଡ଼େ ସ୍ୱପ୍ନ । ପ୍ରଚଣ୍ଡ ମେଧାବୀ ସଚ୍ଚିଦାନନ୍ଦ ଖେଳକୁଦରେ ବି ତଦନୁରୂପ ଦକ୍ଷତା ରଖୁଥିବା ଘଟଣା ବନ୍ଧୁମାନଙ୍କୁ ଈର୍ଷାନ୍ୱିତ କରୁଥିଲା । ଇଣ୍ଟରମିଡ଼ିଏଟ ପରେ ସେ ଡାକ୍ତରୀ ପଢ଼ୁଥିଲା କଟକରେ । ବାପା ତାର ଦି ଦିଇଟି ବିବାହ କରିଥିଲେ । ସଚ୍ଚିଦାନନ୍ଦ ପଛ ସ୍ତ୍ରୀଙ୍କ ପୁଅ । ବଡ଼ ସ୍ତ୍ରୀଙ୍କ ପିଲାଏ ଈର୍ଷା କରୁଥିଲେ ସଚ୍ଚିଦାନନ୍ଦକୁ । ପଢ଼ାଖର୍ଚ୍ଚ ପଠେଇବା ବନ୍ଦ ହୋଇଗଲା ଓ ସଚ୍ଚିଦାନନ୍ଦ ଡାକ୍ତର ହେବାର ସ୍ୱପ୍ନକୁ ମହାନଦୀରେ ଉଜେଇଁ ଦେଇ ଚାକିରିଟେ ଖୋଜିଲା ଏମ୍ପ୍ଲଏମେଣ୍ଟ ନ୍ୟୁଜ୍‌ର ପୃଷ୍ଠାରେ । ଗୋଟେ ଘରୋଇ ସଂସ୍ଥାରେ ସଚ୍ଚିଦାନନ୍ଦ ଯୋଗ ଦେଲା କିରାଣି ହୋଇ । ତା ମାଆ ଓ ସାନ ଭାଇ ଭଉଣୀଙ୍କର ସମସ୍ୟା ବୁଝିଲା । ବ୍ୟକ୍ତିଗତ ସମସ୍ୟା ବି କିଛି ଥିଲା ସଚ୍ଚିଦାନନ୍ଦର । ସେ ଭଲ ପାଉଥିଲା ଗୋଟେ ଝିଅକୁ ଯିଏ ତା ଜାତିର ନୁହେଁ । ଜିଦଖୋର ସଚ୍ଚିଦାନନ୍ଦ ସେଇ ଝିଅକୁ ହିଁ ବାହା ହେଲା ଏବଂ ପରିଣତିରେ ନିଜ ଘର ଓ ଶ୍ୱଶୁରଘର ଉଭୟଠାରୁ ଛିଟିକି ପାଲଟିଗଲା ଗୋଟେ ଅସହାୟ ତ୍ରିଶଙ୍କୁ ।

 

ଅନେକ ଦିନ ଧରି ସଚ୍ଚିଦାନନ୍ଦ ବିଷୟରେ କିଛି ଖବର ରଖି ନ ଥିଲା ସିଦ୍ଧାର୍ଥ । ଖବର ରଖି ନ ଥିଲା ପାହାଡ଼ ତିଖକୁ ଉଠିବାକୁ ଚାହୁଁଥିବା ଗୋଟେ ଚଢ଼େଇ ଅସହଯୋଗୀ ପରିବାର ଓ ଆର୍ଥିକ ଦୁଃସ୍ଥିତି ପରି ଦୁଇ ଅସମର୍ଥ ଡେଣାକୁ ନେଇ କିପରି ଛଟପଟ ହେଉଛି । ଏକା ସହରରେ ରହି ମଧ୍ୟ ସେ ଅସ୍ୱୀକାର କରୁଥିଲା ସଚ୍ଚିଦାନନ୍ଦର ସଖ୍ୟ ଓ ସମ୍ପର୍କକୁ । ଯଦି ସଚ୍ଚିଦାନନ୍ଦ ମାମୁଲି କିରାଣିଟେ ନ ହୋଇ ବ୍ୟାଙ୍କ ମ୍ୟାନେଜର କି ପ୍ରଭାବଶାଳୀ ଅଫିସରଟେ ହୋଇଥାଆନ୍ତା, ସିଦ୍ଧାର୍ଥ ତାକୁ କଦାପି ଏପରି ଏଡ଼ିଯାଇ ପାରିନଥାନ୍ତା ।

 

ସଚ୍ଚିଦାନନ୍ଦ ରେଳଧାରଣା ଉପରେ ମୁଣ୍ଡ ରଖି ଆତ୍ମହତ୍ୟା କରିବାର ଦୁଃସମ୍ବାଦଟିକୁ ସିଦ୍ଧାର୍ଥ ପ୍ରଥମେ ବିଶ୍ୱାସ କରିପାରି ନ ଥିଲା । ଗୋଟେ ଡେଙ୍ଗା ହୋଇ ଗୋରା ତକତକ ଚେହେରାର ବତିଶ ବର୍ଷୀୟ ଯୁବକ, ଆଖିରେ ସରୁଫ୍ରେମ୍‌ର ଚଷମା, ମୁଣ୍ଡରେ କୁଞ୍ଚୁକୁଞ୍ଚିଆ ଘନବାଳ, ଦାରିଦ୍ର୍ୟ ଓ ଅଯୋଗ୍ୟତାକୁ ସ୍ୱୀକାର କରୁ ନ ଥିବା ଗୋଟେ ସ୍ୱାଭିମାନୀ ଓ ରକ୍ଷଣଶୀଳତାକୁ ଘୃଣା କରୁଥିବା ଜଣେ ସଂସ୍କାରବାଦୀ ଯୁବକର ଏ ପରିଣତି ତାକୁ ସ୍ତବ୍‌ଧ କରିଥିଲା ।

 

ସଚ୍ଚିଦାନନ୍ଦ କାମ କରୁଥିବା ସେଇ ଘରୋଇ କମ୍ପାନୀ ସାମ୍ନାରେ ଲସରପସର ହେଉଥିଲା ସିଦ୍ଧାର୍ଥ । କାହାକୁ ଜଣକୁ ପଚାରନ୍ତା, ସଚ୍ଚିଦାନନ୍ଦ ଆତ୍ମହତ୍ୟା ପଛରେ କାରଣଟା କଣ ? କିଏ ଜଣେ ଦେଇପାରନ୍ତା କି ସନ୍ତୋଷଜନକ ଉତ୍ତରଟେ କେଉଁ କାରଣ ପାଇଁ ମାଟ୍ରିକ୍‌ ପରୀକ୍ଷାରେ ଚଉସ୍ତରି ପର୍ସେଣ୍ଟ ନମ୍ବର ରଖିଥିବା ଗୋଟେ ସ୍ୱପ୍ନଭୁକ୍‌ ଖେଳୱାଡ଼୍‌ ଯୁବକ ନିଜର କୋମଳ ଗ୍ରୀବାଟିକୁ ବଢ଼େଇଦେଲା ରେଳଧାରଣା ଓ ଲୁହାଚକର ଅର୍ଗଳି ଭିତରେ ? ଭଲ ପାଇ ବାହା ହୋଇଥିବା ପ୍ରେମିକାର ପ୍ରେମ, ଜୀବନଠୁ ପ୍ରିୟତମ କୁନି ଝିଅର ମୋହ ଓ ସ୍ୱପ୍ନମୟ ସଂସାରକୁ ପିଠିକରି କେମିତି ସେ ଚାଲିଯାଇପାରିଲା ଏପରି ପଳାୟନପନ୍ଥୀ ମୁଦ୍ରାରେ ?

 

ଘରୋଇ ସଂସ୍ଥା ଦପ୍ତରଟି ସ୍ୱାଭାବିକ ଭାବେ ଚାଲିଥିଲା, ଯେପରି କିଛି ଇ ଘଟି ନାହିଁ । ସିଦ୍ଧାର୍ଥ ଏକଦା ସଚ୍ଚି ବସୁଥିବା ଟେବୁଲ ପାଖକୁ ଗଲା । ଟେବୁଲ୍‌ଟା ଫାଙ୍କା ପଡ଼ିଥିଲା, ଚେୟାର ବି-। ସେ ଧୀରେ ଆଉଁଶି ଦେଲା ସେଇ ଚଉକିର କାଠତିଆରି ଦେହଟିକୁ । ସଚ୍ଚି ଏଇଠି ବସୁଥିଲା । ତା ପିଠିର ଉଷ୍ମତା ହଟି ନାହିଁ କାଠ ଚଉକିରୁ । କେହି ଜଣେ ପଚାରୁଥିଲା କାହାକୁ ଖୋଜୁଛନ୍ତି ? ସିଦ୍ଧାର୍ଥ ସଚ୍ଚି ବସୁଥିବା ଚଉକିକୁ ହାତଠାରି ଦେଖାଇଦେଲା । କୋହ ଓ ଲୁହ ତା ତୋଟିର ଶବ୍ଦମାନଙ୍କୁ ଗିରଫ କରି ନେଇଥିଲେ କୋଉକାଳୁ । ଲୋକଟି ଟିକେ ଆଗକୁ ଓ ପଛକୁ ଚାହିଁଲା ଓ ଦୁଃଖ ପ୍ରକାଶ କରି କହିଲା, ‘ଆଇ ଆମ୍‌ ସରି ।’

 

ସିଦ୍ଧାର୍ଥ ଫେରିଆସିଲା । ଛୋଟ ଦପ୍ତରଟିରେ ଖୁବ୍‌ ଭିଡ଼ । କମିଶନ ଏଜେଣ୍ଟ, ସେଲ୍ସ ରିପ୍ରେଜେଣ୍ଟେଟିଭ୍‌, ବ୍ରୋକର ଓ ପୁଞ୍ଜିପତିଙ୍କର ଭିଡ଼ । ‘ମୋର ବିଲ୍‌ଟା କୁଆଡ଼େ ଗଲା, ଆଜି ଚେକ୍‌ଟା ତିଆରି କରିଦିଅନ୍ତୁ, ଦି ଲକ୍ଷ ଟଙ୍କା ହାତରୁ ଖସିଗଲା’ ପରି ଶବ୍ଦର ସମୁଦ୍ର ଭିତରେ ସିଦ୍ଧାର୍ଥର ସ୍ୱର ହଜିଯାଉଥିଲା ।

 

ସଚ୍ଚିର ମୃତ୍ୟୁପାଇଁ କିଏ ଦାୟୀ ? ତା ବାପା ? ତାର ମାଆ ? ତାର ଭାଇ ? ତା ସ୍ତ୍ରୀ ? ତାର ସାଙ୍ଗ, ସହକର୍ମୀ ? ତାର ସ୍ୱପ୍ନ ଓ ଉଚ୍ଚାକାଂକ୍ଷା ? ହୁଏତ ଏ ସମସ୍ତେ ଦାୟୀ ହୋଇପାରନ୍ତି, ଅଥବା ଏଥିରୁ କୌଣସି ଗୋଟେ ବି କାରଣ ଦାୟୀ ହୋଇ ନ ପାରେ ।

 

ଚାରିପଟେ ସ୍ୱାଭାବିକ ପୃଥିବୀ । ସେଇ ଔପଚାରିକତା, ଯାନ୍ତ୍ରିକ ପୁନଃପୌନିକତା । ସୂର୍ଯ୍ୟକିରଣ ଶୀତଳ ହୋଇଯାଇ ନାହିଁ, ପକ୍ଷୀମାନେ ମୂକ କି ଦିଗ୍‌ବଳୟ ଅନ୍ଧାର ହୋଇଯାଇ ନାହାନ୍ତି । ସଚ୍ଚିଦାନନ୍ଦ ନାଆଁରେ ଗୋଟେ ମଣିଷ ଏ ପୃଥିବୀରେ କେବେ ଥିଲା କି ନ ଥିଲା ସେ ବିଷୟ ଚିନ୍ତା କରିବା ପାଇଁ କାହାରି ପାଖରେ ସମୟ ନାହିଁ ।

Image

 

ସମ୍ପର୍କ

 

ଅମ୍ରିତାର ଦୁଇ ଆଖିରୁ ଲୁହ ବୋହି ଶୁଖିଯାଇଛି ।

 

ସିଦ୍ଧାର୍ଥ ନିଜକୁ ଦୋଷୀ ଦୋଷୀ ମଣିଲା । ମାଳତୀ ତା ଆଡ଼କୁ ଥରେ ଚାହିଁ ଆଖି ଫେରେଇନେଲା । ଏ ଚାହାଣିର ଅର୍ଥ ସବୁ ସ୍ୱାମୀ ବୁଝନ୍ତି । ଏ ଚାହାଣିରେ ଆଉ ଯାହା ଥାଉ ନ ଥାଉ ଶ୍ରଦ୍ଧା କି ପ୍ରେମ ନ ଥାଏ ।

 

ଚାଦରଟିକୁ ଓଠଯାଏ ଘୋଷାଡ଼ି ଆଣି ସିଦ୍ଧାର୍ଥ ଆଖି ବୁଜିଦେଲା । ଏପରି ଅବସ୍ଥାରେ ଆଖି ବୁଜିଦେବା ଛଡ଼ା ତା ପାଖେ ଆଉ କିଛି ଉପାୟ ନାହିଁ । ଘର ଭିତରଟା ଗୁମ୍‌ସୁମ୍‌ । ଝଡ଼ ପୂର୍ବର ନିସ୍ତବ୍‌ଧତା । ଏଇ ଯେପରି କେଉଁଠି ବୋମା ଫୁଟିଯିବ କି ପାହାଡ଼ଟେ ଭାଙ୍ଗିରୁଜି ଚୂର୍‌ଚୂର୍‌ ହୋଇଯିବ । ଖୁବ କମରେ ଗୋଟିଏ କି ଯୋଡ଼ିଏ କାଚଗିଲାସ, ଅଇନା ନ ହେଲେ ଚୀନାମାଟିର କପପ୍ଲେଟ ଭାଙ୍ଗିବା ଘଟଣାକୁ ଏଡ଼ାଇ ହେବ ନାହିଁ ।

 

ସିଦ୍ଧାର୍ଥ ସାହସ ସଞ୍ଚୟ କରି ପଚାରିଲା, ‘ଲୁନା ଘରକୁ ପିଲାଟାକୁ ପଠେଇଥିଲେ କଣ ଅସୁବିଧା ହୋଇଥାଆନ୍ତା ଶୁଣେ ?’

 

ସମ୍ଭବତଃ ଏମିତି ଏକ ପ୍ରଶ୍ନର ଉତ୍ତରକୁ ହିଁ ମାଳତୀ ଅପେକ୍ଷା କରୁଥିଲା । ‘ତମ ପରି ଲୋକଙ୍କର ମାନମହତ କିଛି ନାହିଁ । ଯୁଆଡ଼େ ପାରିବ ସେଆଡ଼େ ଚାଲିଯିବ ବିନା ନିମନ୍ତ୍ରଣରେ, ବିନା ବେଭାରରେ । ମୋ ଝିଅ ତମପରି ଅଲାଜୁକ ନୁହେଁ । କଣ ବ୍ୟବସ୍ଥା କରିଥିଲ ଶୁଣେ ? ଦି ଦିନ ଆଗରୁ ପିଲାଟା ଲଗେଇଥିଲା ଅମ୍ରିତାର ଜନ୍ମଦିନ । ଏକା କ୍ଲାସରେ ପଢ଼ୁଛନ୍ତି । ସବୁଦିନେ ଦେଖାଚାହାଁ । ଅଥଚ ଏଇଠି ପାଖରେ ଥାଇ ଯାଇପାରିଲାନି । ବିଚାରୀ ଓଲଟି ମାଡ଼ ଖାଇ ଶୋଇଛି ।’

 

ସାଙ୍ଗର ଜନ୍ମଦିନରେ ତା ଘରକୁ ଯାଇପାରିଲା ନାହିଁ ବୋଲି ଯେତେ ନୁହେଁ ଝିଅଟା ଉପାସରେ ମାଡ଼ଖାଇ ଶୋଇଚି ଜାଣି ବେଶି ଦୁଃଖୀ ହୋଇଗଲା ସିଦ୍ଧାର୍ଥ । ଅଥଚ ସତ କହିବାକୁ ଗଲେ ଆଜି ଅମ୍ରିତାର ଜନ୍ମଦିନ ବୋଲି ସେ ଆଦୌ ଭୁଲି ନ ଥିଲା । କିନ୍ତୁ କିଛି ଗୋଟେ କିଣିବା ପାଇଁ ଶହେ କି ପଚାଶଟଙ୍କା ଯୋଗାଡ଼ କରିବା ଯେ ତା ପକ୍ଷେ ସମ୍ଭବ ହେଲା ନାହିଁ ମାଳତୀକୁ ଏକଥା ସେ କହିବାକୁ ଚାହୁଁ ନ ଥିଲା । ମାଳତୀ ଓଲଟି ତାକୁ ଅବିଶ୍ୱାସ କରିବ, ବିଶ୍ୱାସ ଆସିଲେ ତାର ଅଭାବୀପଣକୁ ଦୟା କରିବ ।

 

ଗଲା ଦି ମାସ ଭିତରେ ସାଙ୍ଗସାଥୀ ଝିଅପୁଅ ବାହାଘର ହୋଇ ସେ ଦଶ ଦଶଟି ନିମନ୍ତ୍ରଣ ରଖିସାରିଲାଣି । କିରାଣି ଚାକିରିରେ ସବୁ ଜାଗାରେ ଏକାବନ କି ଏକଚାଳିଶ ଦେବା ସମ୍ଭବ ହେଉ ନାହିଁ । ପୁଣି ଏଡ଼େ ବକଟେ ପିଲାର ଜନ୍ମଦିନ ପାଇଁ ବି ଲୋଡ଼ା ଉପହାର ପ୍ୟାକେଟ-

 

ମାଳତୀ କାନ୍ଥଆଡ଼କୁ କଡ଼ ଲେଉଟେଇ ଶୋଇବାର ଉପକ୍ରମ କରୁଥିଲା । କରୁଥାଉ । ସିଦ୍ଧାର୍ଥ ଝିଅର ଆଖି ଉପରକୁ ଝୁଙ୍କିପଡ଼ିଥିବା ବାଳଗୁଡ଼ାକୁ ମଥା ଉପରକୁ ଟେକିଦେଲା । ହାତପାପୁଲିରେ ପୋଛିଦେଲା ତାର ଲୁହଦାଗ । ଦୀର୍ଘଶ୍ୱାସଟେ ନେଲା ।

 

ମନେପଡ଼ିଲା ଗାଆଁର ପିଲାଦିନ । ସେମାନଙ୍କ ପାଖରେ ସ୍କୁଲ ୟୁନିଫର୍ମ, ଇଂରାଜୀ ବହି, ଦାମୀଜୋତା କି ଭଲ ପୋଷାକ ନ ଥିଲା । ଥିଲା କିନ୍ତୁ ସଂସାର ଭର୍ତ୍ତି ସ୍ୱାଧୀନତା । ବୁଲୁବୁଲୁ ଯେଉଁଠି ସଞ୍ଜ ହେଲା, ବଗୁଲି ଘର ହେଉ କି ଶ୍ରୀଧର ଘର ହେଉ, ତାଙ୍କରି ଘରେ ଖିଆପିଆ । ସଜପଖାଳରେ ଆମ୍ବନଷିର ବାସ୍ନା, ବାଁ ହାତରେ ଶୁଖୁଆ ପୋଡ଼ା । ଡାହାଣପଟେ ଗିନାରେ ବଡ଼ିଛେଚା । ସେତେବେଳେ କାହିଁ କିଛି ସଂକୋଚ ନ ଥିଲା । ତାଙ୍କ ଘର, ଆମ ଘର ବୋଲି ବିଚାର ନ ଥିଲା । ଗେହ୍ଲାଦେଈ ବାହାଘର ଯେମିତି ଥିଲା ଗାଆଁଯାକ ପିଲାଙ୍କ ପାଇଁ ଗୋଟେ ଉତ୍ସବ, ନକୁଳଙ୍କ ଅଷ୍ଟପ୍ରହରୀ କୀର୍ତ୍ତନ ବି ଥିଲା ମହାନ୍ତିସାହିଆ ପିଲାଙ୍କର ତିନିଦିନିଆ ପର୍ବ । ଛୁଟିଦିନେ କାହାଘରେ ସକାଳେ ପିଠା-ମୁଢ଼ି ଖାଉଥିଲେ, କାହାଘରେ ସଞ୍ଜବୁଡ଼େ ହୋହରା କି ଏଣ୍ଡୁରି, ପୋଡ଼ପିଠା– ଖିଆଲ ରହୁନଥିଲା । ନିଦ ଲାଗିଲେ ଯାଇ ଘରକୁ ଫେରିବାକୁ ପଡ଼ୁଥିଲା ।

 

ଗାଆଁରେ ଦାରିଦ୍ର୍ୟ ଥିଲା, କିନ୍ତୁ ସ୍ୱାଧୀନତା ବି ଥିଲା ପ୍ରଚୁର । ନାଲିନେଳୀ ପ୍ୟାକେଟ ଭିତରେ ଗୋଟେ କଲମ ଚା କପ୍‌ ଦୁଇତିନିଟା ନ ହେଲେ ଷ୍ଟୀଲ ଥାଳି ଗିଲାସ ଜରିଆରେ କାହାକୁ ନିଜର ଆତ୍ମୀୟତାର ପରିଚୟ ଦେବା ଆବଶ୍ୟକ ପଡ଼ୁନଥିଲା । ସମ୍ପର୍କମାନେ ଥିଲେ ସର୍ତ୍ତହୀନ, ଉପଚାର-ଉଦାସୀନ । ବଡ଼ଲୋକୀ ନାଆଁରେ ସଂକୀର୍ଣ୍ଣ ଛୋଟପଣ ସାନପିଲାଙ୍କ ଗୋଡ଼ରେ ବେଡ଼ି ହୋଇ ଛନ୍ଦି ହେଉନଥିଲା । ଡାକେ ବାଟରେ ଥାଇ ଅମ୍ରିତା ଲୁନା ଘରକୁ ଯାଇପାରିଲା ନାହିଁ କି ଲୁନାଘରୁ କେହି ତାକୁ ଟିକିଏ ଡାକି ପଠେଇଲେ ନାହିଁ, ଏମିତି କଥା ତା ଗାଆଁରେ କଦାପି ହୋଇନଥାନ୍ତା ।

 

ସିଦ୍ଧାର୍ଥ କହିଲା, ଅମ୍ରିତା ନ ଯାଇଛି ଭଲ ହେଇଛି । ଏହି ଦିନରୁ ପ୍ରେଜେଣ୍ଟେସନ, ପ୍ୟାକେଟ ଇତ୍ୟାଦି ଉପଚାର ସହ ତାର ପରିଚୟ ନ ହେବା ଭଲ । ଯେତେବେଳେ ସିନା ତମ ପାଖରେ ଥିବ ଦେବ । ନ ଥିଲାବେଳେ କେଉଁଠୁ ଆଣିବ ? ପୁଣି ଯେଉଁ ସମ୍ପର୍କ ବାଧ୍ୟବାଧକତା ଲୋଡ଼େ ସେ କି ସମ୍ପର୍କ !

 

ମାଳତୀ ଫଁ କରି ଉଠିଲା । ବିନା କାରଣରେ ତକିଆଟାକୁ ଦୁଇଚାରିଥର ଓଲଟପାଲଟ କରି ସେ ତାର କ୍ରୋଧତକ ତାଆରି ଉପରେ ଶୁଝାଉ ଶୁଝାଉ କହିଲା, ତମ ପରି ମଣିଷ ଆଉ ରାସ୍ତାର ବଳଦଙ୍କ ଭିତରେ କିଛି ଫରକ ଅଛି ? ମାନ ଅପମାନ, ତମର କିଛି ନାହିଁ । ଲୁନାର ମମ୍ମି ସାମ୍ନାରେ ମୁଁ ମୁହଁ ଦେଖେଇପାରିବି ତ ?

 

ସିଦ୍ଧାର୍ଥ ଆଉ ଯୁକ୍ତି କଲା ନାହିଁ । ସେ ଜାଣିଛି ମାଳତୀକୁ ସେ ବୁଝେଇ ପାରିବ ନାହିଁ । କେବଳ ମାଳତୀ କାହିଁକି କାହାରିକୁ ସେ ତା କଥା ବୁଝେଇପାରିବ ନାହିଁ କି ନାଲିନେଳୀ କାଗଜର ପୁଡ଼ିଆଟେ ଭିତରେ କେମିତି ଶ୍ରଦ୍ଧା, ଶୁଭେଚ୍ଛା ଓ ଆତ୍ମୀୟତାକୁ ସୁନ୍ଦର ଭାବେ ବାନ୍ଧି ଦିଆଯାଏ, ସେକଥା ସେ ନିଜେ ବୁଝିପାରିବ ନାହିଁ ।

Image

 

ପ୍ରଜାପତିର ଡେଣା

 

ଏଇ କିଛିଦିନ ତଳେ ସିଦ୍ଧାର୍ଥଙ୍କ ବଗିଚା, ବଗିଚାର ଗଛପତ୍ର ଏପରିକି ତାଙ୍କର ଘରଟିକୁ ସଁବାଳୁଆମାନେ ଦଖଲ କରି ନେଇଥିଲେ । ଯୁଆଡ଼େ ଚାହିଁଲେ ସଁବାଳୁଆଗୁଡ଼ାକ ସାଲୁବାଲୁ । ଘର ଅପରିଷ୍କାର । ଲୁଗାପଟାରେ ଲାଗିଥିଲେ ଆଉରି ଯନ୍ତ୍ରଣା । ସଁବାଳୁଆର ଲୋମଶ ସ୍ପର୍ଶ କଷ୍ଟଦାୟକ-। ସିଦ୍ଧାର୍ଥ ବହୁତ ଉଦ୍ୟମ କରିଥିଲେ ସଁବାଳୁଆମାନଙ୍କୁ ତଡ଼ିଦେବା ପାଇଁ, ଶେଷ ପର୍ଯ୍ୟନ୍ତ ସଫଳ ହୋଇପାରି ନ ଥିଲେ । ପତ୍ନୀଙ୍କ ଆଡ଼ୁ ଯୁକ୍ତି, ସଁବାଳୁଆମାନେ ଯଦି ବାଡ଼ିବଗିଚାରେ ନ ରହିବେ ତା’ହେଲେ କେଉଁଠି ରହିବେ ? ତାଙ୍କ ପାଇଁ କଣ କଲୋନୀ କି ଗାଆଁ ସବୁ ତିଆରି ହେବ ?

 

ଏବେ କିନ୍ତୁ ସଁବାଳୁଆମାନଙ୍କର ଲୋମଶ ଗହଳି ନାହିଁ । ସେମାନେ ଅଦୃଶ୍ୟ ହୋଇଗଲେଣି । ଗଛପତ୍ରମାନଙ୍କରେ ଆଉ ପ୍ରାୟ ସେମାନେ ଦେଖାଯାଉ ନାହାନ୍ତି । ସଁବାଳୁଆ ନେଇ ଯେତେସବୁ ବିରକ୍ତିକର ସତର୍କତା, ଏବେ ଆଉ ସେସବୁର ପ୍ରୟୋଜନ ନାହିଁ । ସିଦ୍ଧାର୍ଥ ଅନେକଟା ଆଶ୍ୱସ୍ତ ହେଇଛନ୍ତି ।

 

କାଲି ସକାଳେ ସିଦ୍ଧାର୍ଥ ବୁଲୁଥିଲେ ଘର ଆଗ ବଗିଚାରେ । ଭାଦ୍ରବର ଉଜ୍ଜ୍ୱଳ ସକାଳ । ଆକାଶରେ ମେଘ ନାହିଁ । ଟିକି ଟିକି କାକର ଟୋପା ମୋତି ପରି ଚମକୁଛନ୍ତି । ଶୀତଦିନିଆ ଫୁଲ ଫୁଟିଛନ୍ତି ଊଦ୍ଧ୍ୱର୍ମୁଖୀ ହେଇ । ସିଦ୍ଧାର୍ଥଙ୍କର ଲନ୍‌ ଉପରେ ଘୂରି ଘୂରି ଫୁଲମାନଙ୍କୁ ଛୁଇଁବା ପାଇଁ ଭାରି ଇଚ୍ଛା ହେଉଥିଲା । ଅନେକ ଦିନ ହେଲା ଏପରି ଉଜ୍ଜ୍ୱଳ ସକାଳଟେ ହାତପାଆନ୍ତାରେ ପାଇନଥିଲେ ସେ । ଶ୍ରାବଣର କ୍ଳେଦାକ୍ତ, ସଦା ବର୍ଷଣମୁଖର ସନ୍ଧ୍ୟା-ସକାଳ ସିଦ୍ଧାର୍ଥଙ୍କୁ ଅପ୍ରସ୍ତୁତ କରିଦିଏ । ସେଭଳି ପାଗ ଅନେକଟା ସ୍ୱାଧୀନତା ପ୍ରତ୍ୟାହାର କରିନିଏ ମଣିଷ ପାଖରୁ ।

 

ଉଲ୍ଲସିତ ସିଦ୍ଧାର୍ଥ ବୁଲୁବୁଲୁ ବଗିଚାର ଗୋଟେ ଜାଗାରେ ଅଟକିଗଲେ । ହରଗଉରା ଗଛମେଳରେ ଅନେକ ପ୍ରଜାପତି । ନୂଆ କରି ଉଡ଼ିବାର ଇଚ୍ଛା ସେମାନଙ୍କୁ ପାଗଳ କରିଦେଇଛି । ଉଡ଼ି ଶିଖୁଥିବା ପ୍ରଜାପତି ହେଉ କି ପକ୍ଷୀ ଶାବକଟେ ହେଉ– ଏମାନଙ୍କୁ ଦେଖିଲେ ସିଦ୍ଧାର୍ଥଙ୍କର ମନେପଡ଼େ ସାଇକେଲ ଚଲେଇ ଶିଖୁଥିବା କିଶୋରଟିଏର କଥା । ଏଣେତେଣେ ମାଡ଼ିଯିବା ପାଇଁ ସେ ଯେ କି ନିଶା ! ହଠାତ୍‌ ସିଦ୍ଧାର୍ଥ ଗୋଟେ ଜାଗାରେ ସ୍ତବ୍‌ଧ ହେଇ ଛିଡ଼ା ହେଇଗଲେ । ତାଙ୍କ ଭିତରର ସମସ୍ତ ପ୍ରସନ୍ନତା, ସ୍ଫୂର୍ତ୍ତି, ଆବେଗ ଓ ଚଞ୍ଚଳତା ବରଫ ହେଇ ଜମାଟ ବାନ୍ଧିଗଲା । ହରଗଉରା ଗଛ ମୂଳରେ ପକ୍ଷ ପ୍ରସାରି ପଡ଼ି ରହିଛି ଗୋଟେ ବଡ଼ ପ୍ରଜାପତି, ଉଠିପାରୁ ନାହିଁ । ଉଠିପାରୁ ନାହିଁ ବୋଲି ବିଚରା ଉଡ଼ିପାରୁ ନାହିଁ । ବାରମ୍ବାର ଚେଷ୍ଟା କରୁଛି ଉଠିବାର, ଉଡ଼ିବାର; କିନ୍ତୁ ତଳେ ମୁହଁମାଡ଼ି ପଡ଼ିଯାଉଛି । ଗୋଟେ ଅସମର୍ଥ ପ୍ରଜାପତିର ଉଦ୍‌ଗମୀଷା ସିଦ୍ଧାର୍ଥଙ୍କୁ କଷ୍ଟଦେଲା । ନଇଁପଡ଼ି ସେ ପ୍ରଜାପତିର ଡେଣା ଦିଇଟିକୁ ଟେକି ଦେଲେ ମାଟି କାମୁଡ଼ି ପଡ଼ି ଯାଇଥିବା ଗୁଡ଼ିଟିକୁ ଉଠେଇ ଧରିବା ପରି । କିନ୍ତୁ ହାୟ, ପ୍ରଜାପତିଟିର ଡେଣା ଦିଓଟି ଏତେ ବଡ଼ ହୋଇଯାଇଛି ଯେ ଅନେକ ଚେଷ୍ଟା କରି ମଧ୍ୟ ସେ ପକ୍ଷଦୁଇଟି ତୋଳି ଉପରକୁ ଉଠିପାରୁ ନାହିଁ । ତାର ସହାୟକ ଡେଣା ଦିଇଟି ପାଲଟିଯାଇଛି ତାର ପ୍ରତିବନ୍ଧକ, ସମ୍ପଦ ପାଲଟିଯାଇଛି ତା ପାଇଁ ଚରମ ବିପଦ ।

 

ପ୍ରଜାପତିଟି ଦେଖିବାକୁ ଖୁବ୍‌ ସୁନ୍ଦର । ତା ଟିପିଟିପିକା ପକ୍ଷରେ କିଏ ଆଙ୍କିଦେଇଛି ବହୁବର୍ଣ୍ଣର ପେଣ୍ଟିଂସ୍‌ । ଚିକ୍‌ ଚିକ୍‌ କରୁଛି ତା’ର ରେଶମୀ ପକ୍ଷ । କିନ୍ତୁ ସେ ଉଠି ପାରୁ ନାହିଁ । ତା ସାମ୍ନାରେ, ତା ଚାରିକଡ଼େ କୁନିକୁନି ଅସଂଖ୍ୟ ପ୍ରଜାପତି ଉଡ଼ୁଛନ୍ତି, ଏ ଫୁଲରୁ ସେ ଫୁଲ, ସେ ଫୁଲରୁ ପଥର ପାଚେରି ଓ ପାଚେରି ଉପରୁ ତାରବାଡ଼ ଯାଏ । ସେମାନେ ଘୂରି ଆସୁଛନ୍ତି ସମୁଦାୟ ବଗିଚାଟିକୁ କେଇଟି ମୁହୂର୍ତ୍ତରେ ଏବଂ ପୁଣି ବସି ଯାଉଛନ୍ତି ମନଲାଖି ଫୁଲଗଛ ଉପରେ । ଅଥଚ ଚିତ୍ରିତ ଡେଣାର ଏଇ ବଡ଼ ପ୍ରଜାପତିଟି ମାଟି ଉପରୁ ଇଞ୍ଚେ ବି ଉପରକୁ ଉଠିପାରୁ ନାହିଁ ।

 

ଅନେକ ଦିନ ତଳେ ସିଦ୍ଧାର୍ଥ ଦେଖିଥିଲେ ଏପରି ଦୃଶ୍ୟଟେ ଗୋଟେ ହୋଟେଲରେ । ରେସ୍ତୋରାଁର ଗୋଟେ କୋଣ ଟେବୁଲରେ ତରୁଣୀଟେ ବସି କଫି ପିଉଥିଲେ ଓ ସିଦ୍ଧାର୍ଥ ଏକଡ଼େ ବସି ତରୁଣୀଙ୍କୁ ଏକଲୟରେ ଚାହିଁ ରହିଥିଲେ ଅନେକ ସମୟ । ପ୍ରଚୁର ସୁନ୍ଦରୀ ଥିଲେ ତରୁଣୀ ଜଣକ । ସାମାନ୍ୟତମ ପରିଚୟ ନ ଥାଇ ବି ସିଦ୍ଧାର୍ଥ ତାଙ୍କର ବ୍ୟକ୍ତିତ୍ୱ ପ୍ରତି ମୁଗ୍ଧ ହୋଇପଡ଼ିଥିଲେ । ତେବେ ସେ ଆବେଶ ବେଶିକାଳ ରହିନଥିଲା । ପ୍ରଚୁର ଗହଣା ମଣ୍ଡିତ ସୁଶ୍ରୀ ତରୁଣୀଜଣକ ଟେବୁଲ ପାଖରୁ ଉଠିବା କ୍ଷଣି ପଛରୁ କେହି ଜଣେ ବଢ଼େଇ ଦେଇଥିଲା ଦିଇଟି ଆଶାବାଡ଼ି । ତରୁଣୀ ସ୍ୱୟଂ ଚଳତ୍‌କ୍ଷମ ନ ଥିଲେ । ସିଦ୍ଧାର୍ଥଙ୍କୁ ଦୃଶ୍ୟଟି ଏଡ଼େ କରୁଣ ଓ ଯନ୍ତ୍ରଣାଦାୟକ ମନେ ହେଇଥିଲା ଯେ ସେ ମୁହଁ ବୁଲେଇ ଆଣିଥିଲେ ସେଦିନ । ଆଜି କିନ୍ତୁ ଏ ଅସମର୍ଥ ପ୍ରଜାପତିଟି ଆଡ଼ୁ ମୁହଁ ଫେରେଇ ନେବାକୁ ତାଙ୍କର ମନ ବଳୁ ନାହିଁ ।

 

ସାରା ଜୀବନ କ’ଣ ଗୋଟାଏ ଅକର୍ମଣ୍ୟ ପଙ୍ଗୁର ଜୀବନ ଜୀଇଁବ ଏ ଚିତ୍ରିତ ପ୍ରଜାପତି ? ପ୍ରାଚୁର୍ଯ୍ୟ ଓ ବିଜ୍ଞାନର ଚମତ୍କାରିତା ସତ୍ତ୍ୱେ ମଣିଷ ଯେତେବେଳେ ତାର ଅସାମର୍ଥ୍ୟକୁ ଅତିକ୍ରମ କରିପାରି ନାହିଁ, ସେତେବେଳେ ବିଚରା ପ୍ରଜାପତିଟି ବା କଣ କରିପାରିବ ? କିନ୍ତୁ ଏମିତି ତ ହେବାର ନ ଥିଲା । ସିଦ୍ଧାର୍ଥ ପିଲାଦିନେ ଧାନବିଲରେ ମୁହଁମାଡ଼ି ପଡ଼ିଥିବା ଗୁଡ଼ିଟିର ଡେଣା ଟେକି ଧରିଲାପରି, ପ୍ରଜାପତିଟିର ଡେଣା ଯୋଡ଼ିକୁ ତୋଳି ଧରୁଥିଲେ । ହାତ ପାପୁଲିରେ ପ୍ରଜାପତିଟିକୁ ଧରି ତାର ଉଡ଼ିଯିବାକୁ ଅପେକ୍ଷା କରୁଥିଲେ । ମାତ୍ର ତାର ଦେହତଳୁ ପାପୁଲି ଖସେଇ ନେବାକ୍ଷଣି ପ୍ରଜାପତିଟି ମୁହଁମାଡ଼ି ତଳେ ପଡ଼ିଯାଉଥିଲା, ସୂତା ଛିଣ୍ଡିଥିବା ଗୁଡ଼ି ପରି । ଅସ୍ତବ୍ୟସ୍ତ ହେଉଥିଲା ଯନ୍ତ୍ରଣାରେ । ତାର ସେ ଅସହାୟତାରେ ସିଦ୍ଧାର୍ଥ ଦୁଃଖୀ ହୋଇପଡ଼ୁଥିଲେ ।

 

ସକାଳର ଚିକ୍‌ ଚିକ୍‌ ଖରା ଚାରିପଟେ ବିଞ୍ଚିହୋଇ ପଡ଼ିଥିଲା । ପଙ୍ଗୁ ପ୍ରଜାପତିଟିର ଡେଣାରେ ଆଉଥରେ ପ୍ରମୂର୍ତ୍ତ ହେଇଉଠିଥିଲା ପ୍ରଚଣ୍ଡ ଅସହାୟତା । ସିଦ୍ଧାର୍ଥ ଏସବୁ ଭିତରେ ଦେଖିପାରୁଥିଲେ ବିସ୍ମୃତ-ପ୍ରାୟ ସେଇ ତରୁଣୀଟିର ରଙ୍ଗହୀନ ଚେହେରା । ଉଜ୍ଜ୍ୱଳ ସକାଳଟା ତାଙ୍କୁ ଉଦାସ କରି ଦେଇଥିଲା ହଠାତ୍‌ ।

Image

 

ମୁକ୍ତି

 

ପ୍ରଥମେ ସେ ଗେଟ୍‌ ବାହାରକୁ ଆସି ଟିକିଏ ଏପଟ ସେପଟ ଚାହିଁଲା ଓ ତାପରେ ପାଚେରି କୋଣରେ ଲୁଚିଗଲା । ଏତେ ସକାଳୁ ଏ ଘରର ଫାଟକ ଖୋଲେ ନାହିଁ । ନୂଆ କୁଣିଆ ଆସିଛନ୍ତି । ତାଙ୍କ ଗାଡ଼ିବେଳ ହୋଇଗଲାଣି କି କଣ ସେମାନେ ଗେଟ୍‌ ଖୋଲିଥିଲେ । ତା ଖାଉନ୍ଦ ଖାଉନ୍ଦାଣୀ ଜାଣନ୍ତି ନାହିଁ । ସେ ଖସି ପଳେଇ ଆସିଛି ଗେଟ୍‌ ଡେଇଁ ।

 

ଘରଠୁ ପ୍ରାୟ ପାଞ୍ଚଛଅ ଶହ ଫୁଟ ଦୂରରେ ଜାତୀୟ ରାଜପଥ । ତାକୁ ଛୁଇଁଛି ଗୋଟେ ନାଲିଗୋଡ଼ିପକା ରାସ୍ତା । ଆଗରୁ ସେ କେବେ ଏତେ ବାଟ ଆସି ନାହିଁ । ସାହସ କୁଳାଏ ନାହିଁ । ଏପଟ ରାସ୍ତାରେ ଦୁଇ ତିନିଟା ରୋଗିଣା ଓ ବଦ୍‌ରାଗୀ କୁକୁର ବୁଲନ୍ତି । ସେମାନେ ତାକୁ ଦେଖିବାକ୍ଷଣି ଭୁକି ଉଠନ୍ତି ଓ ତା ଆଡ଼କୁ ଖେପିଯାଆନ୍ତି । ଗେଟ୍‌ ସେପଟେ ଥିବାବେଳେ ତାର ବିପଦ ନ ଥାଏ । ନିରାପଦ ସ୍ଥିତି ଭିତରୁ ସେ ଗ୍ରୀଲ୍‌ ଗେଟରେ ମୁହଁ ଗଳେଇ ସେଇ ରୋଗିଣା ଓ ବଦ୍‌ରାଗୀ କୁକୁରମାନଙ୍କୁ ମୁହାଁମୁହିଁ ଜବାବ୍‌ ଦେଇଥାଏ ।

 

ତାର ଖାଉନ୍ଦ ଭଲ, ଖାଉନ୍ଦାଣୀ ବି ଭଲ । ସେମାନେ କିନ୍ତୁ ତାକୁ ବାହାରକୁ ଛାଡ଼ନ୍ତି ନାହିଁ-। ଆଗେ ତ ଦିନରାତି ବାନ୍ଧି ରଖୁଥିଲେ । ଏବେ ରାତିରେ ଖୋଲିଦିଅନ୍ତି । ସେ ଭିଡ଼ିମୋଡ଼ି ହୁଏ । ତାର ପରାଧୀନତାକୁ ଅସ୍ୱୀକାର କରେ । ବେଳେବେଳେ ଖାଏ ନାହିଁ । ଗେଟ୍‌ ସେପଟେ କୌଣସି ତରୁଣୀ କୁକୁର କି ସମବୟସ୍କ ସାଙ୍ଗ ଦେଖିଲେ ସେ ଏପଟେ ଛାଟିପିଟି ହୁଏ । ଶରତ ଜହ୍ନରାତିରେ ଅସ୍ଥିର ହୋଇପଡ଼େ । କିନ୍ତୁ ଲୁହା ଜଞ୍ଜିର ଛିଣ୍ଡେଇ ସେ ବାହାରକୁ ଯାଇପାରେ ନାହିଁ । ସେସବୁ ନିଷ୍ଫଳ ଆକ୍ରୋଶ ଓ କ୍ଷୋଭ ସେ ଶୁଝେଇଦିଏ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଭର୍ତ୍ସନା କରି । ବାରମ୍ବାର ଭୁକେ । ରାସ୍ତାରେ ଯାଉଥିବା ବିଲେଇ, ବଳଦ ଓ ଛେଳିମାନଙ୍କୁ ସେ ଈର୍ଷା କରେ-। ସେମାନଙ୍କ ଉପରେ ସେ ବିରକ୍ତ ହୁଏ ।

 

ତାକୁ ଛଅ ମାସ ବୟସ ମାତ୍ର ହେଇଥିଲା ବେଳେ ସେ ରୋଗରେ ପଡ଼ିଥିଲା । ଡାକ୍ତରଖାନା, ସାଲାଇନ୍‌ ଓ ଇଞ୍ଜେକ୍‌ସନ୍‌ ସହ ସେହି ପ୍ରଥମ ପରିଚୟ ପର୍ବରେ ସେ ଖୁବ୍‌ ସହଯୋଗ କରିଥିଲା । କେହି କହୁ ନ ଥିଲେ ବଞ୍ଚିବ ବୋଲି । ସେ ବଞ୍ଚିଗଲା । ଦୁଇ ସପ୍ତାହକାଳ ବେମାରରେ ପଡ଼ି ରହି ତା ଜାଗାଖଣ୍ଡକ ଝାଡ଼ା-ପରିସ୍ରାରେ ଅପରିଷ୍କାର କଲା । ଘରଲୋକେ ଚିଡ଼ିଲେ । ତାକୁ ଶୁଣେଇ ଶୁଣେଇ କେହି କେହି ତାର ଆଶୁ ମୃତ୍ୟୁ କାମନା କଲେ । କିନ୍ତୁ ସେ ସେମାନଙ୍କୁ ନିରାଶ କରି ବଞ୍ଚିଲା । କେବଳ ବଞ୍ଚିଲା ନାହିଁ, ଦିନକୁ ଦିନ ସୁସ୍ଥ-ସବଳ ହୋଇ ମାସ ଛଅଟାରେ ବେଶ୍‌ ଦର୍ଶନଯୋଗ୍ୟ ପ୍ରାଣୀଟେ ବନିଗଲା ।

 

ସେ ଜାଣେ ନାହିଁ ତାର ନାଆଁ କଣ ! କିନ୍ତୁ ସେଇ ଘରର ଲୋକମାନେ ତାକୁ ‘ବଣ୍ଟି’ ନାଆଁରେ ଡାକୁଥିଲେ । ତାକୁ ବିସ୍କୁଟ, ଭାତ-ମାଉଁସ ବି ଦେଉଥିଲେ । ମାତ୍ର ଏସବୁ ବଦଳରେ ତାର ଯେପରି ଲୋଡ଼ା ଥିଲା ଟିକେ ସ୍ୱାଧୀନତା । ଏ ଲୁହା ଜଞ୍ଜିର ଓ ଚମଡ଼ା ବେଲ୍‌ଟକୁ ସେ ନିଜର ନିୟତି ବୋଲି ସ୍ୱୀକାର କରିପାରୁ ନ ଥିଲା ।

 

ଏବେ ସେ ରାସ୍ତା ଉପରେ । କୁଣିଆ ରିକ୍ସାରେ ଚାଲିଛନ୍ତି ବସ୍‌ଷ୍ଟାଣ୍ଡକୁ । ସେ ପଛେ ପଛେ-। କାନ, ଲାଞ୍ଜ ହଲେଇ ସେ ଚାଲିଛି ଦଉଡ଼ି ଦଉଡ଼ି । କେତେବେଳେ କୁଦି ପଡ଼ୁଛି ତ କେତେବେଳେ ଡେଇଁ ପଡ଼ୁଛି । ଚାରିପଟେ ଖୋଲାପବନ ଓ ମୁକୁଳା ଆଲୁଅ । ସାମ୍ନାରେ ଜାତୀୟ ରାଜପଥ । ଧାଡ଼ି ଧାଡ଼ି ଲମ୍ବିଛି ବଡ଼ ବଡ଼ ଗାଡ଼ି । ସେଗୁଡ଼ିକ ଟ୍ରକ୍‌, ବସ୍‌, କାର୍‌ କି ଜିପ୍‌ ବୋଲି ସେ ଜାଣେ ନାହିଁ-। ତାକୁ ଭୟ ଲାଗୁଥିଲା । ପଛରେ ତା ଖାଉନ୍ଦ ଘରର ସେଇ ଲୋକଟି । ସେ ତାକୁ ଧରିବାକୁ ଦଉଡ଼ିଛି । ଆଉ କିଛି ସମୟ ଲୋଡ଼ା ତାର । ଅନେକ ଦିନର ପରାଧୀନତା, ଶୃଙ୍ଖଳ ଓ ଦାସତ୍ୱ ପରେ ଆଜି ସେ ପାଇଛି ମୁକ୍ତିର ମୁହୂର୍ତ୍ତ । ସେ ଧରାଦେବ ନାହିଁ । ସେ ଡେଇଁପଡ଼ିଲା ଆଗକୁ, ରାଜପଥକୁ । ଆଗରେ ଓ ପଛରେ ମାଳ ମାଳ ଟ୍ରକ୍‌, ବସ୍‌ ।

 

ଏହାପରେ କଣ ହେଲା ସେସବୁ ହୁଏତ ଗୋଟେ ବର୍ଷକର କୁକୁର କହିପାରିନଥାନ୍ତା । କାରଣ ସେସବୁ ଅନୁଭବ କରିବା ପୂର୍ବରୁ ସେ ମରିଯାଇଥିଲା ।

 

ସେଇ ସାନକୁକୁରର ରକ୍ତଜୁଡ଼ୁବୁଡ଼ୁ ମାଂସ ମେଞ୍ଚାକ ଟ୍ରକ୍‌-ବସ୍‌ର ଟାୟାର୍‌ ଦେହରେ ଘଷିହୋଇ ନିଶ୍ଚିହ୍ନ ହୋଇଗଲାଣି । ମଲାବେଳେ ତା ବେକରେ ଥିଲା ଗୋଟେ ଚମଡ଼ାର ବେଲ୍‌ଟ । ଗୋଟେ ଅପରିଣାମଦର୍ଶୀ ଦାୟିତ୍ୱହୀନ ଖାଉନ୍ଦର ମାମୁଲି ମାଲିକାନା, ଯାହାକୁ ସେ କୁକୁର ଛୁଆଟି ବରାବର ଅସ୍ୱୀକାର କରୁଥିଲା ।

 

ସେଦିନ ରାତିରେ ଅବଶ୍ୟ ବଣ୍ଟିର ଶୋଚନୀୟ ମୃତ୍ୟୁ ତା ଖାଉନ୍ଦ ପରିବାରରେ ମୁଖ୍ୟ ଆଲୋଚନାର ବିଷୟ ହୋଇପଡ଼ିଥିଲା । ତାର ଭାବପ୍ରବଣ ଖାଉନ୍ଦାଣୀ ସେ ବନ୍ଧା ଯାଉଥିବା ଜାଗାରୁ ଚେନ୍‌, ଖାଇବା ଥାଳି, ପାଣିମଗ୍‌ ଓ ସେ ଶୋଇଥିବା ଅଖା ଖଣ୍ଡକ ନେଇ ବାହାରେ ଫିଙ୍ଗି ଦେଇଥିଲେ । ଏସବୁ ରହିଲେ ସ୍ମୃତି ସଜୀବ ହୋଇଉଠିବ । ଦୁର୍ବଳ ମଣିଷ ଏଭଳି ଜିନିଷକୁ ଦୂରେଇଦିଏ । ପତ୍ନୀଙ୍କୁ ବୁଝେଇବା ପାଇଁ ଖାଉନ୍ଦ ଜଣକ ଜୀବନର ଅସାରତା, ଜନ୍ମ ହେଲେ ମୃତ୍ୟୁ ଅନିବାର୍ଯ୍ୟ, ଛାର କୁକୁରଟେ ପାଇଁ ଏତେ ଚିନ୍ତା କାହିଁକି ବୋଲି କହୁଥିଲେ ଏବଂ ଘରର ଅନ୍ୟମାନେ ‘ଦିନେ ନା ଦିନେ ସିଏ ତ ମରିଥାଆନ୍ତା’, ‘ଆମର ଦୋଷ କଣ, ସିଏ ତ ନିଜେ ଦଉଡ଼ି ଦଉଡ଼ି ପଳେଇଗଲା’ ଓ ‘ଆଉ ଗୋଟେ ଭଲ କୁକୁର ଆଣିବା ପରି’ ନାନାପ୍ରକାର ସାନ୍ତ୍ୱନାମୂଳକ ମନ୍ତବ୍ୟ ଦେଉଥିଲେ । ଗୋଟେ ମାମୁଲି କୁକୁର ଛୁଆର ମୃତ୍ୟୁ ଘଟଣାଟି ବା କେତେ ସମୟ ବା କାରୁଣ୍ୟ ସୃଷ୍ଟି କରିପାରିଥାନ୍ତା ?

 

ପୂର୍ବ ନିର୍ଦ୍ଧାରିତମତେ ସେଦିନ ରାତିରେ ସେ ପରିବାରର ଲୋକେ ଭାତ ଓ ମାଛ ତରକାରି ଖାଇଲେ । ସକାଳକୁ ଖାଉନ୍ଦ ଅଫିସ ଗଲେ, ଖାଉନ୍ଦାଣୀ ବଜାର ଓ ବଜାରରୁ ବନ୍ଧୁଘର ଗଲେ । ସବୁ କିଛି ଠିକ୍‌ଠାକ୍‌ ଚାଲିଥିଲା । ଅନ୍ତତଃ ସେଇ ଘରପାଖରେ ରହୁଥିବା ସିଦ୍ଧାର୍ଥ କୌଣସି ବିଶେଷ ବ୍ୟତିକ୍ରମ ବାରିପାରି ନ ଥିଲା ପରିବାରଟିର ଜୀବନଚର୍ଯ୍ୟାରେ । କେବଳ ପରିବାରର ସବୁଠୁ କନିଷ୍ଠତମ ସଭ୍ୟ ଓ ବଣ୍ଟିର ଜୀବିତାବସ୍ଥାରେ ଉଭୟ ଭାବ ଓ ବସ୍ତୁ ନିର୍ବିଶେଷରେ ତାର ସବୁଠୁ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଛଅବର୍ଷର ସାନଝିଅଟି ଅନେକ ଦିନ ପର୍ଯ୍ୟନ୍ତ ଗମ୍ଭୀର ରହୁଥିଲା । ଖେଳୁ ଖେଳୁ ବଣ୍ଟି ବନ୍ଧା ହେଉଥିବା ପୋର୍ଟିକୋ ତଳ ସେ ଜାଗା ଅରାକ ପାଖକୁ ଚାଲିଗଲେ କିମ୍ବା ତାର ନିର୍ଜୀବ ଦେହଟା ମେଞ୍ଚାଏ ମାଉଁସ ହେଇ ମିଶିଯାଇଥିବା ରାସ୍ତାବାଟ ଦେଇ ସ୍କୁଲ ଗଲାବେଳେ ତା’ର ଆଖିଯୋଡ଼ିକ ବରାବର ଛଳଛଳେଇ ଉଠୁଥିଲା ।

Image

 

ଶୋଷଣର ଶ୍ୱେତପତ୍ର

 

ପ୍ରତିଦିନ ଚାରିପାଖର ପୃଥିବୀରେ ଏତେ ଦୁଃଖ, ଏତେ ଅସହାୟତା ଓ ଏତେ ଶବଦୋତ୍ତର ନିର୍ଯାତନାର ଯେ କାହାଣୀ, ସେସବୁ ସିଦ୍ଧାର୍ଥ ପରି ସ୍ପର୍ଶକାତର ମଣିଷମାନଙ୍କୁ ମଧ୍ୟ ପ୍ରତିକ୍ରିୟାହୀନ କରିଦେଇ ସାରିଲାଣି । କୌଣସି ଦିନ ସକାଳର ଖବରକାଗଜରୁ ବାଇଶି ତେଇଶି ବର୍ଷର ଝିଅଟିକୁ ନିଆଁରେ ପୋଡ଼ି ମାରିଦେବା ଅଥବା ବସ୍‌ ଛାତ ଉପରେ ଗାଆଁ ଲେଉଟାଣି କେଉଁ ଯୁବକକୁ ଦିନ ଦ୍ୱିପ୍ରହରଟାରେ ହତ୍ୟା କରିବା ପରି ଅମାନୁଷିକ ଓ ଜଘନ୍ୟ ସମ୍ବାଦ ପଢ଼ିଲେ ଆଜିକାଲି ଆଉ ପ୍ରତିକ୍ରିୟା ହୁଏ ନାହିଁ । ମଣିଷର ସହିବାର ଶକ୍ତି ତାର ଅପରାଧ କରିବାର ଓ ଅମଣିଷ ହେଇ ପଡ଼ିବାର ସାମର୍ଥ୍ୟ ସାଙ୍ଗରେ ତାଳ ଦେଇ ବଢ଼ିଗଲାଣି !

 

ମାତ୍ର ଏମିତି ଏକ ଉଦାସୀନ, ନିର୍ବିକାର ଓ ପ୍ରତିକ୍ରିୟାଶୂନ୍ୟ ପରିସ୍ଥିତି ଭିତରେ ସୁଦ୍ଧା ଗତ ସପ୍ତାହରେ ପ୍ରକାଶିତ ଯୋଡ଼ିଏ ସମ୍ବାଦ ସିଦ୍ଧାର୍ଥକୁ ସମ୍ପୂର୍ଣ୍ଣ ଅନ୍ୟମନସ୍କ କରିଦେଇଛି । ବହୁ ସମୟ ଧରି ଗୋଟେ ଚାପାକୋହ ବାହାରକୁ ବାହାରି ନ ପାରିବାର ଯନ୍ତ୍ରଣାରେ ସେ ଆଉଟିପାଉଟି ହେଉଛି । ନିଶବ୍ଦ ଅସହାୟତା ଭିତରେ ସେ ବାରମ୍ବାର ଶୂନ୍ୟକୁ କେବଳ ଗୋଟେ ପ୍ରଶ୍ନ ପଚାରିବାକୁ ଚେଷ୍ଟା କରୁଛି, ନୃଶଂସତା ଓ ବର୍ବରତାରେ ହିଂସ୍ର ପଶୁକୁ ବି କେଉଁ କାଳୁ ବଳିଯାଇଥିବା ମଣିଷ ଆଉ କେଉଁଦିନ ଫେରିଆସିବ ସେ ଅମୁହାଁ ସୁଡ଼ଙ୍ଗରୁ ? କେଉଁଦିନ ସେ ଅପଦେବତାର ଅଭିଶାପରୁ ମୁକ୍ତ ହେବ ?

 

ମଧ୍ୟପ୍ରଦେଶର ପାଞ୍ଜରା ବୋଲି ଗୋଟେ ଗାଁ । ଗୋଟେ ଅସାଧୁ ବ୍ୟବସାୟୀର ପଥର କଟା କାରଖାନା ଓ କ୍ରସରରେ କାମ କରନ୍ତି ଦୂର ଗାଆଁର ଗରିବ ମିଣିପ ଓ ମାଇପିମାନେ । ସେମାନେ ସମସ୍ତେ ଗୋତି ଶ୍ରମିକ । ସରକାରଙ୍କ ସମସ୍ତ ପ୍ରକାର ଆସ୍ଫାଳନ ସତ୍ତ୍ୱେ ଗୋତି ପ୍ରଥା ମଧ୍ୟପ୍ରଦେଶରେ ଚାଲିଛି, ଆଉରି ଅନେକ ପ୍ରଦେଶରେ ବି । ସକାଳୁ ରାତିଯାଏ ପଥର ସାଙ୍ଗେ ହାଡ଼ମାଉଁସକୁ ବିନ୍ଧି ଏମାନେ କାମ କରନ୍ତି । ସଞ୍ଜ ବୁଡ଼େ କୋଡ଼ିଏ ଟଙ୍କା ମଜୁରିର ଟିପଚିହ୍ନ ଦେଇ ପାଆନ୍ତି ଦଶଟି ଟଙ୍କା ! ସେଇଥିରେ ଖାଇବା-ପିଇବା, ରୋଗ-ବୈରାଗ୍ୟ ।

 

ଗତ ମେ ୩୧ ତାରିଖ (୧୯୯୨)ରେ ଖାଦାନ୍‌ର ତିନିଟି ପରିବାର ଅଣ୍ଟାସଳଖି ଆକାଶକୁ ଚାହିଁଲେ । ଅନୁଦାର ଆକାଶ ସେମାନଙ୍କୁ ସାନ୍ତ୍ୱନା ଦେଇପାରିଲା ନାହିଁ । ହାତଗୋଡ଼ରେ ଅଦୃଶ୍ୟ ଶୃଙ୍ଖଳ । ଚାରିପଟେ ମାଲିକର ଭଡ଼ାଟିଆ ଗୁଣ୍ଡା । କୁଆଡ଼େ ପଳେଇଯିବାକୁ ଚାହିଁଲେ ହାତଗୋଡ଼ କାଟିନେବେ । ଅନ୍ଧାର ହେଲା । ଲୁଚିଲୁଚି ଏମାନେ ପାଖ ଜଙ୍ଗଲକୁ ପଳେଇଗଲେ । ଯଦି ବଞ୍ଚିଯାଆନ୍ତି, ତା’ପରେ ସ୍ୱାଧୀନ ହୋଇ ବଞ୍ଚିବେ । ନିଜ ଗାଆଁମାଟିରେ ମୁଣ୍ଡ ଉପରକୁ ତୋଳି ଆଉ କିଛି ଦିନ ବଞ୍ଚିଯିବେ !

 

କିନ୍ତୁ ମୁଣ୍ଡ ଉପରେ ଦେବତାର ଅଭିଶାପ, ମାଟି ଉପରେ ମାଲିକର ପରୱାନା ଓ ସମଗ୍ର ଶରୀରରେ କ୍ଷୁଧା, ତୃଷ୍ଣା ଓ କ୍ଳାନ୍ତିକୁ ବୋହି ବୋହି ଏମାନେ ବା ଯିବେ କୁଆଡ଼େ ? ଜଙ୍ଗଲ ଭିତରେ ସେମାନେ ବାଟ ଭୁଲିଯାଆନ୍ତି । ଚାରିଆଡ଼ ଧାଇଁବୁଲନ୍ତି ରାସ୍ତା ପାଇଁ– ମୁକ୍ତିର ରାସ୍ତା । ଉପରେ ଜ୍ୟେଷ୍ଠର ଖରା । ସାଙ୍ଗରେ ପାଞ୍ଚ ଛଅଟି ସାନ ପିଲା । ଦୁଇବର୍ଷର ‘ଶୁକୁ’ ଶୋଷରେ ଅସ୍ଥିର । ବାରମ୍ବାର ଜିଭକୁ ବୁଲେଇ ଆଣୁଛି ଶୁଖିଲା ଓଠ ଉପରେ । କିନ୍ତୁ ପାଣି କାହିଁ ? ଅନେକ ଦୂରରେ ନର୍ମଦାର ନୀଳଜଳ । ଏଠି ତ କେବଳ ରାଇସନ ଜଙ୍ଗଲର ନୀଳିମା, ନୀଳମୃତ୍ୟୁର ଅଷ୍ଟପଦୀ ଆଶ୍ଳେଷ । ହତଭାଗ୍ୟ ବାପମାଆ ଅସହାୟତାରେ ମୁଣ୍ଡ କୋଡ଼ି ହେବା ବେଳକୁ ଶୁକୁ ହାତଗୋଡ଼ ଛାଟିପିଟି ଚାହୁଁଥିଲା ମୁନ୍ଦାଏ ପାଣି । ସେତକ ମିଳିଲା ନାହିଁ ତାକୁ । ଶୁକୁ ମରିଗଲା । କେବଳ ଶୁକୁ ନୁହେଁ, ସେଇଦିନ ରାତି ଓ ପରଦିନ ଦ୍ୱିପ୍ରହର ଭିତରେ ଆଉରି ପାଞ୍ଚଟି ପିଲା ମରିଗଲେ ସେଇ ଜଙ୍ଗଲ ଭିତରେ, ମୁନ୍ଦାଏ ପାଣି ନ ପାଇ । ନିଜ କର୍ମକୁ ଧିକ୍‌କାରି, ଭାଗ୍ୟକୁ ନିନ୍ଦି ଓ ଅବଶିଷ୍ଟ ମଣିଷ ସମାଜକୁ ଅଭିଶାପ ଦେଇ ଯେଉଁ ମାଆଟି ତା ନିଜ ଆଖି ସାମ୍ନାରେ ନିଜ କୋଳର ଛୁଆଟିକୁ ଧୀରେ ଧୀରେ ମୃତ୍ୟୁର ପନ୍‌ଝା ଭିତରକୁ ପଶି ଯାଉଥିବାର ଦେଖିଥିବ, ତାର ମର୍ମଦାହ, ଦୁଃଖ ଓ ଅସହାୟତା ପୃଥିବୀର କୌଣସି କବିର କଲମ କି କଳାକାରର ତୂଳି ଲେଖିପାରିବ ନାହିଁ, ଆଙ୍କିପାରିବ ନାହିଁ ... ।

 

ଏହାର ପରବର୍ତ୍ତୀ ସମ୍ବାଦ ଆଉ କଣ ହୋଇପାରେ ? ବୟସ୍କ ମଣିଷଙ୍କ ଭିତରୁ ଜଣେ ବହୁତ ବାଟ ଘୂରି ଘୂରି ପହଞ୍ଚିଛି ଗୋଟେ ଗାଆଁରେ । ସେଇଠି ସେ ମୂର୍ଛା ଯାଇଛି । ଚେତା ଫେରିବା ପରେ ସେ ଗାଆଁଲୋକଙ୍କୁ କହିଛି ଏ ଦୁଃଖ ଓ ଅସହାୟତାର କାହାଣୀ । ସମ୍ବାଦଟିରେ ଏକଥା ମଧ୍ୟ ପ୍ରକାଶ ପାଇଛି ଯେ ପୁଲିସ ଏବେ ଗିରଫ କରିଛନ୍ତି ଗୋତି ଖଟଉଥିବା ସେହି ଖଣି ମାଲିକକୁ । ତେବେ ସିଦ୍ଧାର୍ଥର ସେ ଖବରରେ ଆଗ୍ରହ ନ ଥିଲା । ସେ ଜାଣେ, ପୁଲିସ ଯେତେ ଶୀଘ୍ର ଯେଉଁମାନଙ୍କୁ ଗିରଫ କରେ, ରାଜନୀତି ସେତେ ଶୀଘ୍ର ସେମାନଙ୍କୁ ମୁକୁଳେଇଦିଏ ।

 

ଦ୍ୱିତୀୟ ସମ୍ବାଦଟି ଥିଲା ଆଉରି ଜଘନ୍ୟ ଓ ଲଜ୍ଜାଜନକ । ପ୍ରଥମ ସମ୍ବାଦଟିରେ ତ ସାଧାରଣ ଶୋଷକ ଓ ଶ୍ରମିକ ସମ୍ପର୍କ କଥା ଥିଲା, ଯେଉଁଠି ଶୋଷକ ନୃଶଂସ ଭାବରେ ଆଦାୟ କରିନେଉଥିଲା ତା ପଇସାର ମୂଲ୍ୟ । ମାତ୍ର କୌଣସି ସର୍ବନିମ୍ନ ଯୁକ୍ତି ନ ଥାଇ, କେବଳ ଉଚ୍ଛୃଙ୍ଖଳ ଆନନ୍ଦ ଓ ଅନୁଚିତ ଶିହରଣ ପାଇଁ ଯେ ମଣିଷ ଦୁଗ୍‌ଧପୋଷ୍ୟ କଅଁଳାଛୁଆଙ୍କୁ ଜନ୍ଦା-ପିମ୍ପୁଡ଼ି ପରି ବ୍ୟବହାର କରିପାରେ ଏପରି ଏକ ଉଦ୍‌ଭଟ ସମ୍ବାଦ ପୂର୍ବରୁ ସେ ଶୁଣିନଥିଲା ।

 

ଗତ ୨୧ ତାରିଖରେ ଦିଲ୍ଲୀ ବିମାନ ବନ୍ଦରରୁ ଦୁଇ ଜଣ ଓ ପରେ ପରେ ନିଜାମୁଦ୍ଦିନ୍‌ର ଗୋଟେ ଅତିଥି ଭବନରୁ ଆଉ ତିନି ଜଣ ଏପରି ମୋଟ ପାଞ୍ଚଜଣ ପିଲାଙ୍କୁ ପୁଲିସ ଉଦ୍ଧାର କରିଛି-। ଏ ପାଞ୍ଚଟିଯାକ ପିଲାଙ୍କ ବୟସ ପାଞ୍ଚବର୍ଷରୁ କମ୍‌; ସବା ସାନ ପିଲାଟିକୁ ମାତ୍ର ସାଢ଼େ ତିନିବର୍ଷ ! ପାଞ୍ଚଟିଯାକ ପିଲାଙ୍କୁ ଦୁବାଇ ନିଆଯାଉଥିଲା, ସେଠାକାର କଳଙ୍କିତ ଓଟ-ଦୌଡ଼ ପ୍ରତିଯୋଗିତାରେ ବ୍ୟବହାର କରିବା ପାଇଁ । ଦରିଦ୍ର, ନିଃସହାୟ ବାପମାଆଙ୍କୁ କିଛି ମୋଟାଅଙ୍କର ଉତ୍କୋଚ ଦେଇ କିମ୍ବା ଖେଳପଡ଼ିଆ କି ରାଜରାସ୍ତାରୁ ଅପହରଣ କରି ଏ ପିଲାମାନଙ୍କୁ ସଂଗ୍ରହ କରାଯାଇଥିଲା, ତାହା ଅବଶ୍ୟ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ମାତ୍ର ଏମାନଙ୍କୁ ଯେ ଭାରତର କିଛି ଦଲାଲ ମୁନାଫା ପାଇଁ ଜହ୍ଲାଦଙ୍କ ହାତରେ ଟେକି ଦେଇଥିଲେ, ଏ ବିଷୟରେ ଆଉ କି ସନ୍ଦେହ ଥାଇପାରେ !

 

ସିଦ୍ଧାର୍ଥ ଦୁବାଇର ସେଇ ବିଳାସୀ ଓଟ-ଦୌଡ଼ ପ୍ରତିଯୋଗିତା ଦେଖି ନାହିଁ । କିନ୍ତୁ ଶୁଣିଛି, ଖେଳ ଆରମ୍ଭ ହେବା ପୂର୍ବରୁ ଏଇ କଅଁଳା ଛୁଆଙ୍କ ଗୋଡ଼ହାତ କୁକୁଡ଼ାର ଡେଣା କି ଛେଳିର ଗୋଡ଼ ପରି ଛନ୍ଦି ଓଟ ପିଠି ଉପରେ ବାନ୍ଧି ଦିଆଯାଏ । ଅକଥ୍ୟ ଶାରୀରିକ ପୀଡ଼ା ଓ ଯନ୍ତ୍ରଣାରେ ସେଇ ପିଲାଏ ରାହା ଧରି ଚିତ୍କାର କରନ୍ତି । ସେମାନଙ୍କର ଆର୍ତ୍ତ ଚିତ୍କାର ଓଟଗୁଡ଼ାଙ୍କୁ ଚଞ୍ଚଳ କରାଏ-। ସେମାନେ ଜୋରରେ ଦଉଡ଼ନ୍ତି । ଯେଉଁ ଓଟ ଅଧିକ ବାଟ କମ୍‌ ସମୟରେ ଟପିଗଲା, ସେ ଜିଣିଲା । ସେତେବେଳକୁ ଓଟ ପିଠିରେ ବନ୍ଧା କଅଁଳା ଛୁଆଟି ମରିଯାଇଥିଲେ ଚିନ୍ତା ନାହିଁ, ବଞ୍ଚି ରହିଥିଲେ ବି ଚିନ୍ତା ନାହିଁ । ଅବଶିଷ୍ଟ ଜୀବନ ସେ ଗୋଟେ କ୍ଳୀବ ଓ ପଙ୍ଗୁର ଦୟନୀୟ ଜୀବନ ନେଇ ହିଁ ବଞ୍ଚିବ ! ଦୁବାଇର ଶେଠ୍‌ମାନଙ୍କର ଇଏ ଏକ ମଉଜ-ମସ୍ତ ଖେଳ । ସେମାନଙ୍କ ପାଖେ ପ୍ରଚୁର ଅର୍ଥ ଅଛି । ଚାହିଁଲେ ଓଟ ପିଠିରେ କଅଁଳାଛୁଆକୁ ବାନ୍ଧି ମଜା ଦେଖିପାରିବେ, ଚାହିଁଲେ ଗୋଟେ ଖୁଣ୍ଟରେ ତାକୁ ବାନ୍ଧି, ହାତଗୋଡ଼ ଖଣ୍ଡ ଖଣ୍ଡ କାଟି ତା’ର ଆର୍ତ୍ତ ଚିତ୍କାରରେ ନିଜ ମଜଲିସ୍‌ର ପୂର୍ଣ୍ଣାହୁତି ଦେବେ ! ସେମାନଙ୍କ ଆଗରେ ଜନ୍ଦା, ପିମ୍ପୁଡ଼ି ଓ ମଣିଷ ଛୁଆ ଭିତରେ କିଛି ପାର୍ଥକ୍ୟ ନାହିଁ ।

 

ସିଦ୍ଧାର୍ଥ ରାଇସନ ଜଙ୍ଗଲରେ ପାଣି ମୁନ୍ଦାଏ ନ ପାଇ ପ୍ରାଣ ହରେଇଥିବା ଶୁକୁ, ରାମ୍‌ଭରୋସେ ଅଥବା ସେମାନଙ୍କର ହତଭାଗ୍ୟ ବାପମାଆଙ୍କୁ ଦେଖି ନାହିଁ, ସେମାନଙ୍କୁ ଜାଣେ ନାହିଁ । ଅଳ୍ପ କିଛି ଟଙ୍କା ବା ଅସାବଧାନତା ଯୋଗୁଁ ନିଜ କୋଳରୁ ଦୂରେଇ ଯାଇ ଦୁବାଇର ଦଲାଲ ହାତରେ ବନ୍ଧା ପଡ଼ିଥିବା ଶିଶୁମାନଙ୍କୁ ମଧ୍ୟ ସେ ଚିହ୍ନେ ନାହିଁ । ସେମାନଙ୍କ ପିତାମାତାଙ୍କ ଅସହାୟତା, ଗୋତି ଶ୍ରମିକଙ୍କ ଲୁହ ଓ ଲହୁର କାହାଣୀ ସେ କେବଳ ପଢ଼ିଛି ଖବରକାଗଜ ଓ ପତ୍ରପତ୍ରିକାମାନଙ୍କର ନିର୍ଜୀବ ପୃଷ୍ଠାରୁ । ସେହି ହତଭାଗ୍ୟମାନେ ଏ ଦେଶରେ ମୁଷ୍ଟିମେୟ ନୁହନ୍ତି, ସେଇମାନେ ସଂଖ୍ୟାଗରିଷ୍ଠ ହତଭାଗ୍ୟ ଭାରତୀୟ– ଯେଉଁମାନଙ୍କ ପାଇଁ ମୃତ୍ୟୁ ନୁହେଁ ଜୀବନ ହିଁ ସବୁଠୁ ସମସ୍ୟା । ସିଦ୍ଧାର୍ଥ ସେଇ ଅପରିଚିତ ହତଭାଗ୍ୟ ମଣିଷମାନଙ୍କ ଉଦ୍ଦେଶ୍ୟରେ ହାତଯୋଡ଼ି କ୍ଷମା ପ୍ରାର୍ଥନା କରୁଥିଲା: ପାରିବ ଯଦି କ୍ଷମା କରିଦିଅ ।

Image

 

ମହଙ୍ଗା ସ୍ୱପ୍ନ

 

ନେଭି ବ୍ଲୁ-ରଙ୍ଗର ଫୁଲ୍‌ଶାର୍ଟ ଓ ପ୍ୟାଣ୍ଟ୍‌, ମୁଣ୍ଡରେ କଳାରଙ୍ଗର ଟୋପିଟିଏ, କମରରେ କଷିକରି ବନ୍ଧା ହୋଇଛି ଗୋଟାଏ ରେକ୍‌ସିନ୍‌ ବେଲ୍‌ଟ, ପୁଲିସ୍‌ବାଲାଙ୍କ କାନ୍ଧରେ ପିତ୍ତଳର ଲେଖା ପରି କାନ୍ଧରେ ଲେଖାଯାଇଛି ତିନିଟି ଅକ୍ଷର, ସେ କାମ କରୁଥିବା ସଂସ୍ଥାର ନାଁ । ଅଫିସ୍‌କୁ ପଶିଲା ବେଳକୁ ହଠାତ୍‌ ପିଲାଟି ଡାହାଣ ଗୋଡ଼ଟି ତଳେ କଚାଡ଼ି ଆଟେନ୍‌ସନ୍‌ ପୋଜିସନ୍‌ ନେଲା ଓ ସିଦ୍ଧାର୍ଥକୁ ସାଲ୍ୟୁଟ୍‌ ଦେଲା । ନୂଆକରି ଏଇ ଦପ୍ତରରେ ମୁକରିର ହୋଇଥାଏ ସେ । ଆଦୌ ପ୍ରସ୍ତୁତ ନ ଥିବାରୁ ସିଦ୍ଧାର୍ଥ ପ୍ରଥମେ ଟିକିଏ ଶଙ୍କିଯାଇ ତା ମୁହଁକୁ ଚାହିଁଲା । ଚଉଦ ପନ୍ଦର ବର୍ଷର ପିଲାଟିଏ, ସ୍କୁଲ୍‌ ପିଲା ଏନ୍‌.ସି.ସି. ଡ୍ରେସ୍‌ ପିନ୍ଧିଲେ ଯେମିତି ଦିଶେ, ଅବିକଳ ସେମିତି ଦିଶୁଥିଲା ତାର ଚେହେରା ।

 

ଅଫିସ୍‌ର ଗହଳି କମିଯିବା ପରେ ତାକୁ ପାଖକୁ ଡାକି ତା ନାଁ, ଗାଁ ପଚାରିଲା ସିଦ୍ଧାର୍ଥ । ଢେଙ୍କାନାଳ ଟାଉନ୍‌ଠାରୁ ଥୋଡ଼ାଏ ବାଟ ଚାଲି ଚାଲି ଗଲେ ବାଟରେ ପଡ଼େ ତା ଗାଁ । ଏଠି ଗୋଟାଏ ସିକ୍ୟୁରିଟି ସର୍ଭିସ୍‌ ସଂସ୍ଥାରେ ସେ କାମ କରୁଛି । ସେ ତା ସଂସ୍ଥାର ନାଆଁ କହିଲା । ସିଦ୍ଧାର୍ଥ ତାକୁ ପଚାରିଲା, ‘ଯୋଉଠି ଚାକିରି କରୁଛୁ, ସେଠୁ ଦରମା ପାଉଛୁ କେତେ ?’ ଉତ୍ତରରେ ସେ ଟିକିଏ ହସିଲା । ବଡ଼ କରୁଣ ସେ ହସ । ଟିକିଏ ରହି କହିଲା, “ତିନି ଶହ ଟଙ୍କା ମୋତେ ଆମ ଅଫିସ୍‌ ଦିଏ ।” ସିଦ୍ଧାର୍ଥ ଆଶ୍ଚର୍ଯ୍ୟ ହେଲା ନାହିଁ । ଏପରି ଉତ୍ତର ସହ ସେ ପରିଚିତ ।

 

ପ୍ରମୋଦ ଆସେ ସେ ଦପ୍ତରକୁ ଠିକ୍‌ ବାରଟା ବେଳେ । ଦୁଆର ପାଖେ ଛିଡ଼ା ହୋଇ ଦପ୍ତର ଭିତରକୁ ଆସୁଥିବା ବାବୁମାନଙ୍କୁ ତାର ସେ କଅଁଳ ପାଦ ବାଡ଼େଇ ସଲାମ୍‌ ଠୁଙ୍କେ, ଦପ୍ତର ଭିତରକୁ ବାବୁମାନେ ଆସିଗଲା ପରେ କବାଟ ବନ୍ଦ କରିନିଏ ଓ ତାପରେ ସେଇଠି ‘ସାବଧାନ୍‌’ ଭଙ୍ଗୀରେ ଛିଡ଼ା ହେଇ ରହେ ରାତି ଆଠଟାଯାଏଁ । ତାକୁ ସେଇ ଅବସ୍ଥାରେ ଦେଖିବା ବେଳେ ସିଦ୍ଧାର୍ଥର ମନେହୁଏ, ନିରାପତ୍ତାରକ୍ଷୀ ଭୂମିକାରେ ଅଭିନୟ କରୁଥିବା ଯେମିତି ଦଶମ, ଏକାଦଶ ଶ୍ରେଣୀର ସ୍କୁଲ୍‌ ପିଲାଟି ନକଲି ଡ୍ରେସ୍‌ ପିନ୍ଧି ଏଠି ଅଭିନୟ କରୁଛି ।

 

ଅଥଚ ପ୍ରମୋଦ ଅଭିନୟ କରେ ନାହିଁ । ତାରି ଭାଷାରେ ସେ ‘ଡ୍ୟୁଟି’ କରେ । ଦିନକୁ ଆଠ ଘଣ୍ଟା କାଳ ଛିଡ଼ା ହେଇ ହେଇ ସେ ମାସକୁ ପାଏ ତିନି ଶହ ଟଙ୍କା ।

 

ସେଦିନ ପ୍ରମୋଦ ଆସି ଅବେଳଟାରେ ସଲାମ ଦେଲା ସିଦ୍ଧାର୍ଥକୁ । ତାର ଏ ମଧ୍ୟବର୍ତ୍ତୀକାଳୀନ ସଲାମରେ ସିଦ୍ଧାର୍ଥ ବିସ୍ମିତ ହେଲା । ସେ କିଛି କହିବା ପୂର୍ବରୁ ପ୍ରମୋଦ ମନ ଦୁଃଖରେ କହିଲା, ‘ସାର୍‌, କାଲିଠୁଁ ମୋ ଡ୍ୟୁଟି ଏଠୁଁ ସରିଯାଉଛି । ଆଉ ଜଣେ ଆସିବ ମୋ ଜାଗାରେ । ମୋର ବଦଳି ହେଇଛି ଆଉ ଗୋଟେ ଅଫିସ୍‌କୁ ।’

 

କେବଳ ଖବରଟେ ଜଣାଇବାକୁ ଆସିଥିଲା ତା ପାଖକୁ । ଖବରଟା ଦେଇସାରି ସେ ଆଉଥରେ ତାର ଡାହାଣ ପାଦ ଉଠେଇ ସଲାମ୍‌ ଠୁଙ୍କିବାକୁ ଯାଉଥିଲା, ସିଦ୍ଧାର୍ଥ ବାରଣ କଲା । ତାର ସେ ମହଙ୍ଗା ସଲାମ୍‌ ପାଇଁ ସେ ଯୋଗ୍ୟ ନୁହେଁ ବୋଲି ତାକୁ ବୁଝେଇଦେଲା ।

 

ପ୍ରମୋଦର ଆଖିରେ ପୁଣି ଏକ ଅନିଶ୍ଚିତତାର ଆତଙ୍କ । କାଲିଠୁ ତାକୁ ନୂଆ ଜାଗାକୁ ଯିବାକୁ ପଡ଼ିବ ।

 

ଅନେକ ସମୟ ଯାଏ ନିର୍ବାକ୍‌ ହୋଇ ତାର ସେ ଚଞ୍ଚଳ ପଦପାତକୁ ନିରୀକ୍ଷଣ କରୁଥିଲା ସିଦ୍ଧାର୍ଥ । ତା ସାମ୍‌ନାରେ ଗୋଟିଏ କଅଁଳା ବାଛୁରୀ, ଯାର ଖୁରାଗୁଡ଼ିକ ଆଦୌ ସଳଖ ହୋଇ ନାହିଁ, ଡେଇଁ ଡେଇଁ ଚାଲିଯାଉଥିଲା । ସ୍କୁଲ୍‌ ପିଲାଟି ସ୍କୁଲ୍‌ର ଘଣ୍ଟି ବାଜିବା ପରେ ଏକମୁହାଁ ମା କୋଳକୁ ଧାଇଁଗଲା ପରି ପ୍ରମୋଦର ଚାଲିଯିବା ଦିଶୁଥିଲା ତାକୁ । ଅଥଚ ଲେଉଟାଣି ରାସ୍ତା ଯେ ତାର ଘର ଆଡ଼େ ନୁହେଁ, ନିରାପତ୍ତାହୀନ ଏକ ଅନିଶ୍ଚିତତା ଆଡ଼େ ଲମ୍ବିଯାଇଛି, ସେ କଥା କେହି ନ କହିଲେ ବି ବୁଝି ହେଉଥିଲା ।

 

ପ୍ରମୋଦର ବାପାମାଆଙ୍କୁ ସିଦ୍ଧାର୍ଥ ଜାଣେ ନାହିଁ । କିନ୍ତୁ ଦୂରରୁ ଥାଇ ବି ବେଶ୍‌ ଜାଣି ହେଉଚି ସେମାନଙ୍କର ଚେହେରା, ବୁଝି ହେଉଛି ସେମାନଙ୍କର ଅସହାୟତା । ସେତିକି ଅସହାୟତାର ଶିକାର ନ ହୋଇଥିଲେ କେହି କ’ଣ ଏମିତି କଅଁଳା ପିଲାଟାକୁ ଛାଡ଼ିଦେଇପାରେ ଘର ବାହାରକୁ ? ଟଙ୍କା ତିନିଶରୁ କିଛି ତ ବଳୁ ନ ଥିବ ପ୍ରମୋଦ ?” ପଛରୁ ଡାକି ସିଦ୍ଧାର୍ଥ ପଚାରିଲା । ପ୍ରମୋଦ ମୁଣ୍ଡ ହଲାଇଲା । ଗଲା ଚାରି ମାସ ଭିତରେ ସେ ଟଙ୍କା ପଚିଶଟା ଜମା କରି ରଖିଛି । ବସ୍‌ ଖର୍ଚ୍ଚ ଯୋଗାଡ଼ ହୋଇଗଲେ ଗାଆଁକୁ ଯିବ, ବାପା ବୋଉଙ୍କୁ ଦେଖିବ । ନଈପଠା ବାଗୁଡ଼ି ଡିଆଁ ପଡ଼ିଆରେ ଦୁଇ ଚାରିଦିନ ସାଙ୍ଗ ସଙ୍ଗାତଙ୍କ ସାଙ୍ଗେ ବାଗୁଡ଼ି ଖେଳି ଆସିବ ।

 

କେତେ ମହଙ୍ଗା ସ୍ୱପ୍ନ ପ୍ରମୋଦର ସତେ ! ସିଦ୍ଧାର୍ଥର ମଞ୍ଜ ଥରେଇ ଏକ ଦୀର୍ଘଶ୍ୱାସ ବାହାରି ଆସୁଥିଲା ।

Image

 

ହାତ ନୁହେଁ, ପନ୍‌ଝା

 

ଥରେ ନୁହେଁ କି ଦୁଇଥର ନୁହେଁ, ବାରମ୍ବାର ମନେ ହୋଇଛି ମାନବ ସଭ୍ୟତାର ଏଇ ଯେ ସାହିତ୍ୟ, ପୁରାଣ ସବୁ ରହିଛି ସେସବୁର ମଣିଷ ଜୀବନ ସହ ପ୍ରାୟ କିଛି ସମ୍ପର୍କ ନାହିଁ । ସେଗୁଡ଼ିକୁ ପଢ଼ିବା ନ ପଢ଼ିବା ନେଇ ମଣିଷର ଚିନ୍ତା ଓ ଚେତନାରେ କିଛି ଯାଏଆସେ ନାହିଁ । ସେଗୁଡ଼ିକ ମଣିଷକୁ ନ୍ୟାୟ ଓ ଉଚିତ ପଥରେ ଯିବାପାଇଁ ପ୍ରଚୋଦିତ କରିବାରେ ବିଫଳ ହୁଅନ୍ତି ବାରମ୍ବାର ଏବଂ ସେସବୁ ନ ପଢ଼ିଥିବା ମଣିଷ ବି ବେଳେ ବେଳେ ବେଶି ମହନୀୟ ଏବଂ ଉଦାର ହୋଇପାରେ ପଢ଼ିଥିବା ମଣିଷଠାରୁ ।

 

ବାସାଂସି ଜୀର୍ଣ୍ଣାନି ଯଥା ବିହାୟ... ଶ୍ଳୋକର ଅର୍ଥ ସିଦ୍ଧାର୍ଥକୁ ଭାରି ଅବୁଝା ଲାଗେ । ପୁରୁଣା ଲୁଗା ଛାଡ଼ି ନୂଆ ଲୁଗା ପିନ୍ଧିବାର ଉଦାହରଣ ଭିତରେ ଜନ୍ମ ଆଉ ମୃତ୍ୟୁର ରହସ୍ୟକୁ ଠିକ୍‌କରି ବୁଝିପାରେ ନାହିଁ ଆଦୌ । କ’ଣ ସେ ‘ପୁରୁଣା’ର ପରିଭାଷା, ଯେଉଁଠି ସଦ୍ୟଜାତ ଶିଶୁଟିକୁ ବି ବରିନେବାକୁ ହୁଏ ଅକାଳ ମୃତ୍ୟୁ ? କେଉଁଠି ସେ ‘ନୂଆ’ ପିନ୍ଧିବାର ଆନନ୍ଦ ଉଲ୍ଲାସ, ଯେଉଁଠି ଆତ୍ମୀୟର ଶବାଧାର ପାଖରେ ତଥାପି ବିଞ୍ଚିହେଇ ପଡ଼ୁଥାଏ ଲୁହ ଆଉ କୋହର ଖଇକଉଡ଼ି ! କ’ଣ ବା ସେ ଗୀତାପାଠର ମୂଲ୍ୟ, ଯେଉଁଠି ଗୀତା ପଢ଼ୁଥିବା ମଣିଷଟି ଅସହାୟ ଭାବରେ ମୁଣ୍ଡକୋଡ଼ି ଲୁହ ଝରାଉଥାଏ ଆତ୍ମୀୟର ଶବାଧାର ପାଖରେ ? କଣ ବା ସେ ସଭ୍ୟତା ଓ ସଂସ୍କୃତିର ମୂଲ୍ୟ, ଯେଉଁଠି ନିଷ୍ପାପ ଦେବଶିଶୁମାନେ ବଳି ପଡ଼ୁଥାନ୍ତି ସାଂପ୍ରଦାୟିକତା ଓ ଅହମିକାର ଯଜ୍ଞବେଦୀରେ ?

 

ସିଦ୍ଧାର୍ଥର ସ୍ମୃତିରେ ଭାସୁଥିଲା କିଛିଦିନ ତଳେ ପଢ଼ିଥିବା ଦିଇଟି ସମ୍ବାଦର ମର୍ମଭେଦୀ ବିଷାଦ ।

 

୧୯୮୯ ଅଗଷ୍ଟ ମାସର କ୍ୟାଲେଣ୍ଡରରେ ସେ ଗୋଟାଏ ଅଶୁଭ ତାରିଖ, ଏକ କଳଙ୍କିତ ତିଥି, ୨୯ ତାରିଖ । ଗୋଟାଏ ତିନିବର୍ଷର ନିଷ୍ପାପ ନିର୍ବୋଧ ଶିଶୁକୁ ସେଦିନ ତିନିଟି ବର୍ବର ସମ୍ବଲପୁରର କଟରଧୁଆଠାରେ ହତ୍ୟା କରିଥିଲେ । ପିଲାଟି ଥିଲା ସମ୍ବଲପୁରର ଜଣେ କନେଷ୍ଟବଳଙ୍କର ମାତ୍ର ତିନିବର୍ଷର ଦୁଗ୍ଧପୋଷ୍ୟ ଶିଶୁ । ଯେଉଁ ନିରୀହ ନିଷ୍ପାପ ଶିଶୁଟିର ନରମ ଦେହରେ ଫୁଲଟେ ପଡ଼ିଗଲେ କଷ୍ଟ ହୁଏ, ତାକୁ ତୀକ୍ଷ୍ଣ ଛୁରୀରେ ଆଘାତ କରାଯାଇଥିଲା ବାରଥର-। ବଡ଼ମାନଙ୍କର ଅସୂୟା ଓ ଅହମିକାର ଯଜ୍ଞବେଦୀ ଉପରେ ଗୋଟାଏ ସରଳ, ନିଷ୍ପାପ କୁନି ମଣିଷକୁ ବଳି ପକେଇ ଦିଆଗଲା ଏବଂ ସେଇ କୁନି ମଣିଷଟି, ଯାହାକୁ ତା ବାପାମାଆ ଡାକୁଥିଲେ ‘ରାଜା’ ବୋଲି, ରକ୍ତର ପୋଖରୀ ଭିତରେ ଆଉଟୁ ପାଉଟୁ ହେଇ ଆଖି ବୁଜିଦେଲା ।

 

ପ୍ରାୟ ଦୁଇବର୍ଷ ତଳେ, ପୃଥିବୀର ପ୍ରାୟ ସବୁ ବଡ଼ ବଡ଼ ଖବରକାଗଜରେ ଛପା ହେଉଥିଲା ଏଇମିତି ଆଉ ଗୋଟାଏ ନିଷ୍ପାପ କୁନି ମଣିଷର ଫଟୋ । ପୂରିଲା ପୂରିଲା ମୁହଁରେ ତା’ର ଲାଗି ରହିଥିଲା ଧାରଟିଏ ସରୁ ହସ । ଉଜ୍ଜ୍ୱଳ ଆଖି ଦୁଇଟିରେ ଝଲ୍‌ମଲ୍‌ ହେଉଥିଲା ହଜାରେ ଚନ୍ଦ୍ର ଆଉ ହଜାରେ ଏକ ନକ୍ଷତ୍ରର ସ୍ୱପ୍ନ । ତା ଫଟୋଟି ଖବରକାଗଜରେ ଛପାହେଲା ବେଳକୁ ସେ କିନ୍ତୁ ଶୋଇପଡ଼ିଥିଲା ଧ୍ୱସ୍ତବିଧ୍ୱସ୍ତ ତ୍ରିପୋଲି ଶିବିରର ଧ୍ୱଂସସ୍ତୂପ ଭିତରେ, ରକ୍ତର ପୋଖରୀରେ ନିଜର ଖେଳଣା କଣ୍ଢେଇଟିକୁ ଧରି । ଲିବ୍ୟାର ରାଷ୍ଟ୍ରନେତା କର୍ଣ୍ଣେଲ୍‌ ଗଦାଫିଙ୍କର ପାଳିତା ଶିଶୁକନ୍ୟା, ହାନା ଥିଲା ତାର ଗେଲବସରିଆ ନାଆଁ । ମାତ୍ର ତେର ମାସ ହେଲା ପୃଥିବୀକୁ ଆସିଥିଲା ସେ । ଆମେରିକାର ବୋମାବର୍ଷା ଉଡ଼ାଜାହାଜ ମାଡ଼ରେ ଧ୍ୱସ୍ତବିଧ୍ୱସ୍ତ ତ୍ରିପୋଲିର ରାଷ୍ଟ୍ରପତି ଭବନ ଭିତରେ ଶେଷ ନିଃଶ୍ୱାସ ନେଲାବେଳକୁ ସେ ତା ଖେଳଣା ଧରି ଖେଳୁଥିଲା ।

 

ଲିବ୍ୟାର ରାଜଧାନୀ ତ୍ରିପୋଲିଠାରୁ ଓଡ଼ିଶାର କଟରଧୁଆ ଢେର୍‌ ଦୂର, ଆଖି ପାଉନଥିବା ପରି ଦୂର ଭୂଗୋଳର ବ୍ୟବଧାନ । ଅଥଚ ଅମାନୁଷିକତାର ରାଜତ୍ୱ ଭିତରେ, ମାନବିକତାର ମଶାଣି ଉପରେ ପାଖାପାଖି ଦୁଇଟି ସମାଧି, ରାଜା ଆଉ ହାନାର ।

Image

 

ମୁମୂର୍ଷୁ ମୂଲ୍ୟବୋଧ

 

ପ୍ରଶାନ୍ତଙ୍କ ଚିଠିଟା ଟେବୁଲ ଉପରେ ପଡ଼ିରହିଛି । ଅଳ୍ପ ଦିନ ହେଲା ବଦଳିହୋଇ ପ୍ରଶାନ୍ତ ଯାଇଛନ୍ତି ରାଞ୍ଚି । ଘରୁଆ ମଣିଷ । ମନ ଏଯାଏ ଲାଗି ନାହିଁ ନୂଆ ପରିବେଶରେ । ତା ସାଙ୍ଗକୁ ବିହାର ପରି ରାଜ୍ୟ । କାହିଁକି କେଜାଣି ଭୁବନେଶ୍ୱରରୁ ପ୍ରଶାନ୍ତକୁ ବିଦାୟ ଦେବା ଦିନ ସିଦ୍ଧାର୍ଥ ଆଖିରେ ବି ଲୁହ ଉବୁକି ଆସିଥିଲା ।

 

ପ୍ରଶାନ୍ତ ଲେଖିଛନ୍ତି, “ଭୁବନେଶ୍ୱରରେ ଅପ୍ରେଲ ମାସରେ ଯେତିକି ସମୟ ବିଜୁଳିକାଟ ହେଉଥିଲା, ଏଠି ଜୁଲାଇ ଶେଷ ସପ୍ତାହରେ ମଧ୍ୟ ସେତିକି ବିଜୁଳିକାଟ ହେଉଛି । ଏବେଠାରୁ କାର୍ତ୍ତିକ ମାସ ପରି ଶୀତ । ଦିନରେ ପାଣି ବନ୍ଦ, ବିଜୁଳି ବନ୍ଦ ଆଉ ସପ୍ତାହରେ ତିନିଦିନ ‘ଝାଡ଼ଖଣ୍ଡ ବନ୍ଦ’ । ଝାଡ଼ଖଣ୍ଡ ବନ୍ଦ ଡାକରାରେ ରାଞ୍ଚି ପୂରାପୂରି ଶୋଇଯାଏ । ଜୁଲାଇ ଛଅ ତାରିଖରୁ ‘ଆର୍ଥିକ ନାକାବନ୍ଦୀ’ର ଡାକରା ଦେଇଛି ‘ଆଜ୍‌ସୁ’ । ଏଠିକାର ଅବସ୍ଥା ନ ଦେଖିଲେ ବିଶ୍ୱାସ କରିହେବ ନାହିଁ-। ଗତ ମଙ୍ଗଳବାର ହଠାତ୍‌ ବନ୍ଦ ଡାକରା ଦିଆଗଲା । କେତେକ ଏକଥା ଜାଣିନଥିବାରୁ ସ୍କୁଟରରେ ଯାଆସ କରୁଥିଲେ ମୁଁ ରହୁଥିବା ଘର ସାମ୍ନା ରାସ୍ତାରେ ।

 

ହଠାତ୍‌ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରି ସ୍କୁଟର ଆରୋହୀମାନଙ୍କୁ ଆକ୍ରମଣ କଲେ । ତାଙ୍କ ସ୍କୁଟରଗୁଡ଼ିକୁ ମଧ୍ୟ ଭାଙ୍ଗିରୁଜି ନଷ୍ଟଭ୍ରଷ୍ଟ କରିଦେଲେ । ହୋ ହଲ୍ଲା, ଧୁମ୍‌ଧଡ଼ାକ୍‌ ଶବ୍ଦରେ ଝରକା କବାଟଗୁଡ଼ା ଭୟରେ ବନ୍ଦ ହୋଇଗଲେ ।”

 

ପ୍ରଶାନ୍ତଙ୍କ ଚିଠି ଆଉ ପଢ଼ି ହୁଏ ନାହିଁ । ଅବରୁଦ୍ଧ କ୍ଷୋଭ, ଗ୍ଳାନି ଓ କାରୁଣ୍ୟରେ ସିଦ୍ଧାର୍ଥ ବିଷାଦଗ୍ରସ୍ତ ହେଇପଡ଼େ । ଏମିତି ଅବସ୍ଥା ଭିତରେ ରହୁଥିବା ବନ୍ଧୁଟି ପାଇଁ ଶୁଭକାମନା କରିବା ଭିନ୍ନ ଆଉ ବା ଅଧିକ ସେ କଣ କରିପାରିବ ?

 

ତେବେ ପ୍ରଶାନ୍ତଙ୍କ ଚିଠି ଯେତେ ଦୁଃଖଦାୟକ ହେଲେ ମଧ୍ୟ ସିଦ୍ଧାର୍ଥ ପାଇଁ ତାହା ଅପ୍ରତ୍ୟାଶିତ ନୁହେଁ । ବର୍ଷ ବର୍ଷ ଧରି ଖବରକାଗଜ ପୃଷ୍ଠାରୁ ବିହାରର ଆତଙ୍କରାଜ ସମ୍ପର୍କରେ ଏତେସବୁ ସେ ପଢ଼ିଆସିଛି ଯେ କୌଣସି ନୂଆ ସମ୍ବାଦ ହଠାତ୍‌ ଶିହରଣ ସୃଷ୍ଟି କରେ ନାହିଁ । ତେବେ ଏହାଠୁ ଜଘନ୍ୟ ଘଟଣା ଯେ ଓଡ଼ିଶା ପରି ଗୋଟେ ଶାନ୍ତିପ୍ରିୟ ରାଜ୍ୟରେ ଘଟିବ ତାହା କଦାପି ସେ କଳ୍ପନା କରି ନ ଥିଲା ।

 

ଗତ ୨୪ ଜୁନରେ (୧୯୯୨) ଘଟିଛି ଏହିପରି ଗୋଟେ ଆତଙ୍କଲୀଳା । ରାଉରକେଲା ପରି ସହରର ଜନାରଣ୍ୟ ଏକ ବଜାରଛକରେ ମଧ୍ୟାହ୍ନର ସ୍ପଷ୍ଟ ଦିବାଲୋକରେ ଗୋଟେ ନିରସ୍ତ୍ର ଯୁବକକୁ ଗୋଡ଼େଇ ଗୋଡ଼େଇ ହତ୍ୟା କରିଛନ୍ତି କେତେକ ଆତତାୟୀ । ଶହ ଶହ ଲୋକଙ୍କ ସାମ୍ନାରେ ରକ୍ତ ଜୁଡ଼ୁବୁଡ଼ୁ ତିରିଶ ବର୍ଷ ବୟସ୍କ ଯୁବକର ପ୍ରାଣରକ୍ଷା ପାଇଁ ଚିତ୍କାର ଇସ୍ପାତ ସହରର ପ୍ରାଣହୀନ ପରିବେଶରେ କିଛି ଇ ପ୍ରତିକ୍ରିୟା ସୃଷ୍ଟି କରି ନାହିଁ । ଆତତାୟୀମାନେ ଗୋଡ଼େଇ ଗୋଡ଼େଇ ହାଣିଥିଲେ ସେଇ ରକ୍ତ-ମାଂସର ଯୁବକଟିକୁ, ଯିଏ ମାତ୍ର ମାସକ ତଳେ ଆଉ ଗୋଟେ କଞ୍ଚା ବୟସର ଝିଅକୁ ବାହାହେଇ ସଂସାର ବାନ୍ଧିବାର ସ୍ୱପ୍ନ ଦେଖିଥିଲା ।

 

ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ପରଠାରୁ ଓଡ଼ିଶାର ମଫସଲୀ ଗାଆଁମାନଙ୍କର ଉତ୍ତେଜନାହୀନ ପରିବେଶରେ ଯେଉଁ ଜିଘାଂସା, ହତ୍ୟା ଓ ପ୍ରତିଶୋଧର ବିଷ ସଞ୍ଚରି ଯାଇଛି, ତାହା ସିଦ୍ଧାର୍ଥର ବିଶ୍ୱାସ ହୁଏ ନାହିଁ । କ୍ଷମତାର ମୋହ ଚିରକାଳ ଏହିପରି । ପରସ୍ୱ ଅପହରଣ କିମ୍ବା ନିର୍ଦ୍ଦୋଷର ରକ୍ତତର୍ପଣ ଭିନ୍ନ ସିଂହାସନ ଆରୋହଣ କେବେ ବା ଉପଭୋଗ୍ୟ ହୋଇଥିଲା ଇତିହାସରେ ! ପ୍ରଭୁତ୍ୱର ପରିଭାଷା ସେହିପରି କିଛି, ଯାହା ଶାନ୍ତ ସୁଧାର ସାଧାରଣ ମଣିଷଟିକୁ ବି ମଦମତ୍ତ କରିଦିଏ ।

 

ଅଥଚ ଏପରି ଏକ ଦେଶରେ, ଛପର ଉଡ଼ିଯାଇଥିବା ପ୍ରାଇମେରୀ ସ୍କୁଲର ଧଳା ପଡ଼ିଯାଇଥିବା କଳାପଟା ଉପରେ, ଛଅମାସ ହେଲା ଦରମା ନ ପାଇଥିବା ଶିକ୍ଷକମାନେ ବରାବର ଲେଖୁଥାଆନ୍ତି, “ଆମେ ଚଳାଉଛୁ ଦେଶ ଆମରି” ପରି ଥୋଡ଼ାଏ ଅଦର୍କାରୀ, ଅପ୍ରାସଙ୍ଗିକ ଓ ଅର୍ଥହୀନ ବାକ୍ୟ ! ଗଣତନ୍ତ୍ରର ବାଇଶିପାହାଚରେ ଗଣହତ୍ୟା, ଗଣଧର୍ଷଣ ଓ ଗଣହରଣ ଶ୍ରୀମନ୍ଦିର ବେଢ଼ାରେ ପାର୍ଶ୍ୱଦେବତାଙ୍କ ଉପସ୍ଥିତି ପରି କେବେଠାରୁ ଯେ ଅନିବାର୍ଯ୍ୟ ହୋଇ ପଡ଼ିଲାଣି ତାହା ସେହି ଶିକ୍ଷକମାନଙ୍କୁ କେହି ବୁଝେଇ ଦିଅନ୍ତା ନାହିଁ ?

Image

 

ଦ୍ୱିତୀୟ ଦୁର୍ଘଟଣା

 

ଅନ୍ଧାର ଭିତରେ ମୁମୂର୍ଷୁ ମଣିଷଟି ଡାହାଣ ହାତଟିକୁ ଉପରକୁ ତୋଳି ଧରି କାହାର ସାହାଯ୍ୟ ଲୋଡ଼ୁଥିଲା । କେହି ଜଣେ ଆସନ୍ତା କି, ତାକୁ ଏହି ବିପଦରୁ ରକ୍ଷା କରନ୍ତା । ଓଠରେ ଟୋପାଏ ପାଣି ଦିଅନ୍ତା, ଖଣ୍ଡିଆ କ୍ଷତ ଦେହରୁ ପୋଛି ଦିଅନ୍ତା ରକ୍ତ । ଭୀଷଣ କଷ୍ଟ ହେଉଛି । ଏଇ ଯେମିତି ଆଉ ଗୋଟେ ମୁହୂର୍ତ୍ତରେ ତା ଜୀବନ ଚାଲିଯିବ ।

 

ଦୂରରୁ ଗୋଟେ କ୍ଷୀଣ ଆଲୁଅ ଦେଖାଦେଉଛି । କେହି ଜଣେ ନିଶ୍ଚୟ ଆସୁଛି । ଆଲୁଅର ଧାର କ୍ରମେ ଉଜ୍ଜ୍ୱଳି ଉଠୁଛି । ମୁମୂର୍ଷୁ ମନରେ ଅଜସ୍ର ଆଶା । ଆଉ ଜଣକର ଆଗମନ ସୂଚନା ତାର ଯନ୍ତ୍ରଣାକୁ ଲାଘବ କରି ଦେଉଥିଲା ।

 

ଆର ମଣିଷଟି ଆସିଲା । ଏଣେ ତେଣେ ଚାହିଁଲା । ଚାରିଆଡ଼େ ଖଣ୍ଡିଆଖାବରା ମଣିଷଙ୍କ ଚିତ୍କାର । ଜିନିଷପତ୍ର ଛିନ୍‌ଛତ୍ର ଖେଳେଇ ପଡ଼ିଛି । ଟିକିଏ ଦୂରରେ ହାମୁଡ଼େଇ ପଡ଼ିଛି ଦୁର୍ଘଟଣାଗ୍ରସ୍ତ ବସ୍‌ । ଲୋକଟି ପ୍ରଥମେ ଟିକିଏ ଦୁଃଖୀ ଦୁଃଖୀ ଦିଶୁଥିଲା ହୁଏତ । ଏବେ କିନ୍ତୁ ତା ଆଖିରେ ଚକ୍‌ମକ୍‌ କରି ଉଠୁଛି ଆନନ୍ଦ । ପଛରୁ ଅନ୍ୟ ଲୋକମାନଙ୍କର ଧାଇଁଆସୁଥିବାର ଶବ୍ଦ । ସେମାନଙ୍କ ହାତରେ ବି ଟର୍ଚ୍ଚ ଓ ଲଣ୍ଠନ । ସମୟ ନାହିଁ । ଲୋକଟି ତରତର ହୋଇପଡ଼ିଲା । ଯାହା ଯେଉଁଠୁ ପାଇଲା ଗୋଟେଇ ଭର୍ତ୍ତି କଲା ନିଜର ଅଖା ମୁଣିରେ । ଶବମାନଙ୍କୁ ଗଡ଼େଇ ଗାଡ଼େଇ ସେମାନଙ୍କ ସମ୍ପତ୍ତି ଲୁଟ୍‌ କଲା । ସେ ଯାବତ୍‌ ଜୀଇଁଥିବା ମଣିଷଟି ଅନ୍ଧାରରେ ବାରିପାରୁ ନ ଥିଲା ଲୋକଟିର ଗତିବିଧି । ତା ଭିତରେ ଉତ୍କଣ୍ଠା, ଆଖିରେ ଅପେକ୍ଷା । ଲୋକଟି ତା ଆଡ଼କୁ ଆସୁ ନାହିଁ କାହିଁକି ?

 

ଲୋକଟି ଆସିଲା ଅବଶେଷରେ । ଅନ୍ଧାର ଭିତରେ ଦେଖିଲା ଦୁର୍ଘଟଣାଗ୍ରସ୍ତ ମୁମୂର୍ଷୁ ମଣିଷର ଛାତିରେ ଚକ୍‌ଚକ୍‌ କରୁଛି ସୁନା ଚେନ୍‌ଟିଏ । ସେଇଟିକୁ ଧରି ସେ ଭିଡ଼ି ନେଲା । ମୁମୂର୍ଷୁ ମଣିଷଟି ଚିତ୍କାର କରି ଉଠିଲା, ‘ବଞ୍ଚାଅ, ମରିଗଲି, ମରିଗଲି ।’ ହଠାତ୍‌ ଲୁଣ୍ଠନକାରୀଟି ସତର୍କ ହୋଇଗଲା । ଚୋରଟେ ଧରା ପଡ଼ିଗଲେ ଯେମିତି କନକନ ଓ ନୃଶଂସ ହୋଇଉଠେ ଠିକ୍‌ ସେମିତି ମୁଦ୍ରାରେ ସେ ମୁମୂର୍ଷୁ ମଣିଷର ଛାତି ଉପରେ ଦେଲା ଶକ୍ତ ଗୋଇଠାଟାଏ । ସେପର୍ଯ୍ୟନ୍ତ ମରଣ ସହ ଲଢ଼େଇ କରୁଥିବା ଲୋକଟି ଅବଶେଷରେ ନିଶ୍ଚଳ ହୋଇଗଲା ।

 

ସ୍ୱପ୍ନ ଭାଙ୍ଗିଗଲା ସୋମନାଥର । ଚିର୍ଚ୍ଚିରେଇ ବିଛଣାରୁ ଉଠିପଡ଼ିଲା । ପାଖ ଖଟରେ ଶୋଇଥିବା ସିଦ୍ଧାର୍ଥ ବି ସେଇ ଶବ୍ଦରେ ଉଠିପଡ଼ିଲା । ଭୀଷଣ ଭୟ ପାଇଯାଇଥିଲା ସୋମନାଥ-। ଖଟ ଉପରୁ ଉଠିଆସି ସିଦ୍ଧାର୍ଥ ତା ପାଖରେ ବସିଲା । ଅଳ୍ପ ଆଲୁଅରେ ତା’ ମୁହଁଟା ଦିଶୁଥିଲା ସ୍ୱପ୍ନରେ ଦେଖିଥିବା ଲୁଣ୍ଠନକାରୀର ମୁହଁ ପରି । ହଠାତ୍‌ ସେ ସିଦ୍ଧାର୍ଥ ପାଖରୁ ଉଠିପଡ଼ି ଦୂରକୁ ଚାଲିଗଲା ।

 

ଆଜି ସକାଳେ ସେମାନଙ୍କ ମେସ୍‌ ପାଖରେ ଗୋଟେ ଟ୍ରକ୍‌ ଦୁର୍ଘଟଣା ଘଟିଥିଲା । ଟ୍ରକରେ ଲଦା ହୋଇ ଯାଉଥିଲା କୌଣସି ଗୋଟେ ଟ୍ରାନ୍ସପୋର୍ଟ କମ୍ପାନୀର ମାଲପତ୍ର । ଟି.ଭି., ରେଡ଼ିଓଠାରୁ ଆରମ୍ଭ କରି ବହିପେଟି ଓ ହରେକ ରକମର ଜିନିଷ ଥିଲା ସେଇ ଗାଡ଼ି ଭିତରେ । ମେସ୍‌ ପାଖରୁ ଗାଆଁଗୁଡ଼ିକ ବେଶ୍‌ ଦୂରରେ । ଅଥଚ ଏ ଦୁର୍ଘଟଣାର ଖବର ବିଜୁଳି ବେଗରେ ପାଖ ଗାଆଁମାନଙ୍କରେ ପହଞ୍ଚିଯାଇଥିଲା । ତାପରେ ଦଳ ଦଳ ହୋଇ ଆସିଥିଲେ ପୁରୁଷ, ସ୍ତ୍ରୀ, ବୁଢ଼ାବୁଢ଼ୀ ଓ ପିଲାଛୁଆ । ଯିଏ ଯାହା ପାରିଥିଲେ ଉଠେଇ ନେଇ ପଳାଇଥିଲେ । ଟ୍ରକ୍‌ ଦୁର୍ଘଟଣାରେ ଆହତ ଲୋକଟି ସେହିପରି ଅର୍କ୍ଷିତ ଭାବରେ ପଡ଼ିରହିଥିଲା ଦେଢ଼ଘଣ୍ଟା କାଳ, ପୁଲିସ ଆସିବାଯାଏ । ସୋମନାଥର ବାରଣ ସତ୍ତ୍ୱେ ସିଦ୍ଧାର୍ଥ ସେଇ ମାଲପତ୍ର ଭିତରୁ ଭିଡ଼ିଆଣିଥିଲା ଗୋଟେ ଛୋଟିଆ ବହି ପ୍ୟାକେଟ୍‌ ।

 

ସୋମନାଥର ମୁହଁକୁ ଚାହିଁଲା ସିଦ୍ଧାର୍ଥ । ତା ଆଖିରେ ଘୃଣା, ଭୟ ଓ ଅବିଶ୍ୱାସ । ସେ ଉପଲବ୍‌ଧି କରୁଥିଲା, ସୋମନାଥ ତାକୁ ସକାଳର ଭୁଲ୍‌ ପାଇଁ କ୍ଷମା କରି ନାହିଁ ।

 

ବସ୍‌ ହେଉ କି ଟ୍ରକ୍‌, ଅଥବା ରେଳ ଦୁର୍ଘଟଣା, ପ୍ରାୟ ସବୁ ଦୁର୍ଘଟଣା ସହ ଏହିପରି ଦ୍ୱିତୀୟ ଦୁର୍ଘଟଣାର କାହାଣୀ ଯୋଡ଼ି ହୋଇଥାଏ । କ୍ୱଚିତ୍‌ ଭାଗ୍ୟବାନ୍‌ ମଣିଷଙ୍କ ଜୀବନରେ ଆସନ୍ତି ମଣିଷ ପରି ମଣିଷ, ଦେବଦୂତ ହୋଇ । ତା ନ ହେଲେ ଯେଉଁମାନେ ଧାଇଁଆସନ୍ତି ସେମାନେ ଆସନ୍ତି ଶାଗୁଣା, ବିଲୁଆ, ହେଟା କି କୁକୁର ହୋଇ, ଦୁର୍ଘଟଣାଗ୍ରସ୍ତ ଯାତ୍ରୀମାନଙ୍କ ସୁନାହାର, ମନିପର୍ସ, କାହାର ଲୁଗାବୁଜୁଳା ତ କାହାର ହାତ ଘଣ୍ଟା ଛଡ଼େଇ ନେବା ପାଇଁ । ଦୁର୍ଘଟଣାଗ୍ରସ୍ତ ମାଲଗାଡ଼ିରୁ ଜିନିଷପତ୍ର ବୋହିନେଉଥିବା କାଙ୍ଗାଳଙ୍କ ଟଣାଓଟରା ଦେଖିଲେ କେହି ଏମାନଙ୍କୁ ମଣିଷ ବୋଲି କଦାପି ବିଶ୍ୱାସ କରିବ ନାହିଁ । ଅଥଚ ପ୍ରଥମ ଦୁର୍ଘଟଣା ପରି ଦ୍ୱିତୀୟ ଦୁର୍ଘଟଣାଟି ଆଦୌ ଆକସ୍ମିକ ନୁହେଁ, ସୁଚିନ୍ତିତ । ପିମ୍ପୁଡ଼ି, ଅସରପା, କାଉ ଓ ବିଲେଇଙ୍କଠାରୁ ମଣିଷ କି ବିକଳ ଭାବେ ବ୍ୟତିକ୍ରମ !

Image

 

ଅତିଥି

 

ସହରର ଏହି ଅଞ୍ଚଳରେ ରାତିଟା ଆସିଯାଏ ଖୁବ୍‌ ଶୀଘ୍ର । ରାତି ଆଠଟା ବେଳକୁ ଏ କଲୋନୀଟା ଘୁମେଇ ପଡ଼ିଲା ପରି ମନେହୁଏ ଓ ନଅଟା ବେଳକୁ ନିଦରେ ଶୋଇପଡ଼େ । ଏବର ବିଜୁଳିକାଟ ବ୍ୟବସ୍ଥା ସହରର ଜୀବନଯାତ୍ରାକୁ ଅନେକ ପରିମାଣରେ ବିରକ୍ତିକର ଓ ସଂକ୍ଷିପ୍ତ କରିଦେଇଛି । ଯାନ୍ତ୍ରିକ ଢଙ୍ଗ ସାଙ୍ଗରେ ଅସ୍ୱସ୍ତିର ରଙ୍ଗ ମିଶିଯାଇ କଲୋନୀ ଜୀବନକୁ ଦୟନୀୟ କରିଦେଇଛି ।

 

ଏପରି ଏକ ଅବସ୍ଥାରେ ରାତି ଦଶଟାରେ ଆଦୌ ଚିହ୍ନା ପରିଚୟ ନ ଥିବା ଜଣେ ଅତିଥିଙ୍କ ପାଇଁ ଖାଦ୍ୟପେୟ ଓ ରହଣି ବ୍ୟବସ୍ଥାର ଦାୟିତ୍ୱ ଗ୍ରହଣ କରିବା ଏକ ଅଭାବିତ ଘଟଣା । ବର୍ଷାକୁ ଦୋଷ ଦେଇ ଲାଭ ନାହିଁ । ସିଏ ମଧ୍ୟ ଚାକିରି କରେ । ସକାଳୁ ଘରଧନ୍ଦା ତୁଟେଇ ଅଫିସ ଓ ଅଫିସକାମ ସାରି ଟାଉନ ବସରେ ଝୁଲି ଝୁଲି ଘରେ ପହଞ୍ଚିଲା ବେଳକୁ କ୍ଳାନ୍ତ ହୋଇ ପଡ଼ିଥାଏ । ସଞ୍ଜବେଳେ କଣ ଗଣ୍ଡାଏ ରୋଷେଇ କରିଦେଲେ ବିଶ୍ରାମ । କାଲି ସକାଳୁ ପୁଣି ସେଇ ନିତିଦିନିଆ ଘଷରା ଜୀବନ ।

 

ଅପରିଚିତ ଅତିଥିଜଣକ ଥିଲେ ପ୍ରୌଢ଼ ଓ କଚେରି କାମରେ ଆସିଥିଲେ ଏ ସହରକୁ । ଲେଖାଯୋଖାରେ ସେ ସିଦ୍ଧାର୍ଥର ସ୍କୁଲ ସହପାଠୀର ମଉସା ହେବା ଦାବି କରୁଥିଲେ । ତାଙ୍କର ସମସ୍ୟା ହେଲା ଏ ସହରରେ ତାଙ୍କର କେହି ପରିଚିତ ନାହାନ୍ତି । କେବଳ ରାତ୍ରି ରହଣି ପାଇଁ ସେ ହୋଟେଲ କି ଲଜିଂକୁ ତିରିଶ ଚାଳିଶ ଟଙ୍କା ଦେବାକୁ ପସନ୍ଦ କରନ୍ତି ନାହିଁ ।

 

ଭଦ୍ରଲୋକଙ୍କ କଥାବାର୍ତ୍ତାରୁ ସିଦ୍ଧାର୍ଥର ସ୍ତ୍ରୀ ବୁଝିପାରିଥିଲା ଯେ ସେ ଜଣେ ଅତ୍ୟନ୍ତ ଚାଲାକ ଲୋକ । ସିଦ୍ଧାର୍ଥକୁ ଭିତର ଘରକୁ ଡାକି ନେଇ ତା’ ସ୍ତ୍ରୀ କହିଲା, ସଫା କହି ଦେଉନ, ପାଖ ଲଜିଂକୁ ଚାଲିଯିବେ । ତାଙ୍କର ତ କୋର୍ଟ କଚେରି କାମ । ପ୍ରତି ମାସରେ ଥରେ ଦି ଥର ତାରିଖ ପଡ଼ିବ । ଏଇନେ ଚିହ୍ନା ନାହିଁ, ପରିଚୟ ନାହିଁ ମନା କରିବାକୁ ଅଡ଼ୁଆ ଲାଗିବନି । ପରେ ଚିହ୍ନା ହୋଇଗଲେ ସବୁ ଥର ଆସିବେ । ଆମର ତ ରୁମ୍‌ କହିଲେ ଦିଇଟା । ଆମେ ତାଙ୍କୁ କେଉଁଠି ସବୁବେଳେ ରହିବାକୁ ଦେଇପାରିବା ଯେ ?

 

ବର୍ଷା କିଛି ଭୁଲ୍‌ କହୁ ନ ଥିଲା । ଏ ସହରରେ ଘରଭଡ଼ା ଆକାଶଛୁଆଁ । ଦୁଇଟା ରୁମ୍‌ ଦିଆସିଲି ଖୋଳ ପରି । ଗୋଟାଏ ବସିବା-ଖାଇବା-ପଢ଼ିବା ଘର, ଆଉ ଆରଟି ଶୋଇବା ଘର । କାଠ ଚଉକି, ବେଞ୍ଚ, ଆଲମିରା ଓ ଆସବାବପତ୍ରରେ ଦୁଇଟା ଯାକ ଘର ଭର୍ତ୍ତି । ଅଧା ଜିନିଷ ଅମୁଲ ସ୍ପ୍ରେ ପେଟିରେ ଖଟତଳେ ତଥାପି ପାଷାଣୀ ଅହଲ୍ୟା ଦୁରବସ୍ଥାରେ କାଳାତିପାତ କରୁଛନ୍ତି । ଏମିତିକା ଅବସ୍ଥାରେ ଏ ଅତିଥି କେଉଁଠି ରହିବେ ? ଅତି ପରିଚିତ ହୋଇଥିଲେ ଅଲଗା କଥା ଥିଲା । ଏ ପୁଣି ପ୍ରୌଢ଼, ସାନପିଲା ନୁହନ୍ତି ।

 

ସିଦ୍ଧାର୍ଥ ବର୍ଷାର କଥାଟାକୁ ନିଜ ଭାଷାରେ କହିବାକୁ ଯାଉଥିଲା । ହଠାତ୍‌ ତାର ମନେପଡ଼ିଲା ବାର ବର୍ଷ ତଳର ଛୋଟିଆ ଘଟଣାଟେ ।

 

ସିଦ୍ଧାର୍ଥ ସେତେବେଳେ ଏହି କଟକ ସହରରେ ପେଟପାଟଣା ପାଇଁ ବାରଦ୍ୱାର ଘୂରୁଥିଲା-। ବଡ଼ କଷ୍ଟରେ ରାତି କଲେଜରେ ନାଁ ଲେଖେଇ ଆଇ.ଏ. ପଢ଼ୁଥିଲା । ସଞ୍ଜଟା କଲେଜ ଛକ ମୁଢ଼ିଦୋକାନ ଓ ଲାଇବ୍ରେରୀ ପଛ ପାଣି ପାଇପ୍‌ ସହାୟତାରେ ଓ ସକାଳଟା ‘ରାଜା’ ମାର୍କା ପାଉଁରୁଟିରେ ଚଳିଯାଉଥିଲା । ଦିନ ବେଳାକ ସେ ବିଶୁଦ୍ଧ ହିନ୍ଦୁ ଭୋଜନାଳୟରୁ କୌଣସିମତେ ମିଲ୍‌ ଗୋଟାଏ ଯୋଗାଡ଼ କରି ନେଉଥିଲା ଟିଉସନ୍‌ ପଇସାରୁ । ରାତିର ବିଶ୍ରାମସ୍ଥଳ ଥିଲା ଲେବର କଲୋନୀ ନିମ୍ନ ପ୍ରାଥମିକ ସ୍କୁଲର ବାରଣ୍ଡା ।

 

ଏଇମିତି ଏକ ଅପ୍ରେଲ ମାସର ସନ୍ଧ୍ୟା । ସ୍କୁଲ ପରୀକ୍ଷା ସବୁ ଶେଷ, ଅତଏବ ଟିଉସନ୍‌ ମାଷ୍ଟରଙ୍କୁ ଦ୍ୱିମାସିକ ଅବ୍ୟାହତି । ପିଲାଏ ତ ଖେଳାବୁଲା କରିବେ, ଟିଉସନ୍‌ ପିଛାରେ କାହିଁକି ପଚାଶ ଷାଠିଏ ଖର୍ଚ୍ଚ କରିବେ ବାପାମାନେ ? ବିଚରା ସିଦ୍ଧାର୍ଥ ! ପାଠକୁ ଛାଡ଼ି ପିଲାଏ ସିନା ଚଳିପାରିବେ, କିନ୍ତୁ ଅର୍ଥକୁ ଛାଡ଼ି ସେ କିମିତି ଚଳନ୍ତା ?

ରାଣୀହାଟ ଛକ ପାଖରେ ସିଦ୍ଧାର୍ଥ ସେଦିନ ସଞ୍ଜଟା ଛିଡ଼ା ହେଇ ହେଇ ବିତେଇ ଦେଉଥାଏ । ସାମନା ବନ୍ଧୁକ ଦୋକାନ, ଷ୍ଟେସନାରୀ ଷ୍ଟୋର୍‌, ଡାହାଣପାଖର ଟ୍ରାଫିକ୍‌ ପୋଷ୍ଟ ଓ ନାଲି ନେଳୀ ଆଲୁଅକୁ ଚାହିଁ ଚିନ୍ତା କରୁଥାଏ କୁଆଡ଼େ ଯିବ ? ଟଙ୍କା କିଛି ଯୋଗାଡ଼ ହେଲେ ଗାଆଁକୁ ପଳାନ୍ତା । ସ୍କୁଲ ଓ କଲେଜ ଖୋଲିଲେ ପଛେ ଆସନ୍ତା । ନିଜର କିନ୍ତୁ ଆଇ.ଏ. ପରୀକ୍ଷାଟା ମୁଣ୍ଡ ଉପରେ । ଅଥଚ ପକେଟରେ କିଛି ଇ ପଇସା ନାହିଁ । ବଡ଼ ଧିକ୍‌କାର ଆସୁଥାଏ ନିଜ ଉପରେ । ମୁଢ଼ିବାଲାଟିର ଉଛୁଳି ପଡ଼ୁଥିବା ମୁଢ଼ି ବସ୍ତା ଓ ଚୀନାବାଦାମ ଭଜା ହେଉଥିବାର ବାସ୍ନା ତାକୁ ଅନ୍ୟମନସ୍କ କରି ଦେଉଥାଏ । ସରକାର ସ୍କୁଲ ଓ କଲେଜମାନଙ୍କର ପରୀକ୍ଷା ଏକାସାଙ୍ଗରେ କରନ୍ତି ନାହିଁ କାହିଁକି ?

ସର୍‌ର କରି ଗୋଟାଏ ସାଇକେଲ ପ୍ରଥମେ କିଛି ବାଟ ଆଗେଇ ଯାଇ ପୁଣି ଫେରି ଆସିଲା ଓ ଆରୋହୀଟି ଛିଡ଼ା ହୋଇଗଲା ସିଦ୍ଧାର୍ଥ ସାମ୍ନାରେ । ସିଦ୍ଧାର୍ଥ ଚିହ୍ନିଲା ଇଏ ପ୍ରତାପ, ତା କଲେଜର ସହପାଠୀ । ରେଭେନ୍ସା କଲେଜର ଛାତ୍ରସଂଖ୍ୟା ଯାହା ସମସ୍ତଙ୍କୁ ଚିହ୍ନିବା ଅସମ୍ଭବ, ତେବେ ମୁହଁରୁ ଚିହ୍ନିହେଉଛି । ଥରେ ଦିଥର କ୍ଲାସରେ ସେମାନେ ପାଖାପାଖି ବସିଛନ୍ତି ।

ପ୍ରତାପ କହିଲା, ‘ତମେ ଅନେକବେଳୁ ଏଠି ଛିଡ଼ାହେଇଛ ତ ? ମୁଁ ଏଇ ବାଟ ଦେଇ ଅଧଘଣ୍ଟାଏ ତଳେ ଯାଇଥିଲି ମଙ୍ଗଳାବାଗ । କଣ କାହାକୁ ଅପେକ୍ଷା କରିଛ କି ?’

କିଏ ଜଣେ କହିଥିଲେ ଦାରିଦ୍ର୍ୟ ମଣିଷ ଜୀବନର ଚରମ ଅଭିଶାପ । ପୁଣି ଯୌବନରେ ଦାରିଦ୍ର୍ୟ ତ ସବୁଠୁ ଗ୍ଳାନିକର, ଦୁର୍ବିଷହ ଯନ୍ତ୍ରଣା । ସିଦ୍ଧାର୍ଥ ମୁହଁ ଖୋଲି ପାରି ନ ଥିଲା । ଆଖି ଯୋଡ଼ାକ ତାର ଥମଥମ ହୋଇଆସିଲା ଯାହା ।

ପ୍ରତାପ ଆଦେଶ ଦେବା ଭଙ୍ଗୀରେ କହିଲା, ‘ବସ ମୋ ସାଇକେଲରେ, ଆମ ଘରକୁ ଯିବା ।’ ସିଦ୍ଧାର୍ଥ ପ୍ରତାପ ସାଇକେଲରେ ବସିଲା । ଆପତ୍ତି କରିବା ପାଇଁ ତା ପାଖରେ ନା ଥିଲା ଯୁକ୍ତି ନା ସାମର୍ଥ୍ୟ !

ପ୍ରତାପର ଭାଇ କଟକ ମ୍ୟୁନିସିପାଲଟିର ଟିକସ ଆଦାୟ କରନ୍ତି । ସ୍ଥାୟୀ ଛୋଟ ଚାକିରି-। ରହନ୍ତି ମେଡିକାଲ୍‌ ପଛପଟକୁ ଭଡ଼ା ଘରେ । ସ୍ୱାମୀ ସ୍ତ୍ରୀ, ଛୋଟ ପିଲାଟିଏ ଓ ସାନଭାଇ ମିଶି ଚାରିଜଣିଆ ପରିବାର । ଛୋଟିଆ ଘରଟି । ଷାଠିଏ ପାୱାର ବଲ୍‌ବ ଦୁଇଟା ଲାଗିଛି ଘରେ । ଘରେ ପଶୁ ପଶୁ ଚିହ୍ନି ହେଇଯାଏ ଏକ ଅଭାବୀ ପରିବାରର ଚେହେରା ।

ରାତି ସେତେବେଳକୁ ଆଠଟାରୁ ବେଶି ହେବ । ଘରେ ତା ଭାଇ ନୂଆବୋଉ ଅପେକ୍ଷା କରିଥିଲେ ପ୍ରତାପକୁ । ପ୍ରତାପ ସିଦ୍ଧାର୍ଥକୁ ବାରଣ୍ଡାରେ ଛିଡ଼ା କରେଇଦେଇ ଭିତରକୁ ଗଲା ଓ ସିଦ୍ଧାର୍ଥ ତାକୁ ଅପେକ୍ଷା କରି ବସି ରହିଲା ।

ପ୍ରତାପର ବଡ଼ଭାଇ, ଭାଉଜ ଓ ନିଜେ ପ୍ରତାପ ସିଦ୍ଧାର୍ଥର ଖାଇବା ପିଇବା ନେଇ ବ୍ୟସ୍ତ ଥିଲେ । ପ୍ରତାପର ବଡ଼ଭାଇ କହୁଥିଲେ, ତାଙ୍କ ଦେହ ଭଲ ନାହିଁ ଓ ସେ ରାତିରେ କିଛି ଖାଇବେ ନାହିଁ । ପ୍ରତାପର ଭାଉଜ କହୁଥିଲେ, ରାତିରେ କିଛି ନ ଖାଇ ଶୋଇବା ଭଲ ନୁହେଁ, ବରଂ ଖଣ୍ଡିଏ ରୁଟି ଖାଇଦିଅ । ତେବେ ସେ ନିଜେ ଆଜି ଅବେଳରେ ଖାଇଥିବାରୁ ତାଙ୍କୁ ଭୋକ ହେଉ ନାହିଁ । ପ୍ରତାପ ବି କହୁଥିଲା, ସିଏ ମଙ୍ଗଳାବାଗରେ ଦୋସା ଖାଇ ଆସିଛି । ନ ଖାଇଲେ ଭଲ ହୁଅନ୍ତା ।

ତେରଖଣ୍ଡି ତିଆରି ସରିଥିବା ରୁଟିରୁ ସାତଖଣ୍ଡ କେବଳ ଦିଆଯାଇଥିଲା ସିଦ୍ଧାର୍ଥକୁ, ସମୁଦାୟ ତରକାରିରୁ ଅର୍ଦ୍ଧାଧିକ । ସିଦ୍ଧାର୍ଥକୁ ବୁଝିବାକୁ ବାକି ନ ଥିଲା ଯେ ଦେହ ଖରାପ, ଅବେଳ ଖିଆ ଓ ଦୋସା ଖାଇଆସିଥିବା– ଏସବୁ ଥିଲା ସେହି ପରିବାର ଲୋକଙ୍କ ମିଛ ବାହାନା, ସେମାନେ ନିଜ ନିଜ ଭାଗତକ ସିଦ୍ଧାର୍ଥ ପାଇଁ ଛାଡ଼ିଦେଇଥିଲେ ।

ସେଦିନ ରାତିରେ ସିଦ୍ଧାର୍ଥ ଆଖିରେ ନିଦ ଆସି ନ ଥିଲା, ଲୁହ ଆସିଥିଲା । ଶୋଇ ଶୋଇ ସେ ସେଇ ଅଭାବୀ ପରିବାରର ମଣିଷପଣିଆ କଥା ଚିନ୍ତା କରୁଥିଲା ଏବଂ ବାରମ୍ବାର ସେମାନଙ୍କୁ ପ୍ରଣାମ ଜଣାଉଥିଲା ମନେ ମନେ । ଏପରି ଏକ ପରିବାର ଉପରେ ଅନିର୍ଦ୍ଦିଷ୍ଟ କାଳପାଇଁ ବୋଝ ହେଇ ରହିବା କେବଳ କାଠପଥର ପକ୍ଷେ ସମ୍ଭବ, କୌଣସି ରକ୍ତମାଂସ ମଣିଷ ପକ୍ଷେ କଦାପି ନୁହେଁ ! ମିଛଟାରେ ‘ଜରୁରି କାମ ଅଛି’ କହି ପରଦିନ ସକାଳୁ ସେ ପ୍ରତାପ ଘରୁ ବିଦାୟ ନେଇ ପଳେଇ ଆସିଥିଲା ଚିରପରିଚିତ ଅନିଶ୍ଚିତତାର ସଡ଼କ ଉପରକୁ ।

ସେସବୁ ବାରବର୍ଷ ତଳର କଥା । ଅଥଚ ସିଦ୍ଧାର୍ଥ ଭୁଲିପାରି ନାହିଁ ସେ ରାତିର ସେହି ଅନୁଭୂତି । ଦାରିଦ୍ର୍ୟର ଉତ୍ପୀଡ଼କ ସ୍ମୃତି ସାଙ୍ଗରେ ଏମିତି କିଛି କିଛି ମହାର୍ଘ ଅନୁଭୂତି ବେଶ୍‌ ସତେଜ ଅଛି ଆଜିଯାଏ ।

ବର୍ଷା ପଚାରୁଥିଲା, ‘ଛିଡ଼ାହେଇ ରହିଲ କଣ ? ଭଦ୍ରଲୋକଙ୍କୁ ବିଦା କରିଦେଇ ଆସୁନ !’

ସିଦ୍ଧାର୍ଥ ତତ୍‌କ୍ଷଣାତ୍‌ କହିଲା, ‘ନା ବର୍ଷା, ସେ ଆଜି ଏଇଠି ରହିବେ ।’

: ଏ ଅବେଳରେ ଖାଇବେ କଣ ? ଶୋଇବେ କୋଉଠି ? –ବର୍ଷାର ଅଭିଯୋଗ ।

ସିଦ୍ଧାର୍ଥ କହିଲା, “ଅତିଥିଙ୍କ ଆସିବାରେ ଦିନ ବାର କି ତିଥି କିଛି ନ ଥାଏ ବର୍ଷା ! ସକାଳେ ପଛେ ତାଙ୍କୁ ଯାହା କହିବି, ଆଜି ରାତିରେ କିନ୍ତୁ ସେ ଏଇଠି ରହିବେ । ମୋତେ ଦଶଟା ଟଙ୍କା ଓ ଟିଫିନ୍‌ କ୍ୟାରିଅରଟା ଦିଅ । ମୁଁ ଏଇ ଛକ ଉପରୁ ଆସୁଛି ।”

Image

 

ଉଜ୍ଜ୍ୱଳ ଉଦାହରଣ

 

ବାଦାମବାଡ଼ି ବସ୍‌ଷ୍ଟାଣ୍ଡ ସାମ୍ନାରେ ସିଦ୍ଧାର୍ଥ ଅପେକ୍ଷା କରୁଥିଲା ଚାରିଟା ପନ୍ଦରରେ ଛାଡ଼ୁଥିବା ବସ୍‌କୁ । ପୋଡ଼ା ମୋବିଲ, ପେଟ୍ରୋଲ, ଡିଜେଲ ଗନ୍ଧ ଓ ବସ୍‌ର ଚକମାନଙ୍କୁ ଗୋଡ଼େଇ ଯାଉଥିବା ଧୂଳିବାଲି ଭିତରେ ରୁନ୍ଧି ହୋଇଯାଉଥାଏ ନାକ କାନ । ଅପେକ୍ଷାର ଏହିପରି ମୁହୂର୍ତ୍ତଗୁଡ଼ା ଖୁବ୍‌ ଯନ୍ତ୍ରଣାଦାୟକ । ବସ୍‌ ହେଉ କି ଟ୍ରେନ୍‌ ହେଉ ଅଥବା ହୁଅନ୍ତୁ ଆଗନ୍ତୁକ ଅତିଥି, କାହାକୁ ଅପେକ୍ଷା କରି ରହିବା ଖୁବ୍‌ କଷ୍ଟ ।

 

ରାସ୍ତା ସେକଡ଼େ କେତେଗୁଡ଼ିଏ ସେକେଣ୍ଡ-ହ୍ୟାଣ୍ଡ ବହି ଦୋକାନ । କଲେଜ ଦିନମାନଙ୍କରେ ସିଦ୍ଧାର୍ଥ ଏପରି ବହି ଦୋକାନ ସାମ୍ନାରେ ବେଶ୍‌ କିଛି ସମୟ କଟେଇ ଦେଉଥିଲା । କିଣୁ ବା ନ କିଣୁ ଧାଡ଼ି ଧାଡ଼ି ସଜା ହୋଇଥିବା ବହିଗୁଡ଼ିକୁ ଓଲଟପାଲଟ କରି ଦେଖିବାରେ କୌଣସି ବାଧାବନ୍ଧନ ନ ଥାଏ ଏହି ଦୋକାନମାନଙ୍କରେ । ପୁଣି ରୁଚି, ଭାଷା ଓ ଦରକାରୀ-ଅଦରକାରୀ ନିର୍ବିଶେଷରେ ନାନା ଭାଷାର, ନାନା କିସମର, ନାନା ଢଙ୍ଗର ବହିଗୁଡ଼ିକୁ ଦେଖିବାର ପ୍ରଲୋଭନ ସେ ଏଡ଼ାଇପାରେ ନାହିଁ । ରବୀନ୍ଦ୍ରନାଥଙ୍କଠାରୁ ରବି ସିଂ, ଟମାସ ହାର୍ଡିଙ୍କଠାରୁ କାହ୍ନୁଚରଣ ଓ ଗର୍କୀଙ୍କଠାରୁ ଗୋପୀନାଥଙ୍କ ପର୍ଯ୍ୟନ୍ତ ବିଭିନ୍ନ ବିଭିନ୍ନ ଲେଖକଙ୍କ ସାହିତ୍ୟ, ପୁରୁଣା ପାଠ୍ୟପୁସ୍ତକ, ଚାକିରି ସନ୍ଧାନ-ସହାୟକ ଗାଇଡ୍‌, ସାଧାରଣ ଜ୍ଞାନ, ଭାଗବତ ଏକାଦଶ ସ୍କନ୍ଧ ଓ ଲୋକପ୍ରିୟ ଉପନ୍ୟାସ ପର୍ଯ୍ୟନ୍ତ ସବୁକିଛି ଏହି ଦୋକାନଗୁଡ଼ିକରେ ସୁଲଭ । କୁଆଡ଼ୁ ଘୂରି ଘୂରି ଆସିଥାଆନ୍ତି ଏ ବହିସବୁ– ଅଧିକାରୀଙ୍କ କରୁଣା କଟାକ୍ଷରୁ ବଞ୍ଚିତ ଏବଂ ସମ୍ଭ୍ରାନ୍ତ ବହି ଥାକରୁ ପ୍ରତ୍ୟାଖ୍ୟାତ ହୋଇ ଠୁଙ୍ଗା ଦୋକାନ ଓ ସେଇଠୁ ଏହି ଫୁଟ୍‌ପାଥ୍‌ । ପୃଷ୍ଠାମାନଙ୍କରେ ତଥାପି ରହି ଯାଇଥାଏ ପୁରୁଣା ଦିନର ସ୍ମୃତି ମୋହର ଓ ସ୍ୱାକ୍ଷର ହୋଇ । ସେଗୁଡ଼ିକୁ ଦେଖିବାକୁ ବେଶ୍‌ ମଜା ଲାଗେ ।

 

ମଝି ଦୋକାନ ପାଖରେ ବେଶ୍‌ ଭିଡ଼ । ସିଦ୍ଧାର୍ଥ ଥରେ ହାତ ଘଣ୍ଟାକୁ ଓ ସାମ୍ନା ବସ୍‌ ଷ୍ଟାଣ୍ଡକୁ ଚାହିଁଲା । ନା, ବସ୍‌ ଆସି ନାହିଁ । ସାଢ଼େ ଚାରିଟା ବାଜିଲାଣି । ମନେ ମନେ ବିରକ୍ତ ହେଲା-। ବସ୍‌ ଡ୍ରାଇଭର ଓ କଣ୍ଡକ୍ଟର ସମେତ ସମୁଦାୟ ପରିବହନ ବିଭାଗକୁ ଅଭିଶାପ ଦେଲା ଏହିପରି ଦାୟିତ୍ୱହୀନତା ଯୋଗୁଁ ଭାରତବର୍ଷ ରସାତଳକୁ ଗଲାଣି ବୋଲି ମନେ ମନେ ଗୋଟାଏ ସିଦ୍ଧାନ୍ତରେ ଉପନୀତ ହୋଇ ପୁଣି ପୁରୁଣା ବହିଗୁଡ଼ିକ ଦେଖିବାରେ ଲାଗିଲା ।

 

ଦଶ ପନ୍ଦର ହାତ ଦୂରରେ ଚକ ଲଗା ଢାବଲ ଭିତରେ କୁଷ୍ଠରୋଗୀଟିଏ । ଆପେ ଆପେ ଚକ ଗଡ଼େଇ ରାସ୍ତା କଡ଼େ କଡ଼େ ସେ ଚାଲିଛି । ସିଦ୍ଧାର୍ଥ କେତେବେଳୁ ଏଇ ପଙ୍ଗୁ ମଣିଷଟିକୁ ଲକ୍ଷ୍ୟ କରିଥିଲା, ମାତ୍ର ଗୁରୁତ୍ୱ ଦେଇନଥିଲା । ଯେମିତି ସେ ଗୁରୁତ୍ୱ ଦେଇନଥିଲା କାନ୍ଥବାଡ଼ର ସାଇନବୋର୍ଡ଼ ଓ ପୁରୁଣା ଦିନର ସିନେମା ପୋଷ୍ଟରଗୁଡ଼ିକୁ । ଏବେ ସେହି କୁଷ୍ଠରୋଗୀଟି ସେକେଣ୍ଡହ୍ୟାଣ୍ଡ ବହି ଦୋକାନର ପାଖାପାଖି ହେଉଥିବାରୁ ସିଦ୍ଧାର୍ଥ ତା ପ୍ରତି କିଛିଟା କୌତୂହଳୀ ହୋଇପଡ଼ିଥିଲା ।

 

ଲୋକଟିର ବୟସ ଚାଳିଶ ପାଖାପାଖି ହେବ । ଅଭିଶପ୍ତ ଏହି ବ୍ୟାଧି ପାଇଁ ବୟସ ଆଉରି ଦଶ ପନ୍ଦର ବର୍ଷ ବଢ଼ିଗଲା ପରି ଲାଗୁଥାଏ । ମୁହଁରେ ଅଯତ୍ନବର୍ଦ୍ଧିତ ନୁଖୁରା ଟାଆଁସା ଦାଢ଼ି-। ପରିଧାନ ଖଣ୍ଡେ କୋଚଟ ମଇଳା ଫତେଇ ଓ ରଙ୍ଗଛଡ଼ା ଟ୍ରାଉଜର । ଢାବଲ ଭିତରେ ତା ସାମ୍ନାରେ ଥୁଆହୋଇଛି ଗୋଟେ ଆଲୁମିନିୟମ ବେଲା । ସେଇଥିରେ କିଛି ଖୁଚୁରା ପଇସା– ଦୟାବାନ୍‌ ଦାତାଙ୍କର ସାହାଯ୍ୟ । ଲୋକଟି ଧୀରେ ଧୀରେ ଆସି ବହି ଦୋକାନ ସାମ୍ନାରେ ଅଟକିଲା । ସିଦ୍ଧାର୍ଥ ଟିକେ କଡ଼ଛଡ଼ା ହେଇ ଘୁଞ୍ଚିଗଲା । କୁଷ୍ଠରୋଗୀଟିକୁ ଦେଖି ତିନି ଚାରି ଜଣ ସମ୍ଭାବ୍ୟ ଗ୍ରାହକ ସେଠୁ ଚାଲିଗଲେ । କିନ୍ତୁ କୁଷ୍ଠରୋଗୀଟିର ବହିଦୋକାନରେ କି ପ୍ରୟୋଜନ ! ସିଦ୍ଧାର୍ଥ ଟିକେ କୌତୂହଳୀ ହୋଇ ଲୋକଟିକୁ ଲକ୍ଷ୍ୟ କଲା ।

 

ବହିଥାକ ଉପରେ ଆଖି ବୁଲେଇ ନେଉଥିଲା କୁଷ୍ଠରୋଗୀଟି । କିଛି ସମୟ ପରେ ତା’ର ବିଷଣ୍ଣ ମୁହଁ ଉଜ୍ଜ୍ୱଳି ଉଠିଲା । ଈପ୍‌ସିତ ବହିଖଣ୍ଡକ ପାଇଗଲା ପରା ! ଦୋକାନୀକୁ ଏଥର ବହିଟିର ଦାମ୍‌ ପଚାରିଲା ସେ । ଦୁଇ ଟଙ୍କା ପଞ୍ଚସ୍ତରି ପଇସା– ଦୋକାନୀ ଉତ୍ତର ଦେଲା । ଲୋକଟି ତାର ଆଲୁମିନିୟମ କଂସା ଭିତରୁ ଗୋଟି ଗୋଟି କରି ଦଶ ପଇସି ଓ ପାଞ୍ଚ ପଇସି ଗୋଟେଇଲା । ଗାଏମୋଟ ହେଉଛି ଦୁଇ ଟଙ୍କା ପଞ୍ଚଷଠି ପଇସା । ଆଉରି ଦଶ ପଇସା କମ୍‌ ବହିର ଦାମ୍‌ଠାରୁ । ଏବେ ତା ମୁହଁରେ ନିପାରିଲା ଭାବ ଓ ବ୍ୟସ୍ତତା । ସେ ବ୍ୟସ୍ତ ହୋଇପଡ଼ି ତାର ବାଆଁ, ଡାହାଣ ଦୁଇପଟ ଖୋଜିହେଲା, କାଳେ କେଉଁଠି ଢାବଲ ଭିତରେ ପଡ଼ିଥିବ ଦଶ ପଇସିଟେ । କିନ୍ତୁ ନା, କେଉଁଠି ବି ନାହିଁ ।

 

ସେ ସବୁତକ ପଇସା ଦୋକାନୀ ଉଦ୍ଦେଶ୍ୟରେ ବଢ଼େଇଦେଇ କହିଲା, ଦଶ ପଇସା କମ୍‌ ଅଛି ।

 

ଦୋକାନୀଟି ପଇସାତକ ଗଣିଲା । ରେଜା ପଇସା ଭିତରେ ଗୋଟେ ଦଶପଇସି ଅଚଳ-। ଘୋରି ହୋଇ ଦୁଇ ପାଖ ଯାକ ନଷ୍ଟ ହୋଇଯାଇଛି !

 

ଗୋଟେ ମୁହୂର୍ତ୍ତରେ ସିଦ୍ଧାର୍ଥ ଭାବିଥିଲା, କୋଡ଼ିଏ ପଇସିଟେ ବଢ଼େଇଦେବ ତା ଆଡ଼କୁ । ବିଚରାର ଗରଜ ମେଣ୍ଟିଯିବ ଏଇ କୋଡ଼ିଏ ପଇସାରେ । ପର ମୁହୂର୍ତ୍ତରେ ସେ ନିଜକୁ ସଂଯତ କରି ନେଇଥିଲା । ଏଇ ମୁହୂର୍ତ୍ତରେ ସେମାନେ ଉଭୟେ ଗ୍ରାହକ । କେହି ଭିକାରି ନୁହଁ କି କେହି ଦାତା ନୁହଁ । ଏପରି ଜାଗାରେ ଅଯାଚିତ ଦୟା ଦେଖାଇ ସେ ଭିକାରିଟିକୁ ଅସମ୍ମାନ କରିବାକୁ ଚାହୁଁନଥିଲା ।

 

ଦୋକାନୀଟି କିନ୍ତୁ ଥିଲା ଉଦାର ମଣିଷ । ସେ ସେତକ ପଇସା ବିନିମୟରେ ଲୋକଟି ହାତକୁ ବଢ଼େଇଦେଲା ବହି ଖଣ୍ଡକ । କି ବହି କିଣୁଛି ଲୋକଟି ? ଉତ୍ସୁକ ସିଦ୍ଧାର୍ଥ ଟିକିଏ ଅନୁସନ୍ଧିତ୍ସୁ ହୋଇପଡ଼ିଲା । ପରମୁହୂର୍ତ୍ତରେ କୁଷ୍ଠରୋଗୀଟି ହାତରେ ଉପେନ୍ଦ୍ର ଭଞ୍ଜଙ୍କ ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ ବହିଟିକୁ ଦେଖି ବିସ୍ମୟ ଏବଂ ଆନନ୍ଦରେ ସେ ଆତ୍ମବିସ୍ମୃତ ହୋଇପଡ଼ିଥିଲା ।

 

ଲୋକଟି ଏବେ ଦୁଇ ହାତରେ ପିଚୁ ରାସ୍ତାର କଙ୍କରିଳ ପିଠି ଉପରେ ହାବୁକା ମାରି ଆଗକୁ ଆଗକୁ ଚାଲିଯାଉଥିଲା । ସିଦ୍ଧାର୍ଥ ମୋହାବିଷ୍ଟ ଭାବେ ତାକୁ ଚାହିଁ ରହିଥିଲା ।

 

ଏ ରାଜ୍ୟର ଅଧିକାଂଶ ବୁଦ୍ଧିଜୀବୀ, ଭାଗ୍ୟନିୟନ୍ତା ଓ ଉଚ୍ଚବର୍ଗର ମଣିଷ ଓଡ଼ିଆ ବହି କିଣନ୍ତି ନାହିଁ, ଓଡ଼ିଆ ଭାଷାଟା ଗୋଟେ ନିପାରିଲା ଏବଂ ଦରିଦ୍ର ମଣିଷଙ୍କ ଭାଷା ବୋଲି ସେମାନେ ନାକ ଟେକିଥାନ୍ତି । ଓଡ଼ିଆରେ ଚିଠି ଖଣ୍ଡେ ଲେଖିବା ବି ସେମାନଙ୍କ ଦ୍ୱାରା ହୁଏ ନାହିଁ ବୋଲି ସର୍ବସମକ୍ଷରେ କହି ବୁଲି ଅଦ୍ଭୁତ ଆତ୍ମପ୍ରସାଦ ଲାଭ କରିଥାନ୍ତି । ସେମାନଙ୍କ ଡ୍ରଇଂରୁମ୍‌ର ସେଣ୍ଟର-ଟେବୁଲ୍‌ ଉପରେ ଶୋଭା ପାଏ ଇଂରାଜୀ ପତ୍ରପତ୍ରିକା, ସେମାନଙ୍କ ଦପ୍ତର ଓ ପଢ଼ାଘରେ ଇଂରେଜୀ ସିନେମା ଓ ଖେଳ ବହି । ଓଡ଼ିଆର ନାଚ, ଗୀତ, ସାହିତ୍ୟ ପ୍ରତି ଚାରିଆଡ଼େ ଅନାଦର । ଏଭଳି ଘୃଣା ଓ ଅନାଦର ଭିତରେ ଓଡ଼ିଆ ଭାଷା ସାହିତ୍ୟ କିଭଳି ବଞ୍ଚିରହିଛି ସେ ନେଇ ସିଦ୍ଧାର୍ଥ ବିସ୍ମିତ ହୋଇଥାଏ । ମାତ୍ର ଆଜି ସେକେଣ୍ଡହ୍ୟାଣ୍ଡ ବହି ଦୋକାନରୁ ପଙ୍ଗୁ ଦରିଦ୍ର କୁଷ୍ଠରୋଗୀଟି ଦୁଇ ଟଙ୍କା ପଅଁଷଠି ପଇସା ଦେଇ ଉପେନ୍ଦ୍ର ଭଞ୍ଜଙ୍କ ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ ବହିଟିକୁ ଶ୍ରଦ୍ଧା ଓ ଆବେଗରେ କିଣୁଥିବାର ଦେଖି ସିଦ୍ଧାର୍ଥ ଯେପରି ଖୋଜି ପାଉଥିଲା ସେହି ପ୍ରଶ୍ନର ଉତ୍ତର ।

Image

 

ଭାଙ୍ଗି ପଡ଼ୁଥିବା କୋଣାର୍କ

 

ବିକ୍ଷୁବ୍‌ଧ ବେଳାଭୂମି, ଅପସୃୟମାଣ ଝାଉଁବଣ ଓ ଅସ୍ତସୂର୍ଯ୍ୟର ପୃଷ୍ଠଭୂମିରେ କୋଣାର୍କ ସେଦିନ ଦିଶୁଥିଲା ଅନେକଟା ବିଷଣ୍ଣ ଓ ଆକର୍ଷଣହୀନ । ମନ୍ଦିର ଗାତ୍ରର ଅନେକ ସ୍ଥାନରୁ ନଟ ନଟୀ ଓ କାମୋତ୍ତେଜକ ମୈଥୁନର ଶିଳାଲିପିସବୁ ଅନ୍ତର୍ଦ୍ଧାନ ହୋଇଗଲେଣି । କେହି ବା ଖସିପଡ଼ି, କେହି ବା ଭାଙ୍ଗିପଡ଼ି ଅଥବା ଆଉ କେହି ବ୍ୟବସାୟୀଙ୍କ ହାତରେ ଚାଲାଣ ହୋଇ ଚାଲିଗଲେଣି ଏଠୁ । ମନ୍ଦିରର ଉତ୍ତର ପାର୍ଶ୍ୱ ସମ୍ପୂର୍ଣ୍ଣ ସମତଳ ଦିଶିଲାଣି, ପୁରୁଣା କୋଠାଘରର ରଙ୍ଗଛଡ଼ା କାନ୍ଥପରି । ଯେତିକି ଅଛି ସେତିକି, ସରିଗଲେ ଆସିବ ନାହିଁ କି ଭାଙ୍ଗିଗଲେ ଗଢ଼ିହେବ ନାହିଁ– ଏହିପରି ଗୋଟାଏ ନୈରାଶ୍ୟପୀଡ଼ିତ ତତ୍ତ୍ୱକୁ ନେଇ କୋଣାର୍କର ସୂର୍ଯ୍ୟମନ୍ଦିର ପଡ଼ିରହିଛି ।

 

କୋଣାର୍କ ମନ୍ଦିର ପ୍ରଦକ୍ଷିଣ ପର୍ବରେ ସିଦ୍ଧାର୍ଥର ସବୁଠୁ ଅସୁବିଧା, ସେଇ କାମୋତ୍ତେଜକ ଶିଳାଚିତ୍ରସବୁ । ପରିବାର ଓ ତା ମଝିରେ ସେଇ ପ୍ରାଚୀନ ମୂର୍ତ୍ତିଗୁଡ଼ିକ କିଛି ଅସ୍ୱସ୍ତିକର ଅଥଚ ଅନିବାର୍ଯ୍ୟ ପ୍ରତିବନ୍ଧକ । ସେ ସ୍ତ୍ରୀପିଲାଙ୍କଠାରୁ ଦୂରେଇ ସୂର୍ଯ୍ୟମନ୍ଦିରର ସିଂହଦ୍ୱାର ଆଡ଼େ ଚାଲିଆସିଲା ।

 

ସେପଟେ କୋଣାର୍କ ନୃତ୍ୟ ଉତ୍ସବ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ବିଦେଶୀ ପର୍ଯ୍ୟଟକ ଦଳେ ରୁଣ୍ଡହୋଇ ଓଡ଼ିଶାର ହସ୍ତଶିଳ୍ପ ଦେଖୁଛନ୍ତି । ସ୍ଥାନୀୟ ଫଟୋଗ୍ରାଫରମାନଙ୍କର ସେହି ବିରକ୍ତିକର ବିଜ୍ଞାପନ ‘ଦଶମିନିଟରେ ରଙ୍ଗିନ ଫଟୋ ନିଅନ୍ତୁ ।’ ଏଠି ପ୍ରତି ଦି’ଜଣରେ ଜଣେ କ୍ୟାମେରାମ୍ୟାନ । ଖଣ୍ଡଗିରି ମାଙ୍କଡ଼ ଓ ପୁରୀ ପଣ୍ଡାଙ୍କ ଉପଦ୍ରବ ସହ ପରିଚିତ ସିଦ୍ଧାର୍ଥ କୋଣାର୍କର ଏହି ଫଟୋଗ୍ରାଫରମାନଙ୍କଠାରୁ କିଭଳି ବର୍ତ୍ତିବ ଚିନ୍ତା କରିପାରୁ ନ ଥିଲା । ପ୍ରତି ଦୁଇ ମିନିଟରେ ସେହି ପ୍ରଶ୍ନ ‘ଫଟୋ ଉଠାଇବେ ?’

 

ସିଦ୍ଧାର୍ଥ ଆସିଥିବା ଗାଡ଼ିଟିର ଟାୟାର ପଙ୍କଚର୍‌ ହୋଇଛି । ଟାୟାର ସଜାଡ଼ିବାକୁ ଯାଇଛି ଅନୀଲ୍‌ । ସିଦ୍ଧାର୍ଥର ଭୁଲ୍‌ ପାଇଁ ଏ ଦୁର୍ଘଟଣା ଘଟିଲା । କାରଣ ସେଇ ହିଁ ବିଜ୍ଞାପନୀ ଠାଣିରେ ସେମାନଙ୍କୁ ମେରାଇନ୍‌ ଡ୍ରାଇଭରେ ଆସିବାକୁ କହିଥିଲା ପୁରୀରୁ । ଅଥଚ ବହୁ ବିଜ୍ଞାପିତ ମେରାଇନ ଡ୍ରାଇଭ୍‍ର ଯେ ଏପ୍ରକାର ଅବସ୍ଥା, ସିଦ୍ଧାର୍ଥ ତାହା କଦାପି କଳ୍ପନା କରିପାରି ନ ଥିଲା ।

 

ଦଳେ ବିଦେଶୀ ପର୍ଯ୍ୟଟକ ମନ୍ଦିର ବେଢ଼ା ଘୂରିସାରି ବାହାରି ଯାଉଥିଲେ ରାସ୍ତା ଆଡ଼କୁ । ହଠାତ୍‌ ‘ହେଲୋ’ ‘ହଲୋ’ ‘ହାଇ’ ଆଦି ଶବ୍ଦରେ ଚିର୍ଚ୍ଚିରେଇ ଉଠିଲା ସେ ଜାଗାଖଣ୍ଡକ । ସିଦ୍ଧାର୍ଥ ମୁହଁ ଫେରେଇ ଦେଖିଲା, ସୂର୍ଯ୍ୟ ମନ୍ଦିର ପ୍ରବେଶପଥ ଦୁଇକଡ଼େ ବସିଛନ୍ତି ଶତାଧିକ ଭିକାରି । ଅଧିକାଂଶ କୁଷ୍ଠରୋଗୀ । ସେଇମାନେ ଏପରି ଶବ୍ଦ କରି ବିଦେଶୀ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବାର ଚେଷ୍ଟା କରୁଥିଲେ । କୋଣାର୍କର ଭିକ୍ଷାବୃତ୍ତି କେବେଠାରୁ ଏପରି କୌଳୀନ୍ୟ ଓ ଆନ୍ତର୍ଜାତିକ ମାନ୍ୟତା ପାଇବାର ସ୍ପର୍ଦ୍ଧା ରଖିଲାଣି ତାହା ସିଦ୍ଧାର୍ଥ ଜାଣି ନ ଥିଲା । ସେ ଟିକିଏ ଦୂରଛଡ଼ା ହୋଇ ଛିଡ଼ା ହେଲା, ବିଦେଶୀ ପର୍ଯ୍ୟଟକ ଓ ଭିକାରିମାନଙ୍କ କଥାବାର୍ତ୍ତା ଶୁଣିବା ଲୋଭରେ ।

 

ଅତ୍ୟନ୍ତ କାତର, ଆକୁଳ ଓ ବିକଳ କଣ୍ଠରେ ସେଇ ପୁରୁଣା କଥା– ଭିକ୍ଷାଂ ଦେହି । ପର୍ଯ୍ୟଟକଙ୍କ ଭିତରୁ ଜଣେ ଖଣ୍ଡିଏ ଦଶଟଙ୍କିଆ ନୋଟ୍‌ ବାହାର କରି ବୁଢ଼ା ଭିକାରିଟିକୁ ଦେଲେ ଓ ଇଂରେଜୀରେ ବେଶ୍‌ ବଡ଼ପାଟିରେ କହିଲେ, ‘ଏ ଟଙ୍କାକୁ ସମସ୍ତଙ୍କ ଭିତରେ ବାଣ୍ଟିନେବ ।’ ସେଇଠି ଗୋଟିଏ ଜାଗାରେ ଅଲଗା ଅଲଗା ହୋଇ ଦଶଜଣ ଭିକାରି ବସିଥିଲେ । ଦାତା ଜଣକ ପ୍ରତ୍ୟେକଙ୍କ ପାଇଁ ଟଙ୍କାଏ ଲେଖା ବୁଢ଼ା ଭିକାରିର ମାର୍ଫତରେ ଦେଇ ଚାଲିଗଲେ ।

 

ବୁଢ଼ା ଭିକାରିର ଦେହରେ ଯୁବସୁଲଭ ଉଦ୍ଦାମତା । ଚଟାପଟ୍‌ ସେ ଦଶଟଙ୍କିଆ ନୋଟ୍‌ଖଣ୍ଡିକୁ ଲୁଚେଇ ଦେଲା ନିଜ ଆସ୍ଥାନ ତଳେ । ଏବେ ସେ ହାତରେ ଧରିଥିଲା ଖଣ୍ଡେ ଟଙ୍କିକିଆ ନୋଟ୍‌ । ଆର ନଅହଳ ଆଖିର ପ୍ରଶ୍ନ, ବାବୁ କଣ ଦେଲେ ? ଦେ ଆମକୁ । ଶୀଘ୍ର ବାଣ୍ଟିଦେ ସମସ୍ତଙ୍କୁ ।

 

‘ବାବୁ ଟଙ୍କାଟେ ଦେଇଗଲେ । ଆମେ ତ ଦଶଜଣ । ଏଇ ନିଅ ଦଶ ଦଶ ପଇସା’ କହି ବୁଢ଼ାଟି ସେମାନଙ୍କ ପାଖକୁ ଗୋଟେ ଗୋଟେ ଦଶପଇସି ଫୋପାଡ଼ି ଦେଲା । ଜଣାପଡ଼ୁଥିଲା, ଏଇ ମୁହୂର୍ତ୍ତରେ ଅନ୍ୟ କେହି ଦାତା ନୁହେଁ, ସେ ହିଁ ଦାତା, ଦାନ ଦେଉଛି ।

 

ସିଦ୍ଧାର୍ଥ ନିଜ ଆଖିକୁ ବିଶ୍ୱାସ କରିପାରୁ ନ ଥିଲା । କିଛିଦିନ ତଳେ କେଉଁଠି ସେ ପଢ଼ିଥିଲା ଗପଟିଏ । ଗପର ରାଜା ଦୁରାରୋଗ୍ୟ ବ୍ୟାଧିର ଶିକାର ଥିଲେ ଓ ସମସ୍ତ ଉପଚାର ସତ୍ତ୍ୱେ ତାଙ୍କ ବ୍ୟାଧି ଭଲ ନ ହେବାରୁ ସେ ରତ୍ନଭଣ୍ଡାରରୁ ଅର୍ଦ୍ଧେକ ଜନସାଧାରଣଙ୍କ ମଧ୍ୟରେ ବାଣ୍ଟି ଦେବାପାଇଁ ଆଦେଶ ଦେଇଥିଲେ । ଏହାଦ୍ୱାରା ତାଙ୍କର ରୋଗ ଭଲ ହୋଇଯିବ ବୋଲି ସାଧୁଙ୍କର ଆଶ୍ୱାସନା ଥିଲା । ରାଜା ମନ୍ତ୍ରୀଙ୍କୁ, ମନ୍ତ୍ରୀ ଅର୍ଥମନ୍ତ୍ରୀଙ୍କୁ, ଅର୍ଥମନ୍ତ୍ରୀ ରାଜସ୍ୱ ଅଧିକାରୀଙ୍କୁ, ରାଜସ୍ୱ ଅଧିକାରୀ କୋଷାଗାର ଅଧିକାରୀଙ୍କୁ ଓ କୋଷାଗାର ଅଧିକାରୀ ତହସିଲଦାରଙ୍କୁ ଏହି ପରାମର୍ଶ ତାଲିମ କରିବାକୁ ହୁକୁମ ଦେଇଥିଲେ । ମହଣ ମହଣ ହୀରା ନୀଳା ବୈଦୂର୍ଯ୍ୟଭରା ରତ୍ନଭଣ୍ଡାରର ଅର୍ଦ୍ଧେକ ବିଭିନ୍ନ ପଦାଧିକାରୀଙ୍କ ମାଧ୍ୟମ ଦେଇ ଉପରୁ ତଳକୁ ପାଣିପରି ଗଡ଼ି ଆସୁଆସୁ ଏତେ ସଙ୍କୁଚିତ ହୋଇଯାଇଥିଲା ଯେ ଶେଷୋକ୍ତ ବଣ୍ଟନ ଅଧିକାରୀ ତାଙ୍କ ନିଜ ଭାଗ ରଖିସାରିବା ଉତ୍ତାରେ ଜନସାଧାରଣଙ୍କୁ ବାଣ୍ଟିବା ପାଇଁ ମାତ୍ର ଗୋଟିଏ ମୋହର ଅବଶିଷ୍ଟ ଥିଲା । ତାହାକୁ ନିର୍ଲଜ୍ଜ ପ୍ରଶାସନ ଜନୈକ ମନ୍ଦିରର ପୂଜାରୀଙ୍କୁ ଦାନ କରି ନିଜର ଦାୟିତ୍ୱ ନିର୍ବାହ କରିଥିବା ସେ ଗପଟିରେ କୁହାଯାଇଥିଲା ।

 

ଭାରତବର୍ଷର ଉପର ସ୍ତରର ଦୁର୍ନୀତି ପ୍ରସଙ୍ଗ ବରାବର ସମ୍ବାଦପତ୍ର ପୃଷ୍ଠାମାନଙ୍କର ମୁଖ୍ୟ ପୃଷ୍ଠା ମଣ୍ଡନ କରିଆସିଛି । ମାତ୍ର ସମାଜର ନିମ୍ନବର୍ଗରେ, ଭିକାରିଙ୍କ ମେଳରେ ବି ଏଇ ଚାଲାକ ପଣିଆର ଏଭଳି ଉତ୍କଟ ପ୍ରତିଫଳନ କଦାପି କଳ୍ପନା କରି ନ ଥିଲା ସିଦ୍ଧାର୍ଥ ।

 

ଅଥଚ ଏହି ଦେଶରେ ହିଁ କର୍ଣ୍ଣ, ହରିଶ୍ଚନ୍ଦ୍ରମାନେ ଜନ୍ମ ହୋଇଥିଲେ ।

Image

 

ଚିହ୍ନା ଚୌହଦି

ସଭ୍ୟ ଓ ସାକ୍ଷର

 

କାର୍ତ୍ତିକର ଉତ୍ତୀର୍ଣ୍ଣ ଅପରାହ୍‌ଣ ।

 

ବରୁଣେଇର ଅଣ୍ଟା ଚାରିପାଖେ ଧୂଆଁଳିଆ ଶିଶିର ବଳୟ । ଝୀନ ବସନର ଆବରଣ ତଳୁ ପୃଥୁଳା ରମଣୀର ଅଙ୍ଗ ସୌଷ୍ଠବ ଦୃଶ୍ୟ ହେଲା ପରି ଶିଶିର ବଳୟ ଡେଇଁ ବେଶ୍‌ ବାରି ହୋଇପଡ଼ୁଥାଏ ବରୁଣେଇର ସବୁଜ ଭୂଗୋଳ । ପାହାଡ଼ ପର୍ବତ କହିଲେ ସାଧାରଣତଃ ଯେମିତି ଗୋଟାଏ ରୁଦ୍ର ଓ ଭୀମ ଅବଧାରଣା ମନ ଭିତରେ ଛାଇଯାଏ, ସେମିତି କିଛି ଅନୁଭବ ହୁଏ ନାହିଁ ବରୁଣେଇ ଦେଖିଲେ; ବରଂ ଗେହ୍ଲା ଲାଗେ ତାର ଶାନ୍ତସୁନ୍ଦର ଖର୍ବକାୟ ଚେହେରା ।

 

ଦୀପାବଳି ଯୋଗୁଁ ଦପ୍ତର ବନ୍ଦ ଓ ସେଇ ସୁଯୋଗରେ ବରୁଣେଇ ଦର୍ଶନ– ବନ୍ଧୁ ଓ ସତୀର୍ଥଙ୍କ ସହ । ବଣଭୋଜିର ବନ୍ୟବିଳାସ ପରେ ମନ୍ଦିର ଚଉତରା ଉପରେ ବସି ରହିଥାଏ ସିଦ୍ଧାର୍ଥ । ଆଗରୁ ବି ସେ ଆସିଛି ବରୁଣେଇ । ପୁଣ୍ୟ ଅର୍ଜନ ପାଇଁ ବା ମାନସିକ ପୂରଣ ଅଭିଳାଷ ରଖି ଠାକୁରାଣୀଙ୍କ ଦର୍ଶନ ପାଇଁ କେବେ ଆସିନି । ସବୁଥର ଆସିଛି ବରୁଣେଇର ଶାନ୍ତ ଶୀତଳ, କୋଳାହଳମୁକ୍ତ ନିର୍ଜନତା ଭିତରେ କିଛି କାଳ ବିତେଇବା ପାଇଁ ଓ ନିର୍ଜନତାର ଆଶ୍ଳେଷ ଭିତରେ ନିଜର ତୃତୀୟ ଶ୍ରେଣୀୟ ଦାପ୍ତରିକ ପରିଚୟକୁ ଭୁଲିଯିବା ପାଇଁ । ତା ନ ହେଲେ ବରୁଣେଇ ଠାକୁରାଣୀଙ୍କ ମାହାତ୍ମ୍ୟ ସମ୍ପର୍କରେ ସେ କେବେ କିଛି ପଚାରି ବୁଝି ନାହିଁ କିମ୍ବା ତାଙ୍କ ପାଖେ ନିଜର ଦୁଃଖ, ଅସହାୟତାର ନିଦାନ ଭିକ୍ଷା କରି ନାହିଁ । ତା ପରି ଚିରଦୁଃଖୀମାନଙ୍କ କଥା ବୁଝିବାପାଇଁ ଠାକୁରାଣୀମାନଙ୍କର ସମୟ ଥିବ ବୋଲି କେବେ ଭାବିପାରି ନାହିଁ ସିଦ୍ଧାର୍ଥ ।

 

ବରୁଣେଇପୀଠର ପୂଜକ ସିଦ୍ଧାର୍ଥର କୌତୂହଳୀ ପ୍ରଶ୍ନର ଉତ୍ତରରେ ସେଦିନ କହୁଥିଲେ, “କାଞ୍ଚି ଅଭିଯାନ ବେଳେ ଅରୁଣେଇ ଓ ବରୁଣେଇ ଦୁଇଭଉଣୀ ପୁରୀ ରାଜାଙ୍କୁ ଯୁଦ୍ଧରେ ସହାୟତା କରିଥିଲେ । ସେଥିପାଇଁ ଠାକୁରାଣୀ ଦୁହେଁ ଏଠି ପୂଜା ପାଉଛନ୍ତି ।” ତାଙ୍କ ପାଟିର କଥା ନ ସରୁଣୁ କନିଷ୍ଠ ସହକାରୀ ପୂଜକ ଜଣକ କହିଲେ, “ନା ନା, ଏ ଠାକୁରାଣୀ ଦୁହିଁଙ୍କ ପ୍ରତିମା ତିଆରିଛନ୍ତି ଖୋର୍ଦ୍ଧାରାଜା; କାଞ୍ଚିଯୁଦ୍ଧ ଘଟଣାର ବହୁବର୍ଷ ପରେ ।” ଦୁଇଜଣଙ୍କର ତାତ୍ତ୍ୱିକ ବିତର୍କ ଭିତରୁ ଐତିହାସିକ ତଥ୍ୟ ଖୋଜିପାଇବା ସିଦ୍ଧାର୍ଥ ପକ୍ଷେ ପ୍ରକୃତରେ ଥିଲା ଦୁଷ୍କର । ଓଡ଼ିଶାର ସବୁ ଦେବଦେବୀ ମନ୍ଦିର ଓ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତି ପଛରେ ଏଇପରି ବିତର୍କିତ କିମ୍ବଦନ୍ତୀ । ପୂଜକ ଦୁହିଁଙ୍କ ବଚସା ଭିତରୁ ମୁକ୍ତ ହୋଇ ସେ ଚାହୁଁଥିଲା ବରୁଣେଇ ମନ୍ଦିରର କାନ୍ଥକୁ ।

 

ଅନେକ ଦିନ ହେଲା ଚୂନ ଧଉଳା ହୋଇ ନାହିଁ ବରୁଣେଇ ମନ୍ଦିରର କାନ୍ଥ । ଖରା, ବର୍ଷା ଓ କାକର ଖାଇ ଏକଦା ଧଉଳା ହୋଇଥିବା ଚୂନସବୁ କେବେଠୁ ଝଡ଼ିପଡ଼ିଲେଣି । ଚୂନଛଡ଼ା କାନ୍ଥ ଦିଶୁଥାଏ ରଫୁକରା ମଇଳା ଚାଦର ପରି । ସେଇ ଅପ୍ରଶସ୍ତ ଚୂନଛଡ଼ା କାନ୍ଥ ଦେହରେ ଅନେକ ସାକ୍ଷରଙ୍କ ସ୍ୱାକ୍ଷର । ଇଟାଖଣ୍ଡ, ଅଙ୍ଗାର ଓ ପୁରାତନ ପ୍ରସ୍ତରଯୁଗୀୟ ଲେଖନୀ ସାହାଯ୍ୟରେ ଏଠିକି ଆସୁଥିବା ଦେଖଣାହାରି ନିଜ ନିଜର ନାଁ, ଗାଁ, ପରିଦର୍ଶନର ସନ, ବାର ଓ ତାରିଖ ସବୁ ଲିପିବଦ୍ଧ କରିଯାଇଛନ୍ତି ଓଡ଼ିଆ ଏବଂ ଇଂରାଜୀ ଲିପିରେ । କେହି କେହି ପୁଣି କୀଳକ ଲିପିରେ ନାନାପ୍ରକାର ଶ୍ଳୀଳ, ଅଶ୍ଳୀଳ ଶବ୍ଦ ସବୁ ଲେଖି ନିଜ ନିଜର ଆଦିରସ ଚେତନାର ପ୍ରମାଣ ଦେଇଛନ୍ତି । ଆଉ କେଉଁ ଭୀରୁ ଓ ଈର୍ଷୁକ ଜଣେ ଯୁବକ ସହ ଅନ୍ୟ ଜଣେ ଯୁବତୀର ନାମକୁ ଗାଣିତିକ ସୂତ୍ର– ସଙ୍କେତ ସହ ଲିପିବଦ୍ଧ କରିବାକୁ ଭୁଲି ନାହିଁ । ସବୁଠୁ ହର୍ଷ ଓ ବିଷାଦର ବିଷୟ ହେଲା ସେଇ ଅପ୍ରଶସ୍ତ କାନ୍ଥର ଗୋଟାଏ କୋଣରେ ଗୁଞ୍ଜିଗାଞ୍ଜି କେହି ଜଣେ ଆଶୁକବି ବରୁଣେଇ ସମ୍ପର୍କୀୟ ତାଙ୍କର ଦୁଇପଦ ଅନୁଭୂତି ଦାଣ୍ଡିବୃତ୍ତରେ ଲେଖିଦେଇ ତା ତଳେ ନିଜର ସ୍ୱାକ୍ଷରଟି କରିଯାଇଛନ୍ତି ।

 

ବରୁଣେଇ କାନ୍ଥରେ ଏହି ବିଚିତ୍ର କାରବାର ଦେଖି ସିଦ୍ଧାର୍ଥ ଭାବୁଥିଲା, କୋଣାର୍କ ଓ ଲିଙ୍ଗରାଜ ମନ୍ଦିର ଗଢ଼ିଥିବା ଶିଳ୍ପୀମାନେ ସମ୍ଭବତଃ ପାଗଳ ନତୁବା ନିର୍ବୋଧ ଥିଲେ ! ତା ନ ହେଲେ ସେମାନେ ଗଢ଼ିଥିବା ପ୍ରତିଟି ପ୍ରତିମା ଓ ମୂର୍ତ୍ତିତଳେ ନିଜର ସ୍ୱାକ୍ଷର କରିଯିବା ପାଇଁ କଦାପି ଭୁଲି ନ ଥାନ୍ତେ !

 

ଅଥଚ ଇତିହାସର ଗତି ଏପରି ଯେ, ଯେଉଁ ଦେଶରେ ଗାଲମାଧବମାନେ ଜନ୍ମ ନିଅନ୍ତି ସେଇ ଦେଶରେ ଏଭଳି ପ୍ରଚାର କାଙ୍ଗାଳ ଓ ରୁଗ୍‌ଣ ବିକାରଗ୍ରସ୍ତ ମଣିଷ ମଧ୍ୟ ଜନ୍ମଲାଭ କରନ୍ତି !

Image

 

ବିଷବଳୟ

 

ପୁରୀ ଲେଉଟାଣି ରାସ୍ତା । ଶିରିଶିରି ପବନରେ ସିଦ୍ଧାର୍ଥର ଆଖିକୁ ଛାଇନିଦ ମାଡ଼ି ଆସୁଥାଏ । ଅପରାହ୍‌ଣଟା ବିତିଥିଲା ସମୁଦ୍ର କୂଳରେ ଘୂରି ଘୂରି । ଶାନ୍ତ ସୁନ୍ଦର ପୁରୀ ବେଳାଭୂଇଁ ଚିରଦିନ ତାକୁ ଶ୍ରୀମନ୍ଦିରଠାରୁ ଆପଣାର ମନେ ହୋଇ ଆସିଛି । ଶ୍ରୀମନ୍ଦିରର ଭିଡ଼ଭାଡ଼, ଗୋଳଚହଳ ଓ ଅସ୍ୱସ୍ତିକର ଔପଚାରିକତା ସମୁଦ୍ରକୂଳରେ ନାହିଁ ।

 

ହଠାତ୍‌ ବନ୍ଧୁଙ୍କର ଡାକରେ ତନ୍ଦ୍ରା ତୁଟିଗଲା । ପ୍ରକୃତିସ୍ଥ ହେଇ ସିଟ୍‌ ଉପରେ ଦେହ ସଳଖି ବସି ପଡ଼ି ସିଦ୍ଧାର୍ଥ ପଚାରିଲା, ‘କ’ଣ ହେଇଛି କି ? ଗାଡ଼ି କାହିଁକି ବନ୍ଦ ହେଲା ?’ ସେତେବେଳକୁ ଡ୍ରାଇଭର ଗାଡ଼ି ବନ୍ଦ କରି ରାସ୍ତାକଡ଼କୁ ନେଇଯାଇଥାଏ । ବନ୍ଧୁ ଉତ୍ତର ଦେଲେ, ‘ଜଣେ ଭଦ୍ରଲୋକ ଅନ୍ଧାର ରାତିଟାରେ ଧଉଳି ଛକ ରାସ୍ତା ଉପରେ ତାଙ୍କ ସ୍ତ୍ରୀ ଓ ଛୋଟ ପିଲାଟିକୁ ଧରି ବସିଛନ୍ତି । ସମ୍ଭବତଃ ସ୍କୁଟର ସଜାଡ଼ୁଛନ୍ତି । ବିଚରା ! ସ୍କୁଟରଟା ଖରାପ ହେଇଯାଇଛି ବୋଧହୁଏ । ଆମେ ତାଙ୍କୁ ସାହାଯ୍ୟ କରିବା ଉଚିତ ହେବ ନାହିଁ କି ?’

 

କାର୍‌ର ଝରକାଦେଇ ପଛକୁ ଚାହିଁଲା ସିଦ୍ଧାର୍ଥ । ଅନ୍ଧାର ଭିତରୁ ଝାପ୍‌ସା ଦିଶୁଥାନ୍ତି ସ୍କୁଟର ଓ ତିନିଜଣ ଲୋକ । ଭଦ୍ରଲୋକଙ୍କର ବହୁ ଚେଷ୍ଟା ସତ୍ତ୍ୱେ ସ୍କୁଟର ଷ୍ଟାର୍ଟ ହେଉ ନ ଥାଏ । ଶେଷକୁ ବାଧ୍ୟହୋଇ ସେ ଛୋଟ ପିଲାଟିକୁ ସ୍କୁଟର ଉପରେ ବସାଇ, ଠେଲି ଠେଲି ଆସୁଥାନ୍ତି । ପଛରୁ ତାଙ୍କର ସ୍ତ୍ରୀ ଗୋଟିଏ ହାତରେ ନିଜର ପିନ୍ଧା ଲୁଗା ସଜାଡ଼ୁ ସଜାଡ଼ୁ ଆର ହାତଟିରେ ନିଜର ଶକ୍ତି ଖଟାଇ ନିଜର ସ୍ୱାମୀଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଥାନ୍ତି ।

 

ଏପରି ପରିସ୍ଥିତିରେ ତାଙ୍କର କର୍ତ୍ତବ୍ୟ କଣ ତାହା ସିଦ୍ଧାର୍ଥ ହଠାତ୍‌ ସ୍ଥିର କରିପାରିଲା ନାହିଁ-। ଭଦ୍ରଲୋକଙ୍କର ସ୍କୁଟରରୁ ପେଟ୍ରୋଲ୍‌ ସରିଯାଇଥିଲେ ହୁଏତ ତାଙ୍କୁ କିଛି ପେଟ୍ରୋଲ୍‌ ଦିଆଯାଇପାରନ୍ତା । ମାତ୍ର ଯାନ୍ତ୍ରିକ ଗଣ୍ଡଗୋଳ ସୁଧାରିବାର କଳା ଓ କୌଶଳ ତ ସେମାନଙ୍କ ଆୟତ୍ତାଧୀନ ନ ଥିଲା । ବନ୍ଧୁ ପ୍ରସ୍ତାବ ଦେଲେ, ‘ସେମାନେ ଭୁବନେଶ୍ୱର ଯାଉଛନ୍ତି । ଚାଲନ୍ତୁ ତାଙ୍କର ସ୍ତ୍ରୀ ଓ ଛୋଟ ପିଲାଟିକୁ ଆମେ ସାଙ୍ଗରେ ନେଇ ସେମାନଙ୍କ ଘରେ ଛାଡ଼ିଦେବା । ଭଦ୍ରଲୋକ ନିକଟବର୍ତ୍ତୀ କେଉଁ ଗ୍ୟାରେଜ୍‌ରୁ ସ୍କୁଟର ସଜାଡ଼ି ପଛରେ ଯାଇପାରିବେ ।’

 

ପ୍ରସ୍ତାବଟି ସମସ୍ତଙ୍କ ମନକୁ ପାଇଲା । ଏତେବେଳକୁ ସ୍କୁଟର ଠେଲି ଠେଲି ସେମାନେ ତାଙ୍କ କାର୍‌ ପାଖରେ ଆସି ପହଞ୍ଚି ସାରିଥାନ୍ତି । ସିଦ୍ଧାର୍ଥ ଝରକାବାଟେ ମୁହଁ ଗଳେଇ ଭଦ୍ରଲୋକଙ୍କୁ ପଚାରିଲା, “ଆଜ୍ଞା, ଗାଡ଼ି ଖରାପ ହୋଇଯାଇଛି କି ? ଆପଣ ଚାହିଁଲେ ଆମେ ଆପଣଙ୍କ ପିଲାପିଲିଙ୍କୁ ନେଇ ଭୁବନେଶ୍ୱରରେ ଛାଡ଼ିଦେଇପାରନ୍ତୁ ।”

 

ଆଶ୍ଚର୍ଯ୍ୟର କଥା, ସେମାନେ ଖୁସି ହେବା ପରିବର୍ତ୍ତେ ତା କଥା ପ୍ରତି କର୍ଣ୍ଣପାତ ନ କରି ଦ୍ରୁତ ଗତିରେ କାର୍‌କୁ ଅତିକ୍ରମ କରିଗଲେ । ସିଦ୍ଧାର୍ଥର ଆଶଙ୍କା ହେଲା ସେମାନେ ତା କଥା ଶୁଣିପାରି ନାହାନ୍ତି କିମ୍ବା ଏଭଳି ପ୍ରସ୍ତାବକୁ ଭୁଲ୍‌ ଅର୍ଥରେ ଗ୍ରହଣ କରିଛନ୍ତି । ତାକୁ ବଡ଼ ସଂକୋଚ ଲାଗିଲା ।

 

ସିଦ୍ଧାର୍ଥର ଏ ଅବସ୍ଥା ଦେଖି ବନ୍ଧୁପତ୍ନୀ କହିଲେ, ‘ଦେଖନ୍ତୁ, ସେମାନେ ଆପଣଙ୍କ ପରି ପୁରୁଷଙ୍କୁ ବିଶ୍ୱାସ କରିପାରୁ ନାହାନ୍ତି । ଚାଲନ୍ତୁ ଆଉଥରେ ତାଙ୍କ ପାଖରେ ଗାଡ଼ିରଖି ପଚାରିବା । ମୁଁ ପଚାରିଲେ ମୋ କଥାକୁ ହୁଏତ ସେମାନେ ବିଶ୍ୱାସ କରିପାରନ୍ତି ।’

 

ସେୟା ହେଲା । ସେମାନେ ଅଳ୍ପ କିଛି ଦୂରକୁ ଚାଲିଯାଇଥିଲେ । ଆଉ ଥରେ ତାଙ୍କ ପାଖରେ ପହଞ୍ଚି ଡ୍ରାଇଭର ଗାଡ଼ି ରଖିଲା । ବନ୍ଧୁପତ୍ନୀ ଅତ୍ୟନ୍ତ ନମ୍ର ଭାବରେ କହିଲେ, ‘ଦେଖନ୍ତୁ ଆମେ ଛୋଟ ପିଲା ଓ ସ୍ତ୍ରୀଲୋକ ମଧ୍ୟ ଗାଡ଼ିରେ ଅଛୁ ଓ ଭୁବନେଶ୍ୱର ଯାଉଛୁ । ଆପଣ ଚାହିଁଲେ ଆମ ସଙ୍ଗରେ ଆସିପାରନ୍ତି ।’ ଦୀର୍ଘପଥ ସ୍କୁଟରଟିକୁ ଠେଲି ଠେଲି ଆସିଥିବା ଯୋଗୁଁ ଭଦ୍ରଲୋକଜଣକ ଧଇଁସଇଁ ହୋଇପଡ଼ିଥାନ୍ତି । ସେହିପରି ଊଦ୍ଧ୍ୱର୍ଶ୍ୱାସ ଅବସ୍ଥାରେ ସେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ତାଙ୍କୁ କହିଲେ, “ଆମେ ଏଇ ପାଖ ଗାଁକୁ ଯାଉଛୁ । ଆପଣଙ୍କର ପ୍ରସ୍ତାବ ପାଇଁ ଧନ୍ୟବାଦ-। ଆମେ କିନ୍ତୁ ଏମିତି ଚାଲି ଚାଲି ଯାଇପାରିବୁ । ଆପଣ ଯାଆନ୍ତୁ ।”

 

ଏହାପରେ ଆଉ କିଛି କରିବାର ନ ଥିଲା । ବାଧ୍ୟ ହୋଇ ଗାଡ଼ି ଷ୍ଟାର୍ଟ କରି ସେମାନେ ଆସିଲେ ।

 

କୌତୂହଳବଶତଃ ସେମାନେ ସାମନ୍ତରାପୁର ପାଖରେ ପହଞ୍ଚି ଗୋଟାଏ ଦୋକାନ ପାଖରେ ଗାଡ଼ି ରଖି ଅପେକ୍ଷା କରି ରହିଲେ । ବେଶ୍‌ କିଛି ସମୟ ଅପେକ୍ଷା କରିବା ପରେ ଦେଖିଲେ ସେମାନେ ଆସୁଛନ୍ତି । ସ୍କୁଟରଟାକୁ ଠେଲି ଠେଲି ଧଇଁସଇଁ ହୋଇ ଆସୁଥାନ୍ତି । ସାଙ୍ଗରେ ଗୁଡ଼ାଏ ଜିନିଷପତ୍ର । ପିଲାଟିକୁ ନିଦ ଲାଗି ଆସୁଥିବାରୁ ସେ ଗାଡ଼ି ଉପରେ ଘୁମେଇ ପଡ଼ୁଥାଏ ଓ ମାଆ ତାର ବାରମ୍ବାର ତାକୁ ଉଠେଇ ଦେଉଥାଏ । ଛକ ପାଖାପାଖି ଗୋଟାଏ ସ୍କୁଟର ମରାମତି ଦୋକାନ ଆଗରେ ସେମାନେ ଗାଡ଼ିଟିକୁ ଠିଆକରି ଟିକିଏ ଦମ୍‌ ନେଲେ ।

 

ସିଦ୍ଧାର୍ଥ ଓ ତାର ବନ୍ଧୁ ଦୁହେଁ କାର୍‌ରୁ ଓହ୍ଲେଇ ଭଦ୍ରଲୋକଙ୍କୁ ପଚାରିଲେ, ‘‘ଆପଣ ଏତେଗୁଡ଼ାଏ ବାଟ ଏମିତି ସ୍କୁଟରଟାକୁ ଠେଲି ଠେଲି ଆସିଲେ । ଅଥଚ ଆମେ ତ ଦି ଦି ଥର ଆପଣଙ୍କୁ ଅନୁରୋଧ କରିଥିଲୁ । ଆପଣ ଚାହିଁଥିଲେ, ସେ ଦୁହିଁଙ୍କୁ ଆମ ସାଙ୍ଗରେ ପଠେଇ ପାରିଥାନ୍ତେ !”

 

ଏ ପ୍ରଶ୍ନରେ ଭଦ୍ରଲୋକ ଟିକିଏ ଅପ୍ରସ୍ତୁତ ମନେହେଲେ । ସିଧାସଳଖ ଭାବେ କିଛି ଉତ୍ତର ଦେଇ ନ ପାରି କେବଳ ଆତ୍ମପକ୍ଷ ସମର୍ଥନ କରି ଏଣୁତେଣୁ ଦି ପଦ କହିଲେ । କିନ୍ତୁ ତାଙ୍କ ମୁହଁକୁ ଚାହିଁଲେ ଜଣାପଡ଼ୁଥିଲା, ସେ ସିଧାସଳଖ ତାଙ୍କ ମନର ଭାବଟିକୁ ପ୍ରକାଶ କରିପାରୁ ନାହାନ୍ତି । ଅକପଟ ଭାବେ ତାଙ୍କୁ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିବାକୁ କହିଥିଲେ ସେ ହୁଏତ କହିଥାନ୍ତେ, “ଯାଆନ୍ତୁ ଯାଆନ୍ତୁ ଆଜ୍ଞା ! ଆଉ ସେ ଭଦ୍ରଲୋକି ଦେଖାନ୍ତୁ ନାହିଁ । ରାତି ଅଧରେ ଆପଣ ଆମକୁ କିଡ୍‌ନ୍ୟାପ କରିନେଇ ଯାଇଥାନ୍ତେ ନ ହେଲେ ବ୍ଲାକମେଲ୍‌ କରି ଆମକୁ ଉଚ୍ଛନ୍ନ କରିଦେଇଥାନ୍ତେ । ଏମିତି ଭଦ୍ରଲୋକ ଆମେ ବହୁତ ଦେଖିଛୁ ।”

 

ଘରକୁ ଫେରି ସିଦ୍ଧାର୍ଥ ସେଦିନ ଅନେକ ସମୟ ପର୍ଯ୍ୟନ୍ତ ସେଇ ଭଦ୍ରଲୋକଙ୍କ ଗତିବିଧି ସମ୍ପର୍କରେ କେବଳ ଭାବିଚାଲିଥିଲା । ମନେ ମନେ ତଉଲିବାକୁ ଚେଷ୍ଟା କରୁଥିଲା ତାଙ୍କ ମନ ଭିତରର ସନ୍ଦେହ ଓ ଅବିଶ୍ୱାସର ଓଜନ । ମନକୁ ମନ ପୁଣି ବୁଝଉଥିଲା ଭଦ୍ରଲୋକଙ୍କର ବା ଦୋଷ କ’ଣ ? ପ୍ରକୃତରେ ତ ସେମାନେ ଏଇମିତି ଏକ ଅବିଶ୍ୱାସର ପୃଥିବୀ ଚାରିପଟେ ଛିଡ଼ା କରେଇ ସାରିଲେଣି ଯେଉଁଠି ମଣିଷ ମଣିଷକୁ ଛାଡ଼ି ବାକି ଆଉ ସମସ୍ତଙ୍କୁ ବିଶ୍ୱାସ କରିପାରୁଛି ।

 

ସାମ୍ନା ଟେବୁଲ୍‌ ଉପରେ ସେ ଦିନର ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରଧାନମନ୍ତ୍ରୀଙ୍କର ଆହ୍ୱାନ, ‘ଏକବିଂଶ ଶତାବ୍ଦୀ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ’ ବେଶ୍‌ ବଡ଼ ବଡ଼ ହରଫରେ ଛପା ହୋଇଛି । ସିଦ୍ଧାର୍ଥ କେବଳ ନିଜକୁ ନିଜେ ସାନ୍ତ୍ୱନା ଦେଉଥିଲା ଓ ମନେ ମନେ ଏକବିଂଶ ଶତାବ୍ଦୀର ଚିତ୍ର ଓ ଚେହେରାର ରୂପରେଖ କଳ୍ପନା କରୁଥିଲା ।

Image

 

ଚିଲମ୍‌ ଓ ଚିଲିକା

 

ଚିଲିକାର ନେଳି ଦେହ ଉପରେ କଳାଜାଇଟେ ପରି ଦୂରରୁ ଦିଶୁଥିଲା କାଳିଜାଇ ମନ୍ଦିର । ବାଲୁଗାଁରୁ ଲଞ୍ଚରେ ମାତ୍ର ଘଣ୍ଟାକର ବାଟ । ଚିଲିକା ତାର ଅନିନ୍ଦ୍ୟ ଲାବଣ୍ୟ ପାଇଁ କେବଳ ଓଡ଼ିଶା ନୁହେଁ, ଭାରତର ପର୍ଯ୍ୟଟନ ମାନଚିତ୍ରରେ ମଧ୍ୟ ଏକ ମର୍ଯ୍ୟାଦାବନ୍ତ ସ୍ଥାନ ଦାବି କରେ । ସିଦ୍ଧାର୍ଥ ପିଲାଦିନୁ ଚିଲିକାର କଥା ପଢ଼ିଥିଲା, ଖାଲି ଭୂଗୋଳ ପୃଷ୍ଠାରେ ନୁହେଁ, କାବ୍ୟରେ, କବିତାରେ । ହାଇସ୍କୁଲର ସାହିତ୍ୟ କ୍ଲାସରେ ନିତ୍ୟାନନ୍ଦ ସାର୍‌ଙ୍କର ବାଷ୍ପାକୁଳ କଣ୍ଠରେ ଗୋଦାବରୀଶ ମିଶ୍ରଙ୍କ ‘କାଳିଜାଇ’ ଆବୃତ୍ତି ତାର ଡାଳମାଙ୍କୁଡ଼ି ବୟସର ଚପଳ କୈଶୋରକୁ ବି ବେଶ୍‌ କିଛି ଦିନ ପାଇଁ ଶୋକାଚ୍ଛନ୍ନ କରି ଦେଇଥିଲା । କେମିତି ଏକ ଆବେଗିକ ସମ୍ପର୍କ ଗଢ଼ି ଉଠିଥିଲା ହତଭାଗିନୀ ଜାଇ ସାଙ୍ଗରେ ସେଇ ବୟସରୁ ।

 

ଚିଲିକା ଦେଖିବାର ଇଚ୍ଛା ତା’ ଭିତରେ ବାରମ୍ବାର ମୁଣ୍ଡ ଟେକିଥିଲେ ସୁଦ୍ଧା ବିଭିନ୍ନ କାରଣରୁ ସେ ସାକ୍ଷାତ୍‌କାରଟି କେବେ ସମ୍ଭବ ହୋଇ ନ ଥିଲା । ବେଳେବେଳେ ଯାହା ଚିଲିକାକୁ ଭେଟିଥିଲା ସମ୍ବାଦପତ୍ରରେ; ମାଛଧରା ନେଇ ଗଣ୍ଡଗୋଳ, ନ ହେଲେ ଅବାଧ ପକ୍ଷୀ ଶିକାରର ଶିରୋନାମା ତଳେ । ମାତ୍ର ସାହିତ୍ୟ ବହିର ମରାଳମାଳିନୀ ନୀଳାମ୍ବୁ ଚିଲିକାର ଚେହେରା ତ ସେସବୁ ସମ୍ବାଦରୁ କେବେ ମିଳନ୍ତା ନାହିଁ !

 

ଚିଲିକାର ନେଳି ପାଣି ଉପରେ ଶେଷ ଡିସେମ୍ବରର ପାଣିଚିଆ ନାଲି ଖରା । ଲଞ୍ଚ୍‌ଠୁ ମାତ୍ର କେଇ ହାତ ଦୂରରେ ନିର୍ଭୟରେ ଭାସୁଥାନ୍ତି ହଂସରାଳି ଓ ଆଉ କେତେ ନାଁ ଅଜଣା ଚଢ଼େଇ । ମୋଟର ଲଞ୍ଚ୍‌ର ସ୍ୱାଭାବିକ ଯାନ୍ତ୍ରିକ ଶବ୍ଦ ଓ ମଣିଷମାନଙ୍କର ଅସ୍ୱାଭାବିକ ଚିତ୍କାରରେ ସେମାନେ ଆଦୌ ବିଚଳିତ ହେଉ ନ ଥାନ୍ତି । ଚିଲିକା ତ ଚିରଦିନ ତାଙ୍କରି । ମୋଟର ଲଞ୍ଚ୍‌ ଓ ମଣିଷ, ଏମାନେ ସବୁ ଅନୁପ୍ରବେଶକାରୀ !

 

ସିଦ୍ଧାର୍ଥର ସହଯାତ୍ରୀ ବନ୍ଧୁ ଓ ତାଙ୍କର ରକ୍ଷଣଶୀଳା ପତ୍ନୀ ଏକା ଜିଦ୍‌ ଧରି ବସିଥାନ୍ତି ସକାଳୁ, ସେମାନେ କାଳିଜାଇ ଠାକୁରାଣୀଙ୍କ ଦର୍ଶନ ନ କଲା ପର୍ଯ୍ୟନ୍ତ ଜଳସ୍ପର୍ଶ କରିବେ ନାହିଁ । ମଣିଷ ମନର ଧର୍ମପ୍ରତି ଏହି ଅସ୍ୱାଭାବିକ ଭୟ ଓ ଧର୍ମାନ୍ଧତା, ସିଦ୍ଧାର୍ଥର ଯୁକ୍ତିବାଦୀ ମନକୁ ଆଦୌ ସ୍ପର୍ଶ କରିପାରେ ନାହିଁ । ଠାକୁରାଣୀ ମନ୍ଦିରକୁ ଯିବାକୁ ହେଲେ ପ୍ରୟୋଜନ ପଡ଼ିପାରେ ରୁଚିଶୀଳ ଆଚାର ଓ ପବିତ୍ର ବିଚାରଧାରା, ମାତ୍ର ସେଥିପାଇଁ ଏ କୁଚ୍ଛ୍ର ସାଧନା ଓ ଉତ୍ପୀଡ଼କ ଔପଚାରିକତାର କି ପ୍ରୟୋଜନ ଥାଇପାରେ ? ତେବେ ସେମାନଙ୍କର ନିଷ୍ପତ୍ତିକୁ ସମ୍ମାନ ଜଣାଇ ସେ ମଧ୍ୟ ଲଞ୍ଚରେ ବସିଥିଲା ଅନାହାରରେ ।

 

ଲଞ୍ଚ୍‌ଟି କାଳିଜାଇରେ ଲାଗିବା କ୍ଷଣି ସେମାନେ ନଡ଼ିଆ, ଭୋଗ ଓ ଧୂପ ଦୀପ କିଣାରେ ଲାଗିଗଲେ । ମନ୍ଦିର ବେଢ଼ାରେ ଘିଅ ସଳିତାର ପୋଡ଼ାଧୂଆଁ ସାଙ୍ଗରେ ଅଗରବତିର ମହକ ଏକ ପବିତ୍ର ପରିବେଶ ସୃଷ୍ଟି କରିଥାଏ । ହଠାତ୍‌ କିନ୍ତୁ ଗୋଟାଏ ଉତ୍ପୀଡ଼କ ଧୂଆଁର ଗନ୍ଧ ଏସବୁ ବାସ୍ନାକୁ କେମିତି ଆଚ୍ଛନ୍ନ କରିପକାଇବା ପରି ମନେହେଲା । ମନ୍ଦିରର ପଛପଟକୁ ଯାଇ ଏ ଧୂଆଁର ହେତୁ ବୁଝିବାପାଇଁ ସିଦ୍ଧାର୍ଥ ସ୍ୱାଭାବିକ ଭାବରେ କୌତୂହଳୀ ହୋଇପଡ଼ିଲା ।

 

ପ୍ରାୟ ସାତ ଆଠଜଣ ଯୁବକ, ଦିଓଟି ଚିଲମରେ ଗଞ୍ଜେଇ ଭରି ଦମ୍‌ ପରେ ଦମ୍‌ ଟାଣି ଚାଲିଥିଲେ । ଗଞ୍ଜେଇ ଓ କଡ଼ା ତମାଖୁର ଗନ୍ଧରେ ସେ ଜାଗା ଫାଟି ପଡ଼ୁଥାଏ । କେବଳ ଗଞ୍ଜେଇରେ ତ କାମ ଚଳେ ନାହିଁ, ତା ସାଙ୍ଗକୁ କିଛି ଅଶ୍ରାବ୍ୟ, ଅଶ୍ଳୀଳ ମନ୍ତବ୍ୟ ଯେପରି ନ ହେଲେ ନ ଚଳେ । ସେସବୁ ମନ୍ତବ୍ୟ ତୀର୍ଥଯାତ୍ରୀଙ୍କ ଗହଣରେ ଥିବା ଭଦ୍ରମହିଳା, ଯୁବତୀ ଓ ଝିଅମାନଙ୍କ ପାଇଁ ହିଁ ଅଭିପ୍ରେତ । ସିଦ୍ଧାର୍ଥ କିଛି ସମୟ ସେମାନଙ୍କୁ ଏହିପରି ନିରୀକ୍ଷଣ କରୁଥିବାର ଲକ୍ଷ୍ୟ କରି ଜଣେ ତା’ ପ୍ରତି ମଧ୍ୟ ତଦ୍ରୂପ ମନ୍ତବ୍ୟଟିଏ ଫୋପାଡ଼ି ଦେଲା । ସେ ଅସ୍ୱସ୍ତି ବୋଧ କରି ସେଠୁ ଚାଲିଆସିଲା ।

 

ବାଲୁଗାଁ ଫେରିବା ବାଟରେ ସିଦ୍ଧାର୍ଥ କେବଳ ସେହି ଯୁବକମାନଙ୍କ କଥାହିଁ ଭାବି ଚାଲିଥିଲା । ଗଞ୍ଜେଇ ଧୂଆଁରେ ଛୁଟି ମନେଇବାର ଯଦି ସତରେ ସେମାନଙ୍କର ଏତେ ଝୁଙ୍କ୍‌, ତା’ ହେଲେ ସେଥିପାଇଁ କାଳିଜାଇ ମନ୍ଦିର ଭଳି ପବିତ୍ର ଜାଗାଟିକୁ ବାଦ୍‌ ଦେଇଥିଲେ କଣ ଚଳି ନ ଥାନ୍ତା-?

 

ସିଦ୍ଧାର୍ଥ ସେଦିନ ସ୍ୱପ୍ନଟିଏ ଦେଖିଥିଲା । ଦେବୀ ପାଲଟିଥିବା କାଳିଜାଇ ନିଃଶବ୍ଦରେ କାନ୍ଦୁଥିଲା ଗୁମୁରି ଗୁମୁରି, ନିରବ ପ୍ରତିବାଦରେ ।

Image

 

କଳାପାହାଡ଼

 

ଟୁରିଷ୍ଟ ବସ୍‌ର ଗାଇଡ୍‌ଜଣକ ଏଭଳି କଡ଼ା ସମୟାନୁବର୍ତ୍ତୀ ଜାଣିଥିଲେ ସିଦ୍ଧାର୍ଥ ବରଂ ନିଜ ସୁବିଧାରେ ବୁଲି ଆସିବାକୁ ପସନ୍ଦ କରିଥାଆନ୍ତା । ସାଙ୍ଗସାଥୀ ଭେଟିବା, ଦୂର ଜାଗା ବୁଲିଯିବା କି ଗୀତନାଚ ଦେଖାଶୁଣାରେ ଏ ପ୍ରକାର କଠୋର ଶୃଙ୍ଖଳା ସିଦ୍ଧାର୍ଥକୁ ଅସ୍ୱସ୍ତିକର ମନେହୁଏ । ଅଥଚ ସମୟାନୁବର୍ତ୍ତୀ ଗାଇଡ୍‌ ମହାଶୟ ବର୍ତ୍ତମାନ କୁଆଡ଼େ ଫେରାର୍‌ ହେଇଯାଇଛନ୍ତି ତାହା ଜାଣି ହେଉ ନାହିଁ । ଆଗ୍ରାରେ ଅଧିକ ସମୟ ମଞ୍ଜୁର କରିଥିଲେ ସେମାନେ ଖୁସି ହୋଇଥାଆନ୍ତେ; କିନ୍ତୁ ଏଠି ସେମାନେ କଣ ଦେଖିବେ ! କେତେ ଦିନର ଆଶା ଥିଲା, ତାଜମହଲକୁ ସାମ୍ନା କରି ଘଡ଼ିଏ ସେ ବସିବ । ଅଥଚ ଗାଇଡ୍‌ଙ୍କର ଶକ୍ତ ହୁକୁମ । ‘ପଚାଶ ମିନିଟ୍‌ (ଘଣ୍ଟାଏ ବି ନୁହେଁ !) ଭିତରେ ତାଜମହଲ ଦେଖା ସାରି ଆପଣମାନେ ବସ୍‌କୁ ଫେରିଆସିବେ । ତା ନ ହେଲେ ବସ୍‌ ଚାଲିଯିବ । ଆପଣମାନେ ନିଜ ନିଜ ବ୍ୟବସ୍ଥାରେ ଘରକୁ ଫେରିବେ ।’

 

ତାଜମହଲରେ ପହଞ୍ଚିବା ପୂର୍ବରୁ ସିଦ୍ଧାର୍ଥ ଗାଇଡ୍‌ଟି ଉପରେ କ୍ଷୁଣ୍ଣ ହୋଇଯାଇଥିଲା । ଦୁର୍ବଳ ଇଂରାଜୀ ଓ ଗାଉଁଲି ହିନ୍ଦୀରେ ସେ ଆଗ୍ରା ଫୋର୍ଟର ଯେଉଁ ଇତିହାସ ଶୁଣାଉଥିଲେ ତାହା ଇତିହାସର ପ୍ରଫେସରମାନେ ମଧ୍ୟ ଜାଣି ନ ଥିବେ ! ଲୋକଟାର କଳ୍ପନାଶକ୍ତିକୁ ତାରିଫ କରିବାକୁ ପଡ଼ିବ । ମାତ୍ର ତିରିଶ ମିନିଟ୍‌ ଭିତରେ ଆଗ୍ରାଫୋର୍ଟ ବୁଲାବୁଲି କରି ଫେରିଆସନ୍ତୁ ବୋଲି ଗାଇଡ୍‌ଟି ଯେତେବେଳେ ନିର୍ଦ୍ଦେଶନାମା ଜାରି କରିଦେଲେ, ସିଦ୍ଧାର୍ଥ ସତକୁ ସତ ଚିଡ଼ି ଉଠିଥିଲା । ଆଗ୍ରା ଫୋର୍ଟର ତିନିଚତୁର୍ଥାଂଶ ବର୍ତ୍ତମାନ ସାମରିକ ବିଭାଗ ହାତରେ ଓ ସେଇହେତୁ ତାହା ସର୍ବସାଧାରଣଙ୍କ ପାଇଁ ବନ୍ଦ ରଖାଯାଇଛି । ଅବଶିଷ୍ଟ ଏକଚତୁର୍ଥାଂଶ ଘୂରି ଦେଖିବା ପାଇଁ ଅନ୍ୟୂନ ଦୁଇଘଣ୍ଟା ସମୟ ଦରକାର । ଇଏ କଣ ଆଲବମ୍‌ ଆଡ଼େଇବା କାମ ହୋଇଛି ଯେ ଅଧଘଣ୍ଟାରେ ଜଣେ ପୃଷ୍ଠା ଓଲଟାଇଯିବ ! ଫଳତଃ କେବଳ ଦୁର୍ଗ ଭିତରକୁ ପଶିବା ଓ ବାହାରିବା ଭିନ୍ନ କୌଣସିଟି ଭଲକରି ଦେଖିବାର ପ୍ରଶ୍ନ ଉଠି ନ ଥିଲା ।

 

ଅଥଚ ସେହି ସମୟାନୁବର୍ତ୍ତୀ ଗାଇଡ୍‌ଟି ଏବେ ବୃନ୍ଦାବନରେ ପହଞ୍ଚିବା ପରଠାରୁ ପ୍ରାୟ କୁଆଡ଼େ ଫେରାର ହୋଇଯାଇଛନ୍ତି । ସେମାନେ ବାଳଗୋପାଳ ମନ୍ଦିରରେ ପହଞ୍ଚିବାବେଳକୁ ଆଉ ଦଳେ ଯାତ୍ରୀ ମୂର୍ତ୍ତି ସାମ୍ନାରେ ବସିଥିଲେ । ବୃନ୍ଦାବନର ନିୟମ ଦୃଷ୍ଟିରୁ ସେଠି ଯାତ୍ରୀ କି ଭକ୍ତ କେହି ଛିଡ଼ାହୋଇ ଠାକୁର ଦର୍ଶନ କରନ୍ତି ନାହିଁ । ବାଳଗୋପାଳଙ୍କ ଉପରେ ମଣିଷର ଛାଇପଡ଼ିବାର ଆଶଙ୍କା ଥିବାରୁ ଭକ୍ତମାନଙ୍କୁ ସେଠି ଚଟାଣରେ ବସି ଦର୍ଶନ କରିବାକୁ ପଡ଼େ । ସିଦ୍ଧାର୍ଥର ଦଳ ସେଠାରେ ପହଞ୍ଚିବାବେଳକୁ ଅନ୍ୟ ଦଳଟି ମନ୍ଦିର ଭିତରୁ ବାହାରି ନ ଥିବାରୁ ବ୍ୟସ୍ତ ରଖିବାପାଇଁ ଗାଇଡ୍‌ଟି ତାତ୍କାଳିକ ବୁଦ୍ଧିର ପ୍ରୟୋଗ କରି ସେମାନଙ୍କୁ ଭଜନ ଆବୃତ୍ତି କରିବାର ନିର୍ଦ୍ଦେଶ ଦେଇଥିଲେ । କଣ ଆଉ କରାଯାଏ ? ଗାଇଡ୍‌ ସାଙ୍ଗରେ ତାଳ ଦେଇ ସିଦ୍ଧାର୍ଥ ‘ଗୋବିନ୍ଦ ଜୟ ଜୟ, ଗୋପାଳ ଜୟ ଜୟ’ ଆବୃତ୍ତି କରିଥିଲା ଦୀର୍ଘ କୋଡ଼ିଏ ମିନିଟ୍‌ ।

 

ଏବେ ସେମାନେ ପ୍ରାୟ ଅଧଘଣ୍ଟାଏରୁ ଊଦ୍ଧ୍ୱର୍କାଳ ହେଲା ବାଳଗୋପାଳଙ୍କ ମୂର୍ତ୍ତି ସାମ୍ନାରେ ବସିଛନ୍ତି । ରାତି ଆଠଟା ହେଲାଣି । ଦିଲ୍ଲୀରେ ପହଞ୍ଚିବାବେଳକୁ ରାତି ଗୋଟାଏରୁ କମ୍‌ ହେବ ନାହିଁ । ମାତ୍ର ଗାଇଡ୍‌ ମହାଶୟ କାହାନ୍ତି ? ସେଇ ଭଜନ ଆବୃତ୍ତି ପରଠାରୁ ସେ ଫେରାର୍‌ ହୋଇଯାଇଛି ।

 

କ୍ଳାନ୍ତି, ବିରକ୍ତି ଓ କିଛିଟା କ୍ରୋଧରେ ସିଦ୍ଧାର୍ଥ କେବଳ ସମୟ ବିତିବାକୁ ଅପେକ୍ଷା କରି ରହିଥାଏ । ଆସିବା ବାଟରେ ଗାଇଡ୍‌ଜଣକ ବୃନ୍ଦାବନର ମାହାତ୍ମ୍ୟ ସମ୍ପର୍କରେ ଯାହା ଯାହା କହିଥିଲେ ଏଠି ଏ ମନ୍ଦିରର ପୂଜକଦ୍ୱୟ ମଧ୍ୟ ଠିକ୍‌ ସେହି କଥା ଆଉ ଥରେ କହୁଥାଆନ୍ତି । ସେଥିରେ କୌଣସି ନୂତନତ୍ୱ ବା ବିଶେଷତ୍ୱ ନ ଥାଏ । ତେବେ ବାରମ୍ବାର ସେ ଦୁହେଁ ଯେଉଁ ଗୋଟିଏ ପ୍ରସଙ୍ଗ ଉପରେ ମାତ୍ରାଧିକ ଗୁରୁତ୍ୱ ଆରୋପ କରୁଥାଆନ୍ତି ତାହା ହେଲା ମନ୍ଦିରକୁ ଦାନ ଦେବା ପ୍ରସଙ୍ଗ । ଭକ୍ତମାନେ ଚାହିଁଲେ ମାର୍ବଲ ଫଳକରେ ନିଜ ପିତାମାତାଙ୍କ ନାମ ଲେଖାଇପାରିବେ ଓ ସେଥିପାଇଁ ଦେବାକୁ ପଡ଼ିବ ଶହେ ଏକାବନ ଟଙ୍କା । ବିଧବାଙ୍କ ଭୋଜନ ପାଇଁ ପାଞ୍ଚଶହରୁ ନେଇ ସର୍ବାଧିକ ଯିଏ ଯେତେ ଦେଇପାରିବେ ବୋଲି ସେମାନେ ବାରମ୍ବାର କହୁଥାଆନ୍ତି । କେତେଜଣ ଆଗ୍ରହୀ କିଛି ଦାନ ଦକ୍ଷିଣା ଦେଲେ ଓ ଅନ୍ୟମାନେ ପୂର୍ବରୁ ପ୍ରସ୍ତୁତ ହୋଇ ଯାଇ ନ ଥିବାରୁ ପରେ ପଠାଇବେ ବିଚାରି ଚୁପହୋଇ ବସିଥିଲେ । ମାତ୍ର ପୂଜକ ଦୁହେଁ ସେମାନଙ୍କୁ ଛାଡ଼ୁ ନ ଥାନ୍ତି । ଆଗରୁ କୁହାଯାଇଥାଏ ଯେ, କେହି ଏଠୁ ପ୍ରସାଦ ନ ଖାଇ ଯିବେ ନାହିଁ-। ତାହା ଏଠିକାର ପରମ୍ପରାବିରୁଦ୍ଧ ହେବ । ଧର୍ମାନୁରାଗୀ ବା ଧର୍ମଭୀରୁ ତୀର୍ଥଯାତ୍ରୀଏ ସେଇଠି ପ୍ରସାଦ ସେବନର ମୁହୂର୍ତ୍ତକୁ ଅପେକ୍ଷା କରି ରହିଥାଆନ୍ତି ।

 

ମଝିରେ ପୂଜକ ଦୁହିଁଙ୍କର ଏ କାଳକ୍ଷେପଣ ନୀତିକୁ ପଶ୍ଚିମବଙ୍ଗର ଜଣେ ବୃଦ୍ଧା ବିରୋଧ କରି ଉଠିଲେ । ଖୁବ୍‌ ନମ୍ର କୋମଳ ଥିଲା ତାଙ୍କର ବିରୋଧର ଭଙ୍ଗୀ ଓ ଭାଷା । ସେ କହିଲେ ଯେ, ‘ଆପଣ ତ ସାତ ଆଠଥର ସେଇ ଚାନ୍ଦାଦେବା କଥା କହି ସାରିଲେଣି । ଆମେ ସବୁ ତାହା ଶୁଣିଲୁ-। ଯାହା ପାଖେ ଥିଲା ସେମାନେ ଦେଲେଣି । ଆମେମାନେ ନିଜ ନିଜ ଘରକୁ ଫେରି ଯାହା କରିବାର କରିବୁ । ଏଥିରେ ଆଉ ବାଧ୍ୟବାଧକତା ନ ରଖି ଏବେ ଆମକୁ ବିଦାୟ ଦିଅନ୍ତୁ ।’

 

ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଭାବେ, ଭଦ୍ରମହିଳାଙ୍କ ତୁଣ୍ଡରୁ କଥା ନ ସରୁଣୁ ପୂଜକ ଦୁହେଁ ଉତ୍‌କ୍ଷିପ୍ତ ହୋଇଉଠିଲେ । ‘ତମେ ଗୋଟେ ସ୍ତ୍ରୀଲୋକ ହୋଇ ଏତେ କଥା କ’ଣ କହୁଛ’ ପରି ମନ୍ତବ୍ୟ ଠାରୁ ଆରମ୍ଭ କରି ସେମାନେ ଯାହା କହିଲେ ତାହା ସିଦ୍ଧାର୍ଥକୁ ତା ନିଜ ରାଜ୍ୟ ପୁରୀଧାମର ଅସହିଷ୍ଣୁ ପଣ୍ଡାଙ୍କର ଦୁର୍ବ୍ୟବହାରକୁ ମନେ ପକେଇଦେଲା । ମାତ୍ର କେଇଟି ମୁହୂର୍ତ୍ତରେ ତା ଭିତରର କୋମଳ, ସ୍ପର୍ଶାତୁର ଆବେଗଟିକକ ଭାଙ୍ଗିରୁଜି ଖିନଭିନ୍‌ ହୋଇଗଲା । ଭଦ୍ରମହିଳାଙ୍କ ପକ୍ଷରୁ କେତେଜଣ ତୀର୍ଥଯାତ୍ରୀ ଏ ପ୍ରକାର ଦୁର୍ବ୍ୟବହାରର ପ୍ରତିବାଦ କଲେ । ମାତ୍ର ପୂଜାରୀ ଦୁହିଁଙ୍କର ହାମବଡ଼ାପଣର ଅଶ୍ଳୀଳ ପ୍ରଦର୍ଶନ ସାମ୍ନାରେ ଏ ପ୍ରତିବାଦ ଥିଲା ଅତ୍ୟନ୍ତ କ୍ଷୀଣ ।

 

ବୃନ୍ଦାବନକୁ ମଧୁର ଭାବର ଶ୍ରେଷ୍ଠ ତୀର୍ଥ ଭାବେ ବୈଷ୍ଣବ ସାହିତ୍ୟ ଓ ହିନ୍ଦୁ ପରମ୍ପରାରେ ବିଶ୍ୱାସ କରାଯାଇଛି । ପିତା-ମାତା ଭାଇ-ଭଗିନୀଙ୍କୁ ନେଇ ଯେଉଁ ସୁନ୍ଦର ପରିବାରର କଳ୍ପନା ଆମ ପରମ୍ପରାରେ ରହିଆସିଛି ତାକୁ ଇ ଆଉଥରେ ମନେ ପକେଇଦିଏ ଏ ମନ୍ଦିରର ସୁନ୍ଦର ବିଗ୍ରହ । ମାତ୍ର ସେଇ ମନ୍ଦିର ବେଢ଼ାରେ ଜଣେ ତୀର୍ଥଯାତ୍ରିଣୀ ମାଆ ପ୍ରତି ଏ ପ୍ରକାରର ଦୁର୍ବ୍ୟବହାର ସିଦ୍ଧାର୍ଥକୁ ବିଷଣ୍ଣ କରି ଦେଇଥିଲା । ଇତିହାସର କଳାପାହାଡ଼ ହିନ୍ଦୁ ମନ୍ଦିର ଓ ବିଗ୍ରହମାନଙ୍କୁ ଧ୍ୱଂସ କରି ପ୍ରକାରାନ୍ତରେ ଏହି କୀର୍ତ୍ତିମାନଙ୍କର ପ୍ରାଧାନ୍ୟକୁ ହିଁ ସ୍ୱୀକୃତି ଦେଇଥିଲା । କିନ୍ତୁ ଆଜି ହିନ୍ଦୁ ଧର୍ମପୀଠ ଓ ତୀର୍ଥମାନଙ୍କରେ ରକ୍ତବୀର୍ଯ୍ୟ ପ୍ରାୟ ବିଛେଇ ଯାଇଥିବା ଏହି ଅପଶକ୍ତିମାନଙ୍କର ପ୍ରତିବାଦ କରିବ କିଏ ?

Image

 

ଡେଙ୍ଗା ପରିଚୟ, ବାଙ୍ଗରା ମଣିଷ

 

ଗତ ସନ୍ଧ୍ୟାରେ ନୂଆଦିଲ୍ଲୀ ଅଶୋକା ଯାତ୍ରୀ ନିବାସ ସାମ୍ନାରେ ଏ ଗଛଟିକୁ ଦେଖି ସିଦ୍ଧାର୍ଥ ଆଶ୍ୱସ୍ତ ହୋଇଥିଲା । ଏ ସହରର ଭୂଗୋଳ ତଥା ରାସ୍ତାଘାଟ ସହ ଅପରିଚିତ ସିଦ୍ଧାର୍ଥକୁ ତା ହୋଟେଲ ଖୋଜି ପାଇବାରେ ଗଛଟି ସାହାଯ୍ୟ କରିବ ବୋଲି ତାର ଧାରଣା ହୋଇଥିଲା । ଗଛଟା ବେଶ୍‌ ଝଙ୍କାଳିଆ ଓ ଉଚ୍ଚା ହୋଇଥିବାରୁ ତା ଡାଳରେ ଗୋଟେ ମାଟିଆ ଚିଲ ବସା ବାନ୍ଧିଥିଲା ।

 

ମାତ୍ର ସକାଳୁ ଉଠି ଆକାଶକୁ ଅନେଇବାବେଳେ ଗଛଟିକୁ ନ ପାଇ ସିଦ୍ଧାର୍ଥ ନିରାଶ ହେଲା । ରାତିକ ଭିତରେ ଗଛଟା କଣ ଅଦୃଶ୍ୟ ହୋଇଗଲା ? ଏମିତି ଏକ କୌତୂହଳ ସିଦ୍ଧାର୍ଥ ଭିତରେ ଜନ୍ମ ନେଲାବେଳକୁ ମାଟିଆ ଚିଲଟିଏ ସିଦ୍ଧାର୍ଥ ସାମ୍ନାରେ ତଳକୁ ଓହ୍ଲେଇ ଗୋଟେ ଗଛଡାଳରେ ବସିପଡ଼ିଲା । ଏଥର ଗଛଟିକୁ ଖୋଜି ପାଇବାରେ ସିଦ୍ଧାର୍ଥକୁ ଅସୁବିଧା ହେଲା ନାହିଁ-। ପ୍ରଥମେ ସେ ଭାବିଥିଲା, ଗଛଟି ହଠାତ୍‌ ଏତେ ବାମନ ହେଲା କିପରି ? କିନ୍ତୁ ତାର ମନେପଡ଼ିଲା, ଗଛଟି ବାମନ ହୋଇ ନାହିଁ, ବରଂ ହୋଟେଲର ଚଉଦ ମହଲାରେ ଅବସ୍ଥାନ କରିଥିବା ହେତୁ ସେ ହିଁ ମାଟି ଉପରୁ ଅଧିକ ଉଚ୍ଚରେ ଅବସ୍ଥାନ କରୁଛି ।

 

ଅପରାହ୍‌ଣରେ ଦେଖାହେଲେ ଶ୍ରୀଯୁକ୍ତ ମହାପାତ୍ର । ମହାପାତ୍ରେ ସିଦ୍ଧାର୍ଥ ରାଜ୍ୟର ଜଣେ ଟାଣୁଆ ନେତା ରୂପେ ସୁବିଦିତ । ନିଜେ ସେ ଓ ତାଙ୍କର ସମର୍ଥକମାନେ ତାଙ୍କୁ ଓଡ଼ିଶାର ଭାବୀ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ କରିବାରେ ସାମାନ୍ୟ କୁଣ୍ଠାବୋଧ କରନ୍ତି ନାହିଁ । ନିଜ ଅଞ୍ଚଳର ନେତା ହୋଇଥିବା ହେତୁ ମହାପାତ୍ରଙ୍କ ପ୍ରତି ତାର ଆଶୈଶବ ସଂଭ୍ରମ ରହିଆସିଛି । ସକାଳ ସଞ୍ଜେ ମହାପାତ୍ରଙ୍କ ଘର ସାମ୍ନାରେ ସାତ ଆଠଟି ସାଇକେଲ, ସ୍କୁଟର କି ମଟର ସାଇକେଲ ଥୁଆ ହୋଇଥାଏ । ବେଳେବେଳେ ଖଣ୍ଡେ ଦିଖଣ୍ଡ ଚାରିଚକିଆ ଗାଡ଼ି ମଧ୍ୟ ସେଠି ଅଟକନ୍ତି । ମହାପାତ୍ରେ ଯୁଆଡ଼େ ଯାଆନ୍ତି ତାଙ୍କ ଆଗ ପଛରେ ଲୋକ । ତାଙ୍କୁ ନ ପଚାରି ସେ ଅଞ୍ଚଳର ଚଢ଼େଇମାନେ ଧାନ ବିଲକୁ ଗଡ଼ନ୍ତି ନାହିଁ !

 

କିନ୍ତୁ ନୂଆଦିଲ୍ଲୀର ଜନପଥରେ ମହାପାତ୍ର ଅନେକଟା ବିଷଣ୍ଣ ଦିଶୁଥିଲେ । ଆଖପାଖରେ ପାଖ ଲୋକମାନେ କାହିଁ କେଉଁଠି ଦେଖାଯାଉ ନ ଥିଲେ । ଏତେ ଲୋକଙ୍କୁ ଗାଡ଼ିଭଡ଼ା କି ଉଡ଼ାଜାହାଜ ଭଡ଼ା ଦେଇ ସବୁବେଳେ ଦିଲ୍ଲୀ ନେବା ଆଣିବା ନିଶ୍ଚୟ ସମ୍ଭବ ନୁହେଁ । ଭିଡ଼ ଭିତରେ ଏକଲା ମହାପାତ୍ରଙ୍କ ଅବସ୍ଥା ସିଦ୍ଧାର୍ଥକୁ ବଡ଼ ଖାପଛଡ଼ା ଦିଶୁଥିଲା । ଗୋଟେ ଅସ୍ୱସ୍ତିକର ପ୍ରଶ୍ନବାଚୀ ପରି ମହାପାତ୍ରେ ଛିଡ଼ା ହେଇଥାନ୍ତି ଭିଡ଼ଠାରୁ ଦୂରଛଡ଼ା ହୋଇ । ସେଠି କିନ୍ତୁ ଗୁଡ଼ ମାଠିଆକୁ ଜନ୍ଦା ବେଢ଼ିଲା ପରି ଆଉ ଜଣେ ନେତାଙ୍କୁ ଘେରି ସମସ୍ତେ ଠିଆ ହୋଇଛନ୍ତି । କାହା ହାତରେ ଫୁଲମାଳ ତ କାହା ହାତରେ ଫୁଲତୋଡ଼ା । ଜନଅରଣ୍ୟ ଭିତରୁ ସେହି ନେତାଙ୍କ ଟୋପି ପରିହିତ ମୁଣ୍ଡଟି ଯାହା ପ୍ରତିପଦ ଚନ୍ଦ୍ରପରି ଉଙ୍କି ମାରୁଥାଏ । ମହାପାତ୍ରେ ଶତଚେଷ୍ଟା କରି ସୁଦ୍ଧା ବଡ଼ ନେତାଙ୍କ ପାଖରେ ପହଞ୍ଚିପାରୁ ନାହାନ୍ତି ।

 

କ୍ରମେ ଜନଅରଣ୍ୟ ସଚଳ ହେଲା । ବଡ଼ ନେତା ତାଙ୍କ ଗାଡ଼ିରେ ବସି ସାରିଥିଲେ । ଗାଡ଼ିଟି ଚଞ୍ଚଳ ହେଲାବେଳକୁ ପଛରେ କର୍ମୀଙ୍କ ଭିଡ଼, ଆଉ ଥରେ ସାକ୍ଷାତ୍‌ପାଇଁ ବ୍ୟାକୁଳତା । ଗାଡ଼ିଟି ମହାପାତ୍ରଙ୍କ ବାଟ ଦେଇ ଚାଲିଯିବାବେଳକୁ ମହାପାତ୍ରେ ବି ଚଞ୍ଚଳ ହୋଇଗଲେ । ଧାଇଁ ଧାଇଁ ଗଲେ କିଛି ବାଟ ଗାଡ଼ି ପଛେ ପଛେ । କିନ୍ତୁ ନା, ନେତାଙ୍କ ଗାଡ଼ି ଦୂରେଇଗଲା । ଶୂନ୍ୟକୁ ନମସ୍କାରମାନ ଫିଙ୍ଗି ଫିଙ୍ଗି ସେ ଦୂରେଇଗଲେ ।

 

କାହିଁକି କେଜାଣି ନିଜ ରାଜ୍ୟର ଅମିତ ପରାକ୍ରମୀ ନେତାଙ୍କର ଜନପଥରେ ଧାଇଁ ଯିବାର ଦୃଶ୍ୟଟି ସିଦ୍ଧାର୍ଥକୁ ବଡ଼ ଅସହାୟ ଦିଶିଲା । ଅଶୋକାନିବାସର ଉପର ମହଲାରୁ ଡେଙ୍ଗାଗଛଟି ବାମନ ଓ ଦୟନୀୟ ଦିଶିବା ପରି ଜନପଥର ଏହି ବଡ଼ନେତାଙ୍କ ଗାଡ଼ି ପଛେ ପଛେ ଧାଉଁଥିବା ମହାପାତ୍ରେ ବଡ଼ ଦୟନୀୟ ଦିଶୁଥିଲେ ।

Image

 

ସୂର୍ଯ୍ୟୋପରାଗ

 

ଭାଗାଟର ବିଚ୍‌ ପାଖେ ପହଞ୍ଚିବା ବେଳକୁ ଫେବୃୟାରୀର ସୂର୍ଯ୍ୟ ଘରକୁ ଫେରିବା ଫେରିବା ହେଲେଣି । ଗୋଆର ଏହି ସମୁଦ୍ରକୂଳ ବାବଦରେ ପୂର୍ବରୁ କେତେଥର ଶୁଣିଥିଲା ସିଦ୍ଧାର୍ଥ-। ଆଜି ସକାଳୁ ସେମାନେ ଉତ୍ତର ଗୋଆ ବୁଲୁଛନ୍ତି । କାଲି ଦକ୍ଷିଣ ଗୋଆ ବୁଲିବେ । ପ୍ରଥମେ ସେମାନଙ୍କର ଟୁରିଷ୍ଟ ବସ୍‌ ମୂଲଗାଓଁ ମନ୍ଦିର ପାଖକୁ ଯାଇଥିଲା । ବସ୍‌ରୁ ଟୁରିଷ୍ଟମାନେ ଠାକୁର ଦେଖିବାକୁ ଓହ୍ଲାଉଥିବାବେଳେ ସିଦ୍ଧାର୍ଥ ବୋକାଙ୍କ ପରି ମନ୍ଦିର କାହିଁ ଓ କେଉଁଠି ବୋଲି ଖୋଜି ହେଉଥିଲା । ଯିଏ ଓଡ଼ିଶାର ଲିଙ୍ଗରାଜ, ପୁରୀ ଓ କୋଣାର୍କ ମନ୍ଦିର ଦେଖିଛି ସେ ଗୋଟିଏ ସାଦାସିଧା ଛାତଘରଟିକୁ ମନ୍ଦିର ଭାବେ କଦାପି ଗ୍ରହଣ କରିପାରନ୍ତା ନାହିଁ । ଉପରକୁ ମନ୍ଦିର ଭାବେ ପରିଚିତ କରାଇବାକୁ ସାମାନ୍ୟ ଗମ୍ବୁଜ କାମ ହୋଇଛି । ଟୁରିଷ୍ଟ ଗାଇଡ୍‌ଜଣକ କିଶୋର । ଘୋଷିଲା ଭଳି ଗୋଆ ବିଷୟରେ ଅଳ୍ପ କିଛି ଜ୍ଞାନ ଅର୍ଜନ କରିଛନ୍ତି । ସେଇଥିପାଇଁ ସେ ବେଶି କଥାବାର୍ତ୍ତା କରୁ ନାହାନ୍ତି । ଗୋଆ ସମ୍ବନ୍ଧରେ ତାଙ୍କର ସେ ଜ୍ଞାନ ବିତରଣ କୃପଣର ଅର୍ଥଦାନ ପରି; ସେଥିରେ ଅନୁସନ୍ଧିତ୍ସା ମେଣ୍ଟେ ନାହିଁ ।

 

ପର୍ତ୍ତୁଗୀଜ ଆକ୍ରମଣବେଳେ ଗୋଆର ଦେବଦେବୀମାନେ ବିପନ୍ନ ହୋଇପଡ଼ିଥିଲେ । ବସ୍ତୁତଃ ଇତିହାସର ସବୁ ସାମ୍ରାଜ୍ୟବାଦୀ ଆକ୍ରମଣର ତାହାହିଁ ପ୍ରଥମ ଅଧ୍ୟାୟ । ଯେଉଁମାନେ ଆକ୍ରମଣ କରିବାକୁ ଆସନ୍ତି ବା ଲୁଣ୍ଠନ କରିବାକୁ ଆସନ୍ତି, ସେମାନେ ପ୍ରଥମେ ଦେଶର ସଂସ୍କୃତିର ମୂଳଦୁଆକୁ ଦୋହଲାଇ ଦେବାକୁ ଉଦ୍ୟମ କରନ୍ତି । ତାର ମନ୍ଦିର ଓ ମନ୍ଦିରର ପ୍ରତିମାମାନଙ୍କୁ ଖଣ୍ଡବିଖଣ୍ଡିତ କରିଦିଅନ୍ତି । ସେ ଦେଶର ମଣିଷମାନଙ୍କର ନୈତିକ, ଆବେଗିକ, ସାଂସ୍କୃତିକ ଆଧାର ଶିଳାକୁ ଉତ୍ପାଟନ କରି ଫିଙ୍ଗିଦିଅନ୍ତି । ପର୍ତ୍ତୁଗୀଜ ଆକ୍ରମଣରୁ ବର୍ତ୍ତିବା ପାଇଁ ଗୋଆବାସୀ ସେଦିନ ସେମାନଙ୍କର ପ୍ରିୟ ଆରାଧ୍ୟ ଦେବଦେବୀଙ୍କୁ ଦୂର ଗାଁର ନିଭୃତ ଜାଗାରେ ଲୁଚେଇ ରଖିଥିଲେ ।

 

ଭାଗାଟର ବିଚ୍‌ ପାଖେ ଆସି ବସ୍‌ଟି ଏବେ ରହିଥିଲା । ଏ ଜାଗାଟି ଖୁବ୍‌ ସୁନ୍ଦର । ଆଞ୍ଜୁଳାଏ ଥଣ୍ଡାପବନ ଯେମିତି ଖରାଧାସରେ ଝାଉଁଳି ପଡ଼ିଥିବା ସିଦ୍ଧାର୍ଥର ମୁହଁକୁ କିଏ ଛାଟିଦେଲା-! ସମୁଦ୍ର କୂଳର ନଡ଼ିଆ ଗଛମାନେ ଦିଶୁଥିଲେ ତଉଲିଆରେ ମୁଣ୍ଡ ପୋଛି ଆଇନା ଆଗରେ ମୁଣ୍ଡ କୁଣ୍ଡେଇବାକୁ ଛିଡ଼ା ହୋଇଥିବା ଝାମ୍ପୁରାମୁଣ୍ଡିଆ ପିଲାମାନଙ୍କ ପରି । ଚମତ୍କାର ସେ ଦୃଶ୍ୟ । ଈଶ୍ୱର ଗୋଆକୁ ମାଳେ ବେଳାଭୂଇଁ ଦେଇଛନ୍ତି । ସେଥିରେ ମଣିଷ ମିଶେଇଛି କିଛି ଗୀର୍ଜା ଓ ମନ୍ଦିର । ପ୍ରକୃତି, ଈଶ୍ୱର ଓ ମଣିଷର ସହଯୋଗରେ ଭାରତ ମାନଚିତ୍ରରେ ତିଳଦାନା ପରି ଏହି ଅପାଙ୍‍କ୍ତେୟ ଭୂଗୋଳ ଅରାକ ଶ୍ରୀସମୃଦ୍ଧ ହୋଇପାରିଛି । ପାଲଟିଛି ପର୍ଯ୍ୟଟକଙ୍କ ସ୍ୱର୍ଗ ।

 

ବନ୍ଧୁଜଣକ ସେପଟ ଅଞ୍ଜୁନା ବିଚ୍‌କୁ ଯିବାକୁ ଆମନ୍ତ୍ରଣ କରୁଥିଲେ । ସିଦ୍ଧାର୍ଥ ଆଗେ ଭାଗାଟର ବିଚରେ କିଛି କାଳ କଟେଇବାକୁ ଚାହୁଁଥିଲା । କାଣ୍ଡୋଲିମ ବିଚ୍‌ର କୋଳାହଳ ଏଠି ନାହିଁ-। ଦୋକାନ ବଜାର ସଂଖ୍ୟା କମ୍‌ । ସୁନ୍ଦର ଓ ପରିଷ୍କାର ପରିଚ୍ଛନ୍ନ ଦିଶୁଛି ସମୁଦ୍ର ବେଳାଭୂଇଁ । ଦନ୍ତୁରିତ ପଥୁରିଆ ଉପକୂଳ, ଯେତେ ବୁଲିଲେ ବି ପାଦ ଅପରିଷ୍କାର ହୁଏ ନାହିଁ । ଉଜ୍ଜ୍ୱଳ ଆଲୋକର ବ୍ୟବସ୍ଥା କରାଯାଇଛି କୂଳେ କୂଳେ । ପାହାଡ଼ ମୁଣ୍ଡିଆ ଉପରେ ଧାଡ଼ି ଧାଡ଼ି ସିମେଣ୍ଟ ବେଞ୍ଚ । ସେଇଠି ବସିଲେ ଦୂର ଚକ୍ରବାଳ ଯାଏ ଲମ୍ବିଥିବା ସମୁଦ୍ର ଦିଶିଯାଏ ।

 

ଆଉ କିଛିକାଳ ଏମିତି ହୁଏତ ବସି ରହିଥାନ୍ତା ସିଦ୍ଧାର୍ଥ । ବନ୍ଧୁଜଣକ ବାରମ୍ବାର କ୍ୟାମେରା କ୍ଲିକ୍‌ କରି ତହିଁ ଭିତରେ ଗୋଆର ସମୁଦ୍ର, ଆକାଶ, ନଡ଼ିଆଗଛ ଓ ପର୍ଯ୍ୟଟକମାନଙ୍କୁ ଧରି ରଖିବାର ଉଦ୍ୟମ କରୁଥାଆନ୍ତି । ପାଖ ଦେଇ ସାନଝିଅଟିଏ ଯାଉଥିଲା । ବୟସ ଦଶ ବାର ବର୍ଷ ହେବ । ମୁଣ୍ଡରେ ପାଛିଆଟିଏ । କୌତୂହଳବଶତଃ ସିଦ୍ଧାର୍ଥର ବନ୍ଧୁ ତା ଆଡ଼କୁ ଚାହିଁଲେ । ଝିଅଟିର ଆଖି ଗ୍ରାହକ ଈଶ୍ୱରଟିଏ ପାଇଯାଇଥିବାର ଖୁସିରେ ଉଜ୍ଜ୍ୱଳି ଉଠିଥିଲା । ପାଖେଇ ଆସି ସେ ତା ଭାଷାରେ ଯାହା କହିଲା ତାର ଅର୍ଥ ହେଲା, ‘ବିଅର୍‌ ନେବ ବାବୁ ? ବିଅର୍‌ ?’ ସିଦ୍ଧାର୍ଥ ଚମକି ପଡ଼ିଲା । ବିଅର୍‌ ଶବ୍ଦଟା ତା ପାଇଁ ଅପରିଚିତ ନୁହେଁ । ମାତ୍ର ସାନଝିଅଟିଏ ପାଛିଆରେ ବିଅର୍‌ ବୋତଲ ମୁଣ୍ଡେଇ ବିକୁଥିବାର ଦୃଶ୍ୟ ହିଁ ଥିଲା ତା ପାଇଁ ବିରଳ । ସିଦ୍ଧାର୍ଥ ମନାକଲା, ‘ନା, ଆମର ଲୋଡ଼ା ନାହିଁ ।’ ଝିଅଟି ସେମାନଙ୍କ ଚାରିପଟେ ଘୂରି ପୂର୍ବର ଅନୁରୋଧକୁ ଦୋହରାଉଥିଲା, ‘ବାବୁ, ଗୋଟାଏ ବିଅର୍‌ ନିଅ । ଗୋଟାଏ... ।’

 

ସିଦ୍ଧାର୍ଥ ତା ବନ୍ଧୁର ହାତ ଧରି ବସ୍‌ ଆଡ଼କୁ ନେଇ ଆସୁଥିଲା । କୂଳକୁ ଓହ୍ଲେଇବାବେଳେ ସେମାନେ ଅଞ୍ଜୁନା ବିଚ୍‌ ଓ ଭାଗାଟର ବିଚ୍‌ ମଝି ରାସ୍ତାରେ ଓହ୍ଲେଇ ଥିଲେ । ଫେରିବାବେଳକୁ ବିପରୀତ ଦିଗରେ ଫେରିଲେ । ମାରିଜୁଆନା ଓ ଗଞ୍ଜେଇ ଧୂଆଁରେ ଜାଗାଟି ବିଷାକ୍ତ ପାଲଟିଯାଇଛି-। ଦଳ ଦଳ ବିଦେଶୀ ବିଦେଶିନୀ ତାଟି ଘେରା ରେସ୍ତୋରାଁର ଗଞ୍ଜେଇ ଧୂଆଁ ଓ ପାନପାତ୍ରର ଝଣ୍‌ଝଣ୍‌ ଶବ୍ଦ ଭିତରେ ଗୋଆର ବନ୍ଦନା ଗାଉଥାନ୍ତି । ଗାଇଡ୍‌ ସେମାନଙ୍କୁ ଦେଇଥିବା ସମୟ ବିତିଗଲାଣି । ଏହାପରେ ସେମାନେ ଯିବେ ଆଗୁଡା ଫୋର୍ଟ ।

 

ବସ୍‌ ପାଖକୁ ଫେରିବା ବାଟରେ ସିଦ୍ଧାର୍ଥ ଆଖିରେ ସେହି ସାନଝିଅର ଅସହାୟ ଚେହେରା ବାରମ୍ବାର ନାଚିଯାଉଥିଲା । ସେ ବିଅରଟେ କିଣିଥିଲେ ହୁଏତ ବିଚାରୀ ଦୁଇଟଙ୍କା ପାଇଥାନ୍ତା । କିନ୍ତୁ ଏମିତି ଏକ ସାନଝିଅ ହାତରୁ ମଦ କିଣିବା ଭଳି ମାନସିକତା ସଂଗ୍ରହ କରିବା କିଛି ଊଣା କଷ୍ଟକର ନୁହେଁ । ବସ୍‌ ଭିତରୁ ସିଦ୍ଧାର୍ଥର ଝିଅ ଡାକୁଥିଲା, ‘ବାପା ଆସ ଆସ, ବସ୍‌ ଛାଡ଼ିଦେବ ।’ ସିଦ୍ଧାର୍ଥ ଆଉ ଥରେ ଭାଗାଟର ବିଚ୍‌ର ଅସ୍ତଗାମୀ ସୂର୍ଯ୍ୟ, ତାର ସୁନ୍ଦର ଚେହେରା ଏବଂ ପାହାଡ଼ ଛାତିରୁ ନଇଁ ପଡ଼ୁଥିବା ନଡ଼ିଆ ଗଛମାନଙ୍କୁ ଦେଖିନେବାକୁ ଚାହୁଁଥିଲା । କିନ୍ତୁ ନୂଆ ବହିଟିର ଚକ୍‌ ଚକ୍‌ ମଲାଟ ଉପରେ ନେସି ହୋଇଯାଇଥିବା ମେଞ୍ଚାଏ କଳାଦାଗ ପରି, ଭାଗାଟର ବିଚ୍‌ର ସ୍ୱର୍ଣ୍ଣାଭ ଚେହେରା ଉପରୁ ଉକୁଟି ଉଠୁଥିବା ସେଇ ସାନଝିଅଟିର ଅସହାୟ ଚେହେରାକୁ ସେ ଭୁଲିପାରୁ ନ ଥିଲା ।

Image

 

ବଇନି

 

ଭଦ୍ରଲୋକ ତାଙ୍କର ଗୋଆ ଭ୍ରମଣର ଅନୁଭୂତି ବର୍ଣ୍ଣନା କରୁଥିଲେ । ବେଳେବେଳେ ସେ ତାଙ୍କର ଅନୁଭୂତି ବର୍ଣ୍ଣିବାରେ ଏତେ ଅନ୍ୟମନସ୍କ ହୋଇପଡ଼ୁଥିଲେ ଯେ ହାତରୁ ତାସ୍‌ ପକେଇବାକୁ ଭୁଲି ଯାଉଥିଲେ । ଅନ୍ୟ ଖେଳସାଙ୍ଗ ସେକଥା ମନେ ପକେଇଦେବା ପର୍ଯ୍ୟନ୍ତ ଭଦ୍ରଲୋକ ଗୋଆରୁ ଫେରୁ ନ ଥିଲେ ।

 

ଦୂରଯାତ୍ରାରେ ଗଲେ ନୂଆ ସମ୍ପର୍କ ସବୁ ଗଢ଼ିଉଠେ । ତା ନ ହେଲେ ବିଶାଖାପାଟଣାର ନାରାୟଣନ୍‌ ଓ ସିକନ୍ଦରାବାଦର ଡକ୍ଟର ଅଲ୍ଲୀଙ୍କ ସଙ୍ଗେ ସିଦ୍ଧାର୍ଥର କୌଣସି ଦିନ ପରିଚୟ ହୋଇନଥାନ୍ତା । ସେ ଟିକିଏ ଦୂରରେ ଝରକାପାଖ ସିଟ୍‌କୁ ଆବୋରି ବସିଥିଲା । ଏଣେ ତାସଖେଳର ପୃଷ୍ଠପୋଷକତା କରି ସେହି ଆଳରେ ଅପରିଚିତମାନଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିବାକୁ ମନ ଆଗ୍ରହୀ, ତେଣେ ଝରକା ଡେଇଁ ଅଚିହ୍ନା ଜାଗା ସବୁ ଦେଖିବାପାଇଁ ମଧ୍ୟ ବ୍ୟାକୁଳ । ଏପରି ଦୋନାବୁଡ଼ିଆ ନୀତି ଯୋଗୁଁ ସେ କୌଣସିଟାର ଆନନ୍ଦ ଭଲ କରି ଉପଭୋଗ କରିପାରୁ ନ ଥିଲା । କିନ୍ତୁ ସବୁ କିଣିବାକୁ, ସବୁ ଦେଖିବାକୁ ଓ ସବୁ କଥା ଜାଣିବାକୁ ହାଇଁପାଇଁ ତା’ପରି ଲୋକଙ୍କର ସେଇଟା ହିଁ ସମସ୍ୟା ।

 

ଭଦ୍ରଲୋକ କହୁଥିଲେ, ଆପଣ କମଲ ହାସାନ ଅଭିନୀତ, “ଏକ୍‌ ଦୁଜେ କେ ଲିୟେ’ ଦେଖିଛନ୍ତି ତ ? ଆହା, କି ବଢ଼ିଆ ଫିଲ୍ମ । ତାର ଯେଉଁ ଗୀତ । ତା ପରେ ସେ ସେହି ପ୍ରେମସର୍ବସ୍ୱ ଚଳଚ୍ଚିତ୍ରର ମୁଖ୍ୟ ଗୀତରୁ ଦୁଇପଦ ବୋଲିଦେଲେ । ସେଇଟା ସୁଟିଂ ହେଇଛି ଡୋନାପାଉଲା ବିଚରେ । ବଢ଼ିଆ ଜାଗା । ସେଠି ଢେର୍‌ ଶସ୍ତାରେ ବଢ଼ିଆ ବ୍ୟାନିୟନ ମିଳୁଛି । ମୁଁ ତିନି ଚାରିଟା କିଣି ପକେଇଲି । ଦେଖିବେ ? ଆଚ୍ଛା ପରେ । ହଁ ବିଚ୍‌ର ନାଁଟା ଗୋଟେ ଝିଅ ନାଁରେ ହେଇଛି । ସେଇ ପର୍ତ୍ତୁଗୀଜ ଝିଅଟା ଭଲପାଉଥିଲା ଗୋଆର ଗୋଟେ କେଉଟ ଯୁବକକୁ । ପଛକୁ ଝିଅଟା ଆତ୍ମହତ୍ୟା କଲା, ସବୁ ଲଭ୍‌ ଆଫାୟାରରେ ଯେମିତି ହୁଏ । ବିଚାରୀ ! ତାପରେ ଆମେ ଗଲୁ ମିରାମାର ବିଚ୍‌, ଜେସସ୍‌ ଅଫ୍‌ ବାସିଲିକା ଚର୍ଚ୍ଚ । ଏ ଚର୍ଚ୍ଚରେ ସେଣ୍ଟ ଫ୍ରାନ୍ସିସ୍‌ ଜାଭିଏରଙ୍କ ଦେହ ରହିଛି । ପାଞ୍ଚଶହ ବର୍ଷ ହେଲା ସେମିତି ସେ ଦେହ ଉଜ୍ଜ୍ୱଳ ଦିଶୁଛି । ସେ ମୃତ, କିନ୍ତୁ ଜୀବିତ । ବୁଝିପାରିଲେ ନାହିଁ ! କେବେ ଆପଣ ଗୋଆ ଗଲେ ସେ ଜାଗାଟା ଦେଖିବେ ।” ଭଦ୍ରଲୋକଙ୍କ ପାଳି ଆସିଥିଲା, ନିଜ ହାତ ତାସ୍‌ରୁ ପଟେ ପକେଇ ସେ ପୁଣି ନିଜ ଗୋଆ ଅନୁଭୂତି ବର୍ଣ୍ଣନା ଆରମ୍ଭ କଲେ । ‘ତାପରେ ଗଲୁ କୋଲାବା ବିଚ୍‌ । ଏତେ ଚମତ୍କାର ବେଳାଭୂଇଁ ଆଉ କୋଉଠି ଅଛି-? ନଡ଼ିଆଗଛ ଛାଇରେ ସିମେଣ୍ଟ ବେଞ୍ଚ । ମାଡ୍ରାସ ବିଚ୍‌ ପରି ସୁନ୍ଦର ବିଚ୍‌ । ତା ପରଦିନ ମଙ୍ଗେସ୍‌ ଟେମ୍ପଲ ଓ ଶାନ୍ତ ଦୁର୍ଗା ଟେମ୍ପଲ ଦେଖିଲୁ । ଚାରିଦିନ ଖୁବ୍‌ ମଜାରେ ବିତିଗଲା । ନାଇଁ ?’ ଭଦ୍ରଲୋକ ତାଙ୍କ ଯୁକ୍ତି ସପକ୍ଷରେ ସାକ୍ଷ୍ୟ ଦେବାପାଇଁ ନିଜ ବନ୍ଧୁଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ।

 

ବନ୍ଧୁ କହିଲେ, ‘କେବଳ ଭଲ କଥାତକ କହୁଛ । ମାୟେମ ଲେକରେ କଣ ହେଲା କହୁନ-?’

 

ଉତ୍ସାହିତ ଗପୁଡ଼ି ଭଦ୍ରଲୋକ ଟିକିଏ ନିଷ୍ପ୍ରଭ ଦିଶିଲେ । ତାଙ୍କ ମୁହଁର ରଙ୍ଗ ପରିବର୍ତ୍ତନ ଅନ୍ୟମନସ୍କ ସିଦ୍ଧାର୍ଥ ଆଖିକୁ ବି ଏଡ଼ି ଯାଇପାରିଲା ନାହିଁ । ଅନ୍ଧାର ଓହ୍ଲେଇ ଆସିଲାଣି ଟ୍ରେନ୍‌ ଚାରିକଡ଼େ । କଂପାର୍ଟମେଣ୍ଟରେ ବତି ଜଳି ନାହିଁ । ଦଲକା ଦଲକା ଥଣ୍ଡାପବନ ପଶିଆସୁଛି କଂପାର୍ଟମେଣ୍ଟ ଭିତରକୁ । ଫଗୁଣ ସଂଧ୍ୟାର ଅଯାଚିତ ପବନ ପରଷା ଦୂରବିଦେଶରୁ ଫେରିଥିବା ଗୋଟିଏ ବୋଲି ପୁଅକୁ ମାଆର ଭାତପରଷା ପରି । ଆପଣାକୁ ରିକ୍ତ କରି, ଶୂନ୍ୟ କରି ଅପରକୁ ପରିତୃପ୍ତ କରିବାର ଏ କୌଶଳ ଜଣା କେବଳ ମା’କୁ, ଫଗୁଣକୁ ।

 

ସିଦ୍ଧାର୍ଥ ଏଥର ବାହାରୁ ଆଖି ଫେରେଇ ଆଣିଲା । ଭଦ୍ରଲୋକଙ୍କ ଗୋଆ ଅନୁଭୂତି ଶୁଣିବାରେ ତାର ବିଶେଷ ଆଗ୍ରହ ନ ଥିଲା । କିନ୍ତୁ ଅନ୍ଧାର ଯୋଗୁଁ ବାହାର ପୃଥିବୀର ଦୃଶ୍ୟ ଆଉ କିଛି ଦିଶୁ ନ ଥିଲା । କେବଳ ଅନୁମାନ କରି ହେଉଥିଲା ଟ୍ରେନ ଦୁଇକଡ଼େ ଶ୍ୟାମଳ ସବୁଜିମା । କେଉଁଠି ଆଖୁ, କେଉଁଠି ମାଣ୍ଡିଆ, କେଉଁଠି କଦଳୀ ଓ କେଉଁଠି ପନିପରିବା । ବାହାରକୁ ଗଲେ ନିଜ ଘରକଥା ବରାବର ମନେପଡ଼େ । ମନେପଡ଼େ ଓଡ଼ିଶା ଓ ଓଡ଼ିଶାର ନୁଖୁରା ହତଶ୍ରୀ ଚେହେରା । ଓଡ଼ିଶାର ରେଳରାସ୍ତା ଦୁଇକଡ଼େ ଏମିତି ସବୁଜିମା ଦିଶେ ନାହିଁ । ଚାରିଆଡ଼ ଦିଶେ ଖାଁ ଖାଁ ମରୁଭୂଇଁ-। ସେଠି ଅଙ୍ଗୁର ନ ହେଲା ନାହିଁ, କଞ୍ଚାଲଙ୍କା କି କଦଳୀଚାଷ ହୁଅନ୍ତା ନାହିଁ ବର୍ଷସାରା ?

 

ଭଦ୍ରଲୋକ ମେୟମ ଲେକ୍‌ର ଅନୁଭୂତି କହୁଥିଲେ । ବୋଟିଂ ସାରି ଲେକ୍‌ ସେକଡ଼ ରେସ୍ତୋରାଁରେ ସେମାନେ ଖାଇଥିଲେ । ସେତେବେଳକୁ ତିନିଦିନ ଗୋଆରେ ବିତିଲାଣି । କିନ୍ତୁ ଭଦ୍ରଲୋକଙ୍କୁ କୌଣସି ଖାଦ୍ୟ ଭଲ ଲାଗୁ ନ ଥାଏ ସେଠି । ସବୁ ନଡ଼ିଆ ତେଲରେ ରନ୍ଧା । ଭଦ୍ରଲୋକ ସୋରିଷ ତେଲ ବିନା ଚଳିପାରନ୍ତି ନାହିଁ । ରିଫାଇନ୍‌ ତେଲ ହେଲେ ଗୋଟାଏ ପ୍ରକାର ଚଳିଯାଇଥାନ୍ତା । ରେସ୍ତୋରାଁ ବୟ ମେନ୍ୟୁ କାର୍ଡ଼ ରଖି ଦେଉ ଦେଉ ଆମିଷାଶୀ ଭଦ୍ରଲୋକଙ୍କ ନଜର ପଡ଼ିଥିଲା ‘ଫିସ୍‌’ ଶବ୍ଦ ଉପରେ । ତତ୍‌କ୍ଷଣାତ୍‌ ଅର୍ଡ଼ର ଦେଇଦେଲେ । ସୁଦୀର୍ଘ ପ୍ରତୀକ୍ଷା ପରେ ରେସ୍ତୋରାଁ ବୟ ଯେଉଁ ମଧ୍ୟକାୟ ତାଟିଆରେ ତାଙ୍କୁ ମାଛ ତରକାରି ନାଆଁରେ ଥୋଡ଼ାଏ ଝୋଳ ଆଣି ଦେଇଥିଲା ତାହାର ଚେହେରା ଦେଖୁ ଦେଖୁ ସେ ଗଭୀର କ୍ଷୋଭ ଓ ନୈରାଶ୍ୟରେ ଭାଙ୍ଗି ପଡ଼ିଥିଲେ । ତାଟିଆର ଗଭୀରତା ଓ ତା ଭିତରର ପାଣିଚିଆ ଝୋଳ ଭିତରେ ଅଦୃଶ୍ୟ କ୍ଷୁଦ୍ର ମାଛ ଖଣ୍ଡମାନଙ୍କୁ ଠାବ କରିବା, ସମୁଦ୍ର ଭିତରେ ଜୀଅନ୍ତା ପାମ୍ପ୍ରେଟ ମାଛକୁ ଠାବ କରିବା ପରି ଆୟାସସାଧ୍ୟ ଥିଲା । ସବୁଠୁ ବଳି ଦୁଃଖର କଥା ଥିଲା ଯେ ରେସ୍ତୋରାଁର ପାମ୍ପ୍ରେଟ ମାଛ ତରକାରି ମଧ୍ୟ ନଡ଼ିଆ ତେଲରେ ରନ୍ଧା ହୋଇଥିଲା । ଲେକରେ ବୋଟିଂ କରିବାର ଆନନ୍ଦ, ଲେକ୍‌ କୂଳେ କୂଳେ ସନ୍ତରଣ କରୁଥିବା ମାଛ ଯାଆଁଳଙ୍କୁ ବିସ୍କୁଟ ଟୁକୁଡ଼ାରେ ମୋହିତ କରିପାରିବାର ଉଲ୍ଲାସ, ହଂସମାନଙ୍କର ଚଞ୍ଚଳ ସ୍ୱଭାବ ସତ୍ତ୍ୱେ ସେମାନଙ୍କ ସନ୍ତରଣର ଭଙ୍ଗୀକୁ କ୍ୟାମେରାରେ ବନ୍ଦୀ କରି ରଖିବାର ସାମର୍ଥ୍ୟ ସବୁ ବିସ୍ମୃତ ହୋଇଯାଇଥିଲା । କେବଳ ଭାତ ଗଣ୍ଡାକ ଯେନତେନପ୍ରକାରେଣ ଗିଳିଦେଇ ସେ ଖାଇବା କାମ ଶେଷ କରିଥିଲେ । ତେବେ ଭଦ୍ରଲୋକଙ୍କ ବିପଦ ସେଇଠି ସରି ନ ଥିଲା । ମାଗଣାରେ ମିଳିଥିଲେ ମଧ୍ୟ ସେଇ ତରକାରି ଖାଇବାକୁ ପ୍ରସ୍ତୁତ ନ ଥିବା ତାଙ୍କପରି ଜଣେ ଗ୍ରାହକ ପାଇଁ ଯେଉଁ ବିଲ୍‌ଟି କାଉଣ୍ଟର ପାଖରେ ଅପେକ୍ଷା କରିଥିଲା ଓ ସେଥିରେ ‘ପାମ୍ପ୍ରେଟ କାରି’ର ଯେଉଁ ଦର ଉଲ୍ଲିଖିତ ଥିଲା ତାକୁ ପଢ଼ିବା ହିଁ ଥିଲା ଜୀବନର ସବୁଠୁ ବଡ଼ ଦୁର୍ଘଟଣା ! କାରଣ ସେଇ ତରକାରି ଗିନାକର ଦାମ୍‌ ଥିଲା ପଚସ୍ତରି ଟଙ୍କା !

 

ସିଦ୍ଧାର୍ଥ ହସିଉଠିଲା, ଅନ୍ୟମାନେ ମଧ୍ୟ । ଏତେଗୁଡ଼ିଏ ହସ ମେଳରେ ଭଦ୍ରଲୋକଙ୍କ ମୁହଁଟି ଆହୁରି କରୁଣ ଦିଶିଲା । ସହାନୁଭୂତି ବଦଳରେ ବନ୍ଧୁମାନେ ପରିହାସ କରୁଛନ୍ତି, ଏଇ କଥାଟା ହିଁ ତାଙ୍କୁ ଦୁଃଖିତ କରୁଥିଲା । ନିଜର ଦୂରଦୃଷ୍ଟିର ଅଭାବ କଥାଟା ଏବେ ଅନ୍ୟମାନଙ୍କର ଉପହାସର ସାମଗ୍ରୀ ହୋଇ ପଡ଼ିଥିବାରୁ ତାଙ୍କର ଚାଲାକିପଣିଆ ଆହତ ହେଉଥିଲା ।

 

ତା ପରେ ଖେଳ ଜମି ନ ଥିଲା । ଯିଏ ଯାହାର ଜାଗାକୁ ଫେରି ଯାଇଥିଲେ । ସିଦ୍ଧାର୍ଥ ଉପର ବର୍ଥକୁ ଉଠିଯାଇ ଶୋଇପଡ଼ିଥିଲା । ଏକ୍ସପ୍ରେସ ଟ୍ରେନ୍‌ଟା ଆନ୍ଧ୍ରରେ ପଶୁ ପଶୁ ପାସେଞ୍ଜର ହୋଇଯାଇଥିଲା । ଭୁବନେଶ୍ୱରରେ କାଲି ପହଞ୍ଚିବ କି ନାହିଁ କିଏ ଜାଣେ ?

 

ସକାଳୁ ଚା’ବିକାଳିଙ୍କ ପାଟିରେ ସିଦ୍ଧାର୍ଥର ନିଦ ଭାଙ୍ଗିଲା । ଗୋଆରୁ ଫେରୁଥିବା ଭଦ୍ରଲୋକ ତଳୁ ଥାଇ ସିଦ୍ଧାର୍ଥ ଆଡ଼କୁ ଚାହିଁଲେ । ବନ୍ଧୁତାର ଖିଅ ଯୋଡ଼ୁଥିବା ସିଦ୍ଧାର୍ଥ ତାଙ୍କୁ ସୁପ୍ରଭାତ ଜଣାଇଲା । ଟ୍ରେନଟା ରହିଥିଲା ପଲାସା ଷ୍ଟେସନରେ । କାହିଁକି କେଜାଣି ପଲାସା ଧରିଲେ ଓଡ଼ିଶାକୁ ଫେରିଆସିଲା ପରି ଲାଗେ । ଏମିତି କେତେ ଓଡ଼ିଆ ଗାଁ, ଓଡ଼ିଆ ମଣିଷ ଆଜି ଏପଟ ଆନ୍ଧ୍ରରେ ତ ସେପଟ ବିହାର ଓ ପଶ୍ଚିମବଙ୍ଗରେ ।

 

ସାନ ପିଲାଟିଏ କାକୁଡ଼ି ବିକିବାକୁ ଉଠି ଆସିଥିଲା କଂପାର୍ଟମେଣ୍ଟ ଭିତରକୁ । କାକୁଡ଼ି ଗୋଟାକୁ ଟଙ୍କାଏ । ଅନେକ ଯାତ୍ରୀ ସେ ପର୍ଯ୍ୟନ୍ତ ଉଠି ନାହାନ୍ତି । କେହି କେହି ଚା କି କଫି ଲୋଡ଼ୁଥାନ୍ତି । ଏତେ ସକାଳୁ ସକାଳୁ କାକୁଡ଼ି କିଏ ଖାଏ ? ପିଲାଟି ଆଖିରେ ଆସ୍ଥା ଓ ବିଶ୍ୱାସ । ବମ୍ବେରୁ ବାବୁମାନେ ଫେରୁଛନ୍ତି । ଜୁହୁରେ ଚଣା ଚାରିଟାକୁ ଦୁଇଟଙ୍କା, ପଇଡ଼ ଗୋଟାକୁ ଆଠଟଙ୍କା, କେତେ ପଇସା ଉଡ଼େଇଥିବେ ! କାକୁଡ଼ି ଗୋଟାକୁ ଟଙ୍କାଏ ମାତ୍ର, କିଣିବେ ନାହିଁ ?

 

ସିଦ୍ଧାର୍ଥ ପିଲାଟିକୁ ଡାକିଲା ଓ କହିଲା ‘ଦୋ କାକୁଡ଼ି’ । ତାର ହିନ୍ଦୀ ଉଚ୍ଚାରଣ ଭଙ୍ଗୀରୁ ପିଲାଟା କଣ ବୁଝିଲା କେଜାଣି ସାଙ୍ଗେ ସାଙ୍ଗେ ଓଡ଼ିଆରେ କଥା ଫେରେଇଲା । ‘ଦିଇଟା ଦେବି ବାବୁ ?’ ସିଦ୍ଧାର୍ଥ ଲଜ୍ଜିତ ହେଲା । କାକୁଡ଼ି ବିକାଳି ପିଲାଟି ପାଖରେ ନିଜର ହୀନମ୍ମନ୍ୟତା ଧରା ପଡ଼ିଯାଇଥିଲା ।

 

ପିଲାଟି କାକୁଡ଼ି ଉପରୁ ଚୋପା ଛଡ଼େଇ, ତାକୁ ଚାରି ଗଡ଼ କରି ଚିରି ଓ ପେଟରେ ଲୁଣ ମରିଚଗୁଣ୍ଡ ଦେଇ ବଢ଼େଇଦେଲା । ସିଦ୍ଧାର୍ଥ ଟଙ୍କା ଦେବା ପୂର୍ବରୁ ଗୋଆ ଫେରନ୍ତା ବନ୍ଧୁ ମୋଡ଼ିମାଡ଼ି ପକେଟରେ ରଖିଥିବା ଦୁଇଟଙ୍କିଆ ନୋଟଟେ ବଢ଼େଇ ଦେଲେ । ଉପର ବର୍ଥରୁ ସିଦ୍ଧାର୍ଥ ବି ଦିଟଙ୍କିଆ ନୋଟ୍‌ଟି କାଢ଼ି ରଖିଥିଲା, ଭଦ୍ରଲୋକଙ୍କୁ କୃତଜ୍ଞତା ଜଣାଇ ସେଇଟା ଫେରେଇନେଲା ।

 

ପିଲାଟି ପାଇଁ ସେ ଦି ଟଙ୍କା ହିଁ ଥିଲା ସକାଳର ପ୍ରଥମ ବଇନି । ଟ୍ରେନ୍‌ ଷ୍ଟେସନ ଛାଡ଼ି ଦେଇଥିଲା । ଦି ଟଙ୍କିଆ ନୋଟ୍‌ଟିକୁ ତରତରରେ ପକେଟରେ ଭର୍ତ୍ତି କରିବା ପୂର୍ବରୁ ପିଲାଟି ତାକୁ ଯେପରି ଗଭୀର ପ୍ରେମ ଓ ଆଗ୍ରହରେ ଚୁମାଦେଇ ମୁଣ୍ଡ ଆଉ ଛାତିରେ ଲଗେଇଲା, ସିଦ୍ଧାର୍ଥ ସେ ଦୃଶ୍ୟ ଦେଖି ଅଭିଭୂତ ହୋଇପଡ଼ିଥିଲା । ପ୍ରଥମ ଗରାଖର ବଇନି ପଇସାକୁ ଦୋକାନୀମାନେ ସମ୍ମାନର ସହ ପ୍ରଣାମ କରି ରଖିବାର ଅନେକ ଦୃଶ୍ୟ ସିଦ୍ଧାର୍ଥ ଦେଖିଛି । କିନ୍ତୁ ଏହି ତେର ଚଉଦ ବର୍ଷର ନେଳୀ କୁର୍ତ୍ତା ପିନ୍ଧା, ନଡ଼ବଡ଼ିଆ କାଳିଆ ପିଲାଟି ଯେମିତି ଦିଟଙ୍କିଆ ନୋଟ୍‌ଟିକୁ ପ୍ରାଣର ସବୁଯାକ ଶ୍ରଦ୍ଧା ଓ ସମ୍ମାନ ଦେଇ ବୋକ ଦେଇଥିଲା ସେପରି ଦୃଶ୍ୟ ସିଦ୍ଧାର୍ଥ ଆଗରୁ ଦେଖି ନାହିଁ । ଏତେ ଆତୁରପଣ, ଏତେ ମମତା କଷ୍ଟୋପାର୍ଜିତ ଟଙ୍କା ଦିଇଟି ପାଇଁ !

 

ପିଲାଟି ଷ୍ଟେସନରେ ଓହ୍ଲେଇ ଯାଇଥିଲା । ଟ୍ରେନର ଗତି ମଧ୍ୟ ବଢ଼ିଥିଲା । ଗୋଆ ଫେରନ୍ତା ଭଦ୍ରଲୋକ କାକୁଡ଼ି ଚୋବଉଥିଲେ । ସିଦ୍ଧାର୍ଥ ତଥାପି ମନେ ପକାଉଥିଲା ପିଲାଟାର ଟଙ୍କାକୁ ବୋକ ଦେବା ଦୃଶ୍ୟ ।

 

ସେତିକିବେଳେ ହିଁ ଘଟିଲା ବିସ୍ଫୋରଣ । ଗୋଆ ଫେରନ୍ତା ଭଦ୍ରଲୋକ ସିଦ୍ଧାର୍ଥ ଆଡ଼କୁ ଚାହିଁଲେ ଓ ଆଖି ନଚେଇ ଗୁରୁତ୍ୱପୂର୍ଣ୍ଣ କଥାଟେ କହିବାର ମୁଦ୍ରାରେ କହିଲେ, “ଜାଣିଲେ ଆଜ୍ଞା, ମୁଁ ବି କମ୍‌ ଚାଲାକ ନୁହେଁ । ଦେଖିଲେ ତ, ଚିରା ଅଚଳ ଦିଟଙ୍କିଆକୁ କେମିତି ଚଳେଇଦେଲି !”

 

ସିଦ୍ଧାର୍ଥ ପ୍ରଥମେ କିଛି ବୁଝିପାରିଲା ନାହିଁ । ସେ କାକୁଡ଼ିଖିଆ ବନ୍ଦ କରି ଭଦ୍ରଲୋକଙ୍କୁ ଚାହିଁଲା । ଭଦ୍ରଲୋକ ପୁଣି କହିଲେ, “ସେ ଦିଟଙ୍କିଆଟା ପୂରା ଚିରି ଯାଇଥିଲା । ଭିତର ସାରା କଣା । ତାକୁ କିନ୍ତୁ ମୋଡ଼ିମାଡ଼ି ଏମିତି ସାଇଜ୍‌ କରିଦେଇଥିଲି ଯେ ସେ ଟୋକା କଣ ତା ବାବା ବି ଟେର୍‌ ପାଆନ୍ତା ନାହିଁ । ଭାଙ୍ଗ ଖୋଲିବାକୁ ପରା ଦଶ ମିନିଟ୍‌ ଲାଗିଯିବ !”

 

ସିଦ୍ଧାର୍ଥ ଆଉ କିଛି ଶୁଣିପାରୁ ନ ଥିଲା । ତା ଆଖି ସାମ୍ନାରେ ଏବେ କେବଳ ସେଇ କାକୁଡ଼ି ବିକାଳି ସାନପିଲାଟିର ମୁହଁ, ଦିଟଙ୍କିଆ ନୋଟ୍‌ଟିକୁ ବୋକ ଦେଇ ପକେଟରେ ରଖିବାର ମୁଦ୍ରା ଓ ଘରେ ପହଞ୍ଚି ବଇନି ଟଙ୍କାଟାର ଦୁର୍ଦ୍ଦଶା ଦେଖି କାନ୍ଦି ପକାଉଥିବାର ଦୃଶ୍ୟ ନାଚି ଯାଉଥିଲା-। ମେୟମ ଲେକ୍‌ ରେସ୍ତୋରାଁରେ ନିଜର ଅପରିଣାମଦର୍ଶିତା ଯୋଗୁଁ ଠକିଥିବା ଭଦ୍ରଲୋକ ନିଜ ରାଜ୍ୟର ଗରିବ ପିଲାଟିଏକୁ ଠକିସାରିବା ପରେ ଅଦ୍ଭୁତ ଭାବରେ ନିଜକୁ ହାଲୁକା ଅନୁଭବ କରୁଥିଲେ । ସିଦ୍ଧାର୍ଥ ତାଙ୍କ ଆଡ଼େ ଚାହିଁପାରୁ ନ ଥିଲା । କେବଳ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲା, ପିଲାଟା ଅନ୍ତତଃ ଦିନ ମଝିରେ ସେ ଅଚଳ ଦୁଇଟଙ୍କାକୁ ଖୋଲି ନ ଦେଖୁ । ତା ହେଲେ ତାର ଦିନଟା ହିଁ ମାଟି ହୋଇଯିବ ।

Image

 

ଚିହ୍ନା ମଣିଷ, ଅଚିହ୍ନା ସ୍ୱର

 

ବେଶ୍‌ କିଛି ବର୍ଷ ବିଦେଶରେ ରହିବା ଯୋଗୁଁ ଇଚ୍ଛାକୃତ ହେଉ ବା ଅନିଚ୍ଛାକୃତ ଭାବେ ହେଉ ମାତୃଭାଷା ଭୁଲିଯାଇଥିବା ସେହି ବାଦାମୀ ସାହେବଙ୍କ କଥାଗୁଡ଼ିକୁ ‘ବିଚରା’ କିଛି ପରମ ଆଗ୍ରହରେ ଶୁଣୁଥିଲେ । ତାଙ୍କ କଥାବାର୍ତ୍ତାରେ ‘ଷ୍ଟେଟ୍‌ସ’ର ଜୀବନଧାରଣ ପଦ୍ଧତିଠୁ ଆରମ୍ଭ କରି ସେଠାକାର ଦୃଷ୍ଟିଭଙ୍ଗୀ ଓ ମୂଲ୍ୟବୋଧ ପ୍ରତି ଯେତିକି ସମ୍ମାନ ଓ ଆଗ୍ରହ ପ୍ରକାଶ ପାଉଥିଲା, ଏ ଦେଶର ପ୍ରଶାସନ, ଶିକ୍ଷାବ୍ୟବସ୍ଥା ଓ ଜନସାଧାରଣଙ୍କ ଦୃଷ୍ଟିଭଙ୍ଗୀ ପ୍ରତି ସେତିକି ଅସମ୍ମାନ ଓ ଅନାଗ୍ରହ ଫୁଟି ଉଠୁଥିଲା । ଏଭଳି ପରିସ୍ଥିତିରେ କୌଣସି ସଭ୍ୟ ମଣିଷ କଦାପି ରହିପାରେ ନାହିଁ– ଏହାହିଁ ମୋଟାମୋଟି ଭାବେ ଥିଲା ତାଙ୍କ ବକ୍ତବ୍ୟର ନିର୍ଯ୍ୟାସ ।

 

ପ୍ରାୟ କୋଡ଼ିଏ ପଚିଶ ବର୍ଷ ତଳେ ଭଦ୍ରଲୋକ ଓଡ଼ିଶାରୁ ଡାକ୍ତରୀ ଶିକ୍ଷା ସମାପ୍ତ କରି ତାଲିମ ନିମନ୍ତେ ଯାଇଥିଲେ ବିଦେଶ । ସେତେବେଳେ ବିଦେଶକୁ ଯିବାପାଇଁ ଆବଶ୍ୟକ ସମ୍ବଳ ନ ଥିଲା ତାଙ୍କ ପରିବାର ପାଖରେ । ଓଡ଼ିଶାର କିଛି ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନର ସହାୟତାରେ ସେ ସଂଗ୍ରହ କରିଥିଲେ ଆବଶ୍ୟକ ପୁଞ୍ଜି ଓ ଉଚ୍ଚଶିକ୍ଷା ପାଇଁ ଯାଇଥିଲେ ଆମେରିକା । ଆମେରିକା ଯିବା ପୂର୍ବରୁ ସେ ସଭିଙ୍କର ଶୁଭେଚ୍ଛା ଓ ଆଶୀର୍ବାଦ ଭିକ୍ଷା କରିଥିଲେ ଏବଂ ପ୍ରତିଶ୍ରୁତି ଦେଇଥିଲେ ଯେ ଖୁବ୍‌ ଶୀଘ୍ର ସେ ଫେରିଆସିବେ ଗରିବ ଓଡ଼ିଶାର ସେବାକରିବା ପାଇଁ । ମାତ୍ର ଏ ଦେଶର ରାଜନୈତିକ ନେତା କେବଳ ନୁହନ୍ତି; ଯୋଗ୍ୟ, ମେଧାବୀ, ଉଚ୍ଚଶିକ୍ଷିତକୁଳ ମଧ୍ୟ ସ୍ୱଳ୍ପ ସମୟ ଭିତରେ ପ୍ରତିଶ୍ରୁତିକୁ ଭୁଲିଯିବାର କଳାଟି ଯେ କେଉଁକାଳୁ ଆୟତ୍ତ କରିସାରିଲେଣି, ଏକଥା ସେତେବେଳେ ଅନେକେ ସ୍ମରଣ କରି ନ ଥିଲେ ।

 

ଏବେ ଭଦ୍ରଲୋକ ସେଠିକାର ନାଗରିକତ୍ୱ ଗ୍ରହଣ କରିସାରିଛନ୍ତି । ତାଙ୍କର ପୁଅଝିଅମାନେ ସେଠା ସମ୍ଭ୍ରାନ୍ତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ । ଭଦ୍ରଲୋକ ଭୁଲିଗଲେଣି ଓଡ଼ିଶା, ଓଡ଼ିଶାରେ ତାଙ୍କ ନଈକୂଳିଆ ଗାଆଁ, ଗାଆଁ ପ୍ରାଇମେରୀ ସ୍କୁଲର ହେଡ୍‍ପଣ୍ଡିତଙ୍କ ନାଲିଆଖି, ନିଦୁଆଳି ଧାନକ୍ଷେତର ସବୁଜିମା, କାଇଁଚକୋଳିର ରଙ୍ଗ, ପଖାଳ-ବଡ଼ିଚଟଣିର ମୋହ ଓ ଆଉ ଆଉ ମଫସଲୀ ସ୍ମୃତିସବୁ । ତାଙ୍କ ଆଖିରେ ନାଚୁଛି ନ୍ୟୁୟର୍କ ସହରର ରଙ୍ଗ, ଆମେରିକାର ଧନାଢ଼୍ୟ ଚେହେରା, ହାଇ-ଫାଇ ସୋସାଇଟୀର ଲୋଭନୀୟ ଚିତ୍ର ଓ ଚରିତ୍ର । ଭଦ୍ରଲୋକଙ୍କ ପାଖେ ଆଜି ଆବେଗ ନାହିଁ, ଅଛି ବେଗ ।

 

ସେ କହୁଥିଲେ, ସେଠି ସ୍କୁଲ-କଲେଜ-ବ୍ୟାଙ୍କ୍‌ ହସ୍‌ପିଟାଲର କାର୍ଯ୍ୟଦକ୍ଷତାର କଥା, ସେଠା ମଣିଷଙ୍କ ପ୍ରାଚୁର୍ଯ୍ୟ, ସମୟ ଜ୍ଞାନ, ଦାୟିତ୍ୱବୋଧ ଓ ଶୃଙ୍ଖଳାବୋଧର କଥା । ଓଡ଼ିଶା ତାଙ୍କ ପାଖେ ଗୋଟେ ଦରିଦ୍ର ଉଜୁଡ଼ା କଳାହାଣ୍ଡି, ଶୋଷଣ ଓ ଦାରିଦ୍ର୍ୟର ଦୟନୀୟ ଦସ୍ତାବିଜ । ଭଦ୍ରଲୋକ ଦୟା ବାଣ୍ଟୁଥିଲେ ଅଯାଚିତ ଭାବରେ ଏବଂ ଏକଥା କହି ଆଶ୍ଚର୍ଯ୍ୟ ପ୍ରକାଶ କରୁଥିଲେ ଯେ, “ଏଠି ଏ ଅବସ୍ଥାରେ କେମିତି ମଣିଷମାନେ ବଞ୍ଚୁଛନ୍ତି ?”

 

ସିଦ୍ଧାର୍ଥ ଗାଲରେ କିଏ ଯେପରି କଷି ଦେଇଥିଲା ଗୋଟାଏ ଶକ୍ତ ଚଟକଣା ଠାଏ କରି । ଏସବୁ କଥା ସେ କାହାଠୁ ଶୁଣୁଛି ? କିଏ କହୁଛି ଏସବୁ ? କୌଣସି ଆମେରିକୀୟ ନା ବିଲାତି ସାହେବ ଏପରି କହିଥିଲେ ସିଦ୍ଧାର୍ଥ ଭିତରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଆନ୍ତା ନାହିଁ । ତା ଭିତରେ ଗୋଟାଏ ଅପମାନ ଜର୍ଜରିତ ହୃଦୟ ଏମିତି କଷ୍ଟ ପାଉଛି ଏଇଥିପାଇଁ ଯେ ଓଡ଼ିଶା ଓ ଓଡ଼ିଶାର ତିନିକୋଟି ମଣିଷଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ମଣିଷଟି ନିଜେ ଇ ଜଣେ ଓଡ଼ିଆ, ଏଇଠିକାର ଘର ପୁଅ । ସେ ହିଁ କହୁଛି ଏ ଦେଶ ଖରାପ, ଏ ଦେଶର ବ୍ୟବସ୍ଥା ଖରାପ, ଏଠିକାର ପରମ୍ପରା ଓ ମୂଲ୍ୟବୋଧ ସବୁ ଅଚଳ ମୁଦ୍ରା ।

 

ସିଦ୍ଧାର୍ଥର ମନେପଡ଼ୁଥିଲା, କଟକ କି ଭୁବନେଶ୍ୱରରେ ରହୁଥିବା ଦପ୍ତରୀ-ସାହେବମାନେ ନିରାପଦ ଦୂରତ୍ୱରେ ରହି ଗାଁ ଗହଳରେ ରହୁଥିବା ସରଳ ଓ ଗରିବ ମଣିଷମାନଙ୍କ ପାଇଁ ଅନୁରୂପ ଭାବେ ଦୟା ବାଣ୍ଟିଥାଆନ୍ତି । ସେଠି ଇଂରାଜୀ ସ୍କୁଲ ନାହିଁ, ବିଜୁଳି ଆଲୁଅ ନାହିଁ, କଳ ପାଣି ଓ ଘର ଭିତରେ ପାଇଖାନା ନାହିଁ । ସେଠି ରାସ୍ତା ନାହିଁ, ରାସ୍ତାରେ ବସ୍‌ ନାହିଁ, ବସରେ ସିଟ୍‌ ନାହିଁ । ସେଠି ଦାମୀ ବଜାର ନାହିଁ, ବଜାରରେ ସୌଖୀନ ସାମଗ୍ରୀ ନାହିଁ, ସ୍କୁଲରେ ଶିକ୍ଷକ ନାହାନ୍ତି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ତୁଳା ନାହିଁ, ଗଜକନା ନାହିଁ, ଔଷଧ ନାହିଁ । ସିଏ ଏକ ନାହିଁ-ନାହିଁର ରାଜ୍ୟ । ସେଠିକୁ ବଦଳି ହେଲେ ଡାକ୍ତର ଯାଆନ୍ତି ନାହିଁ, ଅଧ୍ୟାପକ ଯାଆନ୍ତି ନାହିଁ, ସେଠିକି ମନ୍ତ୍ରୀ-ଯନ୍ତ୍ରୀ-ତନ୍ତ୍ରୀ କେହି ଯାଆନ୍ତି ନାହିଁ । ଅଥଚ ଏମାନେ ସମସ୍ତେ ଭୁବନେଶ୍ୱର, କଟକ କି ପୁରୀ ବା ରାଉରକେଲାରେ ଥାଇ ସେମାନଙ୍କ ପାଇଁ ଦୟା ବାଣ୍ଟନ୍ତି, ଖବରକାଗଜରେ କୁମ୍ଭୀର କାନ୍ଦଣା କାନ୍ଦନ୍ତି, ଠିକ୍‌ ଯେମିତି ଏଇ ଭାରତୀୟ ବାଦାମୀ ସାହେବଟି କିଛି କାଳ ଆମେରିକାରେ ରହିଗଲା ପରେ ଏଠା ଲୋକଙ୍କ ପାଇଁ ଆସି ଦୟା ବାଣ୍ଟୁଛନ୍ତି !

 

ସିଦ୍ଧାର୍ଥର ଇଚ୍ଛା ହେଉଥିଲା କହିଦେବାପାଇଁ, ମହାଶୟ ! ଆପଣଙ୍କୁ ଆମେରିକା ଯିବା ପାଇଁ ଯୋଗ୍ୟ କରି ତୋଳିଥିଲା କେଉଁ ନ୍ୟୁୟର୍କ ନା ଲଣ୍ଡନର ପ୍ରାଚୁର୍ଯ୍ୟ ? ଆପଣଙ୍କୁ ଡାକ୍ତରୀ ସ୍ନାତକଟିଏ କରି ତୋଳିବାରେ ଯେଉଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଇଥିଲା, ତାହା ଏହି ଦରିଦ୍ର ଓଡ଼ିଶାର ସଦାଶୂନ୍ୟ ରାଜକୋଷରୁ ଖର୍ଚ୍ଚ ହେଇ ନ ଥିଲା କି ? ଆପଣଙ୍କୁ ଷ୍ଟେଟ୍‌ସ ପଠେଇବା ପାଇଁ ଯେଉଁ ଲକ୍ଷାଧିକ ମୁଦ୍ରା ଖର୍ଚ୍ଚ ହେଇଥିଲା, ତାହା କେଉଁମାନେ ଦେଇଥିଲେ ? ଏହି ଗରିବ ଓଡ଼ିଶାର କିଛି ସ୍ନେହୀ ମଣିଷ ଓ ବଦାନ୍ୟ ଅନୁଷ୍ଠାନ ତ ? ଆପଣ ପ୍ରତିଶ୍ରୁତି ଦେଇଥିଲେ, ଡାକ୍ତରୀ ଶିକ୍ଷା ସାରି ଫେରିବେ । ଯେଉଁମାନେ ଭଲ ଡାକ୍ତରଙ୍କ ଅଭାବ ଯୋଗୁଁ ଦୁରାରୋଗ୍ୟ ବ୍ୟାଧିର ଶିକାର ହୋଇ ଅକାଳରେ ମରିଯାଉଛନ୍ତି ସେମାନଙ୍କୁ ବଞ୍ଚେଇବେ ଧନ୍ୱନ୍ତରୀ ସାଜି ? ଅଥଚ ସେସବୁ ତ ଆପଣ ଆଜି ମନେ ଇ ରଖି ନାହାନ୍ତି । ତାହେଲେ ଦି ଦିନିଆ ଛୁଟି କଟେଇବାକୁ ଆସି ଆପଣ କାହିଁକି ଆମ ଦାରିଦ୍ର୍ୟର କଥା କହି ଦରଦ ପ୍ରକାଶ କରୁଛନ୍ତି ?

 

ସିଦ୍ଧାର୍ଥ ମନେ ମନେ କେବଳ ଭାବି ହେଉଥିଲା, କାହିଁକି ଏମିତି ସବୁ ହେଇଯାଏ ? କାହିଁକି ସବୁ ଯୋଗ୍ୟ ଗାଆଁ ପିଲାଏ ସହରରେ ରହିଯାଆନ୍ତି, ଯୋଗ୍ୟ ଭାରତୀୟମାନେ ରହିଯାଆନ୍ତି ବିଦେଶରେ ! ଅଥଚ ବର୍ଷରେ, ଦି ବର୍ଷରେ କି ପାଞ୍ଚ ଦଶ ବର୍ଷରେ ଥରେ ଅଧେ ବଣଭୋଜି ପାଇଁ ଘୂରିଆସି ସେଇ ଗାଆଁକୁ କାହିଁକି ଦୟା କରନ୍ତି, ଯିଏ ତାଙ୍କୁ ବଢ଼େଇଥାଏ ! ସେହି ଓଡ଼ିଶାକୁ କାହିଁକି ନାକ ଟେକନ୍ତି ଯିଏ ସେମାନଙ୍କୁ ଯୋଗ୍ୟ କରିବା ପାଇଁ ଆଉ କେଉଁ ଖର୍ଚ୍ଚରୁ କାଟି ସେମାନଙ୍କୁ ଇଞ୍ଜିନିୟର କି ଡାକ୍ତର କରି ଗଢ଼ିଥାଏ ?

Image

 

ସଲାମ ମିନି ମଜଦୁର

 

ବୋଲପୁର ରେଳଷ୍ଟେସନ । ବନ୍ଧୁମାନଙ୍କ ସହ ଶାନ୍ତିନିକେତନ ଏକ୍ସପ୍ରେସ୍‌କୁ ସିଦ୍ଧାର୍ଥ ଅପେକ୍ଷା କରି ରହିଥାଏ । ଓଡ଼ିଶାରୁ ସେ ଓ ତାର କେତେଜଣ ବନ୍ଧୁ ଦୁଇ ଦିନ ପାଇଁ ଶାନ୍ତିନିକେତନ ଯାଇଥାନ୍ତି ଗୋଟାଏ ସେମିନାରରେ ଯୋଗ ଦେବାପାଇଁ । ବିଶ୍ୱଭାରତୀ ଓଡ଼ିଆ ବିଭାଗ ପକ୍ଷରୁ ଓଡ଼ିଆ ଉପନ୍ୟାସର ଶତବାର୍ଷିକୀ ଉତ୍ସବର ଆୟୋଜନ କରାଯାଇଥାଏ । ଓଡ଼ିଶା ବାହାରେ ଓଡ଼ିଆ ପିଲାମାନଙ୍କ ସହ ମିଶିବା ଓ ଓଡ଼ିଆ ସାହିତ୍ୟ ସମ୍ପର୍କରେ ଆଲୋଚନା କରିବାର ଆମନ୍ତ୍ରଣ ସିଦ୍ଧାର୍ଥ ପାଇଁ ଥିଲା ବେଶ୍‌ ଆକର୍ଷଣୀୟ । ସେହି ପରିପ୍ରେକ୍ଷୀରେ ଶାନ୍ତିନିକେତନ ଯାତ୍ରା ।

 

ଫେରନ୍ତି ବେଳରେ ଷ୍ଟେସନକୁ ଆସିଥାନ୍ତି ଅନେକ ବନ୍ଧୁ ବାଟେଇ ଦେବାପାଇଁ । ଶାନ୍ତିନିକେତନର ଦିନ ଦୁଇଟା ବେଶ୍‌ ସୁନ୍ଦର ଭାବରେ ବିତିଥାଏ । ଲାଗୁଥାଏ କଲିକତାରୁ ବହୁଦୂରରେ ଏଠି ଗୋଟାଏ ଜଗତ ଅଛି, ଯେଉଁଠି ସ୍ନେହ ଅଛି, ପ୍ରେମ ଅଛି, ଶାନ୍ତି ଅଛି ଓ ପ୍ରାଣପ୍ରାଚୁର୍ଯ୍ୟ ଅଛି ।

ଟ୍ରେନ ଛାଡ଼ିବାର ସମୟ ପାଖେଇ ଆସିଲା । ସେମାନଙ୍କୁ ବିଦାୟ ଦେଇ ବନ୍ଧୁମାନେ ଫେରିଗଲେ । ସେମାନେ ଯେ ଯାହା ସିଟରେ ବସି ଝରକାବାଟେ ହାତ ହଲେଇ ହଲେଇ ସେମାନଙ୍କୁ ବିଦାୟ ଜଣଉଥିଲେ– ବନ୍ଧୁ ବିଦାୟ, ବିଦାୟ ।

ବିଦାୟ ପର୍ବର ଏହି ଭାବପ୍ରବଣ ଆବେଶ କଟିଯିବା ପାଇଁ ବେଶ୍‌ କିଛି ମୁହୂର୍ତ୍ତ ଲାଗିଗଲା-। ଝରକାବାଟେ ଚାହିଁ ଚାହିଁ ଟ୍ରେନ ଅତିକ୍ରମ କରିଯାଉଥିବା ଗଛ, ଫୋନ୍‌ ଖୁଣ୍ଟ, ରାସ୍ତାକଡ଼ରେ ଚରୁଥିବା ଗାଈ, ଛେଳି ଓ ଛୋଟ ଛୋଟ ଷ୍ଟେସନଗୁଡ଼ିକୁ ସିଦ୍ଧାର୍ଥ ଦେଖୁଥାଏ । ସେତିକିବେଳେ ପାଖରେ ବସିଥିବା ବଙ୍ଗୀୟ ଦମ୍ପତି ନିଜର ଶାନ୍ତିନିକେତନୀ ବ୍ୟାଗରୁ ପୁଳାଏ ସଦ୍ୟ ଉତ୍ପାଟିତ ସୋଲାଗଛ ବାହାର କରି ପରସ୍ପର ଭିତରେ ବାଣ୍ଟିନେଲେ ଓ ସେଥିରୁ ଓହଳିଥିବା କଞ୍ଚା ସୋଲାଗୁଡ଼ିକୁ ଚୋପା ଛଡ଼େଇ ଟକ୍‌ଟାକ୍‌ କରି ଖାଇବାରେ ଲାଗିଗଲେ । ସତ କହିବାକୁ ଗଲେ ସିଦ୍ଧାର୍ଥ ଆଗରୁ ସୋଲାଗଛ ଦେଖି ନ ଥିଲା । ସୁତରାଂ ସେମାନଙ୍କ ହାତରେ ଏହି ଛୋଟ ଗଛଗୁଡ଼ିକୁ ଦେଖି ସେ ଟିକିଏ ଆଗ୍ରହୀ ହୋଇପଡ଼ିଲା । ତାର ଏ ଅଜ୍ଞତା ସେମାନଙ୍କୁ ଆମୋଦିତ କରୁଥିଲା । ସେମାନେ ପରସ୍ପରକୁ ଚାହିଁ ଟିକିଏ ହସିଲେ ଓ ଆତ୍ମୀୟତାର ସହ ଦୁଇଚାରିଟା ସୋଲାଗଛ ତା ଆଡ଼କୁ ବଢ଼େଇଦେଲେ । ତାପରେ ଉଭୟଙ୍କ ଭିତରେ ବଙ୍ଗଳା, ଇଂରାଜୀ ମିଶାମିଶି ଭାଷାରେ ବନ୍ଧୁତ୍ୱର ଆଦାନ ପ୍ରଦାନ । ଅଳ୍ପ କିଛି ସମୟ ଭିତରେ ଅନେକ କିଛି ଜାଣିନେବାର କୌତୂହଳ; ଆପଣ ଓଡ଼ିଶା ଆସିଛନ୍ତି ନା ନାହିଁ, ପୁରୀ ତ ନିଶ୍ଚୟ ଆସିଛନ୍ତି ଓ ସେମାନଙ୍କର ପ୍ରଶ୍ନ– ଶାନ୍ତିନିକେତନ କାହିଁକି ଆସିଥିଲେ, କେମିତି ଲାଗିଲା ଇତ୍ୟାଦି ଇତ୍ୟାଦି ।

ଟ୍ରେନ ବର୍ଦ୍ଧମାନ ଷ୍ଟେସନରେ ପହଞ୍ଚିସାରିଥିଲା ।

ହୁଏତ ହାୱଡ଼ାରେ ପହଞ୍ଚିବା ପର୍ଯ୍ୟନ୍ତ ସିଦ୍ଧାର୍ଥ ସେହି ବଙ୍ଗୀୟ ଦମ୍ପତିଙ୍କ ସହ ଗପସପ ଜାରି ରଖିପାରିଥାଆନ୍ତା । ମାତ୍ର ବର୍ଦ୍ଧମାନ ଷ୍ଟେସନର ଅପରିଚିତ ସେଇ ପିଲାଟି ତାହା କରାଇଦେଲା ନାହିଁ ।

ପିଲାଟିର ବୟସ ସାତ ଆଠ ବର୍ଷ ହେବ । କାଳିଆ, ପାତଳା ଦେହ, ଖଣ୍ଡେ ମଇଳା ପେଣ୍ଟ ଓ ହାତକଟା ଫତେଇ ପିନ୍ଧିଛି । ପାଟିରେ ଦରଜଳା ବିଡ଼ି ଖଣ୍ଡିକ ତାର ଶାନ୍ତ ସରଳ ଚେହେରା ଭିତରେ ବେଖାପ ଦିଶୁଥାଏ । ହାତରେ ଝାଡ଼ୁଟାଏ ଧରି ସେ କମ୍ପାର୍ଟମେଣ୍ଟକୁ ପଶିଆସିଲା ଓ ବିନା ବାକ୍ୟବ୍ୟୟରେ କମ୍ପାର୍ଟମେଣ୍ଟ ସାରା ଖେଳେଇ ହୋଇ ପଡ଼ିଥିବା ଚୀନାବାଦାମ ଚୋପା, ସିଗାରେଟ୍‍ ଗୁଣ୍ଡ, ଦରଜଳା ବିଡ଼ି ଓ ଟୁକୁରା କାଗଜ ସବୁକୁ ଓଳେଇବାରେ ଲାଗିଗଲା । ଏସବୁ କାର୍ଯ୍ୟରେ ତାର ଯଥେଷ୍ଟ ଉତ୍ସାହ ପ୍ରକଟିତ ହେଉଥିଲେ ମଧ୍ୟ ଶାରୀରିକ ଦୁର୍ବଳତା ଓ ଚଳନ୍ତା ଟ୍ରେନର ପବନ ତାକୁ ତା କାମରେ ବିଶେଷ ସଫଳ କରାଇ ଦେଉ ନ ଥାଏ । ଯେତେଥର ସେ ଓଳିଆଓଳି କରି ଟୁକୁରା କାଗଜ, ସିଗାରେଟ୍‌ ଗୁଣ୍ଡ ଓ ଧୂଳି କାଗଜକୁ ଦୁଆରଯାଏ ନେଉଥାଏ ସେତିକିଥର ସେସବୁ ପୁଣି ଉଡ଼ିଆସି କମ୍ପାର୍ଟମେଣ୍ଟ ଭିତରେ ଖେଳେଇଯାଉଥାଏ । ଅଗତ୍ୟା ସେ ନିଜେ ଦୁଇ ହାତରେ ମଇଳାଗୁଡ଼ିକୁ ଗୋଟେଇ ବାହାରକୁ ଛାଟିଦେଲା ଓ ହାତ ପାପୁଲିକୁ ପିନ୍ଧା ପ୍ୟାଣ୍ଟରେ ନେସିଦେଇ ଯାତ୍ରୀଙ୍କ ଆଗରେ ହାତ ପ୍ରସାରି ଛିଡ଼ାହୋଇ କହିଲା, “ବାବୁ ଚାରଣା ।” ସିଦ୍ଧାର୍ଥ ଅନେକ ସମୟ ପର୍ଯ୍ୟନ୍ତ ତାର ଏ କର୍ମତତ୍ପରତା ଓ ମେହେନତି ଚେହେରାକୁ ନିରୀକ୍ଷଣ କରୁଥିଲା । ହଠାତ୍‌ ପ୍ରକୃତିସ୍ଥ ହୋଇ ସେ ଆଠଣିଟିଏ ବଢ଼େଇ ଦେଲା । ପିଲାଟି ଟିକିଏ ଖୁସି ହେଲା ପରି ମନେହେଉଥିଲା ।

ତାର ଚାଲିଯାଉଥିବା ବାଟକୁ ଚାହିଁ ସିଦ୍ଧାର୍ଥ ଚିନ୍ତା କରୁଥିଲା– କେତେ ଆଇନ ପ୍ରତିଦିନ ଏ ଦେଶରେ ତିଆରି ହେଉ ନାହିଁ ଶିଶୁଶ୍ରମିକମାନଙ୍କୁ ଖଟେଇବାର ନିଷେଧାଦେଶ ଜାରି କରି ! ଅଥଚ ଏପରି ଶହ ଶହ, ହଜାର ହଜାର ପିଲା ବିଡ଼ି କାରଖାନା, ହୋଟେଲ, ଦୋକାନ ଓ ଟ୍ରେନରେ ଝାଡ଼ୁଦାର ଭାବେ କାମ କରୁଛନ୍ତି ।

ତଥାପି ସିଦ୍ଧାର୍ଥ ସେହି ପିଲାଟିର କଥା ଭାବୁଥିଲା । ତାର ସ୍ୱାଭିମାନ ଓ ତାର ସଂଗ୍ରାମକୁ ସେ ନୀରବ ସମର୍ଥନ ଜଣାଉଥିଲା ।

Image

 

ଶୋଷିତ ଶୈଶବ

 

ପ୍ରାୟ ଚାରି ମାସ ତଳେ ହାୱଡ଼ାରୁ ବୋଲପୁର ଯିବା ବାଟରେ ଏଇମିତି ପିଲାଟି ସାଙ୍ଗେ ଦେଖାହୋଇଥିଲା ଗୋଟେ ଦ୍ୱିତୀୟ ଶ୍ରେଣୀ କମ୍ପାର୍ଟମେଣ୍ଟରେ । ବର୍ଦ୍ଧମାନ ଷ୍ଟେସନରେ କମ୍ପାର୍ଟମେଣ୍ଟ ଭିତରକୁ ପଶିଆସିଥିଲା ସେଇ କଳା କିଟିକିଟି ବାଙ୍ଗରା ପିଲାଟି । ବୟସ ସାତ ଆଠ ବର୍ଷ ହେବ । ହାତରେ ଖଣ୍ଡିଆ ଝାଡ଼ୁଟେ ଧରି ସେ ଓଳେଇ ନେଇଥିଲା ସିଟ୍‌ତଳେ ପଡ଼ିଥିବା ସିଗାରେଟ୍‌ ଝୁଲ, ଚୀନାବାଦାମ ଓ କଦଳୀ ଚୋପା, ବିସ୍କୁଟ୍‌ ଖୋଳ ଓ ଲୋଚାକୋଚା କାଗଜ ଟୁକୁରା । ସବୁ ସିଟ୍‌ତଳେ ଗଳିପଶି, ବାବୁ ବାବୁଆଣୀଙ୍କର ଚପଲ ଜୋତା ହାତରେ ତୋଳିଧରି ସେ ସଫା କରିନେଉଥିଲା ଅଳିଆ ଆବର୍ଜନା । କାମ ସରିବା ପରେ ହାତ ବଢ଼େଇ ଦାବି କରିଥିଲା ପାରିଶ୍ରମିକ । ତା ଆଖିରେ ଦୟନୀୟ ଭାବ ନ ଥିଲା ବରଂ ଥିଲା ପ୍ରଚ୍ଛନ୍ନ ଆତ୍ମବିଶ୍ୱାସର ମୁଦ୍ରା । କେହି କେହି ଦଶ ପଇସି କି ଚାରିଣିଟିଏ ପକେଇ ଦେଉଥିଲେ ତା ହାତ ପାପୁଲିରେ । ସେ ସେମାନଙ୍କୁ କୃତଜ୍ଞତା ଜଣେଇ ଓହ୍ଲେଇ ଯାଉଥିଲା ଟ୍ରେନ୍‌ରୁ ।

 

ସେଦିନ ସେ ସାନପିଲାଟି ସିଦ୍ଧାର୍ଥ ଆଖି ଆଗରେ ଚରମ ଆତ୍ମବିଶ୍ୱାସର ଉଦାହରଣ ପାଲଟି ଯାଇଥିଲା । ତାର ଭାବଭଙ୍ଗୀରେ ସେ ଯେପରି ଜଣେଇବାକୁ ଚାହୁଁଥିଲା ବଡ଼ ହେଲେ ସେ ସିଦ୍ଧାର୍ଥ ପରି ପରାଶ୍ରୟୀ, ସାର୍ଟିଫିକେଟସର୍ବସ୍ୱ, ପରାଙ୍ଗପୁଷ୍ଟ ଅଥବା ସଂରକ୍ଷଣ ରାଜନୀତି ସଂକ୍ରମଣରେ ପଙ୍ଗୁ, ଅଥର୍ବ ପାଲଟିଯିବ ନାହିଁ । ଯେକୌଣସି ପରିସ୍ଥିତିରେ ସେ ନିଜର ପାଦ ଯୋଡ଼ିକୁ ମଜଭୁତ କରି ଠିଆହେବ ଦୁନିଆରେ ।

 

ମାତ୍ର ସେଦିନ ସିଦ୍ଧାର୍ଥ କଦାପି କଳ୍ପନା କରି ନ ଥିଲା ଯେ ତାପରି ଦୁଗ୍‌ଧପୋଷ୍ୟ ଶିଶୁମାନେ ମଧ୍ୟ ସେତେବେଳକୁ ଶୋଷଣର ଅଷ୍ଟପଦୀ ଆକ୍ରମଣ ଭିତରେ ଛନ୍ଦିହୋଇ ପଡ଼ିଥାନ୍ତି । ବନ୍ଧା ପଡ଼ିଯାଇଥାଏ ସେମାନଙ୍କର ସରଳ ଶୈଶବ ସେଇ ସକାଳରୁ !

 

ଏବେ ଭୁବନେଶ୍ୱରରୁ ଦିଲ୍ଲୀ ଯିବା ରାସ୍ତାରେ ସେଇ ପିଲା ପରି ଆଉ ଦିଜଣଙ୍କ ସାଙ୍ଗରେ ସିଦ୍ଧାର୍ଥର ଦେଖାହୋଇଥିଲା । ସେ କେଉଁ ରେଳଷ୍ଟେସନ ନାଆଁ ସେ ମନେ ରଖିପାରି ନାହିଁ । ଟ୍ରେନ୍‌ଟି ରହିବାକ୍ଷଣି ଦଶ ଏଗାର ବର୍ଷର ପିଲା ଯୋଡ଼ିଏ ଝାଡ଼ୁ ମୁଠେ ମୁଠେ ଧରି ପଶିଆସିଥିଲେ ଡବା ଭିତରକୁ । ନିଜର ବ୍ୟାଗ୍‌ ଖଣ୍ଡକ ଉପରେ ଆବଶ୍ୟକଠୁ ଅଧିକ ସତର୍କ ଦୃଷ୍ଟି ରଖିଥିବା ସିଦ୍ଧାର୍ଥ ପ୍ରଥମେ ସେମାନଙ୍କୁ ଅବଶ୍ୟ ସନ୍ଦେହ କରିଥିଲା, କାଳେ ଚୋର କି ତସ୍କର ହୋଇଥିବେ । ମାତ୍ର ପରେ ଜାଣିଲା, ତା ସନ୍ଦେହ ଅମୂଳକ । ସେମାନେ ଇଆଡ଼େ ସିଆଡ଼େ ନ ଚାହିଁ ନିଜ ନିଜ କାମରେ ଲାଗିପଡ଼ିଥିଲେ । ଝାଡ଼ୁ ଓଳେଇବା କାର୍ଯ୍ୟରେ ସେମାନଙ୍କର ନିଷ୍ଠା ସନ୍ଦେହର ଊଦ୍ଧ୍ୱର୍ରେ ଥିଲା । ସିଦ୍ଧାର୍ଥ ଆଠଣିଟିଏ ସାନପିଲାଟିକୁ ଦେଲା ଓ ତା ପାଖେ ସହଜ ହେବା ପାଇଁ ପଚାରିଲା, “ଦିନରେ କେତେ ଟଙ୍କା ତମେ ଦୁହେଁ ଉପାର୍ଜନ କର ?” ସେ ତାର ଭାଷାରେ ଉତ୍ତର ଦେଲା, ପନ୍ଦର ଷୋହଳ ଟଙ୍କା । ସିଦ୍ଧାର୍ଥ ଖୁସି ହୋଇଥିଲା ମନେ ମନେ । ଯାହାହେଉ ପିଲାଟା ଖାଇପିଇ ଭଲରେ ଚଳି ଯାଇପାରୁଥିବ । ମାତ୍ର ତାର ସେ ବିଚାର ବେଶି କ୍ଷଣ ରହିଲା ନାହିଁ । ସେ ଉତ୍ତର ଦେଲା, ‘ଏ ଟଙ୍କା ସବୁ ଆମେ ନେଉ ନାହୁଁ ।’ ଷ୍ଟେସନ୍‌ର ସୁଇପର, ଯିଏ ରେଳବାଇର ଜଣେ ବେତନଭୋଗୀ କର୍ମଚାରୀ, ସିଏ କାଳେ ଏଥିରୁ ନେଇଯାଏ ସିଂହଭାଗ । ଏମିତି କାହିଁକି ହୁଏ ? କିଛି କାମ ନ କରି ସେ ତ ଦରମା ପାଉଛି, ତମଠୁ ପୁଣି ଭାଗ ବସାଏ କାହିଁକି ? ସିଦ୍ଧାର୍ଥ ପଚାରିଲା । ପିଲାଟି ବେଶ୍‌ ସମଝ୍‌ଦାର ପରି ତାର ନିର୍ବୋଧ ପ୍ରଶ୍ନର ଉତ୍ତର ଦେଲା, “ଏଇଟା ତା ଏରିଆ । ସେ ଆମକୁ ଅନୁମତି ଦେଇଛି । କମିଶନି ନେବ ନାହିଁ ?”

 

ତା ପାଟିରେ ଏ କମିଶନି ଶବ୍ଦଟା ସିଦ୍ଧାର୍ଥକୁ ଆମୋଦିତ କଲା । ସମୁଦାୟ ଦେଶ ଯେମିତି କମିଶନି ଶବ୍ଦ ସହ ଏକାକାର ହୋଇଯାଇଛି । ବସ୍‌ ଟିକେଟଠାରୁ ବୋଫର୍ସ କମାଣ ବିକାକିଣା ଯାଏ ସବୁଠି କମିଶନ୍‌ । କମିଶନ୍‌ ହୋଇପଡ଼ିଛି ଭାରତବର୍ଷର ପ୍ରତିଶବ୍ଦ ! ସେ ଅଧିକ ପଚାରିଲା ନାହିଁ । ପିଲାଯୋଡ଼ିକ ତାଙ୍କର କାମ ଶେଷକରି ଚାଲିଗଲେ ।

 

ସହଯାତ୍ରୀ ବନ୍ଧୁ କହୁଥିଲେ, ‘ସୁଇପରବାବୁ ଜଣକ ଭଲ ଡ୍ରେସ୍‌ ପିନ୍ଧି ତା ଘରପାଖ ପ୍ଲାଟଫର୍ମରେ ମାମଲତି କରୁଥିବ । ତା କାମ ଏ ପିଲାଏ କରୁଛନ୍ତି । ଯେଉଁଦିନ ରେଳବାଇର ହାକିମହୁକୁମା କେହି ଏ ରାସ୍ତା ଦେଇ ଯାତ୍ରା କରୁଥିବେ, ସେଇଦିନ ସେ ତାର ପୋଷାକ ପିନ୍ଧି କାମରେ ହାଜର ହେଉଥିବ । ବାକିଦିନତକ ତାର ଛୁଟି । ଦରମାକୁ ଦରମା, ତା ଉପରକୁ ଏ କମିଶନି ।’

 

ଖଡ଼ଗପୁର ପାଖେଇ ଆସିଥିଲା । ବୟସ୍କ ମାଇଚିଆ ଦି ଜଣ ତାଙ୍କ ପେଡ଼ିପୁଟୁଳା ଧରି କମ୍ପାର୍ଟମେଣ୍ଟ ଭିତରକୁ ପଶିଆସୁଥିଲେ । ସେମାନଙ୍କର ଜୁଲୁମ ସହିହୁଏ ନାହିଁ । ଶୋଷଣର ସିଏ ବି ଗୋଟେ ଅସହାୟ ମୁଦ୍ରା । ସିଦ୍ଧାର୍ଥ ଆଖିବୁଜି ଶୋଇବାର ଅଭିନୟ କଲା । ଦିଲ୍ଲୀରୁ ବିହାର ସୀମା ଛୁଇଁବାଯାଏ ଦେଖାଯାଆନ୍ତି ନାହିଁ ଜଣେ ବି ଭିକାରି, ଅଥଚ ଟାଟାଠାରୁ ଭୁବନେଶ୍ୱରଯାଏ ଦିଶୁଥିବା ଭିକାରିଙ୍କ ସଂଖ୍ୟା ଦେଢ଼ଶହରୁ କମ୍‌ ହେବ ନାହିଁ ଦ୍ୱିତୀୟ ଶ୍ରେଣୀ ଡବାର ଦୁର୍ଗନ୍ଧ ଓ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ଭିକାରିଙ୍କର ଘନ ଘନ ମାଗଣ ଯାତ୍ରୀମାନଙ୍କୁ ବିବ୍ରତ କରିପକାଏ ।

 

ଭିଡ଼ ଭିତରୁ ପୁଣି ଦିଶିଯାଉଥିଲା ସେହି ଝାଡ଼ୁବାଲା ପିଲା ଯୋଡ଼ିକଙ୍କର ମୁହଁ । ଦିଶିଯାଉଥିଲା ସେମାନଙ୍କର ଏ ଡବାରୁ ସେ ଡବାକୁ ଧାଉଁଥିବାର ବ୍ୟସ୍ତତା । ନାହି ତଳକୁ ଖସିପଡ଼ୁଥିବା କୋଚଟ ମଇଳା ପ୍ୟାଣ୍ଟ ଖଣ୍ଡକୁ ଟେକିଧରି ସେମାନେ ଦଉଡ଼ନ୍ତି ଦି ପଇସା ରୋଜଗାର ପାଇଁ । ରେଳବାଇର ସୁଇପରକୁ କମିଶନି ଦେବା ପରେ ଯାହା କିଛି ବଳିବ ସେତକ ହିଁ ତାଙ୍କର ପ୍ରାପ୍ୟ । ପାଉଁରୁଟି ଦି’ଖଣ୍ଡ ଓ ଷ୍ଟେସନ ଟ୍ୟାପ୍‌ର ପାଣି ମୁନ୍ଦେ ପିଇ କେଉଁଠି ଶୋଇପଡ଼ୁଥିବେ ସେମାନେ କିଏ ଜାଣେ ! କ୍ଳାନ୍ତ ଆଖିପତା ହୁଏତ ଆପେ ଆପେ ମୁଦି ହୋଇଯାଉଥିବ । ଝାଡ଼ୁ ଖଣ୍ଡହିଁ ସେମାନଙ୍କର ସାର୍ଟିଫିକେଟ । ଶୋଷଣର ସୂଚୀପତ୍ର କେଡ଼େ ଦୀର୍ଘ ଓ କେଡ଼େ ନିଷ୍କରୁଣ, ସିଦ୍ଧାର୍ଥ ତାହା ବେଶ୍‌ ବୁଝିପାରୁଥିଲା ।

Image

 

ବସୁଧୈବ କୁଟୁମ୍ବକମ୍‌

 

ଅନେକ ଦୂରରେ ରହିଗଲାଣି ସିଦ୍ଧାର୍ଥର ସହର । ଏଠୁ ଏବେ ଚେଷ୍ଟାକରି କେବଳ ସିନା ମନେ ପକେଇହୁଏ ସେ ସହରର କୋଠାଘର ଓ ଝଙ୍କାଳିଆ ଗଛମାନଙ୍କର ଝାପ୍‌ସା ମାନଚିତ୍ର, ମାତ୍ର ସ୍ପଷ୍ଟକରି ଚିହ୍ନିହୁଏ ନାହିଁ ସେସବୁ ।

 

ଟ୍ରେନ୍‌ ଆଗେଇ ଚାଲିଥିଲା । ଆଖପାଖ ସିଟ୍‌ଗୁଡ଼ିକୁ ଚାହିଁଲା ସିଦ୍ଧାର୍ଥ । ବାହାରେ ଝାଞ୍ଜି, ପ୍ରଚୁର ଉତ୍ତାପ । ସେସବୁ କିନ୍ତୁ ଆଦୌ ଅନୁଭବ କରିହେଉ ନାହିଁ ଏଇ ବାତାନୁକୂଳିତ ବଗି ଭିତରେ-

 

କାହା ସାଙ୍ଗେ କଥାବାର୍ତ୍ତା ହୁଅନ୍ତା ଟିକିଏ । ଅନେକ ସମୟ ନିରବ ରହିଲାଣି ସେ । ପାଟି ବନ୍ଦ କରି ଏତେ ସମୟ ରହିପାରିବା ଗପୁଡ଼ି ସିଦ୍ଧାର୍ଥ ପକ୍ଷେ ଅସମ୍ଭବ । ପତ୍ନୀ ମଧ୍ୟ ତକିଆକୁ ଆଉଜି ଶୋଇଗଲେଣି । ସେଇ ନିସ୍ତବ୍‌ଧ ପରିବେଶ ଭିତରେ ଯିଏ କେବଳ ଜନ ଓ ଜୀବନର ଉପସ୍ଥିତି ବାରମ୍ବାର ଘୋଷଣା କରୁଛି ସିଏ ସେପାଖ ସିଟ୍‌ର ଗୋଟେ ପାଞ୍ଚବର୍ଷର ଝିଅ । ସେ ଏ ସିଟ୍‌ରୁ ସେ ସିଟ୍‌, ସେ ସିଟ୍‌ରୁ ଝରକା ପାଖକୁ ଧାଇଁ ଧାଇଁ ସମସ୍ତଙ୍କୁ ଚଞ୍ଚଳ ହେବା ପାଇଁ ପ୍ରଚୋଦିତ କରୁଛି । ମାତ୍ର ବାରମ୍ବାର ବିଫଳ ହେଉଛି ତାର ସେ ପ୍ରଚେଷ୍ଟା ।

 

ଚାରିପାଖେ ପଥରର ମୂର୍ତ୍ତି ପରି କିଛି ପୁରୁଷ ଓ ନାରୀ । ନିଜ ନିଜର ଅହଙ୍କାର ଓ ପ୍ରତିପତ୍ତିକୁ ଜାବୁଡ଼ି ଧରି ସେମାନେ ନିଜ ନିଜର ଓଠ ସିଇଁ ଦେଇଛନ୍ତି ପରା ! ପ୍ରଥମ ଶ୍ରେଣୀର ଏହି ଯାତ୍ରୀମାନେ ବଡ଼ ଦୟନୀୟ ଦିଶୁଥିଲେ ସିଦ୍ଧାର୍ଥ ଆଖିରେ । ଦାମୀ ଗହଣା ଓ ବହଳ ମେକ୍‌ଅପ୍‌ ଭିତରେ ସ୍ତ୍ରୀଲୋକମାନେ ସଜେଇ ବସିଥାନ୍ତି ଶାଢ଼ି ଦୋକାନର ସୋ-ପିସ୍‌ ପରି ଓ ପୁରୁଷମାନେ ଅପେକ୍ଷାକୃତ ଗମ୍ଭୀର ଓ ଗୁରୁତ୍ୱପୂର୍ଣ୍ଣ ଚିନ୍ତାରେ ବ୍ୟସ୍ତ ଥିବା ପରି ମନେ ହେଉଥାନ୍ତି । ସିଦ୍ଧାର୍ଥର ସାମ୍ନା ସିଟରେ ବସିଥାନ୍ତି ଗୋଟେ ମୁସଲିମ୍‌ ଦମ୍ପତି । ସେମାନେ କାନପୁର ଯାଉଥିବା କଥାଟା ଟି.ଟି.ଇ. ଟିକେଟ୍‌ ଯାଞ୍ଚ କରୁଥିବା ସମୟରେ ସିଦ୍ଧାର୍ଥ ଜାଣିପାରିଥିଲା । ସିଦ୍ଧାର୍ଥ ଥରେ ଦୁଇଥର ସେମାନଙ୍କ ସହ କଥା ଆରମ୍ଭ କରିବାର ଚେଷ୍ଟା କରି ବିଫଳ ହୋଇଥିଲା ।

 

ଏତିକିବେଳେ ଧାଇଁଆସିଲା ରିଚା । ଏହା ଭିତରେ ସେ ଆଉ ଗୋଟେ ପାଞ୍ଚ ଛଅବର୍ଷର ଝିଅକୁ ତା ଆଦର୍ଶରେ ଉଦ୍‌ବୁଦ୍ଧ କରି ତାକୁ ନିଦରୁ ଉଠେଇ ଆଣିଛି । ଏ ଝିଅଟିର ନାଆଁ ମିକି । ଦୁହେଁ ଆସି ସିଦ୍ଧାର୍ଥ ପାଖରେ ବସିଲେ । ଆଉ ସମୟ ହୋଇଥିଲେ ସିଦ୍ଧାର୍ଥ ଏ ପିଲା ଦୁହିଁଙ୍କୁ ବେଶି ଗୁରୁତ୍ୱ ଦେଇ ନ ଥାନ୍ତା । ମାତ୍ର ଏ ସମୟରେ ରିଚା ଓ ମିକି ଉଭୟଙ୍କର ଗୁରୁତ୍ୱ ତାପାଖେ ବଢ଼ିଯାଇଥିଲା ।

 

ମିକି ହଠାତ୍‌ ଉଠିଯାଇ ପାଖ ସିଟ୍‌ର ଭଦ୍ରଲୋକଙ୍କର ଦାଢ଼ିକୁ ଟିକିଏ ଭିଡ଼ିଦେଲା । ରିଚା କହିଲା, ଆଉ କିଛି ସମୟ ପରେ ତାଙ୍କ ଦାଢ଼ି ସବୁ ଗୋଟିକ ପରେ ଗୋଟିଏ ହୋଇ ଉଡ଼ିଯିବ । ସେଇ ମନ୍ତ୍ରଟା ମିକି କୁଆଡ଼େ ଭୁବନେଶ୍ୱରରେ ତା ଜେଜେଙ୍କଠାରୁ ଶିଖିଛି ।

 

ହୋ-ହୋ ହୋଇ ହସିଉଠିଲେ ଭଦ୍ରଲୋକ । ନିଜ ସ୍ୱାମୀଙ୍କର ବିପନ୍ନ ଦାଢ଼ି କେରାକ ଆଡ଼େ ଚାହିଁ ଭଦ୍ରମହିଳା ମଧ୍ୟ ହସିଉଠିଲେ । ରିଚା ଓ ମିକି ଦୁହିଁଙ୍କୁ କୋଳେଇ ନେଇ ବହେ ସେ ଗେଲ ହେଲେ । ସାହସ ପାଇ ପିଲା ଦିହେଁ ଏଥର ଭଦ୍ରମହିଳାଙ୍କ ଭ୍ୟାନିଟି ବ୍ୟାଗ୍‌ ଖୋଲିବସିଲେ, ଲିପ୍‌ଷ୍ଟିକ୍‌, ବିନ୍ଦିଠୁ ଆରମ୍ଭ କରି ଚାବିନେନ୍ଥା ଓ ଖୁଚୁରା ପଇସାଗୁଡ଼ିକର ତଦାରଖ କଲେ । ଭଦ୍ରମହିଳା ସେମାନଙ୍କୁ କମଳା ଛଡ଼େଇ ଖାଇବାକୁ ଦେଲେ । ସେମାନେ କମଳା ଖାଇଲେ ଓ ସିଦ୍ଧାର୍ଥ ପାଖକୁ ଆସି ଦାବି କଲେ, ‘ଅଙ୍କଲ୍‌, ତମେ ଆମକୁ ଗୋଟାଏ ଗପ କହି ଶୁଣାଅ’ ।

 

ସିଦ୍ଧାର୍ଥ ହୁଏତ ଗପଟେ କହିଥାନ୍ତା । ମାତ୍ର ଘଟଣାସ୍ଥଳରେ ଦେଖାଗଲା ଯେ ରିଚା ଓ ମିକି ଉଭୟେ ଏ ଦିଗରେ ବ୍ୟୁତ୍ପତ୍ତି ହାସଲ କରିଥିଲେ । ନିଜ ନିଜ ନର୍ସରୀ ପାଠରୁ ସେମାନେ ଯେଉଁ ଗପ ଶିଖିଥିଲେ ସେସବୁ ଶୁଣେଇବା ନିମନ୍ତେ ଏହାଠୁ ଆଉ ଅଧିକ ଉପଯୁକ୍ତ ସ୍ଥାନ ଭବିଷ୍ୟତରେ ମିଳିବ ନାହିଁ ବୋଲି ହୁଏତ ସେମାନେ ଜାଣିସାରିଥିଲେ । ମିକିର ଭଙ୍ଗାଦାନ୍ତ ପାଟିରେ ଇଂରେଜୀ ଗପଗୁଡ଼ିକର ଉଚ୍ଚାରଣ ସାଙ୍ଗକୁ ରିଚାର ଦକ୍ଷିଣ ଭାରତୀୟ ଉଚ୍ଚାରଣ ଭଙ୍ଗୀ ଅପୂର୍ବ ପରିବେଶ ସୃଷ୍ଟି କରୁଥିଲା । କ୍ରମେ ନିଦମାନଙ୍କୁ ଆଡ଼େଇଦେଇ ବଗିର ପୁରୁଷ ଓ ନାରୀ ପିଲା ଦୁହିଁଙ୍କୁ ଦେଖୁଥିଲେ । ସେମାନଙ୍କ ବିକୃତ ମୁଖଭଙ୍ଗୀ ଦେଖି କପଟ ଭୟ ପ୍ରଦର୍ଶନ କରୁଥିଲେ ଓ ସେମାନଙ୍କୁ ତାଳିମାରି ଉତ୍ସାହିତ କରୁଥିଲେ ।

 

କିଛି ସମୟ ମଧ୍ୟରେ ପରସ୍ପରର ଅପରିଚିତ ମଣିଷମାନେ ପରିଚିତ ହୋଇଯାଇଥିଲେ । ରିଚା ଓ ମିକି ବଗିର ଏମୁଣ୍ଡରୁ ସେମୁଣ୍ଡ ଧାଇଁ ପର୍ଦ୍ଦା ଆଡ଼େଇ କାହାଠୁ କମଳା, କାହାଠୁ ବିସ୍କୁଟ ଓ କାହାଠୁ ଅଙ୍ଗୁର ନେଇ ଦୌଡ଼ି ଦୌଡ଼ି ଆସୁଥିଲେ ଓ ସିଦ୍ଧାର୍ଥ ପାଖରେ ସେସବୁ ଜିମାଦେଇ ପୁଣି ଧାଇଁ ପଳାଉଥିଲେ । ଏ କୋଳାହଳ, ହୋ-ହଲ୍ଲା ଭିତରେ ସିଦ୍ଧାର୍ଥର ସ୍ତ୍ରୀ କେତେବେଳୁ ଉଠି ପଡ଼ିଥିଲେ । ସେ ହୁଏତ ଭାବୁଥିଲେ ଆଉ କେଉଁ ବଗିରେ ବୋଧେ ସେମାନେ ପହଞ୍ଚି ଯାଇଛନ୍ତି ।

 

ଯାତ୍ରାର ପରବର୍ତ୍ତୀ ଭାଗ ଥିଲା ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ । ଗୋଟେ ବହୁକୁଟୁମ୍ବୀ ପରିବାରର କୋଳାହଳ ଭିତରେ ସମସ୍ତେ ବୁଡ଼ି ଯାଇଥିଲେ । ସୁଖଦୁଃଖ, ଚିହ୍ନା ପରିଚୟ ଓ ପ୍ରବାସରେ ଥିବା ନିଜ ନିଜ ପରିଚିତଙ୍କ ସମ୍ପର୍କରେ କୁଶଳ ଜିଜ୍ଞାସା ଭିତରେ ଅତ୍ୟନ୍ତ ଜୀବନ୍ତ ଓ ରସମୟ ପାଲଟି ଯାଇଥିଲା ସେଇ କମ୍ପାର୍ଟମେଣ୍ଟ । ‘ବସୁଧୈବ କୁଟୁମ୍ବକମ୍‌’ର ଗୋଟେ ଚଳନ୍ତି ଉଦାହରଣ ।

Image

 

କ୍ଷୁଧାର୍ତ୍ତ ଈଶ୍ୱର

 

ବସ୍‌ଟି ଏପରି ନିଛାଟିଆ ଜାଗାରେ ଅଟକିବାର କାରଣ ବୁଝିପାରି ନ ଥିଲା ସିଦ୍ଧାର୍ଥ । ପ୍ରଥମେ ଧାରଣା ହୋଇଥିଲା ହଠାତ୍‌ ବୋଧହୁଏ ଗାଡ଼ିର କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ଯାତ୍ରା ଆରମ୍ଭ ହେଉ ନ ହେଉଣୁ ବସ୍‌ର ଏହି ରକମର ଅଟକିଯିବା ତାକୁ ଟିକିଏ ବିରକ୍ତିକର ଲାଗୁଥିଲା । ତେବେ କାରଣଟା ସେଇଆ ନ ଥିଲା । ବସ୍‌ଟି ଛୋଟ ଗୋଟାଏ ପୋଲ ଉପରେ ଅଟକିବା କ୍ଷଣି କ୍ଲିନର ଓହ୍ଲେଇ ଯାଇ ହାତରେ ଧରିଥିବା ଚାରିଟି କଦଳୀ ଓ ତିନିଟା ଅଧାଜଳା ଧୂପକାଠି ସେଇ ପୋଲର ସିମେଣ୍ଟ ବାଡ଼ା ଉପରେ ଥୋଇଦେଲା । ଧୂପର ବାସ୍ନା ଭାସିଆସୁଥିବା ଦିଗକୁ ଚାହିଁଲା ସିଦ୍ଧାର୍ଥ । ଉପରେ ଆକାଶର ଅନନ୍ତ ନୀଳିମା, ଚାରିପଟେ ନଡ଼ିଆଗଛର ପାଚେରି । ଚନ୍ଦ୍ରର ଅବର୍ତ୍ତମାନରେ କୃଷ୍ଣପକ୍ଷ ରାତି ଆକାଶରେ, ଦରିଦ୍ରର ଶେଷ ସମ୍ବଳ ପରି, ତାରାମାନଙ୍କର ଗୁରୁତ୍ୱ ହଠାତ୍‌ ବଢ଼ିଯାଇଛି । ବସ୍‌ର କ୍ଲିନରଟି କଦଳୀ ଉପରେ ଧୂପକାଠି ଫୋଡ଼ିଦେଇ ଦଣ୍ଡବତ କଲା । ସିଦ୍ଧାର୍ଥ ଚାହିଁଥିଲା । ନା, ଠାକୁର ଠାକୁରାଣୀ କେହି ନାହାନ୍ତି । ବିଶ୍ୱାସର ଅମୂର୍ତ୍ତ କଳ୍ପନା ସମ୍ମୁଖରେ ମଣିଷର ଏ ଦଇନି– ଯାତ୍ରା ଶୁଭ ହେଉ, ନିଷ୍କଣ୍ଟକ ହେଉ । ସମ୍ଭବତଃ ଏଠାକାର ରୀତି ଏଇଆ ।

 

ସିଦ୍ଧାର୍ଥ ଆଶ୍ୱସ୍ତ ହେଲା ଯେ ବସ୍‌ଟାର ଅନ୍ତତଃ କିଛି ଅସୁବିଧା ହୋଇ ନାହିଁ । ଆଖପାଖରେ ମନ୍ଦିର କି ଗଛମୂଳ ଠାକୁରାଣୀ ମୂର୍ତ୍ତି ଥିଲେ ସେ ପ୍ରଥମରୁ କଥାଟା ବୁଝିପାରିଥାଆନ୍ତା-। ଗୋଆର ପାନାଜୀରୁ ମାପୁସା ରାସ୍ତା ମଝିରେ ଏହି ଜାଗା । ରାତି ଅନ୍ଧାରରେ ଚାରିଆଡ଼ ଏତେ ନିସ୍ତବ୍‌ଧ ଲାଗୁଛି ଯେ ବସ୍‌ଟା ନ ଥିଲେ ପାଖାପାଖି ଅଞ୍ଚଳରେ ଆଉ କୌଣସି ଜନମାନବ ଅଛନ୍ତି ନା ନାହିଁ ସେ ନେଇ ସନ୍ଦେହ ହୁଅନ୍ତା । ଏହା ପରେ ପଡ଼ିବ ମାପୁସା ଓ ମାପୁସା ପରେ ଦୀର୍ଘ ବାରଘଣ୍ଟାର ବସ୍‌ଯାତ୍ରା ଶେଷରେ ବମ୍ବେ । ମଝିରେ ବିପଜ୍ଜନକ ଘାଟି ରାସ୍ତା । ଅନ୍ଧାର ରାତି, କିଛି ହୋଇଗଲେ ଗାଡ଼ି କି ଆରୋହୀ କାହାରି ଚିହ୍ନବର୍ଣ୍ଣ ରହିବ ନାହିଁ । ଘରଠୁ ହଜାର ହଜାର କିଲୋମିଟର ଦୂରରେ, ହଠାତ୍‌ ଯଦି ଏଠି କିଛି ହୋଇଯାଏ... । ସିଦ୍ଧାର୍ଥ ଆଗକୁ ଭାବିପାରେ ନାହିଁ । ସେହି କାରଣରୁ ଅନ୍ଧାର ରାସ୍ତାକଡ଼ର ମାମୁଲି ପଥରଖଣ୍ଡ ପାଲଟିଯାଏ ଶାଳଗ୍ରାମ, ଗଛଗଣ୍ଡି ଠାକୁର ଠାକୁରାଣୀ, ବିଶ୍ୱାସର ସୁଦୃଢ଼ ବଳୟ । ଦିଇଟି କଦଳୀ କି ଗୋଟାଏ ନଡ଼ିଆ ବିନିମୟରେ ଯାତ୍ରୀର ଧନଜୀବନ ସୁରକ୍ଷା ପାଇଁ ଏ ପ୍ରକାର ବୀମା, ପୃଥିବୀର କୋଉ ଇନ୍‌ସ୍ୟୁରାନ୍ସ କମ୍ପାନୀ ଦେଇପାରନ୍ତା ନାହିଁ । ଶହ ଶହ ଥର ଏମିତି ଠାକୁର ଠାକୁରାଣୀଙ୍କ ସାମ୍ନା କରିଛି ସିଦ୍ଧାର୍ଥ । ବିଶ୍ୱାସ ଯୋଗୁଁ ନ ହେଲେ ବି ସିନ୍ଦୂରିତ ଗଛଗଣ୍ଡି, ପଥରମୂର୍ତ୍ତି ଅବା ମନ୍ଦିରର ସିଂହଦ୍ୱାର ପାଖରେ ଗାଡ଼ି ଅଟକିଲେ ନିଜ ଅଜାଣତରେ ମୁଣ୍ଡ ନୋଇଁଯିବା ତା ଅଭ୍ୟାସରେ ପଡ଼ିଯାଇଛି ।

 

କ୍ଲିନରଟି ବସ୍‌ ଉପରକୁ ଉଠି ବସ୍‌ ଛାଡ଼ିବାର ହ୍ୱିସିଲ ଦେଉଥିଲା । ବସ୍‌ ଗଡ଼ିବାକୁ ଆରମ୍ଭ କରୁଥିଲା । ହଠାତ୍‌ ଝରକା ଫାଙ୍କ ଦେଇ ସିଦ୍ଧାର୍ଥ ଦେଖିନେଲା ସେହି ଅଭାବିତ ଦୃଶ୍ୟ । ଗୋଟିଏ ଆଠ ନଅବର୍ଷର ସାନପିଲା ମାଛକୁ ଚିଲ ଝାମ୍ପିବା ପରି କୁଆଡ଼ୁ ଆସି କ୍ଲିନର ଥୋଇଦେଇ ଆସିଥିବା କଦଳୀ ଉପରୁ ଜଳନ୍ତା ଧୂପକାଠିର ଅବଶେଷତକ କାଢ଼ି ଫିଙ୍ଗି ଦେଉଥିଲା ଓ କଦଳୀ ଚାରିଟିକୁ ନେଇ ପୁଣି ଅନ୍ଧାରରେ ଅଦୃଶ୍ୟ ହୋଇଯାଉଥିଲା ।

 

ବସ୍‌ ଏବେ ଦ୍ରୁତ ଗତିରେ ଗଡ଼ୁଥିଲା । ଯାତ୍ରୀମାନଙ୍କ ମନୋରଞ୍ଜନ ପାଇଁ ଷ୍ଟେରିଓରୁ ଭାସି ଆସୁଥିଲା ସମଗ୍ର ଭାରତରେ ଚହଳ ପକେଇସାରି ପାକିସ୍ଥାନର ନିର୍ବାଚନୀ ପ୍ରଚାରରେ ଲୋକପ୍ରିୟ ହୋଇଥିବା ସିନେମା ଗୀତ । ଉଜ୍ଜ୍ୱଳ ଆଲୋକ ବଦଳରେ ନିଷ୍ପ୍ରଭ ନୀଳ ଆଲୋକମାନ ଜଳୁଥିଲା । ନରମ ଗଦିର ସିଟ୍‌ ଉପରେ ଆପଣା ଆପଣା ଦେହଟିମାନ ଅଜାଡ଼ି ଯାତ୍ରୀମାନେ ବସିଥିଲେ ।

 

ସିଦ୍ଧାର୍ଥ ଶୋଇପାରୁ ନ ଥିଲା । ଏଇମାତ୍ର ପ୍ରତ୍ୟକ୍ଷ କରିଥିବା ଅତି ଗରୁତ୍ୱପୂର୍ଣ୍ଣ ଘଟଣାଟି ବାବଦରେ କାହାକୁ ସେ କିଛି କହିପାରୁ ନ ଥିଲା । କେବଳ ମନକୁ ମନ ଢେର୍‌ ଦିନ ତଳର ଆଉ ଗୋଟାଏ ଦୃଶ୍ୟ ସେ ଗୁଣଗୁଣଉ ଥିଲା ।

 

ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳର ସେ କଥା । ସରସ୍ୱତୀ ବିସର୍ଜନ ପାଇଁ ସାଙ୍ଗମାନଙ୍କ ସାଙ୍ଗରେ ସେ ବି ଯାଇଥିଲା ବଡ଼ ପୋଖରୀ ଆଡିକୁ । ଠାକୁର ପାଣିରେ ପଡ଼ିଲା କ୍ଷଣି ସ୍ଥାନୀୟ ଚଗଲା ପିଲାଏ ପୋଖରୀ ଭିତରକୁ କୁଦା ମାରନ୍ତି ଓ ବନ ମହାରଣାର ସମସ୍ତ କାରିଗରୀ କୌଶଳକୁ ନିମିଷକରେ ଧୂଳିସାତ୍‌ କରି ପ୍ରତିମା ଦେହରୁ ଛିଣ୍ଡେଇ ନିଅନ୍ତି ତାର ମୁଣ୍ଡ, ହାତ, ଆଙ୍ଗୁଳି ଓ ମୁକୁଟ । ନିଜ ଆଖି ସାମ୍ନାରେ ଆରାଧ୍ୟ ଦେବଦେବୀଙ୍କର ଏ ଦୁର୍ଦ୍ଦଶା କୌଣସି ଛାତ୍ର ବା ଛାତ୍ରୀ ପକ୍ଷେ ବରଦାସ୍ତ ହେବା ସମ୍ଭବ ନୁହେଁ । ସେଇହେତୁ ସିଦ୍ଧାର୍ଥ ଓ ବନ୍ଧୁମାନଙ୍କର ସେଥର ବିଶେଷ ତତ୍ପରତା ପ୍ରକାଶ ପାଇଥିଲା । ବିସର୍ଜନ ପରେ ମଧ୍ୟ କିଛିକାଳ ପୋଖରୀ ଆଡ଼ିରେ ସେମାନେ ପହରା ଦେବେ । ସେମାନଙ୍କ ସାଙ୍ଗରେ ଥିଲେ କୁଳମଣି ମାଷ୍ଟ୍ରେ, ଯିଏ ମାଡ଼ ଦେଲାବେଳେ ଗାଈବାଛୁରୀ ଓ ମଣିଷ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖୁ ନ ଥିଲେ ।

 

ସରସ୍ୱତୀଙ୍କ ପ୍ରତିମାକୁ ନେଇ ପୋଖରୀ ହୁଡ଼ାରେ ତିନିଥର ପ୍ରଦକ୍ଷିଣ କରାଯାଏ । ତାପରେ ତାଙ୍କୁ ବିସର୍ଜନ ଦିଆଯାଏ । କୁଳମଣି ମାଷ୍ଟ୍ରେ ବ୍ରାହ୍ମଣ ହେଲେ ମଧ୍ୟ ବ୍ରାହ୍ମଣ ଶାସନରେ ତାଙ୍କ କାଟ୍‌ତି ନାହିଁ । ପୂଜାବେଳକୁ ତାଙ୍କୁ ଲୋଡ଼ାଯାଏ ନାହିଁ । କିନ୍ତୁ ବିସର୍ଜନ କଥା ଭିନ୍ନ । ପୂଜାର ଉତ୍ସାହ ବିସର୍ଜନକୁ ବାରଣା ଚାରଣା । ତେଣୁ କୁଳମଣି ମାଷ୍ଟ୍ରଙ୍କୁ ହାତେଇ ସେ ବିଧିଟା ସାରି ଦେବାପାଇଁ ପ୍ରଧାନ ଶିକ୍ଷକ ପରାମର୍ଶ ଦିଅନ୍ତି ।

 

ମାଘ ମାସ ସକାଳ । ପୋଖରୀ ହୁଡ଼ାରେ ଗୋଟାଏ କଇଁଥ ଗଛମୂଳେ କୁଙ୍କୁରିକାଙ୍କୁରି ବସି ରହିଥିଲେ ଦିଇଟି ସାନ ସାନ ପିଲା । ସେମାନେ ପାଠ ପଢ଼ନ୍ତି ନାହିଁ, ଗୋବର ଗୋଟାନ୍ତି, କାଠିକୁଟା ସଂଗ୍ରହ କରନ୍ତି ଓ ଅବଶିଷ୍ଟ ସମୟତକ ଟୋ ଟୋ ବୁଲନ୍ତି । ବିସର୍ଜନ ଦଳକୁ ଦେଖିବାକ୍ଷଣି ବଡ଼ପିଲାଟି ପଛେ ପଛେ ଧାଇଁବାକୁ ଆରମ୍ଭ କରି ଦେଇଥିଲା । ନା, ମୂର୍ତ୍ତିର ଅଳଙ୍କାର ପ୍ରତି ଆଦୌ ନୁହେଁ, କଳସ ଉପରେ ସେଥର ପଇଡ଼ ବଦଳରେ ରଖାଯାଇଥିବା ନଡ଼ିଆଟି ଉପରେ ଥିଲା ତାର ନଜର । ସେ ନଡ଼ିଆଟିକୁ ହାତେଇବା ପାଇଁ ସେମାନଙ୍କର ଚାରିପଟେ ଘୂରୁଥିଲା ।

 

ପ୍ରତିମା ଓ ପୂଜାସାମଗ୍ରୀର ନିରାପତ୍ତା ଦାୟିତ୍ୱରେ ଥିବା ସିଦ୍ଧାର୍ଥ ଖିଙ୍କାରି ଯାଇଥିଲା । ଟେକାଟାଏ ଉଠେଇ ବଗୁଲି ପିଲାଟି ଆଡ଼କୁ ତଡ଼ି ଯାଇଥିଲା, ଯେମିତି ସେଇଟି ମଣିଷଛୁଆ ନୁହେଁ, ମଣିଷଙ୍କ ଭୋଜି ମେଳକୁ ହଠାତ୍‌ ପଶି ଆସିଥିବା କୁକୁର ଛୁଆଟାଏ । ଅଥଚ କୁଳମଣି ମାଷ୍ଟ୍ରେ ସେମାନଙ୍କର ସବୁ ଉଦ୍ୟମ ପଣ୍ଡ କରି ଦେଇଥିଲେ । କଳସର ପାଣି ଓ ଆମ୍ବପତ୍ର ଡାଳଟାକୁ ପୋଖରୀରେ ଅଜାଡ଼ି ଦେବା ପରେ ତାଙ୍କର ଯେତେବେଳେ ନଡ଼ିଆଟିକୁ ମଧ୍ୟ ବିସର୍ଜି ଦେବାର ଥିଲା ଠିକ୍‌ ସେତିକିବେଳେ ସେ ସେଇଟିକୁ ପିଲା ଦିହିଁଙ୍କ ଭିତରୁ ସାନପିଲାଟି ହାତରେ ଧରେଇ ଦେଇଥିଲେ । ସିଦ୍ଧାର୍ଥ ହେରିକା ଘଟଣା କଣ ବୁଝିଲା ବେଳକୁ ପିଲାଟି ନଡ଼ିଆଟାକୁ ପେଟତଳେ ଜାକି ବିଜୁଳି ପରି ଅଦୃଶ୍ୟ ହୋଇଯାଇଥିଲା ।

 

ଆଜି ଅନେକ ବର୍ଷ ପରେ ସେମିତି ଦୃଶ୍ୟଟେ ଦେଖିଲା ପରେ ସେଦିନର କୁଳମଣି ମାଷ୍ଟ୍ରଙ୍କ ଅବୁଝା କଥାଗୁଡ଼ିକ ସିଦ୍ଧାର୍ଥ ବୁଝିପାରୁଥିଲା । ବୁଝିପାରୁଥିଲା କାହିଁକି ରାତି ଅନ୍ଧାର ଭିତରେ ବି ସାନପିଲାଟାଏ ଅପେକ୍ଷା କରି ରହେ ଚାରିଟି ଟିକିଟିକି କଦଳୀ ପାଇଁ । ମାଘ ସକାଳର ଜାଡ଼ ଭିତରେ କୁଙ୍କୁରିକାଙ୍କୁରି କାହିଁକି ଅପେକ୍ଷା କରି ରହେ ଗୋଟେ ଦରଶୁଖିଲା ପଇଡ଼ କି ନଡ଼ିଆ ପାଇଁ-। ଅଥଚ କେଡ଼େ ଅବିଚାରିତ ଢଙ୍ଗରେ ଏଇ ଜୀବିତ ଈଶ୍ୱରମାନଙ୍କୁ ଆଡ଼େଇଯାଇ ମଣିଷ କାଠପଥର ଦିଅଁ ଦେବତାଙ୍କ ମୁଣ୍ଡରେ ଲିପିଦିଏ ସିନ୍ଦୂର, ବେଢ଼େଇ ଦିଏ ନାଲିଗାମୁଛା ଓ ଅନାବଶ୍ୟକ ଭାବେ କ୍ଷୀର ଲବଣୀରେ ସେମାନଙ୍କୁ ଗାଧୋଇ ଦିଏ ?

Image

 

ଡଲୁ ଓ ଫୁଲବାଣୀ

 

କଟକ କି ଭୁବନେଶ୍ୱରରେ ରହି କଳାହାଣ୍ଡି, କୋରାପୁଟ ବା ଫୁଲବାଣୀର ଜଙ୍ଗଲ, ପାହାଡ଼, ଝରଣା, ଶାଳବଣ, ପଳାଶ ଓ ଶିମିଳିର ପୁଷ୍ପିତ ଶାଖାରେ ଅଗ୍ୟୁତ୍ସବ କଳ୍ପନା କରିବା ଭିନ୍ନ କଥା, କିନ୍ତୁ ବର୍ଷ ବର୍ଷ ଧରି ଆପଣା ପରିବାର ଓ ପ୍ରିୟଜନଙ୍କଠାରୁ ଦୂରେଇ ରହି ତାରୁଣ୍ୟର ନିଷ୍ଫଳତାକୁ ଝୁରି ଝୁରି ସମୟ ବିତେଇବା ଭିନ୍ନ କଥା । ବାଲ୍ୟବନ୍ଧୁ ସର୍ବେଶ୍ୱରର ଚିଡ଼ିଚିଡ଼ା ସ୍ୱଭାବ, ଫୁଲବାଣୀ ସମ୍ପର୍କରେ ତା’ର ଅନୁଦାର ମନ୍ତବ୍ୟ ଏବଂ ସେମାନଙ୍କର ଦେଖା ହେବା ପରଠାରୁ ଫୁଲବାଣୀର ସମସ୍ୟା ସଂପର୍କୀୟ ନିରୁତା ଶୁଷ୍କ ଆଲୋଚନାକୁ ତେଣୁ ସିଦ୍ଧାର୍ଥ ଭୁଲ୍‌ ଅର୍ଥରେ ଗ୍ରହଣ କରୁନଥିଲା । ସର୍ବେଶ୍ୱର କହୁଥିଲା, ତୁମେ ଯେଉଁମାନେ ଦୂରରେ ଥାଇ ସାଲୁଙ୍କି ନଈର ପଥୁରିଆ ପିଠି, ଏଇ ଗଡ଼ଜାତ ଛୋଟ ବଜାରର ନିରୁପଦ୍ରବ ମୃଦୁ କୋଳାହଳ, ଏହାର ପାହାଡ଼ ଓ ଝରଣା ବିଷୟରେ ଏତେ ସବୁ କଳ୍ପନାବିଳାସୀ ଛବି ଆଙ୍କି ବସ, ସେମାନେ ଏଠିକୁ ଖରାଦିନେ ଆସି ତିନି ଚାରି ମାସ ଏକଲା ରହିବା ଦରକାର । ବାଲ୍‌ଟିଏ ପାଣି ପାଇଁ ଦୁଇ ଠେଙ୍ଗା ଖାଇଲେ ତୁମମାନଙ୍କର କବିଭାବ ଆପଣାଛାଏଁ ଦୂରେଇଯିବ !

 

ସର୍ବେଶ୍ୱରର କଥାଗୁଡ଼ିକ ସବୁଦିନେ ଏହିପରି ଟାଆଁସିଆ । କଥାଟାକୁ ଆଉ ଟିକିଏ ନରମ କରି କ’ଣ କୁହାଯାଇପାରନ୍ତା ନାହିଁ !

 

ସିଦ୍ଧାର୍ଥ ଗତକାଲିରୁ ଦୁଇଦିନ ପାଇଁ ଫୁଲବାଣୀ ଆସିଛି । ସର୍ବେଶ୍ୱରଠାରୁ ଏତେସବୁ ଶୁଣିବା ପରେ ମଧ୍ୟ ତାକୁ ଫୁଲବାଣୀ ଭଲ ଲାଗିଛି । ଆଜି ସକାଳୁ ସେ ଏହି ସହରର ଚାରିପଟେ ଘେରାଏ ଘୂରିଆସିଛି । ଜଗନ୍ନାଥ ମନ୍ଦିର ଓ ନାରାୟଣୀ ମନ୍ଦିର ବୁଲିସାରି ତୁଡ଼ିପାଜୁ ଯିବା ବାଟରେ ସେ ଚମତ୍କାର ପଳାଶ ଗଛ ଯୋଡ଼ିଏ ଦେଖିଥିଲା । କିଏ କହୁଛି ଗନ୍ଧହୀନ ପଳାଶ ଫୁଲର ଜୀବନ ବ୍ୟର୍ଥ, ନିରର୍ଥ ? ପଳାଶ ତ କୋଉ ଦିନ ଆସି ମଣିଷକୁ କହିନି ତାର ବିଡ଼ମ୍ବିତ ଜୀବନର ଦୁର୍ଭାଗ୍ୟ ! ସେ ତାର ଲାଲିମାକୁ ନେଇ ବେଶ୍‌ ଆନନ୍ଦରେ ଅଛି । ତା ପାଖୁଡ଼ାରେ ଏତେ ଟିକିଏ ସୁରଭି ବୋଳି ହୋଇଥିଲେ ଏହି ମଣିଷ ତାର ଶାଖାପ୍ରଶାଖାକୁ ଖିନ୍‌ଭିନ୍‌ କରି ସେସବୁ ଅପହରଣ କରିନିଅନ୍ତା । ସୁନ୍ଦରୀ ନାରୀର ଯୌବନ ଓ ସୁଦୃଶ୍ୟ ପୁଷ୍ପର ସୁରଭି, ଉଭୟଙ୍କ ଦୁର୍ଭାଗ୍ୟ ନେଇ ମଣିଷର ଇତିହାସ କିଛି ଊଣା ମୁଖର ନୁହେଁ ! ସିଦ୍ଧାର୍ଥ ମନେ ମନେ ତରୁଣ ପଳାଶ ବୃକ୍ଷର କନିଷ୍ଠ କଢ଼ିମାନଙ୍କୁ ଆଶୀର୍ବାଦ ଜଣାଇଥିଲା– ସୁଖରେ ରୁହ, ଶାନ୍ତିରେ ରୁହ, ଏଇପରି ସବୁଜ ଶ୍ୟାମଳ ବନାନୀ ଭିତରେ ଅନାସକ୍ତ ସୌହାର୍ଦ୍ଦ୍ୟ ଓ ଈର୍ଷଣୀୟ ସୌନ୍ଦର୍ଯ୍ୟର ବିଜୟ ପତାକା ଉଡ଼ାଉଥାଅ ।

 

ଆଉ କିଛି କାଳ ପଳାଶ-ମନସ୍କ ହୋଇ ରହିଥାନ୍ତା ସିଦ୍ଧାର୍ଥ । ସର୍ବେଶ୍ୱର ଓ ତା ସ୍ତ୍ରୀ ଗପସପ ସାରି କେବେଠୁଁ ଶୋଇବାକୁ ଚାଲିଗଲେଣି । ମାର୍ଚ୍ଚ ମାସର ଶେଷ ସପ୍ତାହରେ ବି ଫୁଲବାଣୀର ଉତ୍ତୀର୍ଣ୍ଣ ସନ୍ଧ୍ୟାସବୁ ଶୀତଳ । ସେ ମୁହଁ ମାଡ଼ି ଶୋଇବାର ଉପକ୍ରମ କଲା ।

 

ହଠାତ୍‌ ବେଙ୍ଗଟାଏ କୁଦା ମାରିବା ପରି ଖପ୍‌କରି ଗୋଟିଏ କୁଦାରେ ଆସି ତା ପେଟ ଉପରେ ବସିଯାଇଥିଲା ଡଲୁ, ସର୍ବେଶ୍ୱରର ବଡ଼ପୁଅ । ଏହି ମାସରେ ତାକୁ ତିନି ବର୍ଷ ପୂରିବ । ପିଲାଟା ଖୁବ୍‌ ଚଞ୍ଚଳ, ଖୁବ୍‌ ହୁସିଆର । ଗତକାଲି ପ୍ରଥମ ସାକ୍ଷାତ୍‌ବେଳେ, ସିଦ୍ଧାର୍ଥ ହାତରେ ଚକୋଲେଟ୍‌ର ମଧୁର ପ୍ରଲୋଭନ ସତ୍ତ୍ୱେ ଡଲୁ ପାଖକୁ ଆସିନଥିଲା । ଦୂରରୁ, ମା କୋଳରୁ ଥାଇ ସେ ନିରୀକ୍ଷଣ କରିଥିଲା ସିଦ୍ଧାର୍ଥର ହାବଭାବ । ଡଲୁ ମନେ ମନେ ହୁଏତ ଚିନ୍ତା କରୁଥିଲା, ଭୁବନେଶ୍ୱରରୁ ଆସିଥିବା ଏହି ଲୋକଟାକୁ ବିଶ୍ୱାସ କରାଯାଇପାରେ କି ନାହିଁ ? ଢେର୍‌ ସମୟ ପରେ ସେ ତା ମା’ କୋଳରୁ ଓହ୍ଲେଇ ଆସିଥିଲା । ସଂଶୟ ସମ୍ପୂର୍ଣ୍ଣ ଦୂରେଇ ନାହିଁ, ନୂଆ ସମ୍ପର୍କକୁ ପରୀକ୍ଷାକରି ଦେଖିନେବାର କୌତୂହଳ ସୃଷ୍ଟି ହୋଇଛି । ତେବେ ସେସବୁ ଦୁଇ ଦିନର ପୁରୁଣା କଥା । ଏବେ ଡଲୁ ଓ ସିଦ୍ଧାର୍ଥ ଭିତରେ ଖୁବ୍‌ ନିବିଡ଼ ସମ୍ପର୍କ । ସେଥିପାଇଁ ଡଲୁ ଆଜି ସକାଳୁ ଏହି ଭୁବନେଶ୍ୱରୀ ‘ଅଙ୍କଲ୍‍’ର ଆଙ୍ଗୁଳି ଧରି ବାଟ ଚାଲୁଛି । ‘ଅଙ୍କଲ୍‌’ କହିଛନ୍ତି ତାକୁ ଭୁବନେଶ୍ୱର ନେବେ, ଭୁବନେଶ୍ୱରରେ ଡଲୁର ଅଜା-ଆଈ ରହନ୍ତି, ସେମାନଙ୍କ ପାଖକୁ ସେ ଯିବ । ଅଙ୍କଲ୍‌ ବି କହିଛନ୍ତି ତାକୁ ଚକୋଲେଟ୍‌ ଦେବେ, ଅଙ୍କଲ୍‌ କହୁଛନ୍ତି ଇତ୍ୟାଦି ଇତ୍ୟାଦି... ସେ ଘୋଷି ହେଉଛି ।

 

ସିଦ୍ଧାର୍ଥ କହିଲା, ‘ଡଲୁ, ତୁ ଯାଇ ଶୋଇପଡ଼ । ରାତି ଅନେକ ହେଲାଣି ।’

 

ଡଲୁ ଟିକିଏ ଗମ୍ଭୀର ହେଲା । କିଛି ଗୋଟାଏ କହିବ କହିବ ହେଉଛି, କହିପାରୁନି । କିନ୍ତୁ ତିନି ବର୍ଷର ଡଲୁ ଭିତରେ କୋଉ କଥାକୁ ନେଇ ବା ଏତେ ଗମ୍ଭୀରପଣ ?

 

ସିଦ୍ଧାର୍ଥ ଚିତ୍‌ ହୋଇ ଶୋଇଥିଲା । ଡଲୁ ତା ପେଟ ଉପରେ ମୁହଁ ମାଡ଼ି ଶୋଇ ଦରୋଟି ଭାଷାରେ କହିଲା, ‘ବାପା ନା ମାଆଙ୍କୁ ମାରିଲେ । ମା ଝରଝର ହୋଇ କାନ୍ଦିଲା । ତମେ ବାପାଙ୍କୁ ମାର... ।’

 

: କୋଉ ଦିନ ?

 

: ସେଦିନ ।

 

ସିଦ୍ଧାର୍ଥ ସ୍ତବ୍‌ଧ ହୋଇଗଲା । କେଉଁ ବିଶ୍ୱାସରେ ଡଲୁ ତା ପାଖରେ ତା ବାପା ବିରୋଧରେ ଏ ଅଭିଯୋଗ ବାଢ଼ୁଛି ? ତା ଭିତରେ କେଉଁ ସାମର୍ଥ୍ୟ ଦେଖିଥିବା ଯୋଗୁଁ ସିଦ୍ଧାର୍ଥ ତା ବାପାକୁ ମାରିପାରିବ ବୋଲି ଡଲୁ ଆଶା ରଖିପାରୁଛି ? ବାପା ମାଆକୁ ଗାଳିଦେବାବେଳେ କି ମାରିବାବେଳେ ଡଲୁପରି ପିଲା ନିଜକୁ ସେତିକି ଅସହାୟ ଅନୁଭବ କରି ନ ଥିଲେ ଦି ଦିନର ପରିଚିତ ଗୋଟାଏ ଅଙ୍କଲ୍‌ ପାଖେ ଏ କଥା କହିପାରନ୍ତା କି ? ମାଆ ଆଖିରେ ଲୁହ ଦେଖିଲେ କୋଳର ସାନ ପିଲାଟିଏ କେତେ ଅସହାୟ ହୋଇ ନ ପଡ଼େ ! ଡଲୁର ଏ ଅଭିଯୋଗ ତା ବାପା ବିରୋଧରେ ନା ପିଲାଙ୍କ ସାମ୍ନାରେ ମାଆକୁ ଆଘାତ ଦେଉଥିବା ପ୍ରତିଟି ବାପା ବିରୋଧରେ ? ଏହା ପଛରେ ରହିଛି ଯେଉଁ କାରୁଣ୍ୟ ଓ ଅସହାୟତା, ଯେଉଁ ବିଶ୍ୱାସ ଓ ନିର୍ଭରଶୀଳତା, ତାକୁ ମାପିବା ପାଇଁ ସିଦ୍ଧାର୍ଥ ପରି ପ୍ରାପ୍ତ ବୟସ୍କର ଅଭିଜ୍ଞତା ଓ ଅନୁଭବ ଅକୁଳାଣ ହୋଇପଡ଼ୁଥିଲା । ସେ ଉପରକୁ ଅବିଚଳିତ ରହିବାର ବାହାନା କରି, ଡଲୁର ପିଠି ଥାପୁଡ଼େଇ ଶୁଆଇଦେବାର ଉଦ୍ୟମ କରୁଥିଲେ ବି ଭିତରେ ଭିତରେ ବତୁରି ଯାଉଥିଲା । ତାକୁ ଲାଗୁଥିଲା ଡଲୁ କେବଳ ତା ବାପା ବିଷୟରେ ନୁହେଁ ପୃଥିବୀର ସବୁ ବାପାମାନଙ୍କ ଅହଂକାରୀ ଔଦ୍ଧତ୍ୟ ବିଷୟରେ ସବୁକଥା ଜାଣେ ।

 

ଡଲୁ ଶୋଇବା ଆଗରୁ ବାପା-ମା ପ୍ରସଙ୍ଗ ବଦଳେଇ ପୁଣି ଥରେ ନିଜର ପ୍ରଶ୍ନ ଦୋହରାଇଲା, “ମୋତେ ଭୁବନେଶ୍ୱର ଅଜାଙ୍କ ଘରକୁ ନେଇଯିବ ତ” ଓ ସିଦ୍ଧାର୍ଥ ପୂର୍ବରୁ ପ୍ରାୟ ପଚାଶଥର ଦେଇଥିବା ସେହି ଏକା ଉତ୍ତର ଦୋହରାଇଲା, ‘ହଁ । ନେଇଯିବି ।’

 

ଡଲୁ ଗତକାଲି ଅଜା ଘରକୁ ଯିବ ବୋଲି କହିଥିଲା । ସିଦ୍ଧାର୍ଥ ମଧ୍ୟ କିଛି ନ ଭାବି ନ ଚିନ୍ତି ଡଲୁ କଥାରେ ‘ହଁ’ ଭରିଥିଲା ।

 

ଅଥଚ ଡଲୁକୁ ବହଲେଇବା ପାଇଁ କହିଥିବା ଏହି ମିଛ କଥାପଦକ ଯେ ଆଜି ଏପରି ସମସ୍ୟା ସୃଷ୍ଟି କରିବ ତାହା ସେ କଳ୍ପନା କରି ନ ଥିଲା । ଏବେ ଡଲୁ କିଛି ବୁଝିବାକୁ ନାରାଜ । ସେ ଆର ଘରେ ଚିତ୍କାର କରୁଛି । ଶାର୍ଟ ପ୍ୟାଣ୍ଟ ପିନ୍ଧିବାକୁ ଅଡ଼ିବସୁଛି । ବାପାକୁ ତା’ର ଠେଲାପେଲା କରୁଛି । ମାଆର ଲୁଗାକାନି ଭିଡ଼ି ଦଉଛି । ତାର ଗୋଟାଏ ଜିଦ୍‌, ଅଙ୍କଲ୍‌ ବାହାରିଲେଣି, ସେ ମଧ୍ୟ ତାଙ୍କ ସାଙ୍ଗରେ ଯିବ । ତାକୁ ପୋଷାକ ପିନ୍ଧେଇ ଦିଆଯାଉ । ନିରୁପାୟ ଡଲୁର ମାଆ କହୁଛି, ସେ ଚାଲିଗଲେ ତାକୁ ଡର ମାଡ଼ିବ । ସେ ଏକାକୀ ରହିବ କେମିତି ? ଡଲୁ ତା’ର କାନ୍ଦଣା ଜାରି ରଖି ମାଆକୁ ଉତ୍ତର ଫେରଉଛି, ସେ ଅଜାଘରୁ ଫୁଲବାଣୀକୁ ସବୁଦିନ ଫୋନ୍‌ କରିବ । ଡଲୁର ବାପା କହୁଛି, ପୁଅ ଚାଲିଗଲେ ବାପାକୁ ଏକଲା ଭଲ ଲାଗିବ ନାହିଁ ଫୁଲବାଣୀରେ । ଡଲୁ ସେଇ ଲୁହ ସିଙ୍ଘାଣି ଏକାକାର ଅବସ୍ଥାରେ ଉତ୍ତର ଫେରଉଛି, ତାହା ହେଲେ ତା ବାପା ବି ଚାଲୁ ତା ସାଙ୍ଗରେ । ବାପା-ମାଆଙ୍କର ସବୁ ରକମର ପ୍ରଶ୍ନ ପାଇଁ ତା ପାଖେ ଆଜି ଉତ୍ତର ଅଛି, ସବୁ ପହେଳିର ସମାଧାନ ସୂତ୍ର ଅଛି ତାର ତିନି ବର୍ଷର ମସ୍ତିଷ୍କ ଭିତରେ ।

 

ସିଦ୍ଧାର୍ଥର ଗାଡ଼ିବେଳ ହୋଇଯାଉଛି, କିନ୍ତୁ ଡଲୁର ରାହା ବନ୍ଦ ହେଉ ନାହିଁ । ଲୁହ ସିଙ୍ଘାଣି ନେସିହେଇ ଟିକି ଗୋରା ତକ୍‌ତକ୍‌ ମୁହଁଟା ବିକୃତ ହୋଇଗଲାଣି । ଆଖିଯୋଡ଼ିକ ପଳାଶ ପାଖୁଡ଼ା ପରି ନାଲି ପଡ଼ିଗଲାଣି । ସିଦ୍ଧାର୍ଥ ମଧ୍ୟ କେତେଥର ଅନୁନୟ ବିନୟ ହୋଇ ମିଛ ପ୍ରତିଶ୍ରୁତି ପାଇଁ ହାତ ଯୋଡ଼ିଲାଣି । କିନ୍ତୁ ଡଲୁର ସେଇ ଏକା ଜିଦ୍‌– ସେ ଭୁବନେଶ୍ୱର ଆସିବ ।

 

ହଠାତ୍‌ ଡଲୁର ମାଆ କଣ ଗୋଟାଏ କହି ତାକୁ ବାଡ଼ିପଟକୁ ନେଇଗଲା ଓ ସେଇ ମଉକାରେ ସର୍ବେଶ୍ୱର ସିଦ୍ଧାର୍ଥର ବ୍ୟାଗପତ୍ର ଆଣି ଗାଡ଼ିରେ ଥୋଇଦେଲା ।

 

ଗାଡ଼ିର କବାଟ ବନ୍ଦ ହେବା କ୍ଷଣି କିନ୍ତୁ ସିଦ୍ଧାର୍ଥ ବିଷଣ୍ଣ ହୋଇପଡ଼ିଲା । ତା ଭିତରେ କୋଉଠି କଣ ଯେମିତି ଭୁଲ୍‌ଭାଲ ହୋଇଯାଇଥିଲା । ସେ ଆଶା କରିଥିଲା, ସର୍ବେଶ୍ୱର ଘରୁ ବିଦାୟ ନେଇଆସିବାବେଳେ ସର୍ବେଶ୍ୱର, ତା ସ୍ତ୍ରୀ ଓ ଡଲୁ ତିନିହେଁ ଦ୍ୱାର ମୁହଁରେ ଠିଆହୋଇ ତାକୁ ହସି ହସି ବିଦାୟ ଦେଇଥାଆନ୍ତେ । ଡଲୁର ଲାଳବୋହି ପଡ଼ୁଥିବା ଓଠରୁ ଟା-ଟା ଶବ୍ଦ ତାକୁ ଆଉଥରେ ଡଲୁକୁ କୋଳେଇ ନେବାକୁ ବାଧ୍ୟ କରିଥାଆନ୍ତା । କିନ୍ତୁ ସେପରି କିଛି ହେଲା ନାହିଁ । ଗୋଟିଏ ତିନି ବର୍ଷର ଛୁଆକୁ ତିନିତିନିଟା ବୟସ୍କ ମଣିଷ ଶତ ଚେଷ୍ଟା କରି ସୁଦ୍ଧା ବୁଝେଇପାରିଲେ ନାହିଁ; ଯୋଉଥିପାଇଁ ପଳାତକଟେ ପରି ସିଦ୍ଧାର୍ଥକୁ ଲୁଚିଛପି ଆସିବାକୁ ପଡ଼ିଲା । ସେ ଅନୁଭବ କରୁଥିଲା, ଗତ ଦୁଇଦିନ ଧରି ସେ ଡଲୁ ସାଙ୍ଗେ ଯେଉଁ ବ୍ୟବହାର ଦେଖାଇ ଆସିଥିଲା, ସେସବୁ ମିଥ୍ୟା ବୋଲି ଡଲୁ ଜାଣିସାରିବଣି । ଡଲୁ ଜାଣିସାରିଥିବ ଯେ ପୁଣି ଗୋଟାଏ ବୟସ୍କ ମଣିଷ ତା ସାଙ୍ଗେ ବିଶ୍ୱାସଘାତକତା କରିଛି । ତାକୁ ସାଙ୍ଗରେ ନ ନେଇ ଭୁବନେଶ୍ୱର ଫେରିବ ନାହିଁ ବୋଲି କାଲି ରାତିରେ କହିଥିବା ‘ଅଙ୍କଲ୍‌’ଟି ସେ ବାଡ଼ିପଟକୁ ଯାଇଥିବାର ସୁଯୋଗ ନେଇ ପଳେଇଯାଇଛି-

 

ସିଦ୍ଧାର୍ଥ ଜାଣିଥିଲା, ଡଲୁକୁ ତା ମାଆ ଆଉ ଗୋଟାଏ ମିଛ କହି ବାଡ଼ିପଟକୁ ନେଇଯାଇଥିବ । ଭୁବନେଶ୍ୱରଠୁ ବଳି ଆଉ କିଛି ଗୋଟେ ମଧୁର ମିଥ୍ୟା କହି ଡଲୁକୁ ବୋଧ କରିଦେଇଥିବ । କିନ୍ତୁ ସେ ମିଛର ମୁହଁ ଉପରୁ ମୁଖା ଖସିବା ପାଇଁ ବା କେତେ ସମୟ ଲାଗିବ ? କେତେ ସମୟ ବା ଲାଗିବ ଡଲୁକୁ ବୁଝିବା ପାଇଁ ପ୍ରାପ୍ତବୟସ୍କମାନଙ୍କର ଅବିଶ୍ୱସ୍ତପଣିଆ ? ସିଦ୍ଧାର୍ଥର ଅଜାଣତରେ ଡଲୁ ତାକୁ ଛଳନାପୂର୍ଣ୍ଣ ଭୁବନେଶ୍ୱରରେ ପରିଣତ କରିଦେଇ ନିଜେ ନିରୀହ ଫୁଲବାଣୀଟେ ପାଲଟି ଯାଇଥିଲା ।

Image